Unknown

 

 

 

 

 

 

 

 

 

 

 

 

ଫକୀରମୋହନ ସମୀକ୍ଷା

ସୁରେନ୍ଦ୍ର ମହାନ୍ତି

 

ସୂଚୀପତ୍ର

 

୧.

ଫକୀରମୋହନଙ୍କ ଗଦ୍ୟରୀତି

୨.

ଫକୀରମୋହନଙ୍କ ହାସ୍ୟରସ

୩.

ଫକୀରମୋହନ ଉପନ୍ୟାସରେ ନାରୀ

୪.

ଚରିତ୍ରଚିତ୍ରଣ

୫.

ବୀର୍‌ହୋର୍‌ମାନଙ୍କର ଗପ

୬.

ସଉରାମାନଙ୍କର ଗପ

୭.

ଛମାଣ ଆଠଗୁଣ୍ଠ

୮.

ମାମୁ

୯.

ପ୍ରାୟଶ୍ଚିତ୍ତ

୧୦.

ଲଛମା

୧୧.

ଫକୀରମୋହନଙ୍କ ଉପନ୍ୟାସ ଶୈଳୀ

୧୨.

କ୍ଷୁଦ୍ରଗଳ୍ପ ଓ ଫକୀରମୋହନ

୧୩.

ଫକୀରମୋହନଙ୍କ ସାହିତ୍ୟାଦର୍ଶ

୧୪.

ପରିଶିଷ୍ଟ–

୧୫.

ଫକୀରମୋହନଙ୍କ ପତ୍ରାବଳୀ

Image

 

ଭୂମିକା

 

ଚାରିବର୍ଷ ତଳେ ଫକୀରମୋହନଙ୍କ ସମ୍ବନ୍ଧରେ ମୋର ଖଣ୍ଡେ ସମାଲୋଚନାମୂଳକ ପୁସ୍ତକ ପ୍ରକାଶ ପାଇ ଓଡ଼ିଶାର ସାହିତ୍ୟିକ ଓ ପାଠକମାନଙ୍କଦ୍ୱାରା ବିଶେଷଭାବରେ ଆଦୃତ ହୋଇଥିଲା । ବସ୍ତୁତଃ ସେପର୍ଯ୍ୟନ୍ତ ଫକୀରମୋହନଙ୍କ ଉପନ୍ୟାସ ସମ୍ବନ୍ଧରେ କୌଣସି ଉଲ୍ଲେଖଯୋଗ୍ୟ ବିଶ୍ଲେଷଣମୂଳକ ସମାଲୋଚନା ପ୍ରକାଶ ପାଇ ନ ଥିଲା ବୋଲି ଅନେକେ ମତ ପ୍ରକାଶ କରିଥିଲେ । ଫକୀରମୋହନଙ୍କ ସାହିତ୍ୟ ସମାଲୋଚନାରେ ତାହା ଏକ ନୂତନ ଉଦ୍ୟମ, ଏକ ନୂତନ ସରଣୀ ଓ ଏକ ନୂତନ ଦୃଷ୍ଟିକୋଣର ସଙ୍କେତ ଦେଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଫକୀରମୋହନଙ୍କ ଉପନ୍ୟାସ ସାହିତ୍ୟକୁ ଭିତ୍ତିକରି ଆଲୋଚିତ ପୁସ୍ତକଟି ଲିଖିତ ହୋଇଥିଲେ ସୁଦ୍ଧା, ସେଥିରେ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକର ସ୍ୱତନ୍ତ୍ର ସମାଲୋଚନା ପ୍ରକାଶ ପାଇ ନ ଥିଲା, ବା ଫକୀରମୋହନଙ୍କ ଉପନ୍ୟାସର ବିଭିନ୍ନ ବିଭାବଗୁଡ଼ିକ ବିଶଦଭାବରେ ଆଲୋଚିତ ହୋଇ ନ ଥିଲା । କାରଣ ଗତ ୧୯୪୯ ମସିହା ଜୁନ ମାସ ୧୪ ତାରିଖ ଦିନ ବାଲେଶ୍ୱର କଲେଜରେ ଫକୀରମୋହନ ସ୍ମୃତିରକ୍ଷାକମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଶ୍ରାଦ୍ଧ ଉତ୍ସବରେ ପ୍ରଧାନ ଅତିଥିରୂପେ ମୁଁ ଦେଇଥିବା ଭାଷଣଟି ସ୍ଫୀତିକୃତ ହୋଇ, ଉକ୍ତ ପୁସ୍ତକାକାରରେ ପ୍ରକାଶିତ ହୋଇଥିଲା । ତେଣୁ ଅନେକେ ପୁସ୍ତକଟିର ଅପୂର୍ଣ୍ଣତାରେ ହତାଶ ହୋଇଥିବା ସ୍ୱାଭାବିକ । ପୁସ୍ତକଟି ପ୍ରକାଶ ପାଇବା ପରେ ଅନେକେ ମୋତେ ‘ଫକୀରମୋହନ’ର ଗୋଟିଏ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ କରିବାପାଇଁ ଅନୁରୋଧ କରିଥିଲେ । ମାତ୍ର ଗତ ୧୯୫୩ ମସିହା ପର୍ଯ୍ୟନ୍ତ ନାନା କାର୍ଯ୍ୟବ୍ୟସ୍ତତାମଧ୍ୟରେ ତାହା ସମ୍ଭବ ହୋଇ ପାରି ନ ଥିଲା । ୧୯୫୩ ମସିହା ଅଧାଅଧିରେ ନାନା ସାଂସାରିକ ଜଞ୍ଜାଳମଧ୍ୟରେ ମୁଁ ମାନସିକ ଶାନ୍ତି ସ୍ଥୈର୍ଯ୍ୟ ଫେରି ପାଇବା ଆଶାରେ ଫକୀରମୋହନଙ୍କ ଉପନ୍ୟାସ ସାହିତ୍ୟର ସମାଲୋଚନା ଲେଖା ଆରମ୍ଭ କରିଥିଲି । ‘‘ଫକୀର ମୋହନ ସମୀକ୍ଷା’’ ପୁସ୍ତକଟି ସେହି ଉଦ୍ୟମର ଫଳ । ଯେଉଁ ଉପନ୍ୟାସ ସାହିତ୍ୟପାଇଁ ଫକୀରମୋହନ ଓଡ଼ିଆ ସାହିତ୍ୟଜଗତରେ ପ୍ରତିଷ୍ଠିତ ଓ ସ୍ମରଣୀୟ, ମୁଁ କେବଳ ସେହି ଉପନ୍ୟାସଗୁଡ଼ିକର ଆଲୋଚନାରେହିଁ ଏହି ପୁସ୍ତକର ପରିସର ପର୍ଯ୍ୟବସିତ କରିଅଛି । ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କ କାବ୍ୟ, କବିତାଗୁଡ଼ିକ ଉପେକ୍ଷଣୀୟ ନୁହେଁ, ଓଡ଼ିଆ ସାହିତ୍ୟରେ ତାହାର ଏକ ସ୍ୱତନ୍ତ୍ର ସ୍ଥାନ ଓ ମର୍ଯ୍ୟାଦା ରହିଛି; ମାତ୍ର କବି ଫକୀରମୋହନଙ୍କ କାବ୍ୟ ସାଧନାର ଯଥାର୍ଥ ବିଚାର ଏକ ସ୍ୱତନ୍ତ୍ର ଉଦ୍ୟମସାପେକ୍ଷ । ତେଣୁ ମୁଁ ଆଲୋଚିତ ପୁସ୍ତକରେ ତାହା ବାଦ୍ ଦେଇଅଛି ।

 

ଫକୀରମୋହନଙ୍କ ଉପନ୍ୟାସ ଓଡ଼ିଆ ସାହିତ୍ୟରେ ଏକ ଅଭିନବ ସାଧନା, ଏକ ଅଦ୍ଭୂତପୂର୍ବ କୃତିତ୍ୱ, ଏକ ଅମଳିନ କୀର୍ତ୍ତି । ଏ ଉପନ୍ୟାସଗୁଡ଼ିକ ପ୍ରକାଶିତ ହେଲାବେଳେ, ଓଡ଼ିଶାର ପାଠକସାଧାରଣଙ୍କଦ୍ୱାରା କିପରିଭାବରେ ଅଭିନନ୍ଦିତ ହେଉଥିଲା, ସେ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣାପାଇଁ ମୁଁ ଫକୀରମୋହନଙ୍କ ପ୍ରକାଶକ ଉତ୍କଳ-ସାହିତ୍ୟର ଭୀଷ୍ମଦେବ ବିଶ୍ୱନାଥ କରଙ୍କ ପୁରୁଣା ଚିଠି ଫାଇଲ୍ ଅନୁସନ୍ଧାନ କରିବାର ଉଦ୍ୟମ କରିଥିଲି ଏବଂ ଉତ୍କଳ-ସାହିତ୍ୟର ସମ୍ପାଦକ ଶ୍ରଦ୍ଧେୟ ସୁନନ୍ଦ କରଙ୍କ ସୌଜନ୍ୟ ଫଳରେ ମୁଁ ବିଶ୍ୱନାଥଙ୍କ ପୁରୁଣା ଚିଠି ଫାଇଲର କେତେକାଂଶ ଦେଖିବାର ସୁଯୋଗ ପାଇଥିଲି । ‘‘ଉତ୍କଳ–ସାହିତ୍ୟ’’ ବିଂଶ ଶତାବ୍ଦୀର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଦଶକରେ ଓଡ଼ିଆ ସାହିତ୍ୟିକର ଏକ ତୀର୍ଥ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ରୁଚି ଓ ମତବାଦ ନିର୍ବିଶେଷରେ ସେକାଳର ପ୍ରତ୍ୟେକ ଶିକ୍ଷିତ ସାହିତ୍ୟପ୍ରେମୀ ଓ ଲେଖକ ବିଶ୍ୱନାଥଙ୍କୁ କି ଭକ୍ତି, ଶ୍ରଦ୍ଧା ଓ ବିଶ୍ୱାସର ଚକ୍ଷୁରେ ଦେଖୁଥିଲେ, ତାହାର ପ୍ରମାଣ ସେ କେତେଖଣ୍ଡି ଚିଠିରୁ ମୁଁ ପାଇଥିଲି । ସେଦିନର ଓଡ଼ିଆ ଲେଖକମାନେ ଥିଲେ ଯେପରି କି ଗୋଟିଏ ଗୋଷ୍ଠୀର, ଗୋଟିଏ ପରିବାରର । ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ଥିଲା ସେମାନଙ୍କର ଏକମାତ୍ର କାମନା । ‘‘ଉତ୍କଳ-ସାହିତ୍ୟ’’ ଥିଲା ସେ ସାଧନାର ଏକମାତ୍ର ପୀଠ ଓ ବିଶ୍ୱନାଥ ଥିଲେ ତାହାର ମନ୍ତ୍ରଗୁରୁ । ଫକୀରମୋହନଙ୍କ ଉପନ୍ୟାସମାନ ତାଙ୍କରି ପ୍ରେସରୁ ପ୍ରକାଶିତ ହେଉଥିଲା । ଫକୀରମୋହନଙ୍କ ‘କ୍ଷୁଦ୍ର ଗଳ୍ପ’ଗୁଡ଼ିକ ତାଙ୍କରି ‘ଉତ୍କଳ-ସାହିତ୍ୟ’ରେ ପ୍ରକାଶିତ ହୋଇଥିଲା । ଫକୀରମୋହନଙ୍କର ଖଣ୍ଡେ ଗଳ୍ପ ବା ଉପନ୍ୟାସ ପ୍ରକାଶ ପାଇବା, ସେକାଳର ଶିକ୍ଷିତ ମହଲରେ ଥିଲା ଏକ ଚାଞ୍ଚଲ୍ୟକାରୀ ସମ୍ବାଦ । ବିଶ୍ୱନାଥଙ୍କ ଚିଠି ଫାଇଲ୍ ହିଁ ତାର ଏକମାତ୍ର ସାକ୍ଷୀ । ଫକୀରମୋହନଙ୍କ ଗଳ୍ପଟିଏ ବା ଉପନ୍ୟାସଟିଏ ପ୍ରକାଶ ପାଇଲେ ସେ ସମ୍ବନ୍ଧରେ ବହୁପାଠକ ନିଜ ମତାମତ ବିଶ୍ୱନାଥଙ୍କୁ ପତ୍ରରେ ଜଣାଉଥିଲେ । ମୁଁ ସେଥିରୁ କେତେକ ଅଂଶ ଏହି ଭୂମିକାରେ ଉଦ୍ଧାର କରିଅଛି । ଫକୀରମୋହନଙ୍କ ନୂଆ ଉପନ୍ୟାସ ଖଣ୍ଡେ ପ୍ରକାଶ ପାଇଲେ ଶିକ୍ଷିତ ଓଡ଼ିଆମାନଙ୍କ ମଧ୍ୟରେ ପ୍ରଥମ କପି ଖଣ୍ଡେ ପାଇବାପାଇଁ ଯେପରି କି ଗୋଟାଏ ପ୍ରତିଯୋଗିତା ଲାଗି ଯାଉଥିଲା । ‘‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’’ ଓ ‘‘ବାଇ ମାହାନ୍ତି ପାଞ୍ଜି’’ର ସ୍ମରଣୀୟ ଲେଖକ ଗୋପାଳଚନ୍ଦ୍ରଙ୍କର ବିଶ୍ୱନାଥଙ୍କୁ ଲିଖିତ ନିମ୍ନ ପତ୍ରରୁ ତାହାର ସୂଚନା ମିଳିବ :

 

ପୁରୀ ୧୧।୧୦।୧୫

 

ନମସ୍କାରାନ୍ତର ଅବଧାନ,

 

‘ପ୍ରାୟଶ୍ଚିତ୍ତ’ର ମତେ ପ୍ରଥମ ଗ୍ରାହକ ହେବା ସୁଖରୁ ବଞ୍ଚିତ କଲେ କିଆଁ ? ଆମେ ଶିକ୍ଷିତ କିଏ ? ବଡ଼ ପରିପାଟି ହୋଇଅଛି । ଏଥିପୂର୍ବରୁ କେବଳ ପ୍ରକୃତିଛଡ଼ା ଗୋପାଳିଆର କୁହାଟ ମାରିବା ଏକଚେଟିଆ ହୋଇଥିଲା । ଏଥିରୁ ଜଣାଗଲା ଯେ ଗୋପାଳର ଭକ୍ତ ସଂସାରରେ ଅଛନ୍ତି । କଟକ ୧୨ ତାରିଖ ରାତିକୁ ଯାଇ ୧୩ ତାରିଖ ଗ୍ରାମାଭିମୁଖ ହେବି । ଖଣ୍ଡେ ପ୍ରାୟଶ୍ଚିତ୍ତ ଓ ନାନାବାୟା ଗୀତ ବସାକୁ ପଠାଇଦେବେ । ମୋ କୋବିଚାରା ରଖିଥିବେ । ଆଜି ରାତିକୁ ଭୁବନେଶ୍ୱର ଗ୍ରସ୍ତ । ମୋହିନୀମୋହନ ସେନାପତି ପୂଜାବକାଶରେ ମୋର ପୁରୀ ବସାରେ ସସ୍ତ୍ରୀକ ଚଉକିଦାର ହେବେ । ଗ୍ରାମଠାରୁ ପତ୍ର ଦେବି–

 

ପ୍ରଣତ ଗୋପାଳ

 

(ଏହି ପତ୍ରଟିର ପ୍ରତିଚ୍ଛବି ଅନ୍ୟତ୍ର ଏହି ପୁସ୍ତକରେ ସନ୍ନିବିଷ୍ଟ ହୋଇଅଛି)

 

ବିଶ୍ୱନାଥଙ୍କ ଚିଠି ଫାଇଲରେ ଆଉ ଖଣ୍ଡେ ଚିଠି ଦେଖିଥିଲି; ଏବର ଲୋକସଭା ସଦସ୍ୟ ଶ୍ରୀ ବି. ଦାସ ସୁଦୂର ଗ୍ଲାସଗୋଠାରୁ ‘‘ପ୍ରାୟଶ୍ଚିତ୍ତ’’ ପ୍ରକାଶ ପାଇଥିବା ଜାଣି ତାଙ୍କ ଠିକଣାରେ ଖଣ୍ଡେ ପଠାଇବା ପାଇଁ ବିଶ୍ୱନାଥଙ୍କୁ ଲେଖିଥିଲେ । ଓଡ଼ିଆ ସାହିତ୍ୟରେ ଏକ ସୌଭାଗ୍ୟ ଓ ଗୌରବ ଆଉ କେଉଁ ଲେଖକର ଭାଗ୍ୟରେ ଜୁଟିବା ସମ୍ଭବ ଦିଶୁ ନାହିଁ ।

 

୧୯୧୫ ସାଲରେ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକୁ ପାଠ୍ୟ ପୁସ୍ତକ କରିବା ପାଇଁ, ଫକୀରମୋହନଙ୍କ ପ୍ରଶଂସକମାନଙ୍କ ତରଫରୁ ଏକ ଉଦ୍ୟମ ହୋଇଥିଲା । ତା ୭–୧୧–୧୫ ରିଖରେ ଜଣେ ବିଶିଷ୍ଟ ଓଡ଼ିଆ ବିଶ୍ୱନାଥଙ୍କୁ ଖଣ୍ଡେ ପତ୍ରରେ ଲେଖିଥିଲେ : *

 

* ପତ୍ରଟିର ଲେଖକ ଏବେ ଜୀବିତ । ତେଣୁ ତାଙ୍କ ନାମ ପ୍ରକାଶ କରାଯାଉ ନାହିଁ ।

 

‘‘ପାଠ୍ୟ ପୁସ୍ତକ Board of Studies ଦ୍ୱାରା ନିର୍ବାଚିତ ହୁଏ । ଆମ ଓଡ଼ିଶାର member କିଏ ବୁଝିବି । ଆଜି ଚିଠି ଲେଖିଲି । କଲିକତା ଗଲେ Prof. ହେମଚନ୍ଦ୍ର ସରକାରଙ୍କୁ ଫକୀରମୋହନ ବାବୁ ଖଣ୍ଡେ ‘ମାମୁ’, ଖଣ୍ଡେ ‘ଲଛମା’ ଓ ଖଣ୍ଡେ ‘ଲଛମା’ର ହିନ୍ଦୀ ଅନୁବାଦ ଓ ଖଣ୍ଡେ ‘ପ୍ରାୟଶ୍ଚିତ୍ତ’ ଉପହାର ସ୍ୱରୂପ ପଠାଇବେ ବୋଲି ତାଙ୍କୁ ଅନୁରୋଧ କରାଯିବ । ହେମବାବୁ କଲିକତା ଆସିବାବେଳେ ମୁଁ ତାଙ୍କୁ ଧରି Text Book Committee ର ଦୁଇଜଣ ବିଶିଷ୍ଟ ସଭ୍ୟଙ୍କଠାକୁ ନେଇ ତାର ବ୍ୟବସ୍ଥା କରିବି । ଏଣେ କଲେଜରୁ ଦରଖାସ୍ତ ଯିବ । ଏଣେ ଫକୀରମୋହନ ବାବୁ କେତେକ ବିଶିଷ୍ଟ ବ୍ୟକ୍ତିଙ୍କ opinion ସହିତ ବହିଗୁଡ଼ିକରୁ ଖଣ୍ଡେ ଖଣ୍ଡେ Board of Studiesକୁ ପଠାଇବେ । ଏହିପରି ଗୋଟିଏ revolution ଲାଗିଯାଉ । Opinion ନେବାକୁ ହେବ, ମଧୁବାବୁ Translator, ଗୋପାଳ ପ୍ରହରାଜ as member of the Bihar Orissa. Text Book Committee, ସାହିତ୍ୟ ସମ୍ପାଦକ, ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ, ଅଧ୍ୟାପକ କାଶୀନାଥ ଦାସ, ନନ୍ଦକିଶୋର ବାବୁ (Asst, Inspector) । ଏସବୁ ଆମ୍ଭମାନଙ୍କୁ କରିବାକୁ ହେବ । କାରଣ ଫକୀରମୋହନ ବାବୁ ବୃଦ୍ଧ । ସେ ତ ଆଉ ପାରିବେ ନାହିଁ । ଡିସେମ୍ବର ପୂର୍ବରୁ ବହି ଓ opinion ପଠାଯିବା ଦରକାର । x x x Opinion ଗୁଡ଼ାକ ଇଂରାଜୀରେ ହେଲେ ଭଲ ହେବ । ସେଥିରେ ଉଲ୍ଲେଖ ଥିବା ଦରକାର ଯେ–Books are recommended for I.A. & B. A. students as presenting ideals of style ଏବଂ ଫକୀରମୋହନ ବାବୁଙ୍କ ଲେଖା style ପକ୍ଷେ ଉପଯୁକ୍ତ । x x x’’

 

କିନ୍ତୁ ଏ ଉଦ୍ୟମ ହୁଏତ ସଫଳ ହୋଇ ନ ଥିଲା । ଆଜି ସେ ଉଦ୍ୟମର ବହୁ ବର୍ଷପରେ ଫକୀରମୋହନଙ୍କ ଉପନ୍ୟାସମାନଙ୍କ ମଧ୍ୟରୁ କେତେଖଣ୍ଡ ପାଠ୍ୟପୁସ୍ତକ ରୂପେ ନିର୍ବାଚିତ ହୋଇଥିବା ସୁଖର କଥା ।

 

‘‘ଲଛମା’’ ଫକୀରମୋହନଙ୍କର ଗୋଟିଏ ସାର୍ଥକ ସୃଷ୍ଟି । ଆଧୁନିକ ଓଡ଼ିଆ ସାହିତ୍ୟରେ ବହୁ ଅଭିନବ ଉଦ୍ୟମ ହୋଇଥିଲେହେଁ, ଓଡ଼ିଆରେ କୌଣସି ଐତିହାସିକ ଉପନ୍ୟାସ ‘‘ଲଛମା’’ର କୃତିତ୍ୱକୁ ଅତିକ୍ରମ କରିବା ଦୂରେ ଥାଉ, ଏହାର ସୀମା ସୁଦ୍ଧା ସ୍ପର୍ଶ କରି ପାରି ନାହିଁ । ତଥାପି ‘ଲଛମା’ ପ୍ରକାଶ ପାଇବା ପରେ ‘‘ଉତ୍କଳସାହିତ୍ୟ’’ର ଜଣେ ବିଶିଷ୍ଟ ଲେଖକ * ତା ୧୬–୫–୧୪ ରିଖରେ ଲେଖିଥିଲେ :

 

* ଏ ମହାଶୟ ଏବେ ସୁଦ୍ଧା ଜୀବିତ । ନନ୍ଦୀ ଛଦ୍ମ ନାମରେ ‘ନନ୍ଦୀଙ୍କ ଟିପାଖାତା’ ସ୍ତମ୍ଭରେ ଏହାଙ୍କର ଅନେକ ଉଚ୍ଚକୋଟୀର ଆଲୋଚନାମୂଳକ ରଚନା ‘ଉତ୍କଳ-ସାହିତ୍ୟ’ରେ ପ୍ରକାଶ ପାଇଥିଲା । ତାଙ୍କର ଲେଖନୀର ଶକ୍ତି ସେକାଳେ ସର୍ବାବାଦିସମ୍ମତ ଥିଲା । ଓଡ଼ିଆ ସାହିତ୍ୟର ଦୁର୍ଭାଗ୍ୟ, ଅପରିଚୟର ଅନ୍ତରାଳମଧ୍ୟରୁ ଏ ଶକ୍ତିଶାଳୀ ଲେଖକଙ୍କୁ ଉଦ୍ଧାର କରାଯାଇ ପାରିଲା ନାହିଁ-। ପ୍ରକାଶ ଓ ପ୍ରତିଷ୍ଠାପାଇଁ ଏପରି ଅନାସକ୍ତି ଯଥାର୍ଥରେ ବିସ୍ମୟୋଦ୍ଦୀପକ ।

 

‘‘ଫକୀରମୋହନ ବାବୁଙ୍କଠାରୁ ଖଣ୍ଡେ ‘ଲଛମା’ ପାଇଅଛି, ପଢ଼ି ସାରିଅଛି । ‘ମାମୁ’ ପରି ସୁଖପାଠ୍ୟ ବୋଧ ହେଲା ନାହିଁ–ସେ ଯୁଗର ବର୍ଗୀ ଅତ୍ୟାଚାର ଅନେକଗୁଡ଼ାଏ ପରିଚ୍ଛେଦ ଅଧିକାର କରି ବହିଟାକୁ ଇତିହାସ ପରି ନୀରସ କରି ଦେଇଅଛି–‘ଲଛମା’ historical romance ପରି ସ୍ଥାନେ ସ୍ଥାନେ ଦେଖା ଦେଇଅଛି–ମାତ୍ର ତାର ଚରିତ୍ର ଫୁଟି ପାରି ନାହିଁ । ବାଦଲ ସିଂହର ଅବସ୍ଥା ମଧ୍ୟ ତତୋଽଧିକ । ମାନଧାତାଙ୍କ ବୀରତ୍ୱ ଟିକିଏ ଦେଖା ଦେଇଅଛି, ମାତ୍ର ଅତି କ୍ଷୀଣ ଭାବରେ । ମହାଦେବୀଙ୍କ ଚରିତ୍ରଚିତ୍ରଣ ଗୋଟିଏ ପରିଚ୍ଛେଦରେ ଆବଦ୍ଧ । ବହିର ବିଶେଷତଃ–ଗୋଟାଏ ପୁରାତନ, ଯୁଗର ଚିତ୍ର । ଭାଷା ମନ୍ଦ ନୁହେଁ–ବେଶ୍ ସରଳ ଓ ପ୍ରାଞ୍ଜଳ । ମୋଟାମୋଟି ମୋର ମତ ଏଇଆ । ଆପଣଙ୍କର ମତ କଣ ? ‘ଲଚ୍ଛମା’ ବିଷୟରେ ଗୋଟିଏ ସମାଲୋଚନା (ନନ୍ଦୀଙ୍କ ଟିପା ଖାତାରେ) ଏହି ଦ୍ୱିତୀୟ ସଂଖ୍ୟାରେ ଦେବାପାଇଁ ଭାବିଅଛି ।’’

 

‘‘ମାମୁ’’ ସହିତ ଅବଶ୍ୟ ‘ଲଛମା’ର ତୁଳନା କରାଯାଇ ନ ପାରେ, କାରଣ ପ୍ରଥମୋକ୍ତ ଉପନ୍ୟାସଟି ଚରିତ୍ର-ପ୍ରଧାନ ସାମାଜିକ ଉପନ୍ୟାସ; କିନ୍ତୁ ଶେଷୋକ୍ତ ଉପନ୍ୟାସଟି ଘଟଣା-ପ୍ରଧାନ ଐତିହାସିକ ଉପନ୍ୟାସ । ପ୍ରଥମୋକ୍ତ ଉପନ୍ୟାସରେ ବିଭିନ୍ନ ଚରିତ୍ର ସହିତ ଖାପ ଖାଇଲା ଭଳି ଓ ଚରିତ୍ରଗୁଡ଼ିକୁ ପ୍ରସ୍ଫୁଟିତ କଲା ଭଳି ପ୍ଲଟ ଓ ଘଟଣାର ଅବତାରଣା କରା ଯାଇଅଛି । କିନ୍ତୁ ଶେଷୋକ୍ତ ଉପନ୍ୟାସରେ କେତେକ ନିର୍ଦ୍ଦିଷ୍ଟ ଐତିହାସିକ ଘଟଣା ସହିତ ଖାପ ଖାଇଲା ଭଳି ବିଭିନ୍ନ ଚରିତ୍ର ସନ୍ନିବିଷ୍ଟ ହୋଇଅଛି । ତେଣୁ ଏଥିରେ ‘‘ମାମୁ’’ ପରି ଚରିତ୍ରଗୁଡ଼ିକ ପରିସ୍ଫୁଟ ହେବା ଅସମ୍ଭବ ।

 

‘ଲଛମା’ ବୋଧହୁଏ ଏକମାତ୍ର ଉପନ୍ୟାସ ଯାହା ହିନ୍ଦୀଭାଷାରେ ଅନୂଦିତ ହୋଇ ବହୁ ଆଦୃତ ହୋଇଥିଲା ।*

 

* ‘ଲଛମା ଉପନ୍ୟାସ ଖଣ୍ଡି ହିନ୍ଦୀ ଭାଷାରେ ଅନୂଦିତ ହୋଇଅଛି । ଅନୁବାଦକ ଶ୍ରୀଯୁକ୍ତ ପାଣ୍ଡେୟ ମୁରଲୀଧର ଓ ପାଣ୍ଡେୟ ମୁକୁଟଧର ଶର୍ମା । ଅତି ସରଳ ଶୁଦ୍ଧ ସୁନ୍ଦର ହିନ୍ଦୀ ଭାଷାରେ ପୁସ୍ତକ ଖଣ୍ଡି ଅନୁବାଦ କରିଅଛନ୍ତି ଏବଂ ଗ୍ରନ୍ଥକାରଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ମଧ୍ୟ ଅନୁବାଦ କରିବାର ଚେଷ୍ଟାରେ ଅଛନ୍ତି ।’’

 

(ଉତ୍କଳ–ସାହିତ୍ୟ, ୧୯ଶ ଭାଗ, ୮ମ ସଂଖ୍ୟା)

 

‘‘ମାମୁ’’ ଫକୀରମୋହନଙ୍କର ବହୁଜନ-ଆଦୃତ ଓ ବହୁମତରେ ଶ୍ରେଷ୍ଠ ଉପନ୍ୟାସ । କିନ୍ତୁ ଏ ଉପନ୍ୟାସଟି ପ୍ରକାଶ କଲାବେଳେ ଏହାର ମୁଦ୍ରାଣ ବ୍ୟୟସାଧ୍ୟହେବାରୁ ଫକୀରମୋହନ ଏହାର ୩।୪ ଟି ପରିଚ୍ଛେଦ ବାଧ୍ୟ ହୋଇ କାଟି ଦେଇଥିଲେ । ଫକୀରମୋହନ ବିଶ୍ୱନାଥଙ୍କୁ ଲେଖିଥିବା ଏକ ପତ୍ରରେ ତାହା ସୁସ୍ପଷ୍ଟ । ତେଣୁ ଏହି ଉପନ୍ୟାସରେ ଅନେକ ନାୟକନାୟିକା ଚରିତ୍ର ଫିଟିଲେ ନାହିଁ ବୋଲି ଫକୀରମୋହନ ଘୋର ଦୁଃଖ ପ୍ରକାଶ କରିଥିଲେ । ଏଠାରେ ଏହା ଉଲ୍ଲେଖ କରାଯାଇପାରେ ଯେ, ଏବପରି ସେତେବେଳେ ପୁସ୍ତକ-ପ୍ରକାଶନ ଏକ ବ୍ୟବସାୟରୂପେ ପ୍ରତିଷ୍ଠିତ ହୋଇ ନ ଥିଲା । ଲେଖକକୁ ନିଜ ଲେଖାର ପ୍ରକାଶପାଇଁ ପ୍ରକାଶକ ହେବାକୁ ମଧ୍ୟ ପଡ଼ୁଥିଲା । ଫକୀରମୋହନ ନିଜ ଉପନ୍ୟାସଗୁଡ଼ିକର ମୁଦ୍ରଣପାଇଁ କି କଷ୍ଟରେ ଅର୍ଥ ସଂଗ୍ରହ କରୁଥିଲେ, ତାହା ପରିଶିଷ୍ଟରେ ଫକୀରମୋହନଙ୍କ ପତ୍ରାବଳୀରୁ କିୟତ୍ ପରିମାଣରେ ସୂଚିତ ହେବ-। କିନ୍ତୁ ଫକୀରମୋହନ ‘‘ମାମୁ’’ ର ବିକ୍ରୟରୁ ମୁଦ୍ରାଣବ୍ୟୟ ଉଠାଇ ପାରିଛନ୍ତି କି ନାହିଁ ସନ୍ଦେହ-! ରୋଗଶଯ୍ୟାରେ ଅସହାୟ ନିଃସମ୍ବଳ ଅବସ୍ଥାରେ ଫକୀରମୋହନ ବିଶ୍ୱନାଥଙ୍କୁ ଲେଖିଥିଲେ ‘‘ପୁସ୍ତକ ବିକ୍ରୟ ସମ୍ବନ୍ଧେ ଯାହା ଲେଖିଛନ୍ତି ସମ୍ପୂର୍ଣ୍ଣ ସତ୍ୟ । ମୁଁ ଜୀବନବ୍ୟାପୀ ଭୁକ୍ତଭୋଗୀ; ମୁଁ ଅନେକ ଲୋକସାନ ସହିଛି । ବର୍ତ୍ତମାନ କେତେ ଜଣ ମାମୁନେଇ ଦାମ୍ ଦେଉ ନାହାନ୍ତି । କେବେ ଦେବେ ଜାଣେ ନାହିଁ ।’’

 

+ ପରିଶିଷ୍ଟରେ ପତ୍ର ନ : ୮, ତା ୨୧।୧୦।୧୯୧୫ ଦ୍ରଷ୍ଟବ୍ୟ

 

ଫକୀରମୋହନଙ୍କ ଶେଷ-ପ୍ରକାଶିତ ଉପନ୍ୟାସ ‘‘ପ୍ରାୟଶ୍ଚିତ୍ତ’’ ୧୯୧୪ ସାଲରେ ରୋଗଶଯ୍ୟାରେ ଲିଖିତ ହୋଇଥିଲା । ‘‘ପ୍ରାୟଶ୍ଚିତ୍ତ’’ର ପ୍ରଥମ ମୁଦ୍ରଣ ୧୯୦୫ ମସିହା ସେପ୍ଟେମ୍ବର ମାସରେ ପ୍ରକାଶିତ ହୋଇଥିଲା । ‘‘ପ୍ରାୟଶ୍ଚିତ୍ତ’’ର ପ୍ରଥମ ମୁଦ୍ରିତ ସଂସ୍କରଣ ସାଧାରଣରେ ଆଜି ଦୁଷ୍ପ୍ରାପ୍ୟ । ଏହାର ପରବର୍ତ୍ତୀ ସଂସ୍କରଣ, ଫକୀରମୋହନଙ୍କ ପୁତ୍ର ମୋହିନୀମୋହନଙ୍କଦ୍ୱାରା ପ୍ରକାଶିତ ହୋଇଥିଲା । ‘ପ୍ରାୟଶ୍ଚିତ୍ତ’ର ଗୋବିନ୍ଦଚନ୍ଦ୍ର, ମୋହିନୀ ମୋହନଙ୍କ ଛାୟାରେ ଲିଖିତ ହୋଇଥିଲା ବୋଲି ଫକୀରମୋହନଙ୍କ ସମସାମୟିକମାନେ କହନ୍ତି । ଫକୀରମୋହନଙ୍କ ‘ଡାକମୁନ୍‍ସି’ ଗଳ୍ପର ଡାକମୁନ୍‍ସି ଗୋପାଳ ବାବୁ ମଧ୍ୟ ମୋହିନୀମୋହନଙ୍କ ଛାୟାରେ କଳ୍ପିତ । ତେଣୁ ଦ୍ୱିତୀୟ ସଂସ୍କରଣରେ ମୋହିନୀମୋହନ ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସର କେତେକ ଉପାଦେୟ ଅଂଶ ବାଦ୍‍ଦେଇ ପ୍ରକାଶ କରିଥିଲେ ! ମୋହିନୀମୋହନଙ୍କର ଏହି କଳାପାହାଡ଼ିଆ ଜୁଲୁମ୍ ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସକୁ ବିକଳାଙ୍ଗ ଓ ଅପୂର୍ଣ୍ଣ କରିଦେଇଛି । ‘ଉତ୍କଳସାହିତ୍ୟ’ର ୧୯ଶ ଭାଗ ୭ମ ସଂଖ୍ୟାରେ ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ ‘‘ପ୍ରାୟଶ୍ଚିତ୍ତ’’ ସମ୍ପର୍କରେ ଯେଉଁ ସମାଲୋଚନା ପ୍ରକାଶ କରିଥିଲେ, ସେଥିରେ ଆଲୋଚିତ ଉପନ୍ୟାସରୁ ବାଦ୍‍ ଦିଆ ଯାଇଥିବା କେତେକ ଅଂଶର ସୂଚନା ନିମ୍ନରେ ଉଦ୍ଧୃତ ହେଉଅଛି :

 

‘‘x x ଇନ୍ଦୁପ୍ରଭା ଆପଣାକୁ ସ୍ୱାମୀଙ୍କର ଏ କଷ୍ଟର କାରଣ ଜାଣି ନଈରେ ଝାସ ଦେଲା । ବୈଷ୍ଣବଚରଣ ଓ ସଙ୍କର୍ଷଣ ନିଜ ନିଜକୁ ଅନର୍ଥର ମୂଳ ବୋଲି ଭାବି ଆପଣା ଆପଣା ପାପର ପ୍ରାୟଶ୍ଚିତ୍ତ କରିବାକୁ ବୈରାଗୀ ହେଲେ । କୁଅଁର ବାବୁ ଭଲ ହେଲା ପରେ ମା’ଙ୍କର ଓ ଇନ୍ଦୁର ମୃତ୍ୟୁସମ୍ବାଦ ପାଇ ଅଧୀର ହେଲେ । ସଇତାକୁ ତାହାର ପୁରସ୍କାରସ୍ୱରୂପ ଟଙ୍କା ସୁନା ଦେଇ ତାର ମା’କୁ ଦେଇ ଆସିବାକୁ ଘରକୁ ପଠାଇଦେଲେ । ଏଥିମଧ୍ୟରେ ଆପେ ବୈରାଗୀ ହୋଇ ବାହାରିଗଲେ । ସଇତା ଖାମିଦର ଅନୁସନ୍ଧାନ କରିବାକୁ ଆପେ ବୈରାଗୀ ହୋଇ ବାହାରିଲା । ଶେଷରେ ବୃନ୍ଦାବନରେ ସମସ୍ତଙ୍କର ଭେଟ ହେଲା । ବାପ ଓ ଶ୍ୱଶୁରଙ୍କ ଆଦେଶରେ ବେରାଗୀ କୁଅଁର ବାବୁ ଆପଣା କୁଳଦେବତା ଗୋବିନ୍ଦଚନ୍ଦ୍ର ଜୀଉଙ୍କ ବିଷୟବାଡ଼ି ବୁଝି ଦିନ କଟାଇଲେ । ମରୁଆ ଚିରଜୀବନ କୁମାରୀ ସନ୍ନ୍ୟାସିନୀ ହୋଇ ରହିଲା । ସଇତା ଖାମିଦଙ୍କୁ ସେବା କରି ଦିନ କଟାଇଲା । ସଦାନନ୍ଦ ସାଙ୍ଗରେ କାଶୀ ମଣିକର୍ଣ୍ଣିକା ଘାଟରେ ସଇତାର ଦେଖା ହୋଇଥିଲା । ସେ ମଧ୍ୟ ବହୁ କ୍ଲେଶ ପରେ ସନ୍ନ୍ୟାସୀ ହୋଇଥିଲା ।’’

 

ଗଳ୍ପର ଅପୂର୍ଣ୍ଣତା ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସରେ ଏକ ଘୋର ତ୍ରୁଟି ବୋଲି ପାଠକ ଓ ସମାଲୋଚକ ସମସ୍ତେ ଏକମତ । କିନ୍ତୁ ଫକୀରମୋହନ ଏଥିପାଇଁ ଦାୟୀ ନୁହନ୍ତି । ମୋହିନୀମୋହନ ‘ପ୍ରାୟଶ୍ଚିତ୍ତ’କୁ ବିକଳାଙ୍ଗ କରି କେବଳ ଓଡ଼ିଆ ଉପନ୍ୟାସପ୍ରତି ଏକ ଅକ୍ଷମଣୀୟ ଅପରାଧ କରି ନାହାନ୍ତି, ‘ପ୍ରାୟଶ୍ଚିତ୍ତ’ର ସ୍ୱାଭାବିକ ପରିଣତିକୁ କ୍ଷୁଣ୍ଣ କରିଅଛନ୍ତି । ତେଣୁ ‘‘ପ୍ରାୟଶ୍ଚିତ୍ତ’’ର ଏକ ପୂର୍ଣ୍ଣାଙ୍ଗ ସଂସ୍କରଣ ପ୍ରକାଶ ଦିଗରେ ଫକୀରମୋହନ ସାହିତ୍ୟପ୍ରେମୀମାନେ ଦୃଷ୍ଟି ଦେଲେ ଫକୀରମୋହନଙ୍କ ପ୍ରତି ଅନ୍ୟାୟଭାବରେ କରାଯାଇଥିବା ଏକ ଅବିଚାର ଦୂର ହୋଇପାରନ୍ତା ।

 

‘ପ୍ରାୟଶ୍ଚିତ୍ତ’ ଫକୀରମୋହନଙ୍କର ଶେଷ ଉପନ୍ୟାସ ନୁହେଁ । ୧୯୧୭ ସାଲରେ ଫକୀରମୋହନ ‘ବିଷମଞ୍ଜି’ ନାମରେ ଏକ ଉପନ୍ୟାସ ଲେଖା ଆରମ୍ଭ କରିଥିଲେ । ତା ୪। ୪। ୧୯୧୭ ରିଖରେ ଫକୀରମୋହନ ବିଶ୍ୱନାଥଙ୍କୁ ଏକ ପତ୍ରରେ ଲେଖିଥିଲେ :

 

‘‘ଆପଣଙ୍କ ଫରମାସ ଆସିବା ଜାଣି ଗୋଟିଏ ଗଳ୍ପ ଲେଖିବାକୁ ଆରମ୍ଭ କରିଛି । ଗଳ୍ପଟିର ନାମ ‘ବିଷମଞ୍ଜି’ । ଏପର୍ଯ୍ୟନ୍ତ ସାହିତ୍ୟ ଆକାରରେ ୩ ଫର୍ମା ଅର୍ଥାତ୍ ୨୪।୨୫ ପୃଷ୍ଠା ପର୍ଯ୍ୟନ୍ତ ହୋଇଗଲାଣି । ସଂସାରର ଏବଂ ବଲାଇ ଚରିତ୍ରର ନାନା ଜଟିଳ ସମସ୍ୟା ଆସି ପଡ଼ି ଯାଉଅଛି । ସମସ୍ତ ମୀମାଂସା କରି ଲେଖିବାକୁ ଗଲେ ସାହିତ୍ୟରେ ୫୦ ପୃଷ୍ଠା ପର୍ଯ୍ୟନ୍ତ ହୋଇଯାଇପାରେ ।

 

ତାହାକୁ ଉପନ୍ୟାସ ଆକାରରେ ଲେଖିବାକୁ ନନ୍ଦକିଶୋର କହୁଅଛନ୍ତି । କଣ କରିବି ଜାଣେ ନାହିଁ ।’’*

 

* ପରିଶିଷ୍ଟ ଦ୍ରଷ୍ଟବ୍ୟ

 

ମୃତ୍ୟୁପୂର୍ବରୁ ‘ବିଷମଞ୍ଜି’ର ଲେଖା ଫକୀରମୋହନ ହୁଏତ ଶେଷ କରିଥିଲେ । ମାତ୍ର ତାହା ପ୍ରକାଶିତ ହୋଇ ନାହିଁ ବା ହୋଇ ପାରିବାର ଆଶା ନାହିଁ । ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏହା ଏକ ଅପୂରଣୀୟ କ୍ଷତି ।

 

ଫକୀରମୋହନଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକ ଉତ୍କଳସାହିତ୍ୟକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଲିଖିତ ହୋଇଥିଲା । ଫକୀରମୋହନ ଲେଖିଥିଲେ, ‘‘ମୁଁ ଦେଖିଲି ଗଳ୍ପ ସକାଶେ ବଙ୍ଗଳା ଅନେକ ମାସିକ ପତ୍ରିକାର ଉନ୍ନତି । ସେଥିସକାଶେ ଗଳ୍ପ ଲେଖିବାକୁ ଚେଷ୍ଟା କରୁଥିଲି । ଆଉ ଗୋଟିଏ ଉଦ୍ଦେଶ୍ୟ ମୋ ଲେଖା ଦେଖି ଅନ୍ୟ ଲୋକେ ଲେଖିବାକୁ ଚେଷ୍ଟା କରିବେ । ମୋ ବାସନା ସଫଳ ହୋଇଛି । ଗତ ସଂଖ୍ୟା ସାହିତ୍ୟର ଗଳ୍ପ ଯୋଡ଼ିକ ନିତାନ୍ତ ଆଶାପ୍ରଦ–ମୁଁ ନିଶ୍ଚିନ୍ତ ।’’ ++

 

++ ପରିଶିଷ୍ଟରେ ତା ୨୭–୬–୧୫ ରିଖ ପତ୍ର ଦ୍ରଷ୍ଟବ୍ୟ

 

ବ୍ୟାଧିର ଯନ୍ତ୍ରଣା, ସଂସାରର ନାନା ଜଞ୍ଜାଳ ଓ ପୀଡ଼ନ, ପୁଣି ନିଃସଙ୍ଗ ରୋଗଶଯ୍ୟାର ହତାଶାଜନକ ପରିସ୍ଥିତି ମଧ୍ୟରେ ଫକୀରମୋହନ ସ୍ୱ-ନିର୍ଦ୍ଦିଷ୍ଟ ଏ ଦାୟିତ୍ୱ କି ନିଷ୍ଠାର ସହିତ ପୂର୍ଣ୍ଣ କରିଅଛନ୍ତି, ତାହା ପରିଶିଷ୍ଟରେ ପ୍ରକାଶିତ ପତ୍ରାବଳୀରୁ ସ୍ପଷ୍ଟ ହେବ । ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କ ଏକନିଷ୍ଠ ସାଧନା ଯଥାର୍ଥରେ ଅଦ୍ଭୂତପୂର୍ବ ଓ ଅତୁଳନୀୟ । ‘‘ଗୋଟିଏ ଗଳ୍ପ ଲେଖିବାକୁ ଆରମ୍ଭ କଲି । ମାତ୍ର ଆଜି ବାତ ବେମାରି ବାହାରିଛି । କଷ୍ଟରେ ଚିଠି ଲେଖୁଛି । ଗଳ୍ପ କାଲିଠାରୁ ଲେଖିବି । ୨।୩ ଦିନ ଲାଗିବ । ଫରମାସି ଜିନିଷ ଯାହା ହୁଏ ସେଥିରୁ ବେଶୀ ପାଇବେ ନାହିଁ ।’’ +

 

+ ତା ୯–୪–୧୯୧୪ ରିଖର ପତ୍ର

 

‘‘ମୋ ଗଳ୍ପର ପ୍ରଶଂସା କରୁଛନ୍ତି, ମାତ୍ର ନିନ୍ଦା ବା ପ୍ରଶଂସା ସକାଶ ଆପଣ ଦାୟୀ । ଗଳ୍ପ ଲେଖିବାକୁ ମୁଁ ସ୍ୱେଚ୍ଛାରେ ପ୍ରବୃତ୍ତ ହୋଇ ନାହିଁ । ଆପଣ ପ୍ରଥମ ଆଦେଶ ସାଙ୍ଗେ ସାଙ୍ଗେ ଛାପା ଅକ୍ଷରରେ ସମସ୍ତଙ୍କୁ ଜଣାଇଦେଲେ । ମୁଁ ଦାୟରେ ପଡ଼ି ଲେଖୁଛି । ଅନ୍ତତଃ ବରଷକ ସକାଶେ ବାରଟା ଲେଖିପାରିଲେ ଆପଣାକୁ ମୁକ୍ତ ଜ୍ଞାନ କରିବି ।’’ * ‘‘ମୁଁ ଜାଣେ ଆପଣ ମୋ ଗଳ୍ପ ପସନ୍ଦ କରନ୍ତି । ଅନ୍ୟ ଲୋକେ ପସନ୍ଦ କରନ୍ତି ଆପଣଙ୍କ ଚିଠିରୁ ଜାଣିଲି । ତେବେ ଆତ୍ମବତ୍ ମନ୍ୟତେ ଜଗତ୍‍ ଭଳିଆ କଥା ନୁହେଁ ତ ? ଗଳ୍ପଟାକୁ ଯେତେ ସାରିବାକୁ ବସିଛି ତେତେ ବଢ଼ି ଯାଉଛି । ଆଉ ଦୁଇଘଣ୍ଟା ସମୟ ପାଇଲେ ସରିଯିବ । ନିରବଚ୍ଛିନ୍ନ ୨ଘଣ୍ଟା ବେଳ ପାଉଛି କାହିଁ ? ୫।୭ ମିନିଟ ଲେଖି ଶୋଇପଡ଼େ । ସବୁବେଳେ ଦେହରେ ଜ୍ୱର ଭର୍ତ୍ତି । ପରିଶ୍ରମରେ କାତର । ଗତକାଲି ଗୋଟାକ ରାତି ଶୋଇ ନାହିଁ, ଉଠି ଖାଇ ନାହିଁ । ତେବେ ବର୍ତ୍ତମାନ କିଛି ଭଲ ଅଛି । ଗୋଟିଏ ପୂଜା ପଦ୍ୟ ଲେଖିବାକୁ ମନ ଥିଲା । ସେ ମନ ମରିଗଲାଣି ।’’ ++ ‘‘ମୋ ପ୍ରତିଜ୍ଞା ରକ୍ଷା କରିବି । ପ୍ରତି ମାସରେ ସାହିତ୍ୟକୁ ଗୋଟିଏ କରି ଗଳ୍ପ ଦେବି । ବର୍ତ୍ତମାନ ଗୋଟିଏ ଆରମ୍ଭ କରିଛି । ୨।୩ ପୃଷ୍ଠା ଲେଖି କ୍ଳାନ୍ତ ହୋଇ ପଡ଼ିଲି । ମୁଁ ବର୍ତ୍ତମାନ ନିତାନ୍ତ ଅସୁସ୍ଥ । ଦେହ ମନ ନିତାନ୍ତ ବ୍ୟାକୁଳ । ଯଦି ୮।୧୦ ଘଣ୍ଟା ସ୍ୱାସ୍ଥ୍ୟ ପାଏ ଗଳ୍ପ ପୂର୍ଣ୍ଣ ହୋଇଯିବ । x x ନିତାନ୍ତ କଷ୍ଟରେ ଏହି ପତ୍ର ଲେଖୁଛି-।’’+

 

* ତା ୨୩–୯–୧୯୧୪ ରିଖର ପତ୍ର

 

++ ତା ୨୧–୯–୧୯୧୫ ରିଖର ପତ୍ର

 

+ ତା ୨୧–୧୦–୧୯୧୫ ରିଖର ପତ୍ର

 

ମୃତ୍ୟୁର ଅଳ୍ପ ପୂର୍ବେ ... ବୃଦ୍ଧ, ରୁଗ୍‍ଣ ଫକୀରମୋହନଙ୍କ ଲେଖନୀ ଚାଳନା ପାଇଁ ସୁଦ୍ଧା ଶକ୍ତି ନାହିଁ । ‘‘ମୁଁ ଏଥି ପୂର୍ବେ ସ୍ଥିର କରିଥିଲି ସାହିତ୍ୟରେ ଗତ ବର୍ଷ ସକାଶେ ଗଳ୍ପ ଲେଖି ବନ୍ଦ କରିବି । କିନ୍ତୁ ଲୋକେ ଯେ ସ୍ଥଳେ ମୋ ସାମାନ୍ୟ ଲେଖା ପଢ଼ିବାକୁ ଇଚ୍ଛା କରୁଛନ୍ତି ଆଉ ସାହିତ୍ୟର ଯଦି କିଛି ମାତ୍ର ହେଲେ ସାହାଯ୍ୟ ହୁଏ ତେବେ ମୋ ଲେଖିବା ଉଚିତ । ସ୍ଥିର କଲି ଶକ୍ତି ସାମର୍ଥ୍ୟ ଥିବା ଯାଏ ଗଳ୍ପ ଲେଖିବି ।’’ **

 

** ତା ୪–୪–୧୯୧୭ ରିଖର ପତ୍ର ‘ପରିଶିଷ୍ଟ’ ରେ ଦ୍ରଷ୍ଟବ୍ୟ

 

କଥାଶିଳ୍ପୀ ପକ୍ଷରେ ଗଳ୍ପ ଲେଖିବା ଆଦୌ ଦୁରୂହ ବ୍ୟାପାର ନୁହେଁ । ଦୈନନ୍ଦିନ ଜୀବନରେ ଓ ପାରିପାର୍ଶ୍ୱିକ କ୍ଷେତ୍ରରେ ନାନା ଘଟଣା ଘଟେ । ଶିଳ୍ପୀ ଏକା ସେହି ସାମାନ୍ୟ, ତୁଚ୍ଛ ଘଟଣାଗୁଡ଼ିକୁ ଶୈଳୀ ଓ ପରିବେଷଣ ଚାତୁରୀରେ ରସୋତ୍ତୀର୍ଣ୍ଣ କରିପାରେ । ଏଥିପାଇଁ ଅବଶ୍ୟ ସର୍ବାଦୌ ପ୍ରୟୋଜନ ଗଳ୍ପଲେଖକର ଦୃଷ୍ଟିଭଙ୍ଗୀ । ଫକୀରମୋହନ ଯଥାର୍ଥରେ ଲେଖିଥିଲେ, ‘‘ଗଳ୍ପ ଲେଖିବା କିଛି ଗୁରୁତର କାର୍ଯ୍ୟ ନୁହେଁ । ପୃଥିବୀ ଗଳ୍ପମୟ । ମାତ୍ର ଅଭାବ ଚିନ୍ତା ଆଉ ଦେହବଳ । ବାସ୍ତବିକ ଆପଣଙ୍କ ନୋଟିସ୍‍ ପାଇଲେ ରାତ୍ରରେ ଆହାରାନ୍ତେ ଶୟନ ସମୟରେ ଘଣ୍ଟେ ଦୁଇ ଘଣ୍ଟା ଜାଗ୍ରତ ରହି ଗଳ୍ପର ପଞ୍ଜର (Plot) ଠିକ୍ କରିବାକୁ ହୁଏ । ତାହା ବାଦ୍ ଲେଖାରମ୍ଭ । ଏହି ତୁଚ୍ଛ କାର୍ଯ୍ୟଟା ସକାଶ ମଧ୍ୟ ବର୍ତ୍ତମାନ ମୁଁ କ୍ଳାନ୍ତ ।’’ +

 

+ ତା ୨୩–୯–୧୯୧୪ ରିଖର ପତ୍ର

 

ଫକୀରମୋହନଙ୍କ କ୍ଷୁଦ୍ର ଗଳ୍ପଗୁଡ଼ିକ ଶେଷଜୀବନରେ ରୋଗଶଯ୍ୟାରେ ଲିଖିତ ହୋଇଥିଲା । କିନ୍ତୁ ସେତେବେଳେ ସେ ଗଳ୍ପ ଲେଖିବାର ମାନସିକ ଅବସ୍ଥାରେ ନ ଥିଲେ । ‘ଉତ୍କଳସାହିତ୍ୟ’ ପାଇଁ ବିଶ୍ୱନାଥଙ୍କ ବାଧ୍ୟବାଧକତାରେ ଫକୀରମୋହନ ଗଳ୍ପଗୁଡ଼ିକ ଲେଖିଥିଲେ । ତେଣୁ ‘‘ମୁଁ art ଏକାବେଳକେ ଛାଡ଼ିଦେଇ କେବଳ ପ୍ଲଟ ଧରି ଚାଲିଛି । ତଥାପି ଲକ୍ଷ୍ମୀଛଡ଼ା ମୋତେ ହୟରାଣ କରି ମାରିଲାଣି ।’’ ++

 

++ ତା ୨୦–୯–୧୯୧୫ ରିଖର ପତ୍ର

 

‘ଗଳ୍ପସ୍ୱଳ୍ପ’ର ବହୁ କ୍ଷୁଦ୍ରଗଳ୍ପର ଅପୂର୍ଣ୍ଣତା ଓ ଦୁର୍ବଳତାର ଏହାହିଁ ପ୍ରଧାନ କାରଣ । ତଥାପି ‘ରେବତୀ’ ଓ ‘ବଗଲାବଗଲୀ’ ପ୍ରଭୃତି କ୍ଷୁଦ୍ରଗଳ୍ପ ଓଡ଼ିଆ ସାହିତ୍ୟରେ କାଳ କାଳ ପାଇଁ ପରମ ସମ୍ପଦ ହୋଇ ରହିବ ।

 

ଶ୍ରୀ ବାମାଚରଣ ମିତ୍ର, ଶ୍ରୀ ରାଧାମୋହନ ଗଡ଼ନାୟକ ଓ ଶ୍ରୀ ବନମାଳୀ ମିଶ୍ର ପ୍ରମୁଖ ବନ୍ଧୁମାନଙ୍କ ଅନୁରୋଧ ଓ ଉତ୍ସାହ ଫଳରେ ଏକା ମୋର ଏ ଉଦ୍ୟମ ପୂର୍ଣ୍ଣ ହୋଇପାରିଲା । ପୁଣି ‘ଉତ୍କଳସାହିତ୍ୟ’ର ସମ୍ପାଦକ ଶ୍ରୀମାନ୍ ସୁନନ୍ଦ କର ପରିଶିଷ୍ଟରେ ପ୍ରକାଶିତ ପତ୍ରାବଳୀ ମୋତେ ପ୍ରକାଶପାଇଁ ଦେଇ ଫକୀରମୋହନଙ୍କ ସାହିତ୍ୟ ଓ ସାଧନାକୁ ଯଥାର୍ଥ ଭାବରେ ପରିବେଷଣ କରିବାରେ ବହୁ ସହାୟତା କରି ଅଛନ୍ତି । ପରିଶେଷରେ ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋର୍ସର ମାନେଜିଂ ଡାଇରେକ୍ଟର ଶ୍ରୀଧର ମହାପାତ୍ର ଏହାର ପ୍ରକାଶନର ଦାୟିତ୍ୱ ନେଇ ମୋତେ କମ୍ ଉତ୍ସାହିତ କରି ନାହାନ୍ତି । ଏ ସମସ୍ତଙ୍କୁ ତେଣୁ ମୁଁ ସକୃତଜ୍ଞ ଧନ୍ୟବାଦ ଜଣାଉଅଛି ।

 

ସୁରେନ୍ଦ୍ର ମହାନ୍ତି

 

କନ୍‍ଷ୍ଟିଚ୍ୟୁସନ୍ ହାଉସ୍

ନୂଆଦିଲ୍ଲୀ

୩୧ । ୮ । ୫୧

Image

 

ଫକୀରମୋହନଙ୍କ ଗଦ୍ୟରୀତି

 

ଫକୀରମୋହନଙ୍କ ତିରୋଭାବର ଆଜକୁ ୩୫ ବର୍ଷ ହୋଇଗଲା । ଖୁବ୍‍ ସମ୍ଭବ ‘‘ପ୍ରାୟଶ୍ଚିତ’’ ଫକୀରମୋହନଙ୍କ ଶେଷ ଉପନ୍ୟାସ । ୧୯୦୫ ସାଲରେ ଫକୀରମୋହନ କଟକ ଛାଡ଼ି ବାଲେଶ୍ୱରରେ ଅବସ୍ଥାନ କରିବା କାଳରେ ‘‘ମାମୁ’’, ‘‘ପ୍ରାୟଶ୍ଚିତ’’ ‘‘ବୌଦ୍ଧାବତାର କାବ୍ୟ’’ ଓ ‘‘ଆତ୍ମଜୀବନ ଚରିତ’’ ରଚନା କରିଥିଲେ । + ୧୯୦୯ ସାଲ ଜୁଲାଇ ମାସଠାରୁ ୧୯୧୮ ମସିହା ଜୁନ୍‌ ମାସରେ ଅନ୍ତିମ ପ୍ରୟାଣ ପର୍ଯ୍ୟନ୍ତ ଲେଖକ ନାନା ଦାରୁଣ ଶାରୀରିକ ବ୍ୟାଧିରେ ପୀଡ଼ିତ ଥାଇ ଧାରାବାହିକ ସାହିତ୍ୟ ଚର୍ଚ୍ଚା ପ୍ରାୟ ଛାଡ଼ି ଦେଇଥିଲେ । ଶାରୀରିକ ବ୍ୟାଧି ସାଙ୍ଗକୁ, ପ୍ରିୟଜନବର୍ଜିତ ନିଃସଙ୍ଗ ଜୀବନ ତାଙ୍କର ରୋଗଶଯ୍ୟାକୁ ଆଉରି ଯନ୍ତ୍ରଣାମୟ କରି ଦେଇଥିଲା । ଅତଏବ ଫକୀରମୋହନ ୧୯୦୯ ଠାରୁ ୧୯୧୮ ମଧ୍ୟରେ କେତେକ କ୍ଷୁଦ୍ର ଗଳ୍ପ ଛଡ଼ା ଆଉ କୌଣସି ଗ୍ରନ୍ଥ ରଚନା କରି ନ ଥିଲେ । ୧୯୦୫ ପୂର୍ବରୁ ଫକୀରମୋହନଙ୍କ ଅନ୍ୟ ଦୁଇଗୋଟି ପ୍ରସିଦ୍ଧ ଉପନ୍ୟାସ ‘‘ଛମାଣ ଆଠଗୁଣ୍ଠ’’ ଓ ‘‘ଲଛମା’’ ରଚିତ ହୋଇଥିଲା । ‘ଲଛମା’ ବହୁ ପରେ ୧୯୧୪ ସାଲ ଅପ୍ରେଲ ୩୦ ତାରିଖରେ ପ୍ରକାଶିତ ହୋଇଥିଲେ ସୁଦ୍ଧା, ୧୯୮୬ ଠାରୁ ୧୯୦୫ ସାଲ ମଧ୍ୟରେ କଟକରେ ଅବସ୍ଥାନ କାଳରେ ଏହା ରଚିତ ହୋଇଥିଲା । ଫକୀରମୋହନଙ୍କ ଉପନ୍ୟାସ ରଚନାର ଏହାହିଁ କ୍ରମ । ମାତ୍ର ଏହି କ୍ରମ ମଧ୍ୟରେ ଫକୀରମୋହନଙ୍କ ରଚନାଶୈଳୀର କ୍ରମବିକାଶ କେହି ପର୍ଯ୍ୟୋଲୋଚନା କରିବାକୁ ବସିଲେ ତାଙ୍କୁ ହତାଶ ହେବାକୁ ପଡ଼ିବ । କାରଣ ଫକୀରମୋହନଙ୍କ ପ୍ରଥମ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ଓ ଶେଷ ଉପନ୍ୟାସ ‘ପ୍ରାୟଶ୍ଚିତ’ ମଧ୍ୟରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗୋଟିଏ ଶୈଳୀ ଓ ରୀତି ଅପରିବର୍ତ୍ତିତ ଥିବାର ଜଣାପଡ଼େ । ଏହାର କାରଣ ହେଉଛି, ଫକୀରମୋହନ ଜୀବଦ୍ଦଶାର ଶେଷ ଭାଗରେ ଉପନ୍ୟାସ ରଚନାରେ ହାତ ଦେଇଥିଲେ । ସେତେବେଳେ କିଛି ଆରମ୍ଭ କରି, ପୁଣି ତାର ପରଖ କରିବା ପାଇଁ ତାଙ୍କର ଅବକାଶ ନ ଥିଲା ।

 

+ ଆତ୍ମ-ଚରିତ ପୃ. ୧୭୬

 

ଫକୀରମୋହନଙ୍କ ରଚନା କାଳକୁ ପଡ଼ୋଶୀ ବଙ୍ଗଳା ସାହିତ୍ୟରେ ଗଦ୍ୟ, ତତ୍‌ସମ ଓ ତଦ୍‌ଭବ ବହୁଳ ଭାଷାରେ ରଚିତ ହେଉଥିଲା । ସେ ଗଦ୍ୟ ସାହିତ୍ୟର ପ୍ରଭାବ ମଧ୍ୟ ଓଡ଼ିଆ ଗଦ୍ୟସାହିତ୍ୟକୁ ଯେ ପ୍ରଭାବିତ କରୁ ନ ଥିଲା ତା ନୁହେଁ; କିନ୍ତୁ ଫକୀରମୋହନ ସେଥିରେ ବ୍ୟତିକ୍ରମ ଆଣି ଲୋକ ପ୍ରଚଳିତ ଭାଷାରେ ନିଜ ଉପନ୍ୟାସଗୁଡ଼ିକୁ ଲେଖୁଥିଲେ । ଯଥାର୍ଥରେ ଗାଁ ଦାଣ୍ଡର ଭାଷା ଫକୀରମୋହନଙ୍କ ଉପନ୍ୟାସରେ ସାହିତ୍ୟର ମର୍ଯ୍ୟଦା ପାଇଥିଲା । ଏଇଥିପାଇଁ ଫକୀରମୋହନଙ୍କ ସାହିତ୍ୟକୁ ବହୁ ସମାଲୋଚକ ଯଥାର୍ଥ ଗଣସାହିତ୍ୟ ବୋଲି ଅଭିହିତ କରିଥାନ୍ତି-। ଫକୀରମୋହନ ହିଁ ପ୍ରଥମେ ଇଂରାଜୀ ବା ସଂସ୍କୃତର ଉଚ୍ଛିଷ୍ଟାବଶେଷ ସଂଗ୍ରହ କରି ଅନୁଭୂତିର ଅନନ୍ତ ଭଣ୍ଡାରରୁ ନିଜ ରଚନାର ଉପାଦାନ ସଂଗ୍ରହ କରିଥିଲେ । ସେ ପ୍ରଥମ କରି ଦେଖାଇ ଥିଲେ–ସାହିତ୍ୟର ପ୍ରକୃତ ଉପାଦାନ ଆମରି ଘରେ ଅଛି । ସେଥିପାଇଁ ସଂସ୍କୃତ ବା ଇଂରେଜୀ ସାହିତ୍ୟର ଦ୍ୱାରସ୍ଥ ହେବା ପ୍ରୟୋଜନ ନାହିଁ । ତାଙ୍କର ପ୍ରତ୍ୟେକଟି ଉପନ୍ୟାସ ଆଖି ଖୋଲି ଦେଖାଇ ଦେଇଗଲା ଜୀବନ ପରି ସାହିତ୍ୟରେ ମଧ୍ୟ ଘରର ସାମଗ୍ରୀ ଯେତେ ସୁନ୍ଦର, ପରର ସାମଗ୍ରୀ ସେତେ ସୁନ୍ଦର ନୁହେଁ । ଫକୀରମୋହନ ପୁଣି ପ୍ରଥମ ଦେଖାଇଦେଇ ଗଲେ, ଓଡ଼ିଆ ଭାଷାରେ ଓଡ଼ିଆର ଜାତୀୟ ସାହିତ୍ୟ ସୃଷ୍ଟି କରିବାକୁ ହେଲେ, ଓଡ଼ିଶା ମାଟିର କଥାବସ୍ତୁ, ଓଡ଼ିଆ ପ୍ରାଣର ହସ କାନ୍ଦ ନେଇ, ଗାଁ ଦାଣ୍ଡର ଭାଷାରେ ଜୀବନ୍ତ ସାହିତ୍ୟ ରଚନା କରିବାକୁ ପଡ଼ିବ-। ଯଥାର୍ଥରେ କହିବାକୁ ଗଲେ ଓଡ଼ିଆ ଜାତୀୟ ସାହିତ୍ୟର ଜନକ ଫକୀରମୋହନ ।

 

କିନ୍ତୁ ଫକୀରମୋହନ ଏ ଶୈଳୀର ମୂଳ ପ୍ରେରଣା ପାଇଥିଲେ କେଉଁଠୁ ? କାହିଁକି ସେ ତାଙ୍କ ସମସାମୟିକ ପ୍ରଭାବରୁ ମୁକ୍ତ ହୋଇ ଏପରି ଏକ ବ୍ୟତିକ୍ରମ ସୃଷ୍ଟି କରିଥିଲେ ? ଫକୀରମୋହନଙ୍କ ଶୈଳୀ ଆଲୋଚନା ପ୍ରସଙ୍ଗରେ ଏପରି ପ୍ରଶ୍ନ ଉତ୍‌ଥାପନ କରିବା ଅବାନ୍ତର ହେବ ନାହିଁ । ହୋଇପାରେ, ସେତେବେଳେ ‘ଉଡ଼ିଆ ସ୍ୱତନ୍ତ୍ର ଭାଷା ନୟ’, ଏହା ବଙ୍ଗଳାର ଏକ ଉପଭାଷା ବୋଲି ଯେଉଁ ପରିପ୍ରଚାର ଚଳିଥିଲା, ତାହାର ପ୍ରତିବାଦରେ ଫକୀରମୋହନ, ସନ୍ଧି-ସମାସ-ଘନ ସଂସ୍କୃତ ପ୍ରଭାବିତ ଗଦ୍ୟରୀତିରୁ ମୁକ୍ତ କରି, ଜୀବନ୍ତ ଓଡ଼ିଆ ସାହିତ୍ୟର ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରେରଣା ପାଇଥିଲେ । ପୁଣି ହୋଇପାରେ ସେତେବେଳେ ଗଦ୍ୟଲୋକରେ ପ୍ରଚଳିତ ଓ ଆଦୃତ ନ ଥିବା ହେତୁ ଏହାକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଫକୀରମୋହନ ଲୋକ ସାଧାରଣଙ୍କ ସହଜବୋଧ ଏକ ରୀତି ଓ ଶୈଳୀ ଅନୁସରଣ କରିଥିଲେ । ଆଉରି ମଧ୍ୟ ହୋଇପାରେ ବଙ୍ଗଳା ଭାଷାରେ ପ୍ରଥମ ଔପନ୍ୟାସିକ ଟେକ୍‌ଚାଁନ୍ଦ (୧୮୫୭ ସାଲ) ‘‘ଆଲାଲେର ଘରେର ଦୁଲାଲ’’ ଉପନ୍ୟାସରେ, ବଙ୍ଗଳା ଗଦ୍ୟକୁ ‘‘ଚଉପାଢ଼ୀର ପଣ୍ଡିତୀ ଭାଷାରୁ’’ ମୁକ୍ତ କରିବା ପାଇଁ ଯେଉଁ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରିଥିଲେ, ଫକୀରମୋହନ ସେଥିରୁ ନିଜର ଅଲୌକିକ ଅପୂର୍ବ ଗଦ୍ୟରୀତିର ମୂଳ ପ୍ରେରଣା ପାଇଥିଲେ । କିନ୍ତୁ ସେଥି ସଙ୍ଗେ ସଙ୍ଗେ ଏହା ମଧ୍ୟ କହି ରଖିବାର ଅଛି ଟେକ୍‌ଚାନ୍ଦ ଯେଉଁ ଗଦ୍ୟରୀତିର ମୂଳପତ୍ତନ ‘‘ଆଲାଲେର ଘରେର ଦୁଲାଲ’’ ଉପନ୍ୟାସରେ କରିଥିଲେ ତାହା ରହି ପାରିଲା ନାହିଁ । ପରବର୍ତ୍ତୀ କାଳରେ ବଙ୍କିମଚନ୍ଦ୍ର ଯେଉଁ ଗଦ୍ୟରୀତିର ପ୍ରବର୍ତ୍ତନ କରିଥିଲେ, ତାହାହିଁ ବଙ୍ଗଳା ଗଦ୍ୟରୀତିର ଆଦର୍ଶ ହୋଇ ରହିଲା । ମାତ୍ର ଫକୀରମୋହନଙ୍କ ଗଦ୍ୟରୀତି ଆଜି ସୁଦ୍ଧା ଓଡ଼ିଆରେ ଆଦର୍ଶ ହୋଇ ରହିଅଛି । ଫକୀରମୋହନଙ୍କ ରୀତି କାହ୍ନୁଚରଣ ଅନୁସରଣ କରିଛନ୍ତି, କାଳିନ୍ଦିଚରଣ ତାଙ୍କର ଶ୍ରେଷ୍ଠ ବଡ଼ଗଳ୍ପ ‘‘ମାଟିର ମଣିଷ’’ରେ ତାହା ଅତିକ୍ରମ କରି ପାରି ନାହାନ୍ତି ! ପ୍ରକୃତପକ୍ଷେ ଫକୀରମୋହନଙ୍କ ପ୍ରଭାବ ଆଜି ସୁଦ୍ଧା ଓଡ଼ିଆ ଗଦ୍ୟସାହିତ୍ୟରେ ଅକ୍ଷୁଣ୍ଣ ଓ ଅମଳିନ ରହିଅଛି ।

 

ଫକୀରମୋହନଙ୍କ ଶୈଳୀ ବିଚାର ପାଇଁ, ଟେକଚାନ୍ଦଙ୍କ ‘‘ଆଲାଲେର ଘରେର ଦୁଲାଲ୍‍’’ ଏକ ମୂଲ୍ୟବାନ ଉପାଦାନ । ଟେକଚାନ୍ଦ ଲୋକପ୍ରଚଳିତ ଭାଷାରେ ଏ ଉପନ୍ୟାସଟି ରଚନା କରିବା କାଳରେ ବଙ୍ଗଳା ଭାଷାରେ ପଣ୍ଡିତ ସଂସ୍କୃତ ପ୍ରଭାବିତ ବଙ୍ଗଳା ଗଦ୍ୟ ଓ ତାର ପ୍ରତିକ୍ରିୟା ସ୍ୱରୂପ ଖାଣ୍ଟି କଥିତ ଭାଷାରେ ଲିଖିତ ବଙ୍ଗଳା ଗଦ୍ୟ ମଧ୍ୟରେ ଯେଉଁ ସଂଘର୍ଷ ଚାଲିଥିଲା, ତାର ବହୁ ଇଙ୍ଗିତ ଟେକଚାନ୍ଦଙ୍କ ଏହି ଉପନ୍ୟାସରୁ ମିଳେ । ଟେକଚାନ୍ଦଙ୍କ ଭାଷାଭଙ୍ଗୀ ସହିତ ଫକୀରମୋହନଙ୍କ ଭାଷାଭଙ୍ଗୀର ସାମଞ୍ଜସ୍ୟ, ‘‘ଆଲାଲେର ଘରେର ଦୁଲାଲ’’ର ନିମ୍ନ ଗଦ୍ୟାଂଶରୁ କିଞ୍ଚିତ ପରିସ୍ଫୁଟ ହେବ ।

 

‘‘ବୈଦ୍ୟବାଟୀର ବାବୁ ରାମ ବାବୁ, ବାବୁ ହଇୟା ବସିୟାଛେନ୍‌ । ହ’ରେ ପା ଟିପିତେଛେ । ଏକ ପାଶେ ଦୁଇ ଏକଜନ ଭଟ୍ଟାଚାର୍ଯ୍ୟ ବସିୟା ଶାସ୍ତ୍ରୀୟ ତର୍କ କରିତେଛେନ୍‌–ଆଜ ଲାଉ ଖେତେ ଆଛେ,–କାଲ ବେଗୁନ୍‌ ଖେତେ ନେଇ–ଲବଣ ଦିୟା ଦୁଗ୍ଧ ଖାଇଲେ ଗୋମାଂସ ଭକ୍ଷଣ କରା ହୟ ଇତ୍ୟାଦି କଥା ଲଇୟା ଢେଁକିର କରକଚି କରିତେଛେନ । ...ଏକପାଶେ ଦୁଇଜନ ଗାହକ ଯନ୍ତ୍ର ମିଲାଇତେଛେ, ତାନପୁରା ମେଓ ମେଓ କରିୟା ଡାକିତେଛେ । ଏକପାଶେ ମହୁରିରା ଖାତା ଲିଖିତେଛେ–ସମ୍ମୁଖେ କର୍ଜାଦାର, ପ୍ରଜା ଓ ମହାଜନ ସକଳେ ଦାଁଡ଼ାଇୟା ଆଛେ–ଆନେକର ଦେନା-ପାଓନା, ଡିଗ୍ରୀ ଡିସ୍‌ମିସ୍‌ ହଇତେଛେ–ବୈଠକଖାନା ଲୋକେ ଥଇ ଥଇ କରିତେଛେ । ଖୁଚୁରା ଖୁଚୁରା ମହାଜନେରା, ଯଥା ତେଲଓୟାଲା, କାଠଓୟାଲା, ସନ୍ଦେଶ ଓୟାଲା–ତାହାରା ଓ କେଁଦେ କକିଏ କହିତେଛେ–‘‘ମହାଶୟ ଆମ୍‌ରା ମାରା ଗେଲାମ୍‌–ଆମାଦେର ପୁଁଟି ମାଛେର ପ୍ରାଣ–ଏମନ୍‌ କରିଲେ ଆମ୍‌ରା କେମନ୍‌ କରେ ବାଁଚ୍‌ତେ ପାରି ?’’

 

‘‘ବଙ୍ଗ ସାହିତ୍ୟ ପରିଚୟ’’ରେ ଶ୍ରୀ କାଳିଦାସ ରାୟ, ଟେକଚାନ୍ଦଙ୍କ ସମ୍ପର୍କରେ ଆଲୋଚନା କରି ଲେଖିଛନ୍ତି....

‘‘ଫୋର୍ଟ ଉଇଲିୟମ କଲେଜର ବଙ୍ଗଳା ଶିକ୍ଷକମାନଙ୍କର କୌଣସି କୌଣସି ପୁସ୍ତକରୁ ଲୋକରେ ପ୍ରଚଳିତ ଭାଷାର ଗୋଟାଏ ଧାରା ପ୍ରବାହିତ ହୋଇ ଚାଲି ଆସୁଥିଲା । କିନ୍ତୁ ସେ ଭାଷାରେ ପୂରା ଖଣ୍ଡେ ବହି ଲେଖିବାର ସାହସ କେହି କରି ନ ଥିଲେ । ଆଲାଲେର ଘରେର ଦୁଲାଲଠାରୁ ବଙ୍ଗ ଭାଷାରେ ଗୋଟିଏ ନୂତନ ଯୁଗର ସୂତ୍ରପାତ ହେଲା । xxଆଜିକାଲି ବିଦ୍ୟାସାଗରୀ ଭାଷା ଆଉ ଚଳୁ ନାହିଁ । ସେ କାଳରେ ବି ଏ ଭାଷାକୁ ଇଂରାଜୀ ଶିକ୍ଷିତ ଓ ଅଳ୍ପ ଶିକ୍ଷିତମାନେ ଆଦର୍ଶ ଭାଷା ବୋଲି ସ୍ୱୀକାର କରୁ ନ ଥିଲେ । ସେ କାଳରେ ବହୁ ସାମୟିକ ପତ୍ରପତ୍ରିକାରେ ବିଦ୍ୟାସାଗରୀ ଭାଷା ନେଇ ବ୍ୟଙ୍ଗ ବିଦ୍ରୂପ ଚଳୁଥିଲା । ଶିକ୍ଷିତ ସମାଜରେ ମଧ୍ୟ ଏ ଭାଷା ବହୁ ହାସ୍ୟ ପରିହାସର ଉପାଦାନ ଯୋଗାଉଥିଲା । ଏ ଭାଷାରେ ଘର ସଂସାରର ଓ ଲୌକିକ ଜୀବନର ନାନା କଥା ଅନାୟାସରେ ପ୍ରକାଶ ପାଇ ପାରୁଥିଲେହେଁ ଉଚ୍ଚସ୍ତରର ତତ୍ତ୍ୱମୂଳକ ବିଷୟବସ୍ତୁ ପ୍ରକାଶ ପାଇ ପାରୁ ନଥିଲା । ତେଣୁ ଏ ଭାଷା ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଲା ନାହିଁ ।’’ *

* ବଙ୍ଗ ସାହିତ୍ୟ ପରିଚୟ (ପ୍ରଥମ ଖଣ୍ଡ) ଶ୍ରୀ କାଳିଦାସ ରାୟ ପୃ. ୧୫

ଏଠାରେ ଟେକଚାନ୍ଦଙ୍କ ପ୍ରସଙ୍ଗ ଉତ୍‌ଥାପନ କରିବାର ଉଦ୍ଦେଶ୍ୟ ହେଉଛି, ଫକୀରମୋହନ ଟେକଚାନ୍ଦଙ୍କ ଶୈଳୀରେ ଅନୁପ୍ରାଣିତ ହୋଇଥିଲେ ବୋଲି କୁହାଗଲେ ସୁଦ୍ଧା, ଟେକଚାନ୍ଦ ଯେଉଁ ଶୈଳୀ ପ୍ରତିଷ୍ଠା କରିବାକୁ ଉଦ୍ୟମ କରି, ପାରି ନଥିଲେ ଫକୀରମୋହନ ସେହି ଉଦ୍ୟମ ଆରମ୍ଭ କରି ଅପୂର୍ବ ଭାବରେ ଯଶସ୍ୱୀ ହୋଇ ପାରିଥିଲେ । ଫକୀରମୋହନ ଯେ କେବଳ ଦାଣ୍ଡର ଭାଷାକୁ ଆଦର୍ଶ ଧରି ଲେଖିଥିଲେ ତା ନୁହେଁ, ପରିସ୍ଥିତି ଓ ପରିବେଶ ବିଚ ସଂସ୍କୃତ ପ୍ରଭାବିତ ପଣ୍ଡିତ ଭାଷାର ମଧ୍ୟ ପ୍ରୟୋଗ କରିଥିଲେ । ଏ ସମନ୍ୱୟରେ ପ୍ରକୃଷ୍ଟ ଉଦାହରଣ ମାମୁର ରଚନା ରୀତି । ଏହି ଉପନ୍ୟାସ ବର୍ଣ୍ଣିତ ‘‘ପଣ୍ଡିତ ସଭା’’ରେ ଯେଉଁ ଭାଷା ଓ ଶୈଳୀ ବ୍ୟବହୃତ ହୋଇଅଛି ଫକୀରମୋହନ ଅନ୍ୟତ୍ର କେଉଁଠି ତାହାର ପ୍ରୟୋଗ କରି ନାହାନ୍ତି । ରାନ୍ଧୁଣୀ ଗାଧୁଆବେଳେ ଗାଁ ମଝି ପୋଖରୀ ତୁଠରେ ଛାମୁକରଣ ଘର ବଡ଼ବୋହୂ, ମକ୍ରାମା, ଚମ୍ପୀ ଅପା, ଶାରିଆ, ଗେହ୍ଲେଇ, ଚେମୀ ନଣନ୍ଦ, କଉଶୁଲୀ, ପାରୀ ପ୍ରମୁଖ ମହିୟସୀମାନଙ୍କର ପଟ୍ଟନାୟକ ଘର ନୂଆବୋହୂର ନିଦ ଅଳସ, ପାହୁଡ଼ ଲଗାଇ ଚାଲି ଠକଣ, ନାକବସଣୀର ଭଙ୍ଗୀ ପ୍ରଭୃତି ବହୁ ଗୁରୁତର ସମସ୍ୟାର ଆଲୋଚନା ପାଇଁ ଯେଉଁ ଭାଷା ପ୍ରଶସ୍ତ, ପଣ୍ଡିତ ସଭାରେ ଆଲୋଚିତ ହେଉଥିବା ନାନା ଦାର୍ଶନିକ ତତ୍ତ୍ୱର ପ୍ରକାଶ ପାଇଁ ସେ ଭାଷା ପ୍ରକୃଷ୍ଟ ନୁହେଁ । ଖାଲି ଏହି ପଣ୍ଡିତ ସଭା ପରିଚ୍ଛେଦରେ ନୁହେଁ, ‘‘ଛମାଣ ଆଠଗୁଣ୍ଠ’’ ‘‘ମାମୁ’’ ଓ ପ୍ରାୟଶ୍ଚିତ’’ ଉପନ୍ୟାସରେ ସ୍ଥାନେ ସ୍ଥାନେ ଏ ରୀତି ମଧ୍ୟ ବ୍ୟବହୃତ ହୋଇଅଛି । ଯଥାର୍ଥରେ ନିତ୍ୟ ବ୍ୟବହୃତ ଲୋକ ପ୍ରଚଳିତ ଭାଷାରେ ଦୈନନ୍ଦିନ ଲୌକିକ ବିଷୟବସ୍ତୁ ପ୍ରକାଶ କରାଯାଇ ପାରେ, ମାତ୍ର ଉଚ୍ଚକୋଟୀର ଚିନ୍ତା, ଗଭୀର ଭାବାବେଗ ବା ନାନା ସୂକ୍ଷ୍ମ ଅନୁଭୂତି ସେ ଭାଷାରେ ପ୍ରକାଶ ପାଇବା ସମ୍ଭବ ନୁହେଁ । ଉଦାହରଣ ସ୍ୱରୂପ ‘ଛମାଣ ଆଠଗୁଣ୍ଠ’ର ଅଷ୍ଟାଦଶ ପରିଚ୍ଛେଦରେ ସାନ୍ତାଣୀଙ୍କ ମୃତ୍ୟୁ ପରେ ମଙ୍ଗରାଜଙ୍କର ଅନୁଚିନ୍ତା ଯେଉଁ ଭାଷାରେ ବର୍ଣ୍ଣିତ ହୋଇଅଛି ତାହା ଲୌକିକ ଭାଷାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ ।

 

‘‘...ମଙ୍ଗରାଜଙ୍କ ଜୀବନ କ୍ଷେତ୍ରରେ ଦୁଇଗୋଟି ନଦୀ ପ୍ରବାହିତ ହେଉଥିଲା । ଗୋଟିଏ ଉତ୍ତାଳ ତରଙ୍ଗମୟୀ ସର୍ପ-କୁମ୍ଭୀର-ସଙ୍କୁଳ କୂଳପ୍ଳାବିନୀ ଚର୍ମଣ୍ୱତୀ, ଆଉ ଗୋଟିଏ ଅନ୍ତଃସ୍ରୋତା ପୂତସଲୀଳା କୂଳପ୍ଳାବିନୀ ଫଲ୍‌ଗୁ ।’’

 

‘ଲଛମା’ର ଅଷ୍ଟମ ପରିଚ୍ଛେଦରେ ରାୟବଣିଆ ଦୁର୍ଗେଶ୍ୱର ଶ୍ରୀ ଶ୍ରୀ ଶ୍ରୀ ରାୟ ରାଘବ ରାୟଟସିଂହ ଜଗଦ୍ଦେବ ବୈରିଗଞ୍ଜନ ମାନଧାତାଙ୍କ ଦରବାରରେ ଯେଉଁ ଅପୂର୍ବ ନାଟକୀୟ ପରିସ୍ଥିତି ସୃଷ୍ଟି କରାଯାଇଅଛି, ତାହାର ମାଧ୍ୟମ ଲୌକିକ ଭାଷା ହୋଇ ନ ପାରେ । ଏହାର କାରଣ ନିର୍ଣ୍ଣୟ କରିବା ମଧ୍ୟ ବହୁ ଆୟାସସାପେକ୍ଷ ନୁହେଁ । ଛନ୍ଦ ଓ ସୁର ଯେପରି ସଙ୍ଗୀତର ପ୍ରାଣ, ଭାଷା ସେହିପରି ସାହିତ୍ୟର ପ୍ରାଣ । ସଙ୍ଗୀତ, ସୁର ଓ ଛନ୍ଦର ଲୀଳା ଚାତୁର୍ଯ୍ୟରେ ଶ୍ରୋତାର ପ୍ରାଣ ଆବେଗଚଞ୍ଚଳ କଲା ପରି, ସାହିତ୍ୟର ଭାଷାଚାତୁର୍ଯ୍ୟ ସୌନ୍ଦର୍ଯ୍ୟବିଳାସୀ ମଣିଷର ପ୍ରାଣକୁ ଗଭୀର ଭାବରେ ସ୍ପର୍ଶ କରେ । ଯେଉଁ କଳା ମଣିଷର ପ୍ରାଣକୁ ଯେତେ ଗଭୀର ଭାବରେ ଆଲୋଡ଼ିତ କରିପାରେ, ସେ କଳାର ସାର୍ଥକତା ସେତେ ବେଶୀ । ଲୌକିକ ଭାଷାରେ ଦୈନନ୍ଦିନ ଜୀବନର ନାନା ବାସ୍ତବ ଘଟଣା ଅତି ବଳିଷ୍ଠ ଭାବରେ ପ୍ରକାଶ କରା ଯାଇପାରେ ସତ, କିନ୍ତୁ ଲେଖକ ଯେଉଁଠାରେ ପାଠକକୁ କୌଣସି ଇନ୍ଦ୍ରିୟାତିରିକ୍ତ ଅନୁଭୂତିରେ ଅଭିଭୂତ କରିବାକୁ ଚାହାନ୍ତି ବା କୌଣସି ତାତ୍ତ୍ୱିକ ବିଚାରର ସମୀକ୍ଷାରେ ପାଠକକୁ ଉଦ୍‌ବୁଦ୍ଧ କରିବାକୁ ଚାହାନ୍ତି, ସେଠାରେ ଲୌକିକ ଭାଷାର ପ୍ରୟୋଗ ସମ୍ଭବ ନୁହେଁ । ତେଣୁ ଫକୀରମୋହନ କେବଳ ଲୌକିକ ଭାଷା ବା କେବଳ ତତ୍‌ସମ ଓ ତତ୍‌ଭବବହୁଳ ଭାଷାରେ ତାଙ୍କର ଜୀବନ୍ତ ଗଦ୍ୟ ସାହିତ୍ୟ ସୃଷ୍ଟି କରି ନାହାନ୍ତି । ଉଭୟ ଭାଷାର ଏକ ଅପୂର୍ବ ସମନ୍ୱୟରେ ତାଙ୍କର ଶୈଳୀ ଜୀବନ୍ତ ।

 

ଫକୀରମୋହନଙ୍କ ଭାଷାରୀତି ପ୍ରସଙ୍ଗରେ ତାଙ୍କ ସମସାମୟିକ କାଳରେ ପ୍ରଚଳିତ ଭାଷାରୀତି କ’ଣ ଥିଲା ଓ ଓଡ଼ିଆ ଗଦ୍ୟର କ୍ରମବିକାଶରେ ଫକୀରମୋହନଙ୍କ ସ୍ଥାନ କେଉଁଠି ତାହା ମଧ୍ୟ ବିଚାର୍ଯ୍ୟ ।

 

ଫକୀରମୋହନ ପ୍ରଥମ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ ଲେଖିବା ପୂର୍ବରୁ ତାଙ୍କ ଆଗରେ ଭାଷାରୀତିର ତିନିଗୋଟି ଆଦର୍ଶ ଥିଲା । ପ୍ରଥମରେ ଇଂରାଜୀରୀତି ପ୍ରଭାବିତ ଗଦ୍ୟ, ଦ୍ୱିତୀୟରେ ବିଦ୍ୟାସାଗରୀ ରୀତିର ସଂସ୍କୃତ ବହୁଳ ଗଦ୍ୟ ଓ ତୃତୀୟରେ ଆରବୀ, ପାର୍ଶି ମିଶା ଗଦ୍ୟ-। ଫକୀରମୋହନଙ୍କ ପୂର୍ବରୁ ଉମେଶ୍ଚନ୍ଦ୍ର ଓ ରାମଶଙ୍କର ଇଂରାଜୀ ରୀତି ପ୍ରଭାବିତ ଗଦ୍ୟ ଭଙ୍ଗୀ ଅନୁସରଣ କରିଥିଲେହେଁ, ରାମଶଙ୍କରଙ୍କ ଭାଷା ଅପେକ୍ଷା ଉମେଶ୍ଚନ୍ଦ୍ରଙ୍କ ଭାଷା ଅଧିକ ଜୀବନ୍ତ ଓ ମାର୍ଜିତ । ଉମେଶ୍ଚନ୍ଦ୍ର ଚରିତ୍ରଚିତ୍ରଣରେ ସ୍ୱାଭାବିକତା ରକ୍ଷା କରିବା ପାଇଁ, ଚରିତ୍ର–ଉପଯୋଗୀ ଭାଷା ପ୍ରୟୋଗ କରିଛନ୍ତି । ଉମେଶ୍ଚନ୍ଦ୍ର କବିରାଜମାନଙ୍କ ପାଇଁ ସାଧୁଭାଷା, ଅମିନ କଚିରିଆଙ୍କ ପାଇଁ ଆରବୀ, ପାର୍ଶି ମିଶା କଚିରିଆ ଭାଷା ଓ ଅନ୍ୟ ମୁଖ୍ୟଚରିତ୍ରମାନଙ୍କ ପାଇଁ ତତ୍‌ସମ, ତଦ୍‌ଭବ ବହୁଳ ଭାଷା ବ୍ୟବହାର କରି ଅଛନ୍ତି । ତଥାପି ଉମେଶ୍ଚନ୍ଦ୍ରଙ୍କ ଗଦ୍ୟ କିପରି ଇଂରାଜୀ ଗଦ୍ୟରୀତି ପ୍ରଭାବିତ ଥିଲା, ତାହା ନିମ୍ନ ଗଦ୍ୟାଂଶରୁ କିଞ୍ଚିତ ଅନୁମିତ ହେବ ।

 

‘‘ଆପଣ ଯାହା କହନ୍ତୁ ନା କାହିଁକି, ଆପଣଙ୍କ ଚରଙ୍କ ଉପରେ ମୁଁ ନିର୍ଭର କରି ନ ପାରେ । ଫିରିଙ୍ଗିଙ୍କ ଅମଳ ଗଡ଼ଜାତରେ ଚଳିନାହଁ ବୋଲି ଆପଣ କହୁଅଛନ୍ତି । କିନ୍ତୁ ତାହା ହେଲେ ସେମାନେ ଆମମାନଙ୍କର ଘାଟ ମାସୁଲ କିପାଇଁ ବନ୍ଦ କଲେ ଓ ସୁମିତ୍ରା ଦେଈଙ୍କର ଅନ୍ତେ ମୟୁରଭଞ୍ଜ ଗାଦୀରେ ତ୍ରିବିକ୍ରମ ଭଞ୍ଜଙ୍କୁ କିପରି ବସାଇଲେ ।’’

 

(ପଦ୍ମମାଳୀ)

 

ରାମଶଙ୍କର ଥିଲେ ମୁଖ୍ୟତଃ ଶୁଚିବିକାରଗ୍ରସ୍ତ ନୀତିବାଗୀଶ । ତାଙ୍କର ସାହିତ୍ୟ ସର୍ବଦା ‘‘କଠିନ ନୀତିଶାସ୍ତ୍ର’’ର ଅନୁଶାସନ ମାନି ମାନି ପ୍ରାଣଶକ୍ତି ହରାଇ ବସିଥିଲା । ତେଣୁ ତାଙ୍କ ଗଦ୍ୟରୀତି ‘‘ଶୁଷ୍କ କାଷ୍ଠଂ’’ ମନେ ହେବା ବିଚିତ୍ର ନୁହେଁ । ଇରାଂଜୀ ରୀତି ପ୍ରଭାବିତ, ଗୁରୁଚଣ୍ଡାଳ ଦୋଷପୂର୍ଣ୍ଣ ରାମଶଙ୍କରଙ୍କର ଗଦ୍ୟ, ଓଡ଼ିଆ ଗଦ୍ୟର କ୍ରମବିକାଶ ଦୃଷ୍ଟିରୁ, ଉମେଶ୍ଚନ୍ଦ୍ରଙ୍କଠାରୁ ଆଦୌ ଅଗ୍ରସର ହୋଇ ନ ଥିଲା । ‘‘ବିବାସିନୀ’’ର ନିମ୍ନ ଗଦ୍ୟାଂଶରୁ ତାହା ପ୍ରମାଣିତ ହେବ ।

 

‘‘ପାଠକେ ହୁଏତ ମନେ କରିବେ ଯେଉଁ ରମଣୀ ଆକାଶସ୍ଥ ଚନ୍ଦ୍ରର ଜ୍ୟୋତ୍ସ୍ନା-ବିକୀର୍ଣ୍ଣ କରିବା ଗୁଣର ଆଦର ନ କରି ଆପଣାର ବଦନମଣ୍ଡଳର ସୌନ୍ଦର୍ଯ୍ୟ ବାହାରକୁ ନ ଦେଖାଇ ଘରେ ବସି ଓଢ଼ଣା ଟାଣି ନଷ୍ଟ କରେ, ସେ ତ ରମଣୀ ମଧ୍ୟରେ ଗଣ୍ୟା ନୁହେଁ କିମ୍ବା ଯେଉଁ ରମଣୀ କେବଳ ସୂଚି କର୍ମାଦି ନ କରି ରନ୍ଧନଶାଳାରେ ଆବଦ୍ଧ ଥାଇ ସକାଳ ସନ୍ଧ୍ୟା ହାଣ୍ଡିଧରି ଆପଣାର ବୁଦ୍ଧି ବିବେଚନା ଏବଂ ଶରୀର ନଷ୍ଟ କରେ ସେ ରନ୍ଧନ ଗୁଣରେ ପିତାମାତା ଅଥବା ଶାଶୁ ଶ୍ୱଶୁରଙ୍କ ତୃପ୍ତିବିଧାନ କଲେ ସୁଦ୍ଧା ଆଜିକାଲି ପାଶ୍ଚାତ୍ୟ ଶିକ୍ଷା-ବିଧୌତା-ନୀତି ଅନୁଯାୟୀ ପଶୁ ମଧ୍ୟରେ ଗଣ୍ୟା ।’’

 

(ବିବାସିନୀ–ପଞ୍ଚମ ପରିଚ୍ଛେଦ)

 

ଏହା ପୂର୍ବରୁ ୧୮୭୭ ସାଲରେ ‘ଉତ୍କଳ ଦର୍ପଣ’ରେ ପ୍ରକାଶିତ ରାଧାନାଥଙ୍କ ‘‘ଇଟାଲୀୟ ଯୁବା’’ ଉପନ୍ୟାସ (?)ରେ ଇଂରାଜୀ ପ୍ରଭାବିତ ଓଡ଼ିଆ ଗଦ୍ୟ କେଉଁ ହାସ୍ୟୋଦ୍ଦୀପକ ସୀମାକୁ ଯାଇପାରେ, ତାହାର ପ୍ରକୃଷ୍ଟ ଉଦାହରଣ ରହିନ୍ତି ।

 

ବିଦ୍ୟାସାଗରୀ ରୀତିରେ ସଂସ୍କୃତ ପ୍ରଭାବିତ ତଦ୍‌ଭାବ ଓ ତତ୍‌ସମ ବହୁଳ ଗଦ୍ୟର ପରଖ ମଧୁସୂଦନଙ୍କର ‘‘ପ୍ରଣୟର ଅଦ୍ଭୁତ ପରିଣାମ’’ (୧୮୭୩) ଓ ‘‘ହେମମାଳା’’ (୧୮୯୭)ରେ ହୋଇ ସାରିଥିଲା । କିନ୍ତୁ ଏଥିମଧ୍ୟରୁ କୌଣସିଟି ହେଲେ ଲୋକରେ ଆଦୃତ ହୋଇ ପାରି ନ ଥିଲା-। ଏହି ପ୍ରସଙ୍ଗରେ ବଙ୍ଗଳା ଓ ଓଡ଼ିଶାର ଲେଫ୍‍ନାଣ୍ଟ୍‍ ଗଭର୍ଣ୍ଣର ସାର ଜର୍ଜ କାମ୍ପବେଲଙ୍କ ନାମ ଉଲ୍ଲେଖଯୋଗ୍ୟ । ଆଧୁନିକ ଓଡ଼ିଆ ଗଦ୍ୟସାହିତ୍ୟର କ୍ରମବିକାଶରେ ତାଙ୍କର ନାଟୀତକ ଅନସ୍ୱୀକାର୍ଯ୍ୟ ।

 

ସାର ଜର୍ଜ କାମ୍ପ୍‍ବେଲ, ବଙ୍ଗଳା ଓ ଓଡ଼ିଶାର ଲେଫ୍‌ନାଣ୍ଟ୍‍ ଗଭର୍ଣ୍ଣର ଥିଲାବେଳେ ୧୮୭୧ ମସିହା ଡିସେମ୍ବର ୪ ତାରିଖ ଦିନ, ରାଜନୈତିକ ବା ଅନ୍ୟ ଯେ କୌଣସି କାରଣରୁ ହେଉ ଉର୍ଦ୍ଦୁଭାଷା ଲୋପ କରିବା ପାଇଁ ଏକ ଆଦେଶ ଘୋଷଣା କରିଥିଲେ । ସେଥିରେ ସାର୍‌ ଜର୍ଜ ଉଲ୍ଲେଖ କରିଥିଲେ ଯେ, ଉର୍ଦ୍ଦୁ ଦିଲ୍ଲୀର ଗୋଟିଏ ଦରବାରିଆ, ସୈନ୍ୟଛାଉଣୀ ଭାଷା । ଏହାର କୌଣସି ମୌଳିକତା ନାଇଁ । ଏଣୁ ବଙ୍ଗଳା ଓ ଓଡ଼ିଆ ପ୍ରଭୃତି ଭାଷାରୁ ଉର୍ଦ୍ଦୁଭାଷାର ପ୍ରଭାବ ସମ୍ପୂର୍ଣ୍ଣ ରୂପେ ଲୋପ ପାଇ ଭାଷା ଶୁଦ୍ଧ ହେବା ଉଚିତ । ଅବଶ୍ୟ ଇଂରାଜୀ ଭାଷା ମିଶିଗଲେ କ୍ଷତି ନାହିଁ । କାମ୍ପ୍‌ବେଲ ସାହେବ ନିଜ ମନ୍ତବ୍ୟରେ କହିଥିଲେ, ବିଜାତୀୟ ଭାଷା ବାଦ୍‌ ଦେଇ, ଦାଣ୍ଡରେ ଯେଉଁ ଭାଷା ଲୋକେ ବୁଝି ପାରିବେ, ତାହାହିଁ ପ୍ରକୃତ ଶୁଦ୍ଧ ଭାଷା ଓ ସେହି ଭାଷାରେ ଲିଖିତ ସାହିତ୍ୟ ଏକା ଶୁଦ୍ଧ ସାହିତ୍ୟ । କଚେରିମାନଙ୍କରେ କେବଳ ଏହି ପ୍ରକାର ଶୁଦ୍ଧଭାଷା ଓ ଇଂରେଜୀ ବ୍ୟବହୃତ ହୋଇ ପାରିବ ବୋଲି ସାର୍‌ ଜର୍ଜ ଆଲୋଚିତ ଇସ୍ତାହାରରେ ନିର୍ଦ୍ଦେଶ ଦେଇଥିଲେ । ପୁଣି ଶିକ୍ଷାବିଭାଗରେ ଡିରେକ୍ଟରଙ୍କୁ ମଧ୍ୟ ଆଦେଶ ଦିଆଯାଇଥିଲା ଯେ, ସେ କେବଳ ଏହିପରି ଭାଷାରେ ଲିଖିତ ବହିକୁ ପାଠ୍ୟ ପୁସ୍ତକ ରୂପେ ଅନୁମୋଦନ କରିବେ ।

 

ସାର୍‌ ଜର୍ଜଙ୍କର ଏ ପ୍ରକାର ଆଦେଶ ଓଡ଼ିଶାର ଶିକ୍ଷିତ ସମ୍ପ୍ରଦାୟରେ ହୁଏତ ବିକ୍ଷୋଭ ସୃଷ୍ଟି କରିଥିଲା । ‘ଉତ୍କଳ ଦୀପିକା’ ୧୮୭୧ ମସିହା ୨୦ ତାରିଖ ଡିସେମ୍ବର ସଂଖ୍ୟାରେ କାମ୍ପ୍‌ବେଲଙ୍କର ଏହି ଆଦେଶର ତୀବ୍ର ସମାଲୋଚନା କରି ଲେଖିଥିଲେ ଯେ; ସଂସ୍କୃତ ଭାରତର ଅତି ପ୍ରାଚୀନ ଓ ମାର୍ଜିତ ଭାଷା । ଓଡ଼ିଆ ଭାଷାକୁ ଶୁଦ୍ଧ କରିବା ପାଇଁ ଭାଷାରୁ ସଂସ୍କୃତର ପ୍ରଭାବ ଲୋପ କରିବା କଦାପି ସମୀଚୀନ ହୋଇ ନ ପାରେ । ଯାହାହେଉ ସେହିଦିନଠାରୁ ଓଡ଼ିଆ ଗଦ୍ୟ ରଚନାରେ ଦୁଇଗୋଟି ସ୍ପଷ୍ଟ ରୀତି ପ୍ରକାଶ ପାଇଲା–ଗୋଟିଏ ରୀତି ହେଲା ଦାଣ୍ଡରେ ଯେଉଁ ଭାଷାରେ ଲୋକେ କଥାବାର୍ତ୍ତା କରନ୍ତି ସେହି ଭାଷାରେ ଓ ଆରଟି ହେଲା ଓଡ଼ିଆ ତତ୍‌ସମ ଓ ତଦ୍‌ଭବ ଶବ୍ଦ ପ୍ରୟୋଗରେ ରାଧାନାଥ ଯୁଗର ଶେଷ ପର୍ଯ୍ୟନ୍ତ ଏ ଦୁଇଟି ରୀତି ସାମନ୍ତରାଳ ଗତିରେ ଚଳି ଆସିଥିଲା । ଫକୀରମୋହନ ପ୍ରଥମୋକ୍ତ ରୀତି ଅନୁସରଣରେ ନିଜ ଉପନ୍ୟାସମାନ ରଚନା କରିଥିଲେ ସୁଦ୍ଧା, ଭାଷାରୁ ଉର୍ଦ୍ଦୁ, ଆରବୀ ଓ ପାରସୀ ପ୍ରଭୃତି ଭାଷାର ପ୍ରଭାବ ପୂରାପୂରି କଟାଇ ପାରି ନ ଥିଲେ । ବସ୍ତୁତଃ ତାଙ୍କର ପ୍ରଥମ ଉପନ୍ୟାସ ‘ଛମାଣ ଆଠଗୁଣ୍ଠ’ରେ ଯାବନିକ ଶବ୍ଦର ବହୁଳତା, ‘ମାମୁ’ରେ ବହୁ ପରିମାଣରେ କମ୍‌ ଓ ତା’ଠାରୁ ଆଉରି କମ୍‌ ଶେଷ ଉପନ୍ୟାସ ‘‘ପ୍ରାୟଶ୍ଚିତ’’ରେ । ସେତେବେଳେ ‘ଖସଲତ୍‌’, ‘ଇଲମ୍‌’ ‘ଲାଏକ’ ‘କେରାମତ୍‍’, ‘ନେକ୍‌ନାମି’, ‘ଜାହେର୍‌’ ପ୍ରଭୃତି ବହୁ ଯାବନିକ ଶବ୍ଦ କଥିତ ଓଡ଼ିଆ ଭାଷାର ସାମିଲ୍‌ ହୋଇ ଯାଇଥିଲା । ଆଜି ସୁଦ୍ଧା ଓଡ଼ିଶାର ନିପଟ ଗାଁ ଗହଳରେ କଥିତ ଭାଷାରୁ ଏ ଯାବନିକ ଶବ୍ଦଗୁଡ଼ିକ ନିଶ୍ଚିତ ହୋଇ ନାହିଁ-। ଫକୀରମୋହନ ତେଣୁ ସେ ଶବ୍ଦଗୁଡ଼ିକର ଯଥାର୍ଥ ପ୍ରୟୋଗ କରିବାଦ୍ୱାରା ଭାଷାକୁ ଅତି ଜୀବନ୍ତ ଓ ବ୍ୟଞ୍ଜକ (expressive) କରି ପାରିଥିଲେ । ଏହି ଭାଷାରେ ଲିଖିତ ‘ଛମାଣ ଆଠଗୁଣ୍ଠ’ ଯେ ଲୋକରେ ବହୁ ଆଦୃତ ହୋଇଥିଲା ତାହା ନିଃସନ୍ଦେହ । କିନ୍ତୁ କେବଳ ନନ୍ଦକିଶୋର ଓ ଗୋପାଳଚନ୍ଦ୍ର ଫକୀରମୋହନଙ୍କର ରୀତି ଅନୁସରଣ କରିଥିଲେହେଁ, ସେ ସମୟର ଅନ୍ୟ ବିଶିଷ୍ଟ ଗଦ୍ୟ ଲେଖକମାନେ, ମଧୁସୂଦନଙ୍କ ରୀତି ଅନୁସରଣ କରି ଆସିଥିଲେ ।

 

ଫକୀରମୋହନ ନିଜେ କିନ୍ତୁ ଥିଲେ ସଂସ୍କୃତର ପରମ ଭକ୍ତ । ସଂସ୍କୃତ ସାହିତ୍ୟରେ ତାଙ୍କର ବହୁ ପଠନର ବହୁ ଦୃଷ୍ଟାନ୍ତ, ତାଙ୍କର ଉପନ୍ୟାସଗୁଡ଼ିକରେ ହିଁ ରହିଛି । ଭାରତରେ ପୁଣି ସଂସ୍କୃତ ସାହିତ୍ୟର ଅଭ୍ୟୁଦୟ ଓ ଭୂୟୋବିକାଶ ତାଙ୍କର ପ୍ରିୟତମ ବାସନା ଥିଲା । ସଂସ୍କୃତର ଦୁରବସ୍ଥାରେ ଫକୀରମୋହନ ମର୍ମାହତ ହୋଇ ଲେଖିଛନ୍ତି :

 

‘‘ପୂର୍ବେ ପାର୍ସି ବିଦ୍ୟାର ଭାରି ଆଦର ଥିଲା । ଅଦାଲତରେ ଚଳିତ ବିଦ୍ୟା ଥିଲା ପାର୍ସି । ଭାରତ ଭାଗ୍ୟରେ ବିଧାତା ଏହିପରି ଲେଖକ ମୂନ ମାରିଛନ୍ତି; କାଲି ଥିଲା ପାର୍ସି, ଆଜି ହେଲା ଇଂରେଜୀ; ଏ ଉତ୍ତାରେ କଣ ତାଙ୍କୁ ଜଣା ! ମାତ୍ର ଏ କଥା ନିଶ୍ଚିତ ଦେବନାଗରୀ କପାଳ ପଥର ତଳେ । ଇଂରେଜୀ ପଣ୍ଡିତମାନେ କହନ୍ତି ସଂସ୍କୃତ ମୃତଭାଷା । ଆମ୍ଭେମାନେ ସେ କଥାଟା ଆଉ ଟିକିଏ ସଫାକରି ବୋଲୁଅଛୁ, ଏହା ଦରମଲା ଲୋକମାନଙ୍କ ଭାଷା ।’’

 

(ଛମାଣ ଆଠଗୁଣ୍ଠ–ଅଷ୍ଟମ ପରିଚ୍ଛେଦ)

 

ଫକୀରମୋହନ ଇଚ୍ଛା କରିଥିଲେ ଓଡ଼ିଆ ତତ୍‌ସମ ଓ ତଦଭବ ଶବ୍ଦ ବୈଭବ ବିମଣ୍ଡିତ, ଲଳିତ, ସୁଖପାଠ୍ୟ ଗଦ୍ୟ ଲେଖି ପାରିଥାନ୍ତେ । ମାତ୍ର ଲୋକରେ ଓଡ଼ିଆ ଭାଷା ଚର୍ଚ୍ଚା ବ୍ୟାପ୍ତ କରିବା ଓ ମାତୃଭାଷା ମାଧ୍ୟମରେ ଲୋକଶିକ୍ଷାର ପରିସର ବଢ଼ାଇବା ତାଙ୍କର ମୂଳ ଉଦ୍ଦେଶ୍ୟ ଥିଲା । ଫକୀରମୋହନ ଲେଖିଛନ୍ତି:

 

‘‘ଶିକ୍ଷିତ ଯୁବକମାନେ ଏହା ମଧ୍ୟ ବୁଝିଲେଣି ସେମାନଙ୍କର ଉପାସ୍ୟା ରାଜଭାଷା ସର୍ବ ସମ୍ପତ୍ତିଶାଳିନୀ–ଜଗଦ୍‌ବ୍ୟାପୀ ଗୌରବାନ୍ୱିତା ସତ୍ୟ, ମାତ୍ର ତାଙ୍କ ଉପାସନା ଯୋଗେ ଆମ୍ଭମାନଙ୍କ ଜାତି ସାଧାରଣର ଉନ୍ନତି ଆକାଂକ୍ଷା କରିବା ବିଡ଼ମ୍ବନା ମାତ୍ର । ଯେହେତୁ ସେ ଆମ୍ଭମାନଙ୍କର ଉପାସ୍ୟା ଦେବୀ ବରଦାତ୍ରୀ ହେଲେ ମଧ୍ୟ ସନ୍ତାନମାନଙ୍କୁ କୋଳକୁ ଟେକି ନେବା ପାଇଁ ଜନନୀ ତୁଲ୍ୟ ସ୍ନେହପ୍ରବଣା ନୁହନ୍ତି । କେହି ନୈଷ୍ଠିକ ଉପାସକ ଦେବୀ ବର ପ୍ରଭାବରେ ମାନସମ୍ଭ୍ରମ ଯୁକ୍ତ ସମ୍ପତ୍ତିଶାଳୀ ହୋଇପାରେ ସତ୍ୟ, ମାତ୍ର ଜାତି ସାଧାରଣର ସେହି ଗୌରବର ଅଂଶଭାଗୀ ହେବାକୁ ଚେଷ୍ଟା କରିବା ବିଡ଼ମ୍ବନା ମାତ୍ର । ଏହା ମଧ୍ୟ ଶିକ୍ଷିତ ଯୁବକେ ବୁଝିଲେଣି, ଶତଶତ ବର୍ଷ ବ୍ୟାପୀ କାଳ ଉପାସନାରେ ମଧ୍ୟ ଉପାସ୍ୟା ଦେବୀଙ୍କୁ ଆୟତ୍ତ କରିବା ସହଜ ସାଧ୍ୟ ନୁହେଁ । ସେହି ନିମ୍ନ ଶ୍ରେଣୀହିଁ ଜାତି ନାମରେ ବାଚ୍ୟ, ଆମ୍ଭେମାନେ ମଧ୍ୟ କ୍ଷୁଦ୍ର ଆଲୋଚନା ଯୋଗେ ଅନୁଭବ କରୁଅଛୁ, ବିଦେଶୀୟ ଭାଷାରେ ଜ୍ଞାନାଲୋଚନା ଜଳପୂର୍ଣ୍ଣ ପାତ୍ରରେ ଘୃତବିନ୍ଦୁ ପତନବତ୍‌ ଅର୍ଥାତ୍‌ କେବଳ ଆଲୋଚକଠାରେ ଜ୍ଞାନ ଆବଦ୍ଧ ଥାଏ, ମାତୃଭାଷାରେ ଜ୍ଞାନାଲୋଚନା ଜଳ ପାତ୍ରରେ ତୈଳବିନ୍ଦୁ ପତନବତ୍‌ ସର୍ବତ୍ର ବ୍ୟାପ୍ତ ହୋଇଯାଏ ।’’

 

(‘ପ୍ରାୟଶ୍ଚିତ’–ସପ୍ତମ ପରିଚ୍ଛେଦ)

 

ସବୁ ସତ୍‌ସାହିତ୍ୟ ପରି ଫକୀରମୋହନଙ୍କ ସାହିତ୍ୟ ଥିଲା ଉଦ୍ଦେଶ୍ୟମୂଳକ । ସମାଜର ସମୂହ କଲ୍ୟାଣ ତାଙ୍କ ସାହିତ୍ୟର ଧର୍ମ ଥିଲା । ସାହିତ୍ୟକୁ ଉଚ୍ଚବିତ୍ତ ଓ ମଧ୍ୟବିତ୍ତର ବୈଠକଖାନା ଭିତରେ ଆବଦ୍ଧ ନ ରଖି, ସେ ପଲ୍ଲୀର କୁଟୀରଠାରୁ ସହରର ପ୍ରାସାଦ ପର୍ଯ୍ୟନ୍ତ, ସର୍ବତ୍ର ବନ୍ୟାର ପ୍ଳାବନ ପରି ଛୁଟାଇ ଦେଇଥିଲେ । ତେଣୁ ସେ ଯେଉଁ ଭାଷାଭଙ୍ଗୀ ଅବଲମ୍ବନ କରିଥିଲେ, ତାହା ସେଥିପାଇଁ ପ୍ରଶସ୍ତ ଥିଲା । ଫକୀରମୋହନଙ୍କ ଭାଷାଭଙ୍ଗୀ ଯେ ଆଜି ସୁଦ୍ଧା ଓଡ଼ିଆ ଗଦ୍ୟର ଆଦର୍ଶ ହୋଇ ରହିଛି, ସେଥିରେ ବିସ୍ମିତ ହେବାର କିଛି ନାହିଁ ।

Image

 

Unknown

ଫକୀରମୋହନଙ୍କ ହାସ୍ୟରସ

 

‘‘ଦିନେ ଅପା ଖପା ହୋଇ କହିଲେ, ଆଲୋ ସର ! ତୁ କାମ କରି କରି ମରି ଯା ପଛକେ, ମୁଁ ଯଦି ତୁଣ୍ଡ ଫିଟାଏ ମୋ ନାକ କାଟି ପକାଇବୁ ।’’ ସରସ୍ୱତୀ ଦେଈ କହିଲେ, ‘‘ଆଚ୍ଛା ଅପା ! ତୁମେ ତ ମୋ ମରଣ ପାଞ୍ଚୁଛ, ତୁମକୁ ଧୂଆଧୋଇ କରିଦେବ କିଏ, ନିତି ପରତି ଓଷଧ ବାଟି ପିଆଇ ଦେବ କିଏ ?’’ ଦାସେ ପାଖରେ ବସି ସବୁ ଶୁଣୁଥିଲେ, କହିଲେ, ‘‘ଏ ସରସ୍ୱତୀ ଭଗବତୀ-ଦେବୀ ନମସ୍ତେ–ତୁମେ ଅପା କଥାରେ ପଡ଼ି ମରିଯିବ ନାହିଁ ଟି ! ଠିକ୍‌ କଚିରି ବେଳକୁ ମତେ ଭାତ ପରଷି ଦେବ କିଏ ?’’ ମେନକା ଦେଈ–‘‘କ୍ୟାଁ ମୁଁ ତୁମକୁ ଗୋଟିଏ ବାହା କରେଇ ଆଣିବି, ସେହି ସଉତୁଣୀ ଆସି ଭାତ ରାନ୍ଧି ଦେବ ।’’ ସରସ୍ୱତୀ ଦେଈ କହିଲେ, ‘‘ଏ ଭିଣୋଇ ସାନ୍ତ-! ପିଠିରେ ଟିକିଏ ତେଲ ମାରି ଦେଇ ଥିବେଟି !’’ ଦାସ କହିଲେ–‘‘ତେଲ ଲଗାଇବି କ୍ୟାଁ-?’’ ସରସ୍ୱତୀ ଦେଈ କହିଲେ, ‘‘କୁଆଡ଼ୁ ହେଲେ ଛାଞ୍ଚୁଣୀ ଅଗଟା ଲାଗି ପୋଡ଼ି ଉଠିବ ପରା-!’’

 

ତିନିଜଣ ମିଶି ଖୁବ୍‌ ଗୋଟାଏ ହସିଲେ । ଲେଖକ ପଚାରେ, ଏହି ହସ ମଧ୍ୟରେ ଗୋଟାଏ ଯେଉଁ ହୃଦୟୋଲ୍ଲାସକାରୀ ଆନନ୍ଦ ପ୍ରଚ୍ଛନ୍ନ ଭାବରେ ରହିଅଛି, ବଡ଼ଲୋକ ଘରେ ସବୁବେଳେ ଯେଉଁ ଶୁଖିଲା ହସର ତୋଫାନ ଉଠୁଥାଏ, ସେଥି ମଧ୍ୟରେ ଏହା ଖୋଜି ପାଇବ କି-?’’

 

(ମାମୁ’–ପଞ୍ଚମ ପରିଚ୍ଛେଦ)

 

ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କ ପରି ଆଉ କେହି ହାସ୍ୟରସର, ଏପରି ଚଟୁଳ, ନିର୍ଦ୍ଦୋଷ ପରିବେଷଣ କରି ନାହାନ୍ତି । ଦାଶରଥୀ ଦାସ ନାଜର ଓ ଶ୍ୟାଳିକା ସରସ୍ୱତୀଙ୍କ ମଧ୍ୟରେ ଏ ଯେଉଁ ତରଳ ପରିହାସର ମଧୁର ଚର୍ଚ୍ଚା ହୋଇଗଲା, ତା ଉପରେ ଫକୀରମୋହନଙ୍କ ଟିପ୍‌ପଣୀ, ହାସ୍ୟରସର ଆଲୋଚନା ପାଇଁ ଯଥାର୍ଥରେ ଏକ ମୂଲ୍ୟବାନ ଉପାଦାନ ।

 

ଇତର ପଶୁମାନଙ୍କଠାରୁ ମଣିଷର ଏକମାତ୍ର ପାର୍ଥକ୍ୟ ହେଉଛି, ମଣିଷ ହସେ–ଆଉ ଅନ୍ୟ ପଶୁମାନେ ଦାନ୍ତ ଦେଖାନ୍ତି ! ଶୃଙ୍ଗାର, କରୁଣ, ବୀର, ବୀଭତ୍ସ ଓ ବାତ୍ସଲ୍ୟ ପ୍ରଭୃତି ସବୁ ରସର ଅନୁଭବ ଓ ଉପଭୋଗ, ପଶୁ ସମାଜରେ ଅଛି ! କିନ୍ତୁ ମୁହଁର ମାଂସପେଶୀଗୁଡ଼ିକୁ ଏକ ବିଶେଷ ରୀତିରେ ସଞ୍ଚାଳିତ କରି, ଦାନ୍ତ ଦେଖାଇ ବା ଦାନ୍ତ ଚିପି ମୁରୁକି, ପୁଣି ନୀରବରେ ନୋହିଲେ କଣ୍ଠର ମାଂସପେଶୀ ଚାଳନା କରି, ମଣିଷ ଏକା ହସିପାରେ ! ଶିବଭକ୍ତ ବୃଷଭଙ୍କ ଶୃଙ୍ଗାର ରସ, ପାଞ୍ଚଣ ପାହାରଖିଆ ବୁଲାକୁତିର କରୁଣ ରସ, ଗେଧ ମାଙ୍କଡ଼ଠାରୁ ଚପେଟାଘାତ ଭୟରେ ଦୁଇଗୋଡ଼ ମଝିରେ ଲାଙ୍ଗୁଳ ଜାକି ସମ୍ମୁଖ ଆକ୍ରମଣ ପାଇଁ ଛୋଟୀ କୁକୁକରର ବୀର ରସ, ପୁଣି ବଉଳା ଗାଈ କଅଁଳା ବାଛୁରୀକୁ ପାଖରେ ପାଇ ଚାଟିବାର ବାତ୍ସଲ୍ୟ ରସ–ସମସ୍ତେ ଲକ୍ଷ୍ୟ କରିଥିବେ । କିନ୍ତୁ ପଶୁର ହସିବା କେହି ଦେଖିଛନ୍ତି ବା ଶୁଣିଛନ୍ତି କି ?–ସୃଷ୍ଟିରେ ମଣିଷ ଏକା ହସିପାରେ । ହସେ । ଦୁଃଖରେ ସୁଦ୍ଧା ହସେ ! ସେ ହସ ପୁଣି ବହୁ ରୀତିର–ଫକୀରମୋହନଙ୍କ ଭାଷାରେ ଗୋଟିଏ ହୃଦୟୋଲ୍ଲାସକାରୀ ପ୍ରଚ୍ଛନ୍ନ ‘‘ଆନନ୍ଦ’’ ଓ ଅନ୍ୟଟି ବଡ଼ଲୋକ ଘରର ‘‘ଶୁଖିଲା ହସ’’ ।

 

ତେବେ ହାସ୍ୟରସକୁ ମୁଖ୍ୟତଃ ଦୁଇଗୋଟି ଶ୍ରେଣୀରେ ବିଭକ୍ତ କରା ଯାଇପାରେ–ଶୁଦ୍ଧ ହାସ୍ୟରସ ଓ ବ୍ୟଙ୍ଗ, ବିଦ୍ରୂପ ବା ସାଟାୟାର । ବିଦ୍ରୂପରେ ଅନ୍ୟକୁ ଆଘାତ ଦିଆଯାଏ, କ୍ଷୁଣ୍ଣ କରାଯାଏ ଓ ବିଦ୍ରୂପରେ ଅନ୍ୟର ପରାଭବ ବା ଗ୍ଳାନି ବା ଲାଞ୍ଛନାରୁ ଯେଉଁ ହାସ୍ୟରସର ସଞ୍ଚାର ହୁଏ, ତାହା ହୁଏତ ଫକୀରମୋହନଙ୍କ ଶୁଖିଲା ହସ ! ଫକୀରମୋହନ କ୍ୱଚିତ ଏ ରୀତିର ହାସ୍ୟରସ ପ୍ରୟୋଗ କରିଥିଲେହେଁ, ତାଙ୍କର ହାସ୍ୟରସ ମୁଖ୍ୟତଃ ଶୁଦ୍ଧ ବା ନିରୀହ ହାସ୍ୟରସ–ସେଥିରେ କେହି ଆହତ ବା କ୍ଷୁର୍ଣ୍ଣ ହେବା ଭଳି ତୀବ୍ରତା ନାହିଁ । ସେଥିରେ ଅଛି ଶିଷ୍ଟାଚାର, ଶାଳୀନତା ପୁଣି ମଣିଷର ଅପୂର୍ଣ୍ଣତା ପ୍ରତି ଗଭୀର ଶ୍ରଦ୍ଧା ଓ ସହାନୁଭୂତି । ତଥାପି ବିଦ୍ରୂପ ବା ସାଟାୟାର ଫକୀରମୋହନ ଯେ ବାଦ୍‌ ଦେଇଛନ୍ତି ତା ନୁହେଁ ।

 

‘‘ପ୍ରାୟଶ୍ଚିତ’’ ଉପନ୍ୟାସ ବର୍ଣ୍ଣିତ ‘‘ଭୋଜି ସଭା’’ରେ ତତ୍‌କାଳୀନ ସମାଜରେ ଦରପାଠୁଆ ‘‘ଇଞ୍ଚଡ଼ପାକା’’ ସମାଜ ସସ୍କାରକମାନଙ୍କୁ ବିଦ୍ରୂପ କରି ଫକୀରମୋହନ, ଲମ୍ବୋଦର ଦାସଙ୍କୁ ଯେପରି ଚିତ୍ରଣ କରାଇଛନ୍ତି, ସେଥିରେ ଲମ୍ବୋଦର ଦାସଙ୍କ ପରି ଲୋକେ ଆହତ ହେବା ସ୍ୱାଭାବିକ ।

 

ସାମନ୍ତ କୁଅଁର ଗୋବିନ୍ଦଚନ୍ଦ୍ର ବାବୁଙ୍କୁ ସଭାପତି ପଦରେ ବରଣ କରିବା ପାଇଁ ପ୍ରସ୍ତାବ ସର୍ବସମ୍ମତିକ୍ରମେ କରତାଳିଦ୍ୱାରା ଅନୁମୋଦିତ ହେଲା ପରେ,

 

‘‘ଜଣେ ସଭ୍ୟ ଲମ୍ବୋଦର ଦାସେ ଛିଡ଼ା ହୋଇ କହିଲେ, ଉଁ–ଉଁ–ହେ ସଭ୍ୟବୃନ୍ଦ-ମାନେ––ଏବଂ ସଭାପତି (ନାହିଁ, ଉଛୁଣିକା ନାହିଁ) କେବଳ ସଭ୍ୟମାନେ ଉଁ–ଉଁ–ଏହି ପ୍ରସ୍ତାବକୁ ମୁଁ second ଅର୍ଥାତ୍‍ ଦୁତୀୟ କଲି । ବାବୁ ମୁକୁନ୍ଦରାମ ମହାନ୍ତିଏ ଦଣ୍ଡାୟମାନ ହୋଇ କହିଲେ–ମୁଁ ଏହି ଦୁତୀୟକୁ support ଅର୍ଥାତ୍‌ ସାହାଯ୍ୟ କଲି ।’’

 

(ପ୍ରାୟଶ୍ଚିତ–ଷୋଡ଼ଷ ପରିଚ୍ଛେଦ)

 

ଫକୀରମୋହନ ଅନ୍ୟତ୍ର ବୈଦ୍ୟଶାସ୍ତ୍ରରେ ଧନ୍ୱନ୍ତରୀ ଗ୍ରାମ୍ୟ କବିରାଜମାନଙ୍କୁ ମଧ୍ୟ ବିଦ୍ରୂପ କରିଛନ୍ତି....

 

‘‘ଯେ ଯାହା ବୋଇଲେ, କଲିକତା ଅବା ଯେଉଁଠାରେ ମିଳୁଛି କଉଡ଼ିଆ କଉଡ଼ିଆ ମହୌଷଧିମାନ ଆସି ପହଞ୍ଚି ଯାଉଛି–ଶେଷରେ ରାଜବୈଦ୍ୟ ଧନ୍ୱନ୍ତରୀ ଆଉ କଥା ଲୁଚାଛପା ନ କରି ସାଫ ଫିଟାଇ ହାଙ୍କି ଦେଲେ–ଏହି ବ୍ୟାଧି ଶିବଙ୍କର ଅସାଧ୍ୟ । ରାଜଯକ୍ଷ୍ମା ରୋଗର ସ୍ଥିତିକାଳ ହଜାର ଦିନ । ଚନ୍ଦ୍ରଙ୍କର ଏହି ବ୍ୟାଧି ହୋଇଥିଲା, ଦେବବୈଦ୍ୟ ଅଶ୍ୱିନୀ କୁମାର ଭଲ କରି ପାରି ନାହାନ୍ତି, ମାନବ ବୈଦ୍ୟ କି ଛାର !’’

 

ଦାଶରଥି ଦାସେ ଏ ଦାରୁଣ ବ୍ୟାଧିରେ ପଡ଼ିଥିଲାବେଳେ, ମେନକା ଦେଈ ଆଉ ବଡ଼ ବହୂ ଦୁଇଜଣ ପାଳି କରି ରୋଗୀକୁ ଜଗି ବସିଥାନ୍ତି; କିନ୍ତୁ ସାନବୋହୂ....

 

‘‘ସଞ୍ଜ ଯେମିତି ବାଜିଲା କି ନ ବାଜିଲା, ସାନବହୂର ମୁଣ୍ଡ ବଥେଇଲା, ଶୋଇ ପଡ଼ନ୍ତି । ଶାଶୁ ରନ୍ଧାବଢ଼ା କରି ବହୁତ ଡକାଡକି କରି ଉଠାଇଲେ ପଥି ଚାରିଟା ପେଟରେ ପଡ଼େ । ଗୋଟିଏ କୁଶଳର କଥା, ଏତେ ରୋଗରେ ବି ତାଙ୍କୁ ଅରୁଚି ଧରି ନାହିଁ ।’’

 

(ମାମୁ–ଚତୁର୍ଦ୍ଦଶ ପରିଚ୍ଛେଦ)

 

ପୁଣି ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସବର୍ଣ୍ଣିତ ତାଲୁକେ ଫତେପୁର ସରଷଣ୍ଢ ବ୍ରାହ୍ମଣ ଶାସନବାସୀ ଗୋସେଇଁମାନଙ୍କ ବୈଠକରେ, ଭାଙ୍ଗ ଘୋଟା, ଯଜମାନ ଘରକଥା, ଅରଜନ କଥା ବା ଶ୍ରାଦ୍ଧ ଚାଉଳ ପାଇଁ ବାଡ଼ାବାଡ଼ି, ପାଟିଗୋଳ ଇତ୍ୟାଦିର ବର୍ଣ୍ଣନା ପ୍ରଚଣ୍ଡ ବିଦ୍ରୂପାତ୍ମକ ।

 

‘‘ଶୁଣ ପରୀକ୍ଷ ନରନାଥ । ତାମ୍ପଡ଼ା ଶୁଖୁଆ ପଖାଳଭାତ ।।

ସି-ଅକ୍ଷର ବିବର୍ଜିତ । ଚିତା ପଇତାଦି ଶୋଭିତ ।।

ବିଲ ବାଛିବାକୁ ଆଗ । ଦହି ଚୁଡ଼ାକୁ ବାଘ ।।

ସନ୍ଧ୍ୟା ଗାୟତ୍ରୀ ହୀନ । ବିଲରୁ ଚିପନ୍ତି ମୀନ ।।

ପୋଥିରୁ ନ ଫିଟେ ଡୋରୀ । ଯଜମାନ ଚାଉଳ ଚୋରୀ ।।

ସଭାରେ ନ ଫିଟେ ପାଟି । ନାମଟି ସୁନ୍ଦର ତ୍ରିପାଠୀ ।।

 

(ଛ: ମା: ଆ:–ଦଶମ ପରିଚ୍ଛେଦ)

 

ଫକୀରମୋହନ ମୁଖ୍ୟତଃ ଥିଲେ, ସମାଜ ସଂସ୍କାରକ । କେବଳ ଲେଖିବା ପାଇଁ ସେ ଲେଖୁ ନଥିଲେ ବା ଲେଖି ନ ଥିଲେ । ସମାଜର ନାନା କୁସଂସ୍କାର ବିରୁଦ୍ଧରେ ତେଣୁ ଏହି ବିଦ୍ରୂପ ମାଧ୍ୟମରେ ସେ ଲୋକମତ ସଙ୍ଗଠିତ ଓ ଜାଗ୍ରତ କରିବାର ଆୟାସ କରିଥିଲେ । ତାହାର ବିଶଦ ଆଲୋଚନା ଅପ୍ରାସଙ୍ଗିକ ନ ହେଲେହେଁ ନିଷ୍ପ୍ରୟୋଜନ । ବସ୍ତୁତଃ ସାଟାୟାର୍‍ ବା ବିଦ୍ରୂପଠାରୁ ବଳି ସାହିତ୍ୟରେ ଏଥିପାଇଁ ଅନ୍ୟ କୌଣସି ଉପଯୁକ୍ତ ମାଧ୍ୟମ ନାହିଁ । କାରଣ ହାସ୍ୟରସ ମଣିଷର ଅବଚେତନ ମନ ଉପରେ ଯେତେ ଗଭୀର ଭାବରେ ରେଖାପାତ କରିପାରେ, ଅନ୍ୟ କୌଣସି ରସ ସେତେ ଗଭୀର ଭାବରେ ରେଖାପାତ କରିବାରେ ସମର୍ଥ ହୋଇପାରେ ନାହିଁ ।

 

ଧରନ୍ତୁ....କୌଣସି ଏକ ଷ୍ଟେସନ୍‌ ପ୍ଲାଟଫର୍ମ । ଆପଣ ଯେଉଁ ଗାଡ଼ିକୁ ଅପେକ୍ଷା କରି ବସିଛନ୍ତି, ସେ ଗାଡ଼ି ଆସିବ ଦୀର୍ଘ ସାଢ଼େ ପାଞ୍ଚଘଣ୍ଟା ବିଳମ୍ବରେ । ପାଖରେ ଯାହା ଖବରକାଗଜ ବା ମାଗାଜିନ୍‌ ଥିଲା ସେ ସବୁ ପଢ଼ା ସରିଲାଣି । ଢୁଳେଇ ଢାଳେଇ ମଧ୍ୟ କିଛି ସମୟ ବିତିଲା । ଉଏଟିଂରୁମ୍‍ ଭିତରଟା ଏହାପରେ ଅସହ୍ୟ ମନେ ହେଉଛି । ଆପଣ ଆସି ବସିଲେ ବାହାର ବାରଣ୍ଡାରେ, ଖଣ୍ଡେ ଚଉକି ଉପରେ । ପାଖ ‘ହିନ୍ଦୁ ଟି’ ଷ୍ଟଲର କପେ ଚା’ ଇଂରାଜୀରେ ଯାହା କହନ୍ତି....‘‘was the last straw on the camel's back’’ ଆପଣ ଚଉକି ଉପରେ ବସି ହାଇ ମାରୁଛନ୍ତି ଆଉ ଆଖି ଆଗରେ ଯେଉଁମାନେ ପଡ଼ୁଛନ୍ତି ସେମାନଙ୍କୁ ଅକାରଣରେ ମନେ ମନେ ନାନା ଅଭିସମ୍ପାତ ଦେଉଛନ୍ତି । ଏମିତି ଏକ କ୍ଳାନ୍ତିକର, ଅସହ୍ୟ ପରିସ୍ଥିତି । ହଠାତ୍‌ ଦେଖିଲେ ଜଣେ ଥନ୍ତଲପେଟିଆ ଭଦ୍ରଲୋକ ଧଇଁସଇଁ ହୋଇ ଆସୁ ଆସୁ, ଗୋଟିଏ କଦଳୀଚୋପା ଉପରେ ପାଦ ପକାଇ, ମାଙ୍କଡ଼୍‌ଚିତ୍‍ ମାରି ତଳେ ପଡ଼ିଗଲେ; ଆପଣ ହସିଲେ । ଖୁବ୍‌ ଦମେ ହସିଲେ । ତେଲଙ୍ଗା ଷ୍ଟେସନମାଷ୍ଟର ସାଇବ ମଧ୍ୟ ପିଙ୍କା ଟାଣି ଟାଣି, ଦୁଇଜଣ ପଏଣ୍ଟମାନଙ୍କ ସଙ୍ଗରେ ଠିଆ ହୋଇ ହସିଲେ । ସମସ୍ତେ ହସିଲେ । ଭଦ୍ରଲୋକ ମଧ୍ୟ ବେଶବାସ ସମ୍ଭାଳି ଉଠୁ ଉଠୁ, ଆପଣମାନଙ୍କ ଆଡ଼େ ଚାହିଁ ଶୁଖିଲା ମୁହଁରେ ହସିଲେ ।

 

କିନ୍ତୁ ଆପଣ ହସିଲେ ବା କିପରି ? ଭଦ୍ରଲୋକଙ୍କ ପ୍ରତି ଆପଣଙ୍କ ପରି ମାର୍ଜିତରୁଚି ଜଣେ ବ୍ୟକ୍ତିଙ୍କ ପକ୍ଷରେ ସମବେଦନା ଜ୍ଞାପନ ବା ଅନ୍ୟ କୌଣସି କ୍ରିୟା ଉଚିତ ନ ଥିଲା କି ? ଷ୍ଟେସନ୍‌ ମାଷ୍ଟର ଭଦ୍ରଲୋକ ମଧ୍ୟ ବୟସରେ ପ୍ରୌଢ଼, ପୁଣି ପରମ ପରମାର୍ଥୀ ବୋଲି ସମସ୍ତେ ଜାଣନ୍ତି । ସେ ବି ହସିଲେ କାହିଁକି ? ନୋହିଲେ ଧରନ୍ତୁ କେହି ଜଣେ କୌଣସି ଏକ ପ୍ରତିଷ୍ଠିତ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ଗୋଟିଏ ଗେଧ ମାଙ୍କଡ଼ ସଙ୍ଗେ ତୁଳନା କରି ବସିଲେ । ତା ପରେ ଶ୍ରୋତାମାନଙ୍କ ମଧ୍ୟରେ ଉଠିଲା ଉତ୍ତରୋଳ ହାସ୍ୟରୋଳ । ମଣିଷ କାଳେ ସୃଷ୍ଟିରେ ଏକମାତ୍ର ହେତୁବାଦୀ, ବିଚାରଶୀଳ ଜୀବ ! ଅତଏବ ଆପଣ ସାମାନ୍ୟ ବିଚାର ପ୍ରୟୋଗ କରି ଆତ୍ମଜିଜ୍ଞାସା କରିବା ହେଉନ୍ତୁ, ମଣିଷର, ପୁଣି ଜଣେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କର ଗେଧମାଙ୍କଡ଼ ସହିତ ତୁଳନାଟା କିପରି ଯୁକ୍ତିଯୁକ୍ତ ହେଲା ! ଅନ୍ୟ ସମୟରେ ଆପଣଙ୍କ ହେତୁବାଦୀ, ମାର୍ଜିତ ମନ ହୁଏତ ଏ ତୁଳନା ଆଦୌ ଅନୁମୋଦନ କରନ୍ତା ନାହିଁ । ଆପଣଙ୍କୁ ଯଦି କେହି ଗେଧମାଙ୍କଡ଼ ସହିତ ତୁଳନା କରନ୍ତି, ତା ହେଲେ ଆପଣ ନିଶ୍ଚୟ କ୍ଷୁଣ୍ଣ ହେବେ । ତଥାପି ଅନ୍ୟକୁ ଗେଧମାଙ୍କଡ଼ ସହିତ ତୁଳନା କଲାବେଳେ ଆପଣ ହସନ୍ତି । ଉଦାହରଣ ଆଉ ଲମ୍ବାଇ ଲାଭ ନାହିଁ । ସାହିତ୍ୟରେ ଏହାର ପରିବେଷଣ–ହାସ୍ୟରସ, ମନୁଷ୍ୟ ସମାଜରେ ସର୍ବାଧିକ ଲୋକପ୍ରିୟ ରସ । କିନ୍ତୁ ଏପରି କିମ୍ଭୂତକିମାକାର ଘଟଣାରେ ବା ପରିସ୍ଥିତିରେ ମଣିଷ ହସେ କାହିଁକି ? ମଣିଷର ଅବଚେତନ ମନ ଗୋଟିଏ ବିଚିତ୍ର ଜାନୁଆର ! ମଣିଷର ଅବଚେତନ ମନଠୁ ବଳି ପ୍ରାଗୈତିହାସିକ, ବିଚାରଶୂନ୍ୟ, ବିବେକହୀନ, ଆଚାରହୀନ, ଶ୍ଳୀଳତା ଓ ଶାଳୀନତାହୀନ ଅନ୍ୟ କୌଣସି ବସ୍ତୁ ନାହିଁ । ମନୁଷ୍ୟର ଚେତନ ମନ ଯାହାକୁ ଘୃଣା କରେ, ଅବଚେତନ ମନର ତାଠୁ ବଳି ଆଉ କିଛି ପ୍ରିୟ ଥାଇ ନ ପାରେ-। ନାନା ବିରୋଧାତ୍ମକ ପରିସ୍ଥିତିରେ, କିମ୍ଭୂତାକାର (grotesque) ଅବସ୍ଥାରେ ମଣିଷର ସେହି ଅବଚେତନ ଜାନ୍ତବ ମନ ହସେ । ଚେତନ ମନଠାରୁ ଅବଚେତନ ମନ ଅଧିକ ଶକ୍ତିଶାଳୀ-। ବସ୍ତୁତଃ ଏହି ଅବଚେତନ ମନ, ବହୁ ପରିମାଣରେ ମଣିଷର ରୁଚି ନିୟନ୍ତ୍ରିତ କରେ । ତେଣୁ ମନୁଷ୍ୟ ସମାଜରେ ହାସ୍ୟରସର ପ୍ରଭାବ ଓ ପ୍ରତିଷ୍ଠା–ବିଶ୍ୱବ୍ୟାପୀ ଓ ଚିରନ୍ତନ । ସାଟାୟାର୍‌ ବା ବିଦ୍ରୂପାତ୍ମକ ହାସ୍ୟରସର ମୂଳଭିତ୍ତି ଏହି ଅବଚେତନ ମନ ।

 

ଫକୀରମୋହନ ବିଦ୍ରୂପାତ୍ମକ ହାସ୍ୟରସ ସୃଷ୍ଟିରେ ଏ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଅଜାତଶତ୍ରୁ ହୋଇ ରହିଥିଲେ ହେଁ, ତାଙ୍କର ଶୁଦ୍ଧ ହାସ୍ୟରସ, ବିଦ୍ରୂପାତ୍ମକ ହାସ୍ୟରସଠାରୁ ଢେର ଉନ୍ନତ କୋଟୀର । ହାସ୍ୟରସ ସୃଷ୍ଟି ପାଇଁ ବିରୋଧାତ୍ମକ ପରିସ୍ଥିତିର ଅବତାରଣା, ବହୁ କଳାକୁଶଳତା ସାପେକ୍ଷ । ଉକ୍ତିଚାତୁର୍ଯ୍ୟ ଏହାର ପ୍ରଧାନ ଆଙ୍ଗିକ ।

 

ଉଦାହରଣ ସ୍ୱରୂପ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ତାଲୁକେ ଫତେପୁର ସରଷଣ୍ଢର ଶାସନୀ ବ୍ରାହ୍ମଣମାନଙ୍କର ବର୍ଣ୍ଣନା ଏଠାରେ ଉଲ୍ଲେଖ କରାଯାଇ ପାରେ । ଫକୀରମୋହନଙ୍କ ବିଦ୍ରୂପାତ୍ମକ ହାସ୍ୟରସର ତାହା ଏକ ପ୍ରକୃଷ୍ଟ ଉଦାହରଣ । ସମାଜରେ କୌଣସି ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କୁ ଗେଧମାଙ୍କଡ଼ ସଙ୍ଗେ ତୁଳନା କରି, ଏକ ବିରୋଧାତ୍ମକ ପରିସ୍ଥିତିର ସୃଷ୍ଟି ହେଲେ ଆମର ଅବଚେତନ ମନ ହସେ । ଆମେ ହସୁ । ମଣିଷକୁ କଦାପି ମାଙ୍କଡ଼ ସହିତ ତୁଳନା କରାଯାଇ ନ ପାରେ । କାରଣ ଏଥିରେ ଉପମା ଓ ଉପମେୟ ବା ତୁଳନା ଓ ତୁଳନୀୟ ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ । ଆମର ହେତୁବାଦୀ ଚେତନ ମନ ଏ ତୁଳନା ଅନୁମୋଦନ ନ କଲେ ହେଁ, ଅବଚେତନ ମନ ଏଥିରେ ଉଲ୍ଲସିତ ହୋଇ ଉଠେ । କ୍ଷୁଧା, ପ୍ରେମ, ବାତ୍ସଲ୍ୟ, ପିତୃତ୍ୱ ଓ ଅଧିକାର ଲୋଭ ପରି ଅବଚେତନ ମନର ଅନ୍ଧାର ଗୁମ୍ଫାରେ ବସା ବାନ୍ଧି ରହିଥିବା ଜାନ୍ତବ ନାନା ପ୍ରାଗୈତିହାସିକ ପ୍ରବୃତ୍ତି ପରି, ଅନ୍ୟର ବିପର୍ଯ୍ୟୟରେ ହସିବା ଏକ ପ୍ରାଗୈତିହାସିକ ପ୍ରବୃତ୍ତି । ଆଲୋଚିତ ଉଦାହରଣରେ, ଶାସନୀ ବ୍ରାହ୍ମଣମାନଙ୍କୁ ଉଚ୍ଛିଷ୍ଟ ଲାଳସୀ କୁକୁର ବା ଶ୍ମଶାନର ଶବଭୁକ୍‌ ଗୃଧ୍ର ସଙ୍ଗେ ତୁଳନା କରି, ସେହି ବିରୋଧାତ୍ମକ ପରିସ୍ଥିତିର ପରିବେଷଣରେ, ବିଦ୍ରୂପାତ୍ମକ ହାସ୍ୟରସ ସୃଷ୍ଟି କରାଯାଇଅଛି ।

 

‘‘xx ସେ କଳି ଶୁଣି ଲୋକମାନେ କହନ୍ତି, ବ୍ରାହ୍ମଣଗୁଡ଼ାକ ଚାଉଳ ମୁଠାକ ସକାଶେ କୁକୁର ପରି କଳି କରୁଅଛନ୍ତି । ମାତ୍ର ଲୋକମାନଙ୍କର ଏପରି କଥାଟା ଆମ୍ଭମାନଙ୍କୁ କିଛି ସୁଖ ଲାଗେ ନାହିଁ । ତାହାର କାରଣ; ଏମାନେ ନିପଟ ମୂର୍ଖ, ଗତର-କୁଢ଼ି, ବ୍ରାହ୍ମଣ କର୍ମହୀନ ହେଲେ ମଧ୍ୟ ଛତିଶ ବର୍ଣ୍ଣର ରାଜା ତ ! ସେମାନଙ୍କୁ କୁକୁର ସଙ୍ଗେ ତୁଳିବା କେତେବେଳେ ହେଲେ ଉଚିତ ନୁହେଁ । ଉପମାଟା ମଧ୍ୟ ଭଲ ହେଲା ନାହିଁ । କାରଣ ପ୍ରେତ ଉଦ୍ଦେଶ୍ୟରେ ଉତ୍ସୃଷ୍ଟ ଓଦା ଚାଉଳ ସକାଶେ ବ୍ରାହ୍ମଣମାନଙ୍କ କଳି । ଆଉ କୁକୁରଙ୍କ କଳି ଅଇଁଠା ଭାତ ସକାଶେ । ଦେଖନ୍ତୁ, ପ୍ରେତ ଉଚ୍ଛିଷ୍ଟ ଆଉ ମନୁଷ୍ୟ ଉଚ୍ଛିଷ୍ଟ, ଓଦା ଚାଉଳ, ଆଉ ସିଝା ଚାଉଳ, କଥାଟା କେତେ ଛିଡ଼ିଲା । X X X ଆକାଶରେ ଶାଗୁଣା ଉଡ଼ିଲେ, କେଉଁଠାରେ ମଢ଼ ପଡ଼ିଥିବାର ଯେପରି ଜଣାଯାଏ, ସେହିପରି ଦିନ ପହରକବେଳେ ଗୋସେଇଁମାନେ ଚିତା ପଇତା ହୋଇ ପଲ ପଲ ବାହାରିଲେ, କେଉଁ ଗାଁରେ ମନୁଷ୍ୟ ମରିଥିବାର ଲୋକେ ଅନୁମାନ କରନ୍ତି ।’’

 

(ଛମାଣ ଆଠଗୁଣ୍ଠ–ନବମ ପରିଚ୍ଛେଦ)

 

ଶୁଦ୍ଧ ହାସ୍ୟରସ କିନ୍ତୁ ବିଦ୍ରୂପାତ୍ମକ ହାସ୍ୟରସ ଠାରୁ ଉନ୍ନତ କୋଟୀର । ବିଦ୍ରୂପାତ୍ମକ ହାସ୍ୟରସର ଭିତ୍ତି ଯଦି ମଣିଷର ଅବଚେତନ ମନ ଉପରେ, ଶୁଦ୍ଧ ହାସ୍ୟର ଭିତ୍ତି ମଣିଷର ସୂକ୍ଷ୍ମ ରସାନୁଭୂତି ଉପରେ । ଶୁଦ୍ଧ ହାସ୍ୟରସରେ ବିଦ୍ରୂପାତ୍ମକ ହାସ୍ୟରସର ତୀକ୍ଷ୍‌ଣତା ନ ଥାଏ ବା ଅନ୍ୟକୁ ଆଘାତ ଦେବାର ଅଭିପ୍ରାୟ ନ ଥାଏ । ପ୍ରତ୍ୟେକ ମନୁଷ୍ୟର ଆଚାର ଓ ବ୍ୟବହାରରେ ଯାହା ହାସ୍ୟୋଦ୍ଦୀପକ ଥାଏ, ତାହାରି ଚତୁର ବର୍ଣ୍ଣନାଭଙ୍ଗୀ ଶୁଦ୍ଧ ହାସ୍ୟରସର ଅବଲମ୍ବନ । ‘‘ମାମୁ’’ ଉପନ୍ୟାସ ବର୍ଣ୍ଣିତ ପଣ୍ଡିତ ସଭାରେ ସଭାପତି, ମୁକ୍ତି ମଣ୍ଡପର ସଭା ପଣ୍ଡିତ ଶ୍ରୀଯୁକ୍ତ ସଦାଶିବ ବିଦ୍ୟାସାଗର ମହୋଦୟଙ୍କ ‘‘ନସ୍ୟଗ୍ରହଣ ଓ ଗାତ୍ରମାର୍ଜନୀରେ ଦୀର୍ଘ ନାସିକାଟିର ପରିମାର୍ଜନ’’ ବା ସେହି ଉପନ୍ୟାସର ଦ୍ୱିପଞ୍ଚାଶତ୍‌ ପରିଚ୍ଛେଦ ବର୍ଣ୍ଣିତ ସଂକୀର୍ତ୍ତନ ଆଖଡ଼ାରେ ବିଭିନ୍ନ ସମ୍ପ୍ରଦାୟର ବାଆଣିଆମାନଙ୍କର ମୃଦଙ୍ଗ ବାଦନ ପ୍ରତିଯାଗିତାର ବିବରଣୀ, ଶୁଦ୍ଧ ହାସ୍ୟରସର କେତେଗୋଟି ଦୃଷ୍ଟାନ୍ତ ।

 

ସଂସ୍କୃତିଆ ପଣ୍ଡିତମାନଙ୍କଠାରେ ଗାମୁଛା ଓ ନସ୍ୟର ବଡ଼ ଆଦର । ଅତଏବ ମୁକ୍ତି ମଣ୍ଡପର ସଭାପଣ୍ଡିତ ଶ୍ରୀଯୁକ୍ତ ସଦାଶିବ ବିଦ୍ୟାସାଗରଙ୍କଠାରେ ତାହାର ଅଭାବ ନ ଥିଲା । ପଣ୍ଡିତ ସଭାରେ ସଭାପତି ନିର୍ବାଚିତ ହେବା ପରେ, ଶାସ୍ତ୍ରୀୟ ବ୍ୟାଖ୍ୟାର ଭୂମିକା ରୂପେ, ତାଙ୍କର ‘‘ଦୁଇ ତିନି ଟିପ ନସ୍ୟ ଗ୍ରହଣ ଓ ଗାତ୍ର ମାର୍ଜନୀରେ ଦୀର୍ଘ ନାସିକାଟି ପରିମାର୍ଜନ ପୂର୍ବକ ଦୁଇ ତିନି ଥର କଣ୍ଠ ଶବ୍ଦ କରଣାନନ୍ତର’’ ଶ୍ଳୋକଟି ଆବୃତ୍ତି କରିବାର ଭଙ୍ଗୀଟି ହାସ୍ୟୋଦ୍ଦୀପକ । ଏଥିରେ କାହାରି ପ୍ରତି, ବିଶେଷରେ ବିଦ୍ୟାସାଗର ମହୋଦୟଙ୍କ ପ୍ରତି କୌଣସି ଅସୂୟାଯୁକ୍ତ କଟାକ୍ଷ ବା ବିଦ୍ରୂପ ନାହିଁ-। ପରନ୍ତୁ ଅଛି ଶ୍ରଦ୍ଧା ଓ ସହାନୁଭୂତି । ତଥାପି ବିଦ୍ୟାସାଗର ମହୋଦୟଙ୍କ ନସ୍ୟ ଗ୍ରହଣ ବା ଶାସ୍ତ୍ରୀୟ ବ୍ୟାଖ୍ୟା ଉଦ୍‌ଗାରଣ ପୂର୍ବରୁ ଗଳାଖଙ୍କାରିବା ଭଙ୍ଗୀଟି ହାସ୍ୟୋଦ୍ଦୀପକ । ପଣ୍ଡିତ ମହାଶୟ ଅନ୍ୟ କାହାରିଠାରେ ଏ ଭଙ୍ଗୀଟି ଲକ୍ଷ୍ୟ କଲେ ନିଜେ ହାସ୍ୟସମ୍ବରଣ କରିପାରି ନ ଥାନ୍ତେ ! ସେହିପରି ସଂକୀର୍ତ୍ତନିଆ ବାଆଣିଆମାନଙ୍କର ବାଦ୍ୟଚର୍ଚ୍ଚା, କିପରି ମୃଦଙ୍ଗ ଠୁକାଠୁକି ଓ ବାଆଣିଆମାନଙ୍କର କଛା ମୁକୁଳାରେ ପର୍ଯ୍ୟବସିତ ହେଲା, ତାହାର ବିବରଣୀ ହାସ୍ୟୋଦ୍ଦୀପକ । ବିଶେଷଜ୍ଞ ବା expert ମାନେ ସାଧାରଣତଃ ନିଜର ଅଭ୍ୟସ୍ତ ବିଦ୍ୟାରେ ଏପରି ଓତପ୍ରୋତ ଭାବରେ ଜଡ଼ିତ ଥାନ୍ତି ଯେ, ସେମାନଙ୍କର ସାଧାରଣ ଜ୍ଞାନ ପ୍ରାୟ ଲୋପ ପାଇଯାଏ । ମୁକୁନ୍ଦପୁର ସମ୍ପ୍ରଦାୟର ଶ୍ରୀ ବାଆଣିଆ କାହିଁକି, ବିଶିଷ୍ଟ ବୈଜ୍ଞାନିକ ନିଉଟନ୍‌ଙ୍କୁ ଥରେ, ଧୋବାର ଲୁଗା କଚା ହିସାବ କଲାବେଳେ, ତାଙ୍କର ଗୃହ–ପରିଚାଳିକା, ସାତର ତିନି ଗୁଣ କେତେ ହେବ ବୋଲି ପଚାରିବାରୁ, ନିଉଟନ୍‌ ଲଗାରିଥ୍‌ମେଟିକସ୍‌ ସୂତ୍ରରେ ତାହା କଷି ଫଳ ୨୧ ହେବ ବୋଲି ସଙ୍ଗେ ସଙ୍ଗେ କହିଦେଲେ । ଅତଏବ ମୁକୁନ୍ଦପୁର ସମ୍ପ୍ରଦାୟର ଶ୍ରୀ ବାଆଣିଆ ସମସ୍ତଙ୍କୁ ଏକତାଲର ବୋଲ୍‌ଟା ଥରେ ଝାଡ଼ି ଦେଖାଇଦେବା ପାଇଁ ଯଦି ମୃଦଙ୍ଗଟା କାନ୍ଧରେ ପକାଇ ନାଚି ନାଚି କେବେ ଚକ୍ରାକାର, କେତେବେଳେ ଗାଈଛନ୍ଦ ପରି ଘୂରି ଯାଇଁ–ତାଳ ଛିଡ଼ିବା ବେଳେ ମୁଣ୍ଡଟାକୁ ବେଜାଏ ଝୁଲାଇ ବାଆଣିଆମାନଙ୍କ ଆଡ଼କୁ ଡାହାଣ ହାତଟା ଲମ୍ବାଇ ଦିଅନ୍ତି, ତାହାହେଲେ ତାଙ୍କୁ ସେଥିପାଇଁ ଆଦୌ ଦୋଷ ଦିଆ ଯାଇ ପାରିବ ନାହିଁ । ମାତ୍ର ଶ୍ୟାମନଗର ସମ୍ପ୍ରଦାୟର ବାଆଣିଆ ରାମଦାସେ, ଏ ଆସ୍ଫାଳନ ବା ସମ୍ଭାଳନ୍ତି କେତେକେ ? ସେ ମଧ୍ୟ କୁଦି ପଡ଼ି ଆରମ୍ଭ କରିଦେଲେ ଲୋଫା ତାଳ-। ତାଙ୍କ ଦେଖାଦେଖି ସବୁ ବାଆଣିଆ ତକ ଆପଣା ଆପଣା ସମ୍ପ୍ରଦାୟ ଆଗରେ ମୃଦଙ୍ଗ କାନ୍ଧରେ ପକାଇ ଉଠିଲେ । ଶେଷକୁ ‘‘ଯେଉଁ ବାଆଣିଆଟା ଗଲା ଶ୍ରୀପଞ୍ଚମୀ ଦିନ ପୂଜା ଦେଇ ମୃଦଙ୍ଗ ଛୁଇଁଛି’’ ତାର ଡିଆଁ ଡେଇଁ ସମସ୍ତଙ୍କୁ ବଳି ପଡ଼ିଲା । ଏଥିରେ କୀର୍ତ୍ତନିଆମାନଙ୍କ ପ୍ରତି କୌଣସି ବ୍ୟଙ୍ଗ ବା ବିଦ୍ରୂପ ନ କରି, ସେମାନଙ୍କର ହାସ୍ୟୋଦ୍ଦୀପକ ଦିଗଟି କେବଳ ଅତି ଜୀବନ୍ତ ଭାବରେ ଫକୀରମୋହନ ଚିତ୍ରଣ କରିଅଛନ୍ତି । ସବୁ ମଣିଷର କିଛି ନା କିଛି ଦୁର୍ବଳତା ବା ଅପୂର୍ଣ୍ଣତା ଥାଏ-। ଶୁଦ୍ଧ ହାସ୍ୟରସ, ସେହି ଅପୂର୍ଣ୍ଣତାର ଅବଲମ୍ବନରେ ସୃଷ୍ଟି ହୋଇଥାଏ । ପଣ୍ଡିତ ମହାଶୟ କ୍ଳାସରେ ଖାଲି ଢୁଳାଇଲେ ହାସ୍ୟରସର ସୃଷ୍ଟି ହୁଏ ନାହିଁ । ତାଙ୍କ ଢୁଳାଇବା ତ ମାମୁଲି ବ୍ୟାପାର–ସବୁ ମଣିଷ ଢୁଳାନ୍ତି; କିନ୍ତୁ ସେହି ଢୁଳାଇବା ସଙ୍ଗେ ସଙ୍ଗେ ତାଙ୍କ ଲଣ୍ଡିତ ମୁଣ୍ଡର ଶିଖାଟି ଯଦି ଭବସାଗରରେ ଭଙ୍ଗା ନାଆଟି ପରି ଉଠ୍‌ପଡ଼ ହୁଏ, ତା ହେଲେ ତାହା ନିଶ୍ଚୟ ହାସ୍ୟୋଦ୍ଦୀପକ ହେବ । ଏଥିରେ ପଣ୍ଡିତ ମହାଶୟଙ୍କ ପ୍ରତି କୌଣସି ଅସୂୟା, ଘୃଣା ବା ବିଦ୍ୱେଷ ପ୍ରକାଶ ପାଉନାହିଁ-। ପଣ୍ଡିତେ ମଧ୍ୟ ଏଥିରେ କ୍ଷୁଣ୍ଣ ହେବା ଭଳି କିଛି କଥା ନାହିଁ । ସେ ସୁଦ୍ଧା କାହାକୁ ସେପରି ଅବସ୍ଥାରେ ଦେଖିଲେ ବା ନିଜର ଢୁଳାଇବାର ଭଙ୍ଗୀ ଦର୍ପଣରେ ଦେଖି ପାରିଲେ ହାସ୍ୟ ସମ୍ବରଣ କରି ରହିପାରନ୍ତେ ନାହିଁ । ଏହା ଶୁଦ୍ଧ ହାସ୍ୟରସ ।

 

‘ଛମାଣ ଆଠଗୁଣ୍ଠ’ରେ ଭୀମା ମା ଭଣ୍ଡାରୁଣୀ । ‘‘ଗ୍ରାମରେ ଯେତେ ବୁଢ଼ା ଦେଖୁଛ ମୁଁ ସମସ୍ତଙ୍କୁ ବିଭା କରାଇଅଛି, ସମସ୍ତେ ମୋ ଆଗରେ ପିଲା ।’’ ଅତଏବ ସେ ଯାହା କହେ, ଗାଁର ମାଇପେ ବା ମିଣିପ ମହଲରେ ତାହା ସର୍ବବାଦୀ ସମ୍ମତ ହୋଇଥାଏ । ଅଥଚ ତାକୁ ନିଜ ବୟସ କେତେ ପଚାରିଲେ କହେ....‘‘ମୋର ବୟସ, ସାତଗଣ୍ଡା, କି ଦେଢ଼ପଣ କି ଚାରିପଣ ହେଲାଣି ।’’ ନିଜ ଆଖିରେ ପୁଣି ରାତି ଅଧରେ ସେ ଦେଖିଛି.....‘‘ବାଘ ଉପରେ ବସି ଠାକୁରାଣୀ ବିଜେ ହେଉଅଛନ୍ତି । ବାପରେ ! ସେ ବାଘଟା କେଡ଼େ ? ମୁଁ କେତେ ବାଘ ଦେଖିଛି ! ଏଡ଼େବଡ଼ ବାଘ କାହିଁ ଦେଖିବାର ନାହିଁ । ତାର ଲମ୍ବଟା ସାତ କି ଆଠ ହାତ ହେବ । ମୁଣ୍ଡଟା ବଡ଼ ପଣ୍ଡା ମୁଣ୍ଡ ପରି ତ୍ରିପଣ୍ଡ କଳା । ବାଘଟା ମୋଆଡ଼କୁ ତରାଟି ମରାଟି ଚାହିଁଲା, ମୁଁ ତ ଡରରେ ତାଟି କବାଟ କିଳି ପକାଇଲି ।’’

ଫକୀରମୋହନଙ୍କ ଶୁଦ୍ଧ ହାସ୍ୟରସର, ଏ ଗୋଟିଏ ପ୍ରକୃଷ୍ଟ ଉଦାହରଣ । ଭୀମା ମା, ରାମଚନ୍ଦ୍ର ମଙ୍ଗରାଜଙ୍କ ଦୁଷ୍କର୍ମରେ କୌଣସି ଅଂଶ ନେଇ ନାହିଁ । କୌଣସି ଅସତ୍‌ ଉଦ୍ଦେଶ୍ୟରେ ଏପରି ଗୋଟାଏ ଡାହା ମିଛ ରଚନା କରିବା ତାର ମତଲପ୍‌ ନ ଥିଲା । ଠାକୁରାଣୀଙ୍କ ଗଛ ପଛ ପଟେ ରାତରାତି ଗୋଟିଏ ପ୍ରକାଣ୍ଡ ବିଲ ଫୁଟିଛି । ପୁଣି ଠାକୁରାଣୀଙ୍କଠାରେ ମନ୍ଦାର, ଶତବର୍ଗ ମାଳ, ଖଇ, ଉଖୁଡ଼ା ଇତ୍ୟାଦି ପୂଜା ସରଞ୍ଜାମମାନ ବୁଣି ହୋଇ ପଡ଼ିଛି । ଠାକୁରାଣୀଙ୍କ ଦେହରେ ତଟକା ହଳଦୀ ଲାଗିଛି । ଅତଏବ ସ୍ଥିର ହେଲା, କେହି ଯେତେବେଳେ ଗାଁରେ ଠାକୁରାଣୀଙ୍କୁ ପୂଜା ଦେଇ ନାହିଁ, ଠାକୁରାଣୀ ସ୍ୱୟଂ ନିଶ୍ଚୟ ରାତିରେ ବିଜେ ହୋଇଥିଲେ । ଯଦି ବିଜେ ହୋଇଥିଲେ, ତା ହେଲେ ତାଙ୍କ ବାହନ ବାଘ ଉପରେ ନିଶ୍ଚୟ ବିଜେ ହୋଇଥିଲେ । ଚତୁର ମଙ୍ଗରାଜେ କହି ପକାଇଲେ, ବାଘଟା ନିଶ୍ଚୟ ବିଲ ଭିତରେ ଅଛି । ତା ହେଲେ ଲୋକେ ଭୟରେ ବିଲ ଭିତରେ ପଶି ତନଖିବେ ନାହିଁ । କିନ୍ତୁ ଭୀମା ମା ଭଣ୍ଡାରୁଣୀ ଗାଁର ଚଳନ୍ତି ‘‘ଇନସାଇକ୍ଳୋପେଡ଼ିଆ’’ ଏପରି ଚାଞ୍ଚଲ୍ୟକର ପରିସ୍ଥିତିରେ ଯଦି ନିଜର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ନ ବାଢ଼ି କିଛି ଗୋଟାଏ ଟିପ୍ପଣୀ ନକରେ, ତା ହେଲେ ‘‘ସମସ୍ତେ ମୋ ଆଗରେ ପିଲା’’ ପ୍ରତିଷ୍ଠାଟା ଊଣା ହୋଇଯିବ ନାହିଁ କି ? ଭୀମା ମା ଟା ହୁଏତ ଆଗବୋଲୀ, ଉପରେ ପଡ଼ି କହେ । କିନ୍ତୁ ବିଚାରୀ ଅତି ନିରୀହ । ସତର ଆବରଣରେ ସେ ମିଛ କହେ ନାହିଁ । ମିଛ କହେ,... ଲଙ୍ଗଳା ମିଛ , ଯେଉଁ ମିଛ ଧରି ହେବ । ନୋହିଲେ ବାଘର ମୁଣ୍ଡଟା ‘‘ବଡ଼ ପଣ୍ଡା ମୁଣ୍ଡ ପରି ତ୍ରିପଣ୍ଡ କଳା’’, ବୋଲି ଭୀମା ମା କହନ୍ତା କେତେକେ ? ଭୀମା ମା’ର ଚରିତ୍ରରେ ଏ ଗୋଟିଏ ହାସ୍ୟୋଦ୍ଦୀପକ ଦିଗ । ଗାଁରେ ତୁଣ୍ଡ ବାଇଦ ଯେମିତି ବ୍ୟାପେ, କିଏ ଏ ସାଇରେ ସକାଳେ କଳା କଳା ବାନ୍ତି କଲେ, ସଞ୍ଜକୁ କାଉ ବାନ୍ତି କଲା ବୋଲି ଯେମିତି ନାନା ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଆର ସାଇରେ ଖେଳିଯାଏ, ସେମିତି ଭୀମା ମା ବାଘ ଦେଖିବା ପରେ, ‘‘ଅଧ ରାତି ବେଳେ ଦାଣ୍ଡରେ ବାଘ ଚାଲିବା ଶବ୍ଦ ଶୁଣିଥିବାର ଆହୁରି ମଧ୍ୟ ଚାରି ପାଞ୍ଚ ଜଣ ବୁଢ଼ା ମଣିଷ ସାକ୍ଷ ଦେଲେ ।’’ ଶେଷକୁ ‘‘ସଖାଳେ ବାଘ ଖୋଜ ରାମା ତନ୍ତୀ ଦେଖିଥିବାର ଦୃଢ଼ ରୂପେ କହିଲା ।’’ ଏ ଚିତ୍ରଣ, ଅନସୂୟ । ଏଥିରେ କାହାରି ପ୍ରତି ବିଦ୍ରୂପ ବା କଟାକ୍ଷ ନାହିଁ; ପରନ୍ତୁ ଅଛି ସେମାନଙ୍କ ନିରୀହ ମିଥ୍ୟାବାଦୀତାର ହାସ୍ୟରସାପ୍ଳୁତ ନିଦର୍ଶନ ! ଫକୀରମୋହନଙ୍କ ଶୁଦ୍ଧ ହାସ୍ୟରସର ଏଗୁଡ଼ିକ ପ୍ରତ୍ୟେକେ ଗୋଟିଏ ଗୋଟିଏ ପ୍ରକୃଷ୍ଟ ଉଦାହରଣ-। ଶୁଦ୍ଧ ହାସ୍ୟରସର ସୃଷ୍ଟି ବହୁ ପରିମାଣରେ ଲେଖକଙ୍କର ମନୁଷ୍ୟ ଚରିତ୍ର ସହିତ ନିବିଡ଼ ସହାନୁଭୂତିଶୀଳ ପରିଚୟ ଓ ବର୍ଣ୍ଣନାଚାତୁରୀ ଉପରେ ନିର୍ଭର କରେ । ସାଟ୍ଟାୟାର୍‌ ବା ବିଦ୍ରୂପାତ୍ମକ ହାସ୍ୟରସରେ ଉକ୍ତିଚାତୁର୍ଯ୍ୟ ଯେପରି ପ୍ରଧାନ ଆଙ୍ଗିକ, ଶୁଦ୍ଧ ହାସ୍ୟରସରେ ସେହିପରି ବର୍ଣ୍ଣନାଚାତୁର୍ଯ୍ୟ ଏକ ପ୍ରଧାନ ଅବଲମ୍ବନ ।

ଫକୀରମୋହନ ହାସ୍ୟରସର ସୃଷ୍ଟି ପାଇଁ ଅନେକ ସମୟରେ ଅତିରଞ୍ଜନ ବା ଅତିଶୟୋକ୍ତିର ଆଶ୍ରୟ ନେଇଛନ୍ତି । ଅତିଶୟୋକ୍ତି ଫକୀରମୋହନଙ୍କର ଏକ ଦୁର୍ବଳତା ଓ ପ୍ଲଟ୍‌ ବା ଗଳ୍ପର ବିକାଶରେ ଏହା ପ୍ରାୟ ବହୁ ଅପ୍ରୀତିକର ପ୍ରତିବନ୍ଧକ ସୃଷ୍ଟି କରିଥିଲେହେଁ, ହାସ୍ୟରସର ସୃଷ୍ଟିରେ ବହୁ ସହାୟକ ହୋଇଛି ।

‘‘X X ମୁନ୍‌ସୀ ସାହେବ କହିଲେ–ବନ୍ଦେ ନମାଜ୍‌, ମୁଁ ଦିନଯାକ ବୁଲିଲିଣି, କାହିଁ କିଛି ପଟିଲା ନାହିଁ । X X X ମିଆଁ କହିଲେ–ବେକୁବ୍‌, କମ୍‌ବକ୍‌ତ୍‌, ନାଲଏକ୍‌–ବାପାଙ୍କ ଅମଳରୁ ରାମ ସରକାର କୋଡ଼ିଏ ବର୍ଷ ଚାକର ଥିଲା, ତାକୁ କାମରୁ ବାହାର କରି ତୁମେ ଦୋସ୍ତ୍‌ ଓ ଲାଏକ୍‌ ଲୋକ ବାଲି ବେବର୍ତ୍ତା କାମ ଦେଲି, ଗରଜ ଚଳାଇ ପାରୁ ନାହିଁ ! ମୁନ୍‌ସୀ ଜାହେର ବକ୍‍ସ କହିଲେ–ହଜୁର-! ମୁଁ କିପରି ନାଲାଏକ୍‌ ହେଲି ? ରାମ ସରକାର କିଛି କରଜ କରି ପାରୁ ନ ଥିଲା, ମୁଁ ପାଞ୍ଚ ବରଷ ମଧ୍ୟରେ ପଚିଶ ହଜାର କରଜ ଆଣି ଦେଲି । ମିଆଁ କହିଲେ–ସେ କଥା ଯାଉ, ଏବେ ଇଜ୍ଜତ କିପରି ରହେ ? ‘‘ସମ୍ପତ୍ତି ଯାଉ ମହତ ଥାଉ । ମହତ ଗଲେ ନ ମିଳେ ଆଉ । ମୋ ସାହେବମାନେ ଢୁଳାଉ ଥିଲେ, ଏ କଥା ଶୁଣି ପାଟି କରି ଏକାବେଳେ କହିଲେ–ଅଲବତ୍‌, ଅଲବତ୍‌, ଉଆଜିବ୍‌, ଉଆଜିବ୍‌ ।’’

(ଛମାଣ ଆଠଗୁଣ୍ଠ–ଅଷ୍ଟମ ପରିଚ୍ଛେଦ)

ଏ ଯେ ଏକ ଅତିଶୟୋକ୍ତି ଓ ଦିଲଦାର୍‌ ମିଆଁ, ଓରଫ ଛୋଟା ମିଆଁ ଓ ତାଙ୍କ ମୁନ୍‌ସୀ ସାହେବଙ୍କର ଏକ ରେଖାଚିତ୍ର ନ ହୋଇ ବ୍ୟଙ୍ଗଚିତ୍ର, ତାହା ଫଳାଇ କହିବା ନିଷ୍‌ପ୍ରୟୋଜନ ।

‘‘ମାମୁ’’ ଉପନ୍ୟାସରେ ସେହିପରି ମଙ୍ଗଳା ଦେଈଙ୍କ ପୁତ୍ର ଶିରୋମଣି ରାଘବ ମହାନ୍ତିଙ୍କ ନିପଟ ମଫସଲୀ ଢଙ୍ଗର ଅତିରଞ୍ଜନ ହାସ୍ୟୋଦ୍ଦୀପକ ହୋଇଛି...

‘‘କେତେ ଦିନ ଯାଏ ରାଘବ ମହାନ୍ତିଏ ଭଲ କରି ବାଟ ଚାଲି ପାରିଲେ ନାହିଁ, ଲମ୍ବ ଆଉ ଓସାରିଆ ଲୁଗାଗୁଡ଼ାକ ଛନ୍ଦି ହେଉଥାଏ । ହେଲେ କ’ଣ, ପୋଷାକ ପିନ୍ଧିଲେ ମହାନ୍ତିଏ ତୁନି ହୋଇ ଘରେ ବସି ପାରନ୍ତି ନାହିଁ–ମିଛଟାରେ ହେଲେ ସଡ଼କରେ ପିଆଦାମାନଙ୍କ ପାଖରେ ଚାରିଥର ବୁଲି ଆସନ୍ତି । ଦାଣ୍ଡ ଗଲା ଲୋକେ ତାଙ୍କ ପୋଷାକକୁ ଚାହିଁ ଦେଖୁଛନ୍ତି କି ନାହିଁ, ସମସ୍ତଙ୍କ ମୁହଁକୁ ଅନାଉ ଥାନ୍ତି । କେତେଥର ମନରେ କଲେଣି, ଗାଁର ସାଙ୍ଗ ଟୋକା ଭିକା, ମନ୍ତ୍ରା, ଭୀମା, ବେଙ୍ଗା ଏମାନେ ଆସି ପିନ୍ଧା ଲୁଗା ଦେଖି ଯାନ୍ତେ କି ?’’

(ଚତୁଶ୍ଚତ୍ୱାରିଂଶ ପରିଚ୍ଛେଦ)

ଫକୀରମୋହନଙ୍କ ହାସ୍ୟରସର ଏ ବିଶଦ ଆଲୋଚନା ନୁହେଁ ବିଶ୍ଳେଷଣର କେତେକ ନିର୍ଣ୍ଣୟକ ମାତ୍ର । ଫକୀରମୋହନ ଥିଲେ ମୁଖ୍ୟତଃ ହାସ୍ୟରସିକ । ସେ ଯେଉଁ ଯୁଗରେ ଲେଖକ–ସେ ଯୁଗରେ ବିଶ୍ୱସାହିତ୍ୟରେ ସର୍ବତ୍ର ହାସ୍ୟରସ ଥିଲା ଔପନ୍ୟାସିକମାନଙ୍କର ପ୍ରଧାନ ଅବଲମ୍ବନ-। ଫକୀରମୋହନଙ୍କ ପରେ ଓଡ଼ିଆ ସାହିତ୍ୟରେ କେହି କେହି ହାସ୍ୟରସ ଅବଲମ୍ବନରେ ସାହିତ୍ୟସୃଷ୍ଟିର ପ୍ରୟାସ କରିଛନ୍ତି; ମାତ୍ର କେହି ତାଙ୍କର ସମକକ୍ଷ ହୋଇ ପାରି ନାହାନ୍ତି । ଆଜି ମଣିଷ ସମାଜରୁ ହୁଏତ ହସ ନିଭି ଗଲାଣି । ଭିତରେ ଭିତରେ ଆଜି ବିକ୍ଷୋଭ ଓ ଅସନ୍ତୋଷର ଉତ୍ତାପ କୁଟାଗଦା ତଳେ ଗୁମ୍‌ଗୁମିଆଁ ନିଆଁ ପରି କୁହୁଳି ଉଠୁଛି । ଆଜି ଅଛି ଉପହାସ, ଅଛି ଅଟ୍ଟହାସ–କିନ୍ତୁ ଶୁଦ୍ଧ ହାସ୍ୟରସ ନାହିଁ । ତେଣୁ କୁହାଯାଇପାରେ ଫକୀରମୋହନଙ୍କ ଉପନ୍ୟାସ, ଓଡ଼ିଆ ସାହିତ୍ୟରେ ହାସ୍ୟରସର ଉନ୍ନତ କୀର୍ତ୍ତିସ୍ତମ୍ଭ ହେଲେହେଁ–ଲୁପ୍ତ ହାସ୍ୟରସର ଉଜ୍ଜ୍ୱଳ ସ୍ମୃତିସ୍ତମ୍ଭ-!

Image

 

ଫକୀରମୋହନ–ଉପନ୍ୟାସରେ ନାରୀ

 

‘‘ଗୋଟିଏ ଉତ୍ତାଳ ତରଙ୍ଗମୟୀ ସର୍ପ କୁମ୍ଭୀର ସଙ୍କୁଳା କୂଳପ୍ଳାବିନୀ ଚର୍ମଶ୍ୱତୀ’’ ଓ ‘‘ଆଉ ଗୋଟିଏ ଅନଃସ୍ରୋତା ପୂତସଲୀଳା କୂଳପାବନୀ ଫଲୁଗୁ’’ର ବିଚିତ୍ର ପ୍ଳାବନ, ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କ ଉପନ୍ୟାସ, ବିଶେଷରେ ‘‘ଛମାଣ ଆଠଗୁଣ୍ଠ’’ ଓ ‘‘ମାମୁ’’ ଛଡ଼ା ଅନ୍ୟ କେଉଁଠାରେ ପାଠକର ଚିତ୍ତବୃତ୍ତିକୁ ଏପରି ଓତପ୍ରୋତ ଭାବରେ ପ୍ଳାବିତ କରିପାରି ନାଇଁ ।

 

ଫକୀରମୋହନଙ୍କ ସବୁ ଉପନ୍ୟାସର ମୂଳରେ ଅଛି ନାରୀ । ପ୍ରକୃତ ପକ୍ଷେ, ଫକୀରମୋହନଙ୍କ ଉପନ୍ୟାସରେ ପୁରୁଷର ଚରିତ୍ର ଗୌଣ ଓ ନାରୀର ଚରିତ୍ର ମୁଖ୍ୟ । ‘‘ମାମୁ’’ ଉପନ୍ୟାସ–ବର୍ଣ୍ଣିତ ଘଟଣାବଳୀର ବିକାଶ, ଚିତ୍ରକଳାକୁ ଅବଲମ୍ବନ କରି, ନଟବର ନାଜର କେବଳ ନିମିତ୍ତ ମାତ୍ର । ନଟବର ଦାସେ ଯେତେବେଳେ କେତେକ ପରିସ୍ଥିତିରେ ଆଉ ଆଗେଇବାର ବୁଦ୍ଧି ଉଣ୍ଡାଳି ପାଇନାହାନ୍ତି ବା କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଛନ୍ତି, ସେତେବେଳେ ଚିତ୍ରକଳା ତାଙ୍କୁ ଦେଖାଇ ଦେଇଛି ଉପାୟ । ପୁଣି ‘‘ମାମୁ’’ ଉପନ୍ୟାସରେ, ପାଠକର ଚିତ୍ତକୁ ଆଶ୍ରୁସିକ୍ତ କରେ ବୈଧବ୍ୟଜର୍ଜ୍ଜରିତା ଚାନ୍ଦମଣି ବା ସେବାମୟୀ ସରସ୍ୱତୀଙ୍କ ଗଣ୍ଡବାହୀ କରୁଣ ଅଶ୍ରୁଧାରା ! ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ସେହିପରି, ରାମଚନ୍ଦ୍ର ମଙ୍ଗରାଜ ଗୌଣ, ଚମ୍ପା ମୁଖ୍ୟ । ଭଗିଆ ଅପେକ୍ଷା ଶାରିଆର ବ୍ୟର୍ଥ ମାତୃତ୍ୱର କରୁଣ ପରିଣତି ପାଠକକୁ ବେଶୀ ଅଭିଭୂତ କରେ । ବସ୍ତୁତଃ ଉକ୍ତ ଦୁଇ ଉପନ୍ୟାସରେ ନାରୀ ଆଦ୍ୟାପ୍ରକୃତି ପରି ଏକାଧାରରେ କାର୍ଯ୍ୟ ପୁଣି କାରଣ, ସୃଷ୍ଟି ପୁଣି ସଂହାର ! ‘ଲଛମା’ ଉପନ୍ୟାସରେ ସେହିପରି, ଲଛମା ହିଁ ଶେଷରେ ମାତୃହତ୍ୟା ଓ ଅନ୍ୟ ଆତ୍ମୀୟସ୍ୱଜନ ହତ୍ୟାର ପ୍ରତିଶୋଧ ନେଇଛି ।

 

ନାରୀ, ସେବାମୟୀ, କ୍ଷମାମୟୀ, କରୁଣାମୟୀ, ସର୍ବଂସହା ଧରିତ୍ରୀ ପରି ସେ ଖାଲି ହସି ହସି ସହିଛି ଦୁବୃର୍ତ୍ତ, ଦୁର୍ବିନୀତ, ଦୂରାଚାରୀର ଅତ୍ୟାଚାର, କିନ୍ତୁ ଦେଇଛି ଅଭୟ ଓ ଆଶୀର୍ବାଦ । ପରଦାରାସକ୍ତ, ପରସ୍ୱତ୍ୱଲୋଲୁପ ସ୍ୱାମୀର କଲ୍ୟାଣ କାମନାରେ ସାନ୍ତାଣୀଙ୍କ ପ୍ରାଣ ପରି, ପ୍ରାଣ ତାର ପ୍ରାର୍ଥନାମୟ, ପୁଣି ସରସ୍ୱତୀଙ୍କ ପରି ସେ ଅନନ୍ତ ସାହାନୁଭୂତିଶୀଳା, ପରଦୁଃଖକାତରା, ସେବାମୟୀ; ଚାନ୍ଦମଣିଙ୍କ ପରି ସେ କୋମଳ, କମନୀୟ ଓ ପବିତ୍ର ! ଅଥଚ ନାରୀ ପୁଣି ଚିତ୍ରକଳା ପରି ବ୍ୟଭିଚାରିଣୀ, ଦାମ୍ଭିକା, କୁଟୀଳା, ଚମ୍ପା ପରି ବିଶ୍ୱାସଘାତକୀ, ପାପିୟସୀ ! ଏହିପରି ବିଚିତ୍ର ଚରିତ୍ରଚିତ୍ରଣରେ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ମନୋଜ୍ଞ ଓ ମଧୁର ! ଫକୀରମୋହନଙ୍କ ଉପନ୍ୟାସରେ ପୁଣି ଲକ୍ଷ୍ୟ କରିବାର ଅଛି ପୁରୁଷର ଚରିତ୍ରଚିତ୍ରଣ ଅତି ବୈଚିତ୍ର୍ୟହୀନ । ରାମଚନ୍ଦ୍ର ମଙ୍ଗରାଜ ବା ନାଜର ନଟବର ଦାସଙ୍କ ଚରିତ୍ର ଅତି ବୈଚିତ୍ର୍ୟହୀନ, ଯଦିଓ ରାମଚନ୍ଦ୍ର ମଙ୍ଗରାଜଙ୍କ ଚିତ୍ରଣ ଏକ ସାର୍ଥକ କଳା-ସୃଷ୍ଟି ! ପର ପିଠିରେ ହାତ ବୁଲାଇ, ତାକୁ ଆପଣାର କରି, ଆତ୍ମୀୟତାର ଆବରଣ ତଳେ ଦୁହେଁ ହୀନ ଆତତାୟୀ ପରି ସୁବିଧା ଦେଖି ଛୁରିକାଘାତ କରିଛନ୍ତି । ମଙ୍ଗରାଜଙ୍କର ଅନ୍ୟ ଏକ ବୈଚିତ୍ର୍ୟହୀନ ସଂସ୍କରଣ ନଟବର ଦାସ । ଚମ୍ପା ଓ ଚିତ୍ରକଳା ବୃତ୍ତି ଓ ରୀତିରେ ଏକ ହେଲେହେଁ ଦୁହିଙ୍କର ଚରିତ୍ରଚିତ୍ରଣ ବହୁ ବୈଚିତ୍ର୍ୟମୟ । ପୁଣି ଯେ କୌଣସି କଷ୍ଟ ସହିଷ୍ଣୁ, ଅନୁସନ୍ଧିତ୍ସୁ ପାଠକ ବିଶ୍ଳେଷଣ କଲେ ଦେଖି ପାରିବେ, ଫକୀରମୋହନଙ୍କ ଉପନ୍ୟାସରେ ଅତି ଅପ୍ରଧାନ, ଅତି ଅବାନ୍ତର ନାରୀ ଚରିତ୍ରଗୁଡ଼ିକ ସୁଦ୍ଧା ଯେପରି ଜୀବନ୍ତ ଭାବରେ ଚିତ୍ରିତ ହୋଇ ପାରିଛି, ମୁଖ୍ୟ ପୁରୁଷ ଚରିତ୍ରଗୁଡ଼ିକ ସେପରି ହୋଇ ପାରି ନାହିଁ ।

 

ଫକୀରମୋହନ ଶୈଶବରୁ ଥିଲେ ପିତୃହୀନ, ମାତୃହୀନ ମଧ୍ୟ । ଫକୀରମୋହନଙ୍କ ଜନ୍ମ ପୂର୍ବରୁ ତାଙ୍କର ଗୋଟିଏ ବଡ଼ଭାଇ ଶୈଶବରେ ପରଲୋକପ୍ରାପ୍ତ ହୋଇଥିଲେ । ଶୈଶବରେ, ପିତୃମାତୃହୀନ ହୋଇ ଫକୀରମୋହନ ପିତାମହୀ କୁଚିଳାଦେଈଙ୍କ ଯତ୍ନରେ ଲାଳିତ ପାଳିତ ହୋଇଥିଲେ । ପୁଣି ସାତ ଆଠ ବର୍ଷ ପର୍ଯ୍ୟନ୍ତ ସେ ନାନା ଦାରୁଣ ବ୍ୟାଧିରେ ଶଯ୍ୟାଗତ ହୋଇଥିଲେ । ଜୀବନ ମରଣର ସେହି ସନ୍ଧିକ୍ଷଣରେ ପିତାମହୀ କୁଚିଳାଦେଈଙ୍କ ସେବା ଓ ଯତ୍ନ ଫଳରେ ହିଁ, ସେ ଯେପରିକି ନବଜନ୍ମ ପାଇଥିଲେ । ନିଜ ଆତ୍ମଚରିତରେ ଫକୀରମୋହନ ତାହା ଅତି ମର୍ମସ୍ପର୍ଶୀ ଭାବରେ ଉଲ୍ଲେଖ କରି ଅଛନ୍ତି :

 

‘‘ଠାକୁରମା ଦିବାନିଶି ମୋ ଶଯ୍ୟା ପାଖରେ, ଜଗି ବସିଥାନ୍ତି । ମାସକ ଉତ୍ତାରେ ମାସ, ବର୍ଷକ ଉତ୍ତାରେ ବର୍ଷ–କେତେକାଳ ଏହି ଭାବରେ ବହି ଯାଇଛି । ଅଦିଦ୍ରା, ଅନାହାରରେ ଠାକୁରମା ସେ ସମୟରେ କେତେ ଦିବାନିଶି କାଟିଛନ୍ତି । ଯେମନ୍ତ ମୃତ୍ୟୁ ମୋହର ଗୋଟାଏ ହାତ ଏବଂ ଠାକୁରମା ଅନ୍ୟହାତ ଧରି ଟାଣୁ ଥାଆନ୍ତି ।’’ *

 

* ଆତ୍ମଚରିତ–ପୃ ୬

 

ଏକ ଦିଗରେ ପିତାମହୀ କୁଚିଲା ଦେଈ, ଯେପରି ସେବା ଦେଇ, ଅକପଟ ସ୍ନେହ ଦେଇ, ଗଭୀର ଶ୍ରଦ୍ଧା ଦେଇ ଫକୀରମୋହନଙ୍କ ଜୀବନକୁ ଧନ୍ୟ କରିଥିଲେ, ଅପର ଦିଗରେ ସେହିପରି ତାଙ୍କର ଜେଠେଈମା, ପ୍ରଥମ ବିବାହିତା ସ୍ତ୍ରୀ ଲୀଳାବତୀ ଓ ଫକୀରମୋହନଙ୍କ ମଧ୍ୟରେ ବହୁ ମନାନ୍ତର ଘଟାଇ, ତାଙ୍କ ଦାମ୍ପତ୍ୟ ଜୀବନକୁ ଦୁର୍ବିସହ କରି ପକାଇ ଥିଲେ । ** ପୁଣି ଏକ ଦିଗରେ ତାଙ୍କର ପ୍ରଥମା ସ୍ତ୍ରୀ ଲୀଳାବତୀ, ‘‘ନିଷ୍ଠୁରା, ଦାମ୍ଭିକା, କର୍କଶ ଭାଷିଣୀ’’ ପୁଣି ସ୍ୱାମୀର ବିରୁଦ୍ଧାଚାରିଣୀ, ଅପର ଦିଗରେ ଲୀଳାବତୀଙ୍କ ମୃତ୍ୟୁ ପରେ, ତାଙ୍କର ଦ୍ୱିତୀୟା ସ୍ତ୍ରୀ କୁଷ୍ଣକୁମାରୀ...ଯାହାକୁ ‘‘ସଂସାରିକ ସମସ୍ତ ପ୍ରକାର ଦୁଃଖ-ଦୁର୍ଦ୍ଦଶା-ମୋଚନ ସୌଭାଗ୍ୟ-ସୁଖ-ସମ୍ପତ୍ତି-ବର୍ଦ୍ଧନ ନିମନ୍ତେ ଦୟାମୟ ପରମେଶ୍ୱର X X ଭାର୍ଯ୍ୟା ରୂପେ ମୋହ ନିକଟକୁ ପଠାଇଥିଲେ-।+’’

 

** ଆତ୍ମଚରିତ ପୃ ୫୫

 

+ ଏଜ୍ମ ପୃ ୫୭

 

ଏହିପରି ଭାବରେ ଦୁଇ ବିପରୀତଧର୍ମୀ ନାରୀ ଚରିତ୍ରର ଅନୁଭବ ଫକୀରମୋହନଙ୍କ ଜୀବନରେ ଗଭୀର ରେଖାପାତ କରିଥିଲା । ଏକାଧାରରେ ସେ ନାରୀକୁ ଶ୍ରଦ୍ଧା କରୁଥିଲେ କଲ୍ୟାଣମୟୀ, କ୍ଷମାମୟୀ, ଶ୍ରଦ୍ଧାମୟୀ, ଦେବୀ ରୂପେ, ପୁଣି ଘୃଣା ମଧ୍ୟ କରୁଥିଲେ ସବୁ ଦୁର୍ଯ୍ୟୋଗ ଓ ଦୁର୍ଭାଗ୍ୟର ଅଲକ୍ଷ୍ମୀ ରୂପେ । ତାଙ୍କର ହୁଏତ ଧାରଣା ଥିଲା କୁଳାଚାର ନାରୀ ଚରିତ୍ର ଗଠନର ମୂଳଭିତ୍ତି । ଶୈଶବରୁ ଯେଉଁ ନାରୀ ଯେପରି ପରିବେଷ୍ଟନୀ ମଧ୍ୟରେ ବଢ଼ିବାର ସୁଯୋଗ ପାଇଛନ୍ତି, ସେହିପରି ଭାବରେ ତାଙ୍କର ଚରିତ୍ର ଗଠିତ ହୋଇଅଛି । କିନ୍ତୁ ନାରୀ ପକ୍ଷରେ ଯାହା ସତ, ପୁରୁଷ ପକ୍ଷରେ ମଧ୍ୟ ତାହାର ଯେ କାହିଁକି ଅନ୍ୟଥା ହେବ, ତାର କୌଣସି କାରଣ ନାହିଁ । ତଥାପି ଅନେକ କ୍ଷେତ୍ରରେ ପୁରୁଷ ପକ୍ଷରେ, ସ୍ୱଲବ୍‌ଧ ଆଚାର; କୁଳାଚାରକୁ ଲଂଘନ କରି ଉନ୍ନତ ହେବାର ନଚେତ୍‌ ଅଧଃପତିତ ହେବାର ବହୁ ସମ୍ଭାବନା ଥାଏ । ନୋହିଲେ ଦାଶରଥୀ ଦାସଙ୍କ ପରିବାରରେ, ପୁଣି ସରସ୍ୱତୀ ଦେଈଙ୍କ ଆଚାରରେ ବଢ଼ି ସୁଦ୍ଧା ନଟବର ଦାସ ଏପରି କୁଚକ୍ରୀ ହୋଇ ନ ଥାନ୍ତେ ! ତେବେ କୁଳାଚାର ଓ ଆଭିଜାତ୍ୟରେ ଫକୀରମୋହନଙ୍କର ଦୃଢ଼ବିଶ୍ୱାସ ଥିଲା । ସମସରପୁର ତାଲୁକର ଜମିଦାର ସଙ୍କର୍ଷଣ ମହାନ୍ତିଙ୍କ ରକ୍ଷିତା ତାରା ଦେଈଙ୍କ ପୁତ୍ର ରାଜୀବଲୋଚନର ଚରିତ୍ରଚିତ୍ରଣରେ ତାହା ସୁସ୍ପଷ୍ଟ ।

 

ଫକୀରମୋହନଙ୍କ ନାରୀ ଚରିତ୍ର ବିଶ୍ଳେଷଣ କଲେ ଗୋଟିଏ କଥା ସ୍ପଷ୍ଟ ହୁଏ, ଇତରା ଦାସୀ ଶ୍ରେଣୀର ନାରୀମାନଙ୍କୁ ଯେପରି ହୀନ ଭାବରେ ଚିତ୍ରଣ କରା ଯାଇଅଛି, ସଦ୍‌ବଂଶଜା ଶାସ୍ତ୍ରାଚାର ଅନୁସାରେ ବିବାହିତା ଗୃହଲକ୍ଷ୍ମୀ ନାରୀମାନଙ୍କୁ ସେହିପରି ଆଦର୍ଶ ନାରୀ ଚରିତ୍ର ରୂପେ ଚିତ୍ରଣ କରା ଯାଇଅଛି । ‘‘ଛମାଣ ଆଠଗୁଣ୍ଠ’’ରେ ସାନ୍ତାଣୀ, ‘‘ମାମୁ’’ରେ ସରସ୍ୱତୀ ଓ ଚାନ୍ଦମଣି, ପୁଣି ‘‘ଲଛମା’’ରେ ରାୟବଣିଆ ଦୁର୍ଗେଶ୍ୱରୀ ମହାଦେବୀଙ୍କ ଚରିତ୍ରଚିତ୍ରଣ ଏହାର ଉଦାହରଣ । ଅପର ପକ୍ଷରେ ସେହିପରି ଚମ୍ପା ଓ ଚିତ୍ରକଳାର ଚରିତ୍ରଚିତ୍ରଣରେ ଇତରା ଦାସୀ ଶ୍ରେଣୀର ନାରୀମାନଙ୍କର ଚରିତ୍ରଚିତ୍ରଣ ସୁସ୍ପଷ୍ଟ । ନାଜରାଣୀ ବିଶାଖା ଦେଈ, ଏ ସାଧାରଣ ନିୟମର ବହିର୍ଭୂତା ବୋଲି ପ୍ରତୀତ ହୋଇ ପାରନ୍ତି । ମାତ୍ର ବିଶାଖା, ନଟବରଙ୍କର କୌଣସି ଦୁଷ୍କର୍ମରେ କେବେ କୌଣସି ଅଂଶ ଗ୍ରହଣ କରି ନାହାନ୍ତି । ବିଶାଖା ଦେଈଙ୍କର ଯଦି କୌଣସି ଦୋଷ ଥାଏ, ତା ହେଲେ ତାହା ତାଙ୍କର ନିପଟ ନିର୍ବୋଧତା । ଦରିଦ୍ର ଘରେ ଜନ୍ମ । ମା ହୁଏତ ଢିଙ୍କିକୁଟି ସଂସାର ଚଳାଉଥିଲେ । ତେଣୁ ନାଜର ନଟବର ଦାସଙ୍କ ହାତ ଧରି ନାଜରାଣୀ ହେଲା ପରେ, ନିଜକୁ ‘‘ରାଣୀ’’ ବୋଲି ଭାବିବାଟା ବା କି ଏମିତି ଅପରାଧ ହେଲା ? ବିଶାଖା ନିରୀହା, ପୁଣି ସାଧାରଣ ବୁଦ୍ଧିହୀନା, କିନ୍ତୁ ଦୁବୃର୍ତ୍ତା ନୁହେଁ । ନଟବର ଦାସେ, ଯେତେବେଳେ ବିଶାଖାକୁ ‘‘ରାଣୀ ବନେଇ ଦେବେ’’ କହି, ନରିପୁର ଜିଲ୍ଲାଟାକୁ କେଉଁ କୌଶଳରେ ହସ୍ତଗତ କରାଯିବ, ତାର ଉପାୟ କହି ବସିଲେ, ବିଶାଖା କହିଲା :

 

‘‘ମ, ମ, ତୁମେ ହାକିମ, ତୁମେ ମାଲିକ ହେବ ନାହିଁ ଏ ପିଲାଖଣ୍ଡ ମାଲିକ ହେବ ପରା-?’’

 

ନାଜର ନଟବର ଦାସେ କହିଲେ–ନାହିଁ, ନାହିଁ, ଉଛୁଣି ସେ ମାଲିକ ସତ, ତାର ଗୋଟିଏ ଫିକର ଅଛି, ଆମେ ମାଲିକ ହେବା । ଏଥର ନାଟ ବନ୍ଦିରେ ଟଙ୍କା ସରକାରଙ୍କୁ ଦେବା ନାହିଁ–କିଲ୍ଲା ନିଲାମ ହୋଇଯିବ–ବେନାମିରେ ବଇସୁଲତାନି କିଣି ପକାଇବା । ଢେର ଟଙ୍କା ଲୋଡ଼ା–ଗୋଟାଏ ଶୁଣ୍ଢି ମହାଜନ ଘଟଣା କରିଛି–ଏଇଥର ସବୁ ଠିକ୍‌ ହୋଇଯିବ । ବିଶାଖା ଦେଈ କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ–ବକ ବକ କରି ମୁହଁକୁ ଅନାଇଥାନ୍ତି । କହିଲେ, ନାହିଁ, ନାହିଁ ତୁମେ ମାଲିକ ହେବ, ଏ ମାଙ୍କଡ଼ ପିଲାଖଣ୍ଡ କଣ ହେବ ? ମୋ ପାଖରେ ପାଞ୍ଚ କୋଡ଼ି, ଦଶ କୋଡ଼ି ଟଙ୍କା ଅଛି; ସବୁ ଦେବି, ତୁମେ ସାଇବକୁ ଦେଇ ମାଲିକ ହୋଇ ଆସ–ମତେ ରାଣୀ ବନେଇ ଦିଅ ।’’

 

ନରିପୁର କିଲ୍ଲାକୁ ହସ୍ତଗତ କରିବାର ଏପରି ସୂକ୍ଷ୍ମ ଉପାୟ ଶୁଣିଲା ପରେ, ନଟବର ବିଶାଖା ସାଙ୍ଗରେ ଆଉ ବା କି ପରାମର୍ଶ କରନ୍ତେ ? ତେଣୁ ସେ ହସିଲେ–ବିଶାଖାର ନିର୍ବୋଧତା ପ୍ରତି ତାଚ୍ଛଲ୍ୟରେ ହସିଲେ । ତାପରେ ବୁଲି ବାହାରିଗଲେ, ଚତୁରୀ ଚିତ୍ରକଳା ସହିତ ହୁଏତ ପରାମର୍ଶ ପାଇଁ । ନିର୍ବୋଧତା ଅପରାଧ ନୁହେଁ । ତେଣୁ ବିଶାଖାକୁ ଦୁରାକାଂକ୍ଷିଣୀ କୁହାଗଲେ ସୁଦ୍ଧା ଦୁରାଚାରିଣୀ କୁହାଯାଇ ପାରିବ ନାହିଁ ।

 

ପୁଣି ଦାରିଦ୍ର୍ୟ ମଧ୍ୟ ଅପରାଧ ନୁହେଁ, ଦାରିଦ୍ର୍ୟ ପାପ ନୁହେଁ । ଦାରିଦ୍ର୍ୟ ଅଶ୍ଳୀଳତା ନୁହେଁ-! ଦରିଦ୍ରର ସଂସାରରେ ମଧ୍ୟ ଉନ୍ନତ କୁଳାଚାର ଅଛି । ଛମାଣ ଆଠଗୁଣ୍ଠ’ର ସାରିଆ ଏହାର ପ୍ରକୃଷ୍ଟ ଉଦାହରଣ । ପୁଣି ସମାଜରେ ନାରୀ ନିରାଶ୍ରୟା ହେଲେ ଗତର ଖଟି ଖାଇବା, ଇତରତା ନୁହେ: ‘ଛମାଣ ଆଠଗୁଣ୍ଠ’ର ମାଣିକ ବା ‘ମାମୁ’ରେ ଗେହ୍ଲେଇ, ରାଣ୍ଡୀ, ଖଣ୍ଡି ହୋଇ ପାରନ୍ତି–ଏ ଓଳି ଚୁଲି ଜଳିଲେ, ସେମାନଙ୍କ ଘରେ ଆର ଓଳିକୁ ହୁଏତ ଚୁଲି ଜଳି ନ ପାରୁଥାଏ । ମାତ୍ର ସେମାନେ ଦୁର୍ବୃତ୍ତା, ଇତରା ନୁହନ୍ତି । ଚିତ୍ରକଳା ବା ଚମ୍ପା ପରି ସଂସାରିକ ସୁଖ ସ୍ୱାଚ୍ଛନ୍ଦ୍ୟର ଉପଭୋଗ ସେମାନଙ୍କର ନ ଥାଇପାରେ, ମାତ୍ର ନାରୀତ୍ୱର ମହିମାରେ ସେମାନେ ମହିମାନ୍ୱିତା ।

‘ମାଣିକ କେବଳ ଭଣ୍ଡାରୁଣୀ ନୁହେଁ । କେବଳ ଡବଡବୀ, ମିଛୋଇ, ଆଗତକହୀ ନୁହେଁ-। ‘ଦାଇ ପଣରେ ଖୁବ୍‌ ଟାଣ–ବୋହୂ, ଝିଅ ଦେହକୁ ଲାଗିଲେ ଉଠିଆରୀ ପର୍ଯ୍ୟନ୍ତ ପୁଆତି ପାଖଛଡ଼ା ହୁଏ ନାହିଁ । X X ପର ଉପକାର କରିବାକୁ ଯେପରି ହୁମଯୁମ, ଉପରେ ପଡ଼ି କଳି କଜିଆ କରିବାକୁ ମଧ୍ୟ ସେହିପରି ମଜ୍‌ବୁତ । କଜିଆରେ ଲାଗି ଅଛି ତ, ସେଦିନ ଗାଧୁଆ ନହେଲା-। କାହାରି ଦେହ ପା କୁ ଲାଗିଲେ ତାହାକୁ ଯଦି ଦି’ପଦ କଅଁଳେଇ କହି, ଦେଇଛ, ନ ଖାଇ ନ ଶୋଇ ରାତି ସାରା ବସି ଦେହରେ ହାତ ବୁଲାଉଥିବ ।’

‘‘ମାମୁ’’ର ଗେହ୍ଲେଇ ମଧ୍ୟ ଠିକ୍‌ ମାଣିକ ପରି ନିରିମାଖୀ, ନିଆଶ୍ରୀ । ଗତର ଖଟି ଖାଏ । ହେଲେ ତାର ଇତରତା ନାହିଁ । ସେ ମଧ୍ୟ ଧାଈପଣ ଜାଣେ, ଗ୍ରାମରେ କାହାର ଘର କଥା କାନରେ ପଡ଼ିଲା ତା ହାଜର, ପଇସା କଉଡ଼ିକି ଲୋଭ ନାହିଁ । ସେପରି ନ ଥିଲା ଜାଗାରେ ହାତରୁ ଦୁଇ ପଇସା ପଡ଼ୁ ପଛକେ । ପୁଆତୀ ସାଷ୍ଟାମ ହେବାଯାଏ ଦିନକୁ ଦଶ ଥର ଦଉଡ଼ୁଥିବ ।’ ତେଣୁ ସେ ସମସ୍ତଙ୍କର ଶ୍ରଦ୍ଧା ଓ ବିଶ୍ୱାସର ପାତ୍ରୀ । ସେ ପୁଣି ମାଇକିନିଆ ପଲରେ ରସିକା–ପୁରୁଷ ମହଲରେ ପାଷାଣୀ–ଦୁଷ୍ଟ ଲୋକମାନଙ୍କ ସାକ୍ଷାତରେ ସର୍ପିଣୀ ।’

ଚମ୍ପା ଓ ଚିତ୍ରକଳା, ଓଡ଼ିଆ ସାହିତ୍ୟରେ ଦୁଇଟି ଅପୂର୍ବ ସୃଷ୍ଟି । ଚମ୍ପା ଓଡ଼ିଆ ସାହିତ୍ୟରେ ‘ଲେଡ଼ି ମାକ୍‌ବେଥ୍‌’ ! ଚମ୍ପାକୁ ଅବଶ୍ୟ ମନୁଷ୍ୟର ଦରବାରରେ ବିଚାର କରିବା ପାଇଁ ଅବକାଶ ନ ଥିଲା । ଗୋବିନ୍ଦାର ଭଣ୍ଡାରୀ ମୁଠି ଖୁରରେ ତାର ଶେଷ ବିଚାର ହୋଇଗଲା । ତେଣୁ ତା ସମ୍ବନ୍ଧରେ କୌଣସି ଜଜ୍‌ ସାଇବ କୌଣସି ରାୟ ଦେଇ ନାହାନ୍ତି । କିନ୍ତୁ ଚିତ୍ରକଳା, ସେସନସ୍‌ ଜଜ୍‌ ଜି. ଏ. ମେକଫର୍ସନ୍‌ଙ୍କ ଭାଷାରେ ‘‘ଗୋଟାଏ ଭୟଙ୍କର ବୁଦ୍ଧିମତୀ, ଭୟଙ୍କର ଦୁଶ୍ଚରିତ୍ରା ବଜାରୀ ନାରୀ’’ । ସାନ୍ତାଣୀ ବା ମହାଦେବୀ ବା ସରସ୍ୱତୀ ଦେବୀଙ୍କ ପରି ଆଦର୍ଶ ନାରୀ ଚରିତ୍ର ସୃଷ୍ଟି କରିବା ସହଜ । କିନ୍ତୁ ‘ମାଟିର ମଣିଷ’ରେ ବରଜୁର ସ୍ତ୍ରୀ ପରି ରକ୍ତମାଂସର ନାରୀ ବା ‘ମାମୁ’ ଓ ‘ଛମାଣ ଆଠଗୁଣ୍ଠ’ରେ ଚିତ୍ରକଳା ଓ ଚମ୍ପା ପରି ଭୟଙ୍କରୀ ନାରୀ ଚରିତ୍ର ଫୁଟାଇବା ଯଥାର୍ଥରେ ଅସାଧାରଣ କଳ୍ପନାଶକ୍ତି ଓ ଉଦ୍ୟମସାପେକ୍ଷ । ଫକୀରମୋହନ ସ୍ୱପ୍ନପ୍ରବଣ, ଆଦର୍ଶବାଦୀ ନ ଥିଲେ । ସଂସାରର କୁଟୀଳତା ଭିତରେ ସେ ଓତପ୍ରୋତ ଭାବରେ ଜଡ଼ିତ ହୋଇ ଗତି କରିଛନ୍ତି । ତେଣୁ ତାଙ୍କ ପକ୍ଷରେ ହୁଏତ ଚିତ୍ରକଳା ଓ ଚମ୍ପା ପରି ନାରୀ ଚରିତ୍ର ସୃଷ୍ଟି କରିବା ସମ୍ଭବ ଥିଲା । ସମାଜରେ କୌଣସି ନୈତିକ ଆଦର୍ଶ ବା ଅନ୍ୟ କୌଣସି ଚରିତ୍ରର ମହନୀୟତା ଫୁଟାଇବା ପାଇଁ ଏ ଦୁଇଟି ଚରିତ୍ରପୃଷ୍ଠଭୂମି ରୂପେ କଳ୍ପିତ ହୋଇ ନ ଥିଲା । ତତ୍‌କାଳୀନ ବହୁ ଖାନ୍‌ଦାନ୍‌ ପରିବାରରେ ଏହିପରି ବହୁ ମନ୍ଥରାଙ୍କ ଏକାଧିପତ୍ୟ ଥିଲା । ସେହିମାନଙ୍କ କୁମନ୍ତ୍ରଣା ଓ କୁପ୍ରଭାବରେ କେତେ ସୁନାର ସଂସାର ଯେ ଭାଙ୍ଗି ଚୂନା ହେଉଥିଲା ତାର ଇୟତ୍ତା ନାହିଁ । ଚିତ୍ରକଳା ପ୍ରସଙ୍ଗରେ ଫକୀରମୋହନ ଲେଖିଛନ୍ତି :

‘‘ଯେଉଁ ସମୟର କଥା ହେଉଛି,–ବୋଇଲେ ଚିତ୍ରକଳା ଅମଳଦାରି ସମୟରେ ଏ କଥାରେ ଗୋଟାଏ ଧରପକଡ଼ ନ ଥିଲା ଡାକ ଫୁକାରରେ କରଣ ଖଣ୍ଡାଇତ ମହାନାୟକମାନଙ୍କ ଘରେ ଅନେକ ଚାକରାଣୀ ଦାନାପାଣି ପାଉଥିଲେ । ଏଣିକି ପାଠୁଆମାନଙ୍କ ମଧ୍ୟରେ ଚରିତ୍ର ବୋଲି ଗୋଟାଏ ବିଧି ବାହାରିବା ଦିନରୁ ଢେର ଢେର ଚାକରାଣୀଙ୍କର ଭଲ ଭଲ ଲୋକଙ୍କ ଘରୁ ଅନ୍ନରେ ଧୂଳି ପଡ଼ିଲାଣି ।’’

(ମାମୁ–ଷୋଡ଼ଶ ପରିଚ୍ଛେଦ)

 

ଏ ଶ୍ରେଣୀର ନାରୀମାନେ ସାଧାରଣତଃ ଇତରା । ନିଜର ବ୍ୟର୍ଥ, ଲାଞ୍ଛିତ ନାରୀ ଜୀବନର, ଏମାନେ ପ୍ରତିଶୋଧ ନିଅନ୍ତି ଅନ୍ୟର ସୁନାର ସଂସାର ଚୂନା କରି । ଏମାନଙ୍କର ସମ୍ଭାବନା ନ ଥିଲେ ସୁଦ୍ଧା ଜୀବନରେ ବହୁ ପରିକଳ୍ପନା ଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ନିଜକୁ ନୟନମନୋରମ ବେଶରେ ସଜାଇ, ରକ୍ଷକକୁ ଲୁବ୍‌ଧ କରି, ତାକୁ ଅସ୍ତ୍ର କରି ନିଜର ସବୁ ଦୂରଭିସନ୍ଧି ପୂର୍ଣ୍ଣ କରିବା । ଏମାନେ ଅସାଧାରଣ ଭାବରେ ତୀକ୍ଷ୍‌ଣ ବୁଦ୍ଧି-ସମ୍ପନ୍ନା, ପୁଣି ବିଶ୍ୱାସଘାତିନୀ । ଚମ୍ପା ଓ ଚିତ୍ରକଳା ତେଣୁ ଗୋଟିଏ ଛାଞ୍ଚ, ଗୋଟିଏ ଉପାଦାନରେ ଗଢ଼ା । ଚିତ୍ରକଳା ଚମ୍ପାର ଖାଲି ଅନୁକରଣ ନୁହେଁ–ଦ୍ୱିରୁକ୍ତି ! ଚମ୍ପା ଗୋହିରୀ ମଝିରେ ପିନ୍ଧା-ମାଣିଆ-ବନ୍ଦିର ପଣତକାନି ଉଡ଼ାଇ, ଦୁଇ ଡେଣା ଦୋହଲାଇ ଚାଲେ ମରାଳଗମନା ଠାଣିରେ । ପାନବୋଳରେ ପକ୍ୱବିମ୍ୱାଧରୋଷ୍ଠୀ, ସ୍ତନ ପୁଣି ସ୍ତୋକନମ୍ର...ହେଉନା ପଛେ ଶିଖରୀବସନା ! ଚନ୍ଦ୍ରରେ ପୁଣି କଳଙ୍କ ତ ଥାଏ । ତାପରେ କଜ୍ଜ୍ୱଳପୂରିତ ଲୋଚନର ଅପାଙ୍ଗ, ତୈଳ ହରିଦ୍ରାବୋଳିତ ଦେହର ସୁଗନ୍ଧ ଓ ଷୋଳହାତୀ ଶାଢ଼ିର ବିସ୍ତାର, ଚମ୍ପାକୁ ରାମଚନ୍ଦ୍ର ମଙ୍ଗରାଜଙ୍କ ଆଖିରେ ଯେ ସ୍ୱର୍ଗର ବିଦ୍ୟାଧରୀ କରିଥିବ, ସେଥିରେ ସନ୍ଦେହର କି ଅବକାଶ ଥାଇପାରେ ? କିନ୍ତୁ ବାହାଡ଼ାଦାନ୍ତୀ ଯେତେବେଳେ ଗୁଣ୍ଡିମିଶା ପାନଖିଲୀ ଚୋବାଇ ପକ୍ୱବିମ୍ବାଧରୋଷ୍ଠୀ ହେବାକୁ ଉଦ୍ୟମ କରେ, ପ୍ରୌଢ଼ା ଅଜାଗଳସ୍ତନା ସ୍ତୋକନମ୍ରା ହେବାକୁ ପ୍ରୟାସ କରେ ଅନ୍ୟକୁ ଲୁବ୍‌ଧ କରିବା ପାଇଁ, ସେତେବେଳେ ରୁଚି ଅପେକ୍ଷା ପ୍ରକାଶ ପାଏ ଇତରତା ବେଶୀ । ଚିତ୍ରକଳା ମଧ୍ୟ, ଚହଟଗୋରୀ ନହେଲେ ସୁଦ୍ଧା ସୁନ୍ଦରୀ ! ‘‘ମୁଖଟିର ଗଢ଼ଣ ସୁନ୍ଦର, ତାହା ଉପରେ ପୁଣି ଓଳିକେ ଛ’ ଥର ଘଷାମଜାରେ ସୁନ୍ଦରପଣ (ଯାହାକୁ କି ସାଧୁ ଭାଷାରେ ଲାବଣ୍ୟ କହନ୍ତି) ଫୁଟି ଦିଶେ । ବଡ଼ ଆର୍ଶିଟାଏ ଧରି ଭଲକରି ମାଙ୍ଗଟାଏ ପାରିଦେଲା ଉତ୍ତାରେ, ଚଞ୍ଚଳ ଢଳଢଳ କଜ୍ଜ୍ୱଳାଭ ନେତ୍ରରେ କଣେଇ କଣେଇ ଚାହିଁଲେ ତାକୁ ଥରେ ଅନାଇ ଦେବାକୁ ଢେର ଢେର ଲୋକ ଅଛନ୍ତି ।’’

 

ଚମ୍ପାର ସ୍ୱରୂପ ଉଦ୍‌ଘାଟିତ ହେଇଛି ‘ଛମାଣ ଆଠଗୁଣ୍ଠ’ର ଦ୍ୱାବିଂଶ ପରିଚ୍ଛେଦରେ ! ଧର୍ମରେ ହେଉ, ଅଧର୍ମରେ ହେଉ, ରାମଚନ୍ଦ୍ର ମଙ୍ଗରାଜଙ୍କର ସମ୍ପତ୍ତି ବଢ଼ନ୍ତା ! କିନ୍ତୁ ଚମ୍ପାର ବା ସେଥିରେ କି ଲାଭ ? କେଉଁଥିପାଇଁ, କେଉଁ ଲାଭ ଆଶାରେ ବା ସେ ଅଶ୍ରୁପରି କରୁଣ, ଘାସ ପରି ନିରୀହ, ପାହାନ୍ତି ପହରର ଜହ୍ନ ପରି ଅସହାୟ, ସନ୍ତାନ-ବଞ୍ଚିତା ଶାରିଆକୁ ହତ୍ୟା କରିବାରେ ଭାଗୀ ହେଲା ? ଏ କ’ଣ କେବଳ ମନୁଷ୍ୟର ଅନ୍ତର୍ନିହିତ ପାଶବିକ ପ୍ରବୃତ୍ତିର ଏକ ବୀଭତ୍ସ ପ୍ରକାଶ ? ନା–ଚମ୍ପାର ଉଦ୍ଦେଶ୍ୟ ଥିଲା, ସାନ୍ତାଣୀଙ୍କୁ ବାଟର କଣ୍ଟା ପରି କୌଣସି ମତେ କାଢ଼ି ଫିଙ୍ଗି ଦେଲେ ସେ ହେବ ମଙ୍ଗରାଜଙ୍କ ଉଆସରେ ସାନ୍ତାଣୀ । ତା ବୋଲି ରାମଚନ୍ଦ୍ର ମଙ୍ଗରାଜଙ୍କ ପ୍ରତି ତାର ଯେ ସହାନୁଭୂତି ଥିଲା ତା ନୁହେଁ । ରାମଚନ୍ଦ୍ର ମଙ୍ଗରାଜ ଜେଲଖାନାକୁ କୟଦୀ ହୋଇ ଯିବାପରେ ସେ ବାହାରି ଆସିଲା ଗୋବିନ୍ଦାକୁ ଧରି । ଫକୀରମୋହନ ପୁରୁଷକୁ ସବୁବେଳେ କୁଟୀଳା ନାରୀର ଅସହାୟ ଶୀକାର ରୂପରେ ଚିତ୍ରଣ କରିଅଛନ୍ତି । ଗୋବିନ୍ଦା ସୁଦ୍ଧା ଚମ୍ପା ସହିତ ଅଧଃପତନର ପଥରେ ବେଶୀ ଦୂର ଅଗ୍ରସର ହେବା ପାଇଁ ସାହସ ପାଇ ନାଇଁ ।

 

‘‘ଗୋବିନ୍ଦା–ନାଁ, ସେ କଥା ହବ ନାହିଁ, ମୁଁ ଗାଁକୁ ଯିବି, ଘରୁ ତେର ଦିନ ହେଲା ଖବର ପାଇ ନାହିଁ । ମୋ ମନ କିମିତି ଗୁଡ଼େଇ ପୁଡ଼େଇ ହେଉଛି, ନୋହିଲେ ମୋ ଭାଗ ଦିଅ, ମୁଁ ଯାଏଁ, ତୁମ୍ଭର ଯାହା ମନ କର ।

 

ଚମ୍ପା–ଭାଗ ? ଭାଗ କଣ ? ଭାଇ ଭାଗ ? ଆରେ ଯାହା କହନ୍ତି, ପଡ଼ୋଶୁଣୀ ପିଠା ଦେଖି ରବାଇ ଖବାଇ; ଘଷି ଫଡ଼ାରେ ଗୁଡ଼ ଲଗାଇ ଫଡ଼ ଫଡ଼ ଚୋବାଇ । X X X କହିଲୁ, ସାଆନ୍ତ ପହଡ଼ଘର କଣରେ ତିନି ଜାଗାରେ ସୁନା ଟଙ୍କା, କଳ ଟଙ୍କା, ସୁନା ଗହଣା ସବୁ ପୋତା ହୋଇଥିଲା, କିଏ ପୋତିଥିଲା ? ନିଶୂନ ରାତିରେ ମୁଁ ଗାତ ଖୋଳେ, ସାନ୍ତ ମୁଁ ଦୁହେଁ ପୋତୁ; ତୁ କ’ଣ ଜାଣିଥିଲୁ ? ଏ ସବୁ ମୋର ନା ଆଉ କାହାର ।

 

ଗୋବିନ୍ଦା–ଟଙ୍କା ତ ପୋତିଥିଲ, ସବୁ କରିଥିଲ, କଞ୍ଚି ନ ପାଇଥିଲେ କିଛି ପାଇ ଥାଆନ୍ତ କି ? କଞ୍ଚି ଆଣିବା ବୁଦ୍ଧି କିଏ କାଢ଼ିଲା ?

 

ଚମ୍ପା–ଏହିଁ କି ଏତେ–ନାଁ ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ ? ବଡ଼ ବୁଦ୍ଧିଟାଏ କାଢ଼ିଲାରେ ! ମତେ ଆଉ ବୁଦ୍ଧି ଆସନ୍ତା ନାହିଁ ! ଦେଖିଛୁ, ସେଦିନ ସାଆନ୍ତଙ୍କ ପଛେ ପଛେ ତତଲା ବାଲିରେ, ଦୁଇକୋଷ ବାଟ ଧାଇଁ ଧାଇଁ ଗୋଡ଼ରେ ଫୋଟକା ବାହାରି ପଡ଼ିଲା, କାନ୍ଦି କାନ୍ଦି ତୋଟି ବସିଗଲା, କହୁଛି କ’ଣ ନା ବୁଦ୍ଧି କହିଲି । ବୁଦ୍ଧିରେ ବୁଦ୍ଧି–ନା–ବଳେଇ ପଡ଼ି ଯାଉଛି କୁଦି । ଆଚ୍ଛା କହିଲୁ, ମୁଁ ଯେ ସେ ରାଣ୍ଡି ବ୍ରାହ୍ମଣୀ ସାଙ୍ଗରେ ସଙ୍ଗାତ ବସି, ରାତିଏ ରହି ତା ଘରୁ ଜମିର ସନନ୍ଦ ଆଡ଼ଖୁର ଭିତରୁ ଘେନି ଆସିଲି, ସେ ବୁଦ୍ଧି କ’ଣ ତୁ କହି ଦେଇଥିଲୁ ?’’

 

ଚମ୍ପାର ରାକ୍ଷସୀ ସ୍ୱରୂପ, ଏଇପରି ଭୀଷଣ, ଏଇପରି ନିର୍ମମ ।

 

ସାନ୍ତାଣୀ ଯଦି ଚାହିଁଥିଲେ ପ୍ରୀତିବିନମ୍ର ଅକପଟ ସ୍ନେହ ଓ ଶ୍ରଦ୍ଧା ଦେଇ ମଙ୍ଗରାଜଙ୍କୁ ଆପଣାର ଆୟତ୍ତ କରିବା ପାଇଁ, ଚମ୍ପା ଚାହିଁଥିଲା ତୀବ୍ର ହଳାହଳ ଦେଇ ମଙ୍ଗରାଜଙ୍କ ଚିନ୍ତାଶକ୍ତିକୁ ଜଡ଼ ଓ ଅଥର୍ବ କରି, ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପାଇଁ । କିନ୍ତୁ ମଙ୍ଗରାଜେ କୟଦୀ ହେଲେ । ଅନ୍ୟ କିଏ ତ ପୁଣି ଚମ୍ପାର ପ୍ରଭୁତ୍ୱ ସ୍ୱୀକାର କରିବା ପାଇଁ ଲୋଡ଼ା । ଚମ୍ପା ସବୁ ଦେବାପାଇଁ ପ୍ରସ୍ତୁତ–ତାର ଦେହ, ତାର ପାପାର୍ଜିତ ସଞ୍ଚୟ; କିନ୍ତୁ ବିନିମୟରେ ଚାହେଁ ଗ୍ରହୀତାକୁ କ୍ରୀତଦାସ କରିବା ପାଇଁ, ଅନୁଗତଠାରୁ ‘ସାନ୍ତାଣୀ’ର ସ୍ତୁତି ଶୁଣିବା ପାଇଁ । ତେଣୁ ବିରୂପା କୂଳେ, ଗୋପାଳପୁର ଘାଟରେ ଗୋପିଆ ଦୋକାନୀ, ଚମ୍ପାକୁ ‘ସାନ୍ତାଣୀ’ କହିଲା ବେଳେ ଚମ୍ପାର ଦେହରେ ଚନ୍ଦନ ବୋଳିଲା ପରି ଲାଗିଥିଲା । ସେ ଦିନେ ସାନ୍ତାଣୀ ଥିଲା, ଯେଉଁଠିକି ଯିବ ସେଠି ମଧ୍ୟ ସାନ୍ତାଣୀ ହେବ–ଏ ଆତ୍ମବିଶ୍ୱାସ ତାର ଆଉରି ଦୃଢ଼ୀଭୂତ ହୋଇଗଲା । ଗୋବିନ୍ଦା ମଧ୍ୟ ଚମ୍ପାକୁ ସାନ୍ତାଣୀ କହିବା ପାଇଁ ପ୍ରସ୍ତୁତ ଥିଲା, ଯଦି ସହଜରେ ଭାଗଟା ତାର ଏମିତି ବହଲାବହଲି କରି ମିଳିଯାଏ । ଭାଗ କ’ଣ ?–ଚମ୍ପା ତ ସର୍ବସ୍ୱ ଦେବା ପାଇଁ ପ୍ରସ୍ତୁତ ! କିନ୍ତୁ ଗୋବିନ୍ଦାର ଅସମ୍ମତିର ସୂଚନା ପାଇ, ଚମ୍ପା ନାରୀର ଶେଷ ଅସ୍ତ୍ର ମଧ୍ୟ ପ୍ରୟୋଗ କଲା–ଆତ୍ମଦାନର ଅଭିନୟ ! ‘‘ଚମ୍ପା ଅଳ୍ପ କାଳ ଛିଡ଼ା ହୋଇ କଣ ଭାବିଲା; ପାଖକୁ ଆସି ସାକୁଲେଇ ସାକୁଲେଇ କହିଲା, ‘ଦେଖ ଗୋବିନ୍ଦା, ତୁ ତ କହୁଛୁ, ନଈ ଆର ପାରି ଚାରିକୋଶ ବାଟରେ ତୋ ଘର, ହେଉ ଚାଲ କଟକକୁ ଚାଲ, ମୁଁ କିଛି ଟଙ୍କା ଦେବି । ତୁ ଘରେ ଦେଇ ଯିବୁ । ତୁ ଯଦି ମୋ କଥା ନ ଶୁଣୁ, ଟଙ୍କା ତ ଟଙ୍କା, ସୁନା ତ ସୁନା, କାଣୀ କଉଡ଼ି ଧୋଇ ପାଣି ଟୋପାଏ ?’’ ଏହା ସତ୍ୱେ, ଯେତେବେଳେ ଗୋବିନ୍ଦା ପକ୍ଷରୁ କୌଣସି ଆଶାଜନକ ସଙ୍କେତ ନ ପାଇଲା, ଚମ୍ପା ଚିତ୍କାର କରି ଉଠିଲା....‘ମଲା ଯା–ପୋଇଲାଙ୍କୁ ସାଆନ୍ତ କହିଲେ ମୁଣ୍ଡରେ ଚଢ଼ନ୍ତି !’ ଚମ୍ପାର ବିଷପାତ୍ର ଚହଲି ପଡ଼ିଲା । ଏଇଥର ସ୍ୱପ୍ରସ୍ତୁତ ବିଷ ନିଜକୁ ଭକ୍ଷଣ କରିବାର ପାଳି ଆସିଲା !

 

ତା’ପରେ । ନିଶୂତି ରାତି । ଝଡ଼ ଗର୍ଜୁଛି । ବିରୂପା ନଈରେ ବଢ଼ି ଗର୍ଜୁଛି । ଦୀପ ସଳିତା ଗର୍ଭ ଭିତରେ ଜଳୁଛି । ସେ ଏକ ଭୀଷଣ, ଭୟଙ୍କର ରାତି । ଗୋବିନ୍ଦାର ଭଣ୍ଡାରୀ ମୁଠି ଖୁରରେ ଚମ୍ପାର ଚରମ ଶାସ୍ତି ହୋଇଗଲା !

 

ଚିତ୍ରକଳା, ଚମ୍ପାର ଛାଞ୍ଚରେ ଗଢ଼ା ହୋଇଥିଲେ ସୁଦ୍ଧା, ଚମ୍ପା ପରି ଭୟଙ୍କରୀ ନୁହେଁ । ଚମ୍ପା ଯେପରି ନିରୀହା ଶାରିଆର ସର୍ବନାଶ କରିଥିଲା ଆତ୍ମିକତାର ଅଭିନୟ ଦେଖାଇ, ଚିତ୍ରକଳା ସେହିପରି ନରିପୁର ଉଆସରେ ମଧ୍ୟ ସରସ୍ୱତୀ ଦେବୀଙ୍କ ଠାରେ ଆତ୍ମିକତାର ଅଭିନୟ କରିଥିଲା । ଚିତ୍ରକଳା ମଧ୍ୟ ଚମ୍ପା ପରି ନଟବର ଦାସଙ୍କୁ ଅସ୍ତ୍ର କରି, ନିଜର ଅଭୀଷ୍ଟ ସିଦ୍ଧି ଉଦ୍ଦେଶ୍ୟରେ ଲାଗି ପଡ଼ିଥିଲା । ଚିତ୍ରକଳା ମଧ୍ୟ ନଟବର ଦାସଙ୍କୁ ଦେହଦାନ ଦେଇଥିଲା; କିନ୍ତୁ ସେ ଦେହ ହୁଏତ ଶୁଣ୍ଢି ପ୍ରଭୁଦୟାଲ୍‌ର ଉଚ୍ଛିଷ୍ଟାବଶେଷ ! ଚିତ୍ରକଳା ପରି ନାରୀ ବାସ୍ତବିକ ଭୀଷଣ ! ଦେହ ଦେଇ, ପୁରୁଷର ଆତ୍ମା କିଣିବା କେବଳ ଚିତ୍ରକଳା ପରି ନାରୀ ପକ୍ଷରେ ହିଁ ସମ୍ଭବ । ମଙ୍ଗରାଜଙ୍କ ପରି ନଟବର ଦାସ ମଧ୍ୟ ସ୍ୱକୃତ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କୟଦୀ ହେଲେ । ତା ପରେ ଆଉ କାହିଁ ଚିତ୍ରକଳା ? ନଟବରଙ୍କର ପାପାର୍ଜିତ, ନିଜର ବିଧବା ଭଉଣୀ ଚାନ୍ଦମଣିର ସର୍ବସ୍ୱ ଲୁଣ୍ଠନ କରି ସଞ୍ଚିତ ସମ୍ପଦ, ଚୋରି କରି ସେ ମଧ୍ୟ ଚମ୍ପା ପରି ବାଟ କାଟିଲା । କିନ୍ତୁ ସେ ବେଶୀ ଦୂର ଯାଇ ପାରିଲା ନାହିଁ । ପୁଲିସ ତଦାରଖୀରେ ସେ ଗିରଫ ହେଲା । ତାର ବିଚାର ହେଲା । କିନ୍ତୁ ଚମ୍ପା ତୁଳନାରେ ତାର ଅପରାଧର ଗୌଣତ୍ୱ ଦୃଷ୍ଟିରେ, ଚମ୍ପାର ଚରମ ଶାସ୍ତି ତାକୁ ମିଳିନାହିଁ । କେବଳ ପାଞ୍ଚ ବର୍ଷର ସଶ୍ରମ କାରାଦଣ୍ଡ, ତା ପ୍ରତି ଶାସ୍ତି ବିଧାନ ହେଲା !

 

‘ଛମାଣ ଆଠଗୁଣ୍ଠର’ ନାୟିକା ଚମ୍ପା; ‘ମାମୁ’ ର ନାୟିକା ଚିତ୍ରକଳା । ଚମ୍ପା ଓ ଚିତ୍ରକଳା ହୁଏତ ମନୁଷ୍ୟର ସର୍ବଗ୍ରାସୀ, ବିବେକଶୂନ୍ୟ, ବିଚାରହୀନ ମୂର୍ତ୍ତିମତୀ ଲୋଭ ! ମନୁଷ୍ୟ ଏଇ ପ୍ରଭାବରେ ପଡ଼ି, ଧ୍ୱଂସର ଯଜ୍ଞକୁଣ୍ଡରେ ନିଜର ବିବେକ, ବିଚାର, ହିତାହିତଜ୍ଞାନ, ଧର୍ମ, କର୍ମ ସବୁ ଆହୁତି ଦେଇ ସାରି ଯେତେବେଳେ ଚରୁ ପାଇଁ ହାତ ପାତି ବସେ, ସେତେବେଳେ ଦେଖେ ଚରୁ ନାହିଁ, ଅଛି ହଳାହଳ ! ଚମ୍ପାର ସୃଷ୍ଟି ଓଡ଼ିଆ ସାହିତ୍ୟରେ ଏକ ପରମ ବିସ୍ମୟ । ତୁଳନା ତାର କେବଳ ସେକ୍‌ସପିୟରଙ୍କର ‘ଲେଡ଼ି ମାକ୍‌ବେଥ୍‌’ !

Image

 

ଚରିତ୍ରଚିତ୍ରଣ

 

ଚରିତ୍ରଚିତ୍ରଣ ଫକୀରମୋହନଙ୍କ ଉପନ୍ୟାସରେ ଏକ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ । ଓଡ଼ିଆ ସାହିତ୍ୟର ଚରିତ୍ର-ଚିତ୍ରଶାଳାରେ, ତାଙ୍କର ରାମଚନ୍ଦ୍ର ମଙ୍ଗରାଜ, ଶାରିଆ; ଚମ୍ପା, ଚିତ୍ରକଳା ଓ ଚାନ୍ଦମଣି ପ୍ରଭୃତି ସୃଷ୍ଟି ଅକ୍ଷୟ ଓ ଅମଳିନ ହୋଇ ରହିବ । ଫକୀରମୋହନଙ୍କ ପୂର୍ବରୁ ଓ ପରେ ଆଉ କାହାରି, ଉପନ୍ୟାସ ଖାନ୍‌ଦାନ ବୁନିଆଦ ଘରର ବୋହୂ, ଭୂଆଷୁଣୀଙ୍କଠାରୁ ଆରମ୍ଭ କରି ଗାଁରେ ନିଆଶ୍ରୀ, ରାଣ୍ଡୀ, ଖଣ୍ଡି ଢିଙ୍କିକୁଟୁଣୀ ପର୍ଯ୍ୟନ୍ତ, ପୁଣି ପରସ୍ୱତ୍ୱଲୋଲୁପ, ଅର୍ଥଗୃଧ୍ର ଗାଉଁଲି ଜମିଦାରଠାରୁ ସର୍ବସ୍ୱାନ୍ତ ରଇତ ପର୍ଯ୍ୟନ୍ତ, ନାନା ଜୀବନ୍ତ ଚରିତ୍ରର ବିଚିତ୍ର କଳରବରେ ମୁଖରିତ ହୋଇନାହିଁ । ଏ ଚରିତ୍ରଗୁଡ଼ିକ ପୁଣି ଶତ ନିଷ୍ପେଷଣ, ଦୁର୍ଭାଗ୍ୟ ଓ ଦୁର୍ଯୋଗ ମଧ୍ୟରେ ନିପୀଡ଼ିତ ଓଡ଼ିଆର ଆଶା, ଆକାଂକ୍ଷା, ହସ, କାନ୍ଦ, ସୌଭାଗ୍ୟ, ଦୁଭାର୍ଗ୍ୟ, ଗୌରବ ଓ ଆପମାନର ଅତି ଅନ୍ତରଙ୍ଗ ପ୍ରତିରୂପ । ଯଥାର୍ଥରେ ତେଣୁ ଫକୀରମୋହନ ଓଡ଼ିଆର ଜାତୀୟ ଔପନ୍ୟାସିକ ।

 

ଫକୀରମୋହନଙ୍କ ଚରିତ୍ରଚିତ୍ରଣ ସମ୍ବନ୍ଧରେ କୌଣସି ଆଲୋଚନା ପୂର୍ବରୁ, ଉପନ୍ୟାସର ଇତିହାସରେ ଚରିତ୍ରଚିତ୍ରଣର ଉତ୍ପତ୍ତି ଓ ଅଭିବ୍ୟକ୍ତିର ଆଲୋଚନା ଅପ୍ରାସଙ୍ଗିକ ହେବ ନାହିଁ । ବସ୍ତୁତଃ ସାହିତ୍ୟର ପ୍ରଧାନ ବିଭାବ ରୂପେ ଉପନ୍ୟାସର ଉତ୍ପତ୍ତି ଆଧୁନିକ ସଭ୍ୟତାର ଏକ ସୃଷ୍ଟି । ଇଂରାଜୀ ସାହିତ୍ୟ କାହିଁକି ସମଗ୍ର ବିଶ୍ୱସାହିତ୍ୟରେ ଊନବିଂଶ ଶତାବ୍ଦୀ ଉପନ୍ୟାସ କ୍ଷେତ୍ରରେ ଏକ ସ୍ୱର୍ଣ୍ଣଯୁଗ । କିନ୍ତୁ ତାର ବହୁ ପୂର୍ବରୁ କଥା ସାହିତ୍ୟ ଥିଲା । କଥାର ସୃଷ୍ଟି ମଣିଷ ସମାଜର ସୃଷ୍ଟି ପରି ପ୍ରାଗୈତିହାସିକ । ମଣିଷର କଥାପ୍ରିୟତା କ୍ଷୁଧା ବା ପ୍ରଣୟ ପରି ଏକ ଆଦିମ ପ୍ରବୃତ୍ତି ।

 

କଥା....କଥା ପରେ କଥା । କଥା ସରିଗଲେ ଲଥା । ଲଥା ନ ଛିଣ୍ଡୁଣୁ ପୁଣି କଥା । ପ୍ରାଚୀନ ପୃଥିବୀ ଥିଲା କଥାମୟ । କଥା ଓ ମଣିଷ ଦୁହେଁ ସହଜାତ, ଯମଜ ।

 

ହେତୁବାଦି ମଣିଷର ଗୋଟିଏ ମୌଳିକ ପ୍ରକୃତି । ସୃଷ୍ଟିର ପ୍ରତ୍ୟେକ ବସ୍ତୁ, ପ୍ରତ୍ୟେକ ବିକାଶ ମଣିଷ ତାର ବୁଦ୍ଧିରେ କଳିବାକୁ ଚାହେଁ–ତାର ସବୁ ‘କଣ’ ଓ ‘କାହିଁକି’ର ସମାଧାନ ଲୋଡ଼ିବାକୁ ଚାହେଁ । ଏହି ଆଦିମ କୌତୂହଳ ଓ ଅନୁସନ୍ଧିତ୍ସାରୁ ସମାଜରେ ପ୍ରକାଶ ପାଇଥିଲା ନାନା ଦେବଦେବୀର କଳ୍ପନା । ସେ କଳ୍ପନା ଓ ଧାରଣାକୁ ପରିବ୍ୟାପ୍ତ ଓ ପ୍ରତିଷ୍ଠିତ କରିବା ପାଇଁ ସୃଷ୍ଟି ହୋଇଥିଲା କଥା । ସେ ସୁପ୍ରାଚୀନ, ପ୍ରାଗୈତିହାସିକ ସମାଜରେ, ସ୍ୱୟଂ ଧର୍ମପାଳ ଥିଲେ ହୁଏତ ନିଜେ କଥାକାର । ଋକ୍‌ବେଦରେ ତେଣୁ ସେଇ ପରମ୍ପରା ଅନୁସରଣରେ ହୁଏତ ଇନ୍ଦ୍ରଙ୍କୁ ‘କବି’ ବୋଲି କୀର୍ତ୍ତିତ କରାଯାଇଅଛି ।

 

ଭାରତର ଆଦିମ ଅଧିବାସୀମାନଙ୍କ ମଧ୍ୟରେ ଶ୍ରୁତି ଓ ପରମ୍ପରାରେ ପ୍ରଚଳିତ କେତେଗୋଟି ଗଳ୍ପ ଆଲୋଚନା କଲେ, ଏହା ସ୍ପଷ୍ଟ ହେବ । ମଶାର ସୃଷ୍ଟି ସମ୍ବନ୍ଧରେ, ବିଭିନ୍ନ ଆଦିମ ଅଧିବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଚଳିତ ଗଳ୍ପ ନିମ୍ନରେ ବିବୃତ ହେଉଅଛି :–

 

ବୀର୍‌ହୋର୍‌ମାନଙ୍କର ଗପ

 

ପାଗଳା, ଘରଉଦାସୀ ମହାଦେବଙ୍କର ଘରକଥା ଆଉ ମନେ ପଡ଼େ ନାହିଁ । କୋଉ ପର୍ବତ, କାନ୍ତାରରେ କୁଆଡେ ଯେ ବୁଲୁଛନ୍ତି ତାର ଠିକଣା ନାହିଁ, ପାର୍ବତୀ ଏଣେ ଅସ୍ଥିର । ଆସୁ ଏଥର ସେ ଗଞ୍ଜୋଡ ପାଗଳ ! କିନ୍ତୁ ଆସିଲେ ତ ! ଭୋଳାନାଥଙ୍କୁ ଖୋଜି ପ୍ରଥମେ ଘରମୁହାଁ କରିବାର ଉପାୟ କ’ଣ ? କି ଉପାୟ ଅଛି ? ଭାବି ଭାବି ସୂତାଖିଅକୁ ମାଜିଲା ପରି, ବୁଦ୍ଧିକୁ ମାଜିବା ପାଇଁ, ଦେହରୁ ଘଷି ଯେତେ ମଳି ଛଡ଼ାଇଲେ ବି ଉପାୟ ଦିଶେ ନାହିଁ । ତଳେ ସେତେବେଳକୁ ବୋଝେ ଦିହଉଂଛା ମଳି ଜମା ହୋଇଗଲାଣି । ଶେଷକୁ ଅନନ୍ୟୋପାୟ ହୋଇ ପାର୍ବତୀ ଦିହଘଷା ମଳି ଆଞ୍ଜୁଳାଏ ପବନରେ ଉଡ଼ାଇ ଦେଇ କହିଲେ,...‘‘ଯାରେ ମଳି, ପବନରେ ଉଡ଼ି ଉଡ଼ି ଯା, ପାଗଳା ମହାଦେବ ଯେଉଁଠି ଥିବ ଖୋଜି ଧରି ଆଣିବୁ ।’’ ମଳି ସବୁ ପବନରେ ସଙ୍ଗେ ସଙ୍ଗେ ମଶା ପାଲଟିଗଲେ । ବଣ, ଜଙ୍ଗଲରେ କେଉଁଠି ହୁଏତ କେଉଁ ବେଲଗଛ ଡାଳରେ, କି ତେନ୍ତୁଳି ଗଛର ପତ୍ର ଗହଳିରେ ପାର୍ବତୀ ଅତ୍ୟାଚାରିତ ମହାଦେବ ଆତ୍ମଗୋପନ କରିଥିଲେ । ଚାହୁଁ ଚାହୁଁ କୁଆଡ଼ୁ ପଲକୁ ପଲ ମଶା ମାଡ଼ିଆସି ତାଙ୍କୁ କାମୁଡ଼ି, ଝୁଣି ଅସ୍ଥିର କରି ପକାଇଲେ । ମଶା କାମୁଡ଼ାରେ ଅସ୍ତବ୍ୟସ୍ତ ହୋଇ ମହାଦେବ ଘରମୁହାଁ ଧାଇଁଲେ । ପଛେ ପଛେ ତାଙ୍କର ମଶାପଲ ଛୁଟିଥାନ୍ତି ।

 

...ଏଇ ହେଲା ମଶା ସୃଷ୍ଟିର କଥା ।

 

ସଉରାମାନଙ୍କର ଗପ

 

ସଉରାମାନଙ୍କ ମଧ୍ୟରେ, ଏ ସମ୍ବନ୍ଧରେ ପ୍ରଚଳିତ ଗଳ୍ପଟି ଆଉରି ମାନବିକ । ଥରେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଭାରୀ ଝଗଡ଼ା ଲାଗିଲା । ସ୍ୱାମୀ ନିର୍ଘାତ ପିଟିଲା ସ୍ତ୍ରୀକୁ । ସ୍ତ୍ରୀ ବିଚାରୀ ଅଭିମାନରେ, ଲୁହକୁ ସମ୍ବଳ କରି, ନ ଖାଇ ନପିଇ, ଘରୁ ବାହାରି ଆସି ପିଣ୍ଡାରେ ପଡ଼ି ରହିଲା । ରାଗ କମିବାରୁ ଧୀରେ ଧୀରେ ସ୍ୱାମୀର ମୁଣ୍ଡ ଥଣ୍ଡା ପଡ଼ି ଆସିଲା । ଆହା ସେ କ’ଣ କଲା ? ବିଚାରୀକୁ ରାଗ ମଥାରେ ଏତେ ଗୁଡ଼ାଏ ପିଟିଗଲା ! ତା’ପରେ ସ୍ତ୍ରୀକୁ ଶାନ୍ତ କରିବା ପାଇଁ, ସେ ନାନା ସାଧ୍ୟ ସାଧନା କଲା । କିନ୍ତୁ ଯେତେ ଯାହା ବୁଝାଇଲେ ବି ସ୍ତ୍ରୀ ବୁଝିବାର ପାତ୍ର ନୁହେଁ । ତିନିଦିନ ସେ ଅଖିଆ, ଅପିଆ ବାହାର ପିଣ୍ଡାରେ ସେମିତି ଖାଡ଼ା ଖାଡ଼ା ଓପାସ ପଡ଼ି ରହିଲା । ସ୍ୱାମୀ ଶେଷରେ ନିରୂପାୟ ହୋଇ ଦେବତା ପାଖରେ ଶରଣ ପଶି ଗୁହାରୀ ଜଣାଇଲା....‘‘କ’ଣ କରିବା ଦେବତା ? ଘର କରି ଏମିତି ହୁଏ ନାହିଁ କି ! ଆମ ଦିଜଣଙ୍କ ଭିତରେ କଥାରେ କଥାରେ ଟିକିଏ ଝଗଡ଼ା ଲାଗିଗଲା । ଝଗଡ଼ା ଲାଗିବାରୁ ତାକୁ ବୁହେ ଛେଚିଲି । ଏବେ ସେ ନଖାଇ ନପିଇ ଘରୁ ବାହାରି ଆସି ଦାଣ୍ଡରେ ତିନିଦିନ ହେଲା ଖାଡ଼ା ଖାଡ଼ା ଓପାସ ପଡ଼ିଛି । ଯେତେ ବୁଝାଇଲେ ବି ଆଉ ଘର ଭିତରକୁ ଆସିୁ ନାହିଁ । ଏବେ କି ବୁଦ୍ଧି କରିବି ବତା !’’ ଦେବତାଙ୍କ ପ୍ରାଣ ଏ ଗୁହାରିରେ ତରଳି ଗଲା ! ସେ ସବୁ ଶୁଣିସାରି କହିଲେ...‘‘ଭୟ ନାହିଁ’’ ବତ୍ସ, ନେ ଏ କୁଣ୍ଡା ମୁଠାକ ଧର । ମାଇପକୁ ରାମ୍ କି ବିଷ୍ଣୁ କହିବୁ ନାହିଁ । ଯେଉଁଠି ସେ ଶୋଇଥିବ, ସେଇଠି ଏ କୁଣ୍ଡା ମୁଠାକ ବିଞ୍ଚିଦେବୁ । ବୁଣିସାରି, ସାଙ୍ଗେ ସାଙ୍ଗେ ଘର ଭିତରକୁ ପଶିଯାଇ, ଭିତରୁ କବାଟଟା କିଳି ଦେବୁ । ତା ପରେ ସବୁ ଠିକ୍ ହୋଇଯିବ ।’’ ଦେବତା ଯେମିତି କହିଥିଲେ, ସ୍ୱାମୀଟି ଠିକ୍ ସେମିତି କୁଣ୍ଡା ମୁଠାକ ସ୍ତ୍ରୀ ଉପରେ ବିଞ୍ଚିଦେଇ ସାରି, ଘର ଭିତରେ ପଶି ଭିତରୁ କବାଟ କିଳିଦେଲା । ସେ କୁଣ୍ଡା ମୁଠାକ ସଙ୍ଗେ ସଙ୍ଗେ ପଲେ ମଶା ପାଲଟି ଗଲେ । ତା’ପରେ ଏମିତି କାମୁଡ଼ା ଲଗାଇଲେ ଯେ, ସେ ସ୍ତ୍ରୀ ଲୋକଟି ପ୍ରାଣ ବିକଳରେ ଘର ଭିତରକୁ ପଶି ଯିବା ପାଇଁ, ଦୁଆରେ ଧକ୍‍କା ପରେ ଧକ୍‍କା ମାରିଲା । ସ୍ୱାମୀ ସେଉଠୁ କେତେବେଳେକେ ହସି ହସି ଭିତରୁ କବାଟ ଫିଟାଇ ଦେଲା ।

 

...ଏଇ ହେଲା ସଉରା ସମାଜରେ ମଶାର ସୃଷ୍ଟି କଥା *

 

* ବିଶିଷ୍ଟ ନୃତତ୍ତ୍ୱବିତ୍ ଡକ୍ଟର ଭେରୀୟର୍ ଏଲ୍ ଉଇନଙ୍କ ଦ୍ୱାରା ସଂଗୃହୀତ ।

 

ଦାମ୍ପତ୍ୟ କଳହର ‘ମଧୁରେଣ ସମାପୟେତ୍’ ପାଇଁ ଯେପରି ସୃଷ୍ଟିର ଅପସୃଷ୍ଟି ଏଇ ମଶାମାନଙ୍କର ସୃଷ୍ଟି । ମଶାର ସୃଷ୍ଟି ସମ୍ବନ୍ଧରେ ଏହିପରି ବହୁ ଗଳ୍ପ, ବହୁ ଆଦିମ ଅଧିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ଅଛି । ଏଠାରେ ଅତି ପ୍ରାଚୀନ ଗଳ୍ପର ନମୁନା ସ୍ୱରୂପ ଉକ୍ତ ଦୁଇଗୋଟି ଗଳ୍ପ ବିବୃତ ହୋଇଅଛି ।

 

ରହସ୍ୟମୟ ସୃଷ୍ଟିର ପ୍ରତ୍ୟେକ ରହସ୍ୟ ଉଦ୍‍ଘାଟନ କରିବା ପାଇଁ ମଣିଷ କଥାର ସୃଷ୍ଟି କରିଥିଲା । ତେଣୁ କଥା ବା ଘଟଣା ଥିଲା କାହାଣୀର ପ୍ରାଣ । ସେ କଥା, ଅଛିଣ୍ଡା, ତାର ଶେଷ ନାହିଁ । ଉଜୀର-ନନ୍ଦିନୀ ସାରଜାଦ୍ କଥା କହି କହି, ଏକ ହଜାର ଏକ ଆରବ୍ୟ-ରଜନୀ’’ ପୁହାଇ ଦେଲା ସିନା, କଥା ସରି ନାହିଁ ।

 

ଏ କଥାଗୁଡ଼ିକ ଅତି ଆଦିମ । ଏଥିରେ ଚରିତ୍ରଚିତ୍ରଣ ନାହିଁ, ନୀତିବାଦ ନାହିଁ, ଆଦର୍ଶ ନାହିଁ, ଖାଲି ଘଟଣା ପରେ ଘଟଣାର ସମାବେଶ । କଥା ପାଇଁ ଖାଲି ଘଟଣାହିଁ ଯଥେଷ୍ଟ । ତେଣୁ କଥାରେ ଘଟଣା ସୃଷ୍ଟି ପାଇଁ, ପଶୁ ପକ୍ଷୀ, ସୁଦ୍ଧା ଗଳ୍ପର ନାୟକ, ନାୟିକା ହେବାରେ କିଛି ଅଟକିଲା ନାହିଁ । ମଣିଷ ସମାଜର ସେ ଆଦିମ ଶୈଶବ, ଏବେ ସୁଦ୍ଧା ଶିଶୁ ଭିତରେ ବଞ୍ଚି ରହିଛି ! କ୍ରମେ ଏଇପରି କଥାଶୁଣା ମାନବ ସମାଜ ଶୈଶବ ଡେଇଁ କୈଶୋରରେ ପଦାର୍ପଣ କଲା । କ’ଣ ଘଟିଲା ନୁହେଁ, କାହିଁକି ଘଟିଲା, କିପରି ଘଟିଲା, କାହାକୁ କେନ୍ଦ୍ର କରି ଘଟିଲା, ଇତ୍ୟାଦି ନାନା ପ୍ରଶ୍ନ ମଣିଷ ମନରେ ଉଠିଲା । କଥାସୃଷ୍ଟି ମଣିଷର ସମାଜ ପରି ଜଟିଳରୁ ଜଟିଳତର ହୋଇଗଲା । କଥାରେ ପ୍ଲଟ ଆସିଲା, ତା ପରେ ଆସିଲା ଚରିତ୍ରଚିତ୍ରଣ । ନୀତିବାଦ ବା ଆଦର୍ଶ ହୋଇଗଲା କଥାର ପ୍ରାଣ-। କ୍ରମେ ନୀତିବାଦ ବା ଆଦର୍ଶ ଗୌଣ ହୋଇ, ଚରିତ୍ରଚିତ୍ରଣଟା ହୋଇଗଲା ମୁଖ୍ୟ-। ତେବେ ଚରିତ୍ରଚିତ୍ରଣ, ଏକ ସ୍ୱତନ୍ତ୍ର କଳା ଓ ଉପନ୍ୟାସ ବା କଥା ସାହିତ୍ୟରେ ଏକ ବିଶିଷ୍ଟ ଶୈଳୀ ହିସାବରେ ଇଂରାଜୀ ସାହିତ୍ୟରେ ଭିକ୍ଟୋରିଆ ଯୁଗର ଔପନ୍ୟାସିକମାନଙ୍କଠାରେ ଆରମ୍ଭ ।

 

ବିଶ୍ୱ ସାହିତ୍ୟ ଆଲୋଚନା କଲେ ଦେଖାଯିବ, ପ୍ରତ୍ୟେକ ଯୁଗର ଗୋଟିଏ ଗୋଟିଏ ବିଶିଷ୍ଟ ସାହିତ୍ୟିକ ମାଧ୍ୟମ ଥିଲା । ପ୍ରଥମେ କାହାଣୀ, ତାପରେ ପୌରାଣିକ କାବ୍ୟ ବା ଏପିକ୍, ତାପରେ ନାଟକ ଓ ଶେଷରେ ଉପନ୍ୟାସ ଏଲିଜାବେଥ୍ ଯୁଗରେ ‘ହାମଲେଟ୍’ ପରି ଟ୍ରାଜେଡ଼ୀ ରଚିତ ହେଉଥିଲାବେଳେ, ଉନ୍ନତକୋଟୀର ଖଣ୍ଡେ ଉପନ୍ୟାସ ଲେଖା ହୋଇ ପାରୁ ନଥିଲା । ସାର୍ ଫିଲପ୍ ସିଡ଼ନୀଙ୍କ ରୋମାନ୍‍ସଗୁଡ଼ିକୁ ଏଲିଜାବେଥ୍ ଯୁଗର ନିକୃଷ୍ଟତମ ନାଟକ ସହିତ ସୁଦ୍ଧା ତୁଳନା କରା ଯାଇ ନ ପାରେ ! ସେହିପରି ଭିକ୍ଟୋରିୟା ଯୁଗରେ ଉପନ୍ୟାସର ଉତ୍କର୍ଷ ସହିତ, ନାଟକର ଉତ୍କର୍ଷ ତୁଳନା କରାଯାଇ ନ ପାରେ । ଆଜି ଓଡ଼ିଶାରେ କାବ୍ୟ ଲେଖିବା ପାଇଁ କେହି କେହି ଉଦ୍ୟମ କରୁଥିଲେହେଁ, ରାଧାନାଥଙ୍କ ‘ମହାଯାତ୍ରା’ ପରି ଆଉ ଗୋଟିଏ କାବ୍ୟସୃଷ୍ଟି ସମ୍ଭବ ହୋଇ ପାରିବ କି ?

 

ତେଣୁ ଉପନ୍ୟାସରେ ଚରିତ୍ରଚିତ୍ରଣ ଏକ ସ୍ୱତନ୍ତ୍ର ଶୈଳୀ ଓ କଳା ରୂପେ ପ୍ରତିଷ୍ଠିତ ହେବା ପୂର୍ବରୁ ନାଟକରେ ଏହା ପ୍ରତିଷ୍ଠିତ ହୋଇ ସାରିଥିଲା । କାରଣ ସାହିତ୍ୟ କ୍ଷେତ୍ରରେ ଉପନ୍ୟାସର ବହୁ ପୂର୍ବରୁ ନାଟକର ଆବିର୍ଭାବ ହୋଇ ସାରିଥିଲା । ସପ୍ତଦଶ ଶତାବ୍ଦୀରେ ‘‘Character’’ ବା ‘ଚରିତ୍ର’ ବୋଲି ଗୋଟିଏ ନୂତନ ଧରଣର ଲେଖା ପ୍ରକାଶ ପାଇଲା । * ଏହା ଠିକ୍ ଗଳ୍ପ ବା ଉପନ୍ୟାସ ନହେଲେ ହେଁ ସେହି ଶ୍ରେଣୀର । ଏଥିରେ କୌଣସି ଘଟଣା ନଥିଲା, ଗଳ୍ପାଂଶ ନଥିଲା ବା ସଂଘର୍ଷ (conflict) ଓ ପରିଣତି (climax) ଇତ୍ୟାଦି ଅନ୍ୟ ଉପାଦାନମାନ ନଥିଲା । କେବଳ ଚରିତ୍ରଚିତ୍ରଣ ଏଗୁଡ଼ିକର ଥିଲା ମୂଳ ଓ ପ୍ରଧାନ ଉଦ୍ଦେଶ୍ୟ । ପରବର୍ତ୍ତୀ କାଳରେ ଇଂରାଜୀ ସାହିତ୍ୟରେ ଆଡ଼ିସନ୍ (Addition) ଓ ଷ୍ଟୀଲ (Steele) ଙ୍କ ହାତରେ ଏହା ଗଦ୍ୟ ସାହିତ୍ୟର ଏକ ଅପୂର୍ବ, ଅନବଦ୍ୟ କୃତିତ୍ୱ ରୂପେ ପ୍ରତିଷ୍ଠିତ ହୋଇ ପାରିଥିଲା । ଓଡ଼ିଆରେ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଓ ‘ବାଇ ମାହାନ୍ତିଙ୍କ ପାଞ୍ଜି’ ପ୍ରଭୃତି ଗ୍ରନ୍ଥରେ ଏ ପ୍ରକାର ରଚନାର ବହୁ ଉତ୍କୃଷ୍ଟ ନିଦର୍ଶନ ରହିଅଛି । ଏବେ ‘ଝଙ୍କାର’ରେ ପ୍ରକାଶିତ ଶ୍ରୀ କୃଷ୍ଣପ୍ରସାଦ ବସୁଙ୍କ ‘ଆଖଡ଼ାଘରେ ବୈଠକ’ର ସନ୍ଦର୍ଭଗୁଡ଼ିକ ସେହି ଶୈଳୀ ଅନୁସରଣରେ ଲିଖିତ । ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟରେ, କୃଷ୍ଣପ୍ରସାଦଙ୍କ ସ୍ଥାନ ଏହି ସନ୍ଦର୍ଭଗୁଡ଼ିକ ଯେ ସୁରକ୍ଷିତ କରିବ, ସନ୍ଦେହ ନାହିଁ । ସେ ଯାହା ହେଉ ଏହାର ବହୁ ପରେ ଊନବିଂଶ ଶତାବ୍ଦୀର ପ୍ରଥମ ପାଦ ବେଳକୁ, ଇଂରାଜୀ ଉପନ୍ୟାସରେ ଚରିତ୍ରଚିତ୍ରଣ ଏକ ବିଶିଷ୍ଟ ଅଙ୍ଗ ରୂପେ ବିବେଚିତ ହୋଇଥିଲା । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ଭିକ୍ଟୋରିଆ ଯୁଗର ଉପନ୍ୟାସ–ରୀତି ଅନୁକରଣରେ ମୁଖ୍ୟତଃ ଥିଲା ଚରିତ୍ର ପ୍ରଧାନ । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକର ପ୍ରତ୍ୟେକ ପରିଚ୍ଛେଦ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଚରିତ୍ର ବା ପରିସ୍ଥିତି (situation) ଅବଲମ୍ବନ କରି ରଚିତ ହୋଇଥିଲା । ଏଗୁଡ଼ିକ ପରସ୍ପରଠାରୁ ସ୍ୱତନ୍ତ୍ର ଥିଲେହେଁ, ଭବିତବ୍ୟ ବା ନିର୍ଦ୍ଦିଷ୍ଟ ପରିଣତିର ସୂତ୍ରରେ ଏ ବିଚ୍ଛିନ୍ନାଂଶଗୁଡ଼ିକ ଏକତ୍ର ଗ୍ରଥିତ ହୋଇଥିଲା । ବସ୍ତୁତଃ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକୁ, ଇଂରାଜୀ ସାହିତ୍ୟରେ ସପ୍ତଦଶ ଶତାବ୍ଦୀର ‘Character’ ସହିତ ଖୁବ୍ ତୁଳନା କରାଯାଇପାରେ । ପୁଣି ଫକୀରମୋହନଙ୍କ ଦୃଷ୍ଟିରେ ଚରିତ୍ରଚିତ୍ରଣ ଏପରି ମୁଖ୍ୟ ଥିଲା ଯେ, ଅନେକ କ୍ଷେତ୍ରରେ ଚରିତ୍ରଚିତ୍ରଣ ପାଇଁ ସେ ପ୍ଲଟ ବା କଥାବସ୍ତୁ ନିୟନ୍ତ୍ରଣ କରିଅଛନ୍ତି । ଚରିତ୍ର–ପ୍ରଧାନ ଉପନ୍ୟାସର ତାହାହିଁ ଲକ୍ଷଣ । ଗଳ୍ପ ଚରିତ୍ରକୁ ଅନୁସରଣ କରେ; ଐତିହାସିକ ବା ଘଟଣା-ପ୍ରଧାନ ଉପନ୍ୟାସ ପରି ଚରିତ୍ର ଗଳ୍ପକୁ ଅନୁସରଣ କରେ ନାହିଁ । *

 

* Prose Fiction,–(Harvard's Classies–Lectures) ପୃ ୨୦୩ ଦ୍ରଷ୍ଟବ୍ୟ

 

* ଫକୀରମୋହନଙ୍କ ଚରିତ୍ର-ଚିତ୍ରଣ ସମ୍ପର୍କରେ ଆଉ କେତେକ ଅଧିକ କଥା ପାଇଁ ଲେଖକଙ୍କର ‘‘ଫକୀରମୋହନ’’ ଦ୍ରଷ୍ଟବ୍ୟ ।

 

ବିଖ୍ୟାତ ସମାଲୋଚକ ଫରଷ୍ଟର୍ (E.M. Forster), ଚରିତ୍ରଗୁଡ଼ିକୁ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରିଅଛନ୍ତି; ଫ୍ଲାଟ୍ ବା ସରଳ ଓ ରାଉଣ୍ଡ୍ ବା ବକ୍ର । ଫ୍ଲାଟ୍ ବା ସରଳ ଚରିତ୍ରକୁ ‘ଟାଇପ୍’ ଚରିତ୍ର ମଧ୍ୟ କୁହାଯାଏ । ପଦେ ପଦେ କଥାରେ ସେମାନଙ୍କର ସ୍ୱରୂପ ବା ଚରିତ୍ର ସ୍ପଷ୍ଟ ଭାବରେ ପ୍ରକଟିତ ହୋଇଥାଏ । ଉଦାହରଣ ସ୍ୱରୂପ ‘‘ମାମୁ’’ ଉପନ୍ୟାସରେ ରାଘବ ବା ‘ରାଘୋ’ର ଚରିତ୍ର ଧରାଯାଉ । ରାଘୋ, ଗୋଟିଏ ନିପଟ ମଫସଲି ମୂର୍ଖ । ତାର ପୁଣି ସଉକ୍ କରିବାର, ବଡ଼ଲୋକ ହେବାର ଗୋଟିଏ ନିର୍ବୋଧ ଲାଳସା ଅଛି । ଚତୁରୀ ଚିତ୍ରକଳା ଏଇ ରାଘବକୁ ହାତ କରି, ନଟବର ଦାସଙ୍କ ସିନ୍ଦୁକରୁ ନାଜରଖାନାର ତହବିଲ ତୋସରଫ୍ କରିଥିଲା । ରାଘବ ଗୋଟିଏ ଟାଇପ୍–ଚରିତ୍ର; କାରଣ ସେ, ତା ପରି ଆଉରି ହଜାର ହଜାର ଜଣଙ୍କ ମଧ୍ୟରୁ ଜଣେ ମାତ୍ର । ଏଇପରି ଚରିତ୍ରର ଫର୍ମା ଭିତରେ ତାର ବ୍ୟକ୍ତିତ୍ୱ, ଚିନ୍ତା ଓ କ୍ରିୟା ସବୁ କି ବନ୍ଧା ହୋଇଛି ! ତା ଜୀବନରେ ଅନ୍ୟ କୌଣସି ପରିଣତିର ସମ୍ଭାବନା ନାହିଁ । ଏ ପ୍ରକାର ଚରିତ୍ରଗୁଡ଼ିକ ସାଧାରଣତଃ ଗୋଟିଏ ଗୋଟିଏ ଆଦର୍ଶ ବା ଜୀବନର ଗୋଟିଏ ବିଭାବ । ଚମ୍ପା ଓ ଚିତ୍ରକଳା ସେହିପରି ଗୋଟିଏ ଗୋଟିଏ ଟାଇପ୍-ଚରିତ୍ର ! ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକରେ ଅଧିକାଂଶ ମୁଖ୍ୟ ଚରିତ୍ର ଓ ପ୍ରାୟ ସମସ୍ତ ଗୌଣ ଚରିତ୍ର, ଏହି ଶ୍ରେଣୀର । ‘ଛମାଣ ଆଠଗୁଣ୍ଠ’ର ରାମଚନ୍ଦ୍ର ମଙ୍ଗରାଜ ମହାଲୋଭୀ ଅର୍ଥଗୃଧ୍ର, କୃପଣ । ପରସ୍ୱତ୍ୱ ଅପହରଣ କରିବାରେ ତାଙ୍କର ଧର୍ମାଧର୍ମ ବା ନ୍ୟାୟାନ୍ୟାୟ ବିଚାର ନଥାଏ । ‘‘ଛମାଣ ଆଠଗୁଣ୍ଠ’’ ଉପନ୍ୟାସର ଭିତ୍ତି ମଙ୍ଗରାଜଙ୍କର ଏହି ସର୍ବଗ୍ରାସୀ ଲୋଭ ଉପରେ ପର୍ଯ୍ୟବେସିତ । ଫକୀରମୋହନ ପଦେ କଥାରେ ଏହା ଆରମ୍ଭରୁ ସ୍ପଷ୍ଟ କରି ଦେଇଛନ୍ତି । ଆଲୋଚିତ ଉପନ୍ୟାସର ତୃତୀୟ ପରିଚ୍ଛେଦ ଆରମ୍ଭରେ ମଙ୍ଗରାଜଙ୍କ ‘ନଅର’ର ବର୍ଣ୍ଣନା ସମ୍ପର୍କରେ ଫକୀରମୋହନ ଉଲ୍ଲେଖ କରି ଅଛନ୍ତି...‘‘ ମଙ୍ଗରାଜଙ୍କ ନଅର ଦେଖି, କେହି କେହି ଅନଭିଜ୍ଞ ଲୋକ ଅନୁମାନ କରି ପାରନ୍ତି ଏହା ଗୋଟିଏ ଅଦାଲତର ବି. ଏଲ୍. ପାଶୀୟା ଓକିଲଙ୍କ ଘର–ବାଷଠୀ ଘର ଭଗ୍ନାଂଶର ସମଷ୍ଟି ।’’ ଅର୍ଥାତ୍ ଗାଁର ଆଉ ସମସ୍ତଙ୍କ ଘର ଭଙ୍ଗା ହୋଇ ପଶିଛି ମଙ୍ଗରାଜଙ୍କ ଘରେ । ପରସ୍ଵତ୍ଵ ଅପହରଣ କରି ମଙ୍ଗରାଜଙ୍କ ନଅର ଫତେପୁର ଗାଁର ଭଙ୍ଗା କୁଡ଼ିଆ ଗୁଡ଼ାକ ଭିତରେ ମୁଣ୍ଡ ଟେକି ଠିଆ ହୋଇଛି । ମଙ୍ଗରାଜ ପୁଣି ଏକା ନୁହନ୍ତି । ତାଙ୍କ ପରି ଆଉରି ହଜାର ହଜାର ଆମ ଦେଶର ଗାଁ ଗହଳରେ ଅଛନ୍ତି । କେତେ ଡ଼ିଅ ତାଡ଼ି ଯେ ଏମାନେ ବାଇଗଣ ଚାଷ କରନ୍ତି, ତାର କାହାଣୀ ଯେତିକି ମର୍ମନ୍ତୁଦ, ସେତିକି କରୁଣ । ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ସବୁ ଜଣାପଡ଼ିବା ପରି, ଜଣେ ରାମଚନ୍ଦ୍ର ମଙ୍ଗରାଜଙ୍କୁ ଚିହ୍ନିଲେ, ସେମାନଙ୍କ ଗୋଷ୍ଠୀକୁ ଚିହ୍ନିବାରେ ଆଉ ଅସୁବିଧା ନଥାଏ । ସେହିପରି ‘ମାମୁ’ ଉପନ୍ୟାସରେ, ସବୁ ଦୁର୍ଯୋଗ, ଦୁର୍ଗତି ମୂଳରେ ଅଛନ୍ତି ନଟବର । ତାଙ୍କ ଚରିତ୍ର ମଙ୍ଗରାଜଙ୍କ ପରି ଏକ ଦୁବୃର୍ତ୍ତ ଚରିତ୍ର; ପାର୍ଥକ୍ୟ ଭିତରେ ମଙ୍ଗରାଜେ ମଫସଲୀ ଦୁବୃର୍ତ୍ତ ଆଉ ନଟବର ସହରୀ ଦୁବୃର୍ତ୍ତ । ଫକୀରମୋହନ ଦାଶରଥୀ ଦାସଙ୍କ ପରିବାର ସଂକ୍ରାନ୍ତରେ, ଗୋଟିଏ ବାକ୍ୟରେ ନଟବରଙ୍କ ଚରିତ୍ର ପ୍ରକାଶ କରିଅଛନ୍ତି...‘‘କନିଷ୍ଠ ନଟବର ମେଧାବୀ, ଶିକ୍ଷା ବିଷୟରେ ତତ୍ପର, ଧୂର୍ତ୍ତ, ବିଳାସୀ–ଏହି ପିଲା କାଳରେ ମଧ୍ୟ କୃପଣ ସ୍ୱଭାବର ପରିଚୟ ମିଳିଲାଣି ।’’

 

E. M. Forster–‘ Aspects of the Novel ’ ପୃ ୯୪ ଦ୍ରଷ୍ଟବ୍ୟ ।

 

ଇଂରାଜୀ ସାହିତ୍ୟରେ ଫକୀରମୋହନଙ୍କ ସମସାମୟିକ ଭିକ୍ଟୋରିଆ ଯୁଗର ଔପନ୍ୟାସିକମାନଙ୍କର ଉପନ୍ୟାସଗୁଡ଼ିକରେ ଏହିପରି ଫ୍ଲାଟ୍ ବା ସରଳ ଚରିତ୍ରଗୁଡ଼ିକର ବହୁଳତା ବେଶ୍ ଲକ୍ଷ୍ୟ କରାଯାଇ ପାରେ । କାରଣ ସେତେବେଳ ପର୍ଯ୍ୟନ୍ତ ମନସ୍ତତ୍ୱ ଓ ମନସମୀକ୍ଷା ଏକ ନିର୍ଦ୍ଦିଷ୍ଟ ବିଜ୍ଞାନ ରୂପେ ପ୍ରତିଷ୍ଠିତ ହୋଇ ନଥିଲା । ମଣିଷ ଏତେ ଜଟୀଳ ଯେ, ପଦେ କଥାରେ ବା ଗୋଟିଏ ଘଟଣାରେ ତାର ପରିଚୟ ମିଳିବ ନାହିଁ । ରଜ, ତମ ଓ ସତ୍ୱ ଏହି ତିନି ଗୁଣର ସମଷ୍ଟିରେ ପ୍ରକୃତି । ମନୁଷ୍ୟ ଚରିତ୍ରରେ ମଧ୍ୟ ସେଇ କଥା । ସେଥିପାଇଁ ଦସ୍ୟୁ ରତ୍ନାକର ସୁଦ୍ଧା ମହର୍ଷି ବାଳ୍ମୀକି ହୋଇ ପାରନ୍ତି, ପୁଣି ପ୍ରତ୍ୟେକ ମହର୍ଷି ବାଲ୍ମିକୀଙ୍କର ଅତୀତ ହୁଏତ ଦସ୍ୟୁ ରତ୍ନାକରର ଅତୀତ ହୋଇ ଥାଇ ପାରେ । ଚଣ୍ଡାଶୋକର ପରିଣତି ମଧ୍ୟ ଧର୍ମାଶୋକ ହୋଇପାରେ । ସେଇଥିପାଇଁ ମନସ୍ତତ କହେ, ମଣିଷ ଗୋଟିଏ ନଈର ସୁଅ ପରି, କେତେବେଳେ କେଉଠି ଶାନ୍ତ, ସୁଶୀତଳ ଓ ସୁନ୍ଦର, ପୁଣି ଆଉ କେଉଁଠି ବା ଅଶାନ୍ତ, ଦୁର୍ବିନୀତ ଓ ଭୟଙ୍କର ! ଯେଉଁ ମଣିଷ ଏକ ସମୟରେ ପରମ ଶୌର୍ଯ୍ୟ ଓ ମହତ୍ୱର ପରିଚୟ ଦିଏ, ସେହି ମଣିଷ ପୁଣି ଅନ୍ୟ ଏକ ସମୟରେ ଚରମହୀନତା ଓ କାପୁରୁଷତାର ପରିଚୟ ଦେବା ଅସମ୍ଭବ ନୁହେଁ । ସରଳ ବା ‘‘ଫ୍ଲାଟ୍’’ ଚରିତ୍ର ଏଇଠି ‘‘ରାଉଣ୍ଡ’’ ବା ବକ୍ରତାଆଡ଼େ ଗତି କରେ । କିନ୍ତୁ ସରଳ ଚରିତ୍ର ପରି ବକ୍ର ଚରିତ୍ର ଏତେ ଜୀବନ୍ତ ବା ପୁଷ୍କଳ ନୁହେଁ । ଅଥଚ ମନସମୀକ୍ଷା ଆଧୁନିକ ଉପନ୍ୟାସର ଏକ ବିଶିଷ୍ଟ ଅଙ୍ଗ ରୂପ ଗୃହୀତ ହେଲା ପରେ ଉପନ୍ୟାସରେ ଜୀବନ୍ତ ଚରିତ୍ରଚିତ୍ରଣ ଆଉ ମିଳୁ ନାହିଁ । ଉପନ୍ୟାସ ହିସାବରେ ଡିକେନସଙ୍କ ‘ଅଲିଭର ଟୁଇଷ୍ଟ’ ଠାରୁ ଜୟେସ୍‍ଙ୍କ ‘ଉଲିସେସ୍’ ଅଧିକ ଉପାଦେୟ ହୋଇପାରେ, ମାତ୍ର ଡିକେନ୍‍ସଙ୍କ ଚରିତ୍ରଚିତ୍ରଣର ଚମତ୍କାରିତା ଜୟେସଙ୍କଠାରେ ମିଳିବ ନାହିଁ । ଗୋପୀନାଥଙ୍କ ‘ପରଜା’ ଓଡ଼ିଆ ଉପନ୍ୟାସର ଗତି ପଥରେ ଏକ ମାଇଲଖୁଣ୍ଟ, ଏକ ଦୂରତ୍ଵ ନିର୍ଣ୍ଣୟକ ଶଙ୍କୁ ସନ୍ଦେହ ନାହିଁ । ମାତ୍ର ‘ଛମାଣ ଆଠଗୁଣ୍ଠ’ର ଚରିତ୍ରଚିତ୍ରଣ ‘ପରଜା’ରେ ମିଳିବା ଅସମ୍ଭବ ।

 

ଏ ପ୍ରକାର ସରଳ ଚରିତ୍ରକୁ ସମାଲୋଚକମାନେ ‘ହିଉମରସ୍’ (Humours) ଆଖ୍ୟା ଦେଇ ଅଛନ୍ତି । ଏଲିଜାବେଥ୍ ଯୁଗର ନାଟ୍ୟକାରମାନେ, ଏଇପରି ଚରିତ୍ରମାନଙ୍କୁ ଅବଲମ୍ବନ କରି ନାଟକ ରଚନା କରିଥିଲେ । ଧର୍ମର ଜୟ, ଅଧର୍ମର ପରାଜୟ, ପୁଣ୍ୟବାନକୁ ପୁରସ୍କାର ପୁଣି ପାପୀକୁ ଦଣ୍ଡ ଏ କାହାଣୀ ବା ନାଟକଗୁଡ଼ିକର ଚିରାଚରିତ ଉପସଂହାର ଥିଲା ।

 

ପୃଥିବୀରେ ଦଳେ ନିର୍ଘାତ ପାଷଣ୍ଡ ଓ ଆଉ ଦଳେ ଅତି ନିରୀହ ସାଧୁ...ଏଲିଜାବେଥ୍ ଯୁଗର ନାଟ୍ୟକାର ଓ ଭିକ୍ଟୋରିଆ ଯୁଗର ଔପନ୍ୟାସିକମାନଙ୍କର ମନୁଷ୍ୟ ସମାଜ ସମ୍ବନ୍ଧରେ ଏକ ଅତି ସହଜ ଧାରଣା ଥିଲା । ମନୁଷ୍ୟ କିନ୍ତୁ ଅବସ୍ଥାର ଦାସ । ପାରିପାର୍ଶ୍ୱିକ ପରିସ୍ଥିତି ମନୁଷ୍ୟର ଚରିତ୍ର ଗଠନ ଉପରେ ଯଥେଷ୍ଟ ପ୍ରଭାବ ବିସ୍ତାର କରେ । କେତେକ ବିଶେଷ ପରିସ୍ଥିତିରେ ଯେଉଁ ମନୁଷ୍ୟ, ଅତି ନୀଚ ଓ ହୀନ ପାଷଣ୍ଡ ହୋଇଛି, ପରିବର୍ତ୍ତିତ ପରିସ୍ଥିତିରେ ସେହି ମନୁଷ୍ୟ ଉଦାର ଓ ମହତ ହେବାର ସମ୍ଭାବନା ଯେ ନାହିଁ ନୁହେଁ । ସମାଜ ମନୁଷ୍ୟର ସୃଷ୍ଟି ଯେତିକି ସତ, ମନୁଷ୍ୟ ମଧ୍ୟ ସମାଜର ସୃଷ୍ଟି ସେତିକି ସତ; ବସ୍ତୁତଃ ସମାଜ ଓ ମନୁଷ୍ୟ ପରସ୍ପରସମ୍ବନ୍ଧୀ । ତେଣୁ ଭିକ୍ଟୋରିଆ ଯୁଗର ପରବର୍ତ୍ତୀ ‘‘ଏଡ଼ଓ୍ୟାର୍ଡ଼ିଆନ୍’’ ଯୁଗର ଉପନ୍ୟାସମାନଙ୍କର ମୂଳଭିତ୍ତି ହେଲା କାହାଣୀ, ବା ଚରିତ୍ରଚିତ୍ରଣ ନୁହେଁ–ଆଦର୍ଶ ଓ ନୀତିବାଦ । ସମାଜ ଜୀବନକୁ ନିର୍ମଳ ଓ ନିର୍ଦ୍ଦୋଷ କରିବା ହେଲା, ଏ ଯୁଗର ଔପନ୍ୟାସିକମାନଙ୍କର ପ୍ରଧାନ ଲକ୍ଷ୍ୟ । ଔପନ୍ୟାସିକମାନେ ନିଜ ନିଜର ନୀତିବାଦକୁ ପ୍ରକାଶିତ ଓ ପ୍ରତିଷ୍ଠିତ କରିବା ପାଇଁ ଚରିତ୍ରମାନ ସୃଷ୍ଟି କଲେ । ସେ ଚରିତ୍ରଗୁଡ଼ିକ ସହିତ ଖାପ ଖାଇଲା ଭଳି ଘଟଣାମାନଙ୍କର ମଧ୍ୟ ଅବତାରଣା କରାଗଲା । ଉଦାହରଣ ସ୍ୱରୂପ ଏଚ୍. ଜି. ଉଏଲସ୍‍ଙ୍କର ‘‘History of Mr–Polly’’ ଉପନ୍ୟାସ । ଉପନ୍ୟାସର ଆରମ୍ଭ ହୋଇଛି ତତ୍କାଳୀନ ଶିକ୍ଷା ବ୍ୟବସ୍ଥାରେ ଅନ୍ତନିର୍ହିତ ନାନା ଦୁର୍ନୀତି ବିରୁଦ୍ଧରେ ପ୍ରଚଣ୍ଡ ପ୍ରତିବାଦରେ । ଉପନ୍ୟାସର ସମସ୍ତ ଘଟଣା ଓ ଚରିତ୍ର ସୃଷ୍ଟି କରା ଯାଇଅଛି, ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଏହି ପ୍ରତିବାଦକୁ ଆହୁରି ସୁସ୍ପଷ୍ଟ ଓ ସୁଦୃଢ଼ କରିବା ପାଇଁ । (ନିରୋଳ ଶୁଦ୍ଧ ସାହିତ୍ୟବାଦୀମାନେ ଏ ପ୍ରକାର ସାହିତ୍ୟକୁ ପରିପ୍ରଚାରମୂଳକ ସାହିତ୍ୟ ବୋଲି ନାସିକାକୁଞ୍ଚନ କରି ପାରନ୍ତି । ମାତ୍ର ମନେ ରଖିବାର ଅଛି, ସମାଜରେ କୌଣସି ଏକ ନୀତିବାଦ ବା ଆଦର୍ଶର ପରିପ୍ରଚାର ଓ ପ୍ରତିଷ୍ଠା ପାଇଁ ସାହିତ୍ୟ ପ୍ରଥମେ ବ୍ୟବହୃତ ହୋଇଥିଲା) । ଫକୀରମୋହନଙ୍କ ଉପନ୍ୟାସ ଉକ୍ତ ଦୁଇଯୁଗର ଆଭିମୁଖ୍ୟର ଏକ ବିଚିତ୍ର ସମ୍ମିଶ୍ରଣ । ଫକୀରମୋହନ ପ୍ରଥମେ ସମାଜ ସଂସ୍କାରକ, ପରେ ଔପନ୍ୟାସିକ । ତାଙ୍କ ଉପନ୍ୟାସଗୁଡ଼ିକ ତେଣୁ ମୁଖ୍ୟତଃ ସମାଜ-ଧର୍ମୀ; ସମାଜର ଓ ସମୂହର କଲ୍ୟାଣ ପାଇଁ ଉତ୍ସୃଷ୍ଟ, ଗଳ୍ପପ୍ରଧାନ ନହୋଇ ଭାବପ୍ରଧାନ । ତାଙ୍କ ଉପନ୍ୟାସର ପ୍ରଧାନ ଚରିତ୍ରଗୁଡ଼ିକ ଆରମ୍ଭରେ ସରଳ ଚରିତ୍ର ରୂପେ ପରିକଳ୍ପିତ ହୋଇଥିଲେ–ହେଁ, ପରିଶେଷରେ ବକ୍ରତା ଆଡ଼େ ଗତି କରିଅଛନ୍ତି । ଚରିତ୍ରଚିତ୍ରଣରେ ଏହା ଫକୀରମୋହନଙ୍କ ଶୈଳ୍ପିକ ଅର୍ନ୍ତଦୃଷ୍ଟିର ଅଭାବ ବା କଳାଗତ ତ୍ରୁଟି ବୋଲି ଧରା ନ ଗଲେ ବି, ଏ ପ୍ରକାର ଚରିତ୍ରଚିତ୍ରଣ ଗଳ୍ପର ସ୍ୱାଭାବିକତା ବହୁ ପରିମାଣରେ କ୍ଷୁଣ୍ଣ କରି ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକୁ ମେଲୋଡ଼୍ରାମାଟିକ୍ କରି ଦେଇଅଛି । ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ରାମଚନ୍ଦ୍ର ମଙ୍ଗରାଜ, ‘‘ମାମୁ’ ଉପନ୍ୟାସରେ ନାଜର ନଟବର ଦାସ, ପୁଣି ‘ପ୍ରାୟଶ୍ଚିତ’ ଉପନ୍ୟାସରେ ଗୋବିନ୍ଦଚନ୍ଦ୍ରଙ୍କ ଚରିତ୍ର ଓ ପରିଣତି ଏ ସମ୍ବନ୍ଧରେ ଅନୁଶୀଳନ କରାଯାଇ ପାରେ । ଆଲୋଚିତ ଉପନ୍ୟାସଗୁଡ଼ିକର ସ୍ୱତନ୍ତ୍ର ସମାଲୋଚନା ପ୍ରସଙ୍ଗରେ ତାହା ଆଲୋଚିତ ହେବ ।

 

ଫକୀରମୋହନଙ୍କ ଚରିତ୍ରଚିତ୍ରଣ ଅନୁଶୀଳନ କଲେ ଆଉ ଗୋଟିଏ ପ୍ରଧାନ ବିଶେଷତ୍ୱ ପରିଲକ୍ଷିତ ହୁଏ–ତାହା ହେଉଛି, ଫକୀରମୋହନ ଗୌଣ ଚରିତ୍ରଚିତ୍ରଣରେ ଯେଉଁ ଶୈଳ୍ପିକ ପରାକାଷ୍ଠା ଦେଖାଇଅଛନ୍ତି, ଅପେକ୍ଷାକୃତ ମୁଖ୍ୟ ଚରିତ୍ରଚିତ୍ରଣରେ ସେ ପ୍ରକାର ପାରଦର୍ଶିତା ଦେଖାଇ ପାରି ନାହାନ୍ତି ।

 

‘ମାମୁ’ ଉପନ୍ୟାସରେ ମୁଖ୍ୟ ଚରିତ୍ର–ନଟବର ଓ ଚିତ୍ରକଳା; ଅନ୍ୟ ଅପେକ୍ଷାକୃତ ମୁଖ୍ୟ ଚରିତ୍ର ହେଉଛନ୍ତି, ସରସ୍ୱତୀ ଦେଈ, ଚାନ୍ଦମଣି ଓ ବିଶାଖା । ଉପନ୍ୟାସର ବିକାଶରେ ସରସ୍ୱତୀ ଓ ଚାନ୍ଦମଣିଙ୍କର ସେପରି କୌଣସି ଅଂଶ ନାହିଁ । ଏମାନଙ୍କ ଛଡ଼ା ଗେହ୍ଲେଇ, ରାନ୍ଧୁଣି ଗାଧୁଆବେଳେ ଗାଁ ତୁଠରେ ଛାମୁକରଣଘର ବଡ଼ବୋହୂ, ମନ୍ତ୍ରାମା, ଚମ୍ପୀ ଅପା, ଶାରିଆ, ଚେମୀ ନଣନ୍ଦ, କଉଶୁଲୀ, ପାରୀ ପୁଣି କଟକ ସହରରେ ମାଗି ଯାଚି, ବୋହୂ ଭୂଆଷୁଣୀଙ୍କ କାହାର ମୁଣ୍ଡ ବାନ୍ଧି ବା କାହାର ତୋଷାମୋଦ କରି ଆହାର ସଂସ୍ଥାନ କରୁଥିବା ନାକଫୋଡ଼ିଆ ମା, ସାଧୁସାହୁ, ସାହୁଆଣୀ ପୁଣି ଶ୍ୟାମ ସାମଲ ଓ ହରିବୋଲ ବାରିକ ପ୍ରଭୃତି ଅତି ଗୌଣ ଚରିତ୍ର । ଗଳ୍ପର ବିକାଶରେ ଏ ଚରିତ୍ରମାନଙ୍କର ଆଦୌ କୌଣସି ଅଂଶ ନାହିଁ କହିଲେ ଚଳେ । ତଥାପି ଏ ଚରିତ୍ରଗୁଡ଼ିକୁ ବାଦ୍ ଦେଲେ ‘‘ମାମୁ’’ ଉପନ୍ୟାସରେ ଉପଭୋଗ୍ୟ ଓ ପଠନୀୟ ହୋଇ ଆଉ କିଛି ରହିବ ନାହିଁ । ମୁଖ୍ୟଚରିତ୍ର ଓ ଅପେକ୍ଷାକୃତ ମୁଖ୍ୟଚରିତ୍ର ମଧ୍ୟରେ କେବଳ ଚିତ୍ରକଳା ଓ ବିଶାଖା ଛାଡ଼ିଦେଲେ, ଅନ୍ୟ କାହାରି ଚରିତ୍ରଚିତ୍ରଣ ଜୀବନ୍ତ ନୁହେଁ । ନାଜର ନଟବରଙ୍କ ଚରିତ୍ରଚିତ୍ରଣ ଅନେକ କ୍ଷେତ୍ରରେ ଅତିରଞ୍ଜିତ ଓ ଶେଷ ଆଡ଼କୁ ସଙ୍ଗତିହୀନ । ଚିତ୍ରକଳାର ଚରିତ୍ରଚିତ୍ରଣ ଅତି ମାମୁଲି । ଚିତ୍ରକଳା ‘‘ଛମାଣ ଆଠଗୁଣ୍ଠ’’ରେ ଚମ୍ପାର ଏକ ସହରୀ–ସଂସ୍କରଣ ମାତ୍ର । ଅଥଚ ‘‘ମାମୁ’’ର ଗୌଣଚରିତ୍ର ଗୁଡ଼ିକରେ ଫକୀରମୋହନଙ୍କ ଚିତ୍ରଣ କୁଶଳତା ଅନବଦ୍ୟ । ସମାଜର ତଳିଆ ଜୀବନ ସହିତ ଫକୀରମୋହନଙ୍କର କି ସହାନୁଭୂତିପୂର୍ଣ୍ଣ ନିବିଡ଼ ପରିଚୟ ଥିଲା ତାହା ଏଥିରୁ ସ୍ପଷ୍ଟ ହୁଏ । ସେହିପରି ‘‘ଛମାଣ ଆଠଗୁଣ୍ଠ’’ ଉପନ୍ୟାସରେ ମୁଖ୍ୟ ଚରିତ୍ର ତିନିଜଣ–ରାମଚନ୍ଦ୍ର ମଙ୍ଗରାଜ, ଚମ୍ପା ଓ ଶାରିଆ । କିନ୍ତୁ ଫକୀରମୋହନ ଏଥିରେ ମଧ୍ୟ, ଭୀମା ମା ଭଣ୍ଡାରୁଣୀ, ଜମିଦାର ସେକ୍ ଦିଲଦାର୍ ମିଆଁ, ଫତେପୁର ଶାସନର ଶାସନୀ ବ୍ରାହ୍ମଣ, ଗୋବରା ଜେନା ଚଉକିଦାର, ଅସୁରଦିଘୀରେ ସ୍ନାନାର୍ଥିନୀ ଯଶୋଦା ଓ ମାରକଣ୍ଡିଆ ମା, ହଳିଆ ମୁକୁନ୍ଦା ଓ ମାଣିକ ପ୍ରଭୃତି ବହୁ ଗୌଣ ଚରିତ୍ରର ଅବତାରଣା କରିଅଛନ୍ତି । ଉପନ୍ୟାସର ବିକାଶରେ ଏମାନଙ୍କର କୌଣସି ଅଂଶ ନାହିଁ; ହୁଏତ ଅବାନ୍ତର । ତଥାପି ଏହି ଗୌଣଚରିତ୍ରଗୁଡ଼ିକର ସୁନିପୁଣ ଚିତ୍ରଣରେ ହିଁ ‘‘ଛମାଣ ଆଠଗୁଣ୍ଠ’’ର ଶୈଳ୍ପିକ ସାର୍ଥକତା ନିହିତ । ମୁଖ୍ୟ ଚରିତ୍ରମାନଙ୍କ ମଧ୍ୟରେ ଚମ୍ପାର ଚରିତ୍ରଚିତ୍ରଣ ଛାଡ଼ିଦେଲେ, ଶାରିଆ ବା ଭଗିଆର ଚରିତ୍ରଚିତ୍ରଣ, ଆଦୌ ହୋଇ ନାହିଁ କହିଲେ ଚଳେ । ଫକୀରମୋହନଙ୍କ କୃତିତ୍ୱରେ ନୁହେ, ପାଠକର ସହାନୁଭୂତିରେ ହିଁ ଶାରିଆ ବା ଭଗିଆ ଚରିତ୍ର ଜୀବନ୍ତ ମନେ ହୁଏ । ‘‘ଲଛମା’’ ଏକ ଐତିହାସିକ ଉପନ୍ୟାସ । ସେଥିରେ ତେଣୁ ଚରିତ୍ରଚିତ୍ରଣ ପାଇଁ ଅବକାଶ ସୀମିତ । କିନ୍ତୁ ଫକୀରମୋହନ ସେଥିରେ ମଧ୍ୟ, ଜଗାଫତେସିଂହ ମା ପରି ଗୋଟିଏ ଅବାନ୍ତର ଗୌଣ ଚରିତ୍ରର ଅବତାରଣା କରିଅଛନ୍ତି । ଜଗାଫତେସିଂହମାର ଅବତାରଣା “ଲଛମା” ଉପନ୍ୟାସରେ ଗଳ୍ପର ବିକାଶକୁ ପ୍ରତ୍ୟାହିତ କରିଛି ସିନା, ସୁଗମ କରି ନାହିଁ । ଫକୀରମୋହନ ନାଟକୀୟ ରୀତିରେ ତାଙ୍କର ଉପନ୍ୟାସଗୁଡ଼ିକୁ ରଚନା କରିଥିବାରୁ ଏ ଅବାନ୍ତର ଗୌଣଚରିତ୍ରମାନଙ୍କର ଅବତାରଣା କରିଅଛନ୍ତି । ଫକୀରମୋହନଙ୍କ ଉପନ୍ୟାସରେ ଗୌଣଚରିତ୍ରଗୁଡ଼ିକ ତେଣୁ ପ୍ରୟୋଜନୀୟ ଅବାନ୍ତର । କିନ୍ତୁ ଫକୀରମୋହନଙ୍କ ସମଗ୍ର କଥା ସାହିତ୍ୟରେ ଜଗାଫତେସିଂହମାର ଚରିତ୍ରଚିତ୍ରଣ, ଅପୂର୍ବ ଓ ଅତୁଳନୀୟ, ଜଗାଫତେ ସିଂହ ମା’ର ଚରିତ୍ରଚିତ୍ରଣରେ ଯେଉଁ ଅର୍ନ୍ତଦୃଷ୍ଟି ଓ ସାର୍ଥକତା ପ୍ରକାଶ ପାଇଛି ତାହା ତୁଳନାରେ ନାୟିକା ଲଛମାର ଚରିତ୍ରଚିତ୍ରଣ ଆଦୌ ହୋଇ ନାହିଁ କହିଲେ ଚଳେ ।

 

ମଧୁମଲ୍ଲ କାନ୍ଥି ଗାଁର ଜଗାଫତେସିଂହ ମା ବୁଢ଼ୀ ‘‘ମଳିନ-ଛିନ୍ନ-ବସ୍ତ୍ର-ପରିହିତା, ଦଶନବିହୀନା, ଅସ୍ଥିଚର୍ମମାତ୍ରାବଶିଷ୍ଟା; କମ୍ପିତଦେହା; ଅନାବୃତ ମସ୍ତକରେ କେତେ କେରା ତୈଳହୀନ, କଙ୍କତିକାସ୍ପର୍ଶବର୍ଜିତ, କ୍ଷୁଦ୍ର, କାଉଁରିଆ ଝୋଟ ପରି ଶୁକ୍ଳବର୍ଣ୍ଣ କେଶ ଫରଫର ହୋଇ ଉଡ଼ୁଅଛି; ବା କାଖରେ ଟୋକେଇଟିଏ କମ୍ପିତ ଦକ୍ଷିଣ ହସ୍ତରେ ଖଣ୍ଡେ ବାଉଁଶ ଯଷ୍ଟି ।’’ ସକାଳୁ ବାହାରେ ଗୋବର ଗୋଟେଇ, ଫେରେ ସଞ୍ଜରେ । ଅଥଚ ଦିନେ ଘର ପରି ଗୋଟାଏ ଘର ତାର ଥିଲା । ଦୁଇ ପୁଅ, ଦୁଇ ବୋହୂ, ଓ ଘରର ସସମ୍ତ ସମ୍ପତ୍ତି ହୁଏତ ଯାଇଛି ବର୍ଗୀମାନଙ୍କ ଜୁଲମରେ ! ସବୁ ହରାଇ ସାରି, ସେ ହୋଇଛି ପାଗଳିନୀ; ସାରା ଦୁନିଆ ବିରୁଦ୍ଧରେ ତେଣୁ ତାର ଅଭିଯୋଗ ! ତାର ସବୁ ଦୁର୍ଯୋଗ, ଦୁର୍ଗତି ପାଇଁ ହୁଏତ ଏଇ ଦୁନିଆ ହିଁ ଦାୟୀ । ତେଣୁ ସକାଳୁ ସଞ୍ଜଯାଏ ବୁଢ଼ୀର ସମସ୍ତଙ୍କ ସଙ୍ଗେ କଳି; ଆଖି ଆଗରେ ଯିଏ ପଡ଼ିଲା କାରଣରେ ହେଉ ବା ଅକାରଣରେ ହେଉ ତା ସାଙ୍ଗରେ ବୁଢ଼ୀ କଣ୍ଟା ବାଡ଼ରେ ଲୁଗା ପକାଇ କଳି କଲା ପରି କଳି କରିବ । ମଣିଷ ନ ମିଳିଲେ, କୁକୁର, ବିରାଡ଼ି, ଗଛ, ପତ୍ର, କାଉ, ଚିଲ ଯାହାକୁ ଭେଟେ ତା ସହିତ ବି କଳି । ରାତିରେ ନିଦ ହୁଏ ନା । ତେଣୁ ରାତିରେ ବି ମୁହଁ ବନ୍ଦ ହେବାର ଅବକାଶ ନ ଥାଏ । ବରଂ ରାତିରେ କଳିର ମାତ୍ରା ବଢ଼ିଯାଏ । ‘‘ମଶା ଓଡ଼ଶ ଗୁଡ଼ା ବଡ଼ କଳିଆ, ସାରାରାତି ବୁଢ଼ୀଟା ସାଙ୍ଗରେ ଲାଗିଥାନ୍ତି ।’’

 

ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକୁ ଚରିତ୍ରଚିତ୍ରଶାଳା କହିଲେ ଅତ୍ୟୁକ୍ତି ହେବ ନାହିଁ । ଚରିତ୍ରଚିତ୍ରଣହିଁ ଥିଲା, ଔପନ୍ୟାସିକ ଫକୀରମୋହନଙ୍କର ଏକମାତ୍ର ଧ୍ୟାନ । ଏହି ଗୌଣ ଚରିତ୍ରଗୁଡ଼ିକର ମାଧ୍ୟମରେ ସମାଜସଂସ୍କାରକ ଫକୀରମୋହନ ସମାଜରେ ନାନା ଦୁର୍ନୀତି, ଅନୀତି, କୁସଂସ୍କାର ଓ ଗର୍ହିତ ଆଚାର ବିରୁଦ୍ଧରେ ଲୋକମତ ଜାଗ୍ରତ କରାଇବାର ଉଦ୍ୟମ କରିଛନ୍ତି, ପୁଣି ଓଡ଼ିଶାର ପଲ୍ଲୀଜୀବନର ଏକ ଜୀବନ୍ତ ଆଲେଖ୍ୟ ଆଙ୍କି ପାରିଛନ୍ତି ! ଫକୀରମୋହନଙ୍କୁ ତେଣୁ ଔପନ୍ୟାସିକ ଅପେକ୍ଷା ଚରିତ୍ରଚିତ୍ରକର କହିବା ଅଧିକ ଯୁକ୍ତିଯୁକ୍ତ ହେବ ।

Image

 

ଛମାଣ ଆଠଗୁଣ୍ଠ

 

ଓଡ଼ିଆ ସାହିତ୍ୟରେ ‘‘ଛମାଣ ଆଠଗୁଣ୍ଠ’’ ପରି ଅନ୍ୟ କୌଣସି ଉପନ୍ୟାସ, ପାଠକକୁ ଏପରି ବିଚଳିତ କରିନାହିଁ, ପାଠକର ଚିତ୍ତବୃତ୍ତିକୁ ଏପରି ଅଭିଭୂତ କରିନାହିଁ, ପ୍ରାଣର ସୂକ୍ଷ୍ମତନ୍ତ୍ରୀକୁ ଏପରି ଗଭୀର ଭାବରେ ଆଲୋଡ଼ିତ କରିନାହିଁ । ଆଧୁନିକ ଓଡ଼ିଆ ସାହିତ୍ୟର ଯାତ୍ରାପଥରେ, ‘‘ଛମାଣ ଆଠଗୁଣ୍ଠ’’ ଏକ ନିର୍ଦ୍ଦିଷ୍ଟ ମାଇଲସ୍ତମ୍ଭ ରୂପେ ପ୍ରୋଥିତ ହୋଇଥିଲା । ଆଜି ସୁଦୀର୍ଘ ଏକ ଅର୍ଦ୍ଧଶତାବ୍ଦୀର ଯାତ୍ରା ପରେ ସୁଦ୍ଧା, ଓଡ଼ିଆ ଉପନ୍ୟାସ ଏହାଠାରୁ ଖୁବ୍ ବେଶୀ ଦୂର ଅଗ୍ରସର ହୋଇ ପାରି ନାହିଁ । ଓଡ଼ିଆ ଉପନ୍ୟାସରେ ବହୁ ନୂଆ ଉଦ୍ୟମ ହୋଇଛି, ନୂଆ ପରଖ ହୋଇଛି, ନୂଆ ଶଙ୍କୁ ସ୍ଥାପିତ ହୋଇଛି...ତଥାପି ଏହି ଉପନ୍ୟାସଟିର ମହିମା ଓ ମର୍ଯ୍ୟାଦାକୁ କେହି କ୍ଷୁଣ୍ଣ କରି ପାରିନାହିଁ ! ଖାଲି ଓଡ଼ିଆ ସାହିତ୍ୟ ନୁହେଁ ସମଗ୍ର ସାର୍ବଜନୀନ ସାହିତ୍ୟରେ ଏହା ଏକ ଅକ୍ଷୟ, ଅବ୍ୟୟ ଓ ଅପୂର୍ବ ସୃଷ୍ଟି ।

 

‘‘ଛମାଣ ଆଠଗୁଣ୍ଠ’’ ପ୍ରଥମ ଓଡ଼ିଆ ଉପନ୍ୟାସ ନୁହେଁ । ଏହା ପୂର୍ବରୁ ଅବଶ୍ୟ ଉମେଶଚନ୍ଦ୍ରଙ୍କର ‘‘ପଦ୍ମମାଳୀ’’ ଓ ରାମଶଙ୍କରଙ୍କର ‘‘ବିବାସିନୀ’’ ପ୍ରକାଶ ପାଇ ସାରିଥିଲା । କିନ୍ତୁ ସାମାଜିକ ଉପନ୍ୟାସ ହିସାବରେ ‘‘ଛମାଣ ଆଠଗୁଣ୍ଠ’’ ସର୍ବପ୍ରଥମ ଉଦ୍ୟମ । ପୁଣି ଉଦ୍ୟମ ଓ ଉପନ୍ୟାସ କଳାର ସାର୍ଥକତା ବିଚାରରେ ‘‘ଛମାଣ ଆଠଗୁଣ୍ଠ’’ ସହିତ ପୂର୍ବପ୍ରକାଶିତ ଉପନ୍ୟାସ ଦୁଇଟିର ତୁଳନା ହୋଇ ପାରେ ନାହିଁ ।

 

‘‘ଛମାଣ ଆଠଗୁଣ୍ଠ’’ର ସାହିତ୍ୟିକ ପଟ୍ଟଭୂମି ବିଚାର କଲେ ଯଥାର୍ଥରେ ସ୍ତମ୍ଭିତ ହେବାକୁ ପଡ଼େ । ସାମାଜିକ ଉପନ୍ୟାସ, ପୁଣି ଦୈନଦିନ ଜୀବନର ସାଧାରଣ ଭାଷାରେ, ଅତି ସାଧାରଣ ଜୀବନର କାହାଣୀ ଅବଲମ୍ବନ କରି ଉପନ୍ୟାସ ଲେଖିବା, ସେ ପରିସ୍ଥିତିରେ ଏକ ଅଭାବନୀୟ ଘଟଣା ଥିଲା । ଯୁଗର ସାହିତ୍ୟାଦର୍ଶ ଓ ରୁଚିର ପ୍ରତିକୂଳରେ ଯାଇଁ ଏପରି ଏକ ସୃଷ୍ଟିର ପ୍ରୟାସ, ଯଥାର୍ଥରେ ତେଣୁ ଏକ ଦୁଃସାହସ । ସେହି ଦୃଷ୍ଟିରୁ ବିଚାର କଲେ, ‘‘ଛମାଣ ଆଠଗୁଣ୍ଠ’’ ଆଧୁନିକ ଓଡ଼ିଆ ସାହିତ୍ୟରେ ଏକ ବିପ୍ଳବ, ଏକ ଯୁଗାନ୍ତର, ଏକ ନୂତନ ଦୃଷ୍ଟିକୋଣର ମହିମାମୟ ସଙ୍କେତ-

 

‘‘ଛମାଣ ଆଠଗୁଣ୍ଠ’’ ଉପନ୍ୟାସ ବିଚାରରେ ଚରିତ୍ର-ପ୍ରଧାନ । ଚରିତ୍ର-ପ୍ରଧାନ ଉପନ୍ୟାସରେ ଘଟଣା (Action) ଓ ଗଳ୍ପାଂଶ (Plot) ଗୌଣ; ଚରିତ୍ରଚିତ୍ରଣ ମୁଖ୍ୟ । ଚରିତ୍ରର ବିକାଶ ଓ ପରିସ୍ଫୁଟନରେ ସାହାଯ୍ୟ କଲା ପରି ଘଟଣାମାନ ଏଥିରେ ସନ୍ନିବିଷ୍ଟ ହୋଇଥାଏ । ତେଣୁ ଚରିତ୍ର-ପ୍ରଧାନ ଉପନ୍ୟାସରେ ଗଳ୍ପାଂଶ ଚରିତ୍ରକୁ ନିୟନ୍ତ୍ରିତ ନ କରି, ଚରିତ୍ର ଗଳ୍ପାଂଶ ଓ ଘଟଣାକୁ ନିୟନ୍ତ୍ରିତ କରିଥାଏ । ଉଦାହରଣ ସ୍ୱରୂପ, ରାମଚନ୍ଦ୍ର ମଙ୍ଗରାଜଙ୍କ ସମ୍ପର୍କିତ ଗୋଟିଏ ଘଟଣା ଏଠାରେ ଆଲୋଚିତ ହୋଇପାରେ । ...ରାମଚନ୍ଦ୍ର ମଙ୍ଗରାଜେ ବିଲ ବୁଲି ବାହାରି ଅଛନ୍ତି । ଦେଢ଼ ମାଣ ବିଲ ଅରୁଆ ପଡ଼ିଚି, ତଳି ନିଅଣ୍ଟ । ମଙ୍ଗରାଜେ ଚିନ୍ତିତ, କିନ୍ତୁ ବିବ୍ରତ ନୁହନ୍ତି । ମଙ୍ଗରାଜେଙ୍କ ଆଖିରେ ପଡ଼ିଲା, ଶ୍ୟାମ ଗୋଛେଇତ ନିଜର ଶୁଆପକ୍ଷିଆ ଧାନ ବିଲରେ ନଇଁପଡ଼ି ହିଡ଼ ବାନ୍ଧୁଛି । ମଙ୍ଗରାଜେ ଶ୍ୟାମ ସହିତ ଢେର ସମୟ ବହୁ ସୁଖ ଦୁଃଖ ହେଲେ । ତା’ପରେ ‘‘ଚମକି ପଡ଼ିଲା ପରି ମୁରବି ପଣିଆ କରି କହିଲେ, ଆରେ ଶ୍ୟାମା ତୁ କଣ କରିଛୁ ! ତୁ’ଟା ତ ନିହାତି ଓଲୁ ! ଚାଷ କିଛି ଜାଣୁ ନାହିଁ । ଆରେ ଏତେ ନିଘଞ୍ଚ କରି ରୋଇଲେ କଣ ଧାନ ଫଳେ ? ଗଛ ନିଃଶ୍ୱାସ ମାରିବାକୁ ତ ବାଟ ରଖିନାହୁଁ ! ଉପାଡ଼୍, ଉପାଡ଼୍, ଅଧେ ଉପାଡ଼ି ପକା !’ ଗୋବିନ୍ଦ ଭଲ କରି ଅନାଇ ସାଆନ୍ତଙ୍କର ପୋଷକତା କଲା । ଶ୍ୟାମ ଥରି ଥରି ହାତ ଯୋଡ଼ି କହିଲା ‘ଆଜ୍ଞା ମୁଁ ତ ସବୁବର୍ଷ ଏଇପରି ରୁଏଁ, ସମସ୍ତେ ରୁଅନ୍ତି ।’ ସାଆନ୍ତେ ବିରକ୍ତ ହୋଇ କହିଲେ, ‘ଆରେ ଓଲୁ ଭଲ କହିଲେ ଶୁଣୁନାହୁଁ ?’ ଗୋବିନ୍ଦଆଡ଼କୁ ଚାହିଁ କହିଲେ, ‘ଆରେ ଗୋବିନ୍ଦା, ଦେଖାଇ ଦେ’ତ !’ ଏଇ କଥା ମୁହଁରୁ ନ ବାହାରୁଣୁ ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇ କିଆରୀ ବିଲ ଅଧା କରି ପକାଇଲେ । ଶ୍ୟାମା ଡକା ପାଡ଼ି ସାଆନ୍ତଙ୍କ ଗୋଡ଼ତଳେ ଗଡ଼ୁଥାଏ । ସାଆନ୍ତେ ରାଗିଯାଇଁ ସାଆନ୍ତାଣୀଙ୍କ ସହିତ ଶ୍ୟାମାର ଭାଇଲେଖା ସମ୍ବୋଧନ କରି କହିଲେ ‘ତୁ ବିଲ କରି ଜାଣ ନ ଜାଣ, କରଜା ଧାନର ମୂଳ କଳନ୍ତର ବିଶ୍ୱାଏ ରଖିଲେ ଜାଣିବୁ ।’’ ପରବିତ୍ତଲୋଭୀ, ପରସ୍ୱତ୍ୱାପହରଣକାରୀ, ଧୂର୍ତ୍ତ ଗାଉଁଲି ଜମିଦାରର ଚରିତ୍ର ଫକୀରମୋହନ ରାମଚନ୍ଦ୍ର ମଙ୍ଗରାଜର ଚିତ୍ରଣରେ ପରିସ୍ଫୁଟ କରିଛନ୍ତି । ଏପରି ଘଟଣା ହୁଏତ ଅବାସ୍ତବ, ହୁଏତ ରାମଚନ୍ଦ୍ର ମଙ୍ଗରାଜଙ୍କ ପରବିତ୍ତାପହରଣର ଅତିରଞ୍ଜନ । କିନ୍ତୁ ଘଟଣା ଏଠାରେ ମୁଖ୍ୟ ନୁହେଁ, ମୁଖ୍ୟ ହେଉଛି ଚରିତ୍ର । ରାମଚନ୍ଦ୍ର ମଙ୍ଗରାଜଙ୍କୁ ପରବିତ୍ତାପହାରୀରୂପେ ଚିତ୍ରିତ କରିବା ପାଇଁ ଏପରି ଏକ ଘଟଣାର ସନ୍ନିବେଶ କରାଯାଇଅଛି । ଚମ୍ପା ସେହିପରି ଟାଙ୍ଗୀ ମାଉସୀର ଛଦ୍ମବେଶରେ ଯାଇଁ ରତନପୁରେ ବାଘସିଂହଙ୍କ ଘର ପୋଡ଼ିଦେବା, ଏକ ଅବାସ୍ତବ ଅତିରଞ୍ଜନ । ଉପନ୍ୟାସର ପ୍ରଧାନ ଗଳ୍ପାଂଶ ସହିତ ବାଘସିଂହ ଘରପୋଡ଼ି ଘଟଣାର କୌଣସି ସମ୍ପର୍କ ନାହିଁ । ତଥାପି ଚମ୍ପାର ରାକ୍ଷସୀ ଚରିତ୍ରକୁ ଆଉରି ସୁସ୍ପଷ୍ଟ କରିବାରେ ଏହା ହୁଏତ ସହାୟକ ହୋଇଛି । ତେଣୁ ଘଟଣାଟି ଯେତେ ଅବାନ୍ତର ଓ ଅବାସ୍ତବ ହେଲେ ସୁଦ୍ଧା, ଏହାକୁ ଉପନ୍ୟାସରେ ସନ୍ନିବିଷ୍ଟ କରାଯାଇଅଛି । ଏହିପରି ସାମଞ୍ଜସ୍ୟହୀନ ଅବାସ୍ତବ ଘଟଣାର ସନ୍ନିବେଶ, ଫକୀରମୋହନଙ୍କ ଉପନ୍ୟାସ ଗଠନରୀତିରେ ଏକ ଅପୂର୍ଣ୍ଣତା ହେଲେହେଁ, ମୂଳ ଉଦ୍ଦେଶ୍ୟ ସାଧନରେ ବହୁ ପୋଷକତା କରିଛି ।

 

‘‘ଛମାଣ ଆଠଗୁଣ୍ଠ’’ର ଗଳ୍ପାଂଶ ଅତି ସରଳ ଓ ସଂକ୍ଷିପ୍ତ । ଫତେପୁର ସରଷଣ୍ଡର ସରବରାକାର ରାମଚନ୍ଦ୍ର ମଙ୍ଗରାଜ । ଆପଣା ବୁଦ୍ଧି ବଳରେ, ଛଳେ, ବଳେ, କୌଶଳେ ବହୁ ସମ୍ପତ୍ତି ଉପାର୍ଜନ କରିପାରିଛନ୍ତି । ପରବିତ୍ତ ଅପହରଣ କରି, ପରଘର ଭାଙ୍ଗି ଆପଣା ଘର ଗଢ଼ିଛନ୍ତି । ଏ କର୍ମରେ ତାଙ୍କର ପ୍ରଧାନ ସହଚରୀ ଥିଲା ଚମ୍ପା । ମଙ୍ଗରାଜ ବଡ଼ଲୋକ, ମାତ୍ର ବୁନିୟାଦ୍ ନୁହନ୍ତି । କାରଣ ନିଜ ଅମଳରେ ସେ ବଡ଼ଲୋକ ହୋଇଛନ୍ତି, ପଛରେ ବୁନିୟାଦୀର ପରମ୍ପରା ନାହିଁ । ତେଣୁ ଅନ୍ୟର ସମ୍ପତ୍ତି ଅପହରଣ କରିବା ପାଇଁ ଦୃଷ୍ଟି ତାଙ୍କର ସବୁବେଳେ ସଜାଗ । ସମ୍ପଦର ଅର୍ଥ ଯେ ଚୌର୍ଯ୍ୟ, ରାମଚନ୍ଦ୍ର ମଙ୍ଗରାଜ ତାହାର ଏକ ସର୍ବକାଳୀନ ଉଦାହରଣ । ଯଥାର୍ଥରେ ଚୋରି ବିନା ସମାଜରେ ବଡ଼ଲୋକ ହେବାର ଅନ୍ୟ ପନ୍ଥା ନାହିଁ । ଆଗର ବୁନିୟାଦି ବଡ଼ଲୋକୀ ଥିଲା ଅନ୍ୟକୁ ସର୍ବସ୍ୱ ଦେଇ ନିଜେ କାଙ୍ଗାଳ ହେବାରେ । ଐଶ୍ୱର୍ଯ୍ୟ ସାଂସାରିକ ସମ୍ପଦରେ ନଥିଲା, ଥିଲା ମନରେ-। ଏହି ପାର୍ଥକ୍ୟର ସୂଚନା ଦେବାପାଇଁ ଆଲୋଚିତ ଉପନ୍ୟାସରେ ପୁରୁଣା ବୁନିୟାଦୀ ବାଘସିଂହ ବଂଶର ଅବତାରଣା କରା ଯାଇଅଛି । ମଙ୍ଗରାଜଙ୍କର ଦୃଷ୍ଟି ସେହି ଗାଁର ଭଗିଆ ତନ୍ତୀର ବାହିଲି ନିଷ୍କର ଜମି ଛମାଣ ଆଠଗୁଣ୍ଠ ଚକ ଉପରେ ପଡ଼ିଲା । ଯେ କୌଣସି ଉପାୟରେ ଚକଖଣ୍ଡ ଅପହରଣ କରି ସମ୍ପତ୍ତିରେ ମିଶାଇବାକୁ ପଡ଼ିବ ? ଉପାୟ ? ଚମ୍ପା ବତାଇଲା ଉପାୟ । ଭଗିଆ ଓ ଶାରିଆ ନିଃସନ୍ତାନ । ଶାରିଆର ମାତୃତ୍ୱର କାମନାକୁ ଅସ୍ତ୍ର ରୂପେ ପ୍ରୟୋଗ କରି, ତାକୁ ଲୁଣ୍ଠନ କରିବାର ଚକ୍ରାନ୍ତ ବାସ୍ତବିକ ଅତି ନିଷ୍ଠୁର, ଅତି ଭୀଷଣ ! ନାରୀ କେବଳ ଜନନୀ ନୁହେଁ, ରାକ୍ଷସୀ ମଧ୍ୟ । ଚତୁରୀ ଚମ୍ପା, ବୁଝିଥିଲା ଜମି କୌଣସିମତେ ମଙ୍ଗରାଜଙ୍କଠାରେ ବନ୍ଧା ନପଡ଼ିଲେ, ହାତକୁ ଆସିବାର ଅନ୍ୟ ଉପାୟ ନାହିଁ । ଅର୍ଥର ପ୍ରୟୋଜନ ନ ପଡ଼ିଲେ, ଭଗିଆ ତନ୍ତୀ କାହିଁକି ମଙ୍ଗରାଜଙ୍କ ଦୁଆରକୁ ଆସିବ ? କିନ୍ତୁ ନିରୀହ ତନ୍ତୀଦମ୍ପତ୍ତିର ଅର୍ଥରେ ବା କି ପ୍ରୟୋଜନ ? ‘‘ଶାଳଗ୍ରାମର ବସିବା ଶୋଇବା ସମାନ ।’’ ଏ ଦୁହିଙ୍କର ହସ ନାହିଁ କି କାନ୍ଦ ନାହିଁ । ସାନଭାଇ, କାହାରି ସଙ୍ଗରେ ପୁଣି ସମ୍ପର୍କ ନାହିଁ । ବ୍ୟର୍ଥତାର ଏକ ଅପନ୍ତରା ଦ୍ୱୀପରେ ଏ ଦୁହେଁ ଯେପରି ନିର୍ବାସିତ-। ଏଣୁ ରାମଚନ୍ଦ୍ର ମଙ୍ଗରାଜଙ୍କ ଦୁଆରକୁ ଜମି ବନ୍ଧା ପକାଇ ଋଣ ନେବାପାଇଁ ଆସିବାର ଆଶା, ସୁଦୂର ପରାହତ । କିନ୍ତୁ ଚମ୍ପା ଏଥିରେ ହତାଶ ନହୋଇ ପ୍ରୟୋଗ କଲା ଅବ୍ୟର୍ଥ ଅସ୍ତ୍ର...ଉପାୟ ଅଛି, ସେ ଉପାୟ କଲେ ଶାରିଆର ରିକ୍ତ, ବଞ୍ଚିତ ଜୀବନ ମାତୃତ୍ୱର ମହିମାରେ ଉଦ୍ଭାସିତ ହୋଇ ଉଠିବ-। ଚମ୍ପା ଉପାୟ ବତାଇଲା, ବୁଢ଼ୀ ମଙ୍ଗଳା ସର୍ବାର୍ଥସାଧିକା । ତାଙ୍କ ପାଇଁ ଗୋଟିଏ ମନ୍ଦିର ବନେଇ ଦେଲେ ସେ ନିଶ୍ଚୟ ପ୍ରସନ୍ନା ହେବେ । ଧନ, ଜନ, ଗୋପ, ଲକ୍ଷ୍ମୀରେ ଶାରିଆର ଘର ପୂରି ଉଠିବ-। ଟଙ୍କା ସକାଶେ ଭାବନା ନାହିଁ, ଟଙ୍କା ଦେଢ଼ଶ ହେଲେ, ‘‘କେନ୍ଦ୍ରାପଡ଼ାରେ ଯେ ବଳଦେବଙ୍କ ମନ୍ଦିର ଅଛି, ଠିକ୍ ତେତିକି ଉଞ୍ଚା, ତେତିକି ଚଉଡ଼ା’’ ଖୁବ୍ ଗୋଟାଏ ବଡ଼ ମନ୍ଦିର ତିଆର ହୋଇଯିବ-। ଶାରିଆ କିଏ ଦେଢ଼ଶ ଟଙ୍କା କିଏ ? ଟଙ୍କାକର ପଇସା ଗଣିବାକୁ ହେଲେ ଶାରିଆ ଗାଁକୁ ବାହାରେ ନାହିଁ, ଭଗିଆ ଆଉ ସେ ଦୁଇ ଜଣ କବାଟ କିଳି ଦେଇ, ଦୁଇ ତିନି ଘଣ୍ଟା ମଧ୍ୟରେ ଗଣି କରି ଠିକ୍ କରନ୍ତି । ଯେଉଁଦିନ ପାଞ୍ଚ ସୁଉକା କି ଅଠର ଅଣାର ଲୁଗା ବିକ୍ରୀ ହୁଏ, ସେଦିନ ତା ଭାଇ ଲୋକନାଥିଆ ପାଖରୁ ଗଣାଇ ଆଣେ ।’’ ତେଣୁ ଶାରିଆ, ଚମ୍ପାର ଏ ପ୍ରସ୍ତାବ, ସମ୍ପଦ କି ବିପଦ ବୁଝି ନପାରି ଦୌଡ଼ି ପଳାଇଯିବା ପାଇଁ ହେଲା । ତାକୁ ପୁଣି କଥା କହି ଆସେ ନାହିଁ । ‘‘ଶାରିଆ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ଥରେ ପାଣି ମାଠିଆକୁ ଅନାଇ–‘ଚମ୍ପା ସାନ୍ତାଣି’–ଏତିକି କହି ତୁନି ହେଲା, ଆଉ କିଛି କହି ପାରିଲା ନାହିଁ ।’’ ଚମ୍ପା ତେଣୁ ଶେଷରେ ଅମୋଘ ଅସ୍ତ୍ର ପ୍ରୟୋଗ କଲା-। ଚମ୍ପା ବୁଝାଇଲା ଟଙ୍କା ସୁନା ମଣିଷକୁ ସ୍ୱର୍ଗ ନିଏ ନାହିଁ । ଅସଲ କଥା ପିଲାଝିଲା । ବାଂଝ ବରଡ଼ୀ ହେବା ଉଣା ପାପ କଥା ନୁହେଁ ! ଶାରିଆର ଆତ୍ମରକ୍ଷା-ବ୍ୟୂହର ଏଇ ସ୍ଥାନଟି ଅତି ଦୁର୍ବଳ-। ଚମ୍ପା ସେଇଠି ବୁଝି କୁଠାରାଘାତ କଲା, ‘‘ଆଉ ତମେ ଦେଖିବଟି, ବଡ଼ ସଖାଳୁ ତମ ଦୁଆର ବାଟେ କେହି ଲୋକ ଚାଲନ୍ତି ନାହିଁ । କ୍ୟାଁ ଚାଲନ୍ତି ନାହିଁ ? ତମ ମୁହଁ ଦେଖିବେ ନାହିଁ ବୋଲି !’’ ମଙ୍ଗଳାଙ୍କ ମନ୍ଦିର ତିଆରି କରି ଦେଲେ, ଶାରିଆର କୋଳରେ ନିଶ୍ଚୟ ମା ମଙ୍ଗଳା ପିଲାଟିଏ ଦେବେ-! କିନ୍ତୁ ଏ ସ୍ୱପ୍ନ ନା ସତ୍ୟ ? ଶାରିଆ ପୁଣି ମା ହେବ ? ପିଲା ମୁହଁ ଦେଖିବ ? ତା ହେଲେ ସର୍ବସ୍ୱ ଦେଇ ସେ ମଙ୍ଗଳାଙ୍କୁ ପୂଜା ଦେବାପାଇଁ ପ୍ରସ୍ତୁତ ! କିନ୍ତୁ ବିପଦ ହେଉଛି, ମଙ୍ଗରାଜଙ୍କୁ ଥରେ ଜମି କଟ ଲେଖି ଦେଇ କରଜ ନେଲେ, ମଙ୍ଗରାଜେ ଆଉ ଜମି ଫେରାନ୍ତି ନାହିଁ ଯେ !

 

ଚମ୍ପା ବେଳ ବୁଝି ଶେଷଅସ୍ତ୍ର ପ୍ରୟୋଗ କଲା । ହଁ–ଗାଁ ଲୋକେ ତ ସେମିତି କହନ୍ତି ! ଗୋବିନ୍ଦପୁର ଗାଁରେ ଶାଗଖିଆକୁ ପେଜଖିଆ ଦେଖି ପାରେ ନାହିଁ ! ଏ ଗୋବିନ୍ଦପୁର ଗାଁଟା ପୃଥିର ନିଉଁଛୁଣା ! ଚମ୍ପା ଶାରିଆକୁ ସାବଧାନ କରି ଦେଇ କହିଲା...‘‘ଠାକୁରାଣୀଙ୍କ ଆଜ୍ଞା ନ ମାନିଲେ ଆଖି ଫୁଟିଯାଏ, କାନକୁ ଶୁଭେ ନାହିଁ, ଲୋକେ ମରିଯାନ୍ତି । ଗୋପୀନାଥପୁରେ ତିନିଜଣ ମାଇକିନିଆ ଠାକୁରାଣୀଙ୍କ କଥା ନ ମାନିବାରୁ ଏକାବେଳକେ ରାଣ୍ଡ ହୋଇଗଲେ, ତମେ କଣ ଏ କଥା ଶୁଣି ନାହଁ ?’’

 

ଚମ୍ପା ବରଂ ବନ୍ଧ୍ୟାତ୍ୱ ସହ୍ୟ କରିପାରେ; କିନ୍ତୁ ବୈଧବ୍ୟ ? ଶାରିଆ ଚମ୍ପାର ପ୍ରସ୍ତାବରେ ରାଜୀ ହୋଇଗଲା । ଛମାଣ ଆଠଗୁଣ୍ଠ ଜମି ମଙ୍ଗରାଜଙ୍କ ପାଖରେ କଟ କବାଲା ଲେଖି, ମା ମଙ୍ଗଳାଙ୍କ ପାଖରେ ସେ ଷୋଡ଼ଶ ଉପଚାରରେ ପୂଜା ଦେବ ! ଅମୃତର ପାନପାତ୍ରରେ ଶେଷ ହଳାହଳ ବିନ୍ଦୁ ମିଶାଇ ଚମ୍ପା କହିଲା...‘‘କିଛି ଡର ନାହିଁ, ଭଗବାନ ଗୋଡ଼ରେ କଣ୍ଟା ବାଜିବ ନାହିଁ । (ଚମ୍ପା ଦଧିବାନନ ଧଣ୍ଡା ଓ ମୂର୍ତ୍ତିଏ ରସକୋରା ମାହାରଦ ଶାରିଆ ହାତରେ ଦେଇ କହିଲା) ଦେଖ ଶାରିଆ ଏହି ଧଣ୍ଡା, ଏହି ମାହାରଦ ସାକ୍ଷୀ ରହିଲେ, ମୁଁ ତମର ସବୁ ଭଲ କରି ଦେବି । ତମର ତିନି ପୁଅ ହେବ, ଆଉ ଭଗବାନର କୋଟି ଆୟୁଷ ହେବ, କିଛି ଚିନ୍ତା ନାହିଁ ।’’

 

ତାପରେ ଭଗିଆର ଛମାଣ ଆଠଗୁଣ୍ଠ ଜମି ମଙ୍ଗରାଜଙ୍କ ପାଖରେ ବନ୍ଧକ ପଡ଼ିଲା । ମଙ୍ଗରାଜ ଭଗିଆକୁ ବନ୍ଧକ ରଖି, ଦେଲେ ଦେଉଳ ତୋଳିବା ସକାଶେ କୋଡ଼ିଏ ଶଗଡ଼ ଅନ୍ଦାଜ ପଥରଢ଼ିମା ଆଉ ତମସୁକ ରେଜେଷ୍ଟରି କରିବା ସକାଶେ କଟକକୁ ଘେନି ଯାଇଥିବା ସମୟରେ ଶାରିଆ ସକାଶେ ଖଣ୍ଡେ ଶାଢ଼ି ! ଯଥା ସମୟରେ ମଙ୍ଗରାଜେ ଭଗିଆ ନାରେ ନାଲିଶ କଲେ । ଡିଗ୍ରୀ ବାହାରିଲା । ନିରୀହ ଭଗୀଚନ୍ଦର ଅଜ୍ଞାତସାରରେ ତାର ଘରବାଡ଼ି, ଜମି ସବୁ ନିଲାମ ହୋଇ ମଙ୍ଗରାଜଙ୍କ ହାତକୁ ଆସିଲା । ମଙ୍ଗରାଜଙ୍କ ହଳିଆମାନେ ଭଗିଆ ଘର ଭାଙ୍ଗି ଦେଇ ଗଲେ, ତାର ସବୁ ଜିନିଷପତ୍ର ବୁହା ହୋଇଗଲା ମଙ୍ଗରାଜଙ୍କ ଘରକୁ । ଶାରିଆର ଶେଷ ଅବଲଂବନ ନେତ ଗାଈ ସୁଦ୍ଧା ବନ୍ଧା ହୋଇଗଲା ମଙ୍ଗରାଜଙ୍କ ଗୁହାଳକୁ । ଘର ଭଙ୍ଗାଗଲା ଦିନଠାରୁ ଭଗିଆ ବାୟା ହୋଇ ଦୁଆର ଦୁଆର ବୁଲିଲା । ଶାରିଆ, ମଙ୍ଗରାଜଙ୍କ ଦୁଆରେ ଆଠଦିନ ଆଠରାତି ଅଖିଆ ପଡ଼ି ପଡ଼ି, ଶେଷରେ ମାଡ଼ ଖାଇ ପ୍ରାଣ ଦେଲା । ତାର ବହୁବାଞ୍ଛିତ ମାତୃତ୍ୱର ସକଳ ଆଶା, ସକଳ ସ୍ୱପ୍ନର ଏଇପରି ହେଲା ଅନ୍ତିମ ପରିଣତି !

 

ଏହାପରେ ଅବଶ୍ୟ ମଙ୍ଗରାଜଙ୍କ ବିଚାର ହେଲା । ବିଚାରରେ ରାୟ ବହାରିଲା, ମଙ୍ଗରାଜ ଶାରିଆର ହତ୍ୟା ପାଇଁ ଦାୟୀ ନୁହନ୍ତି ବା ଗୋଟିଏ ପରିବାରକୁ ଉଚ୍ଛନ୍ନ କରିଦେବାରେ ଦୋଷୀ ନୁହନ୍ତି । ଶାରିଆ ଅନାହାରରେ ନଖାଇ ନ ପିଇ ମଲା; ଭଗିଆ ଛମାଣ ଆଠଗୁଣ୍ଠ ଜମି କଟ କବଲା ଲେଖି ଦେଇ ଟଙ୍କା କରଜା କରିଥିଲା, ପରିଶୋଧ ନ ହେବାରୁ ମଙ୍ଗରାଜ ନିଲାମ କରିନେଲେ । ଏଥିରେ ମଙ୍ଗରାଜ ନିର୍ଦ୍ଦୋଷ । ମଙ୍ଗରାଜଙ୍କ ଅପରାଧ ଭିତରେ ଏକମାତ୍ର ଅପରାଧ ହେଉଛି, ‘‘ନେତ ନାମକ ଗାଈକୁ ଆତ୍ମସାତ୍ କରିଥିବା’’, ସେହି ଅପରାଧର ଶାସ୍ତି ମିଳିଲା, ଛମାସ କାରାଦଣ୍ଡ ଏବଂ ପାଞ୍ଚଶତ ଟଙ୍କା ଜରିମାନା ! ମଙ୍ଗରାଜ ଚାଲାଣ ହୋଇଯିବା ସମୟରେ ଚତୁରୀ ଚମ୍ପା ମଙ୍ଗରାଜଙ୍କଠାରୁ ଅତି କୌଶଳରେ ଗନ୍ତାଘରକୁ କୁଞ୍ଚି କାଠି ହାତେଇ ନେଇଥିଲା । ଏଇଥିପାଇଁ କେବଳ, ସେ କେତେବାଟ ମଙ୍ଗରାଜଙ୍କ ପଛରେ, ‘‘ମୋ ସାଆନ୍ତ, ମୋ ସାଆନ୍ତ, ମୋ ସାଆନ୍ତକୁ କାହିଁ ଘେନି ଯାଉଛ; ଏଣେ ଚମ୍ପାର ବିଷପାତ୍ର ଯେପରିକି ଚହଲି ପଡ଼ିଲା; ଚମ୍ପା ମଙ୍ଗରାଜଙ୍କ ସଞ୍ଚିତ ସବୁ ଅଧର୍ମବିତ୍ତ ଧରି ଗୋବିନ୍ଦା ଭଣ୍ଡାରୀ ସଙ୍ଗରେ ବାହାରି ପଡ଼ିଲା କଟକ ରାସ୍ତାରେ, ସେଠି ସାନ୍ତାଣୀ ହୋଇ ରହିବାକୁ । କିନ୍ତୁ ବାଟରେ ଗୋବିନ୍ଦା ଭଣ୍ଡାରୀ ସଙ୍ଗରେ କଥାରେ କଥାରେ କଳହ ଲାଗିଲା । ଶାସ୍ତି ସ୍ୱରୂପ, ଗୋବିନ୍ଦାର ଭଣ୍ଡାରୀ ମୁଠି ଖୁରରେ ବ୍ୟଭିଚାରିଣୀ, ରାକ୍ଷସୀ ଦାମ୍ଭିକା ଚମ୍ପାର ଜୀବନରେ ପଡ଼ିଗଲା ଶେଷ ଯବନିକା !

 

‘‘ଛମାଣ ଆଠଗୁଣ୍ଠ’’ ଉପନ୍ୟାସର ଏହାହିଁ ଗଳ୍ପାଂଶ । ଏହା ଯଥାର୍ଥରେ ଏକ ସ୍ଫିତୀକୃତ କ୍ଷୁଦ୍ରଗଳ୍ପ । କିନ୍ତୁ ଗଳ୍ପର ପରିବେଷଣ (treatment) ଏହାକୁ ବିଶ୍ୱସାହିତ୍ୟରେ ଏକ ଶକ୍ତିଶାଳୀ ଉପନ୍ୟାସର ମର୍ଯ୍ୟାଦାରେ ପ୍ରତିଷ୍ଠିତ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଲୋଚିତ ଉପନ୍ୟାସ ସମ୍ପର୍କରେ ପୁଣି କୁହାଯାଇପାରେ, ଏଥିରେ ଗଳ୍ପ ଅପେକ୍ଷା ଗଳ୍ପର ପରିବେଷଣ ଅଧିକ ଉଲ୍ଲେଖଯୋଗ୍ୟ । ଅତି ସାଧାରଣ, ବୈଚିତ୍ର୍ୟହୀନ ଗଳ୍ପ, ନିପୁଣ କଥାଶିଳ୍ପୀ ପରିବେଷଣ ଚାତୁରୀରେ କିପରି ଉଚ୍ଚଶ୍ରେଣୀର ଉପନ୍ୟାସ-କୋଟୀରେ ପ୍ରତିଷ୍ଠିତ ହୋଇପାରେ, ‘‘ଛମାଣ ଆଠଗୁଣ୍ଠ’’ ଏହାର ଏକ ପ୍ରକୃଷ୍ଟ ଉଦାହରଣ ଆଲୋଚିତ ଉପନ୍ୟାସରେ, ପରିଣତି (climax) ଗୌଣ କିନ୍ତୁ ପ୍ରତି-ପରିଣତି (anti-climax) ମୁଖ୍ୟ । ଭଗିଆ ମଙ୍ଗରାଜଙ୍କୁ ‘‘ଛମାଣ ଆଠଗୁଣ୍ଠ’’ ଜମି କଟକବଲା ଲେଖି ଦେବାପରେ ଗଳ୍ପ ପରିଣତିରେ ପହଞ୍ଚିଅଛି । କିନ୍ତୁ ସେ ପର୍ଯ୍ୟନ୍ତ ଗଳ୍ପର କ୍ରମ ପରିଣତି ଗତିହୀନ ସ୍ଥାଣୁ; ବହୁ ଅବାନ୍ତର ପ୍ରସଙ୍ଗ ଓ ବହୁ ଦୀର୍ଘାୟିତ, ଧୈର୍ଯ୍ୟଚ୍ୟୁତିକାରୀ ବର୍ଣ୍ଣନାରେ ପୂର୍ଣ୍ଣ । କିନ୍ତୁ ପରିଣତି ପରେ ଉପସଂହାର ପର୍ଯ୍ୟନ୍ତ, ଉପନ୍ୟାସର ଗତି ଯେପରି ଦ୍ରୂତ ସେହିପରି ମର୍ମସ୍ପର୍ଶୀ ।

 

‘‘ଛମାଣ ଆଠଗୁଣ୍ଠ’’ ଗୋଟିଏ ଟ୍ରାଜେଡ଼ୀ । ‘ଟ୍ରାଜେଡ଼ୀ’ର ଅନୁବାଦ ଠିକ୍ ବିୟୋଗାନ୍ତ ନୁହେଁ । ମୃତ୍ୟୁ, ଜୀବନର ଏକ ସ୍ୱାଭାବିକ ପରିଣତି; ତେଣୁ ବିୟୋଗାନ୍ତ ପରିସମାପ୍ତିରେ ଟ୍ରାଜେଡ଼ୀର ମର୍ମସ୍ପର୍ଶୀ ଗାମ୍ଭୀର୍ଯ୍ୟ ପ୍ରକାଶ ପାଏ ନାହିଁ । ମନୁଷ୍ୟ କେତେକ ପ୍ରବୃତ୍ତିର ଦାସ । ଏହି ପ୍ରବୃତ୍ତିର ପ୍ରବାହରେ ମନୁଷ୍ୟ ଭାସି ଯାଇ ପରେ ଯେଉଁ ଅଲଂଘନୀୟ କର୍ମଫଳ ଭୋଗ କରେ, ପୁଣି ସେହି କର୍ମଫଳର ଅବଶ୍ୟାମ୍ଭାବିତା ବିରୁଦ୍ଧରେ ମନୁଷ୍ୟର ସଂଗ୍ରାମ ଟ୍ରାଜେଡ଼ୀର ପ୍ରାଣ । ଶାରିଆ ରିକ୍ତ, ଶୂନ୍ୟ କୋଳରେ ଶିଶୁର ମୁଖଟିଏ ଦେଖିବା ପାଇଁ ବହୁ ସାଧନା କରିଛି, ଭଗିଆ ଛମାଣ ଆଠଗୁଣ୍ଠ ଜମି ଫେରି ପାଇବା ପାଇଁ ପାଗଳ ହୋଇଛି, ରାମଚନ୍ଦ୍ର ମଙ୍ଗରାଜ ନିଜ ଅଧର୍ମବିତ୍ତକୁ ସମ୍ଭାଳି ରଖିବା ପାଇଁ ପ୍ରାଣାନ୍ତ ହୋଇଛନ୍ତି, ସାନ୍ତାଣୀ ସ୍ୱାମୀଙ୍କୁ ପାପର ପଥରୁ ଫେରାଇ ଆଣିବା ପାଇଁ ଆତ୍ମବଳି ଦେଇଛନ୍ତି, ଚମ୍ପା ସାନ୍ତାଣୀର ମର୍ଯ୍ୟାଦାରେ ପ୍ରତିଷ୍ଠିତ ହେବା ପାଇଁ କୌଣସି ଦୁଷ୍କର୍ମ ବାକି ରଖି ନାହିଁ । କିନ୍ତୁ ଭବିତବ୍ୟର ଉପହାସରେ ସବୁ ଆଶା, ଆକାଂକ୍ଷା, ସଂଗ୍ରାମ, ସାଧନା, ଝଡ଼ରେ ଶୁଖିଲା ପତ୍ର ପରି ଉଡ଼ି ଯାଇଛି । ଏହି ବ୍ୟର୍ଥତା ଓ ପରାଜୟ ହିଁ ‘‘ଛମାଣ ଆଠଗୁଣ୍ଠ’’କୁ ଏପରି ମର୍ମସ୍ପର୍ଶୀ କରି ପାରିଅଛି ।

 

ଗ୍ରୀକ୍ ଟ୍ରାଜେଡ଼ୀରେ କର୍ମଫଳ ବା ନେମେସିସ୍ (Nemesis)ର ନିଷ୍ପ୍ରାଣ, ନିର୍ମମ ଶାସ୍ତି ପ୍ରଧାନ ଉପଜୀବ୍ୟ । ମନୁଷ୍ୟକୁ ନିଜ କର୍ମର ଫଳ ଭୋଗ କରିବାକୁ ପଡ଼ିଥାଏ । ସେଥିରୁ ମନୁଷ୍ୟର ମୁକ୍ତି ନାହିଁ, ମନୁଷ୍ୟର ସବୁ ପୁରୁଷକାର ସେଠି ପରାଜିତ । ଏହି କର୍ମଫଳର ଶାସ୍ତିକୁ ଗ୍ରୀକମାନେ ନେମେସିସ୍ ଦେବୀ ରୂପେ କଳ୍ପନା କରିଥିଲେ । ଭାରତୀୟ ବୌଦ୍ଧର କର୍ମଫଳ ଧାରଣା, ଗ୍ରୀକ୍‍ମାନଙ୍କର ଏ ଜୀବନଦର୍ଶନକୁ ହୁଏତ ବହୁ ପରିମାଣରେ ପ୍ରଭାବିତ କରିଛି । ଯାହାହେଉ କର୍ମଫଳ, ମନୁଷ୍ୟ ଜୀବନରେ ଏକ ନିର୍ମମ, ନିଷ୍ଠୁର ସତ୍ୟ, ଭବିତବ୍ୟର ନିର୍ଦ୍ଦେଶ ପରି ତାହା ଅଲଂଘନୀୟ । ମନୁଷ୍ୟର ଆଦିମ ସମାଜ ପୁଣି ଏଇ କର୍ମଫଳ ଧାରଣା ଉପରେ ତିଷ୍ଠି ରହିଥିଲା । ସେତେବେଳେ ହୁଏତ ସମାଜରେ ଧର୍ମାଧିକରଣ ନ ଥିଲେ, ଆଇନଶାସ୍ତ୍ର ନ ଥିଲା କିମ୍ବା ଆଇନଶାସ୍ତ୍ରଜୀବୀ ନ ଥିଲେ । ଦୁଷ୍କୃତକାରୀ, କର୍ମଫଳର ଶାସ୍ତି ଭୟରେ ଦୁଷ୍କର୍ମରୁ ନିରତ ହୋଉଥିଲା ପୁଣି ସୁକୃତକାରୀ କର୍ମଫଳର ପୁରସ୍କାର ଆଶାରେ ସୁକର୍ମରେ ଉତ୍ସାହିତ ହେଉଥିଲା । କିନ୍ତୁ ଏହି କର୍ମଫଳର ଭୟ ଉପରେ ଯେତେବେଳେ ସମାଜର ଶୃଙ୍ଖଳା ତିଷ୍ଠି ରହି ପାରିଲା ନାହିଁ, ସେତେବେଳେ ସମାଜରେ ଆସିଲେ ଧର୍ମାଧିକରଣ; ପାପ, ପୁଣ୍ୟର ବିଚାର କରି, ସମାଜ ଶୃଙ୍ଖଳା ରକ୍ଷା କରିବା ପାଇଁ । କିନ୍ତୁ ମନୁଷ୍ୟ ସଭ୍ୟତାରେ ଗୋଟିଏ ବଡ଼ ଅଭିଶାପ ହୋଉଛି, ସମାଜ ଓ ସଭ୍ୟତା ରକ୍ଷା କରିବା ପାଇଁ ମନୁଷ୍ୟ ଯେଉଁ ପନ୍ଥା ଉଦ୍ଭାବନ କରିଥାଏ, ତାରି ଉପରେ ପ୍ରଥମ ଆରମ୍ଭ ହୁଏ ମନୁଷ୍ୟର ବର୍ବର ଆକ୍ରମଣ । ପୃଥିବୀରେ ଶାନ୍ତିର ପ୍ରତିଷ୍ଠା ପାଇଁ, ମୈତ୍ରୀର ବିକାଶ ପାଇଁ ଓ ସ୍ୱାଧୀନତାର ରକ୍ଷା ପାଇଁ, ଲିଗ୍-ଅଫ-ନେସନସ୍‌ଠାରୁ ମିଳିତ-ଜାତି-ସଂଘ ପର୍ଯ୍ୟନ୍ତ ଯେତେ ଯେତେ ଉଦ୍ୟମ ହୋଇ ଆସିଛି, ସବୁରି ପରିଣତି ଯୁଦ୍ଧ, ଦାସତ୍ୱ ଓ ନିପୀଡ଼ନରେ ପର୍ଯ୍ୟବସିତ ହୋଇଅଛି । ଏପରିକି ଯେଉଁ ରାଷ୍ଟ୍ରର ସୃଷ୍ଟି ହୋଇଥିଲା ବିକାଶ ପାଇଁ, ଆଜି ସେଇ ରାଷ୍ଟ୍ରର ବିନିଯୋଗ ହେଉଛି ବ୍ୟକ୍ତିତ୍ୱକୁ ହତ୍ୟା କରିବାରେ । ସେହିପରି ସମାଜ ଶୃଙ୍ଖଳା ପାଇଁ, ପ୍ରବଳର ଅତ୍ୟାଚାରରୁ ଦୁର୍ବଳକୁ ରକ୍ଷା କରିବା ପାଇଁ, ମନୁଷ୍ୟ ଯେଉଁ ଧର୍ମ (Justice) ଧାରଣାର ସୃଷ୍ଟି କରିଥିଲା, କାଳକ୍ରମେ ତାହା ହୋଇଗଲା ଦୁର୍ବଳକୁ ନିପୀଡ଼ନ କରିବାର ଏକ ଅସ୍ତ୍ର । ଧର୍ମ ସୁଦ୍ଧା ହୋଇଗଲା, ଓକିଲ ରାମ ରାମ ଲାଲାଙ୍କ ପରି ବ୍ୟକ୍ତିଙ୍କ ହାତରେ ଏକ ପଣ୍ୟ । ଫକୀରମୋହନ ନିଜର ଦୀର୍ଘ ଅନୁଭୂତିରେ ଏହା ଖୁବ୍‌ କଳିଥିଲେ । ଶାସନ ବିଭାଗରେ ଥାଇ ସେ ଦେଖିଥିଲେ, ସମାଜର ଧର୍ମ ଦରବାରରେ ମଙ୍ଗରାଜଙ୍କ ପରି ବିତ୍ତଶାଳୀ ଲୋକେ କିପରି ଶାରିଆ ପରି ନିରୀହ ପ୍ରାଣୀକୁ ହତ୍ୟା କରି ସୁଦ୍ଧା, ଭଗିଆ ପରି ଗୋ-ବିଚାରୀ ତନ୍ତୀର ସର୍ବସ୍ୱ ଲୁଣ୍ଠନ କରି ସୁଦ୍ଧା ବେକସୁରରେ ଖଲାସ ହୋଇ ଯାନ୍ତି । କେନ୍ଦ୍ରାପଡ଼ା ଥାନାର ଦାରୋଗା ଇନାଇତ୍‌ ହୋସେନଙ୍କୁ ରାମଚନ୍ଦ୍ର ମଙ୍ଗରାଜ ରତନପୁର ଡମମାନଙ୍କ ମାମଲାରେ ପ୍ରତିଶ୍ରୁତ ହଜାରେ ଟଙ୍କା ଲାଞ୍ଚ ଦେଇଥିଲେ, ଇନାଏତ ହୋସେନ୍‌ ହୁଏତ, ମଙ୍ଗରାଜଙ୍କୁ ପୂରାପୂରି ବେକସୁର ସାବ୍ୟସ୍ତ କରି ଦେଇଥାନ୍ତେ । ତା ହେଲେ ହୁଏତ ମଙ୍ଗରାଜଙ୍କ ଇତିହାସ ଭିନ୍ନ ପଥ ଧରିଥାନ୍ତା ! ତଥାପି ମନୁଷ୍ୟର ଏ ଧର୍ମ ଦରବାର ଉପରେ ଆଉ ଏକ ଧର୍ମ ଦରବାର ଅଛି, ଯେଉଁଠି କୌଣସି ଓକିଲ, ମୁକ୍ତାର ବା ଟାଉଟର୍‌ ସେ ଚରମ ରାୟକୁ ଅର୍ଥ ଦେଇ ପଣ୍ୟ ପରି କିଣି ପାରନ୍ତି ନାହିଁ । ମନୁଷ୍ୟର ବିଚାର ଉପରେ ତଥାପି ଅଛି କର୍ମଫଳ; ସେଥିରୁ ମନୁଷ୍ୟର ମୁକ୍ତି ନାହିଁ; ତାହା ଅଲଂଘନୀୟ ।

 

ରାମଚନ୍ଦ୍ର ମଙ୍ଗରାଜ ଶାରିଆକୁ ବାଡ଼େଇ ମାରିବାରେ ସହାୟତା କରିଛନ୍ତି, ଭଗିଆକୁ ଅନ୍ଧବିଶ୍ୱାସରେ ଭୁଲାଇ ତାର ସର୍ବସ୍ୱ ଲୁଣ୍ଠନ କରିଛନ୍ତି । ଏ ଦୁଷ୍କର୍ମରେ କିନ୍ତୁ ମଙ୍ଗରାଜଙ୍କଠାରୁ ଚମ୍ପା ଆଉରି ଦୁଷ୍କୃତକାରଣୀ । କିନ୍ତୁ ବିଚାରରେ କଣ ହେଲା ? ମଙ୍ଗରାଜ, ଶାରିଆର ହତ୍ୟା ଓ ଭଗିଆର ସର୍ବସ୍ୱ ଲୁଣ୍ଠନ ଅଭିଯୋଗରୁ ବେକସୁର ଖଲାସ ହୋଇ କେବଳ ‘‘ନେତ ନାମକ ଗାଈକୁ ଆତ୍ମସାତ୍‌ କରିଥିବା ଅଭିଯୋଗରେ’’ ଛଅମାସ ସଶ୍ରମ କାରଦଣ୍ଡ ପାଇଲେ । ଚମ୍ପା ପୁଣି ବିଚାରର ପରିସର ଭିତରକୁ ସୁଦ୍ଧା ଆସି ପାରିଲା ନାହିଁ ! ଏ ସବୁ ସତ୍ୱେ କର୍ମଫଳର ଅଲଂଘନୀୟ ଶାସ୍ତି କେହି ଏଡ଼ି ପାରି ନାହାନ୍ତି । ମଙ୍ଗରାଜ ଓ ଚମ୍ପାର କର୍ମଫଳର ନିର୍ମମ ଚିତ୍ରଣର ଭୀମ ସୌନ୍ଦର୍ଯ୍ୟ, ଫକୀରମୋହନଙ୍କ ଶ୍ରେଷ୍ଠତମ କୃତିତ୍ୱ ।

 

ସମଗ୍ର ଓଡ଼ିଆ ସାହିତ୍ୟରେ ‘‘ଛମାଣ ଆଠଗୁଣ୍ଠ’’ର ଦ୍ୱାବିଂଶ ପରିଚ୍ଛେଦରେ ବର୍ଣ୍ଣିତ ଚମ୍ପାର ହତ୍ୟାଠାରୁ ବଳି ଭୀଷଣ ବର୍ଣ୍ଣନା ଆଉ ନାହିଁ ! ଆଲୋଚିତ ବର୍ଣ୍ଣନା ଯେଉଁ ଭୀମ, ରୁଦ୍ର ପରିବେଶ ସୃଷ୍ଟି କରେ, ପାଠକ ଯଥାର୍ଥରେ ସେଥିରେ ସ୍ତମ୍ଭୀଭୂତ ହୋଇଯାଏ । ଚମ୍ପାର ଶାସ୍ତି କି ଭୀଷଣ !

 

‘‘ଘୋର ଅନ୍ଧକାର ରାତ୍ରି, ମଣିଷ ନିଜ ଦେହ ଦେଖି ପାରିବ ନାହିଁ । ସାଁ ସାଁ କରି ଦକ୍ଷିଣା ପବନ ବାଡ଼ୋଉଛି, ତୁହାକୁ ତୁହା ବରଷା, ବରଗଛଟା ଗୋଟାଏ ଅନ୍ଧକାର ଗଦା ପରି ଛିଡ଼ା ହୋଇ ଦୋହଲି ଦୋହଲି ଗୋଟାଏ କେମନ୍ତ ଆତଙ୍କଜନକ ଶବ୍ଦ କରୁଅଛି, ଗୁଡ଼ାଏ ବାହୁଡ଼ି ସାନ ସାନ ଅନ୍ଧକାର ଖଣ୍ଡ ପରି ଚାରିଆଡ଼ୁ ଉଡ଼ି ସେହି ଅନ୍ଧକାର ଗଦାରେ ଝୁଲି ପଡ଼ୁଅଛନ୍ତି, ପୁଣି କେତେଖଣ୍ଡ ଅନ୍ଧକାର ପରି ବାହାରି ଆକାଶରେ ଉଡ଼ି ଯାଉ ଅଛନ୍ତି, କିଚ୍‌ କିଚ୍‌ ଶବ୍ଦ କରି ବରଫଳ ଖାଉଅଛନ୍ତି, ଟପ୍‌ ଟପ୍‌ ହୋଇ ବରଫଳ ତଳେ ପଡ଼ୁଅଛି । ଚତୁର୍ଦ୍ଦିଗରେ ପୈଶାଚିକ ଶବ୍ଦ, ଘର ମଧ୍ୟରେ ଚମ୍ପାର ଆନୁନାସିକ ଶବ୍ଦ ଆଉରି ଭୟଙ୍କର ଶୁଭୁଅଛି । ସେହି ଅନ୍ଧକାର ଗଦା ତଳେ ଦୁଇଟା ପଶୁର ଖେଁ–ଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକି ପଡ଼ି ଅନାଇଲା । ଘର ମଧ୍ୟରେ ଜଳୁଥିବା ଦୀପର ତେଜଟି କ୍ରମଶଃ କ୍ଷୀଣ ହୋଇ ଆସୁଅଛି ।’’

 

ଚମ୍ପାର ଚରମ ବିଚାରଳୟର ଏଇ ପୃଷ୍ଠଭୂମି; ଏଇ ପରିବେଶ । ମନୁଷ୍ୟକୁ ନିଜ ଦୁଷ୍କର୍ମର ଯୋଗ୍ୟ ଶାସ୍ତି ଦେବା ପାଇଁ ପ୍ରକୃତି ସୁଦ୍ଧା ଯେପରି ଜହ୍ଲାଦର ଭୀମ ରୂପ ଧରିଅଛି । ଗୋବିନ୍ଦ ! ତ ସେଠି କେବଳ ଜହ୍ଲାଦର ଖଡ଼୍‍ଗ ! ଚମ୍ପା ସେ ଶାସ୍ତିର ବିଧାନ ଏଡ଼ି ପାରିଲା ନାହିଁ !

 

‘‘x x x ଶୂକରୀ ଉପରେ କେନ୍ଦୁଆ ଯେପରି ଝାମ୍ପିପଡ଼େ ସେହିପରି ଚମ୍ପା ଉପରକୁ (ଗୋବିନ୍ଦା) ଝାମ୍ପି ପଡ଼ିଲା । ଠିକ୍‌ ସେହି ସମୟରେ ଦୀପଟା ଗର୍ଭକୁ ପୋଡ଼ି ଯାଇ ଦପ୍‌ କରି ଜଳି ଉଠି ନିଭି ଯିବାରୁ କିଛି ଦିଶିଲା ନାହିଁ । ଘର ମଧ୍ୟରେ ଉତ୍କଟ ଗଁ ଗଁ ଶବ୍ଦ, ଗୋଡ଼ହାତ ବାଡ଼େଇବା ଶବ୍ଦ ଶୁଭି ନିସ୍ତବ୍‌ଧ ହୋଇଗଲା । ସେହି ଶବ୍ଦ ଶୁଣି ବିଲୁଆ ଧଡ଼ପଡ଼ ହୋଇ ପଳାଇଗଲା । ଗଛଟାରୁ ଅନ୍ଧକାର ଖଣ୍ଡ ବୁଣିଗଲା ପରି ବାଦୁଡ଼ିଗୁଡ଼ାକ କର୍କଶ ଡେଣା ଶବ୍ଦ କରି ଉଡ଼ିବାକୁ ଲାଗିଲେ । ଏହି ସମୟରେ ଗୋଟାଏ ପ୍ରବଳ ଝଞ୍ଜା ପବନ ଆସି ଗଛର ଡାଳମାନଙ୍କୁ ଦୋକାନ ଘରକୁ କଡ଼ କରି ଦୋହଲାଇ ଦେଲା । ମୁହୂର୍ତ୍ତକ ସକାଶେ ସେଠାରେ ଅଦୃଶ୍ୟ ଅନ୍ଧକାର ମଧ୍ୟରେ ପ୍ରଳୟ ଉପସ୍ଥିତ ହେଲା ପରି ଜଣାଗଲା ।’’

 

ଚମ୍ପାର ଶାସ୍ତି ଏତିକିରେ ଶେଷହେଲା ନାହିଁ । ‘‘x x ଲାସ୍‌ଟା ଫୁଲି ଚାରି ଗୁଣ ମୋଟା ହୋଇ ଗଲାଣି । ଜିଭଟା ଗୋଟାଏ ସାନ କଦଳୀଭଣ୍ଡା ପରି ଦିଶୁଛି, ଦୁର୍ଗନ୍ଧ କଥା ଛାଡ଼ । ଉଲଙ୍ଗ ସ୍ତ୍ରୀମୂର୍ତ୍ତିତ ସତ, ଏହାର ଗୋଡ଼ ପାପୁଲି କାହିଁ ? ଚାଲୁଥିଲା କିପରି ? ଏଟା କି ରାକ୍ଷସୀ ? x x x ନଦୀ ବାଲିରେ ଦଶ ପନ୍ଦର ଗୋଟା ବିଲୁଆ କୁକୁର ଜମାହୋଇ ଗଲେଣି । ଚାରି ଛ’ଟା କୁକୁର ଗୋଟାଏ ଗୋଡ଼ର ପାପୁଲି ସକାଶେ କାମୁଡ଼ା କାମୁଡ଼ି ଲଗାଇ ଅଛନ୍ତି; କିଛି ଦୂରରେ ଆଉ ଗୋଟାଏ ଗୋଡ଼ ପାପୁଲିକୁ ସାତଟା ଶାଗୁଣା ଝିଙ୍କାଝିଙ୍କି କରୁଥିଲେ, ଗୋଟାଏ ବିଲୁଆ ଆସି ସେମାନଙ୍କ ନିକଟରୁ ଛଡ଼ାଇ ଘେନିଗଲା । ଶାଗୁଣାଗୁଡ଼ାକ ଅଳ୍ପ ଘୁଞ୍ଚି ଯାଇଁ ଡେଣା ମେଲାଇ ବସି ଅଛନ୍ତି । ଚାରିଜଣ ହାଡ଼ି ନାକରେ ଲୁଗା ବାଦ୍ଧି ଠେଙ୍ଗା କାନ୍ଧରେ ପକାଇ କୁକୁର ଶାଗୁଣା ଘଉଡ଼ାଉ ଅଛନ୍ତି ।’’

 

ଜୀବଦ୍ଦଶାରେ କେବଳ କର୍ମଫଳର ଶାସ୍ତି ଭୋଗ ହୁଏ ନାହିଁ । ମୃତ୍ୟୁପରେ ସୁଦ୍ଧା ସେ ଶାସ୍ତି ଭୋଗ କରିବାକୁ ପଡ଼ିଥାଏ ! କର୍ମଫଳରେ ଫକୀରମୋହନଙ୍କ ପାଠକମାନଙ୍କର ବିଶ୍ୱାସ ଥାଇପାରେ ବା ନଥାଇପାରେ । କିନ୍ତୁ ଯେଉଁ ବିଶ୍ୱାସରେ ସେ ବଢ଼ିଥିଲେ, ତାହା ସେ ଚମ୍ପାର ପରିଣତିରେ ଅତି ନିପୁଣ ଓ ବଳିଷ୍ଠ ଭାବରେ ଚିତ୍ରଣ କରି ପାରିଛନ୍ତି !

 

କର୍ମଫଳ ଖାଲି ନିଷ୍ଠୁର ନୁହେଁ, ରହସ୍ୟପ୍ରିୟ ମଧ୍ୟ । ମନୁଷ୍ୟ ଠିକ୍‌ ଯେମିତି ଯାହା କରିଥାଏ, ତାକୁ ଠିକ୍‌ ସେମିତି ନିଜ କର୍ମର ଫଳ ଭୋଗ କରିବାକୁ ପଡ଼ିଥାଏ । ମଙ୍ଗରାଜ ପରା ଭଗିଆକୁ ତନ୍ତୀ ହୁଣ୍ଡା ପାଇ, ବିଶ୍ୱାସରେ ଭୁଲାଇ ତାର ଛମାଣ ଆଠଗୁଣ୍ଠ ଜମି ଠକି ନେଇଥିଲେ ? ଏବେ ମଙ୍ଗରାଜଙ୍କୁ ହୁଣ୍ଡା ତନ୍ତୀ କରି, ତାଙ୍କର ସର୍ବସ୍ୱ ଠକି ନେବା ପାଇଁ ରାମନାରାୟଣ ଲାଲାଙ୍କର ଯଥା ସମୟରେ ଆର୍ବିଭାବ ହେଲା ।

 

କାଠରେଲିଂବେଢ଼ା ନାଜର ଖାନା ଗାରଦ ଘରର ଗୋଟାଏ କୋଣରେ ବାଡ଼କୁ ଆଉଜି ଆଖି ବୁଜି ମଙ୍ଗରାଜେ ବସିଛନ୍ତି । ଚାରିଜଣ ବରକନ୍ଦାଜ ପହରା । ଶୀକାର୍‌ର ବାସନା ପାଇ ପହଞ୍ଚିଗଲେ ଓକିଲ ରାମରାମ ଲାଲା....‘‘ଦେହରେ ଢିଲାହାତ ଆଜାନୁଲମ୍ୱିତ ଛକଲିଆ ବନ୍ଧଲଗା ସ୍ଥାନେ ସ୍ଥାନେ କାଳିଚିହ୍ନିତ ଚପକନ୍‌, ମୁଣ୍ଡରେ ହାତେ ବଉଡ଼ା ଚବିଶ ହାତ ଲମ୍ୱ ଜରିମୁହାଁ ଢାଲିଆ ପାଗବନ୍ଧା, ପାଛୋଡ଼ି ଖଣ୍ଡକ ପଛରୁ ଫେରି ଆସି ବାଁ କାନି ଡାହାଣ କାନ୍ଧରେ, ଡାହାଣ କାନି ବାଁ କାନ୍ଧରେ ଛାତିରେ ଛକା ପଡ଼ିଛି, ତିନିଫୁଲିଆ ମାଣିଆବନ୍ଦି ଖଦି ପିନ୍ଧା, ଗୋଡ଼ରେ ଫୁଲପକା ମରହଟୀ ଯୋତା, କାନିରେ ପାହାଡ଼ୀ ଶର କଲମ, ଜାଉଁଳି ନିଶ, ଏକ ଗାଲିଆ ଗାଲେ ପାନ ।’’ ପହରା ବରକନ୍ଦଜ ଗୋପୀସିଂହ ଲାଲାଙ୍କଠାରୁ ଟରଣିଭାଗ ପାଇବା ଆଶାରେ ମଙ୍ଗରାଜଙ୍କୁ କହିଲା…..‘‘ଦେଖ ଏହାଙ୍କର ନାମ ରାମରାମ ଲାଲା, କଚେରିର ବଡ଼ ଓକିଲ, ଏହାଙ୍କୁ ଆଚ୍ଛା କରି ଧର । ସାହେବ ଏହାଙ୍କ କଥା ଖୁବ୍‌ ଶୁଣନ୍ତି ।’’ ମଙ୍ଗରାଜେ, ରାମରାମ ଲାଲାଙ୍କୁ ଖଲାସ ହେଲେ ହଜାରେ ଟଙ୍କା ଦେବେ କହି ଖୁବ୍‌ ଧରିଲେ । କିନ୍ତୁ ଲାଲା ଏ ହଜାରେ ଟଙ୍କାରେ ଭଳିବାର ତ ପାତ୍ର ନୁହନ୍ତି ! ଜୀବନରେ ସମସ୍ତଙ୍କୁ ମଙ୍ଗରାଜେ ପ୍ରତାରିତ କରିଛନ୍ତି, ଲୁଣ୍ଠନ କରିଛନ୍ତି । ଏଥର ନିଜେ ପ୍ରତାରିତ ହୋଇ ଲୁଣ୍ଠିତ ହେବାର ପାଳି ପଡ଼ିଲା । ରାମରାମ ଲାଲା ଧରି ବସିଲେ ନଗଦ ଦଶହଜାର ଟଙ୍କା ହାତପୈଠ ନହେଲେ, ଏ ଫାଶୀ ମାମ୍‌ଲାରେ ସେ ପଶିବେ ନାହିଁ । ମଙ୍ଗରାଜେ ନଗଦ ଦଶ ହଜାର ଟଙ୍କା ପାଇବେ କେଉଁଠୁ ? ତେଣୁ ଅନ୍ୟଙ୍କଠାରୁ ଯେମିତି କଟ କବଲା ଲେଖି ରଖନ୍ତି ସେମିତି ସେ ରାମରାମ ଲାଲାଙ୍କୁ ସର୍ବସ୍ୱ କଟ କବଲା ଲେଖିଦେଲେ । ଏଣେ ମଙ୍ଗରାଜ ଛମାସ, ଜେଲରେ ଘଣା ପେଲି ମୁକୁଳି ଆସିଲା ବେଳକୁ, ରାମରାମ ଲାଲା ମଙ୍ଗରାଜଙ୍କ ସବୁ ସମ୍ପତ୍ତି ଡିଗ୍ରୀ କରି ନେଇଥିଲେ-। ବିଚାରରେ ମଙ୍ଗରାଜଙ୍କୁ ଯେଉଁ ହଜାରେ ଟଙ୍କା ଜରିମାନା କରିଥିଲେ ତାହା ତାଙ୍କର ସବୁ ଚଳନ୍ତି ସମତ୍ତି ନିଲାମ ହୋଇ ଅସୁଲ ହେଲା ।

 

କିନ୍ତୁ ମଙ୍ଗରାଜଙ୍କ ଶାସ୍ତି ଏତିକିରେ ଶେଷ ହେଲା ନାହିଁ । ଏ ତ ସାମାଜିକ ନ୍ୟାୟ ବିଚାରର ଶାସ୍ତି ! କିନ୍ତୁ ସାମାଜିକ ନ୍ୟାୟ ପ୍ରାକୃତିକ ନ୍ୟାୟ (Natural Justice) ନୁହେଁ ! ମଙ୍ଗରାଜ ଜୀବନରେ ଗୋଟି ଗୋଟି କରି ଯେତେ ଦୁଷ୍କର୍ମ କରିଛନ୍ତି, କେଉଁ ବିଚାରଳୟ ବା ତାର ଯଥାର୍ଥ ଶାସ୍ତି ବିଧାନ କରି ପାରେ ? ଦାରୋଗା ମଙ୍ଗରାଜଙ୍କୁ ଚାଲାଣ ଦେବା ବେଳେ, ପ୍ରାକୃତିକ ନ୍ୟାୟବିଚାରରେ ଉପଯୁକ୍ତ ଶାସ୍ତି ଦେବା ପାଇଁ ପାଗଳା ଭଗୀଚନ୍ଦ ଅଣ୍ଟାରେ ଛିଣ୍ଡା କନା ଗୁଡ଼ାଇ, ମୁଣ୍ଡବାଳ ମୁକୁଳା; କରି, ଦେହଯାକ ଧୂଳି ବୋଳି ହୋଇ, ହାତରେ ବାଇଜି ହାଣ୍ଡି ଧରି ମଙ୍ଗରାଜଙ୍କୁ କାମୁଡ଼ିବା ପାଇଁ ଧାଇଁ ଆସୁଥିଲା ! କିନ୍ତୁ ସମାଜ ସେଠି ବାଧା ଦେଲା; ତାହେଲେ ସମାଜର କରଣୀ ଖଟିବ ନାହିଁ ଯେ ! ଦାରୋଗାଙ୍କ ହୁକୁମ ଅନୁସାରେ ଚଉକିଆମାନେ ଭଗୀଚନ୍ଦକୁ ବାନ୍ଧି ପକାଇଲେ । ଭଗୀଚନ୍ଦ ରହିଲା ଯାଇ, କଟକ ଜେଲଖାନା ଭିତରେ ପାଗଳା ଗାରଦରେ ।

 

ତଥାପି ମଙ୍ଗରାଜ, ପ୍ରାକୃତିକ ନ୍ୟାୟର (natural justice) ଚରମ ବିଧାନ ଏଡ଼ି ପାରିଲେ ନାହିଁ । ଘଟଣାକ୍ରମେ ମଙ୍ଗରାଜଙ୍କୁ ରତନପୁରର ଡମମାନଙ୍କ ସହିତ ଏକା ଗାରଦରେ ରହିବାକୁ ପଡ଼ିଲା । ସେହି ଡମମାନଙ୍କୁ ଦିନେ ମଙ୍ଗରାଜ ନାନା ଚକ୍ରାନ୍ତ କରି ଜେଲ ଦିଆଇଥିଲେ । ମଙ୍ଗରାଜଙ୍କୁ ଜେଲ ଭିତରେ ଦେଖି ସେମାନେ ପ୍ରଥମ ଦିନ ‘‘ଶିଶୁର ଅଇଲେ’’ ‘‘ସଙ୍ଗାତ ଅଇଲେ’’ ବୋଲି ଅଭିନନ୍ଦନ କରିଥିଲେ । ଖାଲି ସେତିକି ନୁହେଁ, ମଙ୍ଗରାଜେ ରତନପୁରିଆଙ୍କ ସଙ୍ଗରେ ଘଣା ପେଲିବା ସମୟରେ, ପୁରୁଣା କଏଦୀମାନେ ତାଙ୍କଠାରୁ କିଛି ପାଇବା ଆଶାରେ ବେଳେବେଳେ ଗୋଇଠାଟାଏ, ବିଧାଟାଏ ବା ଖୁନ୍ଦାଟାଏ ପକାଇଦେବାକୁ ଭୁଲି ନ ଥିଲେ । କର୍ମଫଳର ପ୍ରତିଶୋଧ ଏତିକିରେ ଶେଷ ହେଲା ନାହିଁ । ଦିନେ ପାଗଳାଗାରଦରୁ ପାଗଳା ଭଗିଚନ୍ଦ ଦଉଡ଼ି ଆସି ମଙ୍ଗରାଜଙ୍କ ନାକ କାମୁଡ଼ି, ତାଙ୍କୁ ଲହୁଲୁହାଣ କରି ପକାଇଲା । ପାଗଳା ଭଗିଚନ୍ଦ, ସତେ ଯେପରିକି, ରୁଦ୍ର, ପ୍ରଚଣ୍ଡ, କର୍ମଫଳର ଜୀବନ୍ତ ବିଗ୍ରହ ! ସମାଜ ତାର ଚରମ ଶାସ୍ତିରୁ ମଙ୍ଗରାଜଙ୍କୁ ଯେତେ ଘଣ୍ଟା ଘୋଡ଼ାଇ ରଖିବା ପାଇଁ ଚେଷ୍ଟା କଲେ ସୁଦ୍ଧା ପାରିଲା ନାହିଁ !

 

ମଙ୍ଗରାଜ ଦୁନିଆକୁ ଠକି ଭଣ୍ଡି ଜିତିଥିଲେ । ଭଗିଆ ତନ୍ତୀକୁ ହୁଣ୍ଡା ଭାବି ତାର ସର୍ବସ୍ୱ ଉଚ୍ଛନ୍ନ କରିଥିଲେ । ଶେଷରେ ଗୋପିଆ ତନ୍ତୀ ଓରଫ ଭଣ୍ଡ ଗୋପୀ କବିରାଜର ‘‘ମୁସ୍ତକଂ କଟୁକୀ ରାତ୍ରୀ––ଶୁଣ୍ଠି ପିପ୍‌ପଳି ମେ ବଚ’’ ‘‘ଅନୁପାନ ବିଶେଷେଣ କରୋତି ବିବିଧାନ୍‌ ଗୁଣାନ୍‌’’ ଇତ୍ୟାଦି ବ୍ୟାଖ୍ୟା ଶୁଣୁ ଶୁଣୁ, ସାନ୍ନିପାତିକ ପ୍ରଳାପ ‘ଥ–ମା–ଆ–ଗୁଁ’’ ଭିତରେ ମଙ୍ଗରାଜଙ୍କ ପ୍ରାଣବାୟୁ ଉଡ଼ିଗଲା । ଫକୀରମୋହନ ଏହି କର୍ମଫଳର ଧାରଣାକୁ ସ୍ପଷ୍ଟ କରି ଲେଖିଛନ୍ତି :–‘‘ହେ ବୁଦ୍ଧିମାନ, ତୁମ୍ଭେ ଅତି ନିର୍ଜନରେ ଅତି ସାବଧାନରେ କିଛି କର୍ମ କରି ମନେ କରୁଅଛ, ମନୁଷ୍ୟର ଦୃଷ୍ଟିରେଖାର ଅନ୍ତରାଳରେ ରହିଅଛି । ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବାବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର, ମନୁଷ୍ୟନେତ୍ର ଅତିକ୍ରମ କରିବାକୁ ଉପାୟ ନାହିଁ । ପୁଣି ତୁମ୍ଭେ ଯେଉଁ ବୃକ୍ଷ ରୋପଣ କଲ, ତାହାର ଫଳ ତୁମ୍ଭଙ୍କୁ–କଦାଚିତ୍‌ ବଂଶ ପରମ୍ପରାକୁ ଭୋଗ କରିବାକୁ ପଡ଼ିବ ।’’ ଏହି ଦୃଷ୍ଟିରୁ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସର ସାମାଜିକ ମୂଲ୍ୟ ଅନସ୍ୱୀକାର୍ଯ୍ୟ ।

 

‘ଛମାଣ ଆଠଗୁଣ୍ଠ’ର ରଚନା, ଓଡ଼ିଆ ଉପନ୍ୟାସର ଶୈଶବରେ । ତା ପୂର୍ବରୁ ଅବଶ୍ୟ ‘ପଦ୍ମମାଳୀ’ ଓ ‘ବିବାସିନୀ’ ଉପନ୍ୟାସ ପ୍ରକାଶ ପାଇ ସାରିଥିଲା । ମାତ୍ର ସେ ଦୁଇଟିଯାକ ଐତିହାସିକ ଉପନ୍ୟାସ । ‘‘ବିବାସିନୀ’’ ଠାରୁ ‘‘ପଦ୍ନମାଳୀ’’ ଭାଷା ଓ ଶୈଳୀରେ ଢେର ଉନ୍ନତିତର; ହେଲେହେଁ ଚରିତ୍ରଚିତ୍ରଣ, ଘଟଣା ବିନ୍ୟାସ, ପରିବେଷଣ ଓ ଭାଷା ଦୃଷ୍ଟିରୁ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସକୁ ଯଥାର୍ଥରେ ଅଭୂତପୂର୍ବ କୁହାଯାଇପାରେ । ଆଲୋଚିତ ଉପନ୍ୟାସର ଚରିତ୍ରଚିତ୍ରଣ ଅନ୍ୟତ୍ର ଆଲୋଚିତ ହୋଇଅଛି । ଏଥିରେ ମୁଖ୍ୟ ଚରିତ୍ରଗୁଡ଼ିକର ଚିତ୍ରଣଠାରୁ ଗୌଣଚରିତ୍ରଚିତ୍ରଣରେ ଫକୀରମୋହନ ଯେଉଁ ପାରଦର୍ଶିତା ଦେଖାଇଅଛନ୍ତି ତାହା ଯଥାର୍ଥରେ ଅତୁଳନୀୟ । ଲୋକଚରିତ୍ର ସହିତ ତାଙ୍କର କି ନିବିଡ଼ ପରିଚୟ ଥିଲା, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ । ଏ ଗୌଣଚରିତ୍ରଗୁଡ଼ିକ ପୁଣି, କେବଳ ଗଳ୍ପର ବିକାଶ ପାଇଁ କଳ୍ପିତ ହୋଇ ନାହିଁ, ହୁଏତ ଗଳ୍ପର ବିକାଶରେ ଅଧିକାଂଶ ଗୌଣଚରିତ୍ର ଅବାନ୍ତର । ମାତ୍ର ପ୍ରତ୍ୟେକ ଗୌଣଚରିତ୍ର ମାଧ୍ୟମରେ ସମାଜ-ଜୀବନର ନାନା ଆବର୍ଜନା ବିରୁଦ୍ଧରେ ବଳିଷ୍ଠ ସମାଲୋଚନା ଏଥିରେ ଅତି ନିରୀହ ଭାବରେ ପ୍ରକାଶ ପାଇଅଛି । ଏହି ଗୌଣଚରିତ୍ରଗୁଡ଼ିକ ପୁଣି ଉପନ୍ୟାସକୁ ବହୁପରିମାଣରେ ସୁଖପାଠ୍ୟ କରିଅଛି । ଉଦାହରଣ ସ୍ୱରୂପ ‘ଅସୁରଦୀଘି’ ସମ୍ପର୍କିତ ବର୍ଣ୍ଣନା ପ୍ରସଙ୍ଗରେ ଯଶୋଦା ଓ ମାରକଣ୍ଡିଆମା’ର କଳହ । ମୂଳଗଳ୍ପ ସହିତ ଏ ଘଟଣାର କୌଣସି ସମ୍ପର୍କ ନାହିଁ । ହୁଏତ ଗଳ୍ପର କ୍ରମବିକାଶ ଦୃଷ୍ଟିରୁ ‘ଅସୁରଦୀଘି’ର କେବଳ ଉଲ୍ଲେଖ ମାତ୍ର ଯଥେଷ୍ଟ ହୋଇଥାନ୍ତା-। କିନ୍ତୁ ‘ଅସୁରଦୀଘି’ର ମାଇପିଗାଧୁଆ ତୁଠ, ‘ଛମାଣ ଆଠଗୁଣ୍ଠ’ ଟ୍ରାଜେଡ଼ୀର ପ୍ରଧାନ ପୃଷ୍ଠଭୂମି-। ଚମ୍ପା, ଏଇଠି ଭଗିଆ ଓ ଶାରିଆର ସର୍ବନାଶର ମଞ୍ଜ ପୋତିଥିଲା । ତେଣୁ ସେଇ ପୃଷ୍ଠଭୂମି ପ୍ରତି ପାଠକମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିବା ପାଇଁ ତାହାର ବର୍ଣ୍ଣନା ସ୍ଫୀତିକୃତ ହୋଇଅଛି-। ବର୍ଣ୍ଣନାକୁ ଜୀବନ୍ତ କରିବା ପାଇଁ ପୁଣି ଯଶୋଦା ଓ ମାରକଣ୍ଡିଆମା ମଧ୍ୟରେ କଳହର ଅବତାରଣା-। ଏଥିରେ ଫକୀରମୋହନ କେବଳ ଗ୍ରାମ୍ୟ ନାରୀଚରିତ୍ର ସହିତ ସହାନୁଭୂତିପୂର୍ଣ୍ଣ ନିବିଡ଼ ପରିଚୟର ସଙ୍କେତ ଦେଇ ନାହାନ୍ତି, ତା ସହିତ ଗ୍ରାମ୍ୟ ନାରୀମାନଙ୍କର ବିକଳ ଶୁଚିଜ୍ଞାନର ମଧ୍ୟ କଠୋର ଅଥଚ ନିରୀହ ସମାଲୋଚନା କରିବାକୁ ଭୁଲି ନାହାନ୍ତି । ଯଶୋଦା ପାଣି ମଧ୍ୟରେ ପେଟ ବୁଡ଼ାଇ ଦାନ୍ତ ଘଷୁଥିଲା, ସେଥିରେ ପାଣି ମଇଳା ହେଉ ନ ଥିଲା; କିନ୍ତୁ ପାଞ୍ଚ ବରଷର ମାରକଣ୍ଡିଆ ପାଣି ଭିତରେ ନାଚି କୁଦି, ଯଶୋଦା ଉପରେ ପାଣି ଛିଟା ପକାଇବାରୁ ଯଶୋଦା ମାରକଣ୍ଡିଆକୁ ଅଭିସମ୍ପାତ ଦେବାରେ ଲାଗିଗଲା । ମାରକଣ୍ଡିଆମା ତାର ସମାନ ସ୍ୱରରେ ପ୍ରତ୍ୟୁତ୍ତର ଦେବାକୁ ମଧ୍ୟ ଭୁଲିଲା ନାହିଁ । କିନ୍ତୁ ପରାସ୍ତ ହୋଇଯିବାରୁ ମାରକଣ୍ଡିଆକୁ ଚାପୁଡ଼ାଏ ମାରି, ତା ଉପରେ ପରାଜୟର ସବୁ ଗ୍ଳାନି ମେଣ୍ଟାଇ, ଗୋଟାଏ ହାତରେ ପାଣି କଳସୀ ଓ ଆଉ ଗୋଟାଏ ହାତରେ ମାରକଣ୍ଡିଆକୁ ଟାଣି ଟାଣି ଚାଲିଗଲା । ସେହିପରି ଊନବିଂଶ ପରିଚ୍ଛେଦରେ ବର୍ଣ୍ଣିତ ପୁଲିସ ତଦାରଖୀ ପ୍ରସଙ୍ଗରେ ଥାନା ଦାରୋଗା ଇନାଏତ୍‌ ହୋସେନ୍‌, ମୁନ୍‌ସୀ ଚକ୍ରଧର ଦାସ ଓ ଅନ୍ୟ ସାକ୍ଷୀ ଗୁହାମାନଙ୍କର ଚିତ୍ରଣ ଅତି ଜୀବନ୍ତ । ଏହି ସାକ୍ଷୀ ଗୁହାମାନଙ୍କ ଜମାନବନ୍ଦି, ଗଳ୍ପର ବିକାଶରେ କେବଳ ସାହାଯ୍ୟ କରିନାହିଁ, ଅନ୍ତରାଳରେ ଘଟି ଯାଇଥିବା ବହୁ ଘଟଣା ପାଠକମାନଙ୍କର ଦୃଷ୍ଟିକୁ ଆଣିନାହିଁ, ସଂକ୍ଷିପ୍ତ କେତେଗୋଟି କଥାରେ ଯେପରି ମୂର୍ତ୍ତିମନ୍ତ ଜୀବନ୍ତ ଚରିତ୍ର ସୃଷ୍ଟିକରି ପାରିଅଛି, ଓଡ଼ିଆ ସାହିତ୍ୟରେ ଯଥାର୍ଥରେ ସେ କୃତିତ୍ୱର ତୁଳନା ନାହିଁ ।

 

ଭାଷା ଦୃଷ୍ଟିରୁ ଫକୀରମୋହନ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ଯେଉଁ ଭାଷାର ପରଖ କରିଛନ୍ତି, ତାହା ଆଦର୍ଷ ଭାଷା କି ନୁହେଁ, ସେ ସମ୍ୱନ୍ଧରେ ମତଦ୍ୱୈଧର ଅବକାଶ ଥିଲେହେଁ, ଫକୀରମୋହନଙ୍କ ପରେ ଆଦର୍ଶ ଓଡ଼ିଆ ଭାଷାର ଏପରି ନିର୍ଭୀକ ପରଖ ଆଉ କେହି କରି ନାହାନ୍ତି । ‘ଛମାଣ ଆଠଗୁଣ୍ଠ’ ରଚନା କାଳରେ ଓଡ଼ିଆ ପାଠକ ସମାଜରେ ଗଦ୍ୟଠାରୁ ପଦ୍ୟର ଆଦର ବେଶୀ ଥିଲା । ଗଦ୍ୟ ଶୁଦ୍ଧସାହିତ୍ୟ ରୂପରେ ସେ ପର୍ଯ୍ୟନ୍ତ ପୁଣି ପ୍ରତିଷ୍ଠିତ ହୋଇ ନ ଥିଲା । ଅତଏବ ଫକୀରମୋହନ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ କଥିତଭାଷାରେ ରଚନା କଲାବେଳେ ତାଙ୍କ ଆଗରେ ଦୁଇଗୋଟି ସ୍ପଷ୍ଟ ଉଦ୍ଦେଶ୍ୟ ଥିଲା, ପ୍ରଥମରେ କଥିତ ଭାଷାରେ ଉପନ୍ୟାସ ରଚନା କରି, ଉପନ୍ୟାସକୁ ସାହିତ୍ୟର ଏକ ବିଶିଷ୍ଟ ମାଧ୍ୟମ ରୂପେ ଲୋକପ୍ରିୟ କରିବା ଓ ଦ୍ୱିତୀୟରେ ଗଦ୍ୟସାହିତ୍ୟକୁ ସହଜବୋଧ୍ୟ କରି ଏହାର ବିକାଶ ଓ ଅଭିବୃଦ୍ଧିରେ ସହାୟତା କରିବା । ‘ଛମାଣ ଆଠଗୁଣ୍ଠ’ର ଭାଷା ଯଥାର୍ଥରେ ଅପୂର୍ବ–ତାହା ଗ୍ରାମ୍ୟ, ମାତ୍ର ସେଥିରେ ଗରିମାର ଅଭାବ ନାହିଁ । ପୁଣି ଅତି ସାଧାରଣ ଭାଷାରେ ଫକୀରମୋହନ ଯେପରି ଉନ୍ନତ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି କରି ପାରିଅଛନ୍ତି କବିତାରେ ପଲ୍ଲୀକବି; ନନ୍ଦକିଶୋରଙ୍କ ଛଡ଼ା, ଆଉ କେହି ସେପରି କୃତିତ୍ୱର ପରିଚୟ ଦେଇ ପାରି ନାହାନ୍ତି ।

 

ଭାଷା, ଭାବ, ଗଳ୍ପ ଓ ପରିବେଷଣ ଦୃଷ୍ଟିରୁ ‘ଛମାଣ ଆଠଗୁଣ୍ଠ’ ବିଶ୍ୱ ସାହିତ୍ୟରେ ଏକ ମର୍ଯ୍ୟାଦାପୂର୍ଣ୍ଣ ଆସନ ଦାବୀ କରିପାରେ । ରାତ୍ରି ଶେଷର ପାହାନ୍ତି ଆକାଶରେ ଉଜ୍ଜ୍ୱଳ ଶୁକ୍ରତାରା ପରି, ଊନବିଂଶ ଶତାବ୍ଦୀ ଶେଷରେ ଓଡ଼ିଆ ସାହିତ୍ୟର ଅନ୍ଧକାରାବୃତ ଦିଗ୍‌ବଳୟରେ, ‘ଛମାଣ ଆଠଗୁଣ୍ଠ’ର ଅଭ୍ୟୁଦୟ ହୋଇଥିଲା ଏକ ଉଜ୍ଜ୍ୱଳ ପ୍ରଭାତର ବାର୍ତ୍ତା ଧରି । ସେ ପ୍ରଭାତର ଜୟ ହୋଇଅଛି । ‘ଛମାଣ ଆଠଗୁଣ୍ଠ’ର ପୃଷ୍ଠାରେ ସେଇ ପ୍ରଭାତର ଜୟଗୀତ କାଳେ କାଳେ ଓଡ଼ିଆ ସାହିତ୍ୟର ସାଧକମାନଙ୍କୁ ଉଦ୍‌ବୁଦ୍ଧ କରିବ, ସନ୍ଦେହ ନାହିଁ, । ପୁଣି କୁହାଯାଇପାରେ ଫକୀରମୋହନ ଓଡ଼ିଆ ଉପନ୍ୟାସ ସାହିତ୍ୟର ଯେଉଁ ଚୌହଦୀ ‘ଛମାଣ ଆଠଗୁଣ୍ଠ’ରେ ଟାଣି ଦେଇ ଯାଇଉନ୍ତି, ଇତିମଧ୍ୟରେ ଦୀର୍ଘ ଅର୍ଦ୍ଧ ଶତାବ୍ଦୀ ବିତିଯାଇଥିଲେ ସୁଦ୍ଧା, ତାହା ସେଥିରୁ ବିଶ୍ୱାଏ ହେଲେ ବଢ଼ିପାରି ନାହିଁ ।

Image

 

Unknown

ମାମୁ

 

‘‘ମାମୁ’’ ଫକୀରମୋହନଙ୍କର ତୃତୀୟ ଉପନ୍ୟାସ । ୧୯୦୫ ସାଲ ପରଠାରୁ ଫକୀରମୋହନ ବାଲେଶ୍ୱରରେ ଅବସ୍ଥାନ କରିଥିଲେ । ବାଲେଶ୍ୱରରେ ତାଙ୍କ ଅନ୍ତିମଜୀବନ ଜ୍ଞାତିବନ୍ଧୁ, ଆତ୍ମୀୟସ୍ୱଜନଙ୍କଠାରୁ ବିଚ୍ଛିନ୍ନ ହୋଇ, ନିଃସଙ୍ଗ ରୋଗଶଯ୍ୟାର ଯନ୍ତ୍ରଣା ମଧ୍ୟରେ ଅତିବାହିତ ହୋଇଥିଲା । ଫକୀରମୋହନ ଏ ଦାରୁଣ ଦୁର୍ଦିନରେ ସୁଦ୍ଧା ସାହିତ୍ୟ ଚର୍ଚ୍ଚାରୁ ବିରତ ନଥିଲେ । ସ୍ୱଗୃହ ନିକଟସ୍ଥ, ସ୍ୱହସ୍ତନିର୍ମିତ ‘‘ଶାନ୍ତି କାନନ’’ର ଛାୟାସ୍ନିଗ୍‌ଧ କୁଞ୍ଜତଳେ ବ୍ୟାଧିନୀପିଡ଼ିତ, ଜରାଜୀର୍ଣ୍ଣ, ସ୍ୱଜନ ପରିତ୍ୟକ୍ତ ବୃଦ୍ଧ ଫକୀରମୋହନଙ୍କ ସାହିତ୍ୟସାଧନାର ଚିତ୍ର କାଳେ କାଳେ, ଉପେକ୍ଷା ଓ ଦାରିଦ୍ର୍ୟର ଶତ ଲାଞ୍ଛନା ମଧ୍ୟରେ ସୁଦ୍ଧା, ଓଡ଼ିଆ ଲେଖକମାନଙ୍କୁ ଉଦ୍‌ବୁଦ୍ଧ କରିବ । ବାଲେଶ୍ୱରରେ ଅବସ୍ଥାନ କରିବା କାଳରେ, ‘‘ମାମୁ’’ ‘‘ପ୍ରାୟଶ୍ଚିତ୍ତ’’ ଓ ‘‘ବୌଦ୍ଧାବତାର କାବ୍ୟ’’ ରଚିତ ହୋଇଥିଲା ।

 

ବହୁମତରେ ‘‘ମାମୁ’’ ଫକୀରମୋହନଙ୍କ ଶ୍ରେଷ୍ଠ ଔପନ୍ୟାସିକ କୃତି ବୋଲି ବିବେଚିତ ହେଲେହେଁ, ଏହା ତାଙ୍କର କ୍ଷୀଣାୟମାନ (decadent) ଯୁଗର ସୃଷ୍ଟି । ‘‘ଛମାଣ ଆଠଗୁଣ୍ଠ’’ ଯେତେଦୂର ସମ୍ଭବ ୧୮୯୭–୧୯୦୦ ସାଲ ମଧ୍ୟରେ ଲେଖା ସରିଥିଲା । ‘‘ମାମୁ’’ ୧୯୧୩ ସାଲରେ ପ୍ରଥମ ପ୍ରକାଶିତ ହୋଇଥିଲେହେଁ, ଖୁବ୍‍ ସମ୍ଭବ ୧୯୦୬–୧୯୦୮ ମଧ୍ୟରେ ଲେଖା ସରିଥିଲା । କାରଣ ୧୯୦୯ ସାଲ ପରେ ଫକୀରମୋହନ ବାରମ୍ୱାର ପୀଡ଼ିତ ରହି, ସାହିତ୍ୟଚର୍ଚ୍ଚା ପ୍ରାୟ ଛାଡ଼ି ଦେଇଥିଲେ । ଯଦି ୧୮୯୮ ସାଲକୁ ‘‘ଛମାଣ ଆଠଗୁଣ୍ଠ’’ର ଆନୁମାନିକ ରଚନାକାଳ ବୋଲି ଧରାଯାଏ, ତା ହେଲେ ଦେଖାଯିବ ୧୮୯୮ ଠାରୁ ୧୯୦୭ ପର୍ଯ୍ୟନ୍ତ ଦଶ ବର୍ଷର ବ୍ୟବଧାନ ମଧ୍ୟରେ କେବଳ ‘‘ଲଛମା’’ ଓ କେତୋଟି କ୍ଷୁଦ୍ର ଗଳ୍ପ ଛଡ଼ା ଫକୀରମୋହନ ଆଉ କିଛି ଲେଖି ନଥିଲେ । ମନେହୁଏ, ଯେପରି କି ତାଙ୍କର ସବୁ ଭାବାବେଗ, ସୃଜନର ସବୁ ଶକ୍ତି, ଅନୁଭୂତିର ସବୁ ତୀବ୍ରତା, ପ୍ରକାଶର ସବୁ ମର୍ମସ୍ପର୍ଶୀ ପ୍ରଚଣ୍ଡତା ‘‘ଛମାଣ ଆଠଗୁଣ୍ଠ’’ରେ ହିଁ ନିଃଶେଷ ହୋଇ ଯାଇଥିଲା । ‘‘ମାମୁ’’ରେ ଫକୀରମୋହନଙ୍କ ଭାଷା ହୁଏତ ଅଧିକ ସ୍ନିଗ୍‌ଧ, ପରିବେଷଣ ହୁଏତ ଅଧିକ ସୁନିୟନ୍ତ୍ରିତ ଓ ସୁକଳ୍ପିତ, ଘଟଣାବିନ୍ୟାସ ହୁଏତ ଅଧିକ ଚିତ୍ତାକର୍ଷକ, ତଥାପି ‘‘ଛମାଣ ଆଠଗୁଣ୍ଠ’’ର ସେ ଚିତ୍ତଆଲୋଡ଼ନକାରୀ, ସୁତୀବ୍ର ଆବେଦନ ‘‘ମାମୁ’’ ବା ‘‘ପ୍ରାୟଶ୍ଚିତ୍ତ’’ରେ ନାହିଁ’’ । ‘‘ମାମୁ’’, ‘‘ଛମାଣ ଆଠଗୁଣ୍ଠ’’ର ଚର୍ବିତଚର୍ବଣ କୁହାଯାଇପାରେ । କଥାବସ୍ତୁ ଦିଗରୁ ବିଚାର କଲେ ‘‘ଛମାଣ ଆଠଗୁଣ୍ଠ’’ ଓ ‘‘ମାମୁ’’ର ଗଳ୍ପାଂଶ ପରସ୍ପରଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଓ ବିଭିନ୍ନ ହେଲେହେଁ, କଥାବସ୍ତୁରେ ପ୍ରାୟ ଏକ । ଛଳେ, ବଳେ, କୌଶଳେ ପରସ୍ୱତ୍ୱାପହରଣର ନିଷ୍ଠୁର ଚକ୍ରାନ୍ତ ଓ ତାର ଶୋଚନୀୟ ପରିଣତି ଉଭୟ ଉପନ୍ୟାସର ସ୍ଥୂଳ କଥାବସ୍ତୁ । ପୁଣି ଭଗିଆର ସ୍ୱତ୍ୱାପହରଣ ପାଇଁ ମଙ୍ଗରାଜ ଓ ଚମ୍ପାର ଚକ୍ରାନ୍ତ ସହିତ ନିରୀହା, ନିଃସମ୍ୱଳା, ବିଧବା ଚାନ୍ଦମଣିର ସ୍ୱତ୍ୱ ଅପହରଣ ପାଇଁ ନାଜର ନଟବର ଦାସ ଓ ଦାସୀ ଚିତ୍ରକଳାର ଷଡ଼ଯନ୍ତ୍ର ତୁଳନା କରାଯାଇପାରେ । ପରିଣତି କିନ୍ତୁ ଉଭୟଙ୍କର ସମାନ । କର୍ମଫଳର ନଷ୍ପ୍ରାଣ ଶାସ୍ତି ଉଭୟ ରାମଚନ୍ଦ୍ର ମଙ୍ଗରାଜ ଓ ନଟବର ଦାସଙ୍କୁ ଭୋଗିବାକୁ ପଡ଼ିଅଛି । ନଟବର ଦାସ, ରାମଚନ୍ଦ୍ର ମଙ୍ଗରାଜଙ୍କର ସହରୀ ସଂସ୍କରଣ ପୁଣି ଚିତ୍ରକଳା, ଚହଲା ପାଣିରେ ଚମ୍ପାର ବିକଳ ପ୍ରତିବିମ୍ୱ । ‘‘ମାମୁ, ‘‘ଛମାଣ ଆଠଗୁଣ୍ଠ’’ ପରି ଏକ ସ୍ଫୀତିକୃତ କ୍ଷୁଦ୍ର ଗଳ୍ପ ନ ହୋଇ ଏକ ପୂର୍ଣ୍ଣାବୟବ ଉପନ୍ୟାସ ସତ୍ୟ, ମାତ୍ର ‘‘ଛମାଣ ଆଠଗୁଣ୍ଠ’’ର ଜୀବନୀଶକ୍ତି (vitality) ଓ ସୁତୀବ୍ର ପ୍ରକାଶ (virility) ଏଥିରେ ନାହିଁ । ‘‘ମାମୁ’’, ‘‘ଛମାଣ ଆଠଗୁଣ୍ଠ’’ଠାରୁ ଚରିତ୍ର-ବହୁଳ ସତ୍ୟ, ମାତ୍ର ‘‘ମାମୁ’’ର କୌଣସି ଚରିତ୍ରରେ, ସ୍ମରଣୀୟ ହୋଇ ରହିଲା ଭଳି କିଛି ନାହିଁ ! ଯେ କୌଣସି ଲେଖକ ଯେତେ ପ୍ରତିଭାଶାଳୀ ହେଲେ ସୁଦ୍ଧା କ୍ଷୀଣାୟମାନ କାଳ (decadent period)ର ପ୍ରଭାବ ଏଡ଼ି ପାରି ନାହାନ୍ତି । ଏହି କାଳରେ ସାହିତ୍ୟର ବିଷୟବସ୍ତୁ ଅପେକ୍ଷା ଆଙ୍ଗିକ, ପ୍ରାଣ ଅପେକ୍ଷା ପ୍ରକାଶ, ବିଶେଷ ପ୍ରଣିଧାନଯୋଗ୍ୟ ହୋଇଥାଏ । ‘‘ମାମୁ’’ ଓ ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସରେ ତାହାହିଁ ହୋଇଅଛି । ତଥାପି ଓଡ଼ିଆ ଉପନ୍ୟାସ ସାହିତ୍ୟରେ ‘‘ମାମୁ’’ ଗୋଟିଏ ସାର୍ଥକ ଓ ସୁନ୍ଦର ସୃଷ୍ଟି ।

 

ବାବୁ ଦାଶରଥୀ ଦାସ କଟକ କିଲଟରୀ ମୁନ୍‌ସିଖାନାର ମୋହରିର । ଦୁଇ ପୁଅ, ବଡ଼ ବାନାମ୍ୱର, ତା ତଳ ପୁଅ ନଟବର, ଆଉ ଗୋଟିଏ ଝିଅ–ଚାନ୍ଦମଣି । ସ୍ତ୍ରୀ ମେନକା ଦେଈ, ଚିରରୋଗିଣୀ–ତେଣୁ ମେନକାଙ୍କ ବିଧବା ଭଗିନୀ ସରସ୍ୱତୀ ଦାଶରଥୀ ଦାସଙ୍କ ପରିବାରରେ ରହି ଘର ଚଳାନ୍ତି । ଦୁଇ ପୁଅଙ୍କ ଭିତରେ ନଟବର ଖୁବ୍‌ ମେଧାବୀ । ଯଥା ସମୟରେ ସେ ଏଣ୍ଟ୍ରାନ୍‌ସ ପାସ କରିଗଲା, କିନ୍ତୁ ବାନାମ୍ୱର ଥାର୍ଡ଼କ୍ଲାସ ସୁଦ୍ଧା ଟପି ପାରିଲା ନାହିଁ । ଦାଶରଥୀ ଦାସଙ୍କର ବୟସ ହୋଇ ଯାଇଥିଲା, ସେ ଚାକିରିରୁ ଅବସର ନେଲେ । ଜଞ୍ଜାଳ ଭିତରେ ରହିଲା ଖାଲି ପିଲାମାନଙ୍କର ବିବାହ । ଦାସେ ନିଜ ଉପାର୍ଜନରୁ କିଛି ଜମିବାଡ଼ି କିଣିଥିଲେ । ବାନାମ୍ୱର ତାହା ବୁଝାବୁଝି କରି ଗାଁରେ ରହିବା ପାଇଁ ଚାଲିଗଲା । ଯଥା ସମୟରେ ତାର ମଙ୍ଗଳକୃତ୍ୟ କାକଟପୁର ମୌଜାର ବିଶୁ ମହାନ୍ତିଙ୍କ ଝିଅ ଲଳିତା ସଙ୍ଗରେ ବଢ଼ିଗଲା । ଚାନ୍ଦମଣି ମଧ୍ୟ ବିବାହଯୋଗ୍ୟା ହୋଇ ସାରିଥିଲା । ନରିପୁର କିଲ୍ଲାର ଜମିଦାର ଶ୍ରୀ ପ୍ରତାପଉଦିତମଲ୍ଲ ଉତ୍ତରରାୟଙ୍କ ସହିତ ତାର ମଙ୍ଗଳକୃତ୍ୟ ଯଥା ସମୟରେ ହୋଇଗଲା । ସରସ୍ୱତୀ ଦେଈ ବିବାହ ପରେ ଚାନ୍ଦମଣି ସଙ୍ଗରେ ନରିପୁର ଚାଲିଗଲେ । ଜଞ୍ଜାଳ ଭିତରେ ରହିଲା ଖାଲି ନଟବରର ବିବାହ । ନଟବର ସେତେବେଳକୁ କଟକ କିଲଟରୀ ମୁନ୍‌ସିଖାନାରେ ତୌଜନବିସ୍‌ କାମ ଶିଖୁଥାନ୍ତି । ତା ପାଇଁ ବହୁଆଡ଼େ ପାତ୍ରୀ ଖୋଜା ପଡ଼ିଲା । କୋଉଠି ଘର ଭଲ ତ କନ୍ୟା ଭଲ ନୁହେଁ, କୋଉଠି କନ୍ୟା ଭଲ ତ ଘର ଭଲ ନୁହେଁ । ଏଣେ ଯାଥାଶୀଘ୍ର ନଟବର ହାତକୁ ଦିହାତ ନ କଲେ ନ ଚଳେ । ନଟବର ପିଲା ନୁହନ୍ତି, ମୁଣ୍ଡକୁ ହାତ ପାଇଗଲାଣି । ଦିନେ ଦିନେ ବଜାର ବୁଲି ଫେରୁ ଫେରୁ ଢେର ରାତି ହୋଇଯାଏ; ଦାସେ କିଛି କହିଲେ ମୁହେଁ ମୁହେଁ ଠୋ–ଠୋ ଜବାବ ଦେଇ ଦିଅନ୍ତି । ଶେଷରେ ଜବାବ ଆସିଲା, ଅସୁର ଗଡ଼ିଆ ମୌଜାର ଛକଡ଼ି ପଟ୍ଟନାୟକଙ୍କ ଘରୁ । ଘର ଯାହା ହେଉ, ଯେ କୌଣସି ମତେ ମଙ୍ଗଳକୃତ୍ୟଟା ବଢ଼ାଇ ଦେବା ପାଇଁ ଦାଶରଥୀ ଦାସଙ୍କର ଏକା ଜିଦ୍‌ । କୋଷ୍ଠି ବୁଝାବୁଝି ହେଲା । କନ୍ୟା କୁଆଡ଼େ ସୁଲକ୍ଷଣୀ, ରାଜରାଣୀ ଯୋଗ ଅଛି–ହେଲେ ଦୁହିଙ୍କର ‘‘ଅସୁର ଗଣ’’। ତେବେ ଅସୁରଗଣ ମେଳକଟା କିଛି ଖରାପ ନୁହେଁ । କିନ୍ତୁ ଜାତକରେ ଗୋଟିଏ ଦୋଷ ଥିଲା; ପଞ୍ଚମ ସ୍ଥାନରେ ମଙ୍ଗଳ, ତା ଉପରେ ପୁଣି ଶନି ଦୃଷ୍ଟି । ମୋଟେ ଏକପାଦ ମାତ୍ର ଦୃଷ୍ଟି । ଏଟା ହେଲା ସନ୍ତାନ ପକ୍ଷରେ କଷ୍ଟ । ହେଲେ ସେଟା ସେପରି କିଛି ବଡ଼ କଥା ନୁହେଁ । ପାଠ କହିଛି ଦାନେ ଦୁର୍ଗତି କ୍ଷୟ; ବନ୍ଦାପନା ରାତିରେ କିଛି ‘‘ପ୍ରାଶ୍ଚିତ’’ କରିଦେଲେ ସବୁ ଦୋଷ କଟିଯିବ । କିନ୍ତୁ ଦାସେ ଯେତେବେଳେ ଶୁଣିଲେ, ଛକଡ଼ି ପଟ୍ଟନାୟକ ଥିଲେ କୋଉ ଏକ ଜମିଦାର ଘରେ ପିଆଦା–ଚାରିବର୍ଷ ହେଲା ମରିଛନ୍ତି–କନ୍ୟାଜନନୀ ଅଦ୍ୟାନ୍ନବିବର୍ଜିତା, ପୁଣି ଅଠର ବର୍ଷର ଭେଣ୍ଡିଆ ପୁଅଟି ‘ସି ଅକ୍ଷର ବିବର୍ଜିତ’ ସେତେବେଳେ ଏ ପ୍ରସ୍ତାବରେ ତାଙ୍କର ମନ ଭାଙ୍ଗିଗଲା-। କିନ୍ତୁ ନଟବର ଶୁଣିଛନ୍ତି କନ୍ୟାର ରାଜରାଣୀ ଯୋଗ ଅଛି; ଯଦି ବିବାହ ହେବେ ତ ସେଇଠି ହେବେ, ନୋହିଲେ ନାଇଁ ! ନଟବରଙ୍କ ଜିଦ୍ ଦେଖି, ଦାଶରଥୀ ଦାସେ ଅଗତ୍ୟା ସେଇଠି ବିବାହ ପ୍ରସ୍ତାବ ସ୍ଥିର କଲେ । କଟକରେ କନ୍ୟାକୁ ‘ତୋଳା କନ୍ୟା’ କରି କୌଣସିମତେ ମଙ୍ଗଳକୃତ୍ୟଟା ବଢ଼ିଗଲା-। ସାନପୁଅର ବିବାହ ସରିବାର କେତେଦିନ ପରେ ଦାଶରଥୀ ଦାସଙ୍କର ପରଲୋକ ହୋଇଗଲା ।

 

ପିତୃଶ୍ରାଦ୍ଧ ପାଇଁ ନଟବର ସ୍ୱଗ୍ରାମକୁ ଆସିଥିଲେ । ଫେରିଲାବେଳେ ବୋହୂ ହଟ ଧରି ବସିଲେ ସାଙ୍ଗରେ କଟକ ଯିବେ, ନୋହିଲେ ବେକରେ ଦଉଡ଼ି ଦେଇ ମରିବେ । ଏଠି କେତେ ଗଞ୍ଜଣା, କେତେ ହୀନିମାନ, ବୋହୂ ଗୋଟି ଗୋଟି କରି କହି ବସିଲେ– । ଶାଶୁ ଭଲ ପାନ୍ତି ନାହିଁ,–ତୁଛାଟାରେ ଗାଳି ଫଜିତ ଗଞ୍ଜମାନ ଲାଗିଛି–ଭାଇ ବୋଲି ଯାହାକୁ ବୋଲ, ଭାଙ୍ଗି କରି ଗୋଟାଏ କଥା କହିବେନା ? ନିଆଁ ଯା ଟା ପାଖ ପଶିବ ନାହିଁ । ଗାଁର କାହାରିକୁ ପାଖ ପୂରାଇ ଦେବ ନାହିଁ । ଆଉ ଖାଇବା କଥା କଣ କହିବି ? ଇତ୍ୟାଦି ଇତ୍ୟାଦି । ଦାରିଦ୍ର୍ୟନିପୀଡ଼ିତ, ଆଭିଜାତ୍ୟହୀନ ପରିବାରର ସଂକୀର୍ଣ୍ଣ ପରିବେଷ୍ଟନୀ ଯେଉଁପରି ଭାବରେ ଚରିତ୍ର ଗଠନ କରେ, ଏ କ୍ଷେତ୍ରରେ ମଧ୍ୟ ତାହାର କୌଣସି ବ୍ୟତିକ୍ରମ ହୋଇ ନଥିଲା । ବୋହୂର ସର୍ନିବନ୍ଧ ଅନୁରୋଧ ଏଡ଼ି ନପାରି ନଟବର ତାଙ୍କୁ ସଙ୍ଗରେ ଧରି କଟକ ଚାଲି ଆସିଲେ । କଟକରେ ରହିଲେ ନଟବର(ଏତେବେଳକୁ ସେ ନାଜର ପଦରେ ନିଯୁକ୍ତ ହୋଇ ସାରିଲେଣି) ସ୍ତ୍ରୀ ବିଶାଖା ଓରଫ୍‌ ବିସ୍କୀ ଦେଈ ଓ ଚିତ୍ରକଳା; ତାକୁ ନାଜର ବାବୁଙ୍କର ଦାସୀ କୁହ ବା ଆଉ ଯାହା ଇଛା କୁହ ।

 

ଏଣେ ବିବାହର କିଛିଦିନ ପରେ ଚାନ୍ଦମଣି ମୁଣ୍ଡରେ ପଡ଼ିଲା ଅକାଳବଜ୍ର । ବାତକଫ ବେମାରିରେ ଉତ୍ତରରାୟଙ୍କର ପରଲୋକ ହୋଇଗଲା । ନରିପୁର କିଲ୍ଲାର ଉଆସରେ ରହିଲେ ମାତ୍ର ଦୁଇଜଣ ବିଧବା, ସରସ୍ୱତୀ ଓ ଚାନ୍ଦମଣି—କୋଳରେ ଦୁଇଟି ଶିଶୁପୁତ୍ର । ଉତ୍ତରରାୟଙ୍କ ପରଲୋକ ସମ୍ୱାଦ ଶୁଣି, କୌଣସି ଉପାୟରେ ନିରିପୁର କିଲ୍ଲାଟାକୁ ହସ୍ତଗତ କରିବା ପାଇଁ ନଟବର ଦାସେ କଟକରୁ ଧାଇଁ ଆସିଲେ । ସାଙ୍ଗରେ ଆସିଲା ଚିତ୍ରକଳା । ନଟବର ଆତ୍ମିକତାର କେତେ ଅଭିନୟ କଲେ, ଆଖିରୁ କେତେ ଲୁହ ବୁହାଇଲେ, ଭୂଇଁରେ କେତେ ମୁଣ୍ଡ କୋଢ଼ିଲେ । ହେଲେ କାନ୍ଦି ବସିଲେ ତ ଆଖିରୁ ଲୁହ ସରିବ ନାହିଁ ! ଏଣେ କିଲଟର ସାଇବ ତାଙ୍କୁ କୁଆଡ଼େ ପଠାଇଛନ୍ତି କିଲ୍ଲାର ସବୁ ବନ୍ଦୋବସ୍ତ କରି ଫେରିବାକୁ । ପ୍ରଥମ ବନ୍ଦୋବସ୍ତ ହେଲା, ଚାନ୍ଦମଣିଙ୍କର ଯାହା ଅଳଙ୍କାର ଥିଲା ତାକୁ ସବୁ ହେପାଜତ୍‌ କରି ସିନ୍ଦୁକ ଭିତରେ ରଖିବା । ଗୋଟିଏ ଚାବି ରହିବ ସରକାରୀ ଟ୍ରେଜେରୀରେ, ଆଉ ଗୋଟିଏ ଚାବି ରହିବ ସରସ୍ୱତୀ ଦେଈଙ୍କ ହାତରେ । ଏ ବନ୍ଦୋବସ୍ତରେ ଗୋଟିଏ ଅଳଙ୍କାର ପୁଟୁଳା କୌଣସି ମତେ ଚିତ୍ରକଳାର ହାତ ସଫେଇରେ ସିନ୍ଦୁକରୁ ବାହାରି ନାଜରଙ୍କ ସଙ୍ଗରେ କଟକ ଚାଲିଆସିଲା । ଦ୍ୱିତୀୟ ବନ୍ଦୋବସ୍ତ ହେଲା ନରିପୁର କିଲ୍ଲାକୁ କୌଣସିମତେ କୋଟ୍‍ ଅଫ୍‍ ଓ୍ୱାର୍ଡ଼ସ ନକରାଇ, ଚାନ୍ଦମଣିଙ୍କ ପରିଚାଳନାଧୀନରେ ରଖିବା । କିଲ୍ଲା କୋଟ୍ ଅଫ୍‌ ଓ୍ୱାର୍ଡ଼ସ୍‌ ହୋଇଥିଲେ, ନଟବରଙ୍କ ଚକ୍ରାନ୍ତ ହୁଏତ ସଫଳ ହୋଇ ନଥାନ୍ତା । କିଲ୍ଲାଟା ଚାନ୍ଦମଣିଙ୍କ ହାତରେ ରହିଲେ ନଟବର ମାର୍ଫତଦାର ହୋଇ ସବୁ ଚଳାଇବେ । ଦୀପ ତେଜିଲେ ହାତ କଣ ଆଉ ନୁଖୁରା ରହିବ ? ତାହାହିଁ ମଧ୍ୟ ହେଲା । ନରିପୁର କିଲ୍ଲାଟା ଏକାଥରେ ଆସିଗଲା ନଟବରଙ୍କ ହାତ ପାଆନ୍ତାକୁ ।

 

ଏଣେ ଉଆସର ଅବସ୍ଥା କହିଲେ ନସରେ । ପାଞ୍ଚୁଆମାନେ ଯାହା ଟଙ୍କା ଆଦାୟ କଲେ ସବୁ ଚାଲିଲା କଟକ ନାଜରଙ୍କ ପାଖକୁ । ପ୍ରଜାକୁଳଙ୍କ ଅବସ୍ଥା କହିଲେ ନସରେ । କଟକିଆ ପାଞ୍ଚୁଆମାନଙ୍କ ଶୋଷଣ ଓ ଜୁଲୁମ୍‌ରେ ସେମାନେ ତ୍ରାହି ତ୍ରାହି ଡାକ ଛାଡ଼ିଲେଣି । ଉଆସ ଭିତରେ ଦୈନିକ ଖର୍ଚ ପାଇଁ ସୁଦ୍ଧା ଟାଣଟୁଣ ଅବସ୍ଥା । ନଟବରଙ୍କୁ ଟଙ୍କା ପାଇଁ ଯେତେ ଲେଖିଲେ ଜବାବ ମିଳେ, ସେ ଜମିଦାରୀର ଦେଣା ଶୁଝୁଛନ୍ତି, ଟଙ୍କା ନାହିଁ । ପ୍ରତିକାର ବା କରିବ କିଏ ? ଇତିମଧ୍ୟରେ ନଟବରଙ୍କ ଶାଶୁ ଓ ଶଳା ରାଘବ ଆସି କଟକରେ ରହିଲେ । ଏଇ ରାଘବ ଓ ଚିତ୍ରକଳାର ସହାୟତାରେ ଦିନେ ପ୍ରଭୁଦୟାଲ୍‌ ନାମରେ ଜଣେ ଦୁଶ୍ଚରିତ୍ର ଶୁଣ୍ଢି, ନଟବରଙ୍କ ଘର ସିନ୍ଦୁକରେ ଜମା ଥିବା ସରକାରୀ ତହବିଲର ପାଞ୍ଚ ହଜାର ଟଙ୍କା ସିନ୍ଦୁକର ତାଲା ଭାଙ୍ଗି ଚୋରାଇ ନେଇଗଲା । ଏଇଠାରୁ ଆରମ୍ଭ ହେଲା ନଟବରଙ୍କର ବହୁ ଦୁଷ୍କର୍ମର ଶାସ୍ତି । ସରକାରୀ ତହବିଲ ତୋଷରଫ୍‌ ଅଭିଯୋଗରେ ତାଙ୍କୁ ଜେଲ୍‌ ହୋଇଗଲା । ସେଇ ଜେଲ୍‌ଖାନା ଭିତରେ ତାଙ୍କର ଆସିଲା ଅତୀତରେ ବହୁ ଅନ୍ୟାୟ ପାଇଁ ଅନୁଶୋଚନା । ମାତ୍ର ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା । ବିଚାରରେ ଚିତ୍ରକଳା ଦୋଷୀ ସାବ୍ୟସ୍ତ ହୋଇ ପାଞ୍ଚ ବର୍ଷର ମିଆଦ ଓ ଦୁଇଶହ ଟଙ୍କା ଜରିମାନା, ଜରିମାନା ନ ଦେଲେ ଆଉ ଏକବର୍ଷର କଠିନ ପରିଶ୍ରମ ସହିତ ଜେଲଦଣ୍ଡ ପାଇଲା । ନଟବର ଜେଲ୍‌ଦଣ୍ଡରୁ ମୁକ୍ତି ପାଇଲେ ସତ, ମାତ୍ର ତାଙ୍କ ସମ୍ପତ୍ତିରୁ ସରକାରୀ ତହବିଲର ପାଞ୍ଚହଜାର ଟଙ୍କା ଆଦାୟ କରିବାର ଆଦେଶ ହେଲା । ଏହାହିଁ ‘‘ମାମୁ’’ ଉପନ୍ୟାସର ଗଳ୍ପାଂଶ ।

 

ଆଲୋଚିତ ଉପନ୍ୟାସର ଗଳ୍ପାଂଶ ‘‘ଛମାଣ ଆଠଗୁଣ୍ଠ’’ର ଗଳ୍ପାଂଶର ରୀତି (motif) ରେ ଗଠିତ । ମାତ୍ର ‘ଛମାଣ ଆଠଗୁଣ୍ଠ’ଠାରୁ ‘‘ମାମୁ’’ର ଉତ୍କର୍ଷ ହେଉଛି, ଏହାର ପରିବେଷଣ (treatment) । ଗଳ୍ପାଂଶର ସବୁ ଅପୂର୍ଣ୍ଣତା ଓ ଚର୍ବିତଚର୍ବଣର ସବୁ ବୈଚିତ୍ର୍ୟହୀନତା ସତ୍ୱେ, ପରିବେଷଣର ଚାତୁରୀ ‘‘ମାମୁ’’ କୁ ‘‘ଛମାଣ ଆଠଗୁଣ୍ଠ’’ ଠାରୁ ସୁଦ୍ଧା ଅଧିକ ସୁଖପାଠ୍ୟ କରିଅଛି । ଯଥାର୍ଥରେ ଗଳ୍ପାଂଶ ଅପେକ୍ଷା ପରିବେଷଣ ଉପରେ ଉପନ୍ୟାସର ଶୈଳ୍ପୀକ ସଫଳତା ବହୁପରିମାଣରେ ନିର୍ଭର କରେ । ପୂର୍ବେ କୁହାଯାଉଅଛି ‘‘ଛମାଣ ଆଠଗୁଣ୍ଠ’’ ଗୋଟିଏ ସ୍ଫୀତିକୃତ କ୍ଷୁଦ୍ରଗଳ୍ପ । ଏଥିରେ ଚରିତ୍ରର ବହୁଳତା ନାହିଁ ବା ପୃଷ୍ଠଭୂମିର ବ୍ୟାପକତା ନାହିଁ । ଗୋଟିଏ ସୀମୀତ ପୃଷ୍ଠଭୂମି ଉପରେ, ଫକୀରମୋହନ ଯେପରିକି କେବଳ ଚମ୍ପା, ରାମଚନ୍ଦ୍ର ମଙ୍ଗରାଜ, ଭଗିଆ ଓ ଶାରିଆର ଛବି ଟ୍ରାଜେଡ଼ୀର ତୁଳୀରେ ଆଙ୍କିଛନ୍ତି । ‘‘ଛମାଣ ଆଠଗୁଣ୍ଠ’’ରେ ଫକୀରମୋହନ କେବଳ ପରିଣତି ଉପରେ ହିଁ, ତାଙ୍କର ସବୁ ଭାବାବେଗ, ସବୁ ଶୈଳ୍ପିକ ପ୍ରତିଭା, ସବୁ ସୃଜନକାରୀ ଶକ୍ତି ନିଃଶେଷ କରି ଦେଇଛନ୍ତି । ଏହି ପରିଣତିହିଁ ଯେପରି କି ତାଙ୍କର ଏକମାତ୍ର ଲକ୍ଷ୍ୟ; ପରିଣତିକୁ ଜୀବନ୍ତ ଓ ମର୍ମସ୍ପର୍ଶୀ କରିବା ପାଇଁ, ସେ ‘‘ଛମାଣ ଆଠଗୁଣ୍ଠ’’ରେ ଅନ୍ୟ ପରିସ୍ଥିତି ଓ ଚରିତ୍ରର ସଂଯୋଜନା କରିଛନ୍ତି ମାତ୍ର । କିନ୍ତୁ ‘‘ମାମୁ’’ ଉପନ୍ୟାସରେ ପୃଷ୍ଠଭୂମି ଅତି ବ୍ୟାପକ । ମୁଖ୍ୟ ଓ ଗୌଣ ବହୁ ଚରିତ୍ରର ବିଚିତ୍ର କଳରବରେ ଏହା ମୁଖରିତ, ବହୁ ପରିସ୍ଥିତିର ମନୋଜ୍ଞ ବ୍ୟଞ୍ଜନାରେ ଏହା ସୁଖପାଠ୍ୟ । ‘‘ଛମାଣ ଆଠଗୁଣ୍ଠ’’ର ଆରମ୍ଭ ଓ ମଧ୍ୟଭାଗ ଅତି ଦୁର୍ବଳ ହେଲେହେଁ ଉପସଂହାର ଅତି ଶକ୍ତିଶାଳୀ । ‘‘ମାମୁ’’ରେ ଠିକ୍‌ ଏହାର ବିପରୀତ । ଏହାର ଆରମ୍ଭ ଓ ମଧ୍ୟଭାଗ ସୁକଳ୍ପିତ ଏବଂ ସୁଗଠିତ ହୋଇଥିଲେହେଁ, ଉପସହାଁର ଅତି ପ୍ରାଣହୀନ । ଆଲୋଚିତ ଉପନ୍ୟାସର ଏହା ଏକ ପ୍ରଧାନ ଅପୂର୍ଣ୍ଣତା ଓ ଏଇଥିପାଇଁ ‘‘ମାମୁ’’ର ଆବେଦନ ‘‘ଛମାଣ ଆଠଗୁଣ୍ଠ’’ଠାରୁ ଅପେକ୍ଷାକୃତ ଦୁର୍ବଳ ।

 

‘‘ମାମୁ’’ ଉପନ୍ୟାସ, ବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶାରେ ଅମଲା ଚାକିରିକୁ କେନ୍ଦ୍ର କରି ଗଢ଼ି ଉଠୁଥିବା ନୂଆ ମଧ୍ୟବିତ୍ତ ସମାଜର ଗୋଟିଏ ଅତି ମନୋଜ୍ଞ ପ୍ରତିଛବି । ଦାଶରଥୀ ଦାସ କିଲଟରୀ କଚିରିର ଅମଲା,––ସୁସ୍ଥ ସ୍ୱାଚ୍ଛନ୍ଦ୍ୟ ଭିତରେ, କଟକରେ ରହି ପରିବାର ପ୍ରତିପୋଷଣ କରନ୍ତି । ଜୀବନରେ ସ୍ୱପ୍ନ ମଧ୍ୟ ସୀମିତ । ଗର୍ହିତ ଉପାୟରେ ଅନ୍ୟାୟବିତ୍ତ ଉପାର୍ଜନ କରିବାର ଲୋଭ ନାହିଁ । ପୂର୍ବରୁ ‘ଇନାମ ମହତ୍ତ୍ରାଣ ଭୂମି’ ଚାଳିଶି ମାଣ ଥିଲା—ଦାସେ ନିଜ ଉପାର୍ଜନରୁ ଦୁଇ ଚାରିଟଙ୍କା ସଞ୍ଚି ଆଉ କୋଡ଼ିଏ ମାଣ ସରିକି ଲାଖରାଜ ବାଜ୍ୟାପ୍ତ ଜମି କିଣିଥିଲେ । ଚିନ୍ତା ଭିତରେ ପୁଅ ଦୁଇଟି କେମିତି ଦିଅକ୍ଷର ପାଠ ପଢ଼ି କିଲଟରୀରେ ଚାକିରି ପାଇବେ ଆଉ ଝିଅ ଭଲଘରେ ପଡ଼ିବ । ସେଥିରେ ମଧ୍ୟ ଦାଶରଥୀ ଦାସେ ନିରାଶ ହୋଇ ନାହାନ୍ତି । ବାନାମ୍ବର ହାତରେ ଅବଶ୍ୟ ପାଠ ହେଲାନାହିଁ । ତଥାପି ସେଥିରେ ଦାସେ ଦୁଃଖିତ ନୁହନ୍ତି, କାରଣ ଦୁଇ ଭାଇ ଚାକିରି କଲେ ଘରେ ଜମିବାଡ଼ି ବୁଝିବ ପୁଣି କିଏ ? ଦାସେ ଚାକିରିରୁ ଅବସର ନେଇ ମରିଛନ୍ତି ବେଶ୍‌ ଶାନ୍ତିରେ ! ମଧ୍ୟବିତ୍ତର ଘଟଣାହୀନ, ଚାଞ୍ଚଲ୍ୟହୀନ ଜୀବନ ! ସେଥିରେ ବେଳେବେଳେ ସରସ୍ୱତୀ ଦେବୀଙ୍କ ଚପଳ ପରିହାସ ଯାହା ଟିକିଏ ରସ ସଞ୍ଚାର କରେ ।

 

ସେଦିନ ପଲ୍ଲୀଜୀବନ ଥିଲା ସହରାଭିମୁଖୀ । ଚାକିରିଟିଏ ପାଇଁ ସହରରେ ବସାଘର ଖଣ୍ଡେ ଭଡ଼ା ନେଇ ରହିଲେ, କେତେ ସ୍ୱସ୍ତି, କେତେ ଶାନ୍ତି ! ନାଜର ନଟବର ଦାସେ ସହରରେ ରହିଲେ । ନାଜରାଣୀଙ୍କର ମଧ୍ୟ କଟକ ଯିବା ପାଇଁ ଇଛା ! ଧାନକୁଟୁଣୀର ଝିଅ, ବିବାହ ପରେ ନୂଆ ସମ୍ପଦ, କଳ୍ପନାରେ କେତେ ରଙ୍ଗୀନ ପର ଲଗାଇଛି । କଟକ ଯିବା ପ୍ରସ୍ତାବରେ ସ୍ୱାମୀଙ୍କୁ ରାଜୀ କରାଇବା ପାଇଁ କେତେ ମିଥ୍ୟା, କେତେ ଅପବାଦର ଅବତାରଣା କରାଗଲା । କାଳେ ସ୍ୱାମୀଙ୍କର ହୃଦୟ ଏଥିରେ ସୁଦ୍ଧା ନ ତରଳିବ, ସେଥିପାଇଁ ସ୍ଵାମୀଙ୍କ ଉପରେ ସବୁ ଦରଦ ଓଜାଡ଼ି ଦେଇ ବିଶାଖା ଦେଈ କହିଲେ....‘‘ମୋ କଥା ଚୁଲିକି ଯାଉ, ତୁମ ମୁହଁଟି ଶୁଖି ଗଲାଣି—କେଡ଼େ ସୁନ୍ଦର ଦେହଟି କଳାକାଠ ! କଟକରେ କିଏ ଅଛି, ଖାଇଲେ ନ ଖାଇଲ କିଏ ବୁଝୁଛି—ମୁଁ ଗଲେ ପାଞ୍ଚ ତିଅଣ କରି ପରିଷିବି । ମୁଁ ପାଖରେ ନଥିଲେ ବାଧିକା ବେଳେ ସେବା କରିବ କିଏ ? ତୁମେ ମୋ ଠାକୁର—ତୁମେ ମୋ ଦେବତା—ତୁମ ମୁଣ୍ଡ ଛୁଉଁଛି—କଟକ ସାଙ୍ଗରେ ନ ନେଲେ ବେକରେ ଦଉଡ଼ି ଦେଇ ମରିବି ।’’ ନାଜରଙ୍କୁ ଓଷଦଟା ଠିକ୍‌ ଧରିଲା । ବିଶାଖା ଦେଈ କଟକ ଯିବା କଥା ଠିକ୍‌ ହୋଇଗଲା । ମା ତ ଶୁଣି ଚୁପ୍‌ । ଭାଇ, ଭାଇବୋହୂ ପ୍ରସଙ୍ଗରେ ବା କଣ କହନ୍ତେ ? ବିବାହର ବର୍ଷେ ସୁଦ୍ଧା ନ ପୂରୁଣୁ ବୋହୂ କଟକ ଯିବ ? ଧାଈମା ବାଧା ଦେଲେ, କିନ୍ତୁ ଲାଭ ଭିତରେ ଅପମାନହିଁ ସାର ହେଲା । ମଧ୍ୟବିତ୍ତ ପରିବାରରେ ଏ ଗୋଟିଏ ଅତି ମାମୁଲି, ଅତି ସାଧାରଣ ଦୃଶ୍ୟ ! କିନ୍ତୁ କଥାଟା କ୍ରମେ ବିସ୍ତାରିତ ହୋଇ, ତା ପରଦିନ ରାନ୍ଧୁଣୀ ଗାଧୁଆବେଳେ ଗାଁମଝି ପୋଖରୀ ତୁଠରେ ଆଲୋଚିତ ହେଲା ବେଳକୁ ଯେଉଁ ଆକାର ଧରିଥିଲା, ତାହା ଏହିପରି :–

 

‘‘ଛାମୁକରଣ ଘର ବଡ଼ବୋହୂ–କଣ କହିବି ଚମ୍ପୀଅପା, ଏଣିକି ଆଉ ମାନମହତ ରହିବ ନାହିଁ—କଳିକାଳ ମାଡ଼ି ଆସିଲାଣି । ମୁଁ ଦିଟାର ମା ହେବା ଯାଏ ଶାଶୁ ଆଗରେ ପାଟି ଫିଟାଇ ନାହିଁ—ଚୁ-ଚୁ କରୁଥାଏ । ଘରେ ଚାଉଳ ନଥିଲେ ଧାନ କୁଟିଲା ପରି ଶାଶୁ ଆଗରେ ଗୋଡ଼ କଚାଡ଼େ । ଲୁଗା ଧୋବା ଘରକୁ ଯିବତ, ଲୁଗାଟା ଧରି ଧୋବା ଲୁଗା କାଚିଲା ପରି ଇସ୍‌ଇସ୍ କରି ଭୂଇଁରେ କଚାଡ଼େ । ରାତି ଅଧରେ ସମସ୍ତେ ସବୁଆଡ଼େ ଶୋଇବେ—ବିଲେଇଟି ବି ଶୋଇଲାଣି–ଧୀର ଧୀର ଗୋଡ଼ ପକାଇ ତାଙ୍କ ଶୋଇଲାଘର ବିଛଣାକୁ ଯାଏ । ଏ କଣ ନା ଶାଶୁ ଯା ସଙ୍ଗରେ କଥା ତା କଥା—କଳି ? ଦିନ ଆଲୁଅଟାରେ ଯୋଡ଼ାକ ଯାକ ଘରେ ବସି କଥାଭାଷା–କବାଟ ମେଲା...ଅଛି ତ ଥାଉ !’’ କିନ୍ତୁ ପଟ୍ଟନାୟକଘର କଳି ତୁଳନାରେ ଏ କଳିଟା କିଛି ନୁହେଁ ବୋଲି ଚମ୍ପୀ କହିବାରୁ, ମକ୍ରାମାର ସର୍ନିବନ୍ଧ ଅନୁରୋଧରେ ପଟ୍ଟନାୟକ ଘର ଶାଶୁ ବୋହୂ କଳି ପ୍ରସଙ୍ଗଟା ମଧ୍ୟ ପଡ଼ିଗଲା ! ଓଡ଼ିଶାର ଗ୍ରାମ୍ୟ ଜୀବନର ଏ ସବୁ ଅତି ଜୀବନ୍ତ ଆଲେଖ୍ୟ । ‘‘ଛମାଣ ଆଠଗୁଣ୍ଠ’’ର ସାମୂହିକ ସୌନ୍ଦର୍ଯ୍ୟ, ‘‘ମାମୁ’’ଠାରୁ ଅଧିକତର, କିନ୍ତୁ ‘‘ମାମୁ’’ର ବିଛିନ୍ନାଂଶଗୁଡ଼ିକର ସୌନ୍ଦର୍ଯ୍ୟ, ଯଥାର୍ଥରେ ଅତୁଳନୀୟ । କେବଳ ଏଇଥିପାଇଁ ‘‘ମାମୁ’’ ‘‘ଛମାଣ ଆଠଗୁଣ୍ଠ’’ ଠାରୁ ଉପନ୍ୟାସ ହିସାବରେ ଅଧିକ ସୁଖପାଠ୍ୟ ।

 

‘‘ମାମୁ’’ ‘‘ଛମାଣ ଆଠଗୁଣ୍ଠ’’ ପରି ଚରିତ୍ରପ୍ରଧାନ ଉପନ୍ୟାସ । ତେଣୁ ଏଥିରେ ମଧ୍ୟ ମୁଖ୍ୟଚରିତ୍ରଗୁଡ଼ିକ ସହିତ ଖାପ ଖାଇଲା ଭଳି ବିଭିନ୍ନ ଘଟଣାର ସମାବେଶ କରାଯାଇଅଛି । ନଟବର କୁଚକ୍ରୀ, ଲୋଭୀ, କୃପଣ । ବିଧାତାର ଏଇ ଅନିଭା ଛାପ ମୁଣ୍ଡରେ ମାରି ସେ ଯେପରି କି ଜନ୍ମ ହୋଇଥିଲେ । ତାଙ୍କର ପାଶବିକ ସ୍ୱରୂପ ଚିତ୍ରଣ ପାଇଁ, ‘‘ମାମୁ’’ରେ ବର୍ଣ୍ଣିତ ପ୍ରଧାନ ଘଟଣାଗୁଡ଼ିକ କଳ୍ପିତ ହୋଇଅଛି । ତେଣୁ ବହୁ ଅବାସ୍ତବ ପରିସ୍ଥିତି, ବହୁ ନାଟକୀୟ ଅତିରଞ୍ଜନ ‘‘ମାମୁ’’ ଉପନ୍ୟାସରେ ସ୍ଥାନ ପାଇଅଛି । ଚରିତ୍ର-ପ୍ରଧାନ ଉପନ୍ୟାସର ତାହା ଏକ ସ୍ୱାଭାବିକ ଅପୂର୍ଣ୍ଣତା । ଫକୀରମୋହନ କଥାଶିଳ୍ପୀ ନଥିଲେ; ସେ ମୂଖ୍ୟତଃ ଥିଲେ ଚରିତ୍ର-ଶିଳ୍ପୀ । ବିଭିନ୍ନ ଚରିତ୍ରର, ବିଶେଷତଃ ଗୌଣଚରିତ୍ରର ସୁନିପୁଣ ଚିତ୍ରଣ ଉପରେ, କେତେଗୋଟି ପ୍ରଧାନ ଚରିତ୍ରକୁ ଅବଳମ୍ୱନ କରି ଗଳ୍ପାଂଶ ବା ପ୍ଳଟ୍‌ ଗୋଟିଏ ‘‘ସୁପରଷ୍ଟ୍ରକ୍‌ଚର୍‌’’ ପରି ଗଠିତ ହୋଇଥାଏ । ତେଣୁ ଫକୀରମୋହନଙ୍କର ସମସ୍ତ ଉପନ୍ୟାସରେ ମୁଖ୍ୟଚରିତ୍ରଠାରୁ ଗୌଣଚରିତ୍ରଗୁଡ଼ିକର ଚିତ୍ରଣ ଅଧିକ ନିପୁଣ ଓ ଜୀବନ୍ତ । ‘‘ମାମୁ’’ ଉପନ୍ୟାସରେ ମଧ୍ୟ ତାହାର ବ୍ୟତିକ୍ରମ ହୋଇନାହିଁ । ଗେହ୍ଲେଇ, ନାକଫୋଡ଼ିଆ ମା, ସାଧୁସାହୁ ମହାଜନ, ସାହୁଆଣୀ ଓ ବଡ଼ପୁଅ ଗୋବିନ୍ଦା ପ୍ରଭୃତି ଗୌଣଚରିତ୍ରଗୁଡ଼ିକ ଆଲୋଚିତ ଉପନ୍ୟାସରେ ସମ୍ପୂର୍ଣ୍ଣ ଅବାନ୍ତର, ପୁଣି ଗଳ୍ପର ବିକାଶରେ ସେମାନଙ୍କର କୌଣସି ଅଂଶ ନାହିଁ । ଅଥଚ ଫକୀରମୋହନ କମ୍‌ ଧୈର୍ଯ୍ୟ, କମ୍‌ କଳ୍‌ପନା, କମ୍‌ଶକ୍ତି ଦେଇ ସେ ଚରିତ୍ରଗୁଡ଼ିକୁ ସୃଷ୍ଟି କରି ନାହାନ୍ତି । ସେମାନଙ୍କୁ ବାଦ୍‌ଦେଲେ, ଉପନ୍ୟାସର ହୁଏତ କୌଣସି ଅଙ୍ଗହାନୀ ନ ହୋଇପାରେ, କିନ୍ତୁ ଉପନ୍ୟାସର ସୌଷ୍ଠବହାନୀ ହେବା ସୁନିଶ୍ଚିତ । ଲୋକଚରିତ୍ର ସହିତ ଫକୀରମୋହନଙ୍କ କି ନିବିଡ଼, ଅନ୍ତରଙ୍ଗ ପରିଚୟ ଥିଲା, ତାହା ଏଇଥିରୁ ସୁସ୍ପଷ୍ଟ ହୁଏ । ଅନ୍ତଃପୁରର କୁଳବଧୂ, ରାଜପଥର ଦୁଶ୍ଚରିତ୍ରା ବାରାଙ୍ଗନା, ଗାଧୁଆତୁଠର ଗାଁ ମାଇକିନାଙ୍କଠାରୁ ଆରମ୍ଭ କରି, ସେକାଳେ ନାରୀ ସ୍ୱାଧୀନତାର ଛତ୍ରଧାରିଣୀ ଇଂରାଜୀ ମେମ୍‌ମାନଙ୍କର ମନୋବୃତ୍ତି, ସେ ସମାନ କୃତିତ୍ୱର ସହିତ ଫୁଟାଇ ପାରିଛନ୍ତି । ଶାସନ ପରି ଗୁରୁତର କାର୍ଯ୍ୟରେ ଅନ୍ତଃପୁରର ପ୍ରଭାବ କେବଳ ମୋଗଲ ଯୁଗରେ ନଥିଲା, ବିଭିନ୍ନ କାଳରେ, ବିଭିନ୍ନ ପରିବେଶରେ ସେ ପ୍ରଭାବ ସବୁବେଳେ କାର୍ଯ୍ୟ କରି ଆସିଅଛି ! ଚାନ୍ଦମଣିଙ୍କ ହାତରେ ନରିପୁର କିଲ୍ଲାର ପରିଚାଳନା ରହିଲେ, ମାମୁ ନଟବର ଦାସେ ମାର୍ଫତଦାରୀ କରି ସମ୍ପତ୍ତିଟା ମାରି ନେବା ସହଜ ହେବ ; ଓ୍ୱାର୍ଡ଼ସ ଅଧୀନକୁ ଗଲେ ସେ ସୁବିଧା ହୁଏତ ମିଳି ନପାରେ । ତେଣୁ ଚାନ୍ଦମଣି ହାତରେ ଜମିଦାରୀ ପରିଚାଳନା ରଖାଯିବାର ଅର୍ଜିନେଇ, ନଟବର ଦାସେ କଟକର କିଲଟର ଡାଉସନ୍ ସାହେବଙ୍କ କୋଠୀରେ ହାଜର ହୋଇଗଲେ । ସାହେବ ଖଣ୍ଡେ ଆରାମ ଚୌକି ଉପରେ ପଡ଼ି ସକାଳର ଖବରକାଗଜ ଖଣ୍ଡକ ପଢ଼ୁଥାନ୍ତି ; ମେମ ସାହେବ ଛୁଞ୍ଚି ସୁତା ଆଉ କନାରେ ସୀବନ କଳାର ଚର୍ଚ୍ଚା କରୁଥାନ୍ତି । ନଟବର ଦାସ ସାହେବଙ୍କ ଆଗରେ ଅର୍ଜି ପେଶ୍‌ କଲେ-। କିନ୍ତୁ ଚାନ୍ଦମଣି ଅସୂର୍ଯ୍ୟମ୍ପସ୍ୟା ହିନ୍ଦୁ ଜନାନା; ସେ ଜମିଦାରୀ ଚଳାଇବେ କିପରି ? ଏହାର ପରିଣାମ ହିତେ ବିପରୀତ ହେବାର ଆଶଙ୍କା ଡାଉସନ୍‌ ସାହେବଙ୍କର ଯେ ନ ଥିଲା ନୁହେଁ-! କିନ୍ତୁ ମିସେସ୍‌ ଡାଉସନ୍‌, ନିଜ ଦେଶ ବିଲାତରେ ସେତେବେଳେ ପର୍ଯ୍ୟନ୍ତ ନାରୀମାନଙ୍କର ଭୋଟ ଦେବାର କ୍ଷମତା ନଥିଲେ କଣ ହେଲା(ଏବେ ସୁଦ୍ଧା ବିଲାତରେ କୌଣସି ମହିଳା ହାଉସ୍‌ ଅଫ୍‌ ଲର୍ଡ଼ସ୍‌କୁ ନିର୍ବାଚିତ ହେବାରେ ବୈଧାନିକ ନିଷେଧ ଅପରିବର୍ତ୍ତିତ ରହିଅଛି) ନାରୀକୁ ଅଧିକାର ଦେବାର ପ୍ରଶ୍ନ ଉଠିଲା ବେଳେ ନୀରବ ରହନ୍ତେ ବା କିପରି ? ତେଣୁ ଡାଉସନ୍‌ ସାହେବଙ୍କ ଆଦେଶ ଉପରେ ଆଦେଶ ଜାରୀ ହେଲା...‘‘You see Dawson, I know Hindus are very cruel to women; they confine them in dark rooms like beasts. You better give some power to Chandmoni, in order that she may be enlightened’’ ଏ ଆଦେଶ ପରେ ଡାଉସନ୍‌ ସାହେବଙ୍କର ଆଉ ବା କି ଆଦେଶ ଥାଇପାରେ ? ଡାଉସନ୍‌ ସାହେବ ତ ଆଦେଶ ପାଇଛନ୍ତି, ଆଉ ପେସ୍କାରଙ୍କ ଆପତ୍ତି ସେ ଶୁଣନ୍ତେ କାହିଁକି ? ପେସ୍କାର ପୀତାମ୍ୱର ବାବୁ ଘଟଣାର ଗତିଟା ବୁଝିପାରି କଚିରିରେ ଆପତ୍ତି ଉଠାଇଲାରୁ, ସାହେବ ସଙ୍ଗେ ସଙ୍ଗେ ହୁକୁମ୍‌ କଲେ...‘‘ବସ୍‌, ବସ୍‌, ହୁକୁମ୍‌ ହୋ ଚୁକା, ଦୋସ୍‌ରା ନଥି ନିକାଲୋ ।’’ ନଟବରଙ୍କ ଶାଶୁ ମଙ୍ଗଳା ଓ ଶଳା ରାଘବର ଚରିତ୍ରଚିତ୍ରଣ ଅତି ମନୋଜ୍ଞ । ଦୁହେଁ ନିର୍ବୋଧ । ରାଘୋ–ଜନନୀର ନିର୍ବୋଧତାକୁ ଅନ୍ଧ ଅପତ୍ୟସ୍ନେହ ଆଉରି ବିକଟ କରି ଦେଇଅଛି । ଯେତେ ଢିଙ୍କି କୁଟି ସୁଦ୍ଧା ମଙ୍ଗଳାଙ୍କ ସଂସାର ଚଳେନା । ତେଣୁ ମା ପୁଅ ସର୍ବସ୍ୱ ଧରି ବାହାରି ପଡ଼ିଲେ ନାଜର-ଜୋଇଁଙ୍କ ଆଶ୍ରୟରେ ରହିବାକୁ । ...ଦିନେ ସଞ୍ଜବେଳେ ତାଳତାଟିଛପର ଶଗଡ଼ ଖଣ୍ଡେ ନାଜରବାବୁଙ୍କ ବାଖରାବାଦ ବସା ସାମନାରେ ଆସି ରହିଲା-। ମଙ୍ଗଳା ଦେଈ ସେଥିରୁ ଆଗେ ବାହାରି ଚିତ୍ରକଳା ଓ ଝିଅ ବିସ୍କି ଦେଇଙ୍କ ଗହଣରେ ଘର ଭିତରକୁ ଚାଲିଗଲେ । ‘‘ଆଣ୍ଠୁଲୁଚା ଲୁଗା ଖଣ୍ଡେ ପିନ୍ଧା–ମୁଣ୍ଡରେ ଖଣ୍ଡିଏ ମଇଳା ଗାମୁଛା ଗୁଡ଼ିଆହାତରେ ଛାତିଏ ଲମ୍ୱ ବାଉଁଶ ବାଡ଼ି ଖଣ୍ଡେ ଧରି ଗୋଟିଏ ଡେଙ୍ଗା ଭେଣ୍ଡିଆ ଅନ୍ଧକାରରେ ମିଶି ଶଗଡ଼ ପାଖରୁ କିଛି ଦୂରରେ ଛିଡ଼ା ହୋଇଥିଲା । ମାଇକିନିଆ ଧୀରେ ଧୀରେ ଆସି ଅନ୍ଧାରିଆ ଶଗଡ଼ ଭିତରୁ ଅଣ୍ଡାଳି ଗୋଟାଏ ଟୋକେଇ ବାହାର କଲା । ସେ ଟୋକେଇଟି କେତେ ରକମ ଜିନିଷରେ ପୂର୍ଣ୍ଣ । ବାଁ କାନ୍ଧରେ ସେହି ଟୋକେଇଟା କାନ୍ଧେଇ ଡାହାଣ ହାତର ବାଡ଼ି ଖଣ୍ଡେ ଧରି ଘର ଭିତରକୁ ଚାଲିଲା ।’’ ସେ ନାଜରବାବୁଙ୍କ ଶଳା କିନ୍ତୁ ଅଦୃଷ୍ଟ ଦାଉ ସାଧିଲା । ଅନ୍ଧାର ଅଗଣାରେ ଟୋକଇ ମୁଣ୍ଡେଇ ଯାଉଁ ଯାଉଁ ରାଘବର ଗୋଡ଼ ଖସିଗଲା । ରାଘବ ମହାନ୍ତି ତଳେ ପଡ଼ି, ଉଠି, ଉଇହୁଙ୍କା ପରି ବସି, ଦୁଇ ଆଣ୍ଠୁରେ ହାତ ବୁଲାଇ ଆଉଁସୁଥାଏ । ବନ୍ଧୁ ଘର, ପୁଣି ହାକିମ ଘର-। ବଡ଼ ପାଟିରେ କାନ୍ଦି ପାରୁ ନାହିଁ । ଏଣେ ଜିନିଷ ସମ୍ଭାଳିବାକୁ ବେଳ ନାହିଁ, ସମ୍ୱଳତକ ଅଗଣା ସାରା ଏଣେ ତେଣେ ବିଚ୍ଛେଇ ହୋଇ ପଡ଼ିଛି । ଜିନିଷଗୁଡ଼ା ପୁଣି କଣ ? ଖଣ୍ଡେ ମଇଳା ଲୁଗା ପୁଟୁଳା, ଅନ୍ଦାଜ ଦୁଇ ସେର ଓଜନର ଚାଉଳ ପୁଡ଼ିଆଟିଏ, ମୁଗ କି ବିରିର ଛୋଟ ପୁଡ଼ିଆଟିଏ, ଦୁଇ ମୁଠା ଅନ୍ଦାଜ ସୋରିଷ ଆଉ ଝୁଣାଗେବବସା ଢାଳଟିଏ...ଜମିଦାରୀ ପିଆଦା ଛକଡ଼ି ପଟ୍ଟନାୟକଙ୍କ ସଂସାରର ଅବଶେଷ ! ଏ ଚିତ୍ରଟି ଯଥାର୍ଥରେ ଯେପରି ଜୀବନ୍ତ, ସେହିପରି ମର୍ମସ୍ପର୍ଶୀ । ‘‘ମାମୁ’’ ଓଡ଼ିଆ ସାହିତ୍ୟରେ ଗୋଟିଏ ଅପୂର୍ବ ଚରିତ୍ର ଚିତ୍ର-ଶାଳା !

 

‘‘ଛମାଣ ଆଠଗୁଣ୍ଠ’’ ରଚନା କାଳକୁ ଫକୀରମୋହନଙ୍କର ପୁରୁଷକାର ଓ କର୍ମଫଳରେ ଦୃଢ଼ ବିଶ୍ୱାସ ଥିଲା । ମଙ୍ଗରାଜ ନିଜ ଶିଂଘରେ ମାଟି ତାଡ଼ି ଫତେପୁର ସରଷଣ୍ଡର ସର୍ବରାକାର ହୋଇଥିଲେ, ନିଜ ବୁଦ୍ଧିରେ ବହୁ ଘର ଭାଙ୍ଗି ନିଜ ଘର ଗଢ଼ିଥିଲେ । ପୁଣି ଶେଷରେ ଆପଣା କଲାକର୍ମର ଶାସ୍ତି ମଧ୍ୟ ପାଇଲେ । କର୍ମଫଳହିଁ ‘‘ଛମାଣ ଆଠଗୁଣ୍ଠ’’ ଉପନ୍ୟାସର ମୂଳଭିତ୍ତି । ତାହା ଉକ୍ତ ଉପନ୍ୟାସ ସମ୍ପର୍କିତ ଆଲୋଚନାରେ ବିଶଦ ଭାବରେ ଆଲୋଚିତ ହୋଇଅଛି । କିନ୍ତୁ ‘‘ମାମୁ’’ ରଚନା କାଳକୁ ଫକୀରମୋହନ ପରିସ୍ଥିତିର ସ୍ୱାଭବିକ ପ୍ରଭାବରେ ଅଦୃଷ୍ଟବାଦୀ ହୋଇ ପଡ଼ିଥିଲେ । ରାଘବର ତଳେ ଝୁଣ୍ଟି ପଡ଼ିବା ଘଟଣାକୁ କେନ୍ଦ୍ର କରି, ଫକୀରମୋହନ ଅଦୃଷ୍ଟବାଦରେ ତାଙ୍କର ବିଶ୍ୱାସ ଉଲ୍ଲେଖ କରିଅଛନ୍ତି... ‘‘କର୍ମବାଦୀ କହିବେ ସେ ଲୋକଟା ବାରଣ୍ଡାବାଟେ ବୁଲିଗଲା ନାହିଁ କ୍ୟାଁ ? ଏଇଟା କର୍ମଫଳ । ହେଲେ ଆମ୍ଭମାନଙ୍କର ବିଶ୍ୱାସ, କୃତକର୍ମ ଛାଡ଼ି ମନୁଷ୍ୟମାନଙ୍କର ଶୁଭାଶୁଭଦାତା ଆଉ ଗୋଟିଏ ହସ୍ତ ସେମାନଙ୍କ ଭାଗ୍ୟର ଅନ୍ତରାଳରେ ନିୟତ ବିଦ୍ୟମାନ ଅଛି–ସହଜ କଥାରେ ତାହାକୁ ଅଦୃଷ୍ଟ ବୋଲାଯାଏ ।’’ ସବୁ କର୍ମଫଳର ଊର୍ଦ୍ଧ୍ୱରେ ସେହି ଅଦୃଷ୍ଟ । ‘‘ମାମୁ’’ ଉପନ୍ୟାସରେ ଲକ୍ଷ କରିବାର ଅଛି, ମଙ୍ଗରାଜଙ୍କ ପରି ନଟବର ଦାସ, ନରିପୁର କିଲ୍ଲାକୁ ଆତ୍ମସାତ୍ କରିବା ଉଦ୍ୟମର କର୍ମଫଳ ଭୋଗ କରି ନାହାନ୍ତି । ହୁଏତ ତାଙ୍କର ଉଦ୍ୟମ ସଫଳ ହୋଇ ଆସୁଥିଲା । ପୁଣି ଚାନ୍ଦମଣି ଚିନ୍ତାରେ ବା କ୍ରିୟାରେ କାହାର କୌଣସି ଅନିଷ୍ଟ କରି ନ ଥିଲେ ସୁଦ୍ଧା ତାଙ୍କୁ ବୈଧବ୍ୟର ଅଭିଶାପ ମୁଣ୍ଡାଇ, ନିରୁତ୍ସବ ନିରାନନ୍ଦ ଜୀବନ ଅତିବାହିତ କରିବାକୁ ପଡ଼ିଥିଲା । ମନୁଷ୍ୟର ଜୀବନରେ ବେଳେ ବେଳେ ଏପରି କେତେକ ଘଟଣା ଘଟିଥାଏ, ଯାହାକୁ କାର୍ଯ୍ୟ କାରଣର ଭାଜନରେ ହରି, କର୍ମଫଳର ଭାଗଫଳ ନିର୍ଣ୍ଣୟ କରି ସାରିବା ପରେ ସୁଦ୍ଧା କିଛି ଅବଶେଷ ରହିଯାଏ । ତାହାହିଁ ଅଦୃଷ୍ଟ ! କୂଳପ୍ଳାବିନୀ ବନ୍ୟା ପରି, ପ୍ରଳୟଙ୍କରୀ ଝଞ୍ଜା ପରି ଏହାର ଦିଗ୍‌ଦର୍ଶନ ନାହିଁ–ଅନ୍ଧ ! ମନୁଷ୍ୟ କି ତା ହେଲେ ଏହି ଅଦୃଷ୍ଟର ଅସହାୟ କ୍ରୀଡ଼ାପୁତ୍ତଳିକା ? କେ ଜାଣି ? ଚାନ୍ଦମଣିର ‘‘ସାଧ୍ୱୀ ସୁପୁତ୍ରଜନନୀ ସୁଖିନୀ ଧନାଢ୍ୟା’’ ଯୋଗ ଥିଲେ ସୁଦ୍ଧା, ପତିଯୋଗ କଷ୍ଟଯୋଗ ଥିଲା । ବିଶାଖାର ରାଜରାଣୀ ଯୋଗ ଥିଲେ ସୁଦ୍ଧା, ‘‘ମଙ୍ଗଳର ପଞ୍ଚମ ସ୍ଥାନରେ ଶନିର ଏକପାଦ ମାତ୍ର ଦୃଷ୍ଟି’’ ଥିବାରୁ ସନ୍ତାନ ପକ୍ଷରେ କଷ୍ଟ ଥିଲା; ଇତ୍ୟାଦି । ଫକୀରମୋହନ ବାର୍ଦ୍ଧକ୍ୟରେ, ନିଃସଙ୍ଗ ରୋଗଶଯ୍ୟାର ନିଃସହାୟ ମୁହୂର୍ତ୍ତରେ ଭାଗ୍ୟବାଦୀ ହୋଇ ପଡ଼ିଥିଲେ । ଆରମ୍ଭରୁ ଏହି ଭାଗ୍ୟବାଦ, ‘‘ମାମୁ’’ର ଗଳ୍ପାଂଶ ଗଠନରେ ଛାୟାପାତ କରି ଆସିଅଛି ।

 

କିନ୍ତୁ ଯଥାର୍ଥରେ ଭାଗ୍ୟବାଦ ଓ କର୍ମଫଳବାଦ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ହୋଇପାରେ କୃତକର୍ମ ଉପରେ ଆଉ ଗୋଟିଏ ଅଦୃଷ୍ଟ ଶକ୍ତି ମନୁଷ୍ୟର ଭାଗ୍ୟ ନିୟନ୍ତ୍ରଣ କରୁଅଛି; କିନ୍ତୁ ତାହା ପ୍ରତ୍ୟକ୍ଷୀଭୂତ ନୁହେଁ । କିନ୍ତୁ ପ୍ରତ୍ୟକ୍ଷ କୃତକର୍ମ ଯେ ପରୋକ୍ଷ ଅଦୃଷ୍ଟର ଇଙ୍ଗିତ ନୁହେଁ, ସେ କଥା ପୁଣି କିଏ କହିବ ? ମନୁଷ୍ୟର ଯେ କୌଣସି କର୍ମ ଅଦୃଷ୍ଟ ଭାଗ୍ୟ ବିଧାତାର ବହୁପୂର୍ବରୁ ନିର୍ଦ୍ଦିଷ୍ଟ ବିଧାନ ବୋଲି ଭାଗ୍ୟବାଦୀ ଯୁକ୍ତି କରି ପାରନ୍ତି । କିନ୍ତୁ କର୍ମଫଳବାଦୀ ଯୁକ୍ତି କରିପାରନ୍ତି ଅଦୃଷ୍ଟର ଅସ୍ତିତ୍ୱର କୌଣସି ପ୍ରତ୍ୟକ୍ଷ ପ୍ରମାଣ ନଥିଲେ ସୁଦ୍ଧା କର୍ମଫଳର ଅସ୍ତିତ୍ୱ ମନୁଷ୍ୟର ପ୍ରତ୍ୟକ୍ଷୀଭୂତ ! ସେ ଯାହାହେଉ ସମାଜରେ ଶୃଙ୍ଖଳାରକ୍ଷା ପାଇଁ ଏ ସବୁ ଧାରଣାର ସୃଷ୍ଟି ହୋଇଥିଲା । ଏଣୁ ସାମୂହିକ ସମାଜଜୀବନର ବିକାଶ ଦୃଷ୍ଟିରୁ ଭାଗ୍ୟବାଦ ବା କର୍ମଫଳବାଦର ମୂଲ୍ୟ ନିରୂପିତ ହେବା ଉଚିତ । ତେଣୁ ସମାଜହିତୈଷୀ ଫକୀରମୋହନ ଭାଗ୍ୟବାଦରେ ଆସ୍ଥାବାନ ଥିଲେ ସୁଦ୍ଧା, ସମାଜ ଜୀବନରେ ଶୃଙ୍ଖଳା ଓ ବିଧିରକ୍ଷା ପାଇଁ କର୍ମଫଳର ମହତ୍ୱ ଆଲୋଚିତ ଉପନ୍ୟାସରେ ପ୍ରତିପାଦନ କରିଅଛନ୍ତି । ଭାଗ୍ୟବାଦରେ ବିଶ୍ୱାସ ମନୁଷ୍ୟକୁ ସମାଜ-ସଚେତନ କରେ ନାହିଁ ବା ବିଚାରଧାରାରେ ଦାୟିତ୍ୱବୋଧର ସଞ୍ଚାର କରେ ନାହିଁ । ମନୁଷ୍ୟକୁ ଯଦି ଅଦୃଷ୍ଟର ବିଧାନ ଭୋଗ କରିବାକୁ ପଡ଼ିବ ଏକ ଅବଶ୍ୟମ୍ଭାବୀ ବ୍ୟବସ୍ଥା ରୂପେ, ତାହେଲେ ସୁକର୍ମ ଓ ଦୁଷ୍କର୍ମ ଉଭୟ ସମାନ । ଯେତେ ସୁକର୍ମ କଲେ ସୁଦ୍ଧା ନିୟତିର ନିର୍ଦ୍ଦେଶରେ ଯାହା ନିର୍ଦ୍ଦିଷ୍ଟ ଥିବ ତାହାହିଁ ଭୋଗ କରିବାକୁ ପଡ଼ିବ । କିନ୍ତୁ ଏପରି ଚିନ୍ତାଧାରା ସଂଯତ ସମାଜ ଜୀବନର ବିକାଶ ପକ୍ଷରେ ଅନୁକୂଳ ନୁହେଁ । ପ୍ରତ୍ୟେକ କର୍ମର ଏକ ପରିଣତି ଅଛି । ସୁକର୍ମର ପରିଣତି କଲ୍ୟାଣ, ଦୁଷ୍କର୍ମର ପରିଣତି ଲଞ୍ଛନା, ପୀଡ଼ନ ଓ ଦୁର୍ଯୋଗ । ପୁଣି କର୍ମର ପରିଣତି ମନୁଷ୍ୟକୁ ଏଇ ଜନ୍ମରେହିଁ ଭୋଗ କରିବାକୁ ପଡ଼େ । ଏଣୁ କର୍ମଫଳରେ ବିଶ୍ୱାସ ମନୁଷ୍ୟକୁ ପ୍ରତ୍ୟେକ କର୍ମରେ ସମାଜ-ସଚେତନ କରେ । ଭାଗ୍ୟବାଦରେ ମନୁଷ୍ୟ ସାନ୍ତ୍ୱନା ପାଇପାରେ କିନ୍ତୁ କର୍ମଫଳ ବିଶ୍ୱାସରେ ମନୁଷ୍ୟ ଶାନ୍ତି ପାଏ । ଜେଲଖାନାରେ ତେଣୁ ନଟବର ନିଜ କର୍ମଫଳର ସମ୍ମୁଖୀନ ହୋଇ ବିଚଳିତ ହୋଇ ପଡ଼ି ନାହାନ୍ତି । ନିଜ କୃତକର୍ମର ପରିଣତି ଭୋଗ କରିବାରେ ସେ ବରଂ ଏକ ଅପୂର୍ବ ଶାନ୍ତି ଉପଲବ୍‌ଧି କରି ଅଛନ୍ତି ।

 

ଜେଲଖାନା ଯେପରିକି ମନୁଷ୍ୟର ଚରମ ବିଚାରପୀଠ । ସେଥିପାଇଁ ‘‘ଛମାଣ ଆଠଗୁଣ୍ଠ’’ ଓ ‘‘ମାମୁ’’ ଉଭୟ ଉପନ୍ୟାସରେ ଫକୀରମୋହନ ଜେଲଖାନାର ଏକ ଲୋମହର୍ଷଣକାରୀ ଚିତ୍ର ଅଙ୍କନ କରି ଅଛନ୍ତି । ଜେଲଖାନାରେ ନଟବରଙ୍କର ଅନ୍ୟ ଦୁଇଜଣ ଅନ୍ତେବାସୀ–ଜଣେ ପାଣ, ଚୋରିମାମ୍‌ଲାରେ କୟଦୀ ହୋଇ ନିଶ୍ଚିନ୍ତରେ ଖଣ୍ଡେ କମ୍ୱଳ ଉପରେ ନିଘୋଡ଼ ନିଦରେ ଶୋଇ ପଡ଼ିଅଛି । ଚୋରି ଓ ଜେଲଯିବା ତାର ଯେପରିକି ଏକ ନିତ୍ୟନୈମିତ୍ତିକ ବ୍ୟାପାର । ଦ୍ୱିତୀୟ ଜଣକ ଜଣେ ଜମିଦାର, ଅନ୍ୟ ଜଣେ ଜମିଦାର ସହିତ ଦଙ୍ଗା କରିଥିବା ଅଭିଯୋଗରେ କୟଦୀ ହୋଇ ରହିଅଛି । ଆଖିରେ ତାର ନିଦ ନାହିଁ, ତୁଚ୍ଛା ଏକଡ଼, ସେକଡ଼ ହେଉଅଛି । କର୍ମଫଳର ଉପଲବ୍‌ଧି ଆସି ନାହିଁ, ମନରେ ହୁଏତ ଶୋଚନା, ଦଙ୍ଗା ମାମଲାରୁ ଖସି ହେଲା ନାହିଁ ବୋଲି । ତୃତୀୟ ବନ୍ଦୀ ଜଣେ ବଡ଼ଲୋକର ପୁଅ । ଅପବ୍ୟୟରେ ପୈତୃକ ସମ୍ପତ୍ତି ନିଃଶେଷ କରି ସାରି ଅର୍ଥାଭାବ ହେତୁ ଜାଲ ହାଣ୍ଡନୋଟ କରିଥିବା ଅପରାଧରେ ଫୌଜଦାରୀ ସମ୍ପ୍ରଦ ହୋଇଅଛି । କର୍ମଫଳର ନିଷ୍ପ୍ରାଣ କଠୋରତା ତାକୁ ବିକଳ ଓ ଅଧୀର କରି ପକାଇଅଛି । ଶୋଇବା କମ୍ୱଳ ଦେହରେ ଛାରପୋକ ଭରି ହୋଇ ଥିବାରୁ ସେ ଖଣ୍ଡକ ଦୂରକୁ ଫିଙ୍ଗି ଦେଲାଣି । ଛାରପୋକ କାମୁଡ଼ା ଜ୍ୱାଳାରେ ଦେହରେ ପଟାସ୍ ପଟାସ୍ ଚାପୁଡ଼ା ବାଡ଼େଇ ହେଉଅଛି; ଅସ୍ତିର ଭାବରେ ଉଠ ବସ ହେଉଅଛି, ବେଳେ ବେଳେ କାନ୍ଦି ମଧ୍ୟ ପକାଉଅଛି । କିନ୍ତୁ ନଟବର ନିଶ୍ଚଳ, ଅନାସକ୍ତ ପ୍ରଫୁଲ୍ଲ ମନରେ ସେଇଠି ବସିଛନ୍ତି । କୃତକର୍ମର ଫଳ ଭୋଗରେହିଁ ଯେପରିକି ତାଙ୍କ ପାପର ପୂର୍ଣ୍ଣ ପ୍ରାୟଶ୍ଚିତ୍ତ ହୋଇ ଯାଉଅଛି ! ତେଣୁ ସେ ଯେପରିକି ଏହାଠାରୁ ଆଉରି କଠୋର ଶାସ୍ତି ପାଇଁ କାମନା କରୁ ଅଛନ୍ତି !

 

କର୍ମଫଳ ହୀନ ଆତତାୟୀଠାରୁ ସୁଦ୍ଧା ଆଉରି ଭୀଷଣ, ନିର୍ମମ ଓ ନିଷ୍ପ୍ରାଣ । ଏହାର ପ୍ରାଗୈତିହାସିକ ବର୍ବରତାରୁ ମନୁଷ୍ୟର ମୁକ୍ତି ନାହିଁ । ରତନପୁର ମୌଜାର ଡମମାନଙ୍କୁ ମଙ୍ଗରାଜ ମିଥ୍ୟା ମୋକଦ୍ଦମାରେ ଜେଲ ଦେଇଥିଲେ । ଅଥଚ ସେଇ ଡମମାନଙ୍କ ସଙ୍ଗରେ ତାଙ୍କୁ ଏକା ଜେଲଖାନାରେ ରହିବାକୁ ପଡ଼ିଲା । ମଙ୍ଗରାଜେ ରତନପୁରିଆଙ୍କ ସାଙ୍ଗରେ ଘଣା ପେଲିବା ସମୟରେ ସେମାନେ ତାଙ୍କ ଉପରେ ବେଳେ ବେଳେ ଗୋଇଠାଟାଏ, ବିଧାଟାଏ ବା ଖୁନ୍ଦାଟାଏ ବଜାଇ ଦିଅନ୍ତି । ଗୋବରା ଜେନା ଚୌକିଦାର ନିଜେ ହୁଏତ ଶାରିଆକୁ ଠେଙ୍ଗାରେ ପିଟି ପିଟି ମାରିଥିଲା । ଶାସ୍ତି ସ୍ୱରୂପ ପାଣମାନଙ୍କର ମାଡ଼ରେ ଜେଲଖାନା ଭିତରେ ଗୋବରା ଜେନା ମଧ୍ୟ ମଲା । ରାମଚନ୍ଦ୍ର ମଙ୍ଗରାଜ ନିରୀହ, ଅସହାୟ ଆଖିରେ ଧୂଳି ଫିଙ୍ଗି ତାର ସର୍ବସ୍ୱ ଲୁଣ୍ଠନ କରୁଥିଲେ-। ତାର ପରିଣାମ ସ୍ୱରୂପ, ଗୋପିଆ ତନ୍ତୀ ଓରଫ ଗୋପୀ କବିରାଜ, ମଙ୍ଗରାଜଙ୍କ ରୋଗଶଯ୍ୟାରେ ମଙ୍ଗରାଜଙ୍କ ଆଖିରେ ଧୂଳି ପକାଇ ତାଙ୍କର ନିର୍ବାତପ୍ରାୟ ଜୀବନର ଅବଶିଷ୍ଟ ମୁହୂର୍ତ୍ତଗୁଡ଼ିକୁ ଲୁଣ୍ଠନ କରିଅଛି । ମଣିଷର ବିଚାରାଳୟରେ ହୁଏତ ମଣିଷ ସବୁ ସମୟରେ ନିଜ ଦୁଷ୍କୃତିର ଶାସ୍ତି ପାଏ ନାହିଁ । କିନ୍ତୁ ସେ ବିଚାରର ଉର୍ଦ୍ଧ୍ୱରେ କର୍ମଫଳର ଚରମ ବିଚାର ଅଛି, ଯାହାର ରାୟକୁ କେହି ଓକିଲ, ମୁକ୍ତାର ବଦଳାଇବା ଅସମ୍ଭବ ।

 

‘‘ଛମାଣ ଆଠଗୁଣ୍ଠ’’ରେ କର୍ମଫଳ ଉଗ୍ର, ଭୀଷଣ, ଭୟଙ୍କର । କିନ୍ତୁ ‘‘ମାମୁ’’ ଉପନ୍ୟାସରେ ଫକୀରମୋହନଙ୍କ ମାନବିକତା, ସେ ପରିକଳ୍ପନାକୁ ମୋଲାୟେମ୍ କରି ଦେଇଅଛି । ମନୁଷ୍ୟ ପରିସ୍ଥିତି ସୃଷ୍ଟି କରେ ଯେତିକି ସତ, ପରିସ୍ଥିତି ମନୁଷ୍ୟ ସୃଷ୍ଟି କରେ ମଧ୍ୟ ସେତିକି ସତ । ମନୁଷ୍ୟ ଯଥାର୍ଥରେ ଶୁଭ୍ର ଓ ପବିତ୍ର । କିନ୍ତୁ କେତେକ ପରିସ୍ଥିତିର ପ୍ରଭାବରେ ପଡ଼ି ସେ ଭଲ ବା ଖରାପ, ନିର୍ମଳ ବା କଳଙ୍କିତ ହୋଇଥାଏ । ସେ ପରିସ୍ଥିତିର ପ୍ରଭାବ ଅପସୃତ ହୋଇଗଲେ, ସେ ପୁଣି ହୋଇଉଠେ, ଶୁଭ୍ର, ନିଷ୍କଳଙ୍କ ଓ ପବିତ୍ର । ତେଣୁ ପାପୀକୁ ଘୃଣା କର ନାହିଁ । ଅପରାଧ ଏକ ମାନସିକ ବ୍ୟାଧି । ରୋଗପୀଡ଼ିତ ବ୍ୟକ୍ତିକୁ ସହାନୁଭୂତିର ସହିତ ଚିକିତ୍ସା କଲା ପରି ଅପରାଧୀର ମାନସିକ ବ୍ୟାଧିକୁ ଉଦାରତାର ପ୍ରଲେପ ଦେଇ ଆରୋଗ୍ୟ କର । ମଣିଷ ଅମୃତର ସନ୍ତାନ । ସେ କେବେ କଳଙ୍କିତ ହୋଇ ପାରେନାହିଁ । ମଣିଷକୁ ନମସ୍କାର କର । ଫକୀରମୋହନଙ୍କ ଏହି ବାଣୀ ‘‘ମାମୁ’’ ଉପନ୍ୟାସରେ ରୂପାୟିତ ହୋଇଅଛି । କର୍ମଫଳର ସମ୍ମୁଖୀନ ହୋଇ, ଜେଲଗାରଦରେ ନଟବର ଦାସଙ୍କର ଚେତନ୍ୟୋଦୟ ହୋଇଅଛି । ଯେଉଁ ସହଜାତ ହେତୁବାଦ, କୁସଂସର୍ଗ ଓ ଅଶୁଭ ପ୍ରଭାବରେ ଲୁଚିଯାଇ ତାଙ୍କର ଦୃଷ୍ଟିକୁ ଆଚ୍ଛନ୍ନ କରିଥିଲା, ତାଙ୍କୁ ନାନା ହୀନ କାର୍ଯ୍ୟରେ ପ୍ରବର୍ତ୍ତାଇ ଥିଲା; ତାହା ଘୁଞ୍ଚି ଯାଇଅଛି । ଅନୁଶୋଚନାର ଅଶ୍ରୁଜଳରେ ଧୌତ ହୋଇ ସେ ପୁଣି ହୋଇ ଉଠିଛନ୍ତି ଶୁଭ୍ର ଓ ପବିତ୍ର । ତାଙ୍କ କଣ୍ଠରେ, ମଙ୍ଗରାଜଙ୍କ ‘‘ଥ–ମା–ଆ–ଗୁ’’ ଅର୍ତ୍ତ ଚିତ୍କାର ପରି ଆର୍ତ୍ତନାଦ ଫୁଟିନାହିଁ...କିନ୍ତୁ ଫୁଟିଛି ବିଭୁ ଆରଧନାର ପ୍ରଶାନ୍ତ କୋମଳ ସଙ୍ଗୀତ । ଗୋଟିଏ ଦୀପର ଆଲୋକ ଶିଖା ଅନ୍ୟ ନିର୍ବାପିତ ଦୀପମାନଙ୍କୁ ପ୍ରଜ୍ୱଳିତ କଲାପରି, ନଟବର ଦାସଙ୍କର ଶୁଭ, ପ୍ରାଣର ଆଲୋକରେ ଅନ୍ୟ ଦୁଷ୍କୃତକାରୀ କୟଦୀମାନଙ୍କ ଅନ୍ଧକାରାଚ୍ଛନ୍ନ ପ୍ରାଣରେ ସୁଦ୍ଧା ସେ ଆଲୋକର ଦ୍ୟୁତି ସଞ୍ଚାରିତ ହେଲା । ଅନୁଶୋଚନା ସବୁ ଦୁଷ୍କର୍ମର ଚିର ଶାସ୍ତି । ଶାସ୍ତି ଲକ୍ଷ୍ୟ ନୁହେଁ ପନ୍ଥା । ସମାଜ ଶୃଙ୍ଖଳା ରକ୍ଷା କରିବା ଶାସ୍ତିର ଉଦ୍ଦେଶ୍ୟ । କିନ୍ତୁ ଅପରାଧୀକୁ କଠୋର ଶାସ୍ତି ଦେଇ ସମାଜ ଶୃଙ୍ଖଳା ରକ୍ଷା କରି ହେବ ନାହିଁ । ସେଥିପାଇଁ ଅପରାଧୀର ହୃଦୟ ପରିବର୍ତ୍ତନ କରି ତାହାକୁ ଶୁଭ୍ର ଓ ପବିତ୍ର କରିବା ଉଚିତ । ତା ହେଲେ ସମାଜରେ ଅପରାଧ ରହନ୍ତା ନାହିଁ । ମାତ୍ର ଆମେ ଅପରାଧୀକୁ ଘୃଣା କରୁ ସତ, କିନ୍ତୁ ଅପରାଧକୁ ହୁଏତ ଶ୍ରଦ୍ଧା କରୁ । ସେଇଥିପାଇଁ ସମାଜ ଯେତେ ଯେତେ ନୂତନ ଶାସ୍ତି, ନୂତନ କାନୁନ୍‌ର ଉଦ୍ଭାବନ କରିଅଛି ସମାଜରେ ସେତେ ସେତେ ନୂତନ ଅପରାଧ ସମାଜର ଧର୍ମଧରମାନଙ୍କୁ ଉପହାସ କରି ପ୍ରକାଶ ପାଇଅଛି । ମଣିଷର ନବଜନ୍ମ ପାଇଁ ଫକୀରମୋହନଙ୍କ ଆଶାନ୍ୱିତ ଆହ୍ୱାନ ‘‘ମାମୁ’’ ଉପନ୍ୟାସକୁ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ଶ୍ରେଷ୍ଠ ଆସନ ଦାନ କରିଅଛି ।

Image

 

ପ୍ରାୟଶ୍ଚିତ

 

‘‘There is only one corner of the universe you can be certain of improving, and that is your own self he repeated. So you have to begin there not outside, not on other people. That comes afterwards, when you have worked on your own corner. You have got to be good before you can do good–or at any rate do good without doing harm at the same time. Helping with one hand and hurting with the other that's what the ordinary reformer does’’

 

Aldoux Huxley ‘‘Time Must Have a Stop.’’

 

‘‘ପଶୁ କ୍ରୋଡ଼ରେ ଜନ୍ମ ହୋଇ ମାନବଜାତି ଯେତେବେଳେ ଜ୍ଞାନ ଓ ସଭ୍ୟତା ଆଡ଼କୁ ଅଗ୍ରସର ହେଲା ସେତେବେଳେ ପାପପୁଣ୍ୟ ଧର୍ମାଧର୍ମର କୌଣସି ଜ୍ଞାନ ତ ତାହାର ନ ଥିଲା । ସେ ଇତର ପଶୁମାନଙ୍କୁ ବଧ କରି ସେମାନଙ୍କୁ ଦାସତ୍ୱ ଶୃଙ୍ଖଳାରେ ବାନ୍ଧି, ସଭ୍ୟତାର ଅଭିମାନ କରିବାକୁ ଲାଗିଲା । ବର୍ତ୍ତମାନ ଯୁଗରେ ମାନବଜାତି ମଧ୍ୟରେ ଯେଉଁ ଜାତି ଅନ୍ୟ ସରଳ, ଅଶିକ୍ଷିତ ବା ଅର୍ଦ୍ଧଶିକ୍ଷିତ ଜାତିମାନଙ୍କୁ ପଦାନତ କରି ନ ପାରିଛି ଆମ୍ଭେମାନେ ତାକୁ ସଭ୍ୟ କହିବାକୁ କୁଣ୍ଠିତ ହେଉ । ଦୟା, ମାୟା, ସ୍ନେହ, ସହାନୁଭୂତି ସମସ୍ତ ପରିତ୍ୟାଗ କରି ଦାନବସ୍କନ୍ଧରେ ଅରୋହଣ କରି ସଭ୍ୟତା ଅଗ୍ରସର ହେଉଅଛି ।’’

 

‘‘ପ୍ରାୟଶ୍ଚିତ୍ତ’’

 

କିନ୍ତୁ ଏହାର ପରିଣତି ?

 

ମନୁଷ୍ୟର ଇତିହାସ ପରି ଏ ପ୍ରଶ୍ନ ଅତି ପ୍ରାଚୀନ । ବାରମ୍ୱାର ଯୁଦ୍ଧ ବିଧ୍ୱସ୍ତ ପୃଥିବୀର ପାଂଶୁଳ ମଳିନ ଦିଗ୍‌ବଳୟରେ ଏ ପ୍ରଶ୍ନବାଚକ ଦେଖା ଦେଇ ପୁଣି ନିଭି ଯାଇଅଛି । ବସ୍ତୁତଃ ଏ ମୌଳିକ ପ୍ରଶ୍ନର ଯଥାର୍ଥ ସମାଧାନର ଭିତ୍ତିରେ ସମାଜ ଓ ରାଷ୍ଟ୍ରର ପୂର୍ନଗଠନ ନ ହେବା ପର୍ଯ୍ୟନ୍ତ, ଯୁଦ୍ଧର ବିଭୀଷିକା ପୃଥିବୀରୁ ଲୋପ ପାଇବା ଅସମ୍ଭବ ।

 

‘‘ପ୍ରାୟଶ୍ଚିତ୍ତ’’ ଫକୀରମୋହନଙ୍କର ଶେଷ ପ୍ରକାଶିତ ଉପନ୍ୟାସ । ଏହା ଏକ ସମସ୍ୟାମୂଳକ ଉପନ୍ୟାସ । ଫକୀରମୋହନ ଏଥିରେ ଯେଉଁ ପ୍ରଶ୍ନର ଉତ୍‌ଥାପନ କରି ଅଛନ୍ତି, ତାହା ଯଥାର୍ଥରେ ମନୁଷ୍ୟ ସଭ୍ୟତାର ଶେଷପ୍ରଶ୍ନ ।

 

ବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଭାରତର ପରମ୍ପରାଗ୍ରସ୍ତ ସମାଜରେ ସଂସ୍କାରର ବାତ୍ୟା ବହି ଚଲିଥିଲା । ଇଂରେଜୀ ସଭ୍ୟତା, ଚିନ୍ତାଧାରା, ସମାଜ ଓ ସଂସ୍କାର ସମ୍ପର୍କରେ ଆସି ନବ୍ୟଶିକ୍ଷିତ ଯୁବକମାନେ ସମାଜ ସଂସ୍କାରରେ ଲାଗି ପଡ଼ିଥିଲେ । ବଙ୍ଗଳାରେ ସେ ସମୟରେ ଏକ ଧାରଣା ଜନ୍ମିଥିଲା, ହିନ୍ଦୁଧର୍ମ ତ୍ୟାଗ କରି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ନ ହେଲେ ଓ ହିନ୍ଦୁ ସମାଜର ସଂସ୍କାର, ଚଳଣି ତୁଚ୍ଛ କରି ପାଶ୍ଚାତ୍ୟ ଚଳଣି ଅନୁସରଣ ନ କଲେ ସଭ୍ୟତାର ଆସ୍ୱାଦନ ଅସମ୍ଭବ । ଏହାର ସଂକ୍ରମଣ ଓଡ଼ିଶାକୁ ମଧ୍ୟ ଖୁବ୍‍ ପ୍ରବଳ ଭାବରେ ବ୍ୟାପିଥିଲା । ସମାଜ ଓ ଚିନ୍ତାଧାରାର ଏହି ପୃଷ୍ଠଭୂମିରେ ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସ ଲେଖା ହୋଇଅଛି । ଉପନ୍ୟାସର ନାୟକ ଗୋବିନ୍ଦଚନ୍ଦ୍ର ସମାଜ ସଂସ୍କାର ଓ ପ୍ରଗତିର ଚମକରେ ମାତି ଯାଇଁ ପ୍ରତିଷ୍ଠିତ ପରମ୍ପରା ଓ ବିଧି ନିଷେଧ ଆଦି ପାଦରେ ଦଳି ଏକ ନୂତନ ପରମ୍ପରା ଗଢ଼ିବାକୁ ବସିଲେ । ମାତ୍ର ସେଥିରୁ ଅନୁଶୋଚନାହିଁ ସାର ହେଲା । ଏ ଅନୁଶୋଚନା ଯେପରିକି ଗୋବିନ୍ଦଚନ୍ଦ୍ରଙ୍କ କୃତପାପର ପ୍ରାୟଶ୍ଚିତ୍ତ !

 

ପରମ୍ପରା କଣ ? ଅତୀତରେ ବହୁ ପରୀକ୍ଷିତ ଓ ପ୍ରମାଣିତ କେତେକ ବିଧି ଓ ପନ୍ଥା, ବର୍ତ୍ତମାନରେ ଯାହା ସମାଜ ସହିତ ବ୍ୟକ୍ତିର ସର୍ମ୍ପକ ରକ୍ଷାରେ ସହାୟତା କରେ ଓ ବ୍ୟକ୍ତିଜୀବନ ନିୟନ୍ତ୍ରଣ କରେ, ତାହା ପରମ୍ପରା । ପରମ୍ପରା ଅବଶ୍ୟ ସର୍ବକାଳୀନ, ଅପରିବର୍ତ୍ତିତ ସତ୍ୟ ନୁହେଁ । ସମାଜର ଏକ ନର୍ଦ୍ଦିଷ୍ଟ ପରିସ୍ଥିତିରେ ସେହି ପରିସ୍ଥିତିକୁ ଖାପ୍ ଖାଇଲା ଭଳି ଏକ ପରମ୍ପରାର ସୃଷ୍ଟି ହୋଇଥାଏ । ସେ ପରିସ୍ଥିତି ବଦଳି ଗଲେ, ପରମ୍ପରା ମଧ୍ୟ ବଦଳିଯିବା ସ୍ୱାଭାବିକ । ପ୍ରତ୍ୟେକ ସମାଜସଂସ୍କାରକ, ସମାଜରେ ଯେ କୌଣସି ସଂସ୍କାର ଆଣିବାକୁ ଗଲାବେଳେ ଏକ ପ୍ରତିବନ୍ଧକ ରୂପେ ଏହି ପରମ୍ପରାର ସମ୍ମୁଖୀନ ହୋଇଥାନ୍ତି । ସେତେବେଳେ ତାଙ୍କ ଆଗରେ ଦୁଇଟି ପନ୍ଥା ଦେଖାଯାଏ; ପ୍ରଥମ–କଳେ, ବଳେ ବା କୌଶଳେ ସମାଜର ଅସ୍ଥିମଜ୍ଜାଗତ ପ୍ରାଚୀନ ସଂସ୍କାରକୁ ପାଦରେ ହୁଏତ ଦଳି ଦେବା ପାଇଁ ପଡ଼ିବ: ଦ୍ୱିତୀୟ–ସମାଜକୁ ଶିକ୍ଷିତ ଓ ଜାଗ୍ରତ କରି ପୁରୁଣା ସଂସ୍କାରର ବାଟ ଛାଡ଼ି ହୁଏତ ଏକ ନୂଆ ସଂସ୍କାରର ବାଟରେ ସମାଜକୁ ସଙ୍ଗରେ ଧରି ଯିବାପାଇଁ ପଡ଼ିବ । ‘‘ପ୍ରାୟଶ୍ଚିତ’’ ଉପନ୍ୟାସର ସୂତ୍ରଧର ପ୍ରଗତିପନ୍ଥୀ କମଳଲୋଚନ ପୂର୍ବୋକ୍ତ ପନ୍ଥା ଅନୁମୋଦନ କରି କହିଅଛନ୍ତି...‘‘ଅଶିକ୍ଷିତ କୁସଂସ୍କାରାଚ୍ଛନ୍ନ ମୂର୍ଖଲୋକମାନେ ଚିରାଚରିତ ମନ୍ଦ ପ୍ରଥାମାନ ଅନୁସରଣ କରି ଦୁର୍ଦଶା ଭୋଗ କରିଥାନ୍ତି ସତ୍ୟ, ମାତ୍ର ଜ୍ଞାନାଲୋକସମ୍ପନ୍ନ ଶିକ୍ଷିତ ଲୋକମାନଙ୍କ କଥା ସ୍ୱତନ୍ତ୍ର ଅଟେ । ସେମାନେ ସ୍ୱକୀୟ ଜ୍ଞାନଶକ୍ତି ବଳରେ ସମାଜଗତ କୁସଂସ୍କାରକୁ ପଦଦଳିତ କରି ସୁଖକର ଶାନ୍ତିପ୍ରଦ ମାର୍ଗରେ ବିଚରଣ କରନ୍ତି । କେବଳ ତାହା ନୁହେଁ ଭବିଷ୍ୟତ ବଂଶଧରମାନଙ୍କ ମାର୍ଗଦର୍ଶକ ହୋଇ ସର୍ବତ୍ର ଅତୁଳନୀୟ ପ୍ରଶଂସାଭାଜନ ହୋଇଥାନ୍ତି ।’’

 

କିନ୍ତୁ ଏଠାରେ ଏହା ମଧ୍ୟ ବୁଝି ରଖିବାର ଅଛି, ପ୍ରାଚୀନକୁ ପାଦରେ ଦଳି ଗଲାବେଳେ ପ୍ରାଚୀନ ପ୍ରତିବାଦରେ ମୂଖର ଓ ପ୍ରତିରୋଧରେ ପ୍ରଚଣ୍ଡ ହୋଇ ଉଠିବା ସ୍ୱାଭାବିକ । ତେଣୁ କଳେ, ବଳେ ବା କୌଶଳରେ ସମାଜଗତ ପ୍ରାଚୀନ ସଂସ୍କାରକୁ ‘ପଦଦଳିତ’ କରିବା ପାଇଁ ପଡ଼େ । ସବୁ ଯୁଦ୍ଧ ପରି ପ୍ରାଚୀନ ଓ ଅର୍ବାଚୀନର ଏ ଯୁଦ୍ଧରେ ‘everything is fair in love and war’(ଯୁଦ୍ଧ ଓ ପ୍ରେମରେ ନ୍ୟାୟାନ୍ୟାୟର ବିଚାର ନାହିଁ । ଜୟଲାଭହିଁ ଏକମାତ୍ର ବିଚାର) ଆପ୍ତବାକ୍ୟକୁ ସ୍ୱୀକାର କରିବା ଛଡ଼ା ତେଣୁ ଉପାୟାନ୍ତର ନାହିଁ । ପ୍ରଗତିର ଜଣେ ବଡ଼ପଣ୍ଡା ଲେନିନ୍ କହିଛନ୍ତି......

 

"We must be ready to employ trickery deceit, law breaking, withholding and concealing truth."

 

(Max Eastman ଙ୍କ Infantile Disease of Leftism ରୁ ଉଦ୍ଧୃତ)

 

ଅର୍ଥାତ୍ ଲକ୍ଷ୍ୟର ସାଧନ ପାଇଁ ଆମେ ଜାଲ, ଜୁଆଚୋରୀ, ଆଇନଭଙ୍ଗ ସବୁ କରିବୁ; ମିଛ କହିଲେ ବା ସତ୍ୟକୁ ଲୁଚାଇଲେ ବି କ୍ଷତି ନାହିଁ ।

 

ଏହା ଫଳରେ ପ୍ରଗତି ଯାହା ହୁଏତ ହୁଏ, କିନ୍ତୁ ତାହାର ଏକ ଅବଶ୍ୟମ୍ଭାବୀ ପ୍ରତିକ୍ରିୟା ସ୍ୱରୂପ ସମାଜରେ ନୈତିକତାହାନୀ ହୁଏ । ଏ ପ୍ରତିକ୍ରିୟାଜନିତ କ୍ଷତି ପ୍ରଗତିର ଲାଭଠାରୁ ବଳିଯାଏ-। ପରିଣାମରେ ପ୍ରଗତି ଆଶୀର୍ବାଦ ନ ହୋଇ ହୁଏ ଅଭିଶାପ । ତେଣୁ ଏପରି କ୍ଷେତ୍ରରେ ଲକ୍ଷ୍ୟ ଓ ପନ୍ଥାର ପ୍ରଶ୍ନ ଉଠିବା ସ୍ୱାଭାବିକ । ଲକ୍ଷ୍ୟ ଯେତେ ମହତ ହେଲେ ସୁଦ୍ଧା, ସାଧନର ପନ୍ଥା ଯଦି ନୀଚ ହୁଏ ତା ହେଲେ ଲକ୍ଷ୍ୟ ହରାଏ ତାର ମହତ୍ୱ । ଅସତ୍ ପନ୍ଥାରେ କୌଣସି କାଳେ ସତ୍ ଲକ୍ଷ୍ୟ ସାଧନ କରି ହେବ ନାହିଁ । କିନ୍ତୁ ଏ ମୌଳିକ ସତ୍ୟକୁ ଅସ୍ୱୀକାର କରାଯାଇଥିବାରୁ ସୋଭିୟେଟ ରୁଷିଆର ବଲ୍‌ସେଭିକ୍ ବିପ୍ଳବର ଆଜି ଏ ଶୋଚନୀୟ ପରିଣତି ହୋଇଅଛି । ସୋଭିୟେଟ ରୁଷିଆରେ ଯେଉଁ ମାର୍କସୀୟ ବିପ୍ଳବକୁ ସମଗ୍ର ମାନବ ସମାଜ ଆଶାନ୍ୱିତ ହୋଇ ଅନାଇ ବସିଥିଲା, ଯାହାକୁ କଳ୍ପନା କରା ଯାଉଥିଲା ମାନବର ଚରମ ମୁକ୍ତିର ପରମ ସାଧନା ବୋଲି, ଆଜି ତାହା ପୃଥିବୀର ଚିନ୍ତାଶୀଳ ସମ୍ପ୍ରଦାୟଦ୍ୱାରା ବିବେଚିତ ହେଉଅଛି, ଦାସତ୍ୱର ଏକ ଘୋର ଶୃଙ୍ଖଳ ବୋଲି । କମ୍ୟୁନିଜମ୍ ଆଜି ପୃଥିବୀର ଛାତି ଉପରେ ମାଡ଼ି ବସିଛି ରାତିର ଦୁଷ୍ଟ ପ୍ରେତ ପରି ।

 

ଆଜିର ସଂସ୍କାର କାଲିର କୁସଂସ୍କାର । ତେଣୁ ସଂସ୍କାର ଓ କୁସଂସ୍କାର ମଧ୍ୟରେ କୌଣସି ସୀମାରେଖା ଟାଣିବାର ପ୍ରୟାସ ବୃଥା । ପୁଣି କେଉଁଟା ସଂସ୍କାର ଆଉ କେଉଁଟା କୁସଂସ୍କାର ଏହାର ଶେଷ ମୀମାଂସା କରିବ କିଏ ? ତମେ ଆମେ ତ ସେ ମୀମାଂସା କରି ପାରିବା ନାହିଁ, ଯିଏ କରିବେ ସେ ନିଶ୍ଚୟ ଅତିମାନବ । ତାଙ୍କ ବିଚାରରେ ଯାହା ସଂସ୍କାର ତାକୁ ଛାଡ଼ିଦେଲେ ବାକୀ କୁସଂସ୍କାରର । କିନ୍ତୁ ସେ ଅତିମାନବଙ୍କର ବିଚାରକ କିଏ ? ପୁଣି ଯୁଗ ଯୁଗର ପରମ୍ପରାରେ ସେ କୁସଂସ୍କାର ସବୁ ଅତି ବଦ୍ଧମୂଳ । ତେଣୁ ସେ ସବୁ ‘ପଦଦଳିତ’ କରିବା ପାଇଁ ପଡ଼ିବ । ସେଥିପାଇଁ ଇତିହାସର ପୃଷ୍ଠା ପରେ ପୃଷ୍ଠା ଓଲଟାଇଗଲେ ଜଣା ପଡ଼ିବ, ଭଗବାନଙ୍କ ନାମରେ ଓ ସଂସ୍କାରର ଦ୍ୱାହିରେ ଏ ପୃଥିବୀରେ ଯେତେ ରକ୍ତପାତ ହୋଇଅଛି, ସେତେ ରକ୍ତପାତ କୌଣସି ପାଷଣ୍ଡ ନାସ୍ତିକ ଦସ୍ୟୁଦ୍ୱାରା ସୁଦ୍ଧା ହୋଇ ନାହିଁ ।

 

ସଂସ୍କାର ଲକ୍ଷ୍ୟ ନୁହେଁ ପନ୍ଥା–ସମାଜ ଜୀବନକୁ ସୁନ୍ଦର, ସୁଶୃଙ୍ଖଳ ଓ ଉତ୍ତରୋତ୍ତର ବିକଶିତ କରିବାର ଏକ ପନ୍ଥା । ସମାଜକୁ ଧ୍ୱଂସ କରି ସମାଜ ସଂସ୍କାର କରିବାର ଉଦ୍ୟମ ସର୍ବଥା ନିନ୍ଦନୀୟ । ତେଣୁ ପୂରୁଣା ସଂସ୍କାରର ସୁଷୁପ୍ତିରେ ଲୁପ୍ତଚେତନ ସମାଜକୁ ଜାଗ୍ରତ ଓ ଶିକ୍ଷିତ କରି, ନୂଆ ସଂସ୍କାରର ବାଟରେ ସମାଜକୁ ନେବା ପାଇଁ ପଡ଼ିବ । ରାତାରାତି ଏହା ହେବାର କଥା ନୁହେଁ-। ଏଥିପାଇଁ ପରିସ୍ଥିତି ଓ ପରିବେଷ୍ଟନୀ ଧୈର୍ଯ୍ୟର ସହିତ ସଜାଡ଼ିବା ପାଇଁ ପଡ଼ିବ । ‘‘ପ୍ରାୟଶ୍ଚିତ’’ ଉପନ୍ୟାସ ଏହି ସମସ୍ୟାର ଅବଲମ୍ୱନରେ ଗଠିତ ହୋଇଅଛି ।

 

ଦୁଇଟି କରଣ ପରିବାର–ଗୋଟିଏ ନିରୋଳ କରଣବସ୍ତି ଚନ୍ଦନପୁରର ଜମିଦାର ଶ୍ରୀ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ପୁରୁଣା ବୁନିଆଦୀ ପରିବାର, ଆରଟି ସମସରପୁର କରଣ ଗୋଷ୍ଠୀର ପ୍ରଧାନ ଏବଂ ଜମିଦାର ଶ୍ରୀ ସଙ୍କର୍ଷଣ ମହାନ୍ତିଙ୍କ ପରିବାର । ସଙ୍କର୍ଷଣଙ୍କ ଖାନ୍‌ଦାନିରେ ସେପରି କିଛି ବିଷୟ ଆଶୟ ନ ଥିଲା । ନିଜ ଅମଳରେ ସେ କଲିକତାରେ ‘‘ବିଲାତି ଜାହାଜର ଲୋଡ଼ିଂ–ଅନଲୋଡ଼ିଂ ପାଇଟି’’ ଅର୍ଥାତ୍ କୁଲିଗିରୀ କରି, ଜମିଦାରୀ ଓ ଇଲାକା କିଣିଛନ୍ତି । କିନ୍ତୁ ବୈଷ୍ଣବ ଚରଣଙ୍କ ଖାନ୍‌ଦାନ୍ ସ୍ୱତନ୍ତ୍ର । ପୁରୁଷାନୁକ୍ରମେ ତାଙ୍କ ଘର ଷୋଳପାଣି କିସମତ୍‌ର ଜମିଦାର ଘର ବୋଲି ବିଦିତ । ସଙ୍କର୍ଷଣ ମାହାନ୍ତିଙ୍କର ଅକ୍ଷୟ ଧନ, ଅତୁଳ ମାନ ଥିଲେ ସୁଦ୍ଧା ଶ୍ରୀକରଣସାମନ୍ତ ସମାଜରେ ସେ ଅପାଂକ୍ତେୟ । ‘‘ନାମ ମହାନ୍ତି–ଗାଁ ନାମ ମହାନ୍ତି–ଗାଁ ମହାନ୍ତି ପାଖରେ ଥାଇ ମହାନ୍ତି ।’’ ଦଶଗ୍ରାମୀ ଶ୍ରୀକରଣମାନେ ସାମନ୍ତ ଗଣାଗଣି ବେଳେ, ଏମାନଙ୍କ ନାମରେ ଲେଖନ ବୁନ୍ଦା ବସାନ୍ତି ନାହିଁ । ତେଣୁ ଶ୍ରୀକରଣଗୋଷ୍ଠୀରେ ବନ୍ଧୁ ବାନ୍ଧି ମିଶିବା ପାଇଁ ତାଙ୍କର ଇଚ୍ଛା; ସେହି ଉପାୟରେ ମଧ୍ୟ ସେ ସବୁବେଳେ ଥାନ୍ତି । ସଙ୍କର୍ଷଣଙ୍କ ଖ୍ୟାତି ଓ ପ୍ରତିଷ୍ଠାରେ ବୈଷ୍ଣବଚରଣ ବେଳେ ବେଳେ ଖୁବ୍ ବ୍ୟଥିତ ହୁଅନ୍ତି । ‘‘ସେ ହେଲେ କରଣ କୁଳର ମଉଡ଼ମଣି, ଯେତେ ପ୍ରଶଂସା ନାମଖ୍ୟାତି ତାଙ୍କରି ପାଇଁ । ଆଉ ଜମିଦାର ହେଉ, ବଡ଼ଲୋକ–କ୍ରୋଡ଼ପତି ହେଉ ପଛକେ, ଯେତେହେଲେ କୃଷ୍ଣପକ୍ଷୀୟା ମାହାନ୍ତିଟାଏ ତ–ଦେଶଯାକ ଲୋକ ତାହାର ସୁଖ୍ୟାତି ଗାଇ ବୁଲିବେ, ନିଶ୍ଚୟ ଏଟା ସହିବାର କଥା ନୁହେଁ ।’’ କଥା କଥାରେ ଦିନେ ସାମନ୍ତ ବୈଷ୍ଣବ ଚରଣଙ୍କ କଚେରି ମଜଲିସରେ ସଙ୍କର୍ଷଣ ମହାନ୍ତିଙ୍କ ସହିତ ବନ୍ଧୁ ବାନ୍ଧିବା ପ୍ରସଙ୍ଗ ଆଲୋଚିତ ହେଉଁ ହେଉଁ ସଙ୍କର୍ଷଣ ମହାନ୍ତି ‘‘ଗୋଲାମ’’ ବୋଲି ବୈଷ୍ଣବଚରଣ ଆକ୍ଷେପ କରି କହିଦେଲେ । ଏ କଥାଟା ଯଥା ସମୟରେ ସଙ୍କର୍ଷଣ ମହାନ୍ତିଙ୍କ କାନରେ ଲାଗିଲା । ସେହିଦିନୁ ଛୁଟିଲା ଚନ୍ଦନପୁର ଆଉ ସମସରପୁର ଦୁଇ ଜମିଦାରୀ ଭିତରେ ଦେବାନୀ ଆଉ ଫୌଜଦାରୀ ମାମଲାର ସୁଅ ।

 

ବୈଷ୍ଣବ ଚରଣଙ୍କ ଏକମାତ୍ର ପୁତ୍ର ସନ୍ତାନ–ଗୋବିନ୍ଦଚନ୍ଦ୍ର । ସାନ୍ତାଣୀ ଢେର ଢେର ବାରବ୍ରତ କରି ପୁଅଟିଏ ପାଇଥିବାରୁ କୁଳ ଦେବତାଙ୍କ ନାମାନୁସାରେ ନାମ ରଖିଥିଲେ ଗୋବିନ୍ଦଚନ୍ଦ୍ର । ଗୋବିନ୍ଦ ଅତି ଶାନ୍ତ ଓ ଧୀର ସ୍ୱଭାବର; ସେଥିପାଇଁ ସମସ୍ତଙ୍କର ଶ୍ରଦ୍ଧାଭାଜନ ହୋଇଥାନ୍ତି । ବୟସ ବଢ଼ିବାରୁ ବୈଷ୍ଣବ ଚରଣ ପୁଅକୁ ବନ୍ଧୁ ଓ ହିତାକାଂକ୍ଷୀମାନଙ୍କ ପରାମର୍ଶ ଅନୁସାରେ ଇଂରେଜୀ ପଢ଼ିବା ପାଇଁ କଟକ ପଠାଇଲେ । କଟକର ଓକିଲ ଦୋପଟୀ ବାବୁମାନେ କହିଲେ...‘‘ଜାଣିଲେ ସାନ୍ତେ, ଆଜିକାଲି ଯିମିତିକା ଦିନକାଳ ପଡ଼ିଲାଣି ଇଂରାଜୀ ନ ଜାଣିଲେ ତୁମେ ଯେଡ଼େ ଜମିଦାର ଧନବନ୍ତ ହୁଅ ପଛକେ, ଦେଶ ଭିତରେ ଦଶ ଜଣରେ ଜଣେ ଗଣାରେ ଆସିବ ନାହିଁ । + + ଆପଣ ହେଲେ ମରହଟୀ ଲୋକ ଏତେ ଦିନ କାଠଖଣ୍ଡାରେ ମାରି ଦେଇ ଗଲେ–ଏଣିକି ଜମିଦାରମାନେ ଇଂରାଜୀ ନ ଜାଣିଲେ ହାକିମ ହୁକୁମାରେ ଛିଡ଼ା ହୋଇ ପାରିବେ ନାହିଁ ଜାଣନ୍ତୁ ।’’ କଟକ ଶେଖବଜାରରେ ବୈଷ୍ଣବଚରଣଙ୍କ ଗୋଟିଏ କୋଠା ଘର ଥିଲା । ଗୋବିନ୍ଦଚନ୍ଦ୍ର ପଢ଼ିବା ପାଇଁ ଗାଁରୁ ଆସି ସେଇଠାରେ ରହିଲେ । ପିଲାଟିକୁ ଏକୁଟିଆ କଟକରେ ଛାଡ଼ିବା ପାଇଁ ଶାନ୍ତସାନ୍ତାଣୀଙ୍କର ମନ ଗଲା ନାହିଁ । ତେଣୁ ସାନ୍ତାଣୀ ସଙ୍ଗରେ ଇଂରାଜୀ ପଢ଼ିବା ପାଇଁ ଆଶ୍ରିତ ଦୁଃଶାସନର ବାପ ଛେଉଣ୍ଡ ପୁଅ ସଦାନନ୍ଦକୁ ମଧ୍ୟ କଟକ ପଠାଇଦେଲେ । ପିଲା ଦୁଇଟିଙ୍କ ସାଙ୍ଗରେ ଗଲେ ଭଣ୍ଡାରୀ ସଇତା, ଜଣେ ଗଉଡ଼ ଆଉ ରୋଷେଇଆ ସୁଆର ବ୍ରାହ୍ମଣ ।

 

ଇତିମଧ୍ୟରେ ଦଶ ବର୍ଷ ବିତି ଗଲାଣି । ଗୋବିନ୍ଦଚନ୍ଦ୍ର ଓ ସଦାନନ୍ଦ ମିଶନ ସ୍କୁଲରୁ ମାଟ୍ରିକୁଲେଶନ ପାଶ କରି ସାରି କଲେଜରେ ଉଚ୍ଚ ଶିକ୍ଷା ପାଉଅଛନ୍ତି । ପିଲାମାନଙ୍କ ମୁଣ୍ଡକୁ ହାତ ପାଇଯିବାରୁ ଜଗୁଆଳ ହୋଇ ଯେଉଁ ବୁଢ଼ା କରଣ ଜଣକ ଥିଲେ, ସେ ବିଚାରା ଫେରି ଆସିଲେଣି-। ଏହି ସମୟରେ ଓଡ଼ିଶାର ଶିକ୍ଷିତ ବିଶେଷତଃ ଛାତ୍ର ସମାଜରେ ଆସିଥିଲା ନବଜାଗରଣର ଯୁଗ-। କଲେଜର ପିଲାମାନେ ପ୍ରତିମାସ ପ୍ରଥମ ସପ୍ତାହ ଶନିବାର ସନ୍ଧ୍ୟାରେ ଏକ ଆଲୋଚନା ସଭା କରି ନାନା ବିଷୟ ଆଲୋଚନା କରୁଥିଲେ । ମାତୃଭାଷାର ଉନ୍ନତି ଓ ସେଥିପାଇଁ ନିୟମିତ ସାହିତ୍ୟଚର୍ଚ୍ଚା ଏ ଆଲୋଚନା ସଭାମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଆଲୋଚନା ସଭାରେ ଗୋବିନ୍ଦଚନ୍ଦ୍ର ସମସରପୁର ସଙ୍କର୍ଷଣ ମହାନ୍ତିଙ୍କ ନିଘନ ଭଣଜାରୂପେ ପରିଚିତ ରାଜୀବଲୋଚନଙ୍କ ସହିତ ନିବିଡ଼ ସମ୍ପର୍କରେ ଆସିଥିଲେ । କବିତା, ଏହି ଆଲୋଚନା ସଭାମାନଙ୍କରେ ପଠିତ ଓ ଆଲୋଚିତ ହେଉଥିଲା । ଗୋବିନ୍ଦଚନ୍ଦ୍ରଙ୍କର କବିପ୍ରତିଭା ଏହି ସୁଯୋଗରେ ଉନ୍ନେଷିତ ହୋଇ, ଆଲୋଚନା ସଭାର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସୁପ୍ରତିଷ୍ଠିତ ହୋଇ ସାରିଥିଲା । ଦିନେ ଆଲୋଚନା ପ୍ରସଙ୍ଗରେ ରାଜୀବଲୋଚନ ପ୍ରକାଶ କଲେ, ଗୋବିନ୍ଦଚନ୍ଦ୍ରଙ୍କ କବିତ୍ୱ ଶକ୍ତି ଅନସ୍ୱୀକାର୍ଯ୍ୟ, କିନ୍ତୁ କବିତାର ଓଜୋଗୁଣ ଓ ମାର୍ଜିତ ଶଦ୍ଦାବଳୀର ସଂଯତ ବିନ୍ୟାସ ବିଷୟ ବିଚାରରୁ ଇନ୍ଦୁମତୀ (ସଙ୍କର୍ଷଣ ମହାନ୍ତିଙ୍କ କନ୍ୟା) ର କବିତା ଢେର ଉପରେ ଆସନ ପାଇବାର ଯୋଗ୍ୟ । ବାସ୍ତବରେ ଇନ୍ଦୁମତୀ କେବେ କବିତା ଲେଖି ନାହାନ୍ତି ବା ଯେଉଁ ଶିକ୍ଷା ଓ ପରିସର ମଧ୍ୟରେ ସେ ବଢ଼ିଥିଲେ ସେଥିରେ କବିତା ଲେଖା ଏକ ସୁଦୁରପରାହତ କଳ୍ପନା ଥିଲା । ଇନ୍ଦୁମତୀଙ୍କ କଳାଚର୍ଚ୍ଚା ମରୂଆ ସହିତ ନିରୋଳାରେ ବସି, ‘‘ଶ୍ରୀକୃଷ୍ଣ ଅଷ୍ଟପାଟବଂଶୀ, କତମ୍ବଗଛ ଓ ପଦ୍ମଫୁଳ ଚିତ୍ର’’ ଆଙ୍କିବାଠାରୁ ବେଶୀ ଦୂର ଅଗେଇ ପାରି ନ ଥିଲା । ସମସରପୁର ଜମିଦାର ବଂଶର ରାଜୀବଲୋଚନଙ୍କ ଏ ପ୍ରକାର ଅସୂୟାକାତର ପ୍ରଚାରର ମୂଳ ଉଦ୍ଦେଶ୍ୟ ଥିଳା ଚନ୍ଦନପୁରର କରଣ ସାମନ୍ତ ଗୋବିନ୍ଦ ଚନ୍ଦ୍ରଙ୍କ ପ୍ରତିଭା କ୍ଷୁର୍ଣ୍ଣ କରିବା । ‘‘ବିବଦମାନ ବଶଯୁଗଳର ପ୍ରତ୍ୟେକ ଲୋକର ମନ ମଧ୍ୟରେ ବଂଶଗତ ବିଦ୍ୱେଷ ଭାବ ସଞ୍ଚାରିତ ହେବା ସ୍ୱାଭାବିକ ଅଟେ ।’’ କିନ୍ତୁ ଏହାର ପ୍ରତିକ୍ରିୟା ହେଲା ଅନ୍ୟରୂପ । ଗୋବିନ୍ଦଚନ୍ଦ୍ରଙ୍କ ସ୍ୱପ୍ନିଳ କବିପ୍ରାଣରେ ଅପରିଚିତା ଇନ୍ଦୁମତୀ ଏକ ଗଭୀର ଚିତ୍ତଚାଞ୍ଚଲ୍ୟ ଆଣିଦେଲା । ରାଜୀବଲୋଚନ ମଧ୍ୟ ଠିକ୍ ଧରିନେଲେ ଇନ୍ଦୁମତୀ ପ୍ରତି ଗୋବିନ୍ଦଚନ୍ଦ୍ରଙ୍କ ପୂର୍ବରାଗ, ବୈଷ୍ଣବଚରଣଙ୍କ ଆଭିଜାତ୍ୟର ଅଭିମାନ ଭାଙ୍ଗି ଇନ୍ଦୁମତୀଙ୍କୁ ପତ୍ନୀରୂପେ ପାଇବା ପାଇଁ ତାଙ୍କୁ ନିଶ୍ଚୟ ପ୍ରଣୋଦିତ କରିବ । ଏହାପରେ ‘‘କୁଅଁର ଗୋବିନ୍ଦଚନ୍ଦ୍ରଙ୍କୁ କଦାଚିତ ଏକାକୀ ଦେଖିଲେ ରାଜୀବଲୋଚନ ଯେମନ୍ତ ଅନିଚ୍ଛାରେ, ଅସାବଧାନତାରେ ଅନ୍ୟ କଥା ପ୍ରସଙ୍ଗରେ ଇନ୍ଦୁମତୀର ରୂପ, ସୁଶୀଳତା, ଧର୍ମନିଷ୍ଠା ପ୍ରଭୃତି ଗୁଣମାନ ବ୍ୟାଖ୍ୟା କରି ପକାନ୍ତି । କୁଅଁର ବାବୁ ଯେମନ୍ତ ସଲଜ୍ଜ ଭାବରେ ଅନ୍ୟମନସ୍କ ହୋଇ ଆଗ୍ରହ ସହିତ ଶୁଣୁଥାନ୍ତି ।’’ ରାଜୀବଲୋଚନଙ୍କର ଏ ଉଦ୍ୟମରେ ସଦାନନ୍ଦ ମଧ୍ୟ ମିଳିଗଲେ ଯୋଗ୍ୟ ସହକାରୀ ରୂପେ ।

 

ଏହାପରେ ଗ୍ରୀଷ୍ମାବକାଶ ଆସିଲା । ଗୋବିନ୍ଦଚନ୍ଦ୍ର ଓ ସଦାନନ୍ଦ କଲେଜ ବନ୍ଦ ହେବାରୁ ଗାଁକୁ ଆସିଲେ । ସ୍ନେହମୟୀ ଜନନୀ ଗୋବିନ୍ଦଚନ୍ଦ୍ରର ଉଦାସ ଉଦାସ ଶୁଖିଲା ଚେହେରା ଦେଖି ତାର ସ୍ୱାସ୍ଥ୍ୟ ସମ୍ୱନ୍ଧରେ ବହୁ ଅନୁସନ୍ଧାନ କଲେ । କଟକରେ ଦେହକୁ ବାଧିବା ଲାଗି ନ ଥିଲା । ସଦେଇ କହେ, ବେଶୀ ପାଠ ପଢ଼ିବାରୁ ଗୋବିନ୍ଦ ଦେହ ଏମିତି ‘ଭାଗୁଡ଼ିଆ’ ହୋଇ ଯାଇଅଛି । କିନ୍ତୁ ଏଥିରେ ସାନ୍ତାଣୀଙ୍କ ମନ ମାନିଲା ନାହିଁ । ଗୋବିନ୍ଦକୁ ବିବାହ କରାଇ ଦେଲେ କାଳେ ତାର ଦେହ ବଦଳି ପାରେ ଏହି ବିଶ୍ୱାସରେ ଯଥାଶୀଘ୍ର ଗୋବିନ୍ଦର ବିବାହ ପାଇଁ ସାନ୍ତାଣୀ ଲାଗି ପଡ଼ିଲେ-

 

ବିବାହ ପ୍ରସ୍ତାବ ଶୁଣିବା ଦିନଠାରୁ ସଦାନନ୍ଦ ଅଥୟ ହୋଇ ପଡ଼ିଲେଣି । କାରଣ ଇଚିମଧ୍ୟରେ ଯଦି ଗୋବିନ୍ଦଚନ୍ଦ୍ରର ବିବାହ ବଢ଼ିଯାଏ ତାହେଲେ ସଦାନନ୍ଦ ଓ ରାଜୀବଲୋଚନର ଷଡ଼ଯନ୍ତ୍ର ପଣ୍ଡ ହୋଇଯିବ । ଇତିମଧ୍ୟରେ ସମ୍ଭ୍ରାନ୍ତ କରଣ ପରିବାରମାନଙ୍କରୁ କନ୍ୟା ଟୀପଣାର ଛୁଟଣ ଛୁଟିଥାଏ । ସଦାନନ୍ଦ ଯେ କୌଣସି ଉପାୟରେ ଗୋବିନ୍ଦଚନ୍ଦ୍ରଙ୍କୁ କଟକ ନେଇଯିବା ଉପାୟ ଚିନ୍ତା କରୁଥାନ୍ତି । ବିବାହ ହୋଇଗଲେ ଏଫ୍. ଏ ପାଶ୍ କରି ହେବ ନାହିଁ; ଏତେ ବର୍ଷର ଇଂରେଜୀ ପଢ଼ା ଶୁଖିଆଝୋଳରେ ଯିବ–ଏ ଯୁକ୍ତି ଯଥାର୍ଥରେ ଅକାଟ୍ୟ । ଅବଶେଷରେ ଯଥା ଶୀଘ୍ର କଟକ ଆସିବା ପାଇଁ କଟକ କଲେଜ ପ୍ରିନିସପାଲଙ୍କ ଖଣ୍ଡେ ଚିଠି ଜାଲ କରାଗଲା । ସଦାନନ୍ଦ ଗୋବିନ୍ଦଚନ୍ଦ୍ରଙ୍କୁ ସଙ୍ଗରେ ଧରି କଟକ ଆସିଲେ ।

 

ପୂର୍ବୋଲ୍ଲିଖିତ ଭୋଜିସଭାମାନଙ୍କରେ ଆଜିକାଲି ଯୌନ-ନିର୍ବାଚନ (ଅର୍ଥାତ୍ କିପରି କନ୍ୟାକୁ ଧର୍ମପତ୍ନୀ ରୂପେ ମନୋନୀତ କରିବ) ଓ କରଣ ସମାଜର ସଂସ୍କାର ଖୁବ୍ ଆଲୋଚିତ ହୁଏ-। ଦିନେଛଡ଼ାଦିନେ ରଜୀବଲୋଚନର କଟକ ବସାରେ ଆଲୋଚନା ଓ ଭୋଜି ହୁଏ-। ଏହି ଭୋଜିସଭାମାନଙ୍କରେ କରଣ ସମାଜ ଭିତରେ ଉଚ୍ଚ ନୀଚ ଭାବ କିପରି ସମ୍ପୂର୍ଣ୍ଣ ଅଳୀକ ଓ ଅର୍ଥହୀନ ପୁଣି ଶିକ୍ଷିତା କବିକନ୍ୟା ବିବାହ କରିବା ଅବଶ୍ୟ କର୍ତ୍ତବ୍ୟ–ଏହା ସର୍ବସମ୍ମତିକ୍ରମେ ହସ୍ତୋତ୍ତୋଳନଦ୍ୱାରା ଗୃହୀତ ହୋଇଗଲା । ଖାଲି ସେତିକି ନୁହେଁ ଏହା ଲିପିବନ୍ଧ କରାଯାଇଁ ସେଥିରେ ସମସ୍ତଙ୍କର ସ୍ୱାକ୍ଷର ଗ୍ରହଣ କରାଗଲା । ଗୋବିନ୍ଦଚନ୍ଦ୍ର ଏଥିରେ ସ୍ୱାକ୍ଷର କଲେ ସିନା, କିନ୍ତୁ ସଙ୍କର୍ଷଣ ମହାନ୍ତିଙ୍କ ପରିବାରରେ ବିବାହ କରିବା ପାଇଁ ତାଙ୍କର ମନ ମାନିଲା ନାହିଁ–କାରଣ ‘‘ଆମ୍ଭେମାନେ ହେଲେ ଶ୍ରୀକରଣ, ସେମାନେ ଜାତିରେ ଉଣା, ପୁଣି ବଂଶଗତ ବିବାଦ, ମାଲିମକଦ୍ଦମା ଚାଲିଛି, ବାପା କ’ଣ ସହଜରେ ସମ୍ମତ ହେବେ ? ନହୁଏ ବାପାଙ୍କୁ କୌଣସି ମତେ ରାଜି କରାଗଲା । ଜାତିଭାଇମାନେ ସମ୍ମତ ହେବେ କ୍ୟାଁ ? ସେମାନଙ୍କୁ ଏଡ଼ି ଦେଇ ବାପା କୌଣସି କାର୍ଯ୍ୟ କରିବେ, ତୁ କଣ ଏହା ବିଶ୍ୱାସ କରୁ ?’’ ମାତ୍ର ସଦାନନ୍ଦର ଚତୁର ଯୁକ୍ତି ଆଗରେ ଗୋବିନ୍ଦଚନ୍ଦ୍ରଙ୍କର ସମସ୍ତ ସଙ୍କୋଚ ଓ ଶଂକା ଛିନ୍ନଭିନ୍ନ ହୋଇଗଲା । ପୁଣି ଗୋବିନ୍ଦଚନ୍ଦ୍ରର ଯେଉଁ କନ୍ୟା ସହିତ ବିବାହ ହେବାପାଇଁ ସ୍ଥିର ହୋଇଅଛି ‘‘ତାର କୁଆଡ଼େ ବର୍ଣ୍ଣ ପରିଚୟ ପର୍ଯ୍ୟନ୍ତ ହୋଇ ନାହିଁ ଏକଥା ନିଶ୍ଚିତ ରୂପେ ବୋଲା ଯାଇପାରେ । କନ୍ୟାଟି ଆସି ତିନି ଚାରିବର୍ଷ କଥା କହିବ ନାହିଁ; ତୁଚ୍ଛା ଚୁ–ଚୁ କରିବ, କୁଜୀ ପରି ନଇଁ ନଇଁ ଚାଲିବ । ଅର୍ଦ୍ଧ ରାତ୍ରି ଉତ୍ତାରେ କେତେକ୍ଷଣ ସକାଶେ ଦେଖା ସାକ୍ଷାତ । ଗୁଣ ମଧ୍ୟରେ ଶ୍ରୀକରଣ ଝିଅ ! ଧୋଇ ପିଉଥାଅ ।’’ ଗୋବିନ୍ଦଚନ୍ଦ୍ର ଏହାପରେ ‘‘କବିକନ୍ୟା ଇନ୍ଦୁମତୀ ସହିତ ବିବାହ ପାଇଁ ବ୍ୟାକୁଳ ହୋଇ ପଡ଼ିଲେ । ବାପା, ବୋଉ ତ କଦାପି ଏ ବିବାହରେ ସମ୍ମତ ହେବ ନାହିଁ । ତେଣୁ ସେମାନଙ୍କ ଅଜ୍ଞାତସାରରେ ଏ ବିବାହ ଯେତେ ଶୀଘ୍ର ହୋଇଯାଏ ସେତେ ଭଲ । ବିବାହ ହୋଇଗଲା ପରେ ସେମାନଙ୍କର ଆପତ୍ତି ପାଇଁ କିଛି ନ ଥିବ ।

 

ଏ ସମ୍ୱାଦ ପାଇଁ ସଙ୍କର୍ଷଣ ଯଥାଶୀଘ୍ର ବିବାହର ସମସ୍ତ ଆୟୋଜନ କରିଦେଲେ । କିନ୍ତୁ ଏ ଆୟୋଜନ ବାହାରକୁ ଜଣା ପଡ଼ିଲା ନାହିଁ କାଳେ ଜଣାପଡ଼ିଲେ କଥାଟା ଭଣ୍ଡୁର ହୋଇଯିବ । ବିବାହ ମଧ୍ୟ ହୋଇଗଲା । ବିବାହ ବାସିଦିନ ଚନ୍ଦନପୁର ଉଆସରେ ବୈଷ୍ଣବଚରଣ ଓ ଗୋବିନ୍ଦଚନ୍ଦ୍ରଙ୍କ ଜନନୀ ଏ ସମ୍ୱାଦ ପାଇ ଦାରୁଣ ମର୍ମାହତ ହେଲେ । ‘‘ଗୋଟିଏ ବୋଲି ପୁଅ–ମନମାଫିକେ ବିଭାଟାଏ କରାଇବେ–ଦେବ-କନ୍ୟା ପରି ବହୂଟିଏ ଆସି ଇସାଣରେ ପଶିବ । ବରଷେ ହେଲା ସାନ୍ତାଣୀଙ୍କର ଆଉ କିଛି ଚିନ୍ତା ନାହିଁ–ମୁହଁରେ ଆଉ କିଛି କଥାନାହିଁ–ଏକା ବିଭାଘର ପ୍ରସଙ୍ଗ–କନ୍ୟା ଲେଡ଼ାଲେଡ଼ି କଥା–ଅଳଙ୍କାର ଗଢ଼ାଗଢ଼ି–ଲୁଗାପଟା କିଣା । ବିଭାଘରକୁ ଜ୍ଞାତି କୁଟୁମ୍ୱ ମଧ୍ୟରୁ କାହାକୁ କିପରି ଲୋଡ଼ିବେ, ସେଇ ପ୍ରସଙ୍ଗ । ଜଣାଯାଏ ସାନ୍ତାଣୀଙ୍କ ଏହି ଆନନ୍ଦ ଉଲ୍ଲାସ ସମୟରେ ଭାଗ୍ୟବିଧାତା ଯେମନ୍ତ ଅନ୍ତରାଳରେ ଥାଇଁ ହସୁଥିଲେ ।’’ ଏ ଧକ୍‌କା ସାନ୍ତାଣୀଙ୍କ ପ୍ରାଣରେ ଅତି ଗଭୀର ଭାବରେ ବାଜିଲା । ସେ ଶଯ୍ୟା ଧରିଲେ । ବୈଷ୍ଣବଚରଣ କୁଳଦେବତା ଗୋବିନ୍ଦଚନ୍ଦ୍ରଙ୍କଠାରେ ଆତ୍ମ ନିବେଦନ କରିଦେଇ ଶାନ୍ତି ପାଇଲେ କି ନାହିଁ କେଜାଣେ-?

 

ଇତି ମଧ୍ୟରେ ପୁଣି କଲେଜ ଛୁଟି ବେଳ ଆସିଲା । କିନ୍ତୁ ତା’ ପୂର୍ବରୁ ସମସରପୁରେ ଭୀଷଣ ଚୋରଗୋଳ ଲାଗିଥିବାରୁ ସଙ୍କର୍ଷଣ ରାଜୀବଲୋଚନଙ୍କୁ ସମସରପୁର ଡକାଇ ନେଲେ । ଛୁଟିରେ ଗୋବିନ୍ଦଚନ୍ଦ୍ର ଚନ୍ଦନପୁର ନଯାଇଁ ଯେପରି ସମସରପୁର ଆସନ୍ତି ସେଥିପାଇଁ ମଧ୍ୟ ସନିର୍ବନ୍ଧ ଅନୁରୋଧ ପଠାଇଲେ । କଲେଜ ଛୁଟିହେଲେ ଗୋବିନ୍ଦଚନ୍ଦ୍ରଙ୍କୁ ଘେନି ଆସିବା ପାଇଁ ସବାରୀ ଗଉଡ଼ କଟକରେ ରହିଲେ । ବିବାହ ହୋଇଗଲା ସିନା ! ଗୋବିନ୍ଦଚନ୍ଦ୍ର ଏହାପରେ ଯଦି ହାତଛଡ଼ା ହୋଇଯାନ୍ତି ତାହେଲେ ସର୍ବନାଶ । ଇତିମଧ୍ୟରେ ରାଜୀବଲୋଚନ ଆସି ଗୋଟିଏ ପ୍ରେମ କବିତା ଲେଖି ସେଥିରେ ଇନ୍ଦୁମତୀଙ୍କ ସ୍ୱାକ୍ଷର, ଇନ୍ଦୁମତୀର ବହୁ ଅନିଚ୍ଛାରେ ନେଇ ତାହା ଗୋବିନ୍ଦଚନ୍ଦ୍ରଙ୍କ ପାଖକୁ କଟକ ପଠାଇ ଦେଲେ । x x x x

 

‘‘ଗଣୁ ଅଛି ଦିନ ଦିବା ସର୍ବରୀ

ଦିନକୁ ମଣୁଛି ବରଷ ପରି ।

ଅଧିକ କରିବି ଜଣାଣ କିସ

ଅନ୍ନ ଜଳ ମୋତେ ଲାଗୁଛି ବିଷ ।

ବେଳେ ଯେବେ କୃପା କରିବେ ନାହିଁ,

ବଞ୍ଚି ରହିବି ମୁଁ କାହାକୁ ଚାହିଁ ?

ନକର ନିରାଶ ହେ ପ୍ରାଣେଶ୍ୱର,

ଆସନ୍ତୁ ଚଞ୍ଚଳ ଜୋଡ଼ୁଛି କର ।’’

 

ଇନ୍ଦୁମତୀ କବିକନ୍ୟା କିନା ! ପତ୍ର ତେଣୁ କବିତାରେ ନ ପଠାଇ ଗଦ୍ୟରେ କିପରି ପଠାଇବ ? ତାପରେ ବିରହିଣୀ କବିପତ୍ନୀର କବିତାରେ ପ୍ରେମ ନିବେଦନ, ଗୋବିନ୍ଦଚନ୍ଦ୍ରଙ୍କୁ ନିଶ୍ଚୟ ଅଧୀର, ଅସ୍ଥିର କରିଦେବ । ରାଜୀବଲୋଚନ ଠିକ୍ ଅନୁମାନ କରିଥିଲେ । ଗୋବିନ୍ଦଚନ୍ଦ୍ରଙ୍କ ଜନନୀ ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ସମ୍ୱାଦ ପାଇ ସୁଦ୍ଧା, ସଦାନନ୍ଦର ପ୍ରରୋଚନାରେ ପୁଣି ଇନ୍ଦୁମତୀର ଆକର୍ଷଣରେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ସମସରପୁର ଚାଲି ଆସିଲେ । ମାତ୍ର ଗୋବିନ୍ଦଚନ୍ଦ୍ରଙ୍କ ଆସିବା କଥା ସମସରପୁର ଉଆସରେ କେହି ଜାଣି ନାହାନ୍ତି । ବର୍ଷାଦିନ, ମାଛୁଆ ନଈବଢ଼ି ପାଣିରେ ହୁଲଥୁଲ ଖାଉଛି । ସେଥିରେ ପୁଣି ଅନ୍ଧାର ରାତି । ରାତିରେ ସବାରୀ ପାର ହୋଇ ପାରିଲା ନାହିଁ । ଖଣ୍ଡେ ଛୋଟ ଡଙ୍ଗାରେ ଗୋବିନ୍ଦଚନ୍ଦ୍ର ଆଉ ଭଣ୍ଡାରୀ ସଇତା ନଈ ପାର ହୋଇଗଲେ । ରାତି ସେତେବେଳକୁ ଦଶଟା । ଗୋବିନ୍ଦଚନ୍ଦ୍ର ଭାବିଲେ ଉଆସ ପଛପଟ ତୋଟାରେ ସେ ଉଆସ ପଛପଟକୁ ଚାଲି ଆସିବେ । ଇନ୍ଦୁମତୀର ଶୋଇବା ଘର ଝରକାରେ ଟକ୍ ଟକ୍ ଶଦ୍ଦ କଲେ ମରୁଆ ଆସି କବାଟ ଫିଟାଇଦେବ । ଏପରି ଏକ କାବ୍ୟିକ ସ୍ୱପ୍ନ ଯେ କୌଣସି ନବବିବାହିତ ଯୁବକକୁ ବିହ୍ୱଳ କରିବା ସ୍ୱାଭାବିକ । କିନ୍ତୁ ଏହାର ପରିଣତି ହେଲା ମାରତ୍ମକ । ଉଆସ ପଛଆଡ଼େ ରାତି ଅନ୍ଧାରରେ ଗୋବିନ୍ଦଚନ୍ଦ୍ର ଚୋର ବୋଲି ନିସ୍ତୁକ ଛେଚା ଖାଇଲେ । ଚୋର ବୋଲି ରାତିସାରା ବାହାର କଚେରି ଘରେ ଗୋବିନ୍ଦଚନ୍ଦ୍ର ବନ୍ଧା ହୋଇ ପଡ଼ି ରହିଲେ । ସକାଳକୁ ସବୁକଥା ଜଣା ପଡ଼ିଲା । ଚିକିତ୍ସା ପାଇଁ ସଇତା ଗୋବିନ୍ଦଚନ୍ଦ୍ରଙ୍କୁ ସଙ୍ଗରେ ଧରି କଟକ ଚାଲି ଆସିଲା । କଟକ ହାସପାତାଳରେ ଗୋବିନ୍ଦଚନ୍ଦ୍ରଙ୍କ ଅନୁଚିନ୍ତା ଓ ଅନୁତାପ ଆସିଲା । ଏହି ଅନୁଚିନ୍ତାରେ ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସର ଉପସଂହାର ହୋଇଅଛି ।

 

ଶ୍ରୀକରଣ–ସମାଜର ସଂକୀର୍ଣ୍ଣ ଆତ୍ମାଭିମାନ ଓ ଆଭିଜାତ୍ୟର ଆଡ଼ମ୍ୱର ବିରୁଦ୍ଧରେ ଗୋବନ୍ଦଚନ୍ଦ୍ରଙ୍କ ସଂସ୍କାରମୁଖୀ ସଂଗ୍ରାମ ନୁହେଁ–ତାକୁ ଧ୍ୱଂସ କରିବା ପାଇଁ ନୈତିକତାହୀନ ଷଡ଼ଯନ୍ତ୍ର ଉପନ୍ୟାସର ‘‘ପ୍ରାୟଶ୍ଚିତ’’ କଥାବସ୍ତୁ । ଗୋବିନ୍ଦଚନ୍ଦ୍ର ଅନ୍ୟର ପ୍ରରୋଚନାରେ ହେଉ ବା ନିଜର ଦୃଢ଼ ସିଦ୍ଧାନ୍ତରୁ ହେଉ ଭୂଇଁଫୋଡ଼ ସମାଜ ସଂସ୍କାରକ ସାଜିଥିଲେ । ଗୋବିନ୍ଦଚନ୍ଦ୍ର ଯଦି ନିଜର ଉନ୍ନତ ଆଦର୍ଶବାଦରେ ଅନ୍ୟମାନଙ୍କୁ ପ୍ରଭାବିତ କରି ବୈଷ୍ଣବଚରଣ ଓ ତାଙ୍କ ସମାଜର ମୂଲ୍ୟବୋଧରେ ପରିବର୍ତ୍ତନ ଆଣିପାରିଥାନ୍ତେ, ତା ହେଲେ ସମାଜ-ସଂସ୍କାରର ଆଦର୍ଶ ସାର୍ଥକ ହୋଇଥାନ୍ତା । କିନ୍ତୁ ସେଥିପାଇଁ ଗୋବିନ୍ଦଚନ୍ଦ୍ରଙ୍କର ସାହସ ନ ଥିଲା । ସଦାନନ୍ଦର ବିଶ୍ୱାସଘାତୀ ପ୍ରରୋଚନାରେ ଭୁଲିଯାଇଁ ସେ ସହଜ ବାଟ ଧରିଲେ । ଫଳରେ ସମାଜର ସଂସ୍କାର ଯାହା ହେଲା ତ ହେଲା; ସରଳ, ଧର୍ମପ୍ରାଣ ବୈଷ୍ଣବଚରଣଙ୍କ ବହୁ ଆଶା ଓ ସ୍ୱପ୍ନର ସଂସାର ବିପର୍ଯ୍ୟସ୍ତ ହୋଇଗଲା, ଗୋବିନ୍ଦଚନ୍ଦ୍ରଙ୍କ ପୁତ୍ରପ୍ରାଣା ସ୍ନେହମୟୀ ଜନନୀ ହାୟ, ହାୟ କରି ପ୍ରାଣ ଛାଡ଼ିଲେ । ଇନ୍ଦୁମତୀ ଓ ଗୋବିନ୍ଦଚନ୍ଦ୍ରଙ୍କ ଦାମ୍ପତ୍ୟ ଜୀବନ ଯେ ସୁଖରେ କଟିଲା–ସେ କଥା ମଧ୍ୟ କିଏ କହିବ ?

 

ପୂର୍ବେ କୁହାଯାଇଅଛି ‘‘ପ୍ରାୟଶ୍ଚିତ୍ତ’’–ସମସ୍ୟାମୂଳକ ଉପନ୍ୟାସ । ଏଥିରେ ସମାଜର କୌଣସି କୁସଂସ୍କାରକୁ ସମସ୍ୟା ରୂପେ ଉପସ୍ଥାପିତ କରାଯାଇନାହିଁ; ସମସ୍ୟା ହେଉଛି ସମାଜ-ସଂସ୍କାରର ପନ୍ଥା । ସମସ୍ୟାମୂଳକ ଉପନ୍ୟାସ ଭାବପ୍ରଧାନ ହେବା ପାଇଁ ବାଧ୍ୟ । ଏହା ରସ-ପ୍ରଧାନ ହୋଇ ନ ପାରେ । କାରଣ ଭାବହିଁ ଏଥିରେ ମୂଖ୍ୟ ରସ । ତେଣ ଆଲୋଚିତ ଉପନ୍ୟାସରେ ଘଟଣାବିନ୍ୟାସ ଓ ବିଭିନ୍ନ ଚରିତ୍ରମାନଙ୍କର ବିକାଶ, ମୂଳ ସମସ୍ୟା ଓ ସେ ସମ୍ପର୍କରେ ଫକୀରମୋହନଙ୍କର ସିଦ୍ଧାନ୍ତର ଅନୁସରଣ କରିବା ପାଇଁ ବାଧ୍ୟ ହୋଇଅଛି । ଏହା ଫଳରେ ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସ ରସୋତ୍ତୀର୍ଣ୍ଣ ହୋଇପାରିନାହିଁ । ଘଟଣା ବିନ୍ୟାସରେ ସରସତା ନାହିଁ, ପୁଣି ଚରିତ୍ରଗୁଡ଼ିକ ନିର୍ଜୀବ ଓ ପ୍ରାଣହୀନ । ‘‘ମାମୁ’’ ଉପନ୍ୟାସରେ ଫକୀରମୋହନଙ୍କର କ୍ରମକ୍ଷୀଣୟମାନ ଶୈଳ୍ପିକ ପ୍ରତିଭାର ସୂଚନା, ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସରେ ପୂର୍ଣ୍ଣତା ପ୍ରାପ୍ତ ହୋଇଥିଲା-। ତଥାପି ‘‘ମାମୁ’’ ଉପନ୍ୟାସରେ ‘‘ଛମାଣ ଆଠଗୁଣ୍ଠ’’ର ଚର୍ବିତଚର୍ବଣ ପରେ, ‘‘ପ୍ରାୟଶ୍ଚିତ୍ତ’’ର ଚରିତ୍ରଚିତ୍ରଣରେ ନୂତନତାର ଆସ୍ୱାଦ ମିଳେ । ଚନ୍ଦନପୁର ଗ୍ରାମର ଶ୍ରୀକରଣ ସମାଜ, ସମାଜପତି ଜମିଦାର ବୈଷ୍ଣବଚରଣ ପଟ୍ଟନାୟକ, ବିଦ୍ୟାଧର ମହାପାତ୍ର, ଗୋବିନ୍ଦଚନ୍ଦ୍ରଙ୍କର ସ୍ନେହମୟୀ ପୁତ୍ରପ୍ରାଣା ଜନନୀ ଓ ସେ ସମୟର ନବ୍ୟଶିକ୍ଷିତ ଭୂଇଁଫୋଡ଼ ତରୁଣ ସମାଜ-ସଂସ୍କାରକମାନଙ୍କର ଚିତ୍ରଣରେ ଫକୀରମୋହନଙ୍କ ଅପୂର୍ବ କଳା-କୁଶଳ ହାତର ଛୁଆଁ ସ୍ପଷ୍ଟଭାବରେ ଲାଗି ରହିଅଛି-। ତଥାପି ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସ ଗୋଟିଏ ସ୍ପୀତିକୃତ କ୍ଷୁଦ୍ରଗଳ୍ପ, ପୁଣି ମୁଖ୍ୟତଃ ଭାବଧର୍ମୀ ହୋଇଥିବାରୁ ଚରିତ୍ରଗୁଡ଼ିକ ଯଥାର୍ଥ ଭାବରେ ବିକଶିତ ହୋଇ ପାରିନାହିଁ ।

 

ଲୋକଚରିତ୍ର ସହିତ ଫକୀରମୋହନଙ୍କ ପରିଚୟ ଅତି ଘନିଷ୍ଠ ଥିଲା । ତେଣୁ ଫକୀରମୋହନଙ୍କ ରଚନାରେ ଲୋକଚରିତ୍ର ସମ୍ବନ୍ଧରେ ଗଭୀର ବିଚକ୍ଷଣତାର ସ୍ପଷ୍ଟ ପରିଚୟ ମିଳେ । କୌଣସି ଏକ ବିଶେଷ ପରିସ୍ଥିତି, କୌଣସି ଏକ ବ୍ୟକ୍ତିର ପ୍ରାଣରେ କି ପ୍ରତିକ୍ରିୟା ଆଣିବା ସ୍ୱାଭାବିକ, ତାହା ଫକୀରମୋହନଙ୍କ ପକ୍ଷରେ ସହଜସାଧ୍ୟ ଥିଲା; ତେଣୁ ଯେକୌଣସି ପରିଣତିଆଡ଼େ ତାଙ୍କ ଗଳ୍ପର ଗତି ଅତି ସହଜ, ସ୍ୱାଭାବିକ ଓ ଅନୟାସ-ଲବ୍‌ଧ । ଉଦାହରଣ ସ୍ୱରୂପ ‘‘ପ୍ରାୟଶ୍ଚିତ୍ତ’’–ଉପନ୍ୟାସର ଷୋଡ଼ଶ ପରିଚ୍ଛେଦର ଭୋଜିସଭା । ଏହାର ଉଦ୍ୟୋକ୍ତାମାନଙ୍କର ଅସଲ ଉଦ୍ଦେଶ୍ୟ ହେଉଛି, ଚନ୍ଦନପୁର ଜମିଦାର ବଂଶର ଏକମାତ୍ର ବଂଶଧର ଗୋବିନ୍ଦଚନ୍ଦ୍ରଙ୍କ ପ୍ରାଣରେ ସମସରପୁର ଜମିଦାର ଦୁହିତା ଇନ୍ଦୁମତୀଙ୍କ ପ୍ରତି ଅନୁରାଗ ସଞ୍ଚାର କରିବା; ପୁଣି ଏପରି ତୀବ୍ର ଭାବରେ ସଞ୍ଚାର କରିବା ଯାହାର ତାଡ଼ନାରେ; ଗୋବିନ୍ଦଚନ୍ଦ୍ର ନିଜ ପିତାମାତାଙ୍କର ଅବାଧ୍ୟ ହୋଇ, ପରମ୍ପରା ଓ ବଂଶ ମର୍ଯ୍ୟାଦାରେ ଜଳାଞ୍ଜଳି ଦେଇ ଇନ୍ଦୁମତୀଙ୍କୁ ବିବାହ କରିବାକୁ ବାଧ୍ୟ ହେବେ । କେବଳ କୌଳିନ୍ୟ ଓ ବଂଶମର୍ଯ୍ୟାଦା ଛାଡ଼ିଦେଲେ ଗୋବିନ୍ଦଚନ୍ଦ୍ର ଓ ଇନ୍ଦୁମତୀଙ୍କ ବିବାହରେ ଅବଶ୍ୟ ଅନ୍ୟ କୌଣସି ପ୍ରକାରର ପ୍ରତିବନ୍ଧକ ନଥିଲା । ଅପେକ୍ଷାକୃତ ଅନ୍ୟ ଏକ ଗୌଣ ପ୍ରତିବନ୍ଧକ ଥିଲା–ତାହା ହେଉଛି; ବିବାହରେ ପିତାମାତାଙ୍କର ‘‘କୁଳ ଦେଖି କନ୍ୟା ନିର୍ବାଚନର ପ୍ରଥା’’ । ସେଥିପାଇଁ ବାବୁ କମଳଲୋଚନ ଦାସ, ତାଙ୍କର ଦୀର୍ଘ ‘‘ଆଠପୃଷ୍ଠାବ୍ୟାପୀ’’ ଭାଷଣରେ ପ୍ରାଚୀନ ସମାଜ ଏହାର ମୂଲ୍ୟବୋଧ ରୁଚି ବିରୁଦ୍ଧରେ ଶୁଣାଇଥିଲେ ‘‘ଯୁଦ୍ଧଂଦେହି’’ ଆହ୍ୱାନ । ବିବାହ ମୁଖ୍ୟତଃ ଏକ ଯୌନ-ସମ୍ମିଳନ, ତେଣୁ ଯୌନ-ନିର୍ବାଚନର ଅଧିକାର ବରପିତାଠାରେ ପର୍ଯ୍ୟବସିତ ହୋଇ ନ ପାରେ । ଅତଏବ ବର ପାଇଁ କନ୍ୟା ନିର୍ବାଚନ ହେଉଛି ଅସ୍ୱାଭାବିକ, ଏଣୁ ଅଯୌକ୍ତିକ ଓ ଅସଙ୍ଗତ । ପୁଣି ସମାଜରେ କୌଳିନ୍ୟ ଓ ବଂଶମର୍ଯ୍ୟାଦା ପ୍ରଭୃତି ସାମ୍ପ୍ରଦାୟିକ ସଂକୀର୍ଣ୍ଣତା ଯାହା ଦେଖାଯାଏ ତାହା ସର୍ବଥା ବର୍ଜନୀୟ । ଭୋଜି–ସଭାରେ ବାବୁ କମଳଲୋଚନଙ୍କ ବକ୍ତୃତାର ଏହାହିଁ ଥିଲା ମୂଳକଥା । ପୁଣି ଗୋବିନ୍ଦଚନ୍ଦ୍ରଙ୍କର ବିଶେଷ ଆକର୍ଷଣ ଥିଲା କବିକନ୍ୟା ପ୍ରତି । ସେ ନିଜେ ବି ଥିଲେ କବିପ୍ରାଣ । ତେଣୁ ତାଙ୍କ ପ୍ରାଣରେ କବି-କନ୍ୟା ଇନ୍ଦୁମତୀଙ୍କ ପ୍ରତି ଅନୁରାଗ ଜନ୍ମିବା ତ ଅତି ସ୍ୱାଭାବିକ । ଚତୁର ରାଜୀବଲୋଚନ ପୁଣି ବହୁ ଆଗରୁ ସେ ଅନୁରାଗକୁ ଗାଢ଼ରୁ ଗାଢ଼ତର କରିଥିଲେ । ରାଜୀବଲୋଚନ ‘‘ଆଲୋଚନା ସଭାରେ’’ ଗୋବିନ୍ଦଚନ୍ଦ୍ରଙ୍କ ‘‘କବି ପ୍ରତିଭା’’ର ଭୂୟସୀ ପ୍ରଶଂସା କରିବାପରେ ଶୁଣାଇ ଶୁଣାଇ କହିଲେ... ‘‘ମୁଁ ନିଶ୍ଚିତ ରୂପେ କହିପାରେ କବିତାର ଓଜୋଗୁଣ ମାର୍ଜିତ ଶଦ୍ଦାବଳୀର ସଂଯତ ବିନ୍ୟାସ ବିଷୟ ବୁଝିବାକୁ ଗଲେ, ତୁଳନାରେ ଆମ ଇନ୍ଦୁର କବିତା, ଢେର ଉପରେ ଆସନ ପାଇବାର ଯୋଗ୍ୟ ।’’

 

କିନ୍ତୁ କିଏ ସେ ଇନ୍ଦୁମୁଖୀ ଇନ୍ଦୁ ?

 

ଔଷଧ ଠିକ୍ ଧରିଲା । ‘‘କେହି ସନ୍ଧାନୀ ଲୋକ ଭଲକରି ଚାହିଁ ଦେଖିଥିଲେ ବୁଝି ପାରିଥାନ୍ତେ–ନିର୍ମଳ ଚନ୍ଦ୍ର ମଣ୍ଡଳରେ ସହସା ନିପତିତ ମେଘଖଣ୍ଡ ପରି କୁଅଁର ବାବୁଙ୍କର ମୁହଁରେ ଯେମନ୍ତ ଗୋଟାଏ ମଳିନତାର ଛାୟା ପଡ଼ିଗଲା ।’’ ସେ ମଳିନତା ସମସରପୁର ଜମିଦାରବଂଶ ପ୍ରତି ଅସୂୟାର ଛାୟା ନା ଅପରିଚିତା ଇନ୍ଦୁମତୀଙ୍କ ପ୍ରତି ଦୁର୍ବାର କାମନାର ଛାୟା ? ତା ପରେ ପରେ ଇନ୍ଦୁମତୀଙ୍କ ସମ୍ବନ୍ଧରେ ଯେଉଁ ସ୍ୱାଦ୍ୟ ଆଲୋଚନାମାନ ହୋଇଗଲା, ସେସବୁ ଗୋବିନ୍ଦଚନ୍ଦ୍ରଙ୍କ ପ୍ରାଣରେ କାମନାର ସେ ଦୀପଶିଖାକୁ ଯେପରି ଆଉରି ପ୍ରଜ୍ଜ୍ୱଳିତ କରିଦେଲା । ସେଦିନ ଆଲୋଚନା ସଭାରେ ଗୋବିନ୍ଦଚନ୍ଦ୍ରଙ୍କ ମୁଖମଣ୍ଡଳରେ ସେହି ଯେଉଁ ପାତଳ ମେଘଖଣ୍ଡ ଦେଖା ଦେଇଥିଲା, କ୍ରମେ ତାହା ଚନ୍ଦନପୁର ଶ୍ରୀକରଣଗୋଷ୍ଠୀର ମୁଖ୍ୟ ବୈଷ୍ଣବଚରଣ ପଟ୍ଟନାୟକ ବିଦ୍ୟାଧର ମହାପାତ୍ରଙ୍କ ଆଭିଜାତ୍ୟର ଆକାଶକୁ ଆଚ୍ଛନ୍ନ କରିଦେଲା । କିନ୍ତୁ ଆଷାଢ଼ ଆକାଶର କଳା ଘୁମର ମେଘ ଛାଇ ପାଇଁ ଗୋଟିଏ ବୈଶାଖ ତ ଯଥେଷ୍ଟ ନୁହେଁ । ସେଥିପାଇଁ ବାରମ୍ୱାର ଭୋଜିସଭାର ଘନଘଟା । (ଏ ଭୋଜିସଭାର ପରିକଳ୍ପନା ଅତି ସ୍ୱାଭାବିକ ସେତେବେଳେ କଲିକତା ଥିଲା ପାଶ୍ଚାତ୍ୟ ରୁଚି ଓ ସଭ୍ୟତାର ଆଦିତୀର୍ଥ । ଓଡ଼ିଶାର ନବ୍ୟଶିକ୍ଷିତ ସମ୍ପ୍ରଦାୟ ପାଶ୍ଚାତ୍ୟ ରୀତିରେ ପ୍ରଗତିର ପ୍ରେରଣା ପାଉଥିଲେ କଲିକତାରୁ । ସେଇଥିପାଇଁ ବାବୁ କମଳଲୋଚନ ଏ ଭୋଜିସଭାର ଆଦ୍ୟ ଭୂମିକା କରିଅଛନ୍ତି... ‘‘ଗତ ସପ୍ତାହ ଖବରକାଗଜମାନଙ୍କରେ ଆପଣମାନେ ପାଠ କରିଥିବେ, କଲିକତା ସେଣ୍ଟ୍ଏଣ୍ଡ୍ରୁ ଭୋଜିସଭାରେ ଆମ୍ଭମାନଙ୍କ ମାହମାନ୍ୟ ଲାଟସାହେବ ସଭାପତି ଆସନ ଗ୍ରହଣ କରିଥିଲେ ।’’ ଇତ୍ୟାଦି) ଏ ଭୋଜିସଭାମାନଙ୍କର ଉଦ୍ଦେଶ୍ୟ ଥିଲା ପ୍ରାଚୀନ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧଘୋଷଣାର ବ୍ୟାଜରେ ଚନ୍ଦନପୁର ଜମିଦାରବଂଶର ଆଭିଜାତ୍ୟ ବିରୁଦ୍ଧରେ ଯୁଦ୍ଧଘୋଷଣା; ଯୁଦ୍ଧ ଘୋଷଣାହିଁ ଥିଲା ଯଥେଷ୍ଟ । ତା ପରେ ଯୁଦ୍ଧ କରିବାର ପ୍ରୟୋଜନ ପଡ଼ି ପଡ଼ିନାହିଁ ।’’ ଚନ୍ଦନପୁର ଜମିଦାର ବଂଶର କୁଳନନ୍ଦନ ଗୋବିନ୍ଦଚନ୍ଦ୍ର ସନ୍ଧିସ୍ୱାକ୍ଷର ପାଇଁ ବ୍ୟାକୁଳ ହୋଇ ପଡ଼ିଲେ । ତାପରେ ଆସିଲେ ଚନ୍ଦନଚର୍ଚ୍ଚିତା ବଧୂ ଇନ୍ଦୁମତୀ ସଦ୍ଧିର ସ୍ୱର୍ଣ୍ଣ ଉତ୍ତରୀ ଉଡ଼ାଇ । ବାବୁ କମଳଲୋଚନ ନିଯୁକ୍ତ ହୋଇଥିଲେ ଏହି ଯୁଦ୍ଧରେ ସେନାପତି ପଦରେ । ତାଙ୍କର ବାଗ୍ମୀତାର ତୀକ୍ଷ୍ଣ ଶରମୂନରେ ପରମ୍ଫରାର ବ୍ୟୁହ ଭାଙ୍ଗି ଛିନ୍ନ ଭିନ୍ନ ହୋଇଗଲା । ଗୋବିନ୍ଦଚନ୍ଦ୍ର ଇନ୍ଦୁମତୀଙ୍କୁ ବିବାହ କରିବାପାଇଁ ଦୃଢ଼ପ୍ରତିଜ୍ଞ ହେଲେ ।

 

ପୂର୍ବେ ଆଲୋଚିତ ଭୋଜିସଭାରେ କମଳଲୋଚନଙ୍କ ସହିତ ଆମ୍ଭମାନଙ୍କର ପରିଚୟ ହୁଏ । ତାଙ୍କର ବାଗ୍ମୀତା, ତୀକ୍ଷ୍‌ଣ ମେଧା ଓ ଏକାନ୍ତ ଯୌକ୍ତିକ ମନୋବୃତ୍ତିର ପରିଚୟ ଆମ୍ଭେମାନେ ସେହି ଭୋଜିସଭାରେ ପାଇଥିଲୁ । କିନ୍ତୁ ସେ ଅଜ୍ଞାତକୁଳଶୀଳ । ହୁଏତ କେଉଁ ଦୂର ମଫସଲର ଅତି ଦରିଦ୍ର ପରିବାରରୁ ସେ ଭାଗ୍ୟ ସହିତ ଲଢ଼ାଇ କରି କଟକ କଲେଜରେ ପାଠ ପଢ଼ୁଥିଲେ । ଟ୍ୟୁସନ ହିଁ ଥିଲା ସମ୍ୱଳ । ‘‘ତେତିକି ଥିଲା ମୋର ସବୁ । କଲେଜ ଫି, ବୋର୍ଡ଼ିଂ ଖର୍ଚ୍ଚ, ଲୁଗାପଟା, ବହିକିଣା ସବୁ ସେଇଥିରୁ... ଫେର ମାସକୁ ମାସ ଘରକୁ କିଛି ପଠାଇବାର ଲୋଡ଼ା ହୁଏ ।’’ ରାଜୀବଲୋଚନ ସେହି ପ୍ରତିଭାକୁ ଟଙ୍କା ଦେଇ କିଣି ନିଜର ଦୂରଭିସନ୍ଧି ପୂର୍ଣ୍ଣ କରିବାରେ ତାହାର ପ୍ରୟୋଗ କରିଥିଲେ । ......କମଳଲୋଚନ ଯେପରିକି ବିଂଶ ଶତାଦ୍ଦୀ ସଭ୍ୟତାର ମୂର୍ତ୍ତ ବିଫଳତା । ବିଂଶ ଶତାଦ୍ଦୀରେ ମନୁଷ୍ୟ ଜ୍ଞାନ ଓ ବିଜ୍ଞାନରେ ଅତି ଦୃତ ପଦକ୍ଷେପ କରିଅଛି । ବିଜ୍ଞାନରେ ମନୁଷ୍ୟ ଯଥାର୍ଥରେ ସୃଷ୍ଟିର ଭାଗ୍ୟବିଧାତାର ଆସନରେ ସମାସୀନ ହୋଇଅଛି । ବିଂଶଶତାଦ୍ଦୀ ମନୁଷ୍ୟର ବୁଦ୍ଧି ନିକଟରେ ସ୍ୱୟଂ ଭଗବାନ ସୁଦ୍ଧା ବାରମ୍ୱାର ହାର ମାନିଥିବେ । ପରାଜୟର ସେ ଗ୍ଳାନି ସହ୍ୟ କରି ନ ପାରି ବୃଦ୍ଧ, କର୍ମକ୍ଳାନ୍ତ ଭଗବାନ ହୁଏତ ଅପସରି ଗଲେଣି । ତଥାପି ଏହି ବିଂଶ ଶତାଦ୍ଦୀରେ ମାନବ ସଭ୍ୟତାର ଚରମ ଅଧଃପତନ ହୋଇଅଛି । ଦୁଇଟି ମହାଯୁଦ୍ଧ ଛାଡ଼ିଦେଲେ ଶତ ଶତ କ୍ଷୁଦ୍ରଯୁଦ୍ଧ ଓ ଗୃହ ଯୁଦ୍ଧ ମଣିଷକୁ ଓଟାରି ଆଣିଛି ପଶୁର ସ୍ତରକୁ । କବି ଏଲିୟଟ୍(ଟି. ଏସ୍.) ବିଂଶ ଶତାବ୍ଦୀ ମାନବର ସର୍ବତୋମୁଖୀ ପ୍ରଗତି ସତ୍ୱେ କହିଛନ୍ତି:

 

“We are the hollow men

We are the stuffed men,

Learning together

Headpieces filled with straw.’’–

 

କିନ୍ତୁ ଯେଉଁ ମନୁଷ୍ୟୁ ଜ୍ଞାନ ଓ ବିଜ୍ଞାନ ବଳରେ ଅସମ୍ଭବକୁ ସମ୍ଭବ କରିପାରିଅଛି, ତାର ଏ ଅଧଃପତନ କାହିଁକି ? ଏ ପ୍ରଶ୍ନର ଏକମାତ୍ର ଉତ୍ତର ହେଉଛି ଦୂରଭିସନ୍ଧି-ସମ୍ପନ୍ନ ବ୍ୟକ୍ତି ଓ ଶକ୍ତିମାନେ ପ୍ରତିଭାକୁ ପଣ୍ୟ ପରି କିଣି ନିଜ ଦୁରଭିସନ୍ଧି ପୂର୍ଣ୍ଣ କରିବାରେ ବିନିଯୋଗ କରୁଅଛନ୍ତି । ଶିଳ୍ପୀ, ଦାର୍ଶନିକ, ଲେଖକ ଓ ବୈଜ୍ଞାନିକମାନେ ନିଜ ଗୌରବ ଓ ମହତ୍ୱରେ ଜଳାଞ୍ଜଳି ଦେଇ, ଅର୍ଥ ଓ ପ୍ରାଚୁର୍ଯ୍ୟର ଲୋଭରେ ନିଜକୁ ରାଷ୍ଟ୍ରର କ୍ରୀତଦାସ କରି, ରାଷ୍ଟ୍ରର ଯୂପକାଠରେ ସମୂହ ମାନବସମାଜର କଲ୍ୟାଣକୁ ସେମାନେ ଅତି ନିର୍ଲଜ ଭାବରେ ବଳି ପକାଉଅଛନ୍ତି । ସୋଫେନ୍ ହାୱାର୍‍ ହିଗେଲ୍‌ଙ୍କୁ ଲକ୍ଷ୍ୟ କରି ଯଥାର୍ଥରେ କହିଥିଲେ...

 

“Philosophy brought afresh to repute by Kant had soon to become a tool of interests; of State interests from above of personal interests from below . x x x Philosophy is misused from the side of the State as a tool , from the other side as a means of gain…… Governments make of philosophy a means of serving their State interests and scholars make of it a trade.”

 

ବିଂଶ ଶତାଦ୍ଦୀର ସମୂହ ମାନବ ପ୍ରଗତିର ବ୍ୟର୍ଥତାର ଏହାହି ମୂଳ ହେତୁ । ସମାଜର ସମୂହ କଲ୍ୟାଣ ନିର୍ଭର କରେ ଏହାର ପ୍ରତିଭାବାନ ଶିଳ୍ପୀ, ଦାର୍ଶନିକ, ବୈଜ୍ଞାନିକ ଓ ଲେଖକମାନଙ୍କ ଉପରେ । କେବଳ ରାଜନୀତି ସମାଜର କଲ୍ୟାଣସାଧନାର ଏକମାତ୍ର ପଥ ନୁହେଁ । ରାଜନୀତିକ ନେତାମାନେ କ୍ଷମତାର ମତ୍ତତାରେ ମାତି, ଶକୁନୀ ପରି ପୃଥିବୀରେ ଯୁଦ୍ଧର ଦାବାନଳ ଜାଳିଦେଇ ଯାଉଅଛନ୍ତି । ସେମାନଙ୍କ କବଳରୁ ମାନବସମାଜକୁ ରକ୍ଷା କରିବାର ଦାୟିତ୍ୱ ଯଥାର୍ଥରେ ଦାର୍ଶନିକ, ଲେଖକ ଓ ବୈଜ୍ଞାନିକମାନଙ୍କ ଉପରେ ନିର୍ଭର କରେ । ସେମାନେ କୌଣସି ସମ୍ଫ୍ରଦାୟର, ଦେଶର ବା ରାଷ୍ଟ୍ରର ନୁହନ୍ତି । ସେମାନେ ସମୂହ ମାନବ ସମାଜର; ସମୂହ ମାନବ ସମାଜର ସେମାନେ ଯଥାର୍ଥରେ ମଙ୍ଗଳ ବିଧାତା । ତାହାହିଁ ସେମାନଙ୍କର ଐତିହାସିକ ଭୂମିକା । ଏ ପରମ ଦାୟିତ୍ୱ ପୂର୍ଣ୍ଣ କରିବା ଦିଗରେ ସେମାନେ ଯାହା କରିବେ ବା ନ କରିବେ, ସେହି ମାନଦଣ୍ଡରେ ଭବିଷ୍ୟତର ଇତିହାସ ସେମାନଙ୍କୁ ବିଚାର କରିବ ।

 

ରାଜୀବଲୋଚନ ଓ ସଦାନନ୍ଦ ଆଲୋଚିତ ଉପନ୍ୟାସରେ ଅନ୍ୟଦୁଇଟି ଉଲ୍ଲେଖଯୋଗ୍ୟ ଚରିତ୍ର ।‘‘ ରାଜୀବଲୋଚନ ସବୁ ବିଷୟରେ ଯେମନ୍ତ ବୁଦ୍ଧିଆ, ପାଠ ମଧ୍ୟ ସେହିପରି ହେତୁ ରଖିପାରେ । ତାର ପିତୃବଂଶ ସମ୍ୱନ୍ଧରେ କୌଣସି ଜଣାଶୁଣା ଇତିହାସ ନାହିଁ । ବିଧବା ମାତା ଅନେକ ଦିନ ହେଲା ଉଆସରେ ଅଛନ୍ତି । ରାଜୀବଲୋଚନ ଏଣ୍ଟ୍ରାନସ୍‍ ପାଶ୍ କରିବା ଦିନୁ ବିଧବା ମାତା ତାରା ଦେଈଙ୍କର ଉଆସ ମଧ୍ୟରେ କିଛି ମର୍ଯ୍ୟାଦା ବଢ଼ିଛି । + + + ସାନ୍ତାଣୀ ଲଳିତା ଦେଈଙ୍କର ବିୟୋଗ ଦିନରୁ ଉଆସ ମଧ୍ୟରେ ତାରା ଦେଈଙ୍କର ଆଜ୍ଞା ପୋଇଲି ପରିବାରୀ ମଧ୍ୟରେ ଚଳେ । ସାନ୍ତଙ୍କ ହୁକୁମରେ ଏବେ ଉଆସରେ ଭିତର ପ୍ରସ୍ତର କଥା ବୁଝାବୁଝି କରୁଛନ୍ତି । କୌଣସି ପୋଇଲୀ ଚାଲିଚଳନ ଦେଖି ଗାଳି ଫଜିତ କଲେ ସେମାନେ ତୁନିତୁନି ଫୁସୁରଫାସର ହୁଅନ୍ତି । ଓହୋ ! କାଲି ଆମ ସାଙ୍ଗରେ ଢିଙ୍କି ମାଡ଼ୁଥିଲେ, ସାନ୍ତାଣୀ ସ୍ୱର୍ଗକୁ ଗଲେ ନା ଆମକୁ କଥା ଶୁଣିବାକୁ ପଡ଼ିଲା ।’’ ଫକୀରମୋହନଙ୍କର ରଚନାରୀତିରେ ଶ୍ଳୀଳତା ଗୋଟିଏ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ । ଫକୀରମୋହନ, ଯେ ସମସ୍ତଙ୍କର ଚଉଦ ପୁରୁଷର ଖବର ରଖନ୍ତି ସେ କାହିଁକି ଯେ ରାଜୀବଲୋଚନଙ୍କର ପିତୃବଂଶ ସମ୍ୱନ୍ଧରେ କିଛି ଜାଣିପାରିଲେ ନାହିଁ ତାହାହିଁ ବିଚିତ୍ର । ହୁଏତ ରାଜୀବଲୋଚନଙ୍କର ପିତୃବଂଶ କହିଲେ କିଛି ନ ଥିଲା । ସାମନ୍ତ ସଂକର୍ଷଣ ମହାନ୍ତିଙ୍କ ବଂଶ ତାଙ୍କ ପିତୃବଂଶ ଥିଲା ବୋଲି ସେଇଥିପାଇଁ ଆଶଙ୍କା ହୁଏ । ନୋହିଲେ ଲଳିତାଦେଈଙ୍କର ବିୟୋଗ ଦିନରୁ ସମସରପୁର ତାଳୁକାର ଜମିଦାର ଉଆସ ମଧ୍ୟରେ ରାଜୀବଲୋଚନଙ୍କ ଜନ୍ମଦାତ୍ରୀ ତାରାଦେଈଙ୍କର ପ୍ରତିପତ୍ତି ଚଳନ୍ତା କାହିଁକି ? ଏହିପରି ପିତୃବଂଶହୀନ ଯୁବକମାନେ ସାଧାରଣତଃ ଅତି ବୁଦ୍ଧିମାନ ଓ ବିଚକ୍ଷଣ ହୁଅନ୍ତି । ସେମାନଙ୍କର କ୍ଷମତା ପୁଣି ଅନେକ ସମୟରେ କାହିଁକି ପ୍ରାୟ ସବୁ ସମୟରେ ଧ୍ୱଂସମୁଖୀ ହୋଇଥାଏ । ସେମାନେ ନିଜେ ଏକ ଅନାଚାରର ପରିଣତି ହୋଇଥିବାରୁ, ଅନାଚାରୀ ବିରୁଦ୍ଧରେ ପ୍ରତିହିଂସାର ପ୍ରବୃତ୍ତି ସେମାନଙ୍କର ସହଜାତ । କିନ୍ତୁ କିଏ ସେ ଅନାଚାରୀ ତାର ସନ୍ଧାନ ନ ପାଇ ପୃଥିବୀରେ ପ୍ରତ୍ୟେକ ବ୍ୟକ୍ତିବିଶେଷ ବିରୁଦ୍ଧରେ ସେମାନଙ୍କର ପ୍ରତିହିଂସାର ପ୍ରବୃତ୍ତି ପ୍ରଜ୍ଜ୍ୱଳିତ ହୁଏ । ସେଇଥିପାଇଁ ସେମାନଙ୍କର ଭୂମିକା ସବୁବେଳେ ଧ୍ୱଂସମୁଖୀ । ସେକ୍‍ସପିଅରଙ୍କର ‘‘କିଂ ଲିୟର’’ ନାଟକରେ ‘‘ଏଡ୍‍ମଣ୍ଡ’’ର ଚରିତ୍ର ଏ ସଂକ୍ରାନ୍ତରେ ଦ୍ରଷ୍ଟବ୍ୟ । ‘‘ଏଡ୍‍ମଣ୍ଡ’’ ଏହିପରି ଏକ ଚରିତ୍ରର ସର୍ବକାଳୀନ ନମୁନା । ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସରେ ରାଜୀବଲୋଚନଙ୍କର ମଧ୍ୟ ତାହାହିଁ ଭୂମିକା ।

 

ସଦାନନ୍ଦ ଭାରି ଚତୁର, ସବୁ କାର୍ଯ୍ୟ କରିବେ, ଚିହ୍ନା ପଡ଼ିବେ ନାହିଁ । କିନ୍ତୁ ଦୁର୍ଗାଦାସ ତାଙ୍କୁ ଠିକ୍ ଚିହ୍ନିଥିଲା । ‘‘ଏତେ କଥାର ନଟ ଗୋବର୍ଦ୍ଧନ ଦାସ କିଏ, ଝଙ୍କଡ଼ରେ ସମସ୍ତେ ଜାଣିଗଲେଣି । ସେ ଆପଣା ମନରେ ବୁଡ଼ିବୁଡ଼ି ପାଣି ପିଉଛି । ସାନ୍ତାଣୀ ଦୟାକରି ଅରକ୍ଷିତ କାଙ୍ଗାଳୀଟାକୁ ଗୋଟାଇଆଣି ଘରେ ପୂରାଇଥିଲେ–ଗଳାକଟା ଚୋର ପୁଅ କଣ ସାଧୁ ହୋଇଯିବ-?’’ ସଦାନନ୍ଦର ପ୍ରରୋଚନାରେ ଗୋବିନ୍ଦଚନ୍ଦ୍ର ନିଜ ବଂଶର ପରମ୍ପରା ବିରୁଦ୍ଧରେ ଯାଇଛନ୍ତି, ସ୍ନେହମୟୀ ମାତାଙ୍କର ଅକାଳ ମୃତ୍ୟୁର କାରଣ ହୋଇଛନ୍ତି, ବୈଷ୍ଣବଚରଣଙ୍କ ଆଭିଜାତ୍ୟ କ୍ଷୁଣ୍ଣ କରିଛନ୍ତି । ଯାହାଙ୍କର ସ୍ନେହ, ସହାନୁଭୂତି ଓ ଦୟାରେ ସଦାନନ୍ଦ ମଣିଷ ହୋଇଥିଲେ ସେ ମୃତ୍ୟୁଶଯ୍ୟାରେ ପଡ଼ିଥିଲେ ସୁଦ୍ଧା ତାଙ୍କୁ ଥରେ ଦେଖିବା ପାଇଁ ସୁଦ୍ଧା ଯାଇନାହାନ୍ତି ବା ତାଙ୍କର ଅନ୍ତିମ କାମନା ପୂର୍ଣ୍ଣ କରିବାପାଇଁ ଗୋବିନ୍ଦଚନ୍ଦ୍ରକୁ ଛାଡ଼ି ଦେଇନାହାନ୍ତି । ଅଥଚ ବାପଛେଉଣ୍ଡ ସଦାନନ୍ଦ ଆକୁଳରେ ଭାସି ଯାଉଥିବାବେଳେ ସାନ୍ତାଣୀ ତାକୁ ଅତି ଦୟାରେ, ଅତି ସ୍ନେହରେ କୋଳକୁ ଟେକି ନେଇଥିଲେ । କୁଅଁର ଗୋବିନ୍ଦଚନ୍ଦ୍ର ସେତେବେଳକୁ ବର୍ଷକର ପିଲା । ସାନ୍ତାଣୀ କହିଲେ ‘‘ମୋ ସଦେଇ ଆଗ ତୋ, ଗୋବିନ୍ଦ ପଛ ।’’ ଅଥଚ ସେହି ସଦାନନ୍ଦର ହୀନ କୃତଘ୍ନତା ସାନ୍ତାଣୀଙ୍କର ସୁନାର ସଂସାର ଚୂନା କରିଦେଲା । ଶେଷରେ ଗୋବିନ୍ଦଚନ୍ଦ୍ର ଗୁରୁତର ଭାବରେ ପୀଡ଼ିତ ହୋଇ ହାସପାତାଲରେ ପଡ଼ିଥିଲାବେଳେ ତାଙ୍କ ନାମରେ ହୀନ ଅପପ୍ରଚାର କରିବାକୁ ସୁଦ୍ଧା କୁଣ୍ଠିତ ହେଲାନାହିଁ ।

 

‘‘ମାମୁ’’ ଓ ‘‘ଛମାଣ ଆଠଗୁଣ୍ଠ’’ ଉପନ୍ୟାସମାନଙ୍କରେ ଫକୀରମୋହନ କେବଳ ଗଳ୍ପ ଓ ଚରିତ୍ରଚିତ୍ରଣକୁ ମୁଖ୍ୟ ବୋଲି ଧରିଛନ୍ତି । ଏ ଦୁଇଟି ଉପନ୍ୟାସ ଉଦ୍ଦେଶ୍ୟମୂଳକ ନୁହେଁ । କିନ୍ତୁ ‘‘ପ୍ରାୟଶ୍ଚିତ୍ତ’’ ଅତି ସ୍ପଷ୍ଟ ଭାବରେ ଉଦ୍ଦେଶ୍ୟମୂଳକ । ଯେଉଁ ଦୃଷ୍ଟିକୋଣ ସମାଜରେ ଉପସ୍ଥାପିତ ଓ ପ୍ରସାରିତ କରିବା ଉଦ୍ଦେଶ୍ୟରେ ଫକୀରମୋହନ ‘‘ପ୍ରାୟଶ୍ଚିତ୍ତ’’ ଲେଖିଥିଲେ ତାହା ପୂର୍ବେ ଆଲୋଚିତ ହୋଇଅଛି । ଏ ସବୁ ସତ୍ୱେ ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସ ଦୃଷ୍ଟିରୁ ହତାଶଜନକ । ଏହାର ଆରମ୍ଭ ସୁକଳ୍ପିତ ହେଲେହେଁ ସୁଗଠିତ ନୁହେଁ । ବୈଷ୍ଣବଚରଣ, ସଙ୍କର୍ଷଣ ଓ ସେମାନଙ୍କର ପରିବେଶ ସ୍ପଷ୍ଟ ଭାବରେ ଆଦୌ ପରିସ୍ପୁଟ ହୋଇପାରି ନାହିଁ । ଇନ୍ଦୁମତୀ ପ୍ରତି ଗୋବିନ୍ଦଚନ୍ଦ୍ରଙ୍କ ଅନୁରାଗ–ଯାହା ଉପନ୍ୟାସରେ କ୍ରମ ପରିଣତିର ଭିତ୍ତି–ଓ ତାର ପୃଷ୍ଠଭୂମିର କଳାକୁଶଳ ଅଭିବ୍ୟକ୍ତି ପାଇଁ ବହୁ ଅବକାଶ ଥିଲା । ପୁଣି ଆଲୋଚିତ ଉପନ୍ୟାସର ଚରମ ପରିଣତି ବା କ୍ଲାଇମାକ୍‍ସ ସୁପରିକଳ୍ପିତ ନୁହେଁ । ଫକୀରମୋହନଙ୍କ ମୂଳ ଉଦ୍ଦେଶ୍ୟ ପ୍ରତିପାଦନ କରିବାରେ ଏହା ଆଦୌ ସହାୟତା କରିନାହିଁ । ମେଲୋଡ୍ରାମା ବା ନାଟକୀୟ ଅତିରଞ୍ଜନ ଫକୀରମୋହନଙ୍କ ଉପନ୍ୟାସ ରଚନାରେ ଏକ ଦୁର୍ବଳତା । ଫକୀରମୋହନ ଏଠାରେ ମଧ୍ୟ ସେ ଦୁର୍ବଳତା ଏଡ଼ିପାରି ନାହାନ୍ତି । ସମସରପୁର ଉଆସର ବାଡ଼ିପଟ ଅନ୍ଧାର ଆମ୍ୱତୋଟାରେ ଗୋବିନ୍ଦଚନ୍ଦ୍ର ଚୋର ବୋଲି ମାଡ଼ ଖାଇ ଗୁରୁତର ଭାବରେ ଆହତ ହୋଇ ନ ଥିଲେ ହୁଏତ ତାଙ୍କର ଅନୁଚିନ୍ତା ଆସି ନ ଥାନ୍ତା । ପୁଣି ଏ ଅନୁଚିନ୍ତାରେ କୌଣସି ବଳିଷ୍ଠ ସମାଜ-ଦର୍ଶନ ପ୍ରକାଶ ପାଇ ନାହିଁ । ‘‘ଯେଉଁଠାରେ ସମାଜ ଦଣ୍ଡ ଦେଉ ନାହିଁ କି ଦେଇ ପାରୁନାହିଁ ସେଠାରେ ନିୟମଲଂଘନକାରୀ ବ୍ୟକ୍ତିକୁ କହୁଅଛି–ତୁ ନିଜ ମୁଣ୍ଡରେ କୁଠାରଘାତ କର–ପାପର ପ୍ରାୟଶ୍ଚିତ୍ତ କର । ଯେଉଁ ପାପାର ଆଶ୍ରୟ ଘେନି ସଭ୍ୟତା ଉତ୍ତରୋତ୍ତର ବୃଦ୍ଧି ପାଇଅଛି ସେହି ପାପ ପାଇଁ ସଭ୍ୟତା ଭିନ୍ନ କ୍ଷେତ୍ରରେ ପ୍ରାୟଶ୍ଚିତ୍ତ ଲୋଡ଼ୁଅଛି ।’’ ଏହି ପ୍ରାୟଶ୍ଚିତ୍ତ ହିଁ ସମାଜ ଓ ସଭ୍ୟତାର ଭିତ୍ତି । କିନ୍ତୁ ଏ ପ୍ରାୟଶ୍ଚିତ୍ତ ଏକାନ୍ତ ଭାବରେ ଆତ୍ମ–କେନ୍ଦ୍ରିକ (subjective) । ଅନେକ କ୍ଷେତ୍ରରେ ଅନେକେ ଘୋର ପାପ କରି ସୁଦ୍ଧା କୌଣସି ଅନୁଶୋଚନା କରନ୍ତି ନାହିଁ । ‘‘ଯେ ସିଆଣା ସେ ବାଟ କାଟି ଚାଲିଯାଏ । ମୂଖର ପଦେ ପଦେ ବିପଦ । ବ୍ୟକ୍ତିଗତ ଓ ଜାତିଗତ ଉନ୍ନତିରେ ଧର୍ମ କଦାଚିତ ସହାୟତା କରିଥାଏ । ଯେଉଁ ମାନେ ନିଷ୍ଠୁର, ନିର୍ମ୍ମମ ଓ ସ୍ଥିର ପ୍ରତିଜ୍ଞ ହୋଇ ନିଜର ସ୍ୱାର୍ଥସାଧନରେ ବ୍ରତୀ ଥାଆନ୍ତି ସେହିମାନେ ଜୟଶ୍ରୀ ଲାଭ କରନ୍ତି । ଆଓରଙ୍ଗଜେବ ସମ୍ରାଟ ହେବେ, ଯୀଶୁଖ୍ରୀଷ୍ଟ କ୍ରୂଶରେ ବିଦ୍ଧ ହେବେ ଏହାହିଁ ତ ସଂସାରର ନିୟମ ।’’ ଫକୀରମୋହନ ଜୀବନର କରୁଣ ସାୟାହ୍ନରେ ବଳିଷ୍ଠ ଆତ୍ମବିଶ୍ୱାସ ହରାଇ ସାରିଥିଲେ । ଆତ୍ମୀୟସ୍ୱଜନ ପରିତ୍ୟକ୍ତ ନିଃସଙ୍ଗ ରୋଗଶଯ୍ୟା ତାଙ୍କୁ ‘‘ସିନିକ୍’’ କରି ଦେଇଥିଲା । ସେ ପରିସ୍ଥିତିରେ ସେ ଯେ ‘‘ପ୍ରାୟଶ୍ଚିତ୍ତ’’ ପରି ଖଣ୍ଡେ ଉପନ୍ୟାସ ଲେଖି ପାରିଥିଲେ ତାହାହିଁ ସବୁ ତ୍ରୁଟି ସତ୍ୱେ ‘‘ପ୍ରାୟଶ୍ଚିତ’’ର ଚରମ ସାର୍ଥକତା । ସବୁ ଦୁର୍ଯୋଗର ସୂତ୍ରଧର ସଦାନନ୍ଦ ଓ ରାଜୀବଲୋଚନଙ୍କ ଶାସ୍ତି ହେଲା ନାହିଁ ଅଥଚ ନିରୀହା ଇନ୍ଦୁମତୀକୁ ଅଶ୍ରୁଜଳରେ ଅନ୍ୟର ପାପର ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିଲା । ‘‘ପ୍ରାୟଶ୍ଚିତ୍ତ’’ ପାଠକର ମନରେ ଅପୂର୍ଣ୍ଣତାର ଅଶ୍ୱସ୍ତି ରଖିଥାଏ । କିନ୍ତୁ ସେଇୟାତ ଜୀବନ । ‘‘ସଂସାରୋଽୟଂ ଅତୀବ ବିଚିତ୍ରଃ ।’’ *

 

*‘‘ପ୍ରାୟଶ୍ଚିତ୍ତ’’ ସମ୍ୱନ୍ଧରେ ଆଉ କେତେକ ନୂତନ ତଥ୍ୟ ପାଇଁ ଭୂମିକାରେ ଏ ସମ୍ପର୍କିତ ଆଲୋଚନା ଦ୍ରଷ୍ଟବ୍ୟ ।

Image

 

ଲଛମା

 

‘ଲଛମା’ ଏକ ଐତିହାସିକ ଉପନ୍ୟାସ । ଏହାପୂର୍ବରୁ ଅବଶ୍ୟ ଉମେଶ୍ଚନ୍ଦ୍ରଙ୍କ ‘ପଦ୍ମମାଳୀ’ ଓ ରାମଶଙ୍କରଙ୍କ ‘ବିବାସିନୀ’–ଦୁଇଟି ଯାକ ଐତିହାସିକ ଉପନ୍ୟାସ–ପ୍ରକାଶ ପାଇ ସାରିଥିଲା । ହେଲେହେଁ ଶୈଳୀ, ଘଟଣାବିନ୍ୟାସ, ପରିବେଷଣ ଓ କଳାଗତ ସାର୍ଥକତା ଦୃଷ୍ଟିରୁ ‘ଲଛମା’ ଓଡ଼ିଆ ସାହିତ୍ୟରେ ଗୋଟିଏ ଅଭୂତପୂର୍ବ, ଅପୂର୍ବ ସୃଷ୍ଟି । ‘ଲଛମା’ ପ୍ରକାଶ ପାଇବା ପରଠାରୁ ଇତି ମଧ୍ୟରେ ବହୁବର୍ଷ ବିତି ଯାଇଥିଲେ ସୁଦ୍ଧା ଓ ବହୁ ଉପନ୍ୟାସ ଓଡ଼ିଆ ଭାଷାରେ ପ୍ରକାଶ ପାଇଥିଲେ ସୁଦ୍ଧା, ଯଥାର୍ଥ ଐତିହାସିକ ଉପନ୍ୟାସ, ମୋଟେ ଦୁଇଖଣ୍ଡି ପ୍ରକାଶ ପାଇଅଛି–ଓଡ଼ିଶାର ପାଇକ ବିଦ୍ରୋହ ଅବଲମ୍ୱନରେ ଲିଖିତ ଶ୍ରୀ ଗୋଦାବରୀଶ ମିଶ୍ରଙ୍କର ‘୧୮୨୩’ ଓ ଭୋଇ ରାଜବଂଶ ସମୟର ଏକ କାଳ୍ପନିକ ଘଟଣା ଅବଲମ୍ୱନରେ ଲିଖିତ ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କର ‘ରାଜଦ୍ରୋହୀ’ । କିନ୍ତୁ ଊନବିଂଶ ଶତାଦ୍ଦୀର ଶେଷପାଦର ସର୍ବଶେଷରେ ରଚିତ ‘ଲଛମା’ର କଳାଗତ ସାର୍ଥକତାଠାରୁ ଏ ଦୁଇଟି ଉପନ୍ୟାସ ଯଥାର୍ଥରେ କୌଣସି ଉତ୍କର୍ଷ ଦାବୀ କରି ନ ପାରେ ।

 

ଫକୀରମୋହନଙ୍କ ସାମାଜିକ ଉପନ୍ୟାସଗୁଡ଼ିକରେ ଊନବିଂଶ ଶତାଦ୍ଦୀରେ ଓଡ଼ିଶାର ସମାଜ ଜୀବନର ଚଳଣୀ, ସଂସ୍କୃତି ଓ ଆଚାର ପ୍ରଭୃତି ଅତି ଜୀବନ୍ତ ଭାବରେ ରୂପାୟିତ ହୋଇଅଛି-। ବସ୍ତୁତଃ ଓଡ଼ିଶାର ସାମାଜିକ ଇତିହାସ ପାଇଁ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକରେ ବହୁ ଉପାଦାନ ଅଛି । ସେହିପରି ଉତ୍କଳରୁ ଗଜପତି ରାଜତ୍ୱର ଅବସାନ ପରେ, ଏକଦିଗରେ ଦୁର୍ବଳ ମୋଗଲ ଶାସନର ଅପାରଗତା ଓ ଅପର ଦିଗରେ ମରହଟ୍ଟା ବର୍ଗୀମାନଙ୍କର ଲୁଣ୍ଠନ ଭିତରେ ଉତ୍କଳର ରାଜନୀତିକ ତଥା ଐତିହାସିକ ପରିସ୍ଥିତିର ଏକ ନିଖୁଣ ଚିତ୍ର ‘ଲଛମା’ରେ ଲିପିବଦ୍ଧ ହୋଇଅଛି । ସେହି ଦୃଷ୍ଟିରୁ ‘ଲଛମା’ କେବଳ ଏକ ଉପନ୍ୟାସ ନୁହେଁ, ବ୍ରିଟିଶ ଶାସନ ଭାରତରେ ପ୍ରତିଷ୍ଠିତ ହେବାର ପ୍ରକ୍ଚାଳରେ, ଉତ୍କଳ ଇତିହାସର ଏକ ହୃଦୟ ବିଦାରକ ଅଧ୍ୟାୟ ।

 

ଉତ୍କଳ ବୀରବିଲୟର ସେ ଚରମ ଅଶୁଭ ମୁହୂର୍ତ୍ତ । ଏକଆଡ଼େ ମୁସଲମାନ ସୁବେଦାରମାନଙ୍କର ଅଶାସନ, ଅନ୍ୟଆଡ଼େ ବର୍ଗୀ ଦସ୍ୟୁମାନଙ୍କର ଲୁଣ୍ଠନରେ ଓଡ଼ିଶାର ଜାତୀୟ ଜୀବନ ପଙ୍ଗୁ, ଅଥର୍ବ ହୋଇ ପଡ଼ିଥିଲା । ଉତ୍କଳ ସେତେବେଳେ ବଙ୍ଗଳା ଓ ବିହାରର ସୁବାଦାର ନବାବ ଆଲିବର୍ଦ୍ଦି ଖାଁଙ୍କ ଅଧୀନରେ ଶାସିତ ହେଉଥିଲା । ମାତ୍ର ମରହଟ୍ଟାମାନଙ୍କ ପାଖରେ ଦୁର୍ବଳ ନବାବ ଆଲିବର୍ଦ୍ଦି, ଯେପରିକି ଉତ୍କଳଖଣ୍ଡକୁ ବନ୍ଧା ପକାଇଥିଲେ । ନିୟମିତ ଭାବରେ ଚୌଥ ଆଦାୟ ପାଇଁ ବେରାର ଦରବାର ତରଫରୁ ଜଣେ ଜଣେ ଫୌଜଦାର ନିଯୁକ୍ତ ହୋଇ ରହିଥିଲେ । ‘ଲଛମା’ ବର୍ଣ୍ଣିତ କାଳରେ ଭାସ୍କର ପଣ୍ଡିତ ଓଡ଼ିଶାର ଫୌଜଦାର ଥିଲେ । ‘‘କିନ୍ତୁ ବେରାର ଦରବାରରେ ଉତ୍କଳ ଦେଶଟା ନିଲାମରେ ବିକ୍ରୀ ହୁଏ; ଯେ ବେଶୀ କଉଡ଼ି ଗଣି ଦେଇଅଛି, ମୂଳ କଳନ୍ତର ଘେନି ଅସୁଲ କରିବତ ? ପ୍ରଜା ମଲେ କି ଗଲେ, ତହିଁକି ତ କେହି ଲଗା ଥାଏ ନାହିଁ । ପୁଣି ସେହି ଫୌଜଦାର ପ୍ରଜାଠାରୁ ବେଶୀ ବେଶୀ ଟଙ୍କା ଅସୁଲ କରିବାକୁ ଚେଷ୍ଟା କରେ । କାରଣ ଦରବାର ପ୍ରତି ତାର ପ୍ରତ୍ୟୟ ନାହିଁ । ସନନ୍ଦ ଘେନି ଆସିଲା ବେଳେ ଆଉ କେହି ସନନ୍ଦ ଘେନି ଆସିଲା ପରା, ଏହି ଭୟରେ ପଛକୁ ଅନାଉ ଥାଏ ।’’ ରାୟବଣିଆ ଦରବାରରେ ରାୟଗୁରୁ ବେରାରଦୂତ ଶିଓଶଙ୍କର ମାଳବୀରଙ୍କ ପ୍ରତି ଖେଦୋକ୍ତିରେ, ଆଲୋଚିତ କାଳରେ ଉତ୍କଳର ଏକ ନିଖୁଣ ଚିତ୍ର ପ୍ରକାଶ କରିଅଛନ୍ତି... ‘‘ବର୍ତ୍ତମାନ ଉତ୍କଳ ପ୍ରତି ଦୃଷ୍ଟିପାତ କରି ଦେଖନ୍ତୁ, ଦେଶ ମଧ୍ୟରୁ ଶାନ୍ତିଦେବୀ ଏକାବେଳକେ ପ୍ରସ୍ଥାନ କରି ଅଛନ୍ତି । ସର୍ବତ୍ର ଆତଙ୍କ, ସର୍ବତ୍ର ହା-ହା-କାର, ସର୍ବତ୍ର ଦାରିଦ୍ର୍ୟର ପୂର୍ଣ୍ଣାବସ୍ଥା । ଶତ ସହସ୍ର ଖଣ୍ଡାଏତଙ୍କ ଚୌପାଢ଼ୀ କାନ୍ଥୀର ଚିହ୍ନ ମାତ୍ର ବିଲୁପ୍ତ ହୋଇଅଛି-। ଏହି ସମସ୍ତ ଅମଙ୍ଗଳର କାରଣ କିଏ ? x x ଦେଖନ୍ତୁ ହରିଶପୁରଠାରୁ ତାମ୍ରଲିପ୍ତ ପର୍ଯ୍ୟନ୍ତ ସମୁଦ୍ର ଉପକୂଳମାନ ବାଣିଜ୍ୟ ବୋଇତରେ ପରିପୂର୍ଣ୍ଣ ଥିଲା; ଉତ୍କଳ ନାବିକମାନେ ଯବ, ବ୍ରହ୍ମ, ସୂଖତରା, ଲକ୍ଷଦ୍ୱୀପ ପ୍ରଭୃତି ସ୍ଥାନକୁ ଗମନ କରି ବାଣିଜ୍ୟ ବିସ୍ତାର କରୁଥିଲେ, ଓଲନ୍ଦାଜ ଦସ୍ୟୁ ଗେଞ୍ଜାଲିଶ ସମସ୍ତ ବିନଷ୍ଟ କରିଅଛି । ବର୍ତ୍ତମାନ ଉତ୍କଳର ବାଣିଜ୍ୟଧନ ସାଗର ମଧ୍ୟଗତ । ଅବଶିଷ୍ଟ ଥିଲା ସ୍ଥଳଭାଗ x x ଆନନ୍ଦୋତ୍ସବପୂର୍ଣ୍ଣ ଶତ ଶତ ଖଣ୍ଡାଏତ ଗ୍ରାମ, ବର୍ତ୍ତମାନ ଶ୍ମଶାନକ୍ଷେତ୍ରରେ ପରିଣତ ହୋଇ ପଡ଼ିଅଛି ।* ଉତ୍କଳୀୟମାନେ ମରହଟ୍ଟାମାନଙ୍କୁ ନରମାଂସାଶୀ ବ୍ୟାଘ୍ର ଭଲ୍ଲୁକଠାରୁ ଅଧିକ ଭୟ କରୁଅଛନ୍ତି । x x x ଫୌଜଦାରମାନଙ୍କ ଜୁଲୁମରେ ଗ୍ରାମକୁ ଗ୍ରାମ ଅରଣ୍ୟମୟ ହୋଇଗଲାଣି-।’’ ମରହଟ୍ଟାମାନେ ସେ କାଳର ପରିସ୍ଥିତିରେ ହିନ୍ଦନ୍ଦୁଧର୍ମରକ୍ଷାର ଧ୍ୱଜା ଉଡ଼ାଉଥିଲେହେଁ ଦେବଦର୍ଶନ ପାଇଁ ଜଗନ୍ନାଥ କ୍ଷେତ୍ରକୁ ବହୁଦୂରରୁ ଆସୁଥିବା ଧର୍ମପ୍ରାଣ ହିନ୍ଦୁମାନଙ୍କଠାରୁ ସୁଦ୍ଧା, ନାନାମତେ ପୀଡ଼ନ କରି ଅର୍ଥ ଆଦାୟ କରୁଥିଲେ । ‘‘ଆମ୍ଭଙ୍କୁ ଅତି କଷ୍ଟରେ ଏବଂ ସଲଜ୍ଜ ଭାବରେ ବୋଲିବାକୁ ହେଉଅଛି, ଉତ୍କଳ ମହାତୀର୍ଥ କ୍ଷେତ୍ରର ବର୍ତ୍ତମାନ ଯେବେ କୌଣସି ବୈରୀ ଉପସ୍ଥିତ ଥାଏ, ସେ କେବଳ ହିନ୍ଦୁ କୁଳସନ୍ତାନ ମହାରାଷ୍ଟ ବଂଶଧରମାନେ ! ଅଠରନଳା ଘାଟର ମଙ୍ଗୀ ଜୁଲୁମରେ ଗରିବ ଦୁଃଖୀଲୋକ ତୀର୍ଥଦର୍ଶନରୂପ ମହାପୁଣ୍ୟରୁ ବଞ୍ଚିତ ହେଲେଣି । ବୋଲନ୍ତୁ ଭଲା, ଆଓରଙ୍ଗଜେବର ଜିଜିଆଠାରୁ ଏହାର ପାର୍ଥକ୍ୟ କ’ଣ ଅଛି ?’’ ଏହା ଉପରେ ଥିଲା ବର୍ଗୀମାନଙ୍କର ରାହାଜାନି ବା ଡକାୟତି । ‘ଲଛମା’ ଉପନ୍ୟାସର ଆରମ୍ଭ ହୋଇଅଛି ଗୋଡ଼ିଖାଲ ଠାରେ ଏ ପ୍ରକାର ଏକ ନିର୍ମମ ରାହାଜାନିରେ !

 

*ଫକୀରମୋହନ ସେନାପତିଙ୍କ ଜଣେ ପୂର୍ବପୁରୁଷ ହନୁମଲ୍ଲ ମହାରାଷ୍ଟ୍ର ସେନାପତିଙ୍କ ଅଧୀନରେ ପାଇକ ପଦରେ ନିଯୁକ୍ତ ହୋଇ, କେନ୍ଦ୍ରାପଡ଼ାର୍ନ୍ତଗତ କୁଶିନ୍ଦା ଗ୍ରାମରୁ ପ୍ରଥମେ ବାଲେଶ୍ୱର ଆସିଥିଲେ । ‘ଲଛମା’ରେ ଯେଉଁ ଫୁଲବାରଘାଟ କଥା ବର୍ଣ୍ଣିତ ହୋଇଅଛି, ହନୁମଲ୍ଲ ସେହିଠାରେ ପଠାଣସେନାମାନଙ୍କୁ ଆଗୁଳି ରଖିବା ପାଇଁ ଜଗୁଆଳି ସ୍ୱରୂପ ନିଯୁକ୍ତ ହୋଇଥିଲେ । ବେତନ ସ୍ୱରୂପ ପାଇଁ ଚାଳିଶ ବାଟି ଜମି, ତାଙ୍କୁ ନିଷ୍କର ଜାଗିରି ମିଳିଥିଲା । ସେନାପତି ଏହି ମହାରାଷ୍ଟ୍ରମାନଙ୍କ ଦତ୍ତ ପଦବୀ । ହନୁମଲ୍ଲଙ୍କ ପୂର୍ବପୁରୁଷମାନେ କୁଶିନ୍ଦା ଗ୍ରାମରେ ଉତ୍କଳଗଜପତିଙ୍କ ପ୍ରଦତ୍ତ ବିସ୍ତୀର୍ଣ୍ଣ ଭୂସମ୍ପତ୍ତି ଜାଗିରି ସ୍ୱରୂପ ଭୋଗ କରୁଥିଲେ । ମହାରାଷ୍ଟ୍ର ଅଧିକାର ସମୟରେ ଉକ୍ତ ଜାଗିରି ଲୋପ ପାଇଥିଲା ।

 

ପ୍ରସଙ୍ଗବର୍ହିଭୂତ ହେଲେ ସୁଦ୍ଧା ଏଠାରେ ଉଲ୍ଲେଖ କରିବାର ଅଛି, ମରହଟ୍ଟାମାନେ ମୋଗଲ ଶକ୍ତିର ପତନ ପରେ ହିନ୍ଦୁ ଜାତୀୟ ଅଭ୍ୟୁଦୟ ନାମରେ ଯେଉଁ ସୁଯୋଗ ପାଇଥିଲେ, ତାହାର ଯଥାର୍ଥ ପ୍ରୟୋଗ କରିଥିଲେ ଭାରତର ଇତିହାସ ହୁଏତ ଅନ୍ୟ ଆକାର ଧରିଥାନ୍ତା । ମହାରାଷ୍ଟ୍ର–ଗୌରବ ଶିବାଜୀ ଜଣେ ବିରାଟ ପୁରୁଷ ଥିଲେ ସନ୍ଦେହ ନାହିଁ; ମାତ୍ର ତାଙ୍କର ହୁଏତ ସୂକ୍ଷ୍ମ ମୂଲ୍ୟବୋଧ ନ ଥିଲା । ମହାରାଷ୍ଟ୍ର ଦେଶ ମୋଗଲ ଶାସନରେ ଦାରିଦ୍ର୍ୟ, ନିପୀଡ଼ନ ଓ ଅତ୍ୟାଚାରରେ ଯେପରି ରୁକ୍ଷ, କଙ୍କରିଳ ହୋଇଥିଲା, ସେଥିରେ ମାନବିକତାର ଦୂର୍ବାଦଳ ଶ୍ୟାମାୟିତ ହୁଅନ୍ତା କିପରି ? ତଥାପି ଶିବାଜୀ ବିରାଟ ପୁରୁଷଥିବାରୁ ତାଙ୍କର ମାନବିକତା ପ୍ରତି ସମ୍ମାନ ଥିଲା, ନିସ୍ୱାର୍ଥ ବଳିଦାନର ପ୍ରେରଣା ଥିଲା, ...କିନ୍ତୁ ଶିବାଜୀଙ୍କ ପରେ ପରେ ତାହା ମହାରାଷ୍ଟ୍ରରୁ ଲୋପ ପାଇଗଲା । ରହିଲା ଖାଲି କ୍ଷମତା ପାଇଁ ପରସ୍ପର ମଧ୍ୟରେ ରକ୍ତମୁଖା ସଂଗ୍ରାମ ଓ ଭୋଗର ଉପାଦାନ ସଂଗ୍ରହ କରିବା ପାଇଁ ଅନ୍ୟକୁ ଲୁଣ୍ଠନ କରିବାର ପ୍ରବୃତ୍ତି । ଏଥିପାଇଁ ମରହଟ୍ଟାମାନେ ନିଜଭିତରେ ସଂହତି ଆଣି ପାରି ନ ଥିଲେ, ରାଜସ୍ଥାନର ରାଜପୁତ ଓ ଉତ୍କଳର ଖଣ୍ଡାଏତମାନଙ୍କର ସୁଦ୍ଧା ସେମାନେ ଶ୍ରଦ୍ଧାଭାଜନ ହୋଇ ପାରି ନ ଥିଲେ । ‘ଲଛମା’ ବର୍ଣ୍ଣିତ ରାୟବଣିଆ ଦୁର୍ଗେଶ୍ୱର ହିନ୍ଦୁ ହୋଇ ସୁଦ୍ଧା, ହିନ୍ଦୁ ମରହଟ୍ଟାମାନଙ୍କ ବିରୁଦ୍ଧରେ ଅସ୍ତ୍ର ଉତ୍ତୋଳନ କରିଥିଲେ ! କ୍ଷମତାଲୋଭର ଅଗ୍ନିକୁଣ୍ଡରେ ମରହଟ୍ଟାମାନେ ନିଜକୁ ତ କେବଳ ଆହୁତି ଦେଲେ ନାହିଁ, ତା ସଙ୍ଗେ ସଙ୍ଗେ ଆହୂତି ଦେଲେ ମଧ୍ୟ ହିନ୍ଦୁ ଅଭ୍ୟୁଦୟର ! ରାୟବଣିଆ ଦରବାରରେ ରାୟଗୁରୁ ଅତି ମର୍ମସ୍ପର୍ଶୀ ଭାବରେ, ଯଥାର୍ଥରେ ତେଣୁ କହିଛନ୍ତି...

 

‘‘ହୁଁ–ଐକ୍ୟ–ଐକ୍ୟ–ବିଧାତା ଏକତା ଆର୍ଯ୍ୟ ଅଦୃଷ୍ଟରେ ଲେଖି ନାହାନ୍ତି ।’’

 

ବାସ୍ତବିକ ଏପରି ଅରାଜକ ପରିସ୍ଥିତିରେ ଦେଶବାସୀ ଯେ ବ୍ରିଟିଶ ଶକ୍ତିକୁ ଅଭିନନ୍ଦନ କଲେ, ସେଥିରେ ବିସ୍ମିତ ବା ବିବ୍ରତ ହେବାର କିଛି ଥାଇ ନ ପାରେ । ଦେଶରେ ଜନସାଧାରଣ ସେତେବେଳେ ତ୍ରାହି ତ୍ରାହି ଡାକି ଲୋଡ଼ୁଥିଲେ ନିର୍ମଳ, ନ୍ୟାୟନିଷ୍ଠ, ସୁଶାସକ । ରାୟଗୁରୁ ତେଣୁ, ଜନସାଧାରଣଙ୍କ ସେହି ଆଶା ଓ ଆକାଂକ୍ଷା ପ୍ରକାଶ କରିଛନ୍ତି...‘‘ଆମ୍ଭେ ଅନୁମାନ କରୁଅଛୁ, ଭାରତଖଣ୍ଡବାସୀ ଲୋକମାନଙ୍କର ମଙ୍ଗଳକାମନାରେ ଦୟାମୟ ପରମେଶ୍ୱର ଶ୍ୱେତଦ୍ୱୀପରୁ ଏହି ଶ୍ୱେତକାନ୍ତି ଲୋକମାନଙ୍କୁ ପ୍ରେରଣ କରିଅଛନ୍ତି ।’’ ଏ ପ୍ରକାର ଉକ୍ତି ପ୍ରକାଶ କରିବା ହେତୁ ଅନେକେ ଫକୀରମୋହନଙ୍କର କଟୂ ସମାଲୋଚନା କରିଥାନ୍ତି । ତାଙ୍କର ବହୁ ପରେ ଘୃଣିତ ବ୍ରିଟିଶ ସାମ୍ରାଜ୍ୟବାଦ ପ୍ରତି ଏଥିରେ ଯେଉଁ ଆନୁଗତ୍ୟ ପକାଶ ପାଇଛି, ତାହା ପାଠକ ସାଧାରଣଙ୍କ ପ୍ରାଣରେ କ୍ଷୋଭ ସଞ୍ଚାର କରିବା ସ୍ୱାଭାବିକ । ରାୟଗୁରୁଙ୍କର ଏ ଉକ୍ତି ପ୍ରସଙ୍ଗ ବହିର୍ଭୂତ ଓ ଅବାନ୍ତର; ତାହା ବାଦ୍ ଦେଇଥିଲେ ସୁଦ୍ଧା ଚଳିଥାନ୍ତା । କିନ୍ତୁ ମନେ ରଖିବାର ଅଛି, ସ୍ୱାଧୀନ ଭାରତର ଜାତୀୟସଙ୍ଗୀତ ‘ସୁଜଳାଂ ସୁଫଳାଂ ମଳୟଜ ଶୀତଳାମ୍’ ର କବି ‘‘ଋଷି ବଙ୍କିମଚନ୍ଦ୍ର’’ ସୁଦ୍ଧା ‘ଆନନ୍ଦ ମଠ’ ଉପନ୍ୟାସରେ ବିପ୍ଳବୀ ସତ୍ୟାନନ୍ଦଙ୍କ ମୁହଁରେ ବ୍ରିଟିଶ ଶକ୍ତିର ଅଭିନନ୍ଦନ ଗାନ କରାଇଛନ୍ତି ! ତତ୍‍କାଳୀନ ରାଜନୈତିକ ମନୋଭାବ, ଫକୀରମୋହନ ବା ବଙ୍କିମଚନ୍ଦ୍ର, କୌଣସି ପ୍ରତାରଣା ନକରି ଅକୁଣ୍ଠିତ ଭାବରେ ପ୍ରକାଶ କରିଛନ୍ତି ମାତ୍ର ! ଏହା ସେମାନଙ୍କର ସ୍ୱମତ ହୋଇ ନ ପାରେ । କାରଣ ଫକୀରମୋହନ, ‘ଲଛମା’ ପୂର୍ବରୁ ଲିଖିତ ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସରେ ବ୍ରିଟିଶ ସାମ୍ରାଜ୍ୟବାଦର ଶୋଷଣ ବିରୁଦ୍ଧରେ ତୂର୍ଯ୍ୟନାଦ କରିଛନ୍ତି...

 

‘‘ହେ ହିନ୍ଦୁଧର୍ମୀ ବର୍ଗୀମାନେ, ଇଂରେଜ ପାଣିକାଉଙ୍କୁ ଦେଖି, କେଉଁ ଦେଶରୁ ଖାଲି ପକେଟରେ ଉଡ଼ିଆସି ଚେଙ୍ଗ ବେଙ୍ଗ ଗଡ଼େଇରେ ପେଟ ପୂରେଇ ଚାଲିଗଲେ । ଦୀଘିକୂଳର ବରଗଛରେ ତୁମ୍ଭମାନଙ୍କର ବସା, ଦିନଯାକ ପାଣି ଚକଟି ଚକଟି ଦଣ୍ଡେଇ ପିଲା କେରାଣ୍ଡି ପିଲାରୁ ଅଧିକ କିଛି ପାଉ ନାହିଁ ।’’

 

(ଦ୍ୱାଦଶ ପରିଚ୍ଛେଦ)

 

‘ଲଛମା’ର ଏହାହିଁ ଐତିହାସିକ ପୃଷ୍ଠଭୂମି । ନବାବୀ ଅମଳରେ ଓଡ଼ିଶାର ଏପରି ବାସ୍ତବ ଚିତ୍ର କୌଣସି ଇତିହାସ ଲେଖକ ସୁଦ୍ଧା ଅଙ୍କନ କରିବାକୁ ସମର୍ଥ ହୋଇ ନାହାନ୍ତି ।

 

ଗଳ୍ପାଂଶ ବା ପ୍ଳଟ୍ ଦୃଷ୍ଟିରୁ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ଯଥାର୍ଥରେ ବୈଚିତ୍ର୍ୟହୀନ । ‘ଲଛମା’ରେ ମଧ୍ୟ ଗଳ୍ପର ଚମତ୍କାରିତା ନାହିଁ । ତା ସତ୍ୱେ ‘ଲଛମା’ ଉପନ୍ୟାସ କଳା ଦୃଷ୍ଟିରୁ ‘ବିବାସିନୀ’ ବା ‘ପଦ୍ମମାଳୀ’ ଠାରୁ ଢେର ଉନ୍ନତକୋଟୀର । ‘ଲଛମା’ର ସଂହତି, ଘଟଣାବିନ୍ୟାସ ଓ ପରିବେଷଣରେ ଶୃଙ୍ଖଳା ଏହାକୁ ଓଡ଼ିଆ ଭାଷାରେ ଏକମାତ୍ର ଐତିହାସିକ ଉପନ୍ୟାସର ମର୍ଯ୍ୟାଦାରେ ପ୍ରତିଷ୍ଠିତ କରି ପାରିଛି, କହିଲେ ଅତ୍ୟୁକ୍ତି ହେବ ନାହିଁ । ଐତିହାସିକ ଉପନ୍ୟାସ ଗଳ୍ପ-ସର୍ବସ୍ୱ । କିନ୍ତୁ ଫକୀରମୋହନ କେବଳ ଘଟଣା (action) ଓ ନାଟକୀୟ ପରିବେଷଣରେ ‘ଲଛମା’କୁ ଏକ ଉନ୍ନତକୋଟୀର ଐତିହାସିକ ଉପନ୍ୟାସ କରିପାରିଛନ୍ତି ।

 

‘ଲଛମା’ର ଗଳ୍ପାଂଶ ବା ପ୍ଳଟ୍ ଅତି ସଂକ୍ଷିପ୍ତ । ଏଥିରେ ପୁଣି ଦୁଇଗୋଟି ବିଶିଷ୍ଟଘଟଣାକୁ ଗୋଟିଏ ପ୍ଳଟରେ ଗ୍ରଥିତ କରାଯାଇଅଛି । ଗୋଟିଏ ହେଉଛି ଭାସ୍କର ପଣ୍ଡିତ ସହିତ ନବାବ ଆଲ୍ଲିବର୍ଦ୍ଦିଖାଁଙ୍କ ଯୁଦ୍ଧ ଓ ଅନ୍ୟଟି ହେଉଛି ଲଛମା ଓ ବାଦଲ ସିଂହଙ୍କର ଗୋଡ଼ିଖାଲ ରାହାଜାନିରେ, ପିତୃହତ୍ୟା ତଥା ଆନ୍ୟ ଆତ୍ମୀୟସ୍ୱଜନ ହତ୍ୟାର ପ୍ରତିଶୋଧ ଓ ପୁନର୍ମିଳନ । ବସ୍ତୁତଃ ଆଲ୍ଲିବର୍ଦି ଖାଁ ଓ ଭାସ୍କର ପଣ୍ତିତଙ୍କ ମଧ୍ୟରେ ଯୁଦ୍ଧର ପୃଷ୍ଠଭୂମିରେ ଲଛମା ଓ ବାଦଲ ସିଂହଙ୍କ ବୈଚିତ୍ର୍ୟମୟ ଜୀବନର କାହାଣୀ ନାଟକୀୟ ରାତିରେ ଚିତ୍ରିତ ହୋଇଅଛି । ପ୍ରଥମୋକ୍ତ ଘଟଣାଟି ଏକ ଐତିହାସିକ ସତ୍ୟ, ମାତ୍ର ଶେଷୋକ୍ତ ଘଟଣାଟି ଫକୀରମୋହନଙ୍କ କଳ୍ପନାପ୍ରସୂତ । ଅଥଚ ଶେଷୋକ୍ତ ଘଟଣାଟି ଲକ୍ଷ୍ୟ, ପ୍ରଥମୋକ୍ତ ଘଟଣାଟି ପନ୍ଥା । ଯଥାର୍ଥରେ ଐତିହାସିକ ଉପନ୍ୟାସର ତାହାହିଁ ଗଠନ ରୀତି–ଇତିହାସ ସେଠି ଲକ୍ଷ୍ୟ ନ ହୋଇ ପନ୍ଥା ରୂପେ ବ୍ୟବହୃତ ହୋଇଥାଏ । ନଚେତ୍ ସାର୍ ଯଦୁନାଥଙ୍କର ‘ଆଓରଙ୍ଗଜେବ ଚରିତ’ ଏକ ଉତ୍କୃଷ୍ଟ ଐତିହାସିକ ଉପନ୍ୟାସ ରୂପେ ବିବେଚିତ ହୁଅନ୍ତା ।

 

ପୁଷମାସିଆ ସଞ୍ଜବେଳ । ଦଳେ ପଶ୍ଚିମା ଜଗନ୍ନାଥଯାତ୍ରୀ ସୁବର୍ଣ୍ଣରେଖା ପାରି ହୋଇ ଦକ୍ଷିଣମୁହାଁ, ବଡ଼ଦାଣ୍ଡରେ ବହୁ ମାଲପତ୍ର ଲଦନ–ତଟୁରେ ଲଦି, କେହି ତଟୁ ଘୋଡ଼ାରେ, ଆଉ କେହି ବା ପାଦରେ ଚାଲିଥାନ୍ତି । ଏହି ସମୟରେ ଏମାନଙ୍କ ଉପରେ ବର୍ଗୀମାନେ ଆକସ୍ମିକ ଆକ୍ରମଣ ଆରମ୍ଭ କରିଦେଲେ । ଯାତ୍ରୀ ଦଳରେ ଥିବା ପୁରୁଷମାନେ ଯେ କେତେଜଣ ଥିଲେ, ବର୍ଗୀମାନଙ୍କର ପ୍ରତିରୋଧ କରିବାକୁ ଯାଇଁ କେତେ ମଲେ, ଆଉ ଯାତ୍ରୀ ଦଳର ଅନ୍ୟମାନେ କିଏ ଖଣ୍ଡିଆ ଖାବୁଡ଼ା ହୋଇ ଆଉ କିଏ ବା ଅକ୍ଷତ ଶରୀରରେ ଜଙ୍ଗଲରେ ଲୁଚି ଆତ୍ମରକ୍ଷା କଲେ । ଏ ଯାତ୍ରୀମାନଙ୍କ ମଧ୍ୟରେ ଥିଲେ ଲଛମା ଓ ଲଛମାର ସ୍ୱାମୀ ବାଦଲ ସିଂ । ସେହି ସଙ୍କଟପୂର୍ଣ୍ଣ ସନ୍ଧ୍ୟାରେ, ପରସ୍ପର ପରସ୍ପରକୁ ମୃତ ଅଥବା ଅପହୃତ ଭାବି, କିଏ ଯେ କୁଆଡ଼େ ଗଲେ–ତାର ପତ୍ତା ରହିଲା ନାହିଁ । ଲଛମା, ସୌଭାଗ୍ୟକୁ ରାୟବଣିଆ ଦୂର୍ଗରେ ଆଶ୍ରୟ ପାଇଲା । ଦୂର୍ଗେଶ୍ୱର ସାମନ୍ତରାୟ ରାଘବ ରାଟସିଂହ ଜଗଦ୍ଦେବ ବୈରିଗଞ୍ଜନ ମାନ୍ଧାତା, ଅନ୍ୟ ସକଳ ପ୍ରକାର ସାଂସାରିକ ସୌଭାଗ୍ୟରେ ଭାଗ୍ୟବାନ ଥିଲେହେଁ ନିଃସନ୍ତାନ ଥିଲେ । ତେଣୁ ମାନ୍ଧାତା ଓ ଦେବୀସ୍ୱରୂପା ମହାଦେବୀ ଲଛମାକୁ ପରମ ଶ୍ରଦ୍ଧାରେ ଆଶ୍ରୟ ଦେଲେ । ଇତିମଧ୍ୟରେ ମରହଟ୍ଟା ଭାସ୍କର ପଣ୍ଡିତଙ୍କ ଜୁଲୁମ ଓଡ଼ିଶା ମାହାଲରେ ଦିନୁ ଦିନ ପ୍ରବଳ ହେବାରୁ, ନବାବ ଆର୍ଲ୍ଲିବର୍ଦ୍ଦିଖାଁ ବହୁ ସୈନ୍ୟ ସମଭିବ୍ୟାହାରରେ ମୂର୍ଶିଦାବାଦରୁ ବାଲେଶ୍ୱର ଅଭିମୂଖରେ ଯୁଦ୍ଧଯାତ୍ରାରେ ବାହାରିଲେ । ଏ ଯୁଦ୍ଧରେ ରାୟବଣିଆର ଦୁର୍ଗେଶ୍ୱର ନିଜର ପାଇକମାନଙ୍କୁ ଦେଇ, ଆର୍ଲ୍ଲିବର୍ଦ୍ଦିଖାଁଙ୍କୁ ସହାୟତା କରିଥିଲେ । ପ୍ରଥମେ ହଳହୀପଦାଠାରେ ଯୁଦ୍ଧ ହେଲା । ମାତ୍ର ସମରକୌଶଳୀ କଷ୍ଟସହିଷ୍ଣୁ ବର୍ଗୀ ସୈନ୍ୟବାହିନୀର ରଣଚାତୁରୀ ଆଗରେ ପୃଷ୍ଠଭଙ୍ଗ ଦେଇ, ବହୁ କ୍ଷତି ସହି ନବାବ ଆର୍ଲ୍ଲିବର୍ଦ୍ଦି ପଳାୟନ କଲେ । ଏହାପରେ ଫୁଲଓଆରଠାରେ ଯୁଦ୍ଧ ହେଲା । ଏଠାରେ ବର୍ଗୀମାନଙ୍କର ଆକ୍ରମଣରେ ନବାବଙ୍କ ସମେତ ତୁର୍କ ସୈନ୍ୟବାହିନୀର ଶୋଚନୀୟ ବିନାଶ ହୋଇଥାନ୍ତା– ଯଦି ରାୟବଣିଆର ସମରକୁଶଳୀ ପାଇକମାନେ ନବାବ ପକ୍ଷ ସମର୍ଥନ କରି ନ ଥାନ୍ତେ । ରାୟବଣିଆ ପାଇକମାନେ ଆରଣ୍ୟ–ଯୁଦ୍ଧରେ ଅତି ନିପୁଣ । ଭାସ୍କର ପଣ୍ଡିତ ସେମାନଙ୍କ ଆକ୍ରମଣର ସମ୍ମୁଖୀନ ହୋଇ ପାରିଲେ ନାହିଁ । ତାଙ୍କର ସୈନ୍ୟବାହିନୀର ଅର୍ଦ୍ଧାଧିକ ସୈନ୍ୟ ସେହି ଯୁଦ୍ଧକ୍ଷେତ୍ରରେ ପ୍ରାଣ ହରାଇଲେ । ସେହି ଅବସରରେ ନବାବ ରାଜଘାଟ ସ୍କନ୍ଧାବାର ପରିତ୍ୟାଗ କରି, ଦାମୋଦର କୂଳବର୍ତ୍ତୀ ତେବରା ନାମକ ସ୍ଥାନକୁ ପଳାୟନ କଲେ । ଏହାପରେ ମରହଟ୍ଟାମାନଙ୍କର କୋପଦୃଷ୍ଟି ପଡ଼ିଲା ରାୟବଣିୟା ଦୂର୍ଗେଶ୍ୱର ମାନ୍ଧାତାଙ୍କ ଉପରେ । ସେ ନବାବଙ୍କ ପକ୍ଷାବଲମ୍ୱନ କରି ନ ଥିଲେ, ମରହଟ୍ଟାମାନଙ୍କର ଜୟ ସୁନିଶ୍ଚିତ ଥିଲା । ତେଣୁ ମାନ୍ଧାତାଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ବେରାରପତି ଦାକ୍ଷିଣାତ୍ୟ ଫୌଜଦାର ନୌଜୀ ରାଓଙ୍କ ନେତୃତ୍ୱରେ ଦଶ ସହସ୍ର ଅଶ୍ୱାରୋହୀ ପାଇକ ରାୟବଣିଆ ଆକ୍ରମଣ କରିବାକୁ ପଠାଇଲେ । ଏଣେ ମାନ୍ଧାତାଙ୍କ ସମସ୍ତ ଉପଯୁକ୍ତ ଦଳେଇ ଓ ଦଳବେହେରାମାନେ ନବାବଙ୍କ ସ୍କନ୍ଧାବାରରେ, ମରହଟ୍ଟା ଆକ୍ରମଣ ଆଗୁଳିବା ପାଇଁ ବସିଛନ୍ତି । ନବାବଙ୍କଠାରୁ ସାହାଯ୍ୟ ପାଇବା ତ ଦୂରର କଥା, ତାଙ୍କ ନିକଟକୁ ମରହଟ୍ଟା ଆକ୍ରମଣର ସମ୍ୱାଦ ପଠାଇବା ପାଇଁ ସୁଦ୍ଧା ଅବକାଶ ନ ଥିଲା । ତଥାପି ମାନ୍ଧାତା ବୁକୁରେ ସାହାସ ବାନ୍ଧି ଦୂର୍ଗରକ୍ଷା ପାଇଁ ପ୍ରଚଣ୍ଡ ଉଦ୍ୟମ ଚଳାଇଲେ । କିନ୍ତୁ ଦୁର୍ଗରକ୍ଷା ସମ୍ଭବ ହେଲା ନାହିଁ । ମହାଦେବୀ ଦୁର୍ଗର ଅନ୍ୟ ମହିଳାମାନଙ୍କ ସହିତ ଆତ୍ମବିସର୍ଜନ କଲେ । ମାନ୍ଧାତାଙ୍କୁ ବନ୍ଦୀ କରି ଭାସ୍କର ପଣ୍ଡିତଙ୍କ ନିକଟକୁ ଅଣାଗଲା । ତଥାପି ମାନ୍ଧାତାଙ୍କର ଉନ୍ନତ ଶିର ଅବନତ ହେଲା ନାହିଁ । ଭାସ୍କର ପଣ୍ଡିତର ଆଦେଶରେ ସେହିଠାରେ ମାନ୍ଧାତାଙ୍କର ଶିରଚ୍ଛେଦ ହେଲା । ଏଣେ ମହାଦେବୀ ଆଗରୁ ମରହଟ୍ଟା ଆକ୍ରମଣ ସୁନିଶ୍ଚିତ ଜାଣି ଲଛମାକୁ ଆକ୍ରମଣର ବହୁପୂର୍ବରୁ, ଦୁର୍ଗ ବାହାରକୁ ପଠାଇ ଦେଇଥିଲେ । ତେଣୁ ରାୟବଣିଆ ଦୁର୍ଗର ପତନ ପରେ, ସେଇ ଏକା ଜୀବିତ ଥିଲା । ପ୍ରାଣରେ ତାର ମରହଟ୍ଟାମାନଙ୍କ ବିରୁଦ୍ଧରେ ପ୍ରତିହିଂସାର ଦାରୁଣ ବହ୍ନି ଜଳୁଥିଲା । ସେ ତେଣୁ ଶତ୍ରୁ ସାଧନର ସୁଯୋଗ ଅନ୍ୱେଷଣରେ ଏକ ପୁରୁଷ ପାନାରାର ଛଦ୍ମବେଶ ଧରି ମରହଟ୍ଟା ସୈନ୍ୟବାହିନୀ ସହିତ ସ୍ଥାନରୁ ସ୍ଥାନାନ୍ତର ବୁଲିଲା–କାଳେ ଯଦି ଭାସ୍କର ପଣ୍ଡିତକୁ ହତ୍ୟା କରିବାର ସୁଯୋଗ କେବେ ମିଳିପାରେ । ଏଣେ ନବାବ ଦାମୋଦରନଦୀକୂଳସ୍ଥ ମହିଷରେଖା ଗ୍ରାମର ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଛନ୍ତି । ରାତ୍ରିକାଳ । ହଠାତ୍ ମରହଟ୍ଟାବାହିନୀ ନବାବଙ୍କ ସ୍କନ୍ଧାବାର ଆକ୍ରମଣ କଲେ । ନବାବ ସୈନ୍ୟବାହିନୀ ସୁସଜ୍ଜିତ ଥିଲେ ସୁଦ୍ଧା ବର୍ଗୀମାନଙ୍କ ସହିତ ନୈଶସମରରେ ପାରିଲେ ନାହିଁ । ନବାବ ପକ୍ଷରୁ ବହୁଲୋକ କ୍ଷୟ ହେଲା । ନବାବଙ୍କ ପ୍ରାଣରକ୍ଷା ମଧ୍ୟ ଅନିଶ୍ଚିତ ଥିଲା । ଜଣେ ବର୍ଗୀ, ଗୋଟିଏ ତୀକ୍ଷ୍‍ଣ ବର୍ଚ୍ଛା ନବାବଙ୍କ ପ୍ରତି ଲକ୍ଷ୍ୟ ରଖି ନିକ୍ଷେପ କରୁଥିଲାବେଳେ, କୁଆଡ଼ୁ ନିପୁଣ ହସ୍ତରୁ ନିକ୍ଷିପ୍ତ ଗୋଟିଏ ବର୍ଚ୍ଛା ଆସି ବର୍ଗୀଟିର ସଙ୍ଗେ ସଙ୍ଗେ ପ୍ରାଣ ସଂହାର କରିଦେଲା । ଏହାପରେ ଆଉ ତିନିଜଣ ବର୍ଗୀ ଆସି, ବର୍ଚ୍ଛା ଲକ୍ଷ୍ୟ କରି ନବାବଙ୍କୁ ଘେରିଗଲେ । ମାତ୍ର ଦୈବପ୍ରେରିତ ତୁଲ୍ୟ କୁଆଡ଼ୁ ଜଣେ ବଳିଷ୍ଠ ଯୁବକ ଆସି, ସେ ବର୍ଗୀ ତିନିଜଣଙ୍କୁ ହତ୍ୟା କରି, ନବାବଙ୍କ ପ୍ରାଣରକ୍ଷା କଲା । ଯୁବକଟିର ନାମ ବାଦଲ ସିଂ–ଲଛମାର ସ୍ୱାମୀ । ଗୋଡ଼ିଖାଲ ରାହାଜାନିରେ ସେ କୌଣସି ମତେ ଆତ୍ମରକ୍ଷା କରି, ସେହିଦିନୁ ମରହଟ୍ଟା ବିରୁଦ୍ଧରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ, ହୁଏତ ନବାବ ସୈନ୍ୟବାହିନୀ ସହିତ ବୁଲୁଥିଲା । ଏହାପରେ ବାଦଲ ସିଂ ନବାବଙ୍କ ପ୍ରାଣରକ୍ଷା କରିଥିବା ହେତୁ ନବାବ ସ୍କନ୍ଧାବାରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଗଲା । ନବାବଙ୍କ ସେନାପତି ମହଲରେ ମଧ୍ୟ ତାର ମର୍ଯ୍ୟାଦା ବଢ଼ିଗଲା । ନବାବ ବା ତାଙ୍କର ସେନାପତିମାନେ, ମରହଟ୍ଟା ବିରୁଦ୍ଧରେ ଲଢ଼ାଇ ଆଉ ଚାଲୁ ରଖିବା ପାଇଁ ଧୈର୍ଯ୍ୟ ହରାଇ ବସିଲେ, ବାଦଲ ସିଂର ଉତ୍ତେଜନା ଓ ପ୍ରେରଣାହିଁ ସେମାନଙ୍କୁ ଦେଉଥିଲା ସାହସ । ନବାବ ଏଣେ ସ୍ଥାନରୁ ସ୍ଥାନାନ୍ତର, ମହିଷରେଖାରୁ କାଟୋୟା, କାଟୋୟାରୁ ମୂର୍ଶିଦାବାଦ ହତାଶ ହୋଇ ବୁଲୁଥାନ୍ତି । ଇତିମଧ୍ୟରେ ତାଙ୍କ ଅବସ୍ଥାରେ ଅବଶ୍ୟ ସାମାନ୍ୟ ଉନ୍ନତି ହୋଇଥିଲା । ତେଣେ ଭାସ୍କର ପଣ୍ତିତ ମଧ୍ୟ ଯୁଦ୍ଧର ଅନିଶ୍ଚିତ ଫଳାଫଳ ଦେଖି, ହତାଶ ହୋଇ କାଟୋୟାଠାରେ ଗାଲରେ ହାତ ଦେଇ ବସିଥାନ୍ତି । ତାଙ୍କର ଆଶା ଯଦି ଏଇ ଧମକରେ ନବାବଠାରୁ କୋଟିଏ ପର୍ଯ୍ୟନ୍ତ ଟଙ୍କା ଆଦାୟ ହୋଇପାରେ–ତେବେ ଯାଇଁ, ସବୁ ଶ୍ରମ ସାର୍ଥକ ହେବ । ଏଣେ ନବାବଙ୍କର ମଧ୍ୟ ଶାନ୍ତି ନାହିଁ । ସେ ମଧ୍ୟ ଶତ୍ରୁ ବିନାଶର ଉପାୟରେ ଚିନ୍ତିତ–ହେଲେ ଉପାୟ ଦିଶୁନାହିଁ । ମରହଟ୍ଟା ସହିତ ସନ୍ଧି କରି, ସେ ଶାନ୍ତିର ସମ୍ଭାବନା ମଧ୍ୟ କଳନା କରୁଥାନ୍ତି । ତ ହେଲେ ବାଦଲ ସିଂହର ବ୍ରତ କ’ଣ ଅପୂର୍ଣ୍ଣ ରହିବ ? ଭାସ୍କର ପଣ୍ଡିତ ବିରୁଦ୍ଧରେ ପ୍ରତିଶୋଧର କଳ୍ପନା କ’ଣ ଖାଲି କଳ୍ପନାରେ ରହିବ ?

 

‘‘ବାଦଲ୍ ସିଂହ, କିଞ୍ଚିତ ଅପ୍ରତିଭ, ବିନୀତ ହୋଇ କହିଲେ, ଜାହାପାନା, ହଜୁର ! ଦୁସ୍‍ମନ୍ ବିନାଶର କି ଅନ୍ୟ କିଛି ଉପାୟ ନାହିଁ ?’’

 

ଏ ଉତ୍ତାରେ ନବାବ ଓ ବଦଲ୍ ସିଂହ ଦୁଇଜଣ ଅନେକ ରାତ୍ର ପର୍ଯ୍ୟନ୍ତ ଅତି ସଂଗୋପନରେ ବସି ମନ୍ତ୍ରଣା କଲେ । ଏତେ ସାବଧାନ ଏତେ ଅନୁଚ୍ଚ ସ୍ୱରରେ କଥୋପକଥନ ହେଲେ ଯେ ଅନ୍ୟ ପ୍ରାଣୀର ଆଗୋଚର । ଅବଶେଷରେ ନବାବ କହିଲେ–‘‘ପାରିବ ତ ?’’

 

ବାଦଲ ସିଂହ– ନିଶ୍ଚୟ, ନିଶ୍ଚୟ, ନିଶ୍ଚୟ, ଜାହାଁପାନା ! ମୁଁ ଧର୍ମ, ଅଧର୍ମ ଜାଣେନାହିଁ, ନ୍ୟାୟ ଅନ୍ୟାୟ ଜାଣେ ନାହିଁ । ଏତିକି ଜାଣେ ପିତୃଘାତୀ ମୋହର ବଧ୍ୟ । ସ୍ୱହସ୍ତରେ ପିତୃହନ୍ତାକୁ ବଧ କରିବି, ଏହାହିଁ ମୋର ପ୍ରତିଜ୍ଞା ।’’ ଆଲିବର୍ଦ୍ଦି ଦେଖିଲେ ଭାସ୍କର ପଣ୍ଡିତକୁ ଯୁଦ୍ଧରେ ମାରି ହେବ ନାହିଁ, ତେଣୁ ବାଦଲ ସିଂହର ପରାମର୍ଶ ମତେ ତାକୁ କୌଶଳରେ ହତ୍ୟା କରିବା ପାଇଁ ପଡ଼ିବ । ତେଣୁ ଅର୍ଥଲୋଭୀ ଭାସ୍କର ପଣ୍ଡିତକୁ ବହୁ ଅର୍ଥ ବିନିମୟରେ ସନ୍ଧି ସ୍ୱୀକାର କରିବା ପାଇଁ ଦେବାନ ଜାନକୀ ରାମ ଓ ସର୍ଦାର ଖାଁଙ୍କୁ ପଠାଗଲା । ମଳୁ ଖୋଜୁଥିଲା ଯାହା, ବଇଦ ବତେଇଲା ସେଇଆ-। ବର୍ଗୀ ପାଇକମାନେ ରଣକ୍ଳାନ୍ତ, ଯୁଦ୍ଧର ଅନିଶ୍ଚତ ଫଳାଫଳ ସେ କ୍ଳାନ୍ତିକୁ ପୁଣି ଆଉରି ପୀଡ଼ାଦାୟକ କରି ଦେଇଥିଲା । ଭାସ୍କର ପଣ୍ଡିତ ଏ ପରିସ୍ଥିତିରେ ସନ୍ଧି ପ୍ରସ୍ତାବକୁ ପରମ ଆନନ୍ଦର ସହିତ ମନେମନେ ଗ୍ରହଣ କଲେହେଁ, ପ୍ରଥମେ ଅସମ୍ମତିର ଅଭିନୟ କଲେ । ଅବଶେଷରେ, ନବାବଙ୍କ ସ୍କନ୍ଧାବାର ମୂର୍ଶିଦାବାଦ ଓ ଭାସ୍କର ପଣ୍ଡିତଙ୍କ ସ୍କନ୍ଧାବାର କାଟୋୟା ମଧ୍ୟବର୍ତ୍ତୀ ମାନକର ନାମକ ସ୍ଥାନରେ ନବାବଙ୍କ ଶବିରରେ ଉଭୟ ପକ୍ଷର ମିଳନ ହେବା ସ୍ଥିର ହେଲା । ଭାସ୍କର ପଣ୍ଡିତ ନିର୍ଦ୍ଦିଷ୍ଟ ଦିବସରେ ନବାବଙ୍କ ଶିବିର ମଧ୍ୟରେ ସନ୍ଧିସ୍ୱାକ୍ଷର ପାଇଁ ପଶୁ ପଶୁ ଦୁଇଜଣ ବଳିଷ୍ଠ ଯୁବକ ଦୁଇ ବିପରୀତ ପାର୍ଶ୍ୱରୁ ଆସି, ତାଙ୍କ ଉପରେ ଲମ୍ଫ ଦେଇ ତାଙ୍କୁ ହତ୍ୟା କଲେ । ବୋଲିବା ନିଷ୍ପ୍ରୟୋଜନ ଏ ଦୁହିଙ୍କ ମଧ୍ୟରୁ ଜଣେ ବାଦଲ ସିଂହ ଓ ଅନ୍ୟ ଜଣକ ପୁରୁଷବେଶଧାରୀ ଲଛମା–ଭାସ୍କର ପଣ୍ଡିତଙ୍କ ସହିତ ସେ ସନ୍ଧିସ୍ୱାକ୍ଷର ଦେଖିବା ପାଇଁ ଆସିଥିଲା । ସେତେବେଳେ କିନ୍ତୁ କାହାର କାହା ସହିତ ପରିଚୟ ହୋଇ ନ ଥିଲା । ବାଦଲ୍ ଓ ଲଛମାର ବ୍ରତ ପୂର୍ଣ୍ଣ ହେଲା । ଏହାପରେ ଗୟାତୀର୍ଥରେ ଲଛମା ଓ ବାଦଲ୍ ସିଂହର ପୂର୍ଣ୍ଣ ମିଳନ ହେଲା । ନବାବ କୃତଜ୍ଞତାର ସଙ୍କେତ ରୂପେ ବାଦଲ ସିଂହଙ୍କୁ ରାୟବଣିଆର ଦୂର୍ଗେଶ୍ୱର ପଦରେ ଅଭିଷିକ୍ତ କଲେ ।

 

ମେଲୋଡ଼୍ରାମା ବା ନାଟକୀୟ ଅତିରଞ୍ଜନ ଫକୀରମୋହନଙ୍କର ସବୁ ଉପନ୍ୟାସରେ ପରିଲକ୍ଷିତ ହେଲେହେଁ ‘ଲଛମା’ରେ ତାହାର ମାତ୍ରାଧିକ୍ୟ ହୋଇଥିଲା ପରି ମନେହୁଏ । କିନ୍ତୁ ଗଳ୍ପର ପରିବେଷଣ, ପୁଣି ନାଟକୀୟ ସଂଳାପ ଓ ବିଳମ୍ୱନ (suspense) ‘ଲଛମା’କୁ ବହୁ ସୁଖପାଠ୍ୟ କରି ପାରିଅଛି । ଫକୀରମୋହନଙ୍କ ଅନ୍ୟ ସାମାଜିକ ଉପନ୍ୟାସଗୁଡ଼ିକର ପ୍ରଧାନ ଅବଲମ୍ୱନ ଚରିତ୍ର-ଚିତ୍ରଣ । କିନ୍ତୁ ଐତିହାସିକ ଉପନ୍ୟାସରେ ଚରିତ୍ରଚିତ୍ରଣ ଅପେକ୍ଷା ଘଟଣା ଓ କ୍ରିୟାରେ ଚମତ୍କାରିତା, ଚରିତ୍ରଚିତ୍ରଣଠାରୁ ଅଧିକ ଉପଯୋଗୀ । ତେଣୁ ‘ଲଛମା’–ବର୍ଣ୍ଣିତ ଐତିହାସିକ ଚରିତ୍ରଗୁଡ଼ିକ ଆଦୌ ଜୀବନ୍ତ ନୁହନ୍ତି । ରାମଚନ୍ଦ୍ର ମଙ୍ଗରାଜ ‘ଛମାଣ ଆଠଗୁଣ୍ଠ’ରେ ଯେପରି ଜୀବନ୍ତ, ଆଲ୍ଲିବର୍ଦ୍ଦୀ ଖାଁ ସେପରି ନୁହନ୍ତି । ପୁଣି ‘ଲଛମା’ ପାଠରୁ ଭାସ୍କର ପଣ୍ଡିତଙ୍କ ଗୋଟିଏ ମାନସିକ ପ୍ରତିକୃତି ଅଙ୍କନ ପାଇଁ କେହି ଚେଷ୍ଟା କଲେ ନିଶ୍ଚୟ ହତାଶ ହେବ । ମାତ୍ର ତାହାକୁ ଫକୀରମୋହନଙ୍କ ଔପନ୍ୟାସିକ ଅପୂର୍ଣ୍ଣତା ବୋଲି ଧରାଯାଇ ନ ପାରେ । କାରଣ ଚରିତ୍ରଚିତ୍ରଣ ପାଇଁ ଐତିହାସିକ ଉପନ୍ୟାସର ସୃଷ୍ଟି ନୁହେଁ । ଐତିହାସିକ ଉପନ୍ୟାସ, ଘଟଣା–ସର୍ବସ୍ୱ-। ଇତିହାସରେ ଘଟି ଯାଇଥିବା କୌଣସି ଏକ ନିର୍ଦ୍ଦିଷ୍ଟ ଘଟଣାକୁ ଅବଲମ୍ୱନ କରି ଐତିହାସିକ ଉପନ୍ୟାସ ରଚିତ ହୋଇଥାଏ । ଘଟି ଯାଇଥିବା ଘଟଣା ପୁଣି, ପୁରୁଷକାର ଓ ଭବିତବ୍ୟ ମଧ୍ୟରେ ସଂଘର୍ଷର ଏକ ପରିଣତି । ମନୁଷ୍ୟ ନିଜ ପୁରୁଷକାର ବଳରେ ହୁଏତ କୌଣସି ଏକ ଘଟଣାର ନିର୍ଦ୍ଦିଷ୍ଟ ପରିଣତିକୁ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରିତ କରି ପାରିଥାଏ । କିନ୍ତୁ ତାହା ଘଟିଗଲା ପରେ, ଘଟଣା ହୁଏ ମୁଖ୍ୟ ଓ ବ୍ୟକ୍ତି ହୁଏ ଗୌଣ । ଐତିହାସିକ ଉପନ୍ୟାସରେ ତେଣୁ ପ୍ରତ୍ୟେକ ଚରିତ୍ରର ସେହି ନିର୍ଦ୍ଦିଷ୍ଟ ପରିଣତି ଆଡ଼େ ଘଟଣାକୁ ମୁହାଁଇ ନେବା ଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟ ନ ଥାଏ-। ଚରିତ୍ର ଏଥିରେ ଲକ୍ଷ୍ୟ, ନୁହେଁ–ପନ୍ଥା । ଅତଏବ ‘ଲଛମା’ରେ ଫକୀରମୋହନଙ୍କ ସ୍ୱଭାବସିଦ୍ଧ ଚରିତ୍ରଚିତ୍ରଣ ନୈପୁନ୍ୟ ପରିଲକ୍ଷିତ ହୁଏ ନାହିଁ । ଘଟଣା ଓ କ୍ରିୟାର (incident and action) ବଳିଷ୍ଠ ଜୀବନ୍ତ ବର୍ଣ୍ଣନା ‘ଲଛମା’ର ଏକ ଉଲ୍ଲେଖଯୋଗ୍ୟ ବୈଶିଷ୍ଟ୍ୟ । ରାୟବଣିଆ ଦୁର୍ଗରେ ମାନ୍ଧାତାଙ୍କ ଦରବାରରେ ଲଛମାର ଆଶ୍ରୟଲାଭ, ଆଲ୍ଲିବର୍ଦ୍ଦୀଙ୍କ ଫୌଜକୁଚ ଓ ଫୁଲୱାର ବା ହଳଦୀପଦା ଯୁଦ୍ଧକ୍ଷେତ୍ରର ବର୍ଣ୍ଣନା ଯେପରି ଚମତ୍କାର, ସେପରି ଚିତ୍ତାକର୍ଷକ । ମୋଗଲ-ମରହଟ୍ଟା କାଳର ଇତିହାସ, ସେ ଯୁଗର ଆଚାର, ସଂସ୍କୃତି, ଚଳଣୀ, ଏପରିକି ରଣକୌଶଳ ସହିତ ଫକୀରମୋହନଙ୍କର କି ନିବିଡ଼ ପରିଚୟ ଥିଲା ,ତାହା ଭାବିଲେ ଯଥାର୍ଥରେ ବିସ୍ମିତ ହେବାକୁ ହୁଏ-। ମୋଗଲ ଶକ୍ତିର ବିଲୟ ବେଳକୁ ମୋଗଲ ସୈନ୍ୟବାହିନୀରେ ବିଳାସପ୍ରିୟତା, ଅର୍ଥଲୋଭ, ବିଶ୍ୱାସଘାତକତା ପ୍ରଭୃତି ଅତି ମାରାତ୍ମକ ବ୍ୟାଧି ପ୍ରକାଶ ପାଇଥିଲା । ମୁସ୍ତାଫା ବା ମୀର ହବିବ୍‌ଙ୍କ ପରି ସେନାପତିମାନେ, ଯେଉଁମାନେ ଦିନେ ଭାରତରେ ମୋଗଲ ଶକ୍ତିର ପ୍ରାଣ ପ୍ରତିଷ୍ଟାତା ଥିଲେ, ଆଲୋଚିତ କାଳକୁ ପୂର୍ବର ସମସ୍ତ ପ୍ରେରଣା ଓ ପୌରୁଷ ହରାଇ ସାରିଥିଲେ । ତେଣୁ ବାଦଲ୍ ସିଂହ ସୁଦ୍ଧା ନବାବଙ୍କ ସମ୍ମୁଖରେ ତାଚ୍ଛଲ୍ୟ ପ୍ରକାଶ କରି କହି ପାରିଥିଲା... ‘ଆପଣଙ୍କ କାବୁଲି କିସମିସ ବାଲା ସେନାପତିଙ୍କୁ ଭଲ କରି ଚିହ୍ନିଲିଣି । ଭୁକିଲା କୁକୁର ମୁହରେ ମାଂସ ଖଣ୍ଡେ ଗୁଞ୍ଜିଦେଲେ ତୁନି-। ’ପୁଣି ମରହଟ୍ଟା ସୈନ୍ୟବାହିନୀ ଅପେକ୍ଷା ତୁର୍କ ସୈନ୍ୟବାହିନୀ ଜନବଳ ଓ ଅସ୍ରବଳରେ ଅଧିକ ବଳୀୟାନ୍ ଥିଲେ ସୁଦ୍ଧା, ମରହଟ୍ଟା ବର୍ଗୀମାନଙ୍କ ହାତରେ ମୋଗଲ ସୈନ୍ୟମାନଙ୍କର ପରାଜୟ, ଏକ ସାଧାରଣ ଘଟଣା ଥିଲା । କାରଣ ମରହଟ୍ଟାମାନଙ୍କର କ୍ଷିପ୍ରକାରିତା, ଚତୁରତା ଓ କଷ୍ଟସହିଷ୍ଣୁତା ମୋଗଲମାନଙ୍କର ନ ଥିଲା । ଯୁଦ୍ଧକ୍ଷେତ୍ରରେ ମୁଠାଏ ଶୁଖିଲା ବୁଟ ଚୋବାଇଦେଲେ ମରହଟ୍ଟା ସୈନ୍ୟମାନଙ୍କର ଆହାର କାର୍ଯ୍ୟ ସମାପ୍ତ ହେଉଥିଲା; କିନ୍ତୁ ‘‘ଖାଁ ସାହେବମାନେ ଯୁଦ୍ଧରେ ନିଯୁକ୍ତ ଥିବା ସମୟରେ ବବୁର୍ଚ୍ଚି ପଲାଓ କାଲିଆ କବାବ୍ ରାନ୍ଧିବାରେ ବ୍ୟସ୍ତ ଥାଏ ।’’ ପୁଣି ‘‘ବଡ଼ ବଡ଼ ଖାଁ ସାହେବମାନେ ଯୁଦ୍ଧଯାତ୍ରା ସମୟରେ ମଧ୍ୟ ଦାଢ଼ିରେ ଅତର ବିନ୍ଦୁ ସଂଲଗ୍ନ କରିବାକୁ ବିସ୍ମୃତ’’ ହେଉ ନ ଥିଲେ । ମୋଗଲ ଓ ମରହଟ୍ଟା ଶକ୍ତିର ପତନ କାଳରେ, ପୁଣି ବ୍ରିଟିଶ ଶାସନ ଓଡ଼ିଶାରେ ପ୍ରତିଷ୍ଟିତ ହେବାର ପ୍ରାକ୍‍କାଳରେ ଖଣ୍ଡାୟତ ଦୁର୍ଗପତି, ବିଶେଷରେ ରାୟବଣିଆ ଦୁର୍ଗର ଯେଉଁ ଜୀବନ୍ତ ଚିତ୍ର ଫକୀରମୋହନ ଅଙ୍କନ କରିଛନ୍ତି, ତାହା ଯେପରି ମନୋଜ୍ଞ, ସେହିପରି ଉଦ୍ଦୀପକ । ‘ଲଛମା’ ତେଣୁ ଖାଲି ଉପନ୍ୟାସ ନୁହେଁ, ଆଲ୍ଲିବର୍ଦ୍ଦି ଖାଁଙ୍କ ନବାବୀ ଅମଳରେ ଓଡ଼ିଶାର ଏକ ରାଜନୈତିକ, ସାମାଜିକ, ତଥା ଐତିହାସିକ ଚିତ୍ର ।

 

‘ଲଛମା’ର ଗଠନଶୈଳୀରେ ଫକୀରମୋହନ ନାଟକୀୟ ସଂଳାପର ଯେପରି ବହୁଳ ପ୍ରୟୋଗ କରିଅଛନ୍ତି, ଅନ୍ୟ କୌଣସି ଉପନ୍ୟାସରେ ସେପରି କରି ନାହାନ୍ତି । ଫକୀରମୋହନଙ୍କ ସବୁ ଉପନ୍ୟାସରେ ସଂଳାପ ପରିବେଷଣର ପ୍ରଧାନ ମାଧ୍ୟମ । ତେଣୁ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକୁ ନାଟକୀୟ ଉପନ୍ୟାସ କୁହାଯାଇପାରେ । ତାହା ଫକୀରମୋହନଙ୍କ ଉପନ୍ୟାସଶୈଳୀ–ସମ୍ପର୍କିତ ଆଲୋଚନା ପ୍ରସଙ୍ଗରେ ଆଲୋଚିତ ହେବ । ଘଟଣାର ଗତି ଓ ପ୍ରତ୍ୟକ୍ଷ-ବର୍ହିଭୂତ ନେପଥ୍ୟରେ ଘଟୁଥିବା ନାନା ଘଟଣା, ଫକୀରମୋହନ ସଂଳାପ ମାଧ୍ୟମରେ ପ୍ରକାଶ କରିବାଦ୍ୱାରା, ଉପନ୍ୟାସଟି ଯଥାର୍ଥରେ ସୁଖପାଠ୍ୟ ହୋଇ ପାରିଅଛି । ବସ୍ତୁତଃ ଅଷ୍ଟମ ପରିଚ୍ଛେଦରେ ମାନ୍ଧାତାଙ୍କ ଦରବାରରେ, ରାୟଗୁରୁ ଶିଓଶଙ୍କରଙ୍କ ମଧ୍ୟରେ ସଂଳାପରେ ଆଲ୍ଲିବର୍ଦ୍ଦୀଙ୍କ ନବାବୀ ଅମଳରେ ବର୍ଗୀବିଧ୍ୱସ୍ତ ଓଡ଼ିଶାର ଏକ ଜୀବନ୍ତଚିତ୍ର ଉପସ୍ଥାପିତ ହୋଇ ପାରିଅଛି । ତ୍ରୟୋବିଂଶତି ପରିଚ୍ଛଦରେ ସେହିପରି ନବାବ ଓ ମୁସ୍ତାଫାଙ୍କ ମଧ୍ୟରେ ସଂଳାପରେ ଆଲ୍ଲିବର୍ଦ୍ଦୀ ଖାଁଙ୍କର ସୈନ୍ୟବାହିନୀର ଅନ୍ତର୍ନିହିତ ଦୁର୍ବଳତା ଓ ସେନାପତିମାନଙ୍କ ମଧ୍ୟରେ ଆଲ୍ଲିବର୍ଦ୍ଦୀଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା ପରିସ୍ଫୁଟ ହୋଇ ପାରିଅଛି । ସଂଳାପରେ ପୁଣି ପାତ୍ର ଓ ପରିବେଶ ସହିତ ଭାଷାର ସାମଞ୍ଜସ୍ୟ ରକ୍ଷା, ସଂଳାପଗୁଡ଼ିକୁ ଜୀବନ୍ତ କରି ପାରିଅଛି । ମାନ୍ଧାତା ଦରବାରରେ ରାୟଗୁରୁ ଓ ଶିଓଶଙ୍କର ମାଳବୀରଙ୍କର କୁଟନୀତିଜ୍ଞସୁଲଭବାସ୍ତବ ଅଭିପ୍ରାୟଗୋପନକାରୀ ସୁମାର୍ଜିତ ଭାଷା, ଓଡ଼ିଆ ଖଣ୍ଡାୟତ୍‌ଙ୍କ ରଣନୈପୁଣ୍ୟ ପ୍ରତି କଟାକ୍ଷରେ ଉତ୍ତେଜିତ ଦଳବେହେରା ବନମାଳୀ ବଳିଆର ସିଂହଙ୍କ ରୋକ୍‌ଠୋକ୍‌ ଅକପଟ ଭାଷା, ଲଛମାର ହିନ୍ଦିମିଶା ଖଣ୍ଡିଖଣ୍ଡି ଓଡ଼ିଆ ଭାଷା ବା ଉର୍ଦ୍ଦୁ, ଆରବୀ ଓ ପାରସୀ-ବହୁଳ ନବାବ ଆଲ୍ଲିବର୍ଦ୍ଦୀଙ୍କ ଭାଷାରେ, ‘ଲଛମା’ର ସଂଳାପଗୁଡ଼ିକ ଯଥାର୍ଥରେ ରସୋତ୍ତୀର୍ଣ୍ଣ ହୋଇ ପାରିଅଛି ।

 

‘ଲଛମା’ ‘ଛମାଣ ଆଠଗୁଣ୍ଠ’ର ପରବର୍ତ୍ତୀ ରଚନା । ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କ ପର୍ଯ୍ୟନ୍ତ ସାମାଜିକ ଉପନ୍ୟାସ ନ ଥିଲା । ଉପନ୍ୟାସ ଗୋଟିଏ ଭଲ ପଦାର୍ଥ, କିନ୍ତୁ ଭୀମାମା, ମାଣିକ ଭଣ୍ଡାରୁଣୀ, ହଟିଆ, ନଟିଆ ବା ଗୋବରା ପ୍ରଭୃତିଙ୍କୁ ଚରିତ୍ର କରି ପୁଣି ସେହିମାନଙ୍କର ବାସନମଜା ଗୁହାଳପୋଛା ଭାଷାରେ ଉପନ୍ୟାସ ଲେଖିବା, ଓଡ଼ିଆ ସାହିତ୍ୟରେ ଗୋଟିଏ ସାହିତ୍ୟକ ବ୍ୟଭିଚାର ବୋଲି ଯେ ବିବେଚିତ ନ ହୋଇଥିବ ସେ କଥା କିଏ କହିବ ? ‘ଛମାଣ ଆଠଗୁଣ୍ଠ’ ପଢ଼ି ପାଠକମାନେ ବିଶେଷ ପ୍ରୀତ ହୋଇଥିବା ଫକୀରମୋହନ ସ୍ୱୀୟ ଆତ୍ମଚରିତରେ ଅବଶ୍ୟ ଉଲ୍ଲେଖ କରି ଅଛନ୍ତି । କିନ୍ତୁ ସମାଲୋଚକମାନଙ୍କ ତାଡ଼ନାରେ ହୁଏତ ଅପେକ୍ଷାକୃତ ମାର୍ଜିତ ଭାଷାରେ ସେ କାଳର ଔପନ୍ୟାସିକ ପରମ୍ପରା ଧରି ଫକୀରମୋହନ ‘ଲଛମା’ ଉପନ୍ୟାସ ରଚନା କରିଥିବେ । ‘ଲଛମା’ କେବଳ ଏକ ଐତିହାସିକ ଉପନ୍ୟାସ ନୁହେଁ; ଓଡ଼ିଆ ଭାଷାରେ ଏକ ଉତ୍କୃଷ୍ଟ ନାଟକୀୟ ଉପନ୍ୟାସ ।

 

ମେଲୋଡ୍ରାମା ବା ନାଟକୀୟ ଅତିରଞ୍ଜନ, ‘ଲଛମା’ ଉପନ୍ୟାସର ଏକ ପ୍ରଧାନ ଦୁର୍ବଳତା । ଭାସ୍କର ପଣ୍ଡିତଙ୍କ ହତ୍ୟା ଏହି ଉପନ୍ୟାସରେ କ୍ଳାଇମାକ୍‌ସ । କିନ୍ତୁ କ୍ଳାଇମାକ୍‌ସରେ ପହଞ୍ଚିବା ପର୍ଯ୍ୟନ୍ତ ଉପନ୍ୟାସରେ ବିଳମ୍ବନ ବା ସସ୍‌ପେନ୍‌ସ ରକ୍ଷା କରାଯାଇପାରିନାହିଁ । ପୁଣି ପରିଣତିର ବହୁ ପୂର୍ବରୁ ଲଛମା ଓ ବାଦଲ ସିଂହର ଛଦ୍ମବେଶ ଉନ୍ମୋଚନ, ‘ଲଛମା’ର ନାଟକୀୟ ସୌନ୍ଦର୍ଯ୍ୟ ବହୁ ପରିମାଣରେ କ୍ଷୁଣ୍ଣ କରିଅଛି । କାଟୋୟାଠାରେ ଭାସ୍କର ପଣ୍ଡିତ, ଆଲ୍ଲିବର୍ଦ୍ଦୀଙ୍କ ଶିବିର ମଧ୍ୟରେ ପ୍ରବେଶ କଲାବେଳେ ଦୁଇ ବିପରୀତ ଦିଗରୁ ଛଦ୍ମବେଶଧାରୀ, ଲଛମା ଓ ବାଦଲସିଂହ ଛୁଟି ଆସି ଭାସ୍କର ପଣ୍ଡିତଙ୍କୁ ହତ୍ୟା କରିବା ମଧ୍ୟ ଏକ ନାଟକୀୟ ଅତିରଞ୍ଜନ । ଏ ଚୂଡ଼ାନ୍ତ ପରିଣତି ପରେ ଉପନ୍ୟାସକୁ ଆଉ ଲମ୍ବାଇବା ଉଦ୍ଦେଶ୍ୟରେ, କେତେକ ଘଟଣା ପରିକଳ୍ପିତ ହୋଇଅଛି, ମାତ୍ର ତାହା ଉପନ୍ୟାସର ନାଟକୀୟ ସୌଷ୍ଠବ ବୃଦ୍ଧିରେ ସାହାଯ୍ୟ ନ କରି ବରଂ ଅନ୍ତରାୟ ହୋଇଅଛି । ‘‘ଭାସ୍କର ପଣ୍ଡିତଙ୍କୁ ହତ୍ୟା କରିବା ସମୟରେ ହତ୍ୟାକାରୀ ଦୁଇଜଣ ସ୍ୱୀୟ ସ୍ୱୀୟ ଦେହ ବଳରେ ପରସ୍ପର ଉପରେ ନିପତିତ ହୋଇଗଲେ । ଉଭୟେ ଅନୁଭବ କଲେ ଯେମନ୍ତ ସ୍ୱର୍ଗୀୟ ଅମୃତଧାରା ଦୁଇଜଣଙ୍କ ଦେହରେ ପ୍ରତ୍ୟେକ ରକ୍ତ ବିନ୍ଦୁରେ ସଞ୍ଚରିତ ହୋଇଗଲା । ଉଭୟେ ଉଭୟଙ୍କ ମୁଖକୁ ଚାହିଁ’’ ସ୍ତମ୍ଭିତ ଭାବରେ ଉଭା ହୋଇ ଅଛନ୍ତି । ଦୁଇଜଣଙ୍କ ହସ୍ତରେ ରକ୍ତଲିପ୍ତ କରାଳ ଛୁରିକା, ପଦତଳେ ନିହତ ଭାସ୍କର ପଣ୍ଡିତର ଶରୀର ବିଲୁଣ୍ଠିତ ହୋଇଅଛି । ଏତେ ଯେ ଗଣ୍ଡଗୋଳ, ଏତେ ଯେ ପ୍ରାଣୀନାଶ, ସେଥିରେ ସେହି ହନ୍ତାରକ ଦ୍ୱୟଙ୍କର କିଛି ମାତ୍ର କାନ ନାହିଁ । ଏଠାରେ ଲଛମା ଓ ବାଦଲସିଂହର ପୁନର୍ମିଳନ ନାଟକୀୟ ଅତିରଞ୍ଜନ ହୋଇଥାନ୍ତା ସତ, ମାତ୍ର ଏହାପରେ ଘଟଣାକୁ ଗୟାଠାରେ ଲଛମାର ମା, ଶାଶୁ ଓ ବାଦଲ ସିଂହ ସହିତ ମିଳନ ପର୍ଯ୍ୟନ୍ତ ପ୍ରଲମ୍ବିତ କରିବା ‘ଲଛମା’ର ନାଟକୀୟ ସୌଷ୍ଠବ ବହୁ ପରିମାଣରେ କ୍ଷୁଣ୍ଣ କରିଅଛି । ଏ କେତେକ ଶୈଳୀଗତ ତ୍ରୁଟି ବା ଅପୂର୍ଣ୍ଣତା ସତ୍ୱେ ‘ଲଛମା’ ଓଡ଼ିଆ ଭାଷାରେ ଏକ ଅଦ୍ୱିତୀୟ ଐତିହାସିକ ଉପନ୍ୟାସ–ସନ୍ଦେହ ନାହିଁ ।

Image

 

ଫକୀରମୋହନଙ୍କ ଉପନ୍ୟାସ–ଶୈଳୀ

 

"To appreciate the art of another period one must to a certain extent, enter into its spirit, accept its conventions, adopt a "willing suspension of disbelief" in its values. For if we have no sympathy for what it is trying to say, we shall not be able to judge it if it says at all"

 

"Early Victorian Novelists."

 

by David Cecil.

 

‘‘ପଦ୍ମମାଳୀ’’ କେବଳ ଗୋଟିଏ ଗଳ୍ପ; ନିରାଡ଼ମ୍ବର ଭାବରେ ଉମେଶ୍ଚନ୍ଦ୍ର ଗଳ୍ପଟିଏ କହିଛନ୍ତି ମାତ୍ର । ‘‘ବିବାସିନୀ’’ର କେଇ ପୃଷ୍ଠା ପଢ଼ି ସାରିବା ପରେ ନୀତିବେତ୍ତାର ବେତ୍ରାଘାତରେ ପାଠକ ତ୍ରାହି ତ୍ରାହି ଡାକ ଛାଡ଼େ । ‘‘ବିବାସିନୀ’’ରେ କଳାବତୀ କେବଳ ମହାନଦୀର ଅଗାଧ ଜଳରେ ଦେହ ବିସର୍ଜନ କରି ନାହାନ୍ତି, ହିତୋପଦେଶର ଅଗାଧଜଳରେ ରାମଶଙ୍କର ଉପନ୍ୟାସ ଲକ୍ଷ୍ମୀଙ୍କୁ ମଧ୍ୟ ଭସାଇଦେଇଅଛନ୍ତି । ଶୈଳୀ ଓ ଆଙ୍ଗିକ ଅଭାବରେ ‘‘ବିବାସିନୀ’’ ଏକ ଔପନ୍ୟାସିକ ଅତ୍ୟାଚାରରେ ପରିଣତ ହୋଇଅଛି । ଅଥଚ ଏହି ଶୈଳୀ ଓ ଆଙ୍ଗିକ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକୁ କେବଳ ସୁଖପାଠ୍ୟ କରିନାହିଁ, ଅମର ଓ ଅବିସ୍ମରଣୀୟ କରିଅଛି ।

 

ଓଡ଼ିଆ ସାହିତ୍ୟରେ ଉପନ୍ୟାସର ଆବିର୍ଭାବ ପୂର୍ବରୁ ନାଟ୍ୟ ସାହିତ୍ୟ ପ୍ରତିଷ୍ଠିତ ହୋଇ ସାରିଥିଲା । ୧୮୯୧ ସାଲରେ ରାମଶଙ୍କରଙ୍କ ‘‘ବିବାସିନୀ’’ ଉପନ୍ୟାସ ସହିତ, ତାର ଆଠବର୍ଷ ପୂର୍ବରୁ ଲିଖିତ ତାଙ୍କର ‘‘କଳିକାଳ’’ ନାଟକର ଶୈଳ୍ପକ ମୂଲ୍ୟ ତୁଳନା କଲେ ଯଥାର୍ଥରେ ବିସ୍ମିତ ହେବାକୁ ପଡ଼େ । ଉପନ୍ୟାସର ବିକାଶ ପୂର୍ବରୁ ନାଟ୍ୟ ସାହିତ୍ୟର ବିକଶିତ ଅବସ୍ଥା ଖାଲି ଓଡ଼ିଆ ସାହିତ୍ୟ ନୁହେଁ, ପୃଥିବୀର ଅନ୍ୟ ସମସ୍ତ ସାହିତ୍ୟର ଇତିହାସରେ ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ-। ଭିକ୍ଟୋରିଆନ୍‌ ଯୁଗରେ ଇଂରାଜୀ ଉପନ୍ୟାସ ସାହିତ୍ୟର ମର୍ଯ୍ୟାଦାରେ ପ୍ରତିଷ୍ଠିତ ହେବାର ବହୁ ପୂର୍ବରୁ ଇଂରାଜୀରେ ନାଟ୍ୟସାହିତ୍ୟ ପୂର୍ଣ୍ଣ ବିକଶିତ ଓ ପ୍ରତିଷ୍ଠିତ ହୋଇ ସାରିଥିଲା-। କାବ୍ୟ ଓ ନାଟକ ମନୁଷ୍ୟର ଶୈଳ୍ପିକ ପ୍ରକାଶର ବହୁ ପ୍ରାଚୀନ ମାଧ୍ୟମ ହୋଇଥିବାରୁ, ନାଟ୍ୟ ସାହିତ୍ୟର ବିକାଶ ଉପନ୍ୟାସ ସାହିତ୍ୟର ବିକାଶଠାରୁ ପ୍ରାଚୀନତର । ଫକୀରମୋହନ ଓଡ଼ିଆରେ ନୂଆ କରି ଉପନ୍ୟାସର ମୂଳପତ୍ତନ କଲା କାଳକୁ ରାମଶଙ୍କର ନାଟକ ରଚନାରେ ସିଦ୍ଧହସ୍ତ ଓ ସୁପ୍ରସିଦ୍ଧ ହୋଇ ସାରିଥିଲେ । ଫକୀରମୋହନଙ୍କର ଉପନ୍ୟାସ ଶୈଳୀ ଆଲୋଚନା କଲେ ମନେହୁଏ ତାଙ୍କର ରଚନାରୀତି ନାଟକୀୟ ରଚନା ଶୈଳୀଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହୋଇଅଛି-

 

ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ବାସ୍ତବରେ ନାଟକୀୟ ଶୈଳୀରେ ରଚିତ ହୋଇଅଛି । ପ୍ରଥମ କେତେଗୋଟି ପରିଚ୍ଛେଦ ମଞ୍ଚ ପ୍ରସ୍ତୁତି ଓ ପୃଷ୍ଠଭୂମି ଗଠନରେ ନିୟୋଜିତ ହେଲା ପରେ, ମଞ୍ଚଭୂମି ଉପରକୁ ଗୋଟିକ ପରେ ଗୋଟିଏ ହୋଇ ବିଭିନ୍ନ ଅଭିନେତା ଓ ଅଭିନେତ୍ରୀମାନେ ନାଟୀତକକ୍ରମରେ ଅବତୀର୍ଣ୍ଣ ହୋଇଅଛନ୍ତି । ପୁଣି ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକର ବିଭିନ୍ନ ପରିଚ୍ଛେଦମାନ ଘଟଣାର ବିଶ୍ଳେଷଣ ବା ଚରିତ୍ରର ସମୀକ୍ଷାରେ ସ୍ଥାଣୁ ନୁହେଁ; ଆକ୍‌ସନ୍ ବା କ୍ରିୟାରେ ପ୍ରତ୍ୟେକଟି ପରିଚ୍ଛେଦ ଗତିଶୀଳ । ‘‘ଲଛମା’’ ବା ‘‘ମାମୁ’’ ବା ‘‘ପ୍ରାୟଶ୍ଚିତ୍ତ’’ର ବ୍ୟଞ୍ଜନା ସମ୍ପୂର୍ଣ୍ଣ ନାଟକୀୟ ଓ ନାଟକିତ । ସଂଳାପ, ଘଟଣା-ବିନ୍ୟାସ ଓ ଘଟଣାର କ୍ରମସଜ୍ଜା (sequence)ରେ ଫକୀରମୋହନ ରଙ୍ଗମଞ୍ଚଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହୋଇଅଛନ୍ତି । ନାଟକରେ ଘଟଣାର ପୃଷ୍ଠଭୂମି ବିକଶିତ କରିବା ଓ ଗଳ୍ପର ବିକାଶରେ ଦ୍ରୁତି ଆଣିବା ପାଇଁ ଅନେକ ସମୟରେ ମୂଳଗଳ୍ପ ସହିତ ସମ୍ପର୍କ ନ ଥିବା କେତେକ ଦୃଶ୍ୟର ଅବତାରଣା କରାଯାଇଥାଏ । ଉପନ୍ୟାସଠାରୁ ନାଟକର ପରିସର ଓ ପୃଷ୍ଠଭୂମି ଅପେକ୍ଷାକୃତ ସୀମିତ । ପରିସର ବୃଦ୍ଧି କରିବା ପାଇଁ ବା ପୃଷ୍ଠଭୂମିକୁ ଆଉରି ବ୍ୟାପକ କରିବା ପାଇଁ ନାଟ୍ୟକାରମାନେ ଅନେକ ସମୟରେ ଉପରୋକ୍ତ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହୋଇଥାନ୍ତି । ଫକୀରମୋହନ ଉପନ୍ୟାସ ରଚନାରେ ସୁଦ୍ଧା ଏ ଶୈଳୀ ଅବଲମ୍ବନ କରିଅଛନ୍ତି । ‘ଲଛମା’ରେ ଏହି ଉଦ୍ଦେଶ୍ୟରେ ଲଖିତ ବହୁ ପରିଚ୍ଛେଦ ଏଠାରେ ଉଲ୍ଲେଖ କରା ଯାଇପାରେ । ଆଲୋଚିତ ଉପନ୍ୟାସର ସପ୍ତଦଶ ପରିଚ୍ଛେଦ, ବର୍ଗୀ ଲୁଣ୍ଠନରେ ବିଧ୍ୱସ୍ତ ଓଡ଼ିଶାର ଗାଁ ଗଣ୍ଡା ପୁଣି ‘ପ୍ରଥମ ପରିଚ୍ଛେଦ’ରେ ବର୍ଣ୍ଣିତ ରାହାଜାନି ପରେ ସ୍ୱଜନ-ପରିତ୍ୟକ୍ତି ଦୁଇ ପ୍ରୌଢ଼ାଙ୍କ ଅସ୍ତିତ୍ୱ ପାଠକମାନଙ୍କୁ ସୂଚିତ କରିବା ପାଇଁ ଜଗା ଫତେ ସିଂହ ମା ବୁଢ଼ୀକୁ ଅବଲମ୍ବନ କରି ଲିଖିତ ହୋଇଅଛି । ଫକୀରମୋହନ ଇଚ୍ଛା କରିଥିଲେ କେବଳ ବର୍ଣ୍ଣନାର ମାଧ୍ୟମରେ ସେ ଉଦ୍ଦେଶ୍ୟ ମଧ୍ୟ ସାଧିତ କରି ପାରିଥାନ୍ତେ । କିନ୍ତୁ ତାଙ୍କର ଉପନ୍ୟାସ ରଚନାଶୈଳୀ ନାଟକୀୟ ରୀତିଦ୍ୱାରା ପ୍ରଭାବିତ ହୋଇଥିବାରୁ କ୍ରିୟା (action) ଓ ଦୃଶ୍ୟର ମାଧ୍ୟମରେ ତାହାର ଅଭିବ୍ୟକ୍ତି କରିଅଛନ୍ତି । ସେହିପରି ଭାବରେ ‘ଲଛମା’ର ଅଷ୍ଟାଦଶ ପରିଚ୍ଛେଦରେ ପାନରାର ଛଦ୍ମବେଶରେ ଲଛମାର ଆର୍ବିଭାବ ହୋଇଅଛି । କିନ୍ତୁ ବର୍ଣ୍ଣନାର ମାଧ୍ୟମ ଛାଡ଼ି ଫକୀରମୋହନ ଏଠାରେ କ୍ରିୟା ଓ ଦୃଶ୍ୟର ମାଧ୍ୟମରେ ତାହା ପ୍ରକାଶ କରିଅଛନ୍ତି । ‘ଛମାଣ ଆଠଗୁଣ୍ଠ’ରେ ସେହିପରି ଚତୁର୍ଥ ପରିଚ୍ଛେଦ ବର୍ଣ୍ଣିତ ଚାଷ ‘ତଦାରଖ’ ଅଷ୍ଟମ ପରିଚ୍ଛେଦ ବର୍ଣ୍ଣିତ ‘ଜମିଦାର ସେକ୍‌ ଦିଲ୍‌ଦାର୍‌ ମିଆଁ,’ ଓ ଦ୍ୱାଦଶ ପରିଚ୍ଛେଦ ବର୍ଣ୍ଣିତ ‘ଅସୁର ଦୀଘି’ ଇତ୍ୟାଦି ଉପରୋକ୍ତ ଉଦ୍ଦେଶ୍ୟରେ ସନ୍ନିବିଷ୍ଟ ହୋଇଅଛି । ‘‘ମାମୁ’’ ର ପଞ୍ଚଦଶ ପରିଚ୍ଛେଦରେ ନାଜରଦମ୍ପତିଙ୍କ କଟକ ଯାତ୍ରା ଉପନ୍ୟାସର ଚିରାଚରିତ ବର୍ଣ୍ଣନାତ୍ମକ ମାଧ୍ୟମରେ ପ୍ରକାଶ କରାଯାଇ ପାରିଥାନ୍ତା । ମାତ୍ର ତାହା ଏକ ନାଟକୀୟ ରୀତିରେ ଦୃଶ୍ୟ ଓ କ୍ରିୟାର ଅବଲମ୍ବନରେ ପରିବେଷିତ ହୋଇଅଛି । ‘ପ୍ରାୟଶ୍ଚିତ୍ତ’ ଉପନ୍ୟାସର ନବମ ପରିଚ୍ଛେଦ ‘ସଇତାର ଆତଙ୍କ’ ଏହାର ଏକ ପ୍ରକୃଷ୍ଟ ଉଦାହରଣ । ପରିଚ୍ଛେଦଟି ମୂଳରୁ ଶେଷଯାଏ ସଇତାର ସ୍ୱଗତୋକ୍ତି; ଯେପରିକି ରଙ୍ଗମଞ୍ଚ ଉପରେ ସଇତା ଆବିର୍ଭୂତ ହୋଇ ସ୍ୱଗତୋକ୍ତିରେ ଗଳ୍ପରେ ପୃଷ୍ଠଭୂମି ପରିବେଷଣ କରୁଅଛି । ଉପନ୍ୟାସର ବର୍ଣ୍ଣନାତ୍ମକ ଓ ବିଶ୍ଳେଷଣାତ୍ମକ ଶୈଳୀ ଅପେକ୍ଷା, ଫକୀରମୋହନଙ୍କ ଏ ଶୈଳୀ ଯେ ଅଧିକ ଜୀବନ୍ତ ଓ ମନୋଜ୍ଞ, ତାହା ତାଙ୍କର ଉପନ୍ୟାସଗୁଡ଼ିକର ଅକ୍ଷୟ ଲୋକପ୍ରିୟତା ପ୍ରମାଣିତ କରିଅଛି । ଗଳ୍ପର ଉପାଦାନ ଯଥେଷ୍ଟ ନ ଥାଇ ସୁଦ୍ଧା କେବଳ ପରିବେଷଣର ଚାତୁରୀରେ ଫକୀରମୋହନ ଓଡ଼ିଆ ସାହିତ୍ୟରେ କଥାସମ୍ରାଟର ଗୌରବରେ ଆସୀନ ହୋଇ ପାରିଅଛନ୍ତି । ଫକୀରମୋହନଙ୍କ ପରେ ବହୁ ଔପନ୍ୟାସିକ ଫକୀରମୋହନଙ୍କ ଭାଷା ଓ ଛାଞ୍ଚ (motif) ଅନୁକରଣ କରିଥିଲେ ସୁଦ୍ଧା ଫକୀରମୋହନଙ୍କ ସର୍ବଶ୍ରେଷ୍ଠ ବିଶେଷତ୍ୱ, ତାଙ୍କ ଶୈଳୀ, ଅନୁସରଣ କରି ନ ଥିବାରୁ କେହି ତାଙ୍କ ପରି ଲୋକପ୍ରିୟ ହୋଇ ପାରିନାହାନ୍ତି ।

 

ଆବୃତ୍ତିର ଉପଯୋଗିତା, ଫକୀରମୋହନଙ୍କ ଉପନ୍ୟାସଶୈଳୀର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ । ଯଥାର୍ଥରେ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକର ପୂର୍ଣ୍ଣ ଉପଭୋଗ ପାଇଁ ସେଗୁଡ଼ିକୁ ଉଚ୍ଚସ୍ୱରରେ ଅନ୍ୟମାନଙ୍କ ସମ୍ମୁଖରେ ଆବୃତ୍ତି କରିବା ଛଡ଼ା ଉପାୟାନ୍ତର ନାହିଁ । ଗୋପୀନାଥଙ୍କର ‘ପରଜା’ ଅନ୍ୟମାନଙ୍କ ସମ୍ମୁଖରେ ଆବୃତ୍ତି କଲେ କିଛି ସମୟ ପରେ ଶ୍ରୋତାମାନଙ୍କର ତନ୍ଦ୍ରାତୁରତା ପାଠକଙ୍କର କଣ୍ଠରୁଦ୍ଧ କରି ଦେବ । ଆଧୁନିକ କୌଣସି ଗଳ୍ପ ବା ଉପନ୍ୟାସ ଉଚ୍ଚସ୍ୱରରେ ଆବୃତ୍ତି କରି ଉପଭୋଗ କରିବାର ଉପାୟ ନାହିଁ । ନୀରବରେ ମନେମନେ ସେ ସବୁ ଉପଭୋଗ କରାଯାଇପାରେ । କିନ୍ତୁ ଫକୀରମୋହନଙ୍କ ଉପନ୍ୟାସର ମାଧୁର୍ଯ୍ୟ କେବଳ ଆବୃତ୍ତିରେହିଁ ଉପଭୋଗ କରିହୁଏ । ସମସାମୟିକ ଭିକ୍ଟୋରିଆନ୍‌ ଯୁଗର ଔପନ୍ୟାସିକମାନଙ୍କର ଏହା ମଧ୍ୟ ଏକ ବିଶେଷତ୍ୱ ଥିଲା । ଯଥାର୍ଥରେ ଚାର୍ଲସ ଡିକନ୍‌ସଙ୍କର ଉପନ୍ୟାସ ଆବୃତ୍ତି କରି ପଢ଼ିଲେ ଯେଉଁ ଆନନ୍ଦ ମିଳେ, ନୀରବରେ ମନେ ମନେ ପଢ଼ିଲେ ସେ ଆନନ୍ଦ ମିଳେ ନାହିଁ । ଆଲଡ଼ୁହକ୍‌ସଲେ, ସୋମରସେଟ ମମ ବା କୋଏସ୍‌ଲ୍‌ର ପ୍ରମୁଖଙ୍କର ଉପନ୍ୟାସର ପୂର୍ଣ୍ଣ ଉପଲବ୍‌ଧି ଓ ଉପଭୋଗ ପାଇଁ ଆବୃତ୍ତି କରି ପଢ଼ିବା ଅସମ୍ଭବ । ଭିକ୍ଟୋରିଆନ୍ ଯୁଗରେ ଉପନ୍ୟାସ ଆବୃତ୍ତି କରି ପଢ଼ିବା ସାହିତ୍ୟପ୍ରେମୀ ମହଲରେ ବହୁ ଆଦୃତ ହେଉଥିଲା । * ପୁଣି ଚାର୍ଲସ ଡିକେନସ୍ ନିଜେ, ନିଜ ଉପନ୍ୟାସଗୁଡ଼ିକୁ ଇଂଲଣ୍ଡ ଓ ଆମେରିକାରେ ଶ୍ରୋତାମାନଙ୍କ ଆଗରେ ଆବୃତ୍ତି କରି ପ୍ରଚୁର ଅର୍ଥ ଉପାର୍ଜନ କରିଥିଲେ । + ଏବଠାରୁ ସେ କାଳରେ ସାକ୍ଷର ସଂଖ୍ୟା କମ୍‍ ଥିବାରୁ, ଔପନ୍ୟାସିକମାନେ ନିଜ ରଚନା ଲୋକପ୍ରିୟ କରିବା ପାଇଁ ଏ ପନ୍ଥା ଅନୁସରଣ କରିଥିବା ସ୍ୱାଭାବିକ । ଏଇଥିପାଇଁ ଭିକ୍ଟୋରିଆନ୍‌ ଔପନ୍ୟାସିକମାନେ ରଚନାରେ ନୈତିକତା ଓ ଶ୍ଳୀଳତା ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେଉଥିଲେ । ସମାଜ ଜୀବନରେ ନୈତିକତା ରକ୍ଷା ପ୍ରତି ସେମାନେ ସର୍ବଦା ସଚେତନ ଥିଲେ । ଡିକେନ୍‌ସ୍‌ଙ୍କ ଉପନ୍ୟାସ ଶୈଳୀ ସମ୍ପର୍କରେ ଜଣେ ସମାଲୋଚକ ଲେଖିଛନ୍ତି ;

 

"Dickens wrote always under a sense of high responsibility to the accepted conventions of the middle class morality; books that were read aloud at the family fireside must be free from any possible offence." +

 

* John. W. Dodds ଙ୍କ "The Age of Paradox" ରେ ଉପନ୍ୟାସ ଅଧ୍ୟାୟଟି ଦ୍ରଷ୍ଟବ୍ୟ ।

 

+ George Saintsbury ଙ୍କ History of English Literature' ର ପୃ ୬୪୧ ଦ୍ରଷ୍ଟବ୍ୟ ।

 

* John. W. Dodds ଙ୍କ "The Age of Paradox "

 

ଅର୍ଥାତ୍‍ ସମାଜରେ ମଧ୍ୟବିତ୍ତଶ୍ରେଣୀର ପରମ୍ପରା, ସଂସ୍କାର ଓ ଆଚାର କ୍ଷୁଣ୍ଣ ନ ହେଲା ଭଳି ରୀତିରେ ଡିକେନ୍‌ସ୍ ସର୍ବଦା ଅତି ସଚେତନ ହୋଇ ଲେଖୁଥିଲେ । ଯେଉଁ ବହିସବୁ ଘରେ, ପରିବାରରେ ବଡ଼ ପାଟିରେ ଆବୃତ୍ତି କରି ପଢ଼ାଯାଏ ସେଥିରେ କୌଣସି ଅଶୋଭନ, ଅସଂଯତ ବିଷୟବସ୍ତୁ ସ୍ଥାନ ପାଇବା ଉଚିତ ନୁହେଁ ।

 

ଅଜ୍ଞାତସାରରେ ଯୁଗର ପ୍ରଭାବ ଫକୀରମୋହନଙ୍କ ଶୈଳୀ ଉପରେ ମଧ୍ୟ ପ୍ରଭାବ ବିସ୍ତାର କରିଅଛି । ଓଡ଼ିଶାରେ ସେତେବେଳେ ସାକ୍ଷର ସଂଖ୍ୟା ଅତି କମ୍‌ ଥିବାରୁ, ପୁଣି ଉପନ୍ୟାସ ସେତେବେଳ ପର୍ଯ୍ୟନ୍ତ ସୁଦ୍ଧା ସାହିତ୍ୟିକ ମାଧ୍ୟମ ରୂପେ ପ୍ରତିଷ୍ଠିତ ହୋଇ ନ ଥିବାରୁ ଫକୀରମୋହନ ନିଜର ଉପନ୍ୟାସଗୁଡ଼ିକୁ ଲୋକପ୍ରିୟ କରିବା ପାଇଁ ପୁଣି ନିରକ୍ଷର ଜନତା ମଧ୍ୟରେ ପ୍ରବେଶ ଲାଭ ପାଇଁ ଆବୃତ୍ତି-ଉପଯୋଗୀ ଶୈଳୀ ଅବଲମ୍ବନ କରିଥିଲେ । ଏହା ଫଳରେ ତାଙ୍କର ଉପନ୍ୟାସମାନ ମଫସଲରେ ନିରକ୍ଷର ଜନତା ମଧ୍ୟରେ ସୁଦ୍ଧା କିପରି ପରିଚିତ ଓ ଆଦୃତ ହେଉଥିଲା ଫକୀରମୋହନ ତାହାର ସୂଚନା ନିଜ ଆତ୍ମଚରିତରେ ଦେଇଅଛନ୍ତି । ‘ଛମାଣ ଆଠଗୁଣ୍ଠ’ ଉପନ୍ୟାସ ସମ୍ପର୍କରେ ଫକୀରମୋହନ ଲେଖିଛନ୍ତି ।

 

‘‘ଏହି ଉପନ୍ୟାସ (ଛମାଣ ଆଠଗୁଣ୍ଠ) ଲିଖିତ ରାମଚନ୍ଦ୍ର ମଙ୍ଗରାଜର ମକଦ୍ଦମାର ବିବରଣ ଯେତେବେଳେ ଉତ୍କଳ-ସାହିତ୍ୟରେ ପ୍ରକାଶିତ ହେଉଥିଲା ସେତେବେଳେ ମଫସଲରୁ କେତେକ ଅଜ୍ଞ ଲୋକ ମକଦ୍ଦମା ବିଚାର ଦେଖିବା ପାଇଁ କଟକ ଆସିଥିଲେ ।’’ *

 

* ଫକୀରମୋହନ ସେନାପତି–ଆତ୍ମ–ଚରିତ ପୃ ୧୭୫

 

ପୁଣି ଏହି କାରଣରୁ ଫକୀରମୋହନ ରଚନାରେ ଶ୍ଳୀଳତା ଓ ଶାଳୀନତା ପ୍ରତି ସର୍ବଦା ସଚେତନ ଥିଲେ । ମଧ୍ୟବିତ୍ତ-ରୁଚି ଓ ସଂସ୍କାରରେ ନାରୀର ରୂପବର୍ଣ୍ଣନା ବିଶେଷରେ ଯୌନ-ସଙ୍କେତପୂର୍ଣ୍ଣ ବର୍ଣ୍ଣନା ସେତେବେଳେ ଗର୍ହିତ ବୋଲି ବିବେଚିତ ହେଉଥିଲା । ତେଣୁ ଫକୀରମୋହନ ଚମ୍ପାର ଦୈହିକ ସୌନ୍ଦର୍ଯ୍ୟ ବର୍ଣ୍ଣନା ସମ୍ପର୍କରେ ଉପେନ୍ଦ୍ରଭଞ୍ଜଙ୍କ ‘‘ଓଲଟ କଦଳୀ ପ୍ରାୟ ଜାନୁ, ନିତମ୍ବ ଯୁଗଳ ଜିଣି ସାନୁ’’ ଉଲ୍ଲେଖ କରି ସାରିଲା ପରେ ଲେଖିଛନ୍ତି––‘‘ଆଉ ଲେଖିବା ପାଇଁ ସାହସ ଆସିଲା ନାହିଁ । କେଜାଣି ବିଜୁଳି ପୁଣି ଚମକି ଉଠିବେ ।’’ ସେହିପରି ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସରେ ନାୟିକା ଇନ୍ଦୁମତୀର ବା ‘‘ମାମୁ’’ ଉପନ୍ୟାସରେ ଚାନ୍ଦମଣିର ରୂପବର୍ଣ୍ଣନା ଫକୀରମୋହନ ଅତି ଯତ୍ନର ସହିତ ବାଦ ଦେଇଅଛନ୍ତି । ଚମ୍ପା ବା ଚିତ୍ରକଳା ଅନ୍ତଃପୁରବାସିନୀ କୁଳଲକ୍ଷ୍ମୀ ନ ହୋଇ ‘‘ଇତରା’’ ନାରୀ ଥିବା କାରଣରୁ ଫକୀରମୋହନ ସେମାନଙ୍କ ରୂପବର୍ଣ୍ଣନାରେ କେତେକ ସ୍ୱାଧୀନତା ନେଇଥିଲେ ସୁଦ୍ଧା, ଶାଳୀନତା ବର୍ଜନ କରି ନାହାନ୍ତି । ଚାନ୍ଦମଣିର ରୂପବର୍ଣ୍ଣନା ‘ଇମ୍ପ୍ରେସନିଷ୍ଟିକ୍‌’ । ...‘‘ଠିକ ସେତିକିବେଳେ ଚାନ୍ଦମଣି ଅଳ୍ପଦୂରରେ ବସିଥିଲା, ବିଭାକଥା ଶୁଣି ମୁହଁ ଲାଜରେ ରଙ୍ଗା ପଡ଼ିଗଲାଣି, ପଳାଇ ଯିବାକୁ ବାଟ ନାହିଁ–ମା ବାପ ଆଗ ଦେଇ ବାଟ, ତୁଚ୍ଛାଟାରେ ତା ପୋଷା ବିରାଡ଼ିର ଲାଞ୍ଜ କାନ ଧରି ଭିଡ଼ୁଛି, ମିଛଟାରେ ଭାରି ରାଗିଯାଇ ବିରାଡ଼ିଟା ପିଠିରେ ମୁଣ୍ଡରେ ସେହି ପଦ୍ମଫୁଲରୁ ବଳି ସୁନ୍ଦର କୋମଳ ହାତରେ ଧୀରେ ଧୀରେ ଚାପୁଡ଼ା ମାରୁଛି । ’’ ସେହିପରି ଲଛମାର ‘‘କନକଗୌର ବଦନ ମଣ୍ଡଳର ଅପୂର୍ବ ସୌନ୍ଦର୍ଯ୍ୟ ଅଚଞ୍ଚଳ ବିଶାଳ ନେତ୍ର, ଡୋଳା ଉପରେ ଆକର୍ଣ୍ଣ ବିସ୍ତୃତ ସୁବଙ୍କିମ ଭ୍ରୂଲତା ସୁନ୍ଦର ସୁଗଠନ ଉନ୍ନତ ନାସା, ଜବାକୁସୁମସଙ୍କାଶ ରକ୍ତିମ ଅଧରୌଷ୍ଠ ଏବଂ ସ୍ୱଚ୍ଛ ନିର୍ମଳ ଦର୍ପଣଫଳକବତ୍ ଗଣ୍ଡସ୍ଥଳର ଯୌବନସୁଲଭ ଲାବଣ୍ୟ’’ରେ କୌଣସି ବିକାର ବା ପୀଡ଼ନ ନାହିଁ; ଶ୍ଳୀଳତା ଓ ଶାଳୀନତାରେ ତାହା ସ୍ନିଗ୍‌ଧ ଓ ସୁନ୍ଦର ।

 

ବାତାବରଣ ଓ ପରିବେଶ ସୃଷ୍ଟି କରିବାରେ ଫକୀରମୋହନଙ୍କ ପରି ଖୁବ୍‌ କମ୍‌ ଔପନ୍ୟାସିକ ଅଛନ୍ତି । ଫକୀରମୋହନଙ୍କ ଶୈଳୀରେ ବାସ୍ତବିକତା ବା ରିଆଲିଜମ୍‌ ଏକ ପ୍ରଧାନ ବିଶେଷତ୍ୱ । ‘ଲଛମା’ର ପୃଷ୍ଠାରେ ପୃଷ୍ଠାରେ ବର୍ଗୀ-ବିଧ୍ୱସ୍ତ ଓଡ଼ିଶାର ଆଲେଖ୍ୟ, ଆଲ୍ଲିବର୍ଦ୍ଦୀଙ୍କ ଫୌଜ-କୁଚ୍‌ ବା ଉତ୍କଳର ରାଜନୈତିକ ସ୍ୱାଧୀନତାର ଶେଷଦୁର୍ଗ ରାୟବଣିଆର ଚିତ୍ର ଯେପରି ଜୀବନ୍ତ ଓ ବାସ୍ତବ ଭାବରେ ଅଙ୍କିତ ହୋଇଅଛି ତାହାର ପଟାନ୍ତର ଖାଲି ଓଡ଼ିଆ ସାହିତ୍ୟ ନୁହେଁ, କେଜାଣେ ସମଗ୍ର ଭାରତୀୟ ସାହିତ୍ୟରେ ସୁଦ୍ଧା ବିରଳ । ‘ଛମାଣ ଆଠଗୁଣ୍ଠ’ରେ ଓଡ଼ିଶାର ପଲ୍ଲୀ-ସମାଜ ଓ ପଲ୍ଲୀଜୀବନର ଜୀବନ୍ତ ଚିତ୍ରଣ ଏକ ଅନନ୍ୟସାଧାରଣ କୃତିତ୍ୱ । ଅସୁରଦୀଘି ତୁଠରେ ବୁଢ଼ୀ ମଙ୍ଗଳା, ମେଦିନୀପୁରରେ ସେକ୍‌ ଦିଲ୍‌ଦାର ମିଆଁଙ୍କ ଦରବାର, ଫତେପୁର ସରଷଣ୍ଢର ରାମଚନ୍ଦ୍ର ମଙ୍ଗରାଜଙ୍କ ଗମ୍ଭିରୀ ଘର ବା ବିରୂପା କୂଳରେ ଖଣ୍ଡେ ଚାଳିଆ ଘରେ ଗୋପୀ ସାହୁର ଦୋକାନ, ଫକୀରକୋହନଙ୍କ ଲେଖନୀ ସ୍ପର୍ଶରେ ସବୁ ଜୀବନ୍ତ ହୋଇ ଉଠିଅଛି । ‘‘ପ୍ରାୟଶ୍ଚିତ୍ତ’’ରେ ଦଶଗ୍ରାମୀ ତାଲୁକ-ଶ୍ରୀକରଣଗୋଷ୍ଠୀର ବର୍ଣ୍ଣନା, ପାଠକକୁ ହଠାତ୍‌ ଊନବିଂଶ ଶତାବ୍ଦୀର ଏକ ବୁନିଆଦି ବାତାବରଣ ଭିତରକୁ ଘେନିଯାଏ । ଟିକିନିଖି ବର୍ଣ୍ଣନାର ଚାତୁରୀ ଓ ଚାହାଣିର ଚମତ୍କାରିତା ଫକୀରମୋହନଙ୍କ ପ୍ରତ୍ୟେକ ରଚନାକୁ ଅସାଧାରଣ ଅନନ୍ୟତାରେ ସମୃଦ୍ଧ କରି ପାରିଅଛି । ଏହା ପୁଣି ଫକୀରମୋହନଙ୍କ ଶୈଳୀରେ ଏକ ଦୁର୍ବଳତା । କାରଣ ମୂଳ କଥାବସ୍ତୁ ଓ ଗଳ୍ପ ସହିତ ସମ୍ପର୍କ ନ ଥିବା, ବିଷୟ ବହିର୍ଭୂତ ବହୁ ଚରିତ୍ର ଓ ଘଟଣାର ବିନ୍ୟାସ, ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକୁ ସୁଖପାଠ୍ୟ କଲେ ସୁଦ୍ଧା, ଉପନ୍ୟାସର ସଂହତି ଓ ଐକ୍ୟରେ (unity) ବହୁ ବାଧା ସୃଷ୍ଟି କରେ । ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ସ୍ଫୀତିକୃତ କ୍ଷୁନ୍ଦ୍ର ଗଳ୍ପ ହୋଇଥିବାରୁ ଫକୀରମୋହନ ଏଥିପାଇଁ ବାଧ୍ୟ ହୋଇପାରିଥାନ୍ତି; କିନ୍ତୁ ଯଥାର୍ଥରେ କହିବାକୁ ଗଲେ କୁହାଯାଇ ପାରେ, ଫକୀରମୋହନ କଥାକାର ନଥିଲେ, ଥିଲେ କଥକ ।

 

ଭିକ୍ଟୋରିଆ ଯୁଗର ଔପନ୍ୟାସିକମାନଙ୍କର ରୀତି ସହିତ ଫକୀରମୋହନଙ୍କ ରୀତିର ସୂଚନା ପୂର୍ବେ ଦିଆଯାଇଅଛି । ଗୌଣଚରିତ୍ର-ଚିତ୍ରଣର ନିପୁଣତାରେ ଫକୀରମୋହନଙ୍କୁ ଭିକ୍ଟୋରିଆନ୍‌ ଯୁଗର ଔପନ୍ୟାସିକମାନଙ୍କ ସହିତ ଯଥାର୍ଥରେ ତୁଳନା କରାଯାଇପାରେ । ଉଦାହରଣ ସ୍ୱରୂପ ଡିକେନ୍‌ସଙ୍କ "Oliver Twist" ଉପନ୍ୟାସରେ Mrs.Croney ଙ୍କ ଚରିତ୍ର ଧରାଯାଉ । ଉପନ୍ୟାସଟିରେ ଏହା ଅତି ଗୌଣ ଚରିତ୍ର ଓ Mr. Bumble ଙ୍କ ସହିତ ତାଙ୍କର ସମ୍ପର୍କ ଉପନ୍ୟାସର ମୁଖ୍ୟ କଥା ବସ୍ତୁ ନୁହେଁ । ଅଥଚ Mrs. Croney ଦେଖିବାକୁ କେମିତି, ସେ ଯେଉଁ ଘରେ ରହନ୍ତି ସେ ଘରଟି କେମିତି, ସେ କିପରି ଭାବରେ ଚା’ ସୁଦ୍ଧା ତିଆରି କରନ୍ତି, ଏହିପରି ନାନା ଟିକିନିଖି ବର୍ଣ୍ଣନାରେ ପ୍ରାୟ ଚାରିପୃଷ୍ଠା ଧରି ତାଙ୍କର ଚରିତ୍ରଚିତ୍ରଣ କରାଯାଇଅଛି । 'Our Mutual Friend' ଉପନ୍ୟାସରେ ସେହିପରି Mr.Podsnapଙ୍କ ଚରିତ୍ର । ଉପନ୍ୟାସଟିରେ ଏହା ମଧ୍ୟ ଏକ ଅତି ଗୌଣଚରିତ୍ର । ଗଳ୍ପର ବିକାଶରେ ଏ ଚରିତ୍ରର କୌଣସି ଅଂଶ ନାହିଁ । ଔପନ୍ୟାସିକ Dickens ତାଙ୍କ ନିଜ କଥା ପ୍ରକାଶ କରିବା ପାଇଁ ସମସାମୟିକ ଇଂରେଜୀ ସମାଜ ସମ୍ପର୍କରେ ତାଙ୍କର ନିଜ ମତାମତ ପ୍ରକାଶ କରିବା ପାଇଁ Mr.Podsnap ଙ୍କର ଉପନ୍ୟାସରେ ଆବିର୍ଭାବ ପୂର୍ବରୁ ତୁଚ୍ଛା ଭୂମିକାରେ ପ୍ରାୟ ତିନି ପୃଷ୍ଠା ବ୍ୟୟ କରି ଅଛନ୍ତି । ଭିକ୍ଟୋରିଆଯୁଗର ଶେଷ ଔପନ୍ୟାସିକ Trollope ମଧ୍ୟ ଉପନ୍ୟାସ ରଚନାର ଏ ପାରମ୍ପରିକ ରୀତି ଛାଡ଼ିପାରି ନାହାନ୍ତି । ତାଙ୍କର "The Last Chronicle of Barset" ଉପନ୍ୟାସରେ ଦୁଇଟି ଅତି ଗୌଣଚରିତ୍ର ଅଛନ୍ତି–Misses Prettyman; ଏମାନେ ଦୁଇଟି ଅବିବାହିତା ମହିଳା । Silver bridgeରେ ଗୋଟିଏ ବାଳିକା ବିଦ୍ୟାଳୟ ଏ ଦୁହେଁ ମିଳିମିଶି ଚଳାନ୍ତି । ସେମାନଙ୍କ ପାଇଁ ଲେଖକ ପୂରା ଗୋଟାଏ ଅଧ୍ୟାୟ ସାରିଛନ୍ତି; ଅଥଚ ମୂଳଗଳ୍ପର ବିକାଶରେ କଦବା କ୍ୱଚିତ ଥରେ ଅଧେ ସେମାନଙ୍କର ଦେଖା ମିଳିଥାଏ ।

 

ଫକୀରମୋହନଙ୍କ ଉପନ୍ୟାସ ରଚନାରୀତି ମୁଖ୍ୟତଃ ଏଇଆ । * ଉଦାହରଣ ସ୍ୱରୂପ, ‘‘ମାମୁ’’ ଉପନ୍ୟାସରେ ଗେହ୍ଲେଇ, ନାକଫୋଡ଼ିଆମା, ସାଧୁସାହୁ, ସାହୁଆଣି ଓ ରାମଦୟାଲ୍ ପ୍ରଭୃତି ଅତି ଗୌଣଚରିତ୍ର । ଗଳ୍ପର ବିକାଶରେ ଏମାନଙ୍କର କୌଣସି ଅଂଶ ନାହିଁ କହିଲେ ଚଳେ । ଅଥଚ ‘‘ମାମୁ’’ ଉପନ୍ୟାସର ସମୁଦାୟ ନବମ ପରିଚ୍ଛେଦଟି ଖାଲି ଗେହ୍ଲେଇର ଚରିତ୍ରଚିତ୍ରଣରେ ଶେଷ ହୋଇଅଛି । ‘‘ମାମୁ’’ ଉପନ୍ୟାସରେ ଗଳ୍ପାଂଶର ପରିସ୍ଫୁଟନ ଦୃଷ୍ଟିରୁ ଗେହ୍ଲେଇ ଚରିତ୍ରଟି ଅତି ଅବାନ୍ତର । ତାକୁ ବାଦ ଦେଲେ ‘‘ମାମୁ’’ ଉପନ୍ୟାସ ଆଦୌ ଅସମ୍ପୂର୍ଣ୍ଣ ମନେହେବ ନାହିଁ । ସମଗ୍ର ଉପନ୍ୟାସ ଭିତରେ, ପଞ୍ଚଦଶ ପରିଚ୍ଛେଦରେ କେବଳ ଗାଁ ପୋଖରୀ ତୁଠରେ ଗାଁ ମାଇକିନିଆଙ୍କ ଗାଧୂଆ ମଜ୍‌ଲିସ ବେଳେ ତାହାର ଆବିର୍ଭାବ । ତଥାପି ଫକୀରମୋହନ ମୁଖ୍ୟ ବା ପ୍ରଧାନ ଚରିତ୍ରଗୁଡ଼ିକୁ ବର୍ଣ୍ଣନା କରିଛନ୍ତି ଯେତିକି ଧୈର୍ଯ୍ୟ ଓ ନିପୁଣତା ଦେଇ, ଗେହ୍ଲେଇ ପରି ଏକ ଅବାନ୍ତର ଗୌଣଚରିତ୍ରର ଚିତ୍ରଣରେ ମଧ୍ୟ ସେତିକି ନୈପୁଣ୍ୟ ଓ ଧୈର୍ଯ୍ୟ ବ୍ୟୟ କରିଅଛନ୍ତି । ଏପରିକି ଗେହ୍ଲେଇ ଘରର ଅବସ୍ଥିତି, ତାର ଟିକିନିଖି ବର୍ଣ୍ଣନା, ତାର ବାଳିକା ଓ ବଧୂର ଜୀବନ, ବୈଧବ୍ୟ ପରେ ତାର ସୁଖ ଦୁଃଖର ସଂସାର, ପରିଧାନ ପରିପାଟୀ ଓ ଘରକରଣାର ଆଦି ସବୁ ବର୍ଣ୍ଣନା କରିବାରେ ପୂରା ଗୋଟାଏ ଅଧ୍ୟାୟ ସରି ଯାଇଅଛି । ଶେଷକୁ ଗେହ୍ଲେଇର ବିରାଡ଼ିଟି, ପର୍ଯ୍ୟନ୍ତ ବର୍ଣ୍ଣନାରୁ ବାଦ୍‌ ଯାଇନାହିଁ । ଫକୀରମୋହନ ଏ ପ୍ରକାର ସମାଲୋଚନା ଆଶଙ୍କା କରି ଆଗରୁ ତାଙ୍କର କୈଫିୟତ ମଧ୍ୟ ଦେଇ ସାରିଛନ୍ତି...

* ଏ ସମ୍ପର୍କରେ ଫକୀରମୋହନଙ୍କ ‘ଚରିତ୍ରଚିତ୍ରଣ’ ଅଧ୍ୟାୟଟି ମଧ୍ୟ ଦ୍ରଷ୍ଟବ୍ୟ ।

‘‘ସମସ୍ତ ନାୟକ ନାୟିକାଙ୍କ ରୂପଗୁଣ ବିଷୟ ଯେ ସ୍ଥଳରେ ଲେଖିବାକୁ ବସିଛୁ–ଅତି ସାମାନ୍ୟ ବୋଲି ଜଣକୁ ହେଣ୍ଟି ଦେଇଯିବା ନିହାତି ତରଫସାନି କଥା ।’’ *

* ମାମୁ–(ନବମ ପରିଚ୍ଛେଦ) ପୃ୨୨

ଆଲୋଚିତ ଉପନ୍ୟାସର ପଞ୍ଚତ୍ରିଂଶ ପରିଚ୍ଛେଦର ଅର୍ଦ୍ଧାଂଶରୁ ବେଶୀ ବ୍ୟୟିତ ହୋଇଅଛି ସାଧୁ ସାହୁ ମହାଜନ ଓ ସାହୁଆଣୀଙ୍କର ଚରିତ୍ର ବର୍ଣ୍ଣନାରେ । ମାତ୍ର ଗଳ୍ପର ବିକାଶରେ ଏ ଦୁଇଟି ଚରିତ୍ରର କୌଣସି ଅଂଶ ନାହିଁ । ସାଧୁସାହୁ ମହାଜନ ଧାଈମାଙ୍କ ଗରଜ ବେଳେ ତିନିଶହ ଟଙ୍କା କରଜ ଦେଇଥିଲେ । ଏ ଟଙ୍କା କରଜ ଦେଇଥିଲେ ପୁଣି ଧାଈମା ପଠାଇଥିବା ସୁନାମାଳି ବନ୍ଧକ ନରଖି । ସମୁଦାୟ ଉପନ୍ୟାସରେ ଏ ଚରିତ୍ରଟି ସବୁଠାରୁ ଅପ୍ରଧାନ । ତଥାପି ଫକୀରମୋହନ କୌଣସି ତରଫସାନୀ କରି ନାହାନ୍ତି । ସାହୁ ଦେଖିବାକୁ କେମିତି, କଣ ପିନ୍ଧନ୍ତି, ତାଙ୍କ ପୁଅ ‘‘ବାହାଘର ବେଳେ ଭାରୀ ଗୋଟାଏ ଗୋଳମାଳ କଲା, ବୋହୂ ହାତରେ କଟକୀ ରୂପା ଗହଣା ବେକରେ କାନରେ ସୁନା ଗହଣା ନ ଲଗାଇଲେ ବାହା ହେବ ନାହିଁ’’ ବୋଲି କେମିତି ଅଡ଼ି ବସିଲା, ସାହୁଆଣୀଙ୍କର ଟକିନିଖି କଥା, ସେମାନଙ୍କର ତିକ୍ତମଧୁର ଦାମ୍ପତ୍ୟ ଜୀବନ, ଏ ସବୁ ବର୍ଣ୍ଣନାରେ ପ୍ରାୟ ସାଢ଼େ ଚାରିପୃଷ୍ଠା ଯାଇଅଛି । ସେହିପରି ରାମଦୟାଲ ଓ ନାକଫୋଡ଼ିଆମା, ଗଳ୍ପର ବିକାଶରେ ରାମଦୟାଲର ଏକ ବିଶିଷ୍ଟ ଅଂଶ ଅଛି । ରାମଦୟାଲ ହେଉଛି ପ୍ରଭୁଦୟାଲର ବାପ । ସମୁଦାୟ ଗଳ୍ପରେ ରାମଦୟାଲର ଅଂଶ ଆଦୌ ନାହିଁ କହିଲେ ଚଳେ । ତଥାପି ରାମଦୟାଲର ଚରିତ୍ର ଅତି ବିଶଦ ଭାବରେ ଅବତାରଣା କରା ଯାଇଅଛି । ନାକଫୋଡ଼ିଆମା ଚରିତ୍ରର ଅବତାରଣା ମଧ୍ୟ ଅତି ଅବାନ୍ତର, ନାଜରାଣୀ ବିଶାଖା ଦେଈଙ୍କର ମୁଣ୍ଡ ବାନ୍ଧିବା ଛଡ଼ା, ନାକଫୋଡ଼ିଆମାର ଆଉ ଅନ୍ୟ ଭୂମିକା ନାହିଁ । କିନ୍ତୁ ସେ ଯାହାହେଉ ଚରିତ୍ର ଗୁଡ଼ିକ ପ୍ରଧାନ ହୁଅନ୍ତୁ ବା ଅପ୍ରଧାନ ହୁଅନ୍ତୁ, ମୁଖ୍ୟ ହୁଅନ୍ତୁ ବା ଗୌଣ ହୁଅନ୍ତୁ, ଫକୀରମୋହନଙ୍କ ଲେଖନୀ ସ୍ପର୍ଶରେ ସେମାନେ ସମସ୍ତେ ଅତି ଜୀବନ୍ତ ହୋଇ ପାରିଛନ୍ତି ।

ଆଧୁନିକ ଇଂରାଜୀ ଉପନ୍ୟାସରେ ଶ୍ରେଷ୍ଠ ଔପନ୍ୟାସିକ ସୋମରସେଟ୍‌ ମମ୍‌, ରିଆଲିଜମ୍‌ ବା ବାସ୍ତବତା ପାଇଁ ପାଠକ ଓ ଉପନ୍ୟାସ ମଧ୍ୟରେ ନିଜକୁ ସୂତ୍ରଧର ଓ ଟୀକାକାର ରୂପରେ ପ୍ରକାଶ କରି ଅଛନ୍ତି । ମମ୍‌ଙ୍କର ପ୍ରତ୍ୟେକ ପ୍ରସିଦ୍ଧ ଉପନ୍ୟାସରେ ସ୍ୱୟଂ ଲେଖକ ମଧ୍ୟ ଏକ ଚରିତ୍ର । ଗଳ୍ପର ବିକାଶରେ ଲେଖକ ଚରିତ୍ର ହିସାବରେ ଅବଶ୍ୟ ଅବାନ୍ତର, ତଥାପି ସୂତ୍ରଧର ଓ ଟୀକାକାର (interpreter) ଭୂମିକାରେ ଲେଖକ ଗଳ୍ପର ପୃଷ୍ଠଭୂମି ରଚନାରେ, ପୁଣି ତାହା ପାଠକମାନଙ୍କୁ ଉପଲବ୍‌ଧି କରାଇବାରେ ବହୁ ସହାୟତା କରିଅଛନ୍ତି । ପୁଣି ଗଳ୍ପକୁ ଜୀବନ୍ତ କରିବାରେ ଓ ସେଥିରେ ବାସ୍ତବତାର ସ୍ପର୍ଶ ଦେବାରେ ଏ ଶୈଳୀ ଓ ରୀତି ବହୁ ପରିମାଣରେ ସାର୍ଥକ ହୋଇ ପାରିଅଛି । ଫକୀରମୋହନଙ୍କ ଶୈଳୀରେ ଏହା ମଧ୍ୟ ଏକ ବିଶେଷତ୍ୱ । ଫକୀରମୋହନଙ୍କ ଉପନ୍ୟାସ, ବିଶେଷତଃ ‘‘ମାମୁ’’ ଓ ‘‘ଛମାଣ ଆଠଗୁଣ୍ଠ’’ରେ ଲେଖକ ନିଜେ ସୁଦ୍ଧା ଏକ ଚରିତ୍ର । ପୃଷ୍ଠଭୂମିରେ, ଦୃଷ୍ଟିର ଅନ୍ତରାଳରେ ଥିଲେ ସୁଦ୍ଧା, ଅନାସକ୍ତ ପର୍ଯ୍ୟବେକ୍ଷକ ରୂପେ ତାଙ୍କର ସୂଚନା, ଟିପ୍ପଣୀ ଓ ମନ୍ତବ୍ୟ ବିଭିନ୍ନ ଘଟଣା ଓ ଚରିତ୍ରମାନଙ୍କର ରୂପାୟନକୁ ଜୀବନ୍ତ ଓ ରସାଣିତ କରିପାରିଅଛି । ପୂର୍ବେ ଉଲ୍ଲେଖ କରାଯାଇଅଛି, ଆବୃତ୍ତି–ଉପଯୋଗୀ ଶୈଳୀରେ ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ରଚିତ ହୋଇଥିଲା । ସେଥିପାଇଁ ଫକୀରମୋହନ କଥକରୂପେ ନିଜକୁ ବିଭିନ୍ନ ଉପନ୍ୟାସରେ ପ୍ରକାଶିତ କରି ଅଛନ୍ତି । ଯଥା :–

 

‘‘X X ତିନିଜଣ ମିଶି ଖୁବ୍‍ ଗୋଟାଏ ହସିଲେ । ଲେଖକ ପଚାରେ ଏହି ହସ ମଧ୍ୟରେ ଗୋଟାଏ ଯେଉଁ ହୃଦୟୋଲ୍ଲାସକାରୀ ଆନନ୍ଦ ପ୍ରଚ୍ଛନ୍ନ ଭାବରେ ରହିଅଛି, ବଡ଼ଲୋକ ଘରେ ସବୁବେଳେ ଯେଉଁ ଶୁଖିଲା ହସର ତୋଫାନ ଉଠୁଥାଏ ସେଥିମଧ୍ୟରେ ଏହା ଖୋଜି ପାଇବେ କି-?’’

(ମାମୁ...ପୃ ୧୩)

ସରଳ, ନିରାଡ଼ମ୍ୱର, ନିର୍ମଳ ପାରିବାରିକ ଜୀବନରେ ହୃଦୟୋଲ୍ଲାସକାରୀ ଆନନ୍ଦର ହାସ୍ୟେଜ୍ଜ୍ୱଳ ପ୍ରକାଶ, ଲେଖକଙ୍କର ଟିପ୍ପଣୀରେ କେବଳ ସ୍ପଷ୍ଟୀକୃତ ହୋଇନାହିଁ, ପାଠକମାନଙ୍କର ଉପଲବ୍‌ଧିରେ ମଧ୍ୟ ଏହା ସହାୟତା କରିଅଛି । ପୁଣି ଗେହ୍ଲେଇର ଆବିର୍ଭାବ ପୂର୍ବରୁ ତାହାର ଆଗମନୀ ଲେଖକଙ୍କର ରସିକତାରେ ଉଜ୍ଜ୍ୱଳ ଓ ମଧୁର ହୋଇପାରିଅଛି ।

‘‘ହେ ପାଠକ ମହାଶୟ ! ନାମଟା ଶୁଣି କଣ ମୁହଁ ବିଚକୁଟୁଛନ୍ତି ? ଏଇଟା କିପରି ଅପରିଚ୍ଛନିଆ ନାମ ହେଲା ! ଉପନ୍ୟାସ ନାୟିକାର ନାମ, କମଳା, ପଦ୍ମିନୀ, ରାଧିକା, ରୁକ୍ମିଣୀ ଏହିପରି କିଛି ସୁନ୍ଦର ନାମ ହେବାର ଉଚିତ ଥିଲା, ଏଇଟା କଣ ହେଲା ନା ଗେହ୍ଲେଇ ! ହେଲେ ପାଠକ ! ଟିକିଏ ଚାରିଆଡ଼କୁ ନଜର ରଖି କଥା କହନ୍ତୁ, ଲେଖକର ଅବସ୍ଥା ତ ହାଟରେ ପଡ଼ି ଦାଣ୍ଡରେ ଗଡ଼ି ଯାଉଛି, ସେ ପୁଣି ଲେଖିବାକୁ ବସିଛି କେତେ ଜଣ ଗାଉଁଲୀ ଲୋକଙ୍କ କଥା–ବଡ଼ ଲୋକିଆ ନାଁ ବା କାହୁଁ ପାଇବ ? X X’’

ସେହିପରି ‘ଛମାଣ ଆଠଗୁଣ୍ଠ’ରେ ଲେଖକଙ୍କର ନିଜର ବିଦ୍ରୂପାତ୍ମକ ଟିପ୍ପଣୀ ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ରଚିତ୍ରଣକୁ ଅତି ଜୀବନ୍ତ କରି ପାରିଅଛି; ତାଙ୍କର ପରବିତ୍ତଶୋଷଣକୁ ବିକଟ ଭାବରେ ପ୍ରକଟିତ କରି ପାରିଅଛି ।

 

‘‘ମଙ୍ଗରାଜଙ୍କ ମୁହଁରୁ ଅନେକ ଥର ଶୁଣା ଯାଇଅଛି, ସେ କେବଳ ପରର ବିକଳ ସହି ନପାରି ଧାନ ଟଙ୍କା କରଜ ଦିଅନ୍ତି, ନୋହିଲେ ସେଥିରେ ତାଙ୍କର ନିଜର ଲାଭ କିଛିନାହିଁ । ଆମ୍ଭେମାନେ କହୁ ବରଞ୍ଚ ଲୋକସାନ ! ଧାନ ଦେଢ଼ିରୁ ବେଶୀ କରଜା ନାହିଁ, ଏଥିରେ ଲାଭ କଣ-? ଦିଅନ୍ତି ଶୁଖିଲା ପୁରୁଣା ଧାନ, ନେଲା ବେଳକୁ ନୂଆ, କଞ୍ଚା । ଆଚ୍ଛା ପାଠକ, ଆପଣଙ୍କ ଓଦା ଲୁଗାଟା ଆଗେ ଓଜନ କରନ୍ତୁ, ଦେଖିବେ ଓଦା, ଶୁଖିଲାର କେତେ ପ୍ରଭେଦ !’’

 

(ଛ: ମା: ଆ: ଗୁ:–ପୃ ୭)

 

ଫକୀରମୋହନ ନିଜକୁ କେବଳ କଥକ ବା ହାସ୍ୟରସିକ ବିଦୂଷକ ରୂପରେ ନିଜର ଉପନ୍ୟାସରେ ପ୍ରକାଶ କରି ନାହାନ୍ତି । ସାମାନ୍ୟ ସାମାନ୍ୟ ଘଟଣା ବା ବସ୍ତୁକୁ ଉପଲକ୍ଷ୍ୟ କରି ସମସାମୟିକ ସାମଜିକ ଓ ରାଜନୈତିକ ଅବସ୍ଥା ଉପରେ ସେ ନାନା ସ୍ଥାନରେ ବହୁ ବଳିଷ୍ଠ ମନ୍ତବ୍ୟ ମଧ୍ୟ ପ୍ରକାଶ କରିଅଛନ୍ତି । ତାହା ଫକୀରମୋହନଙ୍କ ସାହିତ୍ୟାଦର୍ଶ ସମ୍ପର୍କରେ ଆଲୋଚିତ ହେବ ।

 

ଜୀବନ୍ତ ବାସ୍ତବତା ଫକୀରମୋହନଙ୍କ ଶୈଳୀର ଶ୍ରେଷ୍ଠ ବିଶେଷତ୍ୱ । ଏଥିପାଇଁ ସେ ଦୁଇଗୋଟି ଉପାୟ ଅବଲମ୍ୱନ କରିଅଛନ୍ତି; ପ୍ରଥମରେ ଭାଷା, ଦ୍ୱିତୀୟରେ ପରିବେଶ ସୃଷ୍ଟି । ଫକୀରମୋହନଙ୍କ ଭାଷାଭଙ୍ଗୀ, ତାଙ୍କର ଗଦ୍ୟରୀତି ଆଲୋଚନା ପ୍ରସଙ୍ଗରେ ଆଲୋଚିତ ହୋଇଅଛି । ଊନବିଂଶ ଶତାବ୍ଦୀର ଶେଷପାଦରେ ଓଡ଼ିଶାର ସାମାଜିକ ଜୀବନ, ଫକୀରମୋହନଙ୍କ କଥାସାହିତ୍ୟର ଭିତ୍ତି ଥିଲା । ସେଇଥିରୁ ସେ ପୁଣି ନିଜ କଥା ସାହିତ୍ୟର ଉପାଦାନ ସଂଗ୍ରହ କରିଥିଲେ । ସମାଜରେ ଉଚ୍ଚବିତ୍ତ ମଧ୍ୟବିତ୍ତ, ନିମ୍ନବିତ୍ତ ଓ ନିଃସ୍ୱ–ସମସ୍ତେ ତାଙ୍କର ଉପନ୍ୟାସରେ ସ୍ଥାନ ପାଇ ଅଛନ୍ତି । ତେଣୁ ପ୍ରତ୍ୟେକ ଶ୍ରେଣୀର ଭାଷା, ସେ ସେହି ଶ୍ରେଣୀର ଚରିତ୍ରମାନଙ୍କ ମୁହଁରେ ଫୁଟାଇବାଦ୍ୱାରା ଚରିତ୍ରଚିତ୍ରଣ କେବଳ ସାର୍ଥକ ଓ ରସୋତ୍ତୀର୍ଣ୍ଣ ହୋଇ ନାହିଁ, ଶୈଳୀ କେବଳ ଜୀବନ୍ତ ହୋଇ ନାହିଁ, ପ୍ରତ୍ୟେକ ଗଳ୍ପ ଓ ଉପନ୍ୟାସ ଅତି ତୀବ୍ର ଭାବରେ ଆବେଦନଶୀଳ (effective) ହୋଇପାରିଅଛି । ପୁଣି ପରିବେଶ ସୃଷ୍ଟିରେ ଫକୀରମୋହନଙ୍କ ଭାଷା ରୀତି, ଐନ୍ଦ୍ରଜାଲିକର ଯାଦୁକାଠି ପରି କାର୍ଯ୍ୟ କରିଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀରମୋହନଙ୍କ ଗଳ୍ପ ଓ ଉପନ୍ୟାସର ପୃଷ୍ଠାରେ ପୃଷ୍ଠାରେ ପାଠକର ମନୋଦୃଷ୍ଟି ସମ୍ମୁଖରେ ଊନବିଂଶ ଶତାବ୍ଦୀର ଶେଷପାଦରେ ଓଡ଼ିଶାର ଗାଁ ଗଣ୍ଡା, ସହର ବଜାର, ସମାଜ ଜୀବନର ନାନା କରୁଣ, ବୀଭତ୍ସ ଓ ହାସ୍ୟୋଦ୍ଦୀପକ ଚିତ୍ର ଚଳଚିତ୍ର ପରି ଫୁଟି ଉଠେ । ଏ କୃତିତ୍ୱ ଖାଲି ଓଡ଼ିଆ ସାହିତ୍ୟ ନୁହେ, ସମଗ୍ର ବିଶ୍ୱ ସାହିତ୍ୟରେ ସୁଦ୍ଧା ବିସ୍ମୟୋଦ୍ଦୀପକ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

‘‘ପୋଷାକ କିନ୍‌ଖାପ୍‌ ଢିଲା ପାଜାମା, ସାଟିନ୍‌ ଚପ୍‌କନ୍‌ ମୁଣ୍ଡରେ ବନାରସୀ ଟୋପି, କାନରେ ଅତର ତୁଳା କାଠି, ଆଗରେ ରୂପାର ଅତରଦାନ୍‌, ଗୋଲାପଦାନ୍‌, ତାହା ପାଖରେ ବଡ଼ ଏକ ସାତହାତି ନଳଯୁକ୍ତ ଗୁଡ଼ଗୁଡ଼ି ହୁକା, ହୁକା ଉପରେ ସାନ ଆଟିକା ପରି ଚିଲମ୍‌, ତହିଁ ଉପରେ ସରପୋଷ । X X X ଘରକୋଣ ଓ ଏଣେ ତେଣେ ଛିଣ୍ଡା ଛାଞ୍ଚୁଣି, ଜଳପୂର୍ଣ୍ଣ ବଦନା, ଦୁଇ ଚାରିଟା ମଦତି ହୁକା, ଗୁଡ଼ାକୁ ଗୁଳ, ମଦତ୍‌ ଓ ଗଞ୍ଜେଇ ପାଉଁଶ, ପିଆଜ ଚୋପା, ଛେଳି ଲଣ୍ଡି, ଆବଶ୍ୟକ ଓ ବର୍ଜିତ ପଦାର୍ଥମାନ ପଡ଼ିଅଛି । ଆମ୍ଭେମାନେ ସ୍ୱକୀୟ ବୁଦ୍ଧିର ପ୍ରାଚୁର୍ଯ୍ୟରେ ବୁଝିଅଛୁ, ଏ ଘର ମଧ୍ୟରେ କେବେ କେବେ ଛାଞ୍ଚୁଣି ବୁଲେ, ନୋହିଲେ କୋଣରେ ଏତେ ଅଳିଆ କାହୁଁ ଠୁଳ ହେଲା ? ଘର ଉପର ଭଙ୍ଗା କାର୍ଣ୍ଣିସମାନଙ୍କରେ ଓକିଲମାନେ ଯେପରି ଦର୍ପଣ ଆଲମାରିରେ ଆଇନ ପୋଥି ସଜାଡ଼ି ଦେଇ ତକିଆକୁ ଆଉଜି ମକେଲକୁ ଚାହିଁ ବସିଥାନ୍ତି, ବୁଢ଼ୀଆଣୀମାନେ ସହିପରି ଜାଲ ଟାଙ୍ଗି ମଶାଟି, ମାଛିଟିକୁ ଚାହିଁ ବସିଅଛନ୍ତି । କଡ଼ି ଫାଙ୍କମାନଙ୍କରେ ଘରଚଟିଆମାନଙ୍କର ମଜଲିସ୍‌ । ସେହି ମଜଲିସରୁ ବେଳେବେଳେ ଯାହା କୁଟା କେରାଏ ଖଡ଼ିକା ଖଣ୍ଡେ ଖସୁଅଛି । ତଳ ମଜଲିସ୍‌ ଆଜି ନିସ୍ତବଧ୍‌ । ମିଆଁ ସାହେବ ଗାଲରେ ହାତ ଦେଇ ଗୁମ୍‌ଖାଇ ବସିଅଛନ୍ତି । ଓୟାଟର୍ଲୁ ଯୁଦ୍ଧରେ ହାରି ନେପୋଲିୟନ୍‌ ଏପରି ଭାବନାରେ ବସି ପାରି ନ ଥିଲେ । କାରଣ ସେଣ୍ଟ୍‌ହେଲେନା ପଠାଇବା ପାଇଁ ଇଂରେଜମାନେ ତାଙ୍କୁ ଧରପକଡ଼ କରୁଥିଲେ । ଆଗରେ ସାତଜଣ ମୁସାହେବ୍‌ ବସି ଢୋଳାଉଅଛନ୍ତି, ଓସ୍ତାଦ୍‌ଜୀ ବକାଉଲା ଖାଁ ଦୁଇଗୋଡ଼ କୁଣ୍ଢାଇ ଦାଢ଼ିଟିକୁ ଆଣ୍ଠୁ ଉପରେ ନଦି ଦେଇ ବସିଅଛନ୍ତି । ପଠାଣଘର ତଲାକ୍‌ଦିଆ ମାଇକିନିଆଙ୍କ ପରି ତାନପୁରାଟା ଏବଂ ପଡ଼ିଆରେ ବାଇଜି ହାଣ୍ଡି ପରି ତବଲା ଦୁଇଟା ଗଡ଼ୁଅଛି ।’’

 

ଏ ଭାଷାର ସାର୍ଥକତା ଓ ଶକ୍ତି ବୁଝାଇ କହିବାର ନୁହେଁ । ସୁନିପୁଣ ଚିତ୍ରକରର ଅବଲୀଳାକ୍ରାନ୍ତ ରେଖା ସୁଦ୍ଧା ବ୍ୟଞ୍ଜନା ଓ ଆବେଦନରେ ଜୀବନ୍ତ ହେଲା ପରି, ଏ ଉଦ୍ୟମହୀନ, ଆବ୍ରୁହୀନ ଭାଷା; ପୁଣି ଉପମା ଓ ଉପମେୟର ପରମ୍ପରାମୁକ୍ତ (Unconventional) ବିନ୍ୟାସରେ, ମେଦିନୀପୁରର ଜମିଦାର ଦିଲ୍‌ଦାର ମିଆଁଙ୍କର ଘୁଣଧରା ଆସରର ଚିତ୍ର ଅତି ଅଦ୍ଭୁତ ଭାବରେ ଜୀବନ୍ତ ହୋଇ ପାରିଅଛି । ଆସରରେ ତଳେ ପଡ଼ିଥିବା ଶତରଞ୍ଜି ସୁଦ୍ଧା ଫକୀରମୋହନଙ୍କ ସନ୍ଧାନୀ ଦୃଷ୍ଟିରୁ ବାଦ୍‌ ପଡ଼ି ନାହିଁ ।

 

‘‘ଘର ତଳେ ଗୋଟାଏ ବଡ଼ ଶତରଞ୍ଜ ବିଛଣା ହୋଇଅଛି । ସେଟା ବୋଧହୁଏ ବଡ଼ ପୁରୁଣା, ଦଶ କି ବାର ଜାଗାରେ ତେଲ ଢଳା ଦାଗ, ଟିକିଆପୋଡ଼ା ଜାଗା ପନ୍ଦର କି କୋଡ଼ିଏ, ଧଡ଼ି ଚିରା ।’’

 

ଏହିପରି ଟିକିନିଖି ବର୍ଣ୍ଣନା ଫକୀରମୋହନଙ୍କ ଉପନ୍ୟାସରେ ପରିବେଷ ସୃଷ୍ଟିରେ, ବାସ୍ତବତାର ସ୍ପର୍ଶ ଦେବାରେ ସମ୍ପୂର୍ଣ୍ଣ ଭାବରେ ସଫଳ ହୋଇ ପାରିଅଛି । ଆଧୁନିକ ଉପନ୍ୟାସରେ ଏ ଶୈଳୀ ବିରଳ ହେଲେହେଁ ଭିକ୍ଟୋରିଆନ୍‌ଯୁଗ ଉପନ୍ୟାସର ଏହା ଏକ ବିଶେଷତ୍ୱ ଥିଲା । ଜଣେ ବିଶିଷ୍ଟ ସମାଲୋଚକ, ଇଂରାଜୀ ଔପନ୍ୟାସିକ ଡିକେନ୍‌ସଙ୍କ ସମ୍ପର୍କରେ ଯାହା ଲେଖିଛନ୍ତି, ପକୀରମୋହନଙ୍କ ସମ୍ପର୍କରେ ଠିକ୍‌ ତାହାର ପୁନରୁଲ୍ଲେଖ କରାଯାଇପାରେ :–

 

"The materials of which it is composed seem realistic enough; Dickens who saw and remembered everything that came his way, crammed it full of facts and acute observation; here is no yague dreamland, but a place filled with sharply etched detail"*

 

* The English Novel by J. B. Pristley. ପୃ୩୨

 

ଫକୀରମୋହନ ମୁଖ୍ୟତଃ ଥିଲେ କ୍ଷୁଦ୍ରଗଳ୍ପ ଲେଖକ; ତାହାହିଁ ତାଙ୍କ ଉପନ୍ୟାସ ଗଠନରୀତିରେ ଏକ ଶୋଚନୀୟ ଦୁର୍ବଳତା । ‘‘ଛମାଣ ଆଠଗୁଣ୍ଠ’’, ‘‘ପ୍ରାୟଶ୍ଚିତ୍ତ’’ ଓ କେତେକାଂଶରେ ‘‘ମାମୁ’’ ସ୍ଫୀତିକୃତ କ୍ଷୁଦ୍ରଗଳ୍ପ ବୋଲି ପୂର୍ବେ କୁହା ଯାଇଅଛି । ଫକୀରମୋହନ ଇଚ୍ଛା କରିଥିଲେ ପୁଣି ସମୟ ଓ ସୁବିଧା ପାଇଥିଲେ ‘‘ରେବତୀ’’, ‘‘ମାଧ ମହାନ୍ତିଙ୍କ କନ୍ୟା ସୁନା’’ ବା ‘‘ପୂର୍ନମୂଷିକୋଭବ’’ ପ୍ରଭୃତି କ୍ଷୁଦ୍ରଗଳ୍ପଗୁଡ଼ିକୁ ସ୍ଫୀତ କରି ଉପନ୍ୟାସରେ ପରିଣତ କରି ପାରିଥାନ୍ତେ । ଆକାରରେ କ୍ଷୁଦ୍ରତା କ୍ଷୁଦ୍ର ଗଳ୍ପର ପରିଚାୟକ ନୁହେଁ । କ୍ଷୁଦ୍ରଗଳ୍ପରେ ଆରମ୍ଭ, ମଧ୍ୟଭାଗ ଓ ଉପସଂହାର ଥିଲେ ସୁଦ୍ଧା, ଏହି ତିନିଗୋଟି ବିଭାବର ପରିପୂର୍ଣ୍ଣ ବିକାଶ କ୍ଷୁଦ୍ରଗଳ୍ପର ଶୈଳୀ ନୁହେଁ । ଏଥିରେ ଯେ କୌଣସି ଗୋଟିଏ ବିଭାବର ବିକାଶ ଅବେଦନଶୀଳ (effective) ଓ କଳା-କୁଶଳ ହୋଇପାରିଲେ କ୍ଷୁଦ୍ରଗଳ୍ପ ରସୋତ୍ତୀର୍ଣ୍ଣ ହୋଇପାରେ । ପୁଣି କ୍ଷୁଦ୍ରଗଳ୍ପର ପୃଷ୍ଠଭୂମି ଅତି ସୀମିତ । ସୀମିତ ପୃଷ୍ଠଭୂମି ଓ ପରିସରରେ ଅସୀମର ଆବେଦନ, ରସୋତ୍ତୀର୍ଣ୍ଣ କ୍ଷୁଦ୍ରଗଳ୍ପର ବିଶେଷତ୍ତ୍ୱ । ଉଦାହରଣ ସ୍ୱରୂପ ଫକୀରମୋହନଙ୍କ ଶ୍ରେଷ୍ଠ କ୍ଷୁଦ୍ରଗଳ୍ପ ‘‘ରେବତୀ’’ର ଗଠନରୀତି ଏଠାରେ ବିଶ୍ଳେଷଣ କରାଯାଇପାରେ । ଆଲୋଚିତ ଗଳ୍ପର ଏକ ସୁନିର୍ଦ୍ଦିଷ୍ଟ ଆରମ୍ଭ, ମଧ୍ୟଭାଗ ଓ ଉପସଂହାର ଅଛି । ପୃଷ୍ଠଭୂମି ମଧ୍ୟ ଅତି ସୀମିତ–ଶ୍ୟାମ ବନ୍ଧୁଙ୍କ ପରିବାର । କିନ୍ତୁ ‘ରେବତୀ’ର ଆବେଦନ ଗଳ୍ପର ଆରମ୍ଭ ବା ମଧ୍ୟଭାଗରେ ନାହିଁ–ଅଛି ଉପସଂହାରରେ । କେବଳ ଉପସଂହାରର ବିକାଶରେ ଫକୀରମୋହନଙ୍କ ସମସ୍ତ ସୃଜନୀଶକ୍ତି ଯେପରି କି ନିୟୋଜିତ ହୋଇଅଛି । ‘ରେବତୀ’ର ଗଠନରୀତି ସହିତ ଫକୀରମୋହନଙ୍କ ଅତ୍ୟତମ ଉଲ୍ଲେଖଯୋଗ୍ୟ ଗଳ୍ପ ‘‘ରାଣ୍ଡୀ ପୁଅ ଅନନ୍ତା’’ର ଗଠନରୀତି ତୁଳନା କଲେ, ଆଲୋଚିତ ଗଳ୍ପର ମଧ୍ୟଭାଗର ରସୋତ୍ତୀର୍ଣ୍ଣ ବିକାଶ ଉପରେ ଗଳ୍ପଟିର ସାର୍ଥକତା କିପରି ନିର୍ଭର କରୁଅଛି, ଲକ୍ଷ୍ୟ କରାଯାଇପାରିବ । ଏହି ପ୍ରକାର ଗଠନରୀତି ଓ ଶୈଳୀଦ୍ୱାରା ପ୍ରଭାବିତ ହେବା ଫଳରେ, ଫକୀରମୋହନଙ୍କ ଉପନ୍ୟାସଗୁଡ଼ିକ ସ୍ଫୀତିକୃତ କ୍ଷୁଦ୍ରଗଳ୍ପ ହୋଇ ପଡ଼ିଅଛି । କ୍ଷୁଦ୍ରଗଳ୍ପ ପରି ଉପନ୍ୟାସର ମଧ୍ୟ ସୁନିର୍ଦ୍ଦିଷ୍ଟ ଆରମ୍ଭ, ମଧ୍ୟଭାଗ ଓ ଉପସଂହାର ଅଛି । କିନ୍ତୁ ଉପନ୍ୟାସରେ ଏହି ପ୍ରତ୍ୟେକଟି ବିଭାବ, ବଳିଷ୍ଠ ଭାବରେ ବିକଶିତ ହେବା ଉଚିତ । ‘‘ମାମୁ’’ ସହିତ ‘‘ଛମାଣ ଆଠଗୁଣ୍ଠ’’ ବା ‘‘ପ୍ରାୟଶ୍ଚିତ୍ତ’’ ତୁଳନା କଲେ ଏହାର ତାତ୍ପର୍ଯ୍ୟ ସ୍ପଷ୍ଟ ହେବ । ‘‘ଛମାଣ ଆଠଗୁଣ୍ଠ’’ର ଆରମ୍ଭ ଓ ମଧ୍ୟଭାଗ ବିଶୃଙ୍ଖଳ ପୁଣି ଅତି ଦୁର୍ବଳ । କିନ୍ତୁ କେବଳ ଏହାର ପରିଣତି ଅତି ବଳିଷ୍ଠ ଓ ଆବେଦନଶୀଳ ହୋଇଥିବାରୁ, ‘‘ଛମାଣ ଆଠଗୁଣ୍ଠ’’ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ଅଦ୍ଭୁତ କୃତିତ୍ୱ ରୂପେ ପରିଗଣିତ ହୋଇପାରିଅଛି । ‘‘ପ୍ରାୟଶ୍ଚିତ୍ତ’’ର ଆରମ୍ଭ ଓ କେତେକାଂଶରେ ମଧ୍ୟଭାଗ ଯେପରି ସୁଗଠିତ, ଉପସଂହାର ସେହିପରି ଦୁର୍ବଳ । କିନ୍ତୁ ‘‘ମାମୁ’’ ଉପନ୍ୟାସର ପ୍ରତ୍ୟେକଟି ବିଭାବ ଯେପରି ସୁଗଠିତ ସେହିପରି ସୁକଳ୍ପିତ । ସେଇଥିପାଇଁ ବହୁମତରେ ‘‘ମାମୁ’’ ଫକୀରମୋହନଙ୍କ ସର୍ବଶ୍ରେଷ୍ଠ ଉପନ୍ୟାସ ବୋଲି ବିବେଚିତ ହୋଇଥାଏ ।

 

ନାଟକୀୟ ଅତିରଞ୍ଜନ ବା ମେଲୋଡ଼୍ରାମା ଫକୀରମୋହନଙ୍କ ଶୈଳୀରେ ଅନ୍ୟତମ ଦୁର୍ବଳତା । ତାହା ଫକୀରମୋହନଙ୍କ ବିଭିନ୍ନ ଉପନ୍ୟାସର ଆଲୋଚନା ପ୍ରସଙ୍ଗରେ ଆଲୋଚିତ ହୋଇଅଛି । ଏଠାରେ ତେଣୁ ତାହାର ବିଶ୍ଳେଷଣ ନିଷ୍‌ପ୍ରୟୋଜନ । ଏ ସମସ୍ତ ଅପୂର୍ଣ୍ଣତା ସତ୍ୱେ ଫକୀରମୋହନଙ୍କ ଉପନ୍ୟାସ ଆଜିସୁଦ୍ଧା ପାଠକମାନଙ୍କ ନିକଟରେ ଏହାର ଚିରନୂତନତ୍ୱ ଓ ଆବେଦନ ହରାଇ ନାହିଁ ।

Image

 

Unknown

କ୍ଷୁଦ୍ରଗଳ୍ପ ଓ ଫକୀରମୋହନ

 

ଫକୀରମୋହନ ଓଡ଼ିଆ ସାହିତ୍ୟରେ ଆଧୁନିକ କ୍ଷୁଦ୍ରଗଳ୍ପର ଆଦି ଜନ୍ମଦାତା । ୧୮୬୮ ସାଲରେ ଫକୀରମୋହନ ବାଲେଶ୍ୱରରେ ଶିକ୍ଷକତା କରୁଥିବା ସମୟରେ ‘ବୋଧଦାୟିନୀ’ ପତ୍ରିକାରେ ‘ଲଛମନିଆ’ ଶୀର୍ଷକ ଗୋଟିଏ କ୍ଷୁଦ୍ରଗଳ୍ପ ଲେଖିଥିଲେ । *ସମଗ୍ର ଭାରତୀୟ ସାହିତ୍ୟରେ ତାହାହିଁ ହୁଏତ ସର୍ବପ୍ରଥମ ଆଧୁନିକ କ୍ଷୁଦ୍ରଗଳ୍ପ । ବଙ୍ଗଳାସାହିତ୍ୟରେ ଫକୀରମୋହନଙ୍କ ସୁପ୍ରସିଦ୍ଧ ସମସାମୟିକ ବଙ୍କିମଚନ୍ଦ୍ର କୌଣସି କ୍ଷୁଦ୍ରଗଳ୍ପ ଲେଖି ନ ଥିଲେ । ବଙ୍ଗଳା ସାହିତ୍ୟରେ ରବୀନ୍ଦ୍ରନାଥହିଁ କ୍ଷୁଦ୍ରଗଳ୍ପର ପ୍ରଥମ ପ୍ରବର୍ତ୍ତକ । କିନ୍ତୁ ରବୀନ୍ଦ୍ରନାଥଙ୍କର କ୍ଷୁଦ୍ରଗଳ୍ପ ରଚନା ଯେତେଦୂର ସମ୍ଭବ ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଆରମ୍ଭ ହୁଏ । ପରେ କଲ୍ଲୋଳ-ଯୁଗର ଲେଖକମାନଙ୍କ ରଚନା ବଙ୍ଗଳା କ୍ଷୁଦ୍ରଗଳ୍ପ ସାହିତ୍ୟକୁ ବହୁ ପରିମାଣରେ ସମୃଦ୍ଧ କରିଅଛି । ରବୀନ୍ଦ୍ରନାଥ ଓ କଲ୍ଲୋଳଯୁଗ ମଧ୍ୟରେ ଶରତଚନ୍ଦ୍ରଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ମଧ୍ୟ ଉଲ୍ଲେଖଯୋଗ୍ୟ । ସେ ଯାହାହେଉ ରବୀନ୍ଦ୍ରନାଥଙ୍କ ପୂର୍ବରୁ ବଙ୍ଗଳାରେ ଆଧୁନିକ କ୍ଷୁଦ୍ରଗଳ୍ପ ନଥିଲା ବୋଲି ନିଶ୍ଚିତ ଭାବରେ କୁହାଯାଇପାରେ । ଆଧୁନିକ ବଙ୍ଗଳା ସାହିତ୍ୟର ଜଣେ ସମାଲୋଚକ ଲେଖିଛନ୍ତି; ‘‘ଆଧୁନିକ କଥାଟାର ବ୍ୟାପକ ଅର୍ଥ ଥାକଲେଓ ଆଧୁନିକ ବାଙ୍ଗଲା ସାହିତ୍ୟ ବଲ୍‌ତେ ପ୍ରଧାନତଃ ସେଇ ସାହିତ୍ୟକେ ବୁଝାୟ, ଯେ ସାହିତ୍ୟେର ସୁର୍‌ ହୟେଛେ ‘କଲ୍ଲୋଳ ଯୁଗ’ ଥେକେ । ଅର୍ଥାତ୍ ଆଧୁନିକ ବାଙ୍ଗଲା ସାହିତ୍ୟେର ଇତିହାସ ବିଗତ ପଚିଶ ବତ୍ସରେର ମଧ୍ୟେ ସୀମାବଦ୍ଧ ।’’ ହିନ୍ଦୀ ସାହିତ୍ୟରେ ପ୍ରେମଚାନ୍ଦଙ୍କଠାରୁ ଆଧୁନିକ କ୍ଷୁଦ୍ରଗଳ୍ପର ରଚନା ଆରମ୍ଭ ହୁଏ । ମାତ୍ର ପ୍ରେମଚାନ୍ଦ ୧୯୧୭ ସାଲ ପୂର୍ବରୁ କିଛି ଉଲ୍ଲେଖଯୋଗ୍ୟ ରଚନା କରି ନ ଥିଲେ । ତେଲୁଗୁ ସାହିତ୍ୟରେ ମଧ୍ୟ ୧୮୬୮ ସାଲ ପୂର୍ବରୁ କୌଣସି ଆଧୁନିକ କ୍ଷୁଦ୍ରଗଳ୍ପ ପ୍ରକାଶ ପାଇନାହିଁ । ତେଣୁ ଫକୀରମୋହନଙ୍କୁ ଆଧୁନିକ ଭାରତୀୟ ସାହିତ୍ୟରେ ସର୍ବପ୍ରଥମ ଗଳ୍ପ ଲେଖକ ବୋଲି ଯଥାର୍ଥରେ ଅଭିବାଦନ କରାଯାଇପାରେ-

 

*ଫକୀରମୋହନ ନିଜ ଆତ୍ମଚରିତରେ ଏହି ଗଳ୍ପ ସମ୍ପର୍କରେ ଲେଖିଛନ୍ତି; ‘‘ବାଲେଶ୍ୱରରେ ଶିକ୍ଷକତା କରୁଥିବା ସମୟରେ X X X ସେଠାକାର ପ୍ରେସରୁ ଖଣ୍ଡିଏ ମାସିକ ପତ୍ରିକା ବାହାରୁଥିଲା । ସେହି ‘‘ବୋଧଦାୟିନୀ’’ ପତ୍ରିକାରେ ମୁଁ ଗୋଟିଏ ଗଳ୍ପ ଲେଖିଥିଲି । ତାହାର ନାମ ‘‘ଲଛମନିଆ’’ । ବୋଧକରେ ଉତ୍କଳ-ସାହିତ୍ୟରେ ତାହାହିଁ ପ୍ରଥମ ମୁଦ୍ରିତ ଗଳ୍ପ ।’’ (ପୃ.୧୭୩)

 

+ ‘‘ଏ ଯୁଗେର ସାହିତ୍ୟ’’–ଲେଖକ–ବିଜୟ ବାନାର୍ଜୀ (୧୯୫୦) ପୃ. ୧୭୬.

 

‘ଲଛମନିଆଁ’ ପରେ ଫକୀରମୋହନ ଆଉ କୌଣସି ଗଳ୍ପ ବହୁ କାଳ ଧରି ଲେଖିନଥିଲେ । ‘ଲଛମନିଆଁ’ ସମ୍ପର୍କରେ ଫକୀରମୋହନ ପୁଣି ଲେଖିଛନ୍ତି ‘‘ଲୋକେ ତାହା ଆଗ୍ରହର ସହିତ ପଢ଼ିଥିଲେ ! ମାତ୍ର ସେ କେତେଜଣ ? ମୁଁ ବାଲେଶ୍ୱରରୁ ଚାଲି ଆସି, ଯେତେବେଳେ ଗଡ଼ଜାତମାନଙ୍କରେ କର୍ମ କରିବାକୁ ଗଲି ସେତେବେଳେ ମୋର ସାହିତ୍ୟ ଲେଖା ବନ୍ଦ ହୋଇଗଲା । ତା’ପରେ କଟକବାସ ସମୟରେ ମୋର ଉପନ୍ୟାସ ଲେଖା ଆରମ୍ଭ ହୁଏ । ମୁଁ ପ୍ରଥମେ ‘‘ରେବତୀ’’ ନାମକ ଗୋଟିଏ ଗଳ୍ପ ଲେଖିଲି । ‘ଉତ୍କଳ ସାହିତ୍ୟ’ ରେ ପ୍ରକାଶ କରିବା ପାଇଁ ତାହା ସମ୍ପାଦକଙ୍କୁ ଦେଲି ।’’ * ୧୮୯୬ ସାଲଠାରୁ ଫକୀରମୋହନ କଟକରେ ଆସି ରହିଥିଲେ । କିନ୍ତୁ ୧୮୯୯ ସାଲରେ ପୁଣି ନଅମାସ ପାଇଁ ସେ କେନ୍ଦ୍ରାପଡ଼ାରେ ମେନେଜରୀ ଚାକିରି କରିବା ପାଇଁ କଟକ ଛାଡ଼ି ଦେଇଥିଲେ । ତେଣୁ ଯେତେଦୂର ସମ୍ଭବ ‘ରେବତୀ’ର ରଚନା କାଳ ୧୯୦୦ ସାଲ । ‘ରେବତୀ’ର ଶୈଳ୍ପିକ ସାର୍ଥକତା ଓ ଅଶ୍ରୁଳ ଆବେଦନ, ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ସାହିତ୍ୟରେ ଯଥାର୍ଥରେ ଏକ ବିସ୍ମୟ ।

 

* ଆତ୍ମଚରିତ–ପୃ.୧୭୪.

 

ରଚନା, ଶୈଳୀ ଓ କଥାବସ୍ତୁ ଦୃଷ୍ଟିରୁ ଫକୀରମୋହନଙ୍କ ଗଳ୍ପଗୁଡ଼ିକ ଅପୂର୍ବ । ସ୍ପଷ୍ଟ ସାମାଜିକ ଉଦ୍ଦେଶ୍ୟରେ ପୁଣି, ଏ ଗଳ୍ପଗୁଡ଼ିକ ଲେଖା ଯାଇଥିଲା । ସମାଜର ନାନା ଦୁର୍ନୀତି, ଅନ୍ୟାୟ, ଅନାଚାର ଓ କୁସଂସ୍କାର ବିରୁଦ୍ଧରେ ପକୀରମୋହନ ଏହି ଗଳ୍ପଗୁଡ଼ିକର ମାଧ୍ୟମରେହିଁ ସଂଗ୍ରାମ ଘୋଷଣା କରିଥିଲେ । ଏ ଗଳ୍ପଗୁଡ଼ିକର ପୁଣି ଏକ ସ୍ପଷ୍ଟ ନୀତିଶିକ୍ଷା ଥିଲା । ତେଣୁ କେବଳ ସାହିତ୍ୟ ଦୃଷ୍ଟିରୁ ନୁହେଁ, ସାମାଜିକ ବିଚାରରୁ ମଧ୍ୟ ଏ ଗଳ୍ପଗୁଡ଼ିକ ଅତି ମୂଲ୍ୟବାନ । ଫକୀରମୋହନଙ୍କ ସମସାମୟିକ ଓଡ଼ିଶାର ବହୁ କୌତୂହଳପୂର୍ଣ୍ଣ ଚିତ୍ର ଏହି କ୍ଷୁଦ୍ରଗଳ୍ପଗୁଡ଼ିକରୁ ମିଳିଥାଏ । ଊନବିଂଶ ଶତାବ୍ଦୀରେ ଓଡ଼ିଶାର ସାମାଜିକ ଇତିହାସ ରଚନା ପାଇଁ ଏ ଗଳ୍ପଗୁଡ଼ିକ ବହୁ ଉପାଦାନ ଯୋଗାଇବ । ନାଗା ଜମାଉତ୍‍ମାନେ କିପରି ଧର୍ମର ଦ୍ୱାହିରେ ଗୁଣ୍ଡାମି ଓ ଡକାୟତି ଚଳାଇଥିଲେ (ମୌନାମୋନୀ), ନିମ୍‍କି ପୋଲିସର କନେଷ୍ଟବଳମାନେ କିପରି ନିଜନିଜ ଇଲାକାରେ ରାଜଚକ୍ରବର୍ତ୍ତୀର ଏକଛତ୍ରାଧିପତ୍ୟ ଉପଭୋଗ କରୁଥିଲେ (ପୂନର୍ମୂଷିକୋଭବ) ଉନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସୁଦ୍ଧା ଓଡ଼ିଶାରେ ନୌ-ବାଣିଜ୍ୟର କିପରି ସୁଦିନ ଥିଲା, ପୁଣି ତାହା କ୍ରମେ କିପରି ବନ୍ଦ ହୋଇଗଲା (କାଳିକାପ୍ରସାଦ ଗୋରାପ) ଓ ସେ ସମୟରେ ଓଡ଼ିଶାରେ ଲବଣ ଉତ୍ପାଦନ କିପରି ଏକ ପ୍ରଧାନ ବ୍ୟବସାୟ ଥିଲା, ଏ ସମସ୍ତ ଲୁପ୍ତଚିତ୍ର, ଫକୀରମୋହନଙ୍କ ଗଳ୍ପଗୁଡ଼ିକରୁ ମିଳିଥାଏ ।

 

ନୌ-ବାଣିଜ୍ୟର ପ୍ରଚଳନ ହେତୁ ସେତେବେଳେ ବାଲେଶ୍ୱରରେ ଜାହାଜାତି କାରବାରର ବଡ଼ ବ୍ୟବସାୟ ଥିଲା । ପାଞ୍ଚ, ଛଅଶହ ସରିକି ଜାହାଜ ସେତେବେଳେ ସମୁଦ୍ରରେ ଯିବା ଆସିବା କରୁଥିଲେ । ବାରପଣି ଜାହାଜ ଲୁଣବୁହା କାର୍ଯ୍ୟରେ ଏବଂ ଅବଶିଷ୍ଟ ଜାହାଜ ରେଙ୍ଗୁନ, ମାନ୍ଦ୍ରାଜ, କଲମ୍ବୋ ଓ ବଙ୍ଗୋପସାଗରର ଅନ୍ୟାନ୍ୟ ଦ୍ୱୀପମାନଙ୍କୁ ବାଣିଜ୍ୟସମ୍ଭାର ନେଇ ଯାଉଥିଲେ । ସେ ସମୟରେ ବାଲେଶ୍ୱରରେ, ସୁବର୍ଣ୍ଣରେଖା ନଦୀ କୂଳରେ ଗୋଟିଏ ଜାହାଜ ତିଆରି କାରଖାନା ଥିଲା । ବାଲେଶ୍ୱର ସହରର ଉପକଣ୍ଠରେ ଆଜି ବି ସେହି ଜାହାଜ ତିଆରି କାରଖାନାର ଭଗ୍ନାବଶେଷ ଦେଖିବାକୁ ମିଳେ । ସେଦିନର ବିଭବଶାଳୀ ଓଡ଼ିଆ ସାଧବମାନଙ୍କର, ମେଘନାଦ–ପାଚିରି ଘେରା ଉଆସମାନ ଏବେ ସୁଦ୍ଧା ଉତ୍‍ଥାନ ଓ ପତନର ମୂକସାକ୍ଷୀ ପରି ଦାର୍ଶନିକ ଭଙ୍ଗୀରେ ଦଣ୍ଡାୟମାନ । ତାର ଅନ୍ତେବାସୀମାନଙ୍କର ଅବସ୍ଥା ପୁଣି ଆହୁରି ଶୋଚନୀୟ; କାନ୍ଥରେ ଚୂନ ବୋଳିବାକୁ ସୁଦ୍ଧା ପଇସା ନାହିଁ ।

 

ଓଡ଼ିଶାର ନୌ-ବାଣିଜ୍ୟ ‘ଫାଟୁଆଗାଈ ଜଳଦସ୍ୟୁ’ ବା ପର୍ତୁଗୀଜ ଜଳଦସ୍ୟୁମାନଙ୍କ ଅତ୍ୟାଚାରରେ କିପରି ଉଚ୍ଛନ୍ନ ହୋଇଯାଇଥିଲା ଓ ଓଡ଼ିଆ ସାଧବ ମାନେ ତାଫଳରେ କିପରି ସର୍ବସ୍ୱାନ୍ତ ହୋଇଯାଇଥିଲେ ସେ କାହାଣୀ ଯେତିକି କୌତୂହଳପୂର୍ଣ୍ଣ ସେତିକି ମର୍ମନ୍ତୁଦ । ଫକୀରମୋହନଙ୍କ ‘‘କାଳିକାପ୍ରସାଦ ଗୋରାପ’’ ରୁ ଏହାର ପୂର୍ଣ୍ଣ ବିବରଣୀ ମିଳେ ।

 

‘‘x x ତହିଁ ଆରଦିନ ଖୁବ୍ ସକାଳେ ପୂର୍ବଦିଗରେ ଯେମିତି ସିନ୍ଦୁରା ଫାଟିଛି, ସମସ୍ତେ ଏକ ସଙ୍ଗରେ ଲଙ୍ଗର ହାବିସ କଲୁ । ଦୁଇଖଣ୍ଡ ଗୋରାପ, ବାଉଟା ହଲାଇ ଆମ୍ଭମାନଙ୍କୁ ଦଣ୍ଡବତ କଲେ । ଆମ୍ଭମାନଙ୍କ ମାଝିବି ସେହିପରି ବାଉଟା ବିଞ୍ଚିଲେ । ସେ ଗୋରାପ ଦିଖଣ୍ଡ ଦକ୍ଷିଣମୁହାଁ ହକାରିଲେ–ଖଣ୍ଡେ ଗଲା ଲକଡ଼ ଦ୍ୱୀପ, ଆଉ ଖଣ୍ଡେ ଗଲା କଲମ୍ବୋ ବନ୍ଦର । ଲକଡ଼ଦ୍ୱୀପ ଜାହାଜରେ ବୋଝେଇଥିଲା ଚୂଡ଼ା ଆଉ ଭାତହାଣ୍ଡି । କଲମ୍ବୋ ଜାହାଜରେ ମାଲଥିଲା ତୁଚ୍ଛା ଚାଉଳ-। ଆଉ ନାୟକବାବୁଙ୍କର ଦୁର୍ଗାପ୍ରସାଦ ସୁଲୁପ ଉତ୍ତରମୁହାଁ ଗଙ୍ଗା ନଈ ମୁହାଣ ବାଟରେ ସୂତାନଟି ହାଟି ଆଡ଼େ ଗଲା । ଆମ୍ଭେମାନେ ଯବ-ଦ୍ୱୀପ ବତାବୀ ବନ୍ଦର ଦିଗକୁ ପୂର୍ବମୁହାଁ ହକାରିଲୁ-। ତେତେବେଳେ ପଛିମା ସୁଲୁସୁଲିଆ ପବନ ମାରୁଥାଏ । ସଳଖରେ ମଙ୍ଗଟା ଧରିଥାଉଁ, ଦିନ ନାହିଁ, ରାତି ନାହିଁ, ଜାହାଜ ଧାଇଁଛି । ବାହାର ଦରିଆରେ ଦିନରାତି ସବୁ ସମାନ ।–ରାତିରେ ଉତ୍ତରପଟ ଧୋବତରା ଆଉ ଶେଷରାତିଆ ପୂର୍ବଦିଗ ପୋଆତରା ଦିଶିଲେ ବାଟ ଦିଶିଯାଏ । ଚାରିଦିନ ଦିନ ବଡ଼ି ସକାଳେ, ପୂର୍ବଦିଗ ସମୁଦ୍ର ଭିତରେ ସୂର୍ଯ୍ୟ ଦେବତାଙ୍କ ଫେନ୍ଦ ଯେମିତି ଦିଶିଲା, ସେଇ ଦିଗରେ ଦଶକୋଶ ହେବ ଦୂରରେ ଖଣ୍ଡେ ଜାହାଜର ଶେଡ଼ ଦିଶିଲା । ଜାହାଜ ଖଣ୍ଡକ ଆମ୍ଭମାନଙ୍କୁ ଲୟ କରି ଧାଇଁଥାଏ । ତାହା ବାଦ ଦିଶିଲା ଜାହାଜର ବାହୁଟିଆ କୁନ୍ଦା ଆଉ ସଫରଦରୀ ରସି ଉପରେ ଦୁଇଟା ବଡ଼ ବଡ଼ ଲାଲପତାକା ଉଡ଼ୁଛି । ମୁଁ ନାବରା ଦଉଡ଼ି ଧରି ଚଉକି ଉପରକୁ ଉଠି ଦୂରବୀଣ କଷି ଦେଲି । ଏତିକିବେଳେ ଦୁମ୍ ଦୁମ୍ କରି ସେଇ ଜାହାଜରୁ ଚାରିପାଞ୍ଚଟା ବୋମ୍ ଫାଏର୍ ହେଲା । ଆମ ମାଝି ଛାନିଆ ହେଲା ପରି ଚଞ୍ଚଳ ଡାକି ଦେଲା ଗାମଦ୍‍ଗାମଦ ପୂବ-ପୂବ-। ଆମ କାଳିକାପ୍ରସାଦ ବାଟ ବଦଳି ପୂବହେରିଆ ବସିଲା । ସେ ଜାହାଜ ବି ଆମ ଆଡ଼କୁ ଧାଉଁଥାଏ-। ଦିନ ଦୁଇପହର ବେଳେ ଦୁଇ ଜାହାଜ ଭେଟି ଠୋକର ଲାଗେ ଲାଗେ ।

 

‘‘x x x ତାପରେ କଣ ହେଲା କି ସେ ଜାହାଜ ଉପରେ ବାଳୁଆ କଳା କନାପିନ୍ଧା ଆଠଜଣ ତୁରକ ଠିଆ ହୋଇଥିଲେ । ଘାବରିଗଲା ପରି ଚଞ୍ଚଲ ଡାକିଲେ ପାଗଡ଼-ପାଗଡ଼-ପାଗଡ଼-। ଖଲାସିମାନେ ଚାରିଖଣ୍ଡ ପାଗଡ଼ ଯେମିତି ଫେପାଡ଼ି ଦେଇଛନ୍ତି, ତୁରକମାନେ ଦୁଇ ଜାହାଜକୁ ସିଙ୍ଗିଡ଼ି ପକାଇଲେ । ଆମ ଖଲାସିମାନେ ବି ଦୁଇ ଜାହାଜ ପେରଛା ଆଉ କାଛିରେ ସଙ୍ଗଡ଼ୁଥାନ୍ତି-। ଦୁଇ ଜାହାଜ ଯେମିତି ସଙ୍ଗଡ଼ା ଯାଇଛି, ସେ ଜାହାଜ ଚପ୍‌ଦାର ଆଉ ଖୋଳ ଭିତରୁ ଅନ୍ଦାଜ ଦୁଇ କୋଡ଼ିରୁ ବଳିବେ, ଖପ୍ ଖପ୍ କରି ଆମ ଜାହାଜକୁ ଡେଇଁ ପଡ଼ିଲେ । ସେମାନଙ୍କର ରୂପ ଦେଖି ଆମେ ତାଟଙ୍ଗା ହୋଇ ଗଲୁଣି । କାହାରି ଗୋଡ଼ ହାତ ଚଳୁ ନାହିଁ । କାଠଟା ପରି ଠିଆ ହୋଇଥାଉ-। ଲୋକଗୁଡ଼ା ପାଞ୍ଚହତା ମର୍ଦ୍ଦ, ସେଇ ରକମ ମୋଟା, ରାକ୍ଷସ ପରି, ଫିରିଙ୍ଗି ପରି ମୁହଁ ରଙ୍ଗା ରଙ୍ଗା-। ସେହିପରି ଏକରକମ ପୋଷାକ–ମୁଣ୍ଡରେ ଟୋପି–ମନ୍ଦାର ଫୁଲପରି ଆଖି ଲାଲ । ମୁହଁରୁ ମଦଗନ୍ଧ ଭକ ଭକ କରି ବାହାରୁଛି–ସବୁଗୁଡ଼ାକ ମତୁଆଲା–ଧାଡ଼ୁଆମାଙ୍କଡ଼ ପରି ଆମ ଜାହାଜ ଉପରେ ଧାଁ ଧାପଡ଼ ଲଗାଇଥାନ୍ତି । ହାତରେ ବଙ୍କା ଲଂଘା ତରବାରୀ । ଅଣ୍ଟାପଟି ଏକ ପାଖରେ ତରବାରୀ ଖାପ ଆର ପାଖରେ କଡ଼ାବିନ୍ ଝୁଲୁଥାଏ ।’’

 

ଊନବିଂଶ ଶତାବ୍ଦୀର ଆଦ୍ୟ ଓ ମଧ୍ୟ ଭାଗରେ ଉତ୍କଳର ନୌ-ବାଣିଜ୍ୟର ଏ ଏକ ଅପୂର୍ବ, ଜୀବନ୍ତ ଆଲେଖ୍ୟ । ଓଡ଼ିଆ ସୌଦାଗରମାନେ ସେପର୍ଯ୍ୟନ୍ତ ସୁଦ୍ଧା ରୂପକଥାର ସାଧବମାନଙ୍କ ପରି, ପର୍ତ୍ତୁଗୀଜ ଜଳଦସ୍ୟୁ, ଝଡ଼, ତୋଫାନ, ଅଜଣା ଅକୂଳ ଦରିଆ, ସବୁ ତୁଚ୍ଛ କରି ବେପରୁଆ ନାହା ମେଲୁଥିଲେ । କାହିଁ ସୁଦୂର ଲାକ୍ଷାଦ୍ୱୀପଠାରୁ ସିଂହଳ ପର୍ଯ୍ୟନ୍ତ, ପୁଣି ସୁତାନଟୀଠାରୁ ମାନ୍ଦ୍ରାଜ ପର୍ଯ୍ୟନ୍ତ ଓଡ଼ିଆ ସୌଦାଗରମାନଙ୍କର ପଣ୍ୟ ବୋଝାଇ ଜାହାଜମାନ ଯାଉଥିଲା । ଫକୀରମୋହନ ଲେଖଛନ୍ତି, ‘‘ସେ ଦେଶରୁ ଖଣ୍ଡେ ହୁଡ଼ି (ଜାହାଜ) ଆସିଲେ, ଚାରିପାଖ ଚାରିକୋଶ ଭିତରେ ଯେତେ ଶ୍ମଶାନ କଳସୀ ଆଉ ବାଇଜି ହାଣ୍ଡି ପଡ଼ିଥାଏ, ପାଣ ମେହେନ୍ତରମାନେ ସେ ସବୁ ରୁଣ୍ଡାଇ ହୁଡ଼ିକି ବିକନ୍ତି । ସେମାନେ ପଇସା ନଦେଇ ନଡ଼ିଆ ଦିଅନ୍ତି । ସେ ଜାହାଜ ସେଣୁ ନଡ଼ିଆରେ ପୂର୍ଣ୍ଣ ହୋଇ ଆସିଥାଏ । ସେତେବେଳେ ମାନ୍ଦ୍ରାଜ ହରବର୍‌ ନଥିଲା ‘‘ଚିନାପାଟଣା ହାଡ଼ୁ ବାହାରୁ’’ । ଓଡ଼ିଆ ସୌଦାଗରମାନେ ପାଲବନ୍ଧା ଦେଶୀ ଜାହାଜରେ ଏହି ସବୁ ଦୂରସ୍ଥାନମାନଙ୍କରେ ଯାଇଁ ବାଣିଜ୍ୟ କରୁଥିଲେ । କିନ୍ତୁ ମାଲିକମାନଙ୍କଦ୍ୱାରା ଏସବୁ ନୌବାଣିଜ୍ୟ ହେଉ ନ ଥିଲା । ମାଝିମାନେ ପ୍ରକୃତରେ ଏସବୁ କାରବାର ଚଳାଉଥିଲେ । ଫକୀରମୋହନଙ୍କ ‘କମଳାପ୍ରସାଦ ଗୋରାପ’ ଗଳ୍ପରୁ ଏହାର ବିଶଦ ବିବରଣୀ ମିଳେ...

 

‘‘ଖୁବ୍‌ ବିଶ୍ୱାସୀ ଲୋକ ନହେଲେ ମାଝିଗିରି ଚାକିରି ପାଏ ନାହିଁ । କାରଣ ତାର ହାତ ବାଟେ ଅନେକ ନଗଦ ଟଙ୍କା କାରବାର ହୁଏ । X X X ଚିରକାଳ ଏପରି ଦସ୍ତୁର ଚଳି ଆସିଛି କି ମାଝି ଦୂର ଦେଶକୁ ମାଲ ବୋଝାଇ ଜାହାଜ ଘେନିଯିବାବେଳେ, ସେ ଜାହାଜର ଦୁଇପଣ ବୋଝାଇ ମାଲ ବିନା ଭଡ଼ାରେ ଘେନିଯାଏ । X X X ମାଝିରେ ଦୁଇପଣି ମାଲ ନେବାର ଅଧିକାର ଅଛି ସତ୍ୟ, ମାତ୍ର ତା ହାତରେ ଏତେ ଟଙ୍କା କାହିଁ ? ବାବୁଙ୍କ ଘରେ ଚାକର, ଚାକରାଣୀ, ବହୂ, ଝିଅ, ଗୁମାସ୍ତା, ପାଇକ ଯେତେକ ଲୋକ ଥାନ୍ତି, ମାଝି ସେମାନଙ୍କ ପାଖରୁ ଟଙ୍କା ନିଏ । ଏହି ଟଙ୍କାକୁ ବଟମ କୁହାଯାଏ । ମାଝି ସେହି ବଟମ ଟଙ୍କାରେ ମାଲ କିଣି କାରବାର କରେ । ସେଥିରୁ ଯେଉଁ ଲାଭ ହୁଏ ବଟମଦାର ଅଧେ ଆଉ ମାଝି ଅଧେ ପାଏ ।’’

 

ଓଡ଼ିଶାର ନୌବାଣିଜ୍ୟ ଫଳରେ, ବହୁ ନୂତନ ଶବ୍ଦ ଓଡ଼ିଆ ଭାଷା ଭିତରକୁ ଆସିଥିଲା । ପୂର୍ବ ପୃଷ୍ଠାମାନଙ୍କରେ ସେ ଶବ୍ଦଗୁଡ଼ିକୁ ରେଖାଙ୍କିତ କରାଯାଇଅଛି । * ଫକୀରମୋହନଙ୍କର ଆଲୋଚିତ ଦୁଇଟି ଗଳ୍ପରେ ଏହିପରି ଶବ୍ଦଗୁଡ଼ିକର ବହୁଳ ପ୍ରୟୋଗ ଦେଖାଯାଏ । ଏଥିରୁ ସ୍ପଷ୍ଟ ଅନୁମତି ହୁଏ, ଏ ଶବ୍ଦଗୁଡ଼ିକ ଦିନେ ଲୋକସାଧାରଣରେ ଅତି ପରିଚିତ ଥିଲା । ଆଜି ଓଡ଼ିଶାରେ ନୌବାଣିଜ୍ୟ ନାହିଁ, ତେଣୁ ସେ ଶବ୍ଦଗୁଡ଼ିକ ମଧ୍ୟ କ୍ରମେ ଓଡ଼ିଆ ଭାଷାରୁ ଲୋପ ପାଇଅଛି ।

 

* ମିର୍ଦ୍ଧା–ଜାହାଜ ଖଲାସୀମାନଙ୍କ ଉପରେ ସର୍ଦ୍ଦାର । (‘ତୁ ଭାରୀ ମିର୍ଦ୍ଧା ପଡ଼ିଚୁ’–ମିର୍ଦ୍ଧାଶବ୍ଦର ଏ ପ୍ରୟୋଗ ଏବେ ବି ଗାଁ ଗହଳରେ ପ୍ରଚଳିତ ଅଛି ।)

 

ବୋମ୍ୱାଟିଅ–ଜଳଦସ୍ୟୁ (ଜୁଲୁମବାଜ ଅର୍ଥରେ ଏ ଶବ୍ଦର ପ୍ରଚଳନ ଏବେ ସୁଦ୍ଧା ଅଛି)

 

ଗୁଦୀ–ଜାହାଜରଖା ସ୍ଥାନ ବା dockyard

 

ବତାଲୀ–Lifeboat

 

ହେରିଆ–ସମ୍ମୁଖକୁ ପବନ ଠେଲି ସର୍ପାକାରରେ ଜାହାଜର ଗତି ।

 

ବାରା–ଛୋଟ ବନ୍ଦର

 

ବଟମ–ଅଂଶ ବା Share (ଏବେ ସୁଦ୍ଧା ବଟୀ ଶବ୍ଦଟି ପ୍ରଚଳିତ ଅଛି)

 

‘‘କମଳାପ୍ରସାଦ ଗୋରାପ’’ ଗଳ୍ପରେ ସମୁଦ୍ର ଯାତ୍ରାର ଏକ ଅପୂର୍ବ କଳାକୁଶଳ ଓ ଜୀବନ୍ତ ବିବରଣୀ ଫକୀରମୋହନ ଲିପିବଦ୍ଧ କରିଅଛନ୍ତି ।

 

‘‘ଆଜି ପୂର୍ଣ୍ଣିମା–ସହଜରେ କଟାଳ ଜୁଆର ଦିନ, ବାରଟାବେଳେ ଜୁଆର ଭାଟିବ । ଠିକ୍‌ ତେତିକିବେଳେ ପଡ଼ିଛି ଅମୃତଯୋଗ । ଆଜି ଢେର ଜାହାଜ ଗଡ଼ି ଯିବାର ସ୍ଥିର ହୋଇଅଛି । ଚାରିପାଞ୍ଚ ଦିନ ହେଲା ମାଝୀ ଖଲାସୀମାନେ କାମରେ ଭାରୀ ଲାଗି ଯାଇଥିଲେ । ଜାହାଜଟିକୁ ସଫା ସୁତୁରା କରି ଡୋଲ ଉପରେ ସବର, ଗଭର ଟଭର–ପଛକୁ କଲମି ଡୋଲ ଆଉ ବରଗାମାନ ଟେକି ଦେଇ ଶେଡ଼୍‌ ଗୁଡ଼ାଇ ଠିକ୍‌ କରି ରଖି ଦେଇଛନ୍ତି । ଆଗରେ ପଛରେ ଡୋଲର ସବା ଉପରେ ଲାଲ, ଧଳା, ହଳଦିଆ ପତାକାମାନ ଫରଫର ଉଡ଼ୁଛି । ଆଡ଼ିକୁ ଜାହାଜଟି ବଡ଼ ସୁନ୍ଦର ଦିଶୁଛି । ବେଳ ପ୍ରହରକ ସରିକି ଖୋଦ୍‌ ବାବୁ ସ୍ନାନକରି ତସର ଜୋଡ଼ ପିନ୍ଧି ଜାହାଜ ଉପରେ ପହଞ୍ଚିଲେ । ଜାହାଜ ଆଗ ମୁଣ୍ଡଠାରେ ପୂଜା ଆଉ ହୋମ ବଢ଼ିଲା । ମାଝି ବି ସ୍ନାନ ପ୍ରକାର ସାରି ମୁଣ୍ଡରେ, ବେକରେ, ଦୁଇ ବାହୁ ଆଉ ଛାତିରେ ଚିତା କାଟି ପୂଜା ପାଖରେ ବସିଥିଲା-। ପୁରୋହିତ ପୂଜା ସାରି, ବାବୁଙ୍କ ମୁଣ୍ଡରେ ଆଉ ମାଝି ମୁଣ୍ଡରେ ଅକ୍ଷତ ପକାଇ ବେକରେ ଫୁଲମାଳ ଲମ୍ୱାଇ ଦେଲେ । ପଣ୍ଡିତ ନରସିଂହ ମିଶ୍ରେ ଜାହାଜ କୁଶଳରେ ବାହୁଡ଼ି ଆସିବା ପାଇଁ ଚଣ୍ଡୀପାଠ ନିମନ୍ତେ ବାବୁଙ୍କ ହାତରୁ ସଙ୍କଳ୍ପ ଗୁଆ ଟେକି ନେଇ ଓହ୍ଲାଇ ଆସିଲେ । ମାଝି ଡାକି ଦେଲା–ତୟାର ରହ । ଖଲାସିମାନେ ଆଉ ସୁକାନି ଆପଣା ଆପଣା ଜାଗାରେ ଠିଆ ହୋଇଗଲେ-। ତଣ୍ଡେଲ ଆଗ ଲଙ୍ଗର କପିକଳକୁ ଅନାଇଁ ଆଉ ଛ’ଜଣ ଲଙ୍ଗର ଉଠା ବାଉର କଳର ଛଅଟା ପଖା ଧରି ଛିଡ଼ା ହୋଇଛନ୍ତି X X ଜ୍ୟୋତିଷେ ସୂର୍ଯ୍ୟକୁ ଆଉ ପାଞ୍ଜିକୁ ବରାବର ଚାହୁଁଛନ୍ତି-। ଠିକ୍‌ ବାରଟା ବେଳ ହେଲା । ବାବୁ ଆଉ ଜ୍ୟୋତିଷେ ଛିଡ଼ା ହୋଇ ଡାକିଦେଲେ– ମାଝି-!

 

ମାଝି ଜାହାଜ ଆଡ଼କୁ ମୁହଁ କରି ଡାକିଦେଲା–ହାବିସ୍‌

 

ତଣ୍ଡେଲ ଡାକିଲା–ଓ–ହୋଓ

 

ଖଲାସି–ଓ–ଭାଇ

 

ତଣ୍ଡେଲ୍‌–ଦରିଆପୀର !

 

ଖଲାସିମାନେ–ଏଁ–ୟାଁ

 

ତଣ୍ଡେଲ୍‌–ପୀର କେରାମତ୍‌

 

ଖଲାସି–ଏଁ–ୟାଁ

 

ତଣ୍ଡେଲ–ସାହେବ ସଲାମତ୍‌

 

ଖଲାସି–ଏଁ–ୟାଁ

 

ତଣ୍ଡେଲ–ଜୁଆନ ଜବର

 

ଖଲାସି–ଏଁ–ୟାଁ

 

ତଣ୍ଡେଲ ଡାକିଲେ ଖଲାସିମାନେ ‘ଏଁ–ୟାଁ’ କହି ଏକ ସଙ୍ଗରେ ଖୁବ୍‌ ବଳରେ ବାଉର ଯନ୍ତ୍ର ପଖା ବାଡ଼ିରେ ଏକ ଏକ ଝିଙ୍କା ମାରନ୍ତି । ଲଙ୍ଗର ପାଣି ଭିତରୁ ଟିକିଏ ଉଠି ଆସେ । ତଣ୍ଡେଲ ପାଟି କରି ଡାକି ଦେଲା ‘‘ଏରିଆ–ଏରିଆ–ଏରିଆ ।’’

 

ଲଙ୍ଗର ଉଠିଗଲା–ଭଟ୍ଟା ପାଣିରେ ଜାହାଜ ଖୁବ୍‌ ଧୀରେ ଧୀରେ ଗତି ଗଲା ।’’

 

ଆଲୋଚିତ ଦୁଇଟି ଗଳ୍ପ, ଶୈଳୀ ଓ ଗଳ୍ପ ଦୃଷ୍ଟିରୁ ଅପୂର୍ଣ୍ଣ ମନେ ହୋଇପାରେ । କିନ୍ତୁ ବର୍ଣ୍ଣନା ଚାତୁର୍ଯ୍ୟ ଓ ଭାଷାପ୍ରୟୋଗର ଶୈଳୀରେ ଫକୀରମୋହନ ପାଠକମାନଙ୍କ ସମ୍ମୁଖରେ ଓଡ଼ିଶାର ନୌ–ବାଣିଜ୍ୟର ଯେପରି ଅବିକଳ, ନିଖୁଣ ଚିତ୍ର ପରିବେଷଣ କରି ପାରିଛନ୍ତି, ଓଡ଼ିଆ ସାହିତ୍ୟରେ ତାହାର କୃତିତ୍ୱ ଯଥାର୍ଥରେ ଅତୁଳନୀୟ । ସମଗ୍ର ଓଡ଼ିଆ ସାହିତ୍ୟରେ ଫକୀରମୋହନଙ୍କର ଏହି ଦୁଇଗୋଟି ମାତ୍ର ଗଳ୍ପ ଓଡ଼ିଶାର ଗୌରବଦୀପ୍ତ ନୌ–ବାଣିଜ୍ୟର ଏକମାତ୍ର ସଙ୍କେତ ।

 

‘ଗଳ୍ପସଳ୍ପ’ର ପ୍ରଥମ ଭାଗରେ ସନ୍ନିବିଷ୍ଟ ଗଳ୍ପଗୁଡ଼ିକ ସାମାଜିକ । ଗଳ୍ପାଂଶ ଅପେକ୍ଷା ଚରିତ୍ରଚିତ୍ରଣ ଓ ସମସାମୟିକ ସମାଜର ନାନା ଅନୀତି, ଅନାଚାର ବିରୁଦ୍ଧରେ ପରିହାସ ଜର୍ଜରିତ ସମାଲୋଚନା ଓ ବିଦ୍ରୂପ, ଏହି ଗଳ୍ପଗୁଡ଼ିକର ପ୍ରଧାନ ବିଶେଷତ୍ୱ । ବସ୍ତୁତଃ ଫକୀରମୋହନଙ୍କ ଉପନ୍ୟାସ ଓ ଗଳ୍ପଗୁଡ଼ିକର କଥାବସ୍ତୁ ବା ଥିମ୍‌ (theme) ପ୍ରାୟ ସମାନ କହିଲେ ଚଳେ । ‘‘ପେଟେଣ୍ଟ ମେଡ଼ିସିନ୍‌’’ ଗଳ୍ପଟି ନିଛକ ପ୍ରହସନ ମୂଳକ । ‘ଚନ୍ଦ୍ରମଣି ବାବୁଙ୍କର ମଦ ଓ ପରକୀୟା ପ୍ରେମ ବ୍ୟାଧି କେଉଁଥିରେ ଭଲ ହେଲା ନାହିଁ । ବାପା ଯେତେ ବୁଝାଇଲେ, ଶ୍ୱଶୁର ଯେତେ ବୁଝାଇଲେ କାହିଁରେ କିଛି ହେଲା ନାହିଁ, ଚାକିରି ଗଲା, ସମାଜରେ ଦୁର୍ନାମ ରଟିଲା–ତଥାପି କାହିଁରେ କିଛି ହେଲା ନାହିଁ । ଶେଷକୁ ସ୍ତ୍ରୀ ସୁଲୋଚନାଙ୍କ ଅର୍ଦ୍ଦାଳିଆ ଛାଞ୍ଚୁଣି ପ୍ରହାରରେ ଚନ୍ଦ୍ରମଣିବାବୁଙ୍କର ଅଦ୍ଭୁତ ପରିବର୍ତ୍ତନ ହୋଇଗଲା । ତାହାହିଁ ‘ପେଟେଣ୍ଟ ମେଡ଼ିସିନ’ । ମହାଜନ କୁବେର ସାହୁର ପରସ୍ୱ ଲୁଣ୍ଠନ ଓ ଏକ ଅଦୃଶ୍ୟ ଶକ୍ତିର ବିଚାରରେ ତାହାର ଚରମ ଶାସ୍ତି, ‘ଅଧର୍ମ ବିତ୍ତ’ର କଥାବସ୍ତୁ । ଓଡ଼ିଶାର ବୁନିଆଦୀ ସମାଜରେ ନବ୍ୟ, ତଥାକଥିତ ପାଶ୍ଚାତ୍ୟ ସଂସ୍କାର, ସଂସ୍କୃତି ଓ ଚଳଣୀର ନିର୍ବୋଧ ଅନୁକରଣର ଶୋଚନୀୟ ପରିଣତି, ‘‘ସଭ୍ୟ ଜମିଦାର’’ ଗଳ୍ପର କଥାବସ୍ତୁ । କିନ୍ତୁ ଘଟଣାର ଏକଦେଶଦର୍ଶୀ ଅତିରଞ୍ଜନ ଗଳ୍ପଟିର ସ୍ୱାଭାବିକତା ବହୁପରିମାଣରେ କ୍ଷୁଣ୍ଣ କରିଅଛି । ଏ ପ୍ରକାର ଅତିରଞ୍ଜନ ଫକୀରମୋହନଙ୍କ ଗଳ୍ପଗୁଡ଼ିକରେ ଏକ ଉଲ୍ଲେଖଯୋଗ୍ୟ ଦୁର୍ବଳତା । ଗଳ୍ପଗୁଡ଼ିକର ନୈତିକ ମୂଲ୍ୟ ପାଇଁ ଅନେକ ସମୟରେ ଫକୀରମୋହନ ଶୈଳ୍ପିକ ସାବଳୀନତା ବିସର୍ଜନ ଦେଇଅଛନ୍ତି । ‘‘ବୀରେଇ ବିଶାଳ’’ ଗଳ୍ପଟି କନ୍ୟାସୁନାଲୋଭୀ ରାଘବ ପାତ୍ରର ହଟହଟାର କାହାଣୀ । କେବଳ ସମାଜରେ କନ୍ୟାବିକ୍ରୀ ପ୍ରଥାର ତିକ୍ତ ସମାଲୋଚନା ଉଦ୍ଦେଶ୍ୟରେ ଗଳ୍ପଟି ଲେଖା ହୋଇଥିଲେ ଗଳ୍ପଟି ରସୋତ୍ତୀର୍ଣ୍ଣ ହୋଇ ପାରିଥାନ୍ତା । ମାତ୍ର ସେଥିରେ ବୀରେଇ ବିଶାଳର ମାମୁଘର କଥା ଇତ୍ୟାଦି ନାନା ଅବାନ୍ତର ପ୍ରସଙ୍ଗ ଯୋଡ଼ିବା ଫଳରେ ଗଳ୍ପଟି ଆଦୌ ସୁଖପାଠ୍ୟ ହୋଇ ନାହିଁ । ଆଲୋଚିତ ଗଳ୍ପଗୁଡ଼ିକ ମଧ୍ୟରେ ‘ରେବତୀ’ ଓ ‘ରାଣ୍ଡୀପୁଅ ଅନନ୍ତା’ ଗଳ୍ପ ଦୁଇଟି ଓଡ଼ିଆ କ୍ଷୁଦ୍ରଗଳ୍ପ ସାହିତ୍ୟରେ ଦୁଇଟି ସାର୍ଥକ ଓ ସୁନ୍ଦର ସୃଷ୍ଟି ।

 

ବିଧବା ସିଂହାଣୀ ଓ ତାର ପୁଅ ଅନନ୍ତା–ଦୁହେଁଯାକ ସାଧାରଣ ବିଚାରରେ sub–normal ଅର୍ଥାତ୍‌ ସାଧାରଣ ମଣିଷଠାରୁ ଢେର ନିମ୍ନରେ । ବ୍ୟକ୍ତିତ୍ୱର କେତେକ ବିଭାବ ସେମାନଙ୍କର ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇ ପାରି ନାହିଁ । ‘‘ସିଂହାଣୀ X X ନାହି ତଳକୁ ଲୁଗା ପିନ୍ଧିଥିଲେ, ପେଟଟି ଛ’ ନଉତିଆ ଧାନ ଉଷୁନା କଳାହାଣ୍ଡି ପରି ବାହାରି ପଡ଼ିଥାଏ । ସିଂହାଣୀ ଅଳଙ୍କାରକୁ ବୋଧହୁଏ ବଡ଼ ଭଲ ପାନ୍ତି । ପ୍ରଥମେ ବିଧବା ଦିନ ଦେହରୁ ସବୁ ଅଳଙ୍କାର କାଢ଼ି ପକାଇଥିଲେ । ଶୁଦ୍ଧ ବାସିଦିନ ଫେର ହାତଗଣ୍ଠିଠାରୁ କହୁଣୀଯାଏ ଦଶବିଶାର ପିତଳବାହି ବଳା ଦୁଇ ହାତରେ ଲଗାଇ ଦେଲେ । ନାକରେ ତୋଳାଏ ଓଜନର ସୁନାଗୁଣା ଚେପ୍‌ଟା ବିଶାଳ ନାକକୁ କାମୁଡ଼ି ଧରିଥାଏ । ବେକରେ ଦଶଦଶ ଗଣ୍ଡା ଗୋଡ଼ଲଗା ଟଙ୍କାମାଳ ନାହିଯାକେ ଲମ୍ୱି ପଡ଼ିଥାଏ । ଦୁଇହାତରେ ଦି’ପୁଞ୍ଜା ଗେଣ୍ଡା ପରି ଛାପ ମୁଦି । ସିଂହାଣୀଙ୍କ ସାହସ ଊଣା ନୁହେଁ । ଗାଁ ମୁଣ୍ଡ ନିଛାଟିଆରେ ଘର, ଛୁଆଟାକୁ ଧରି ଏକୁଟିଆ ପଡ଼ିଥାଏ । X X ସିଂହେ ବିୟୋଗ ବେଳକୁ ପୁଅ ଅନନ୍ତାର ହୋଇଥିଲା ଚାରି ବରଷ । ବୟସଟଳା ବେଳେ ପୁଅଟିଏ ହେବାରୁ କୋଟିନିଧି ପାଇଥିଲେ । ପୁଅଟିର ଆକାର ବାପ ମା ପରି–ସେହିପରି ଦେହର ବର୍ଣ୍ଣ । ସିଂହାଣୀ ସଞ୍ଜବେଳେ କାମ ପାଇଟି ସାରି ପୁଅଟିକୁ ଘଡ଼ିଏ କୋଡ଼ରେ ବସାଇ ଗେଲ କରନ୍ତି । X X X ହାତୁଣୀ କୋଳରେ ହାତୀ ପିଲା ପରି ପିଲାଟି ଝୁଲିଲେ ବଡ଼ମାନେ । ରୋଜ ବଡ଼ି ସକାଳୁ ଉଠି ପୁଅକୁ ତେଲ ହଳଦୀ ଟିକିଏ ମାଖିଦେଇ କାଠ ପାନିଆରେ ମୁଣ୍ଡ କୁଣ୍ଡେଇ ମୁଣ୍ଡରେ ଗୋଟିଏ ସାନ ଜଟ ବାନ୍ଧିଦିଏ । ଘଡ଼ିଏଯାଏ ପୁଅ ମୁହଁକୁ ଚାହେଁ–ତା ବାଦ୍‌ଆପେ ଜିଭ କାମୁଡ଼ି ପକାଇ କୁହେ–ମା ଡାହାଣୀ ! ସୁନ୍ଦର ପୁଅଟିକୁ ମୁଁ ଚାହିଁଛି । ତାହା ବାଦେ ତୁଳସୀ ମୁଳରୁ ଟିକିଏ ମାଟି ଆଣି ମୁଣ୍ଡରେ ଚିତା କରିଦିଏ । ଜଟ ଉପରେ ଟିକିଏ ଗୋବର ଲଗାଇ ଦିଏ । ତାହାବାଦେ ପୁଅ ଉପରକୁ ଟିକିଏ ଛେପ ପକାଇ ଦିଏ । ଗାଁରେ କେତେ ରକମ ମାଇକିନିଆ ଅଛନ୍ତି–କାହା ନଜର କେମିତି ? ପୁଅକୁ ହାୟରା କରି ଦେବେ । ଏଥିଲାଗି ପୁଅ ବେକରେ ଖଣ୍ଡିଏ ଘୁଷୁରିଥୋମଣୀ, ଗୋଟାଏ ତମ୍ୱା ଡେଉଁରିଆ ଭିତରେ ମହାଦେବ ବେଲପତ୍ରୀ, ଦି’କଡ଼ା କାଣୀ କଉଡ଼ି, ଚାରିଟା ରୂପା ଡେଉଁରିଆ, ମୂଳ ମୁଟିକା ହାର କରି ପୁଅ ବେକରେ ଲଗାଇ ଦେଇଛି । X X ରାତିରେ ସେରେ ଚାଉଳରେ ଗୋଟିଏ ପୋଡ଼ପିଠା କରି ରଖିଥାଏ, ସେଟି ପୁଅ ହାତରେ ଦେଇ ଦହି ମୁହାଁଇ ବସେ ।’’ ଅନନ୍ତା ପିଲାଦିନୁ ଠିକ୍‌ ରାଣ୍ଡୀପୁଅ ଅନନ୍ତା ପରି ବଢ଼ିଥିଲା । ତା ଲାଗି ଗାଁ ଲୋକେ ଅସ୍ଥିର । କାହା ବାଡ଼ିରେ କିଛି ଫଳମୂଳ ହେଲେ ପତ୍ତା ରହିବ ନାହିଁ, କିନ୍ତୁ ସୁନା ରୂପା ପଡ଼ିଥାଉ, ସେଆଡ଼େ ଅନାଇବ ନାହିଁ । ତାକୁ ଥରେ ରଗାଇଲେ ରକ୍ଷା ନାହିଁ, ଘରର ଖୁମ୍ୱ ଆଉ କବାଟ ସୁଦ୍ଧା ଭାଙ୍ଗି ଦେବ, କିନ୍ତୁ ସାକୁଲେଇ କହିଲେ ଚାରିଜଣ ମଣିଷର କାମ, ଏକା ତୁଲେଇ ଦେବ । ଅଥଚ ତାରି ଆତ୍ମବଳିରେ ବିନୋଦାରାଏପୁର ଗାଁ ଭାର୍ଗବୀ ବଢ଼ିରେ ଧୋଇ ମୁହଁରୁ ରକ୍ଷା ପାଇଲା । ବିଶ୍ୱକଲ୍ୟାଣ କାମନାରେ ଆତ୍ମବଳିଦାନହିଁ ଦେବତ୍ୱ । ରାଣ୍ଡୀପୁଅ ଅନନ୍ତାର ଜାନ୍ତବ ଦେହ ଭିତରେ ଦେବତ୍ୱର ଏଇ ଦୀପ୍ତି, ମହିମାର ଏଇ ଝଲକ, ଅନନ୍ତାର କଦାକାର, ବିଭତ୍ସ, ଜାନ୍ତବ ମୂର୍ତ୍ତିକୁ ଏକ ସ୍ୱର୍ଗୀୟ ଦ୍ୟୁତିରେ ବିଭୂଷିତ କରିଦେଲା । ସତ୍ୟ, ଶିବ ଓ ସୁନ୍ଦର ପ୍ରାଣଶକ୍ତିର ଏକ ନିପୁଣ ଆଲେଖ୍ୟ–‘‘ରାଣ୍ଡୀପୁଅ ଅନନ୍ତା ।’’

 

ଓଡ଼ିଆ କ୍ଷୁଦ୍ର ଗଳ୍ପ ସାହିତ୍ୟରେ ‘ରେବତୀ’ ଏକ ଅମ୍ଳାନ, ଉଜ୍ଜ୍ୱଳ ସୃଷ୍ଟି । ଏହାହିଁ ଫକୀରମୋହନଙ୍କର ଏକମାତ୍ର ପ୍ରେମଗଳ୍ପ । ଫକୀରମୋହନ ସମସାମୟିକ ସମାଜର ରୁଚି ଓ ଚଳଣୀଦ୍ୱାରା ପ୍ରଭାବିତ ହୋଇ, ନିଜ ସାହିତ୍ୟରୁ ଯୁବକ, ଯୁବତୀଙ୍କ ମଧ୍ୟରେ କାମଜ ବା ରୂପଜ ମୋହ ବା ପ୍ରେମକୁ ବାଦ୍‌ ଦେଇଥିଲେ । ତେଣୁ ଫକୀରମୋହନଙ୍କ କଥା ସାହିତ୍ୟରେ କୌଣିସଠାରେ ପ୍ରେମର ସଙ୍କେତ ଆଦୌ ମିଳେ ନାହିଁ । ମାତ୍ର ‘ରେବତୀ’ ତାହାର ଏକ ବ୍ୟତିକ୍ରମ-। ବାସୁଦେବ ଓ ରେବତୀ ମଧ୍ୟରେ ବ୍ୟର୍ଥ ପ୍ରଣୟର କରୁଣ ପରିଣତି ଆଲୋଚିତ ଗଳ୍ପର ମୁଖ୍ୟ କଥାବସ୍ତୁ । ଏହାର ପଟ୍ଟଭୂମି ନବ୍ୟ ରୀତି ଓ ପୁରୁଣା ବୁନିଆଦ–ରୀତି ମଧ୍ୟରେ ଦ୍ୱିଧାକ୍ରାନ୍ତ, ସମସାମୟିକ ସମାଜ । ରେବତୀର ଜେଜିମା ଚରିତ୍ରରେ ତାହା ରୂପାୟିତ ହୋଇଅଛି । ରେବତୀ ଓ ବାସୁଦେବ ମଧ୍ୟରେ ପ୍ରଣୟ ଉଗ୍ର, ଉତ୍ତେଜକ ନୁହେଁ; ପଲ୍ଲୀପୁଷ୍ପ ପରି ଏହା ସ୍ନିଗ୍‌ଧ ଓ କୋମଳ-। ଅବରଣ ଭିତରେ ଏହାର ପ୍ରକାଶ । ଓଡ଼ିଆଣୀ ‘‘ଗାଁ କନିଆଁ’ର ଯୌବନ ପରି ଏହା ପୁଣି ଭୀରୁ ଓ କୁଣ୍ଠିତ; ଭଲକରି ପ୍ରକାଶ ନ ପାଉଣୁ ଝାଉଁଳି ପଡ଼ିଲା । ଜେଜୀମାର ଶତ ବାରଣ ସତ୍ୱେ ରେବତୀ ପାଠ ପଢ଼ିଲା । ରେବତୀର ପାଠ ପଢ଼ାଇବାର ଦାୟିତ୍ୱ ନେଲା ଗାଁର ପ୍ରାଥମିକ ସ୍କୁଲ ଶିକ୍ଷକ ବାସୁଦେବ । ବାସୁଦେବର ଯତ୍ନରେ ରେବତୀ ଢେର ପଢ଼ିଗଲାଣି । ସେପର୍ଯ୍ୟନ୍ତ ବାସୁଦେବ ପ୍ରତି ରେବତୀର ମନରେ କୌଣସି ବିକାର ଜନ୍ମି ନ ଥିଲା । ଦିନେ କଥାପ୍ରସଙ୍ଗରେ ବାସୁଦେବ ଜେଜିମାଙ୍କୁ ରେବତୀ ସହିତ ବାସୁଦେବର ବିବାହ ପ୍ରସ୍ତାବର ସୂଚନା ଦେଲେ । ଜେଜିମାର ସେଥିରେ କୌଣସି ଆପତ୍ତି ନ ଥିଲା । ଏହାପରେ ରେବତୀର ବାସୁଦେବ ପ୍ରତି ମନୋଭାବ ଅଦ୍ଭୁତ ଭାବରେ ବଦଳିଗଲା । ଏଣିକି ‘‘ତାକୁ ବାପା ଆଗରେ ବାସୁ ଭାଇ ପଢ଼ାଇ ଦେଲେ କିପରି ଗୋଟାଏ ଲାଜ ମାଡ଼େ । ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ । ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ, ପଢ଼ା ସରିଲେ ପାଟିବୁଜି ହସି ହସି ଘରକୁ ପଳାଇଯାଏ । ପ୍ରତିଦିନ ସଞ୍ଜବେଳେ ଦାଣ୍ଡଦୁଆର କବାଟକୁ ଧରି କାହାକୁ ଚାହିଁଥାଏ, ବାସୁ ଆସିଲେ ଘରକୁ ପଳାଏ । ପାଞ୍ଚ ଡାକରେ ବାହାରେ ନାହିଁ-।’’ ଏହାପରେ ରେବତୀର ବାପା ଶ୍ୟାମବନ୍ଧୁଙ୍କର ଦିନେ ମହାମାରୀରେ କାଳ ହୋଇଗଲା । ଶ୍ମଶାନରୁ ଫେରିବା ପରେ ରେବତୀ ମା ମଧ୍ୟ ମହାମାରୀରେ ପଡ଼ିଲା । ଦିନ ଦିପହରବେଳକୁ ସେ ମଧ୍ୟ ରହିଲା ନାହିଁ । ବୁଢ଼ୀ ଦିନ ରାତି କାନ୍ଦି କାନ୍ଦି ଆଉ କାନ୍ଦି ପାରେ ନାହିଁ । କେବଳ ସଞ୍ଜହେଲେ ବସିକାନ୍ଦେ । ଏବେ କାନ୍ଦିବା ଊଣା କରି କେବଳ ରେବତୀକୁ ଗାଳି ଦେବାକୁ ଆରମ୍ଭ କରିଛି-। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ରେବତୀ ଲକ୍ଷ୍ମୀଛାଡ଼ି ଇତ୍ୟାଦି-। ଏହି ଅସହାୟ ସଂସାରରେ ବାସୁଦେବ ଥିଲା ଏକମାତ୍ର ସହାୟ ଓ ଅବଲଂବନ । ରେବତୀ ଆଉ ଏଣିକି ‘‘ସେହି ଗୃହ ପ୍ରାଙ୍ଗଣ ସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ ।’’ ଦୁଃଖ ଓ ଆଘାତରେ ତାର ଦେହ ଓ ମନ ଭାଙ୍ଗି ପଡ଼ିଛି ।‘‘କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ । ବଡ଼ ବଡ଼ ଆଖି ଦୁଇଟାରେ ଜଳ ଜଳ କରି ବାସୁକୁ ଚାହିଁଥାଏ, ବାସୁ ଅନାଇଲେ ସାନ ନିଶ୍ୱାସଟାଏ ପକାଇ ମୁଣ୍ଡ ପୋତିଦିଏ ।’’ ଦିନେ ବାସୁଦେବ ସ୍କୁଲ ପିଲାମାନଙ୍କୁ ସାଙ୍ଗରେ ଧରି ପାଞ୍ଚଦିନ ପାଇଁ ହରିହରପୁର ଗଲା । ସେଠାରେ ଦିପୋଟି ଇନ୍‌ସପେକ୍ଟର ପିଲାମାନଙ୍କୁ ପରୀକ୍ଷା କରିବେ । କିନ୍ତୁ ପାଞ୍ଚଦିନ ପରେ ହରିହରପୁରରୁ ଫେରିଲାବେଳେ ବାଟରେ ବାସୁଦେବ ମଧ୍ୟ ମହାମାରୀରେ ଗଲା । ରେବତୀ ଶୁଣିଲା, ବୁଢ଼ୀ ଶୁଣିଲା । ଶୁଣିଲା ବେଳୁ ରେବତୀ ଜୀବନ୍ମାତ ପରି ଘର ଭିତରେ ଯାଇଁ ପଡ଼ିଲା-। ତାପରେ ସନ୍ନିପାତ ଜରରେ ସେ ଯେଉଁ ବିଛଣା ଧରିଲା ସେଥିରୁ ଆଉ ଉଠିଲା ନାହିଁ-। ମହାମାରୀ ବିଭୀଷିକାଗ୍ରସ୍ତ, ଧ୍ୱସ୍ତ ବିଧ୍ୱସ୍ତ ଶ୍ୟାମବନ୍ଧୁ ମହାନ୍ତିଙ୍କ ସଂସାରରେ ମୂର୍ଚ୍ଛିତ ପୃଷ୍ଠଭୂମିରେ ଶୁଭିଲା ଖାଲି ରାହାବାଳି ଜେଜିମାର ଅଭିଶାପ...‘‘ଲୋ, ରେବତୀ, ଲୋ ରେବୀ, ଲୋ ନିଆଁ, ଲୋ ଚୁଲି-।’’ ତାହା ମଧ୍ୟ ଆଉ ବେଶୀ କ୍ଷଣ ଶୁଣାଗଲା ନାହିଁ । ଶାନ୍ତ ପଲ୍ଲ ଆକାଶରେ ପହରିକିଆ ସନ୍ଧ୍ୟା ତାରା ତଳେ, ଶ୍ୟାମବନ୍ଧୁର ସଂସାର ଉପରେ ଶେଷ ଯବନିକା ପଡ଼ିଗଲା ।

 

ଗଳ୍ପର କଥାବସ୍ତୁ, ପରିବେଷଣ ଓ ଚିତ୍ରଣ ଅତି ବାସ୍ତବବାଦୀ । ଏହାର ଆଡ଼ମ୍ୱରହୀନ (unsophisticated) ସରଳ ସୌନ୍ଦର୍ଯ୍ୟ ଯଥାର୍ଥରେ ଅତୁଳନୀୟ ।

Image

 

ଫକୀରମୋହନଙ୍କ ସାହିତ୍ୟାଦର୍ଶ

 

କ୍ରମକ୍ଷୟଶୀଳ ବୁନିଆଦି ଆଦର୍ଶ ଓ ପ୍ରତିଷ୍ଠା ଲାଭର ଅପେକ୍ଷାରେ ଭୂଇଁଫୋଡ଼, ନବ୍ୟସଂସ୍କାର–ଫକୀରମୋହନଙ୍କ ଆବିର୍ଭାବ ହୋଇଥିଲା ଏହି ଦୁଇଟିର ସଂଘର୍ଷତିକ୍ତ ମୁହୂର୍ତ୍ତରେ । ଫକୀରମୋହନଙ୍କ ସାହିତ୍ୟାଦର୍ଶ ଏହି ଅନିଶ୍ଚିତ ଭିତ୍ତି ଉପରେ ସ୍ଥାପିତ ହୋଇଥିଲା । ଏ ପରିସ୍ଥିତିରେ ଫକୀରମୋହନ କେଉଁ ଆଦର୍ଶ ସମାଜ ଆଗରେ ଉପସ୍ଥାପିତ କରିଥିଲେ, ତାହାହିଁ ଏଠାରେ ବିଚାର୍ଯ୍ୟ ।

 

ଊନବିଂଶ ଶତାବ୍ଦୀରେ ମଧ୍ୟମ ଓ ଶେଷ ପାଦ ବେଳକୁ ଓଡ଼ିଶାର ପୁରୁଣା ବୁନିଆଦି ସମାଜ ଓ ଆଦର୍ଶର ମୂଳଦୁଆ ଦୋହଲି ପଡ଼ିଥିଲା । ‘ଛମାଣ ଆଠଗୁଣ୍ଠ’ରେ ବାଘସିଂହ ବଂଶ’ ‘ମାମୁ’ରେ ସାମନ୍ତ ପ୍ରତାପଉଦିତ ମଲ୍ଲ ଉତ୍ତରରାୟ ପରିବାର, ‘ପ୍ରାୟଶ୍ଚିତ୍ତ’ରେ ସାମନ୍ତ ବୈଷ୍ଣବଚରଣ ପଟ୍ଟନାୟକ ବିଦ୍ୟାଧର ମହାପାତ୍ରଙ୍କ ସମାଜ ବା ‘ଲଛମା’ରେ ଉତ୍କଳର ଶେଷ ଖଣ୍ଡାଧିପତି ମାନ୍ଧାତାଙ୍କର ରାୟବଣିଆ ଦୁର୍ଗ, ସବୁଠି ଏହି ବିଲୟର ଚିତ୍ର ଫକୀରମୋହନ ଉପସ୍ଥାପିତ କରିଅଛନ୍ତି । କିନ୍ତୁ ଏହି ପୁରୁଣା ବୁନିଆଦି, ଫକୀରମୋହନଙ୍କ କଳନାରେ ସବୁ ମହତ୍ୱ ଓ ମାନବିକ ଆଦର୍ଶର ସଙ୍କେତ ଥିଲା । ଉଦାହରଣ ସ୍ୱରୂପ.....

 

‘‘ବାଘସିଂହ ବଂଶ କ୍ଷୁଦ୍ର ଜାୟଗିରଦାର ଥିଲେ ମଧ୍ୟ ମଫସଲରେ ନାମ ଡାକ ଥିଲା । ରତନପୁର ମୌଜାରେ ଚୌପାଢୀ, ସେଟା ନିଷ୍କର ଖଣ୍ଡାଏତୀ ମାହାଲ । ତାକୁ ଛାଡ଼ି ତାଲୁକେ ଫତେପୁର ସରଷଣ୍ଢ ଏବଂ କେତେକ ଖଣ୍ଡ ବାଜେ ରିପୋର୍ଟ ଜମିଦାରୀ ଥିଲା । ନଟବର ଘନଶ୍ୟାମ ବାଘସିଂହ ଜମିଦାରୀ ସବୁ ଉଡ଼େଇ ଦେଇ ଯାଇଅଛନ୍ତି । ଲୋକଟା ବଡ଼ ସାହାଖର୍ଚ୍ଚୀ ଥିଲା । ଖର୍ଚ୍ଚବେଳେ ଆଗ ପଛ ବିଚାର ଥାଏ ନାହିଁ । ଆଜି ପାଞ୍ଚ ବୋଇଲେ ନାହିଁ ସାତ ବୋଇଲେ ନାହିଁ, ହାତରେ ପଡ଼ିଲା ଦେ ଖରଚ । ମୁହଁ ହରାଇ ଜିନିଷଟାଏ ମାଗିଦେଲେ ନା ପଦ ଶୁଣିବ ନାହିଁ । ଭାଟ ଭିକାରୀ ପାଇଁ ଦ୍ୱାର ମେଲା–ଭାତହାଣ୍ଡି ବସାଇ ଟୋକାଇ ଘେନି ତାଙ୍କ ଆଗରେ ଛିଡ଼ା ହେବାକୁ ଲୋକମାନଙ୍କର ଭରସା ଖଟୁଥିଲା ।’’ (ଛ: ମା: ଆ: ଗୁ: ପୃ ୭୫) ସେହିପରି, ‘‘ନୂତନ ଉତ୍ତରରାୟ ଶ୍ରୀ ଶ୍ରୀ ଶ୍ରୀ ପ୍ରତାପ ଉଦିତ ମଲ୍ଲଙ୍କ ବୁଝାମଣାରେ ପ୍ରଜାପାଟକଙ୍କ ଆନନ୍ଦ କହିଲେ ନ ସରେ । ସେମାନେ କହନ୍ତି, ଏତେ ଦିନରେ କପାଳ ଫିଟିଲା–ରାମରାଜ୍ୟ ପାଇଲେ । ପଛ ପଛ ଉତ୍ତରରାୟମାନେ ପ୍ରଜାକଣ୍ଟକ ନ ଥିଲେ ସତ୍ୟ–ହେଲେ, ଚଉପଟ ଖେଳ, ବେଣ୍ଟବୁଲା, ବାଦୀ ଗାଣ ଶୁଣା ଇତ୍ୟାଦିରେ ସେମାନଙ୍କୁ ବେଳ ନିଅଣ୍ଟ–ପ୍ରଜା ଗୁହାରି ଶୁଣିବାକୁ ସେମାନଙ୍କର ବେଳ କାହିଁ-?’’ (ମାମୁ....ପୃ ୩୧) ‘‘ପ୍ରାୟଶ୍ଚିତ’’ରେ ‘‘ସାମନ୍ତ ବୈଷ୍ଣବଚରଣ ପଟ୍ଟନାୟକ ବିଦ୍ୟାଧର ମହାପାତ୍ର ଜିଲ୍ଲା ମଧ୍ୟରେ ଜଣେ ନାମଡ଼ାକ ଜମିଦାର, ଅସୁରେଶ୍ୱର ପ୍ରଗଣାର ବାରପଣି ଭଳି ମୌଜା କିସମତ୍‌ ଷୋଳମଣି ଏହାଙ୍କର ଖାସ ଜମିଦାରୀ ଥିଲା । ସାମନ୍ତଙ୍କର ସ୍ୱର୍ଗଗତ ପିତା ଡାକଫୁକାର ଶ୍ରୀକରଣ ଗୋଷ୍ଠୀର ସମାଜପତି ହେବା ସକାଶେ ଜମିଦାରୀରୁ ଅନୁମାନ ଦୁଇପଣି ଭଳି ଭୂମି କରଣ ସମାନ୍ତମାନଙ୍କୁ ମହତ୍ତ୍ରାଣ କରାଇ ଦେଇ ଯାଇ ଅଛନ୍ତି । ଇତ୍ୟାଦି’’ (ପୃ ୨) ‘ଲଛମା’ର ରାୟବଣିଆ ଦୁର୍ଗେଶ୍ୱର ମଧ୍ୟ ଜଣେ ଆଦର୍ଶ ପୁରୁଷ ଥିଲେ । ‘‘ରାୟବଣିଆ’’ ଦୁର୍ଗ ସହିତ ଦୁର୍ଗାଧିପତିଙ୍କ ଗୌରବ ଉତ୍କଳଖଣ୍ଡରେ ଖ୍ୟାତି ଲାଭ କରିଥିଲା । ଉପଯୁକ୍ତ ଦୁର୍ଗରେ ଉପଯୁକ୍ତ ଲୋକ ଆଧିପତ୍ୟ ସ୍ଥାପନ କରିଥିଲେ ।’’ ବିଲୟମୁଖୀ ଏହି ସମସ୍ତ ପୁରାତନ ବୁନିଆଦ୍‌ ପରିବାରମାନଙ୍କରେ, ସମାଜ ଜୀବନରେ ଯାହାକିଛି ଶ୍ରେଷ୍ଠ, ଉଦାର ଓ ମହତ୍‌ଥିଲା, ତାହା ପ୍ରକାଶ ପାଇଥିଲା । କିନ୍ତୁ ପୁରୁଣା ବୁନିଆଦିର ଭୁଷୁଡ଼ା କାନ୍ଥ ଉପରେ ଯେଉଁ ନୂଆ ବୁନିଆଦିର ମୂଳଦୁଆ ପଡ଼ୁଥିଲା, ସେଥିରେ ପ୍ରକାଶ ପାଇଥିଲା ମଣିଷ ମନର ସଂକୀର୍ଣ୍ଣତା, କ୍ଷୁଦ୍ରତା, ଲୋଭ, ହିଂସା, ଅସୂୟା ଓ ପରସ୍ୱତ୍ୱ ଅପହରଣର ହୀନ ପ୍ରବୃତ୍ତି । ବାଘ ସିଂହ ବଂଶକୁ ତଳି ତଳାନ୍ତ, ସର୍ବସ୍ୱାନ୍ତ କରି, ରାମଚନ୍ଦ୍ର ମଙ୍ଗରାଜ ଯେଉଁ ନୂଆ ଖାନ୍‍ଦାନ୍‌ ଗଢ଼ୁଥିଲେ, ଭଗୀଆ, ସାରିଆ ପରି କେତେ ଦୁଃଖୀ, ରଙ୍କୀଙ୍କ ମର୍ମଭେଦୀ ହା–ହାକାର ଓ ଅଶ୍ରୁପାତରେ ତାହା ଯେ ଅଭିଶପ୍ତ ହୋଇଥିଲା, ତାହାର ଇୟତ୍ତା ନାହିଁ । ‘‘ମାମୁ’’ରେ ସେହିପରି ନୂତନ ଉତ୍ତରରାୟ ଶ୍ରୀ ଶ୍ରୀ ଶ୍ରୀ ପ୍ରତାପ ଉଦିତ ମଲ୍ଲଙ୍କ ଅକାଳରେ ପରଲୋକ ହୋଇଗଲା-। ଉତ୍ତରରାୟଙ୍କ ବଂଶକୁ ଲୁଣ୍ଠନ କରି କଟକ କିଲଟରୀଖାନାର ନାଜର ନଟବର ଦାସ ଏକ ନୂଆ ଖାନ୍ଦାନ୍‌ ଗଢ଼ିବାର ଉଦ୍ୟମ କରୁଥିଲେ । ‘‘ପ୍ରାୟଶ୍ଚିତ’’ରେ ସାମନ୍ତ ବୈଷ୍ଣବଚରଣ ପଟ୍ଟନାୟକଙ୍କ ବଂଶମର୍ଯ୍ୟାଦା ଓ ଆଭିଜାତ୍ୟକୁ ଟଙ୍କା ଦେଇ କିଣିବା ପାଇଁ ସମସରପୁର ଜମିଦାର ସଙ୍କର୍ଷଣ ମହାନ୍ତିଙ୍କ ଅର୍ଥର ଅଭାବ ନ ଥିଲା । କିନ୍ତୁ ସଙ୍କର୍ଷଣ ମହାନ୍ତି ସେ ଅର୍ଥ ଉପାର୍ଜନ କରିଥିଲେ କିପରି-? ‘‘X X ଏହାଙ୍କ ଖାନଦାନିରେ ସେପରି କିଛି ବିଷୟ ଆଶ୍ରୟ ନ ଥିଲା । ନିଜେ ଦେଶ ଦେଶାନ୍ତରରେ ବୁଲି ଏବଂ କଲିକତାରେ ଢେର ଢେର ସାହେବଙ୍କୁ ପଟାପଟି କରି ଠିକା ଆଉ ବିଲାତି ଜାହାଜର ଲୋଡିଂ ଅନ୍‌ଲୋଡିଂ ପାଇଟି ଯୋଗେ ଆଚ୍ଛା ଦଶଟଙ୍କା ଭିଆଭିତି ହାତପୈଠ କରିଛନ୍ତି ।’’

 

ଫକୀରମୋହନଙ୍କ ଏ ପ୍ରକାର ଚିତ୍ରଣ ବହୁ ପରିମାଣରେ ଅବାସ୍ତବ । ପୁରାତନ ସମାଜବ୍ୟବସ୍ଥା ଦିନେ ନୂତନ ସମାଜାଦର୍ଶ ଓ ବ୍ୟବସ୍ଥା ପାଇଁ ପଥରଚନା କରେ । କୌଣସି ଆଦର୍ଶ ବା ବ୍ୟବସ୍ଥା ସର୍ବକାଳୀନ ନୁହେଁ । କୌଣସି ଆଦର୍ଶ ବା ବ୍ୟବସ୍ଥା ଯେତେବେଳେ ସମସ୍ତ ପ୍ରାଣଶକ୍ତି ଓ ଚଳିତଶକ୍ତି ହରାଇ ଜଡ଼, ଅଥର୍ବ ଓ ପଙ୍କିଳ ହୋଇଯାଏ, ସେତେବେଳେ ନୂତନ ଆଦର୍ଶ ଓ ବିଧାନର ଫୁତ୍‌କାରରେ ତାହା ଝଡ଼ ମୁହଁରେ ଶୁଖିଲା ପତ୍ର ପରି ଇତିହାସର ଅଳିଆଗଦା ଭିତରକୁ ଉଡ଼ିଯାଇଁ ନିଶ୍ଚିହ୍ନ ହୋଇଯାଏ ।

 

ତେଣୁ ପତନ ପୂର୍ବରୁ ପୁରାତନ ସମାଜାଦର୍ଶ ପୂର୍ଣ୍ଣ, ବିକଶିତ ଅବସ୍ଥା ଅତିକ୍ରମ କରି, ବିଲୟ (decadence)ର ଚରମ ସୀମାରେ ପହଞ୍ଚିଥାଏ । ସେତେବେଳେ ନୂତନ ସମାଜାଦର୍ଶ, ନୂତନ ପ୍ରାଣଶକ୍ତିରେ ଉଦ୍‌ବୁଦ୍ଧ ଓ ମହିମାନ୍ୱିତ ହୋଇଥାଏ । କିନ୍ତୁ ଫକୀରମୋହନ ଏହାକୁ ସମ୍ପୂର୍ଣ୍ଣ ଅଦଳ ବଦଳ କରି ଦେଇ ଅଛନ୍ତି । ତାଙ୍କ ଦୃଷ୍ଟିରେ ପୁରାତନ ବ୍ୟବସ୍ଥା ଓ ଆଦର୍ଶ, ସବୁ ମହତ୍ୱ, ଔଦାର୍ଯ୍ୟ ଓ ବିଶାଳତାର ପରିଚାୟକ । ନୂତନ ସାମାଜିକ ମୂଲ୍ୟବୋଧ ଓ ଆଦର୍ଶହୀନ ଆତତାୟୀ ପରି, ପ୍ରାଚୀନ ସମାଜବ୍ୟବସ୍ଥାକୁ ହତ୍ୟା କରିବା ପାଇଁ ଉଦ୍ୟମ କରି ସଫଳ ହୋଇଥିଲେ ମଧ୍ୟ ତିଷ୍ଠି ପାରି ନାହିଁ । ପରିଣାମରେ ପ୍ରାଚୀନ ସମାଜାଦର୍ଶର ହିଁ ଜୟ ହୋଇଅଛି ।

 

ଫକୀରମୋହନ ରକ୍ଷଣଶୀଳତାର ପୂଜାରୀ ଥିଲେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆଜିର ଦୃଷ୍ଟିକୋଣରୁ ତାଙ୍କ ରକ୍ଷଣଶୀଳ ଆଦର୍ଶର ଯଥାର୍ଥ ବିଚାର ହୋଇ ପାରିବ ନାହିଁ । ପୁଣି ସେତେବେଳେ ଦେଶରେ ଯେ ଏକ ନୂତନ ସମାଜାଦର୍ଶ ପ୍ରତିଷ୍ଠିତ ହେବାକୁ ଯାଉଥିଲା, ତାହା ନୁହେଁ-। ସାମନ୍ତବାଦର ସୌଭାଗ୍ୟଦୀପ୍ତ ଆକାଶ, ସେତେବେଳ ପର୍ଯ୍ୟନ୍ତ ଅବସାନର ଆସନ୍ନ ଅନ୍ଧକାରରେ ମଳିନ ହୋଇ ନ ଥିଲା । ଜମିଦାରମାନେ ଥିଲେ ମା-ବାପ, ପ୍ରଜାମାନେ ଥିଲେ ସରଳ ନିଷ୍କପଟ; ଝିଅମାନଙ୍କର ବିଦ୍ୟାର ଦଉଡ଼ ଥିଲା ଭାଗବତ ବା ବୈଦେହୀଶ ବିଳାସ ଛାନ୍ଦବୋଲା ପର୍ଯ୍ୟନ୍ତ । ପୁଅମାନଙ୍କର ଆଦର୍ଶ ଥିଲା କଟକ ସହରରେ ମାଟ୍ରିକ୍ୟୁଲେସନ ବା ଏଫ୍‌. ଏ. ପରୀକ୍ଷାଟା ପାସ୍‌କରି ସାରି ଖଣ୍ଡେ ଅମଲା ଚାକିରି ପାଇବା, ବିବାହ ଥିଲା ପ୍ରଜାପତିଙ୍କର ଘଟସୂତ୍ର; ଜୀବନ ଥିଲା ସହଜ, ସୁନ୍ଦର ଓ ନିର୍ଜଞ୍ଜାଳ । ଗାଁ ଦାଣ୍ଡରେ ନାଲିପଗଡ଼ିଆ ପୁଲିସ କନେଷ୍ଟବଲ ସାର୍ବଭୌମ ବ୍ରିଟିଶ ସମ୍ରାଟଙ୍କଠାରୁ ସୁଦ୍ଧା ଥିଲା ଆହୁରି ପରାକ୍ରମଶାଳୀ । ଇଂରେଜୀ ଶିକ୍ଷା ଓ ସେହି ସୂତ୍ରରେ ନୂଆ ଚଳଣୀ ସମାଜରେ ଧୀରେ ଧୀରେ ଆତ୍ମପ୍ରକାଶ କରି ଆସୁଥିଲା-। ଫଳରେ ବହୁ ପ୍ରତିଷ୍ଠିତ ପରମ୍ପରା ଓ ଆଦର୍ଶ, ଏହି ନୂଆ ଚଳଣୀର ସଂଘାତରେ ବିପନ୍ନ ହୋଇପଡ଼ିଥିଲା । ଫକୀରମୋହନ ନିଜେ ଜୀବନରେ ବହୁ ଦୁଃସାହସିକ ସମାଜ ସଂସ୍କାରରେ ପ୍ରବୃତ୍ତ ହୋଇଥିଲେ ସୁଦ୍ଧା, ପରମ୍ପରା ଓ ପ୍ରାଚୀନ ସମାଜାଦର୍ଶର ବଡ଼ ଭକ୍ତ ଥିଲେ । ପରମ୍ପରା କୁସଂସ୍କାର ନୁହେଁ ବା ରକ୍ଷଣଶୀଳତା ସମାଜର ଆବର୍ଜନା ନୁହେଁ । ଅତୀତର ବହୁ ପରିସ୍ଥିତି ଓ ବହୁ ଅନୁଭୂତି ମଧ୍ୟରେ ପରୀକ୍ଷିତ ଓ ପ୍ରତିଷ୍ଠିତ କେତେକ ଆଦର୍ଶ ହିଁ ପରମ୍ପରା । ସଂଘର୍ଷ ଓ ସଂଗ୍ରାମର ବହୁ ଅନ୍ଧକାର, ଅନିଶ୍ଚିତ ମୁହୂର୍ତ୍ତରେ ଏହି ପରମ୍ପରା ହିଁ ସମାଜରେ ବ୍ୟକ୍ତିବିଶେଷଙ୍କର ପଥପ୍ରଦର୍ଶକ ହୋଇଥାଏ । ସମାଜର ଯେଉଁ ପରିସ୍ଥିତି ବା ଅବସ୍ଥାରେ ଏହି ପରମ୍ପରାଗୁଡ଼ିକ ସୃଷ୍ଟି ହୋଇଥାଏ ତାହା ପରିବର୍ତ୍ତିତ ନ ହେବା ପର୍ଯ୍ୟନ୍ତ ସେ ପରମ୍ପରାଗୁଡ଼ିକୁ ନବ୍ୟସଂସ୍କାରର ଦୁହାରେ ଭାସି ଯାଇ ନଷ୍ଟ କରିଦେବାକୁ ବସିବା ଘୋର ମୂର୍ଖତା ଛଡ଼ା ଆଉ କିଛି ନୁହେଁ । କାରଣ କୌଣସି ପରମ୍ପରା ଏକା ଦିନକେ କିଏ ଗଢ଼େ ନାହିଁ ବା ସମାଜ ରାତାରାତି କୌଣସି ପରମ୍ପରାକୁ ସ୍ୱୀକାର କରେ ନାହିଁ-। ପୁଣି ପୁରାତନ ପରମ୍ପରା ଭାଙ୍ଗିଦେବା ଯେତେ ସହଜ, ତା ସ୍ଥାନରେ ଏକ ନୂତନ ପରମ୍ପରା ଆରୋପ କରିବା ସେତେ ସହଜ ନୁହେଁ । ଏଣୁ ସମାଜ-ସଂସ୍କାରର ଭାବପ୍ରବଣତାରେ ଭାସି ଯାଇ ରାତାରାତି ସମାଜକୁ ଭାଙ୍ଗି ପୁଣି ନୂଆ କରି ଗଢ଼ିବାର ଉଦ୍ୟମ ସବୁ-ବେଳେ ଶୁଭଙ୍କର ହୁଏ ନାହିଁ-। ସମାଜ ଜୀବନକୁ ଏହା କିପରି ବିଡ଼ମ୍ୱିତ ଓ ବିପର୍ଯ୍ୟସ୍ତ କରେ ‘‘ପ୍ରାୟଶ୍ଚିତ୍ତ’’ ତାହାର ଏକ ନିପୁଣ ଚିତ୍ର । ପୁରୁଣା ସମାଜକୁ ଭାଙ୍ଗି ରାତାରାତି ନୂଆ ସମାଜ ଗଢ଼ିବାର ଅହଙ୍କାର ବା ଦମ୍ଭ ଫକୀରମୋହନଙ୍କର ନ ଥିଲା । ତାହା ମଧ୍ୟ ଯଥାର୍ଥରେ ଜଣେ ବ୍ୟକ୍ତିବିଶେଷର ସାଧ୍ୟ ଓ ଶକ୍ତି ବହିର୍ଭୂତ । ସମାଜର ସମୂହ ଜୀବନ ଏକ ନୂତନ ମୂଲ୍ୟବୋଧ ବା ଆଦର୍ଶରେ ଶିକ୍ଷିତ ବା ଅନୁପ୍ରାଣିତ ନ ହେବା ପର୍ଯ୍ୟନ୍ତ ମାଡ଼ି ଦଳି ଏକ ନୂତନ ମୂଲ୍ୟବୋଧ ବା ଆଦର୍ଶ ଚଳାଇବାରେ ସାମାଜିକ ଜୀବନ ବିକଶିତ ନ ହୋଇ ବିଡ଼ମ୍ୱିତ ହୁଏ । ତେଣୁ ଫକୀରମୋହନ ତାଙ୍କର ସମସାମୟିକ ସମାଜକୁ ନ ଭାଙ୍ଗି, ଏହାର ସମସ୍ତ କଳଙ୍କ ଓ ଆବର୍ଜନା ଦୂରକରି ଏହାକୁ ଉନ୍ନତ ଓ ସୁନ୍ଦର କରିବାକୁ ଉଦ୍ୟମ କରିଥିଲେ । ପୁଣି ସମାଜ-ସଂସ୍କାର ଏକ ପେଶା ନୁହେଁ; ବା ଥୋକେ ସମାଜକୁ ସଂସ୍କୃତ କରିବା ପାଇଁ ବିଧିନିର୍ଦ୍ଦିଷ୍ଟ ହୋଇ ଜନ୍ମଗ୍ରହଣ କରି ନ ଥାନ୍ତି । ପୁଣି ଅନ୍ୟ ସମାଜରେ ଚଳଣୀ ବା ଆଚାରର ଅନୁକରଣ ସମାଜ-ସଂସ୍କାର ନୁହେଁ । ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସରେ ଫକୀରମୋହନ ଏ ପ୍ରକାର ସମାଜ-ସଂସ୍କାରକମାନଙ୍କର ବିଦ୍ରୂପାତ୍ମକ ଅତି କଟୁ ସମାଲୋଚନା କରିଅଛନ୍ତି ।

 

ଫକୀରମୋହନ ଯଥାର୍ଥରେ ଥିଲେ ସଂସ୍କାରକ । ରକ୍ଷଣଶୀଳତାର ଭିତ୍ତି ଉପରେ ସମାଜକୁ ସଂସ୍କୃତ ଓ ନିର୍ମଳ କରିବା ତାଙ୍କର ଉଦ୍ଦେଶ୍ୟ ଥିଲା । ତାହାହିଁ ତାଙ୍କ ସାହିତ୍ୟର ଆଦର୍ଶ । ସମାଜରେ ଯାହା କିଛି ପରମ୍ପରାରେ ପ୍ରତିଷ୍ଠିତ, ତାକୁ ପୂରାପୂରି ବର୍ଜ୍ଜନ ନ କରି, ସେଥିରେ ପରିସ୍ଥିତିକୁ ଚାହିଁ ସାମାନ୍ୟ ଅଦଳ ବଦଳ କରିବା ସେହି ପରମ୍ପରାକୁ ମାର୍ଜିତ ଓ ସଂସ୍କୃତ କରି, ତାରିଦ୍ୱାରା ସମାଜ ଜୀବନକୁ ନିୟନ୍ତ୍ରିତ କରିବା ଫକୀରମୋହନଙ୍କ ସମାଜ-ସଂସ୍କାରର ଆଦର୍ଶ ଥିଲା । ସେହି ଦୃଷ୍ଟିରୁ ଫକୀରମୋହନଙ୍କୁ ରକ୍ଷଣଶୀଳ କୁହାଯାଇପାରେ । ଉଦାହରଣ ସ୍ୱରୂପ ନିମ୍ନରେ କେତେକ ସାମାଜିକ ଅନୁଷ୍ଠାନ ବା ଆଚାର ସମ୍ପର୍କରେ ଫକୀରମୋହନଙ୍କ ଦୃଷ୍ଟିକୋଣ ଆଲୋଚିତ ହେଉଅଛି ।

 

ବିବାହ ସମ୍ୱନ୍ଧରେ ଫକୀରମୋହନ ପୂରାପୂରି ପ୍ରାଚୀନ ପରମ୍ପରା ଓ ପଦ୍ଧତ୍ତିରେ ଆସ୍ଥାବାନ ଥିଲେ । ବିବାହ ସମ୍ୱନ୍ଧରେ ତାଙ୍କର ଧାରଣା ଥିଲା ...‘‘ଦାସେ–ଜାଣିଲ, ଏଇଟା ହେଲା ପ୍ରଜାପତି ଘଟସୂତ୍ର କଥା–ବିଭାରାତି ପାହିଲେ ବଳେ ମାରିହେବ–ବିବାହ ଜନ୍ମ ଯଦାଯତ୍ର ର ପେନଚ ।’’

 

(ମାମୁ–ଅଷ୍ଟମ ପରିଚ୍ଛେଦ–ପୃ ୧୮)

 

ଅର୍ଥାତ୍‌ ବିବାହ ଏକ ବିଧିନିର୍ଦ୍ଦିଷ୍ଟ ବ୍ୟାପାର । ଜନ୍ମ ଜନ୍ମାନ୍ତରରେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଦାମ୍ପତ୍ୟ ବନ୍ଧନରେ ଆବଦ୍ଧ ହେବା ପାଇଁ ଉଦ୍ଦିଷ୍ଟ ହୋଇଥାନ୍ତି । ତେଣୁ ସେ ବନ୍ଧନ ଅବିଚ୍ଛେଦ୍ୟ । ହିନ୍ଦୁ ସମାଜର ଏ ଏକ ପୁରୁଣା ବୁନିଆଦି କଳ୍ପନା । କିନ୍ତୁ ସମାଜରେ ସ୍ତ୍ରୀ ଅପେକ୍ଷା ପୁରୁଷ ଅଧିକ ସଙ୍ଗତି ଓ କ୍ଷମତାପନ୍ନ ହୋଇଥିବାରୁ ଏ ପ୍ରକାର ବିଧିନିର୍ଦ୍ଦିଷ୍ଟ ବିବାହରେ ନାରୀକୁ ବହୁ ଲଞ୍ଛନା ଓ ସ୍ୱାମୀର ବହୁ ଅନାଚାର ନିର୍ବିବାଦରେ ମୁହଁ ବୁଜି ସହ୍ୟ କରିବାକୁ ପଡ଼େ । ‘‘ଛମାଣ ଆଠଗୁଣ୍ଠ’’ରେ ସାନ୍ତାଣୀଙ୍କ ପରି ସତୀ, ଲକ୍ଷ୍ମୀ, ମହିୟସୀ ନାରୀ ରାମଚନ୍ଦ୍ର ମଙ୍ଗରାଜଙ୍କର ନାନା ଲାଞ୍ଛନା ମୁହଁ ବୁଜି ନୀରବରେ ସହି ସହି ଶେଷରେ ଆତ୍ମହତ୍ୟା କଲେ ସିନା, ମୁହଁ ଫିଟାଇ ଦିନେ ତାହାର ପ୍ରତିବାଦ କରି ନାହାନ୍ତି । କିନ୍ତୁ ଫକୀରମୋହନ ବିବାହର ‘‘ପତି ଦେବତା’’ ଆଦର୍ଶକୁ ସ୍ୱୀକାର କରିଥିଲେ ସୁଦ୍ଧା ଅନାଚାରୀ ସ୍ୱାମୀକୁ ସ୍ୱେଚ୍ଛାଚାର ପାଇଁ ସ୍ତ୍ରୀର ଶାସ୍ତି ଦେବା ପାଇଁ ଯେ ଦାମ୍ପତ୍ୟ ଅଧିକାର ରହିଛି; ଏହା ମଧ୍ୟ ଘୋଷଣା କରିଅଛନ୍ତି । ‘ପେଟେଣ୍ଟ-ମେଡ଼ିସିନ୍‌’ରେ ସାନ୍ତଣୀ ପତିଦେବତାଙ୍କ ପାଇଁ ଯେଉଁ ଛାଞ୍ଚୁଣି ପ୍ରହାରର ବ୍ୟବସ୍ଥା କରିଅଛନ୍ତି ତାହା ପ୍ରୟୋଗ କରିବା ପାଇଁ ଅତ୍ୟାଧୁନିକା ମହିଳାମାନେ ସୁଦ୍ଧା ପଶ୍ଚାଦପଦ ହେବେ । କିନ୍ତୁ ତା’ପରେ...‘‘କାଲିଠାରୁ ସାନ୍ତାଣୀଙ୍କର ଓପାସ–ଆଜି ବି ଜଳସ୍ପର୍ଶ ନାହିଁ । ସ୍ୱାମୀଙ୍କ ଗୋଡ଼ ତଳେ ବସି ହାତ ବୁଲାଉ ଅଛନ୍ତି । ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ ।’’

 

କୁଳାଚାର ଓ ସଂସ୍କାରରେ ଫକୀରମୋହନଙ୍କର ଗଭୀର ଆସ୍ଥା ଥିଲା । ଆଜିର ଗଣତାନ୍ତ୍ରିକ ଯୁଗରେ କୁଳାଚାର ଓ ଜନ୍ମଗତ ସଂସ୍କାର ଗୋଟିଏ ଅତି ରକ୍ଷଣଶୀଳ କଥା ମନେ ହୋଇପାରେ । କିନ୍ତୁ ବ୍ୟକ୍ତିର କ୍ରିୟା ଓ ବ୍ୟକ୍ତିତ୍ୱ ଏହି କୁଳାଚାର ଜନ୍ମଗତ ସଂସ୍କାରଦ୍ୱାରା ବହୁ ପରିମାଣରେ ପ୍ରଭାବିତ ହୋଇଥାଏ । ଫକୀରମୋହନଙ୍କ ବିଭିନ୍ନ ଉପନ୍ୟାସମାନ ଆଲୋଚନା କଲେ ଦୁଇଟି ଶ୍ରେଣୀର ଚରିତ୍ର-ସତ୍‌, ମହତ୍‌, ଉଦାର ଓ ଶୁଚିଶୀଳ; ପୁଣି ଏମାନଙ୍କୁ ବିଡ଼ମ୍ୱିତ ଓ ନିର୍ଯ୍ୟାତିତ କରିବା ପାଇଁ ଏମାନଙ୍କ ବିରୋଧରେ ଆଉ ଦଳେ ନିର୍ଘାତ ପାଷଣ୍ଡ, ନୀଚ ଓ ହୀନବୃତ୍ତି ଚରିତ୍ରର ଅବତାରଣା କରାଯାଇଅଛି । ରାମଚନ୍ଦ୍ର ମଙ୍ଗରାଜ, ଚମ୍ପା, ନାଜର, ନଟବର ଦାସ, ବିଶାଖା, ଚିତ୍ରକଳା, ପ୍ରଭୁଦୟାଲ ଓ ରାଜୀବଲୋଚନ ପ୍ରଭୃତି ଶେଷୋକ୍ତ ଶ୍ରେଣୀର । ଏମାନଙ୍କ ଚରିତ୍ର ବିଶ୍ଳେଷଣ କଲେ ସ୍ପଷ୍ଟ ହୁଏ, ଏମାନେ ସମସ୍ତେ ଅଜ୍ଞାତକୁଳଶୀଳ, ଜନ୍ମଗତ ସଂସ୍କାର ବୋଲି ଏମାନଙ୍କର କିଛି ନ ଥିଲା । ସେଥିପାଇଁ ନୀଚତାର ହୀନତମ ସ୍ତରକୁ ଓହ୍ଲାଇ ଯିବାରେ ଏମାନଙ୍କର କୌଣସି କୁଣ୍ଠା ନ ଥିଲା । ମନୁଷ୍ୟ ଚରିତ୍ର ମୁଖ୍ୟତଃ ହୁଏତ ଆହୃତ (acquired) ଆଚାର ନଚେତ୍‌ ଜନ୍ମଗତ (Congenital) ଆଚାରଦ୍ୱାରା ପ୍ରଭାବିତ ଓ ଗଠିତ ହୋଇଥାଏ । କିନ୍ତୁ ସମାଜରେ ଶତକଡ଼ା ନବେ ବା ତହିଁରୁ ବେଶୀ ଆହୃତ ଆଚାର ଅପେକ୍ଷା ଜନ୍ମଗତ ଆଚାରଦ୍ୱାରା ପ୍ରଭାବିତ ହୋଇଥାନ୍ତି । କାରଣ ଆହୃତ ଆଚାରଦ୍ୱାରା ପ୍ରଭାବିତ ହୋଇ ନିଜର ବ୍ୟକ୍ତିତ୍ୱ ନିୟନ୍ତ୍ରଣ କରିବା ପାଇଁ ଅନେକଙ୍କର ଆବଶ୍ୟକୀୟ ଶିକ୍ଷା ଓ ପରିସ୍ଥିତି ନ ଥାଏ । ତେଣୁ ସମାଜ ଜୀବନକୁ ଉନ୍ନତ କରିବା ପାଇଁ ବ୍ୟକ୍ତି ଜୀବନରେ କୁଳାଚାର ପ୍ରତି ସମ୍ମାନ ପ୍ରଦର୍ଶନ ଏକ ଅବଶ୍ୟ କରଣୀୟ କର୍ତ୍ତବ୍ୟ । ରାମଚନ୍ଦ୍ର ମଙ୍ଗରାଜଙ୍କ ପରି କୁଳାଚାରହୀନ ବ୍ୟକ୍ତି ପକ୍ଷରେ ଶାରିଆ, ଭଗିଆଙ୍କୁ ସର୍ବସ୍ୱାନ୍ତ କରି ତଳିତଳାନ୍ତ କରିବାରେ ବାଧା କେଉଁଠି ? ବା ଫତେପୁର ସରଷଣ୍ଢର ଶାସନୀ ବ୍ରାହ୍ମଣମାନଙ୍କର ବ୍ରହ୍ମୋତ୍ତର ଲଖରାଜୀ ଜମି ଲୁଣ୍ଠନ କରିବାରେ ପ୍ରତିବନ୍ଧକ କେଉଁଠି ? ବା ଅନ୍ୟର ବୁଲା ଗୋରୁମାନଙ୍କୁ ଲୁଟି ଆଣି ହଡ଼ାବେପାରୀମାନଙ୍କୁ ବିକ୍ରୀ କରିବାରେ କୁଣ୍ଠା କେଉଁଠି ? ଏ ସବୁ କିନ୍ତୁ ପୁରୁଣା ବୁନିଆଦିରେ ଗଢ଼ା ବାଘସିଂହ ବଂଶ ପକ୍ଷରେ ଆଦୌ ସମ୍ଭବ ହୁଅନ୍ତା ନାହିଁ । ପୁଣି ରାଜୀବଲୋଚନ ଅଜ୍ଞାତକୁଳଶୀଳ ଥିବାରୁ ତା’ରି ପକ୍ଷରେ ଏକା ଯେଉଁମାନଙ୍କ ଅକପଟ ସ୍ନେହ ଓ ଅକୁଣ୍ଠିତ ଦାନରେ ସେ ପରିପୁଷ୍ଟ ହୋଇଥିଲା, ସେହିମାନଙ୍କର ସର୍ବନାଶ କରିବା ପାଇଁ ତାର ତିଳେ ହେଲେ କୁଣ୍ଠା ହେଲାନାହିଁ । ଏହି ଉନ୍ନତ କୁଳାଚାର କେବଳ ଯେ ସମାଜର ଉଚ୍ଚବିତ୍ତ ପରିବାରମାନଙ୍କରେ ପ୍ରକାଶ ପାଏ ତାହା ନୁହେଁ । ମୁକୁନ୍ଦା ହଳିଆ ବା ଭଣ୍ଡାରୀ ସଇତା, ଯେଉଁ, ମହୀନୟତାର ଆଦର୍ଶ ଦେଖାଇଛନ୍ତି, ତାହା ଚିରକାଳ ସମାଜରେ ଆଦର୍ଶ ହୋଇ ରହିବ ।

 

କୁଳାଚାର ସମାଜରେ ବ୍ୟକ୍ତିକୁ ସୁସଂଯତ କରେ; ବିପଦରେ ଅବସନ୍ନ କରେ ନାହିଁ ବା ସମ୍ପଦରେ ନିରଙ୍କୁଶ କରେ ନାହିଁ । ଫକୀରମୋହନ ଏହିପରି ଭାବରେ ଅତୀତର ନିଶ୍ଚିତ ଭିତ୍ତି ଉପରେ, ଅତୀତର ପରମ୍ପରାରୁ ପ୍ରେରଣ ଓ ସଂଙ୍କେତ ଆହରଣ କରି ବର୍ତ୍ତମାନର ସମାଜବିଧାନ ଗଢ଼ିବା ପାଇଁ ଚାହିଁଥିଲେ ।

 

ଫକୀରମୋହନ ଏବର ସଂଜ୍ଞାରେ ହୁଏତ ବିପ୍ଳବୀ ନ ଥିଲେ । ସମାଜରେ ଅନାଚାରୀ, ଅନ୍ୟାଚାରୀ ଓ ଶୋଷକର ଚରମ ଶାସ୍ତି ସେ ସଙ୍ଗଠିତ ଗଣଶକ୍ତି ଉପରେ ନ ଛାଡ଼ି, ଭବିତବ୍ୟ ହାତରେ ଛାଡ଼ି ଦେଇଅଛନ୍ତି । ଆଜିର ବିପ୍ଳବ–ପ୍ରେମୀ ସମାଲୋଚକ ହୁଏତ ଭଗିଆ ତନ୍ତୀ ଓ ତନ୍ତୀଆଣୀ ଶାରିଆକୁ ଗଣ ବିପ୍ଳବର ପୁରୋଭାଗରେ ଦେଖିଥିଲେ ସନ୍ତୁଷ୍ଟ ହୋଇଥାନ୍ତେ । ମାତ୍ର ଫକୀରମୋହନଙ୍କ କାଳ ଥିଲା ସ୍ୱତନ୍ତ୍ର । ତଥାପି ସେ ଯେ ଅତ୍ୟାଚାରୀ, ଓ ଶୋଷକର ଅଧଃପତନ କଳ୍ପନା କରି ଅଛନ୍ତି, ତାହାହିଁ ତାଙ୍କ ପକ୍ଷରେ ଯଥେଷ୍ଟ ।

 

ଅତୀତ ଓ ଭୂଇଁଫୋଡ଼ ବର୍ତ୍ତମାନର ସନ୍ଧିକ୍ଷଣର ଅନିଶ୍ଚିତ ପୃଷ୍ଠଭୂମିରେ ଫକୀରମୋହନଙ୍କର ବିକାଶ ହୋଇଥିଲା । ବର୍ତ୍ତମାନର ନୂତନ ମୂଲ୍ୟବୋଧ ସେତେବେଳ ପର୍ଯ୍ୟନ୍ତ ସୁଦ୍ଧା ସୁନିର୍ଦ୍ଦିଷ୍ଟ ହୋଇ ନ ଥିଲା । ତେଣୁ ଫକୀରମୋହନ ବର୍ତ୍ତମାନର ସହଜ ନିର୍ଦ୍ଦେଶ ଅପେକ୍ଷା, ଅତୀତର ପରୀକ୍ଷିତ ଓ ପ୍ରତିଷ୍ଠିତ ପରମ୍ପରାକୁ ସମାଜ-ଜୀବନର ନିୟାମକ କରିଥିଲେ । ସେଇଥିପାଇଁ ହୁଏତ ଆଜି ସୁଦ୍ଧା ଓଡ଼ିଶାର ବୃହତ୍ତର ଜନସମାଜ ଫକୀରମୋହନଙ୍କୁ ଯେପରି ନିଜର ଏକାନ୍ତ ଆପଣାର ବୋଲି ଗ୍ରହଣ କରି ପାରିଅଛି, ସେ ସୌଭାଗ୍ୟ ଅନ୍ୟ କୌଣସି ଲେଖକ ଭାଗ୍ୟରେ ସମ୍ଭବ ହୋଇନାହିଁ । ଅନିଶ୍ଚିତ ବର୍ତ୍ତମାନର ଅନ୍ଧକାର ଯାତ୍ରା ପଥରେ ଭବିଷ୍ୟତ ପାଥେୟ ଦିଏ ସତ୍ୟ, କିନ୍ତୁ ଅତୀତ ଦିଏ ଯାତ୍ରାର ପ୍ରେରଣା ।

Image

 

ପରିଶିଷ୍ଟ

ଫକୀରମୋହନଙ୍କ ପତ୍ରାବଳୀ

(୧)

 

ଓଁ ତତ୍‌ସତ୍‌

୨୪ । ୨ । ୧୪

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ,.

 

ସାହିତ୍ୟ ପାଇଲି ପ୍ରାୟ ସବୁ ପଢ଼ିଲି ଆଶ୍ଚର୍ଯ୍ୟ କଥା–ଲିପିସଂସ୍କାର ସମ୍ୱନ୍ଧେ ଉଭୟର ସମାନ ମତ । ଆପଣ ଯାହା ଲେଖିଛନ୍ତି ୧୦।୧୨ ଦିନ ପୂର୍ବେ ଠିକ୍‌ ସେହି ସମସ୍ତ କଥା (ଅବଶ୍ୟ ସଂକ୍ଷେପରେ) ସମ୍ପାଦକଙ୍କୁ ଲେଖିଥିଲି–ସେ ଶୁଣିବେ କ୍ୟାଁ–

 

‘‘ନୂତନ କିଛି କର–

 

ନା ହୟ ମାକେ ଧରେ ମୋର’’–*

 

କିନ୍ତୁ ଏମାନେ ଜନନୀ ମାତୃଭାଷାକୁ ଧରି ମାରିବାକୁ ବସିଛନ୍ତି–ମାରନ୍ତୁ ହାତ ବଥା କଲେ ବଳେ ତୁନି ହେବେ । ଆପଣ ମୋହର ‘‘ସ୍ୱଦେଶୀ ଜନ୍ମଭୂମି’’ ପ୍ରବନ୍ଧଟା ପ୍ରକାଶ କଲେ ନାହିଁ-। କିନ୍ତୁ ପ୍ରକାଶର ଯୋଗ୍ୟ ବୋଲି ମୁଁ ବିବେଚନା କରିଥିଲି । ମୁଁ କିଛି ବଳ ପାଇଲିଣି,–ଗୋଟିଏ ଗଳ୍ପ ଲେଖିବାକୁ ଆରମ୍ଭ କରି ଦେଇଛି । ପ୍ରତି ରାତ୍ରିରେ ଅଧଘଣ୍ଟା କରି ଲେଖେଁ, ୪।୫ ଦିନ ମଧ୍ୟରେ ସମାପ୍ତ ହେବ ବୋଲି ଅନୁମାନ କରେଁ ।

 

ସାହିତ୍ୟ ଏକ ଫର୍ମା ବଢ଼ାଇବେ ଅତ୍ୟନ୍ତ ଆନନ୍ଦ କଥା ପାଠକମାନଙ୍କୁ କିଛି ଭରସା ଦେବା ଉଚିତ । ଆବରଣ ପତ୍ରଟା ଟିକିଏ ସୁନ୍ଦର କରିବେ ବୋଲି ପ୍ରାର୍ଥନା–ଆଶାକରେଁ ଅବସର ବାସରେ କାଗଜ ସକାଶେ ଅଳ୍ପଦିନ ମଧ୍ୟରେ କିଛି ଟଙ୍କା ପଠାଇବି ।

 

ମୋ କ୍ଷୁଦ୍ର ପଦ୍ୟଟା ବି ସାହିତ୍ୟରେ ଦେଲେ ନାହିଁ । କିନ୍ତୁ ଲେଖିବାରେ ମୋହର ଅଧିକାର ପ୍ରକାଶ ଅଧିକାର ଆପଣଙ୍କର ।

 

ଆପଣଙ୍କ

ଫକୀରମୋହନ–

 

*ଏହି ଉକ୍ତିଟି ସୁନ୍ଦର ବଙ୍ଗଳା ହସ୍ତାକ୍ଷରରେ ଉକ୍ତ ପତ୍ରରେ ଉଦ୍ଧୃତ ହୋଇଅଛି । ଉକ୍ତିଟି ବଙ୍ଗୀୟ ସୁଖ୍ୟାତ ନାଟ୍ୟକାର ଡି. ଏଲ୍‌. ରାୟଙ୍କର । ଫକୀରମୋହନଙ୍କ ବଙ୍ଗଳା ହସ୍ତାକ୍ଷର ଓଡ଼ିଆ ହସ୍ତାକ୍ଷରଠାରୁ ଢେର ସୁନ୍ଦର ଥିଲା ବୋଲି ଏହି ଉଦ୍ଧୃତିରୁ ମନେ ହୁଏ ।

 

(୨)

 

ଓଁ ତତ୍‌ସତ୍‌

୯।୪।୧୪

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ,

 

ଆପଣ ନିରାପଦରେ ଚାଉଳ ପାଇଛନ୍ତି ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲି ଏଇଟା ହେଲା ଆପଣଙ୍କ କପାଳ ଆଉ ମୋ ହାତ ଯଶ । ଏତେ ମହଙ୍ଗା ଚାଉଳ ଚୋରି ଯାଇଥିଲେ ଖୁବ ଭଲକଥା ହୋଇଥାନ୍ତା । ଏହି ଭୟରେ ତ ମୁଁ ନାମ ଦେଇ ନାହିଁ । ଆପଣ ମୂଳରୁ ଚିତ୍‌କାର ଆରମ୍ଭ କରିଦେଲେ-। ଆଚ୍ଛା ଗୋଟାଏ କାମ କରନ୍ତୁ ‘‘ଯଜୁର୍ବେଦୀୟ’’ କାଟିଦେଇ ଖାଲି ବ୍ରାହ୍ମଣାନାଂ ସନ୍ଧ୍ୟା ପଦ୍ଧତି କରି ଦେଉନ୍ତୁ । ଶେଷ ପ୍ରୁଫ୍‌ ଶୀଘ୍ର ପଠାଇବେ । ଗୋଟାଏ ଗଳ୍ପ ଲେଖିବାକୁ ଆରମ୍ଭ କଲି, ମାତ୍ର ଆଜି ବାତ ବେମାରି ବାହାରିଛି କଷ୍ଟରେ ଚିଠି ଲେଖୁଛି । ଗଳ୍ପ କାଲିଠାରୁ ଲେଖିବି ୨।୩ ଦିନ ଲାଗିବ ଫରମାସି ଜିନିଷ ଯାହା ହୁଏ ସେଥିରୁ ବେଶି ପାଇବେ ନାହିଁ ।

 

ମୋ ଉପନ୍ୟାସ ପ୍ରାୟ ସାହିତ୍ୟର ୬୦ ପୃଷ୍ଠା ପର୍ଯ୍ୟନ୍ତ ଗଲାଣି ଆଉ କେତେ ଦୂର ଯିବ ବୁଝି ପାରୁ ନାହିଁ । *ନାଟବନ୍ଦି ଉତ୍ତାରେ ରାମାୟଣ ଛପା ହେବ ପ୍ରସ୍ତୁତ ଥିବେ ।

 

ଆପଣଙ୍କ

ଫକୀରମୋହନ ସେନାପତି

 

*ସେନାପତିଙ୍କ ଆତ୍ମଚରିତରୁ ଅନୁମିତ ହୁଏ, ଏହି ସମୟରେ ଫକୀରମୋହନ କଠିନ ଭାବରେ ପୀଡ଼ିତ ନ ହେଲେ ସୁଦ୍ଧା ଶଯ୍ୟାଶାୟୀ ଥିଲେ । ‘‘ପ୍ରାୟଶ୍ଚିତ୍ତ’ର ପ୍ରକାଶ କାଳ ୧୯୧୫ ମସିହା ସେପ୍‌ଟେମ୍ୱର । ଏଥିରେ ଯେଉଁ ଉପନ୍ୟାସଟିର ସୂଚନା ଦିଆ ଯାଇଅଛି, ତାହା କଣ ‘‘ପ୍ରାୟଶ୍ଚିତ୍ତ-?’’ ହୋଇପାରେ ।

 

(୩)

 

ଓଁ ତତ୍‌ସତ୍‌

୨୩।୯

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ–

 

ଆପଣଙ୍କ ଅନୁଗ୍ରହ ଚିଠି ପାଇଲି । ପ୍ରକୃତ ଯଦି ଗଳ୍ପକୁ ପାଠକମାନେ ଅନୁମୋଦନ କରନ୍ତି ସେଥି ସକାଶ ଯତ୍‌କିଞ୍ଚିତ ହେଲେ ଯଦି ସାହିତ୍ୟର ଗୌରବ ବଢ଼େ ଅତ୍ୟନ୍ତ ଆନନ୍ଦିତ ହେବି ନିଶ୍ଚୟ ଜାଣିବେ ମୋହର ଦେହବଳ ଜ୍ଞାନବଳ ମନବଳ କିଛି ନାହିଁ ବୃଥା ଚିରକାଳ ସାହିତ୍ୟ (ପତ୍ରିକାର) ମଙ୍ଗଳ କାମନା କରି ବ୍ୟାକୁଳ ହୁଏଁ । ମୋ ଗଳ୍ପର ପ୍ରଶଂସା କରୁଛନ୍ତି ମାତ୍ର ନିନ୍ଦା ବା ପ୍ରଶଂସା ସକାଶ ଆପଣ ଦାୟୀ । ଗଳ୍ପ ଲେଖିବାକୁ ମୁଁ ସ୍ୱେଚ୍ଛାରେ ପ୍ରବୃତ୍ତ ହୋଇ ନାହିଁ ଆପଣ ପ୍ରଥମ ଆଦେଶ ସାଙ୍ଗେ ସାଙ୍ଗେ ଛାପା ଅକ୍ଷରରେ ସମସ୍ତଙ୍କୁ ଜଣାଇ ଦେଲେ ମୁଁ ଦାୟରେ ପଡ଼ି ଲେଖୁଛି ଅନ୍ତତଃ ବରଷକ ସକାଶ ବାରଟା ଲେଖି ପାରିଲେ ଆପଣାକୁ ମୁକ୍ତ ଜ୍ଞାନ କରିବି । ଗଳ୍ପ ଲେଖିବା କିଛି ଗୁରୁତର କାର୍ଯ୍ୟ ନୁହେଁ ପୃଥିବୀ ଗଳ୍ପମୟ ମାତ୍ର ଅଭାବ ଚିନ୍ତା ଆଉ ଦେହବଳ । ବାସ୍ତବିକ ଆପଣଙ୍କ ନୋଟିସ୍‍ ପାଇଲେ ରାତ୍ରରେ ଆହାରାନ୍ତେ ଶୟନ ସମୟରେ ଘଣ୍ଟେ ଦୁଇ ଘଣ୍ଟା ଜାଗ୍ରତ ରହି ଗଳ୍ପର ପଞ୍ଜର (Plot) ଠିକ୍‌ କରିବାକୁ ହୁଏ ତାହା ବାଦ ଲେଖାରମ୍ଭ ଏହି ତୁଚ୍ଛ କାର୍ଯ୍ୟଟା ସକାଶ ମଧ୍ୟ ବର୍ତ୍ତମାନ ମୁଁ କ୍ଳାନ୍ତ ।

 

ମାମୁ ବିକ୍ରୟ ବିଷୟ ଆପଣ ଯାହା ଭଲ ବିବେଚନା କରନ୍ତି କରିବେ ତେବେ ମୁଁ ଗୌରୀଶଙ୍କରକୁ ବାରମ୍ୱାର ଲେଖିଛି ଅନ୍ତତଃ ମୋ କଥା ରକ୍ଷା ପାଇଁ ୫୦ ଖଣ୍ଡ ବଇ କୋମ୍ପାନୀ ଦୋକାନରେ ଗଚ୍ଛିତ କରିବେ । ମାମୁ ବିକ୍ରୟ ସମ୍ୱନ୍ଧେ ସାହିତ୍ୟ ପ୍ରେସ ସହିତ ଏହି ବନ୍ଦୋବସ୍ତ ରହିଲା । ସ୍କୁଲ ପିଲାମାନେ ସେପ୍‌ଟର (ସେପ୍‌ଟେମ୍ୱର) ମଧ୍ୟରେ ଅଳ୍ପ ଦାମରେ ଯେ ସମସ୍ତ ବଇ ନେଇଛନ୍ତି ସେଥି ସକାଶ ପ୍ରେସ ଅଫିସ କିଛି କମିସ୍ୟନ୍‌ଦାବୀ କରିବେ ନାହିଁ ଅକ୍ଟୋବର ୧୮ ତାରିଖଠାରୁ ଯେତେ ପୁସ୍ତକ ଉପଯୁକ୍ତ ମୂଲ୍ୟରେ ବିକ୍ରୟ ହେବ ପ୍ରେସ ଅଫିସ ଶତକରା ଟ୨୫ଙ୍କା ହିସାବ କମିସ୍ୟନ୍‌ ପାଇବେ । ମୁଁ ଭଲ ଅଛି ଆଶାକରେ ଆପଣମାନେ ଭଲ ଅଛନ୍ତି ଚନୁ ନନ୍ଦୁ * ପିଲାମାନଙ୍କର ସ୍ୱାସ୍ଥ୍ୟ ଦୀର୍ଘଜୀବନ କାମନା କରେ ।

 

ଆପଣଙ୍କ

ଫକୀରମୋହନ

 

ପୁସ୍ତକ ବିକ୍ରୟ ସକାଶ ସାହିତ୍ୟରେ ଗୋଟିଏ ବିଜ୍ଞାପନ ଦେଲେ ଭଲ ହୁଅନ୍ତା ।

 

+ମସିହା ଉଲ୍ଲେଖ ନାହିଁ । ଖୁବ୍‌ ସମ୍ଭବ ୧୯୧୪ ମସିହାରେ ଏହା ଲେଖା ଯାଇ ପାରିଥାଏ ।

 

*ଏ ଦୁଇଟି ନାମ ହସ୍ତାକ୍ଷରରେ ଠିକ୍‌ପଢ଼ି ହୁଏ ନାହିଁ । ଏହି ପତ୍ରଟିର ଶେଷଆଡ଼କୁ ହସ୍ତାକ୍ଷର ଏପରି ଜଟିଳ ଓ ବଙ୍କାଟଙ୍କା ହୋଇଛି ଯେ, ତାହା ଠିକ୍‌ ପଢ଼ିବା ଦୁଃସାଧ୍ୟ ।

 

(୪)

 

ଓଁ ତତ୍‌ସତ୍‌

୨୭।୬।୧୫

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ–

 

ଆପଣଙ୍କ ଅନୁଗ୍ରହ ପତ୍ର ପାଇଲି ପ୍ରାୟଶ୍ଚିତ୍ତ ଛ ଫର୍ମା ଛପା ହୋଇଗଲାଣି ଶୁଣି ଅତ୍ୟନ୍ତ ଆନନ୍ଦିତ ହେଲି ।

 

ଆପଣ ନିଶ୍ଚୟ ଜାଣିବେ ଉତ୍କଳ ସାହିତ୍ୟର ଉନ୍ନତି ଦେଖିଲେ ମୋ ମନରେ ଅତ୍ୟନ୍ତ ଆନନ୍ଦ ଜାତ ହୁଏ ମାତ୍ର ମୋ ପରି ସାମାନ୍ୟ ଲୋକମାନଙ୍କ ସହାନୁଭୂତି ତାହା ପକ୍ଷରେ ଉପକାର ସମ୍ଭାବନା ବିରଳ । ସାହିତ୍ୟ ଉତ୍କଳ ଭାଷା ତଥା ଉତ୍କଳିମାନଙ୍କର ସମ୍ମାନ ରକ୍ଷା କରିଅଛି ।

 

ମୁଁ ଦେଖିଲି ଗଳ୍ପ ସକାଶେ * ବଙ୍ଗଳା ଅନେକ ମାସିକ ପତ୍ରିକାର ଉନ୍ନତି ସେଥି ସକାଶ ଗଳ୍ପ ଲେଖିବାକୁ ଚେଷ୍ଟା କରୁଥିଲି ଆଉ ଗୋଟିଏ ଉଦ୍ଦେଶ୍ୟ ମୋ ଲେଖା ଦେଖି ଅନ୍ୟ ଲୋକେ ଲେଖିବାକୁ ଚେଷ୍ଟା କରିବେ ମୋ ବାସନା ସଫଳ ହୋଇଛି ଗତ ସଂଖ୍ୟା ସାହିତ୍ୟର ଗଳ୍ପ ଗୋଡ଼ିକ ନିତାନ୍ତ ଆଶାପ୍ରଦ–ମୁଁ ନିଶ୍ଚିନ୍ତ ।

 

ଶୁଣିଲି ପ୍ରବନ୍ଧ ଅଭାବରୁ ମୁକୁର ବାହାରି ପାରୁ ନାହିଁ ସେଥିପାଇଁ ଚଞ୍ଚଳ ଗୋଟିଏ ଗଳ୍ପ ଲେଖି ପଠାଇଥିଲି ଆନନ୍ଦର ବିଷୟ ମୋ ଗଳ୍ପ ପହୁଞ୍ଚିବା ପୂର୍ବେ ସେମାନେ ପ୍ରବନ୍ଧ ପାଇଥିଲେ ମୋ ଗଳ୍ପଟି ଆସନ୍ତା ମାସ ପାଇଁ ରଖି ଦେଇଛନ୍ତି । ନିଶ୍ଚୟ ଜାଣିବେ ଆପଣଙ୍କ ଆଦେଶ ପୂର୍ବରୁ ସାହିତ୍ୟ ସକାଶ ଗୋଟିଏ ଗଳ୍ପ ସଂଗ୍ରହ କରିଛି ସଂଗ୍ରହଟା ମନ ମଧ୍ୟରେ । ବୃଷ୍ଟିହେବାରୁ ଏବେ ମୁଁ କିଛି କିଛି ବଳ ପାଇଲିଣି ସଖାଳେ ଘଣ୍ଟାଏ ପର୍ଯ୍ୟନ୍ତ ଲେଖି ପାରେ ମାତ୍ର ଏଣିକି ରାତ୍ରିରେ ଭଲ ଦିଶୁ ନାହିଁ ।

 

ମନ ମଧ୍ୟରେ କଳ୍ପିତ ଗଳ୍ପଟି ଦୁଇଦିନ ମଧ୍ୟରେ ଲେଖି ପକାଇବାକୁ ସାହସ ହେଲାଣି ପ୍ରୟୋଜନ ସମୟରେ ଲେଖି ପଠାଇବି ।

 

ଆପଣଙ୍କ ଫକୀରମୋହନ

 

*ଅନ୍ୟତ୍ର ଫକୀରମୋହନ ‘ସକାଶେ’କୁ ‘ସକାଶ’ ବୋଲି ଲେଖିଛନ୍ତି । ପ୍ଳଟ୍‌‘‘Plot’’ର ଅନୁବାଦ କେଉଁଠି ‘ପଞ୍ଜର’ ଓ ଆଉ କେଉଁଠି ବା ‘ଛାଞ୍ଚ’ କରିଛନ୍ତି । ସତୁରୀ ବର୍ଷ ଉତ୍ତାରେ ମାନସିକ ସଂହତି ନ ଥିବା ସ୍ୱାଭାବିକ । ତାହା ଫକୀରମୋହନଙ୍କ ଲିଖିତ ପତ୍ରମାନଙ୍କରେ କମା, ପୂର୍ଣ୍ଣଚ୍ଛେଦ ଇତ୍ୟାଦିର ଅଭାବରୁ ସ୍ପଷ୍ଟ ହୁଏ ।

 

(୫)

 

ଓଁ ତତ୍‌ସତ୍‌

୮।୮।୧୫

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ,

 

ସାହିତ୍ୟ ମନଯୋଗ ସହିତ ପଢ଼ିଲି ଆପଣା ଗୌରବ ରକ୍ଷା କରି ସମାନ ଭାବରେ ଚାଲିଛି । ନନ୍ଦକିଶୋର ପ୍ରତିମୂର୍ତ୍ତି * ଏଥର ସାହିତ୍ୟର ବିଶେଷତ୍ୱ ସୁନ୍ଦର ନିର୍ଦ୍ଦୋଷ ଛବି–

 

ଗୋଟାଏ ଆଶ୍ଚର୍ଯ୍ୟ କଥା ଶୁଣନ୍ତୁ ମୋ କଥା ବିଶ୍ୱାସ କରନ୍ତୁ । ମୁଁ ଛବିଟା ଆଗରେ ଧରି ଭଲ କରି ନିରୀକ୍ଷଣ ସମୟରେ ଜଣାଗଲା ଛବି ମୋ ସାଙ୍ଗରେ କଥା କହୁଛି ଠିକ୍‍ ସେହିପରି ଓଠ ଥରୁଥାଏ । ମନରେ କଲି ମୋ ଆଖିର ଦୋଷ ଆଖି ଭଲ କରି ମଳି ଦେଲି ୨ୟ ଥର ୩।୪ ମିନିଟ ଯାଏ ଭଲ କରି ଅନାଇଲି ଓଠ ଥରୁଥାଏ ୩ୟ ଥର ଦେଖିଲି ଠିକ୍‌ ସେହିପରି ଆଉ ଅନାଇଁ ପାରିଲି ନାହିଁ ଦୁଃଖ ହେଲା ଛବି ଖଣ୍ଡ କାଚ ଫ୍ରେମରେ ବାନ୍ଧି ରଖିବି । ନନ୍ଦକିଶୋର ପାଇଁ ଆଜିଯାଏଁ ଦୁଃଖ ହୁଏ ସେ ମୋର ପରମହିତୈଷୀ ବନ୍ଧୁ ଥିଲେ ।

 

ନର୍ମଦାକୁ କହିବେ ଏହିପରି ଗୋଟାଏ ଗୋଟାଏ ଗଳ୍ପ ଲେଖୁଥିବ । ଉତ୍କଳ ଭ୍ରମଣ ପାଇଁ ଢେର ଲୋକ ଅନୁରୋଧ କରୁଛନ୍ତି ଆଉ ସେମାନଙ୍କ କଥା ଅଗ୍ରାହ୍ୟ କରି ପାରିବି ନାହିଁ ଚକ୍ରଧର ବାବୁ ହାତରେ ସଂଶୋଧିତ ପୁସ୍ତକ ପଠାଇଛି ପାଇଥିବେ ଏ ମାସ ଶେଷରେ ଯେପରି ହେଉ କାଗଜ ଦାମ୍‌ ପଠାଇବି ଛପାଇବାକୁ ଚେଷ୍ଟା କରିବେ ।

 

ମୁଁ ବର୍ତ୍ତମାନ ସଖାଳେ ଘଣ୍ଟେ ଘଣ୍ଟେ ଲେଖୁଛି ଗଳ୍ପଟାଏ ଅଧାଅଧି ହୋଇଗଲାଣି ମୋ ପାଇଁ ସାହିତ୍ୟରେ ୮।୧୦ ପୃଷ୍ଠା ଜାଗା ରଖିବେ ଗଳ୍ପଟା କିଛି ବଡ଼ ହେବ ବୋଧ କରେଁ ।

 

ଆପଣଙ୍କ

ଫକୀରମୋହନ

 

*ଏ ନନ୍ଦକିଶୋର ଖୁବ୍‌ସମ୍ଭବ ତତ୍‌କାଳୀନ ପଲିଟିକାଲ ଡିପାର୍ଟମେଣ୍ଟରେ ଜଣେ ଉଚ୍ଚପଦସ୍ଥ କର୍ମଚାରୀ ରାୟ ଦାସ ବାହାଦୂର ।

 

(୬)

 

ଓଁ ତତ୍‌ସତ୍‌

୨୯।୯।୧୪

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ,

 

ଚିଠି–କାର୍ଡ଼ ପାଇଲି ମଣିଷ ପଠାଇ ରେଲରୁ ପାର୍ଶେଲ ଆଣିବି ।

 

ମୁଁ ଜାଣେଁ ଆପଣ ମୋ ଗଳ୍ପ ପସନ୍ଦ କରନ୍ତି ଅନ୍ୟ ଲୋକେ ପସନ୍ଦ କରନ୍ତି ଆପଣଙ୍କ ଚିଠିରୁ ଜାଣିଲି ତେବେ ଆତ୍ମବତ୍‌ ମନ୍ୟତେ ଜଗତ୍‌ଭଳିଆ କଥା ନୁହେ ତ ? ଗଳ୍ପଟାକୁ ଯେତେ ସାରିବାକୁ ବସିଛି ତେତେ ବଢ଼ି ଯାଉଛି ଆଉ ଦୁଇ ଘଣ୍ଟା ସମୟ ପାଇଲେ ସରିଯିବ । ନିରବଚ୍ଛିନ୍ନ ୨ଘଣ୍ଟା ବେଳ ପାଉଛି କାହିଁ ? ୫।୭ ମିନିଟ ଲେଖି ଶୋଇପଡ଼େ ସବୁବେଳେ ଦେହରେ ଜ୍ୱର ଭର୍ତ୍ତି ପରିଶ୍ରମରେ କାତର ଗତ କାଲି ଗୋଟାକ ରାତି ଶୋଇ ନାହିଁ ଉଠ ଖାଇ ନାହିଁ ତେବେ ବର୍ତ୍ତମାନ କିଛି ଭଲ ଅଛି ଗୋଟିଏ ପୂଜା ପଦ୍ୟ ଲେଖିବାକୁ ମନ ଥିଲା ସେ ମନ ମରିଗଲାଣି ।

 

ସାହିତ୍ୟକୁ ମୁଁ ଅତ୍ୟନ୍ତ ଭଲ ପାଏଁ କାରଣ ଉତ୍କଳ ସାହିତ୍ୟକୁ ବଞ୍ଚାଇ ରଖିଛି । ଗତ ସଂଖ୍ୟା ଆକାର ଦେଖି ଅତ୍ୟନ୍ତ ଆନନ୍ଦ ଜାତ ହେଲା ଈଶ୍ୱର କେବେ ସମୟ ଦେବେ ସେହିପରି ଆକାର ଧାରଣ କରିବ ଆପଣଙ୍କ ନିଶ୍ଚୟ ମାନସିକ ଶାରୀକ (ଶାରୀରିକ) ଶକ୍ତି ଅଛି ଆର୍ଥିକଟା ଯେ ମୂଳ କଥା । ଶଚୀନ୍ଦ୍ର ପଦ୍ୟଟି ମୋତେ ବଡ଼ ଭଲ ଲାଗିଲା ଆଉ ଥରେ ପଢ଼ିବି ନମ * ଭାଷା ଠିକ୍‌ ହୋଇଗଲାଣି ମୁଁ ଭଲ ରୂପେ ପରୀକ୍ଷା କରି ଦେଖିଲି । ବୋଲନ୍ତୁ ସେ ଲାଗିପଡ଼ି ଥାଉ ରହି ବସି ଲେଖିଲେ କିମ୍ୱା ମୋ ଦେହରେ ବଳ ଥିଲେ ଏଥରକା ଗଳ୍ପଟା କେଜାଣେ ଟିକିଏ ଭଲ ହୋଇଥାନ୍ତା ମୁଁ Art ଏକାବେଳକେ ଛାଡ଼ି ଦେଇ କେବଳ Plot ଧରି ଚାଲିଛି ତଥାପି ଲକ୍ଷ୍ମୀଛଡ଼ା + ମୋତେ ହୟରାଣ କରି ମାରିଲାଣି । ଆପଣ ଖୁବ୍‌ ସାବଧାନ ହୋଇ ଦେଖିବେ ଫେର ପଢ଼ି ସଂଶୋଧନ କରିବାକୁ ଗଲେ ଆହୁରି ମୋତେ ଦୁଇଦିନ ବେଶ ଲାଗିବ । ଇତି

 

ଆପଣଙ୍କ

ଫକୀରମୋହନ

 

*ଶ୍ରୀମତୀ ନର୍ମଦା କର, ବିଶ୍ୱନାଥଙ୍କ କନ୍ୟା ।

 

+ଲକ୍ଷ୍ମୀଛଡ଼ା–ଫକୀରମୋହନଙ୍କର କୌଣସି ଗଳ୍ପର ଶିରୋନାମା ନୁହେ–ତାଙ୍କ ମାନସପୁତ୍ର, ନିଃସଙ୍ଗ ରୋଗଶଯ୍ୟାର ଏକମାତ୍ର ସାଥୀ ଓ ସନ୍ତ୍ୱନା କ୍ଷୁଦ୍ରଗଳ୍ପ ପ୍ରତି ସ୍ନେହସିକ୍ତ କଟୂକ୍ତି-

 

(୭)

 

ଓଁ ତତ୍‌ସତ୍‌

୧୧।୧୦।୧୪

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ,

 

ସାହିତ୍ୟ ହସ୍ତଗତ ହେବା ମାତ୍ର ବାହ୍ୟିକ ଆକାର ଦେଖି ଅତ୍ୟନ୍ତ ଆନନ୍ଦିତ ହେଲି ପ୍ରଭୁ କେବେ ଆଶୀର୍ବାଦ କରିବେ କେବେ ପ୍ରତି ମାସରେ ଏହି ଆକାରରେ ବାହାରିବ । ପତ୍ରିକା ଉନ୍ନତି ତିନି ଜଣ ପ୍ରତି ନିର୍ଭର କରେ–ସମ୍ପାଦକ ଅର୍ଥାତ୍‌ ଆପଣ ପ୍ରସ୍ତୁତ ହେଲେଣି ବାକୀ ଦୁଇଜଣ ଲେଖକ–ଆଉ ଗ୍ରାହକ । ମୋର ବିଶ୍ୱାସ ଦୁଇ ହଜାର ଗ୍ରାହକ ପାଇଲେ ସହଜରେ ଦଶଫର୍ମିଆ ସାହିତ୍ୟ ବାହାର କରିବାକୁ ସକ୍ଷମ ହେବ । ମୁଁ କଳ୍ପନା ଚକ୍ଷୁରେ ଦେଖୁଛି ସେ ଦିନ ଆସୁଛି ନିଶ୍ଚୟ ଆସିବ ମାତ୍ର ମୁଁ ଦେଖିବି ନାହିଁ–ନ ଦେଖେ ଦେଶବାସୀ ଦେଖନ୍ତୁ ପଢ଼ନ୍ତୁ ମୁଁ ଖୁବ୍‌ ମନ ଦେଇ ପଢ଼ିଲି ‘ପରାଜୟ’ ଅନୁବାଦ ହେଉ–ଗଳ୍ପ ନିର୍ବାଚନରେ ବୁଦ୍ଧିମତା ପ୍ରକାଶ ପାଇଛି ନମ ଭାଷା ଠିକ୍‌ ହୋଇ ଗଲାଣି ତାକୁ ବୋଲନ୍ତୁ ଲାଗିପଡ଼ି ଥାଉ ମୌଳିକ ବିଷୟ ଦିନେ ସହଜରେ ଆୟତ ହୋଇଯିବ ପ୍ରାୟଶ୍ଚିତ ସମାଲୋଚନା ପଢ଼ିଲି ଚିନ୍ତାମଣି ବାବୁଙ୍କୁ * ଜଣେ ଐତିହାସିକ ବୋଲି ଜାଣିଥିଲି–ଏହାଠାରୁ ସୁନ୍ଦର ବିଶଦ ସମାଲୋଚନା ହେବାକୁ ନପାରେ ମୋହର କିଛି ଅତିରିକ୍ତ ପ୍ରଶଂସା ଲେଖିଛନ୍ତି ମୁଁ ଏଡ଼େ ଯୋଗ୍ୟ ବୋଲି ଆପଣାକୁ ଜ୍ଞାନ କରେ ନାହିଁ ‘‘ଶାରଦୀୟ ପ୍ରୀତି ପୁଷ୍ପମାଳ’’ ଲେଖକ କିଏ ? ଉଡ଼ିଆ ଘର ସ୍ତ୍ରୀ ନାମ ପରି ସମ୍ପାଦକମାନେ ଲେଖକ ନାମ ପ୍ରକାଶ କରିବାକୁ ମହାପାପ ବୋଲି ଜ୍ଞାନ କରନ୍ତି ମାତ୍ର ସ୍ତ୍ରୀମାନେ ନାମ ବଞ୍ଚାଇ କହନ୍ତି ଯଥା ଜଗନ୍ନାଥ–ଟଗନ୍ନାଥ ଆପଣ ସେହିପରି ବଞ୍ଚାଇ ନାମ ଲେଖନ୍ତୁ ଯଥା–ଶଚୀନ୍ଦ୍ର–ଟଚୀନ୍ଦ୍ର । ମୁଁ ବର୍ତ୍ତମାନ ଟିକିଏ ଭଲ ଅଛି ଢେର ଚିଠି ଲେଖିବାକୁ ହେବ । ସଂକ୍ଷେପ କଥା–

 

ପୂଜା ସାହିତ୍ୟ ଠିକ୍‍ ହୋଇଛି ।

 

ଆପଣଙ୍କ

ଫକୀରମୋହନ

 

ପୁଃ–ଚିନ୍ତାମଣି ବାବୁ ବର୍ତ୍ତମାନ କେଉଁଠାରେ ? ତାଙ୍କ Address ଜାଣନ୍ତି ?

 

*ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତପୂର୍ବ କୁଳପତି ଶ୍ରୀ ଚିନ୍ତାମଣି ଆଚାର୍ଯ୍ୟ । ସେତେବେଳେ ଖୁବ୍‌ସମ୍ଭବ ସେ କଲିକତାରେ ଜଣେ ଛାତ୍ର ଥିଲେ ।

 

(୮)

 

ଓଁ ତତ୍‌ସତ୍‌

୨୧।୧୦।

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ–

 

ପୁସ୍ତକ ବିକ୍ରୟ ସମ୍ୱନ୍ଧେ ଯାହା ଲେଖିଛନ୍ତି ସମ୍ପୂର୍ଣ୍ଣ ସତ୍ୟ ମୁଁ ଜୀବନବ୍ୟାପୀ ଭୁକ୍ତଭୋଗୀ ମୁଁ ଅନେକ ଲୋକସାନ ସହିଛି ବର୍ତ୍ତମାନ କେତେଜଣ ମାମୁ ନେଇ ଦାମ ଦେଉ ନାହାନ୍ତି କେବେ ଦେବେ ଜାଣେ ନାହିଁ ସମ୍ୱଲପୁର ଯାହାଙ୍କ ନିକଟକୁ ପଠାଇବି ସେ ସାଧାରଣ କ୍ରେତା ନୁହନ୍ତି ବୋଧକରେ ବିତରଣ ସକାଶ ମାଗୁଛନ୍ତି ତଥାପି ମୁଁ ଭି: ପି: ରେ ପଠାଇବାକୁ ଇଚ୍ଛା କରେଁ ଅଥବା ସେ ମୂଲ୍ୟ ନ ଦେଲେ ମଧ୍ୟ ଅନ୍ୟ ଲୋକଠାରୁ ପାଇବି ଯେଉଁ ପୁସ୍ତକ ପଠାଯିବ ଅନ୍ୟ ସୂତ୍ରେ ବିକ୍ରୟର ସମ୍ଭାବନା ନାହିଁ କୌଣସି ରୂପେ ଯଦି କିଛି ବଇ ବାହାରିଯାଏ ଆନନ୍ଦର କଥା କାରଣ ମାମୁଖଣ୍ଡ ଅସମ୍ପୂର୍ଣ୍ଣ ଭାବରେ ଲେଖା ହୋଇଛି ସମ୍ପୂର୍ଣ୍ଣ ଭାବରେ ଲେଖା ହୋଇଥିଲେ ଛାପା ଖର୍ଚ୍ଚ ପାଞ୍ଚଶତ ଟଙ୍କା ପର୍ଯ୍ୟନ୍ତ ଲାଗିଥାନ୍ତା ବ୍ୟୟ ଲାଘବ ନିମନ୍ତେ ୩।୪ ପରିଚ୍ଛେଦ କାଟି ଦେଇଛି ସୁତରାଂ ଅନେକ ନାୟକ ନାୟିକା ଚରିତ୍ର ଫୁଟିଲେ ନାହିଁ ଏତେ ପ୍ରଚ୍ଛନ୍ନ କଥା ମଧ୍ୟ ଲୋକେ ଜାଣିପାରି ମୋତେ ଆକ୍ରମଣ କରୁଛନ୍ତି ସେଥିମଧ୍ୟରୁ ଗୋଦାବରୀଶ ବାବୁ ଜଣେ–ଏହି ଶ୍ରେଣୀ ଲୋକେ ମୋହର ଦୋଷ ଦେଖାଉଛନ୍ତି ମୋ ପ୍ରତିଜ୍ଞା ରକ୍ଷା କରିବି ପ୍ରତି ମାସରେ ସାହିତ୍ୟକୁ ଗୋଟିଏ କରି ଗଳ୍ପ ଦେବି ବର୍ତ୍ତମାନ ଗୋଟିଏ ଆରମ୍ଭ କରିଛି ୨।୩ପୃଷ୍ଠା ଲେଖି କ୍ଳାନ୍ତ ହୋଇ ପଡ଼ିଲି । ମୁଁ ବର୍ତ୍ତମାନ ନିତାନ୍ତ ଅସୁସ୍ଥ ଦେହମନ ନିତାନ୍ତ ବ୍ୟାକୁଳ ଯଦି ୮।୧୦ ଘଣ୍ଟା ସ୍ୱାସ୍ଥ୍ୟ ପାଏଁ ଗଳ୍ପ ପୂର୍ଣ୍ଣ ହୋଇଯିବ ମୋ ପାଇଁ ୮।୧୦ ପୃଷ୍ଠା ଜାଗା ରଖିବେ ନିତାନ୍ତ କଷ୍ଟରେ ଏହି ପତ୍ର ଲେଖୁଛି । ଅନୁଗ୍ରହ କରି ଯେତେ ଜଲଦି ପାରନ୍ତି ୫୦ ଖଣ୍ଡ ମାମୁ ରେଲରେ ପଠାଇବେ ଆଉ ପାରିବି ନାହିଁ ।

 

ଫକୀରମୋହନ

 

+ଖୁବ୍‌ସମ୍ଭବ ଏହି ପତ୍ରଟି ୧୯୧୫ ମସିହାରେ ଲେଖା ଯାଇଥିଲା । ଏହି ସମୟରେ ଫକୀରମୋହନ ଦାରୁଣ ବ୍ୟାଧିରେ ପଡ଼ିଥିଲେ । ପତ୍ରର ଶେଷରେ ତାହାର ସୂଚନା ଅଛି ।

 

(୯)

 

ଓଁ ତତ୍‌ସତ୍‌

୪।୪।୧୭

 

ବାଲେଶ୍ୱର

 

ପ୍ରିୟ ବିଶ୍ୱନାଥ ବାବୁ–

 

ଚାଉଳ ବିଲ ପଠାଇଛି ବୋଧକରେଁ ୨ଦିନ ମଧ୍ୟରେ ପାଇବେ କାରଣ goods ଟ୍ରେନ୍‌ରେ ମାଲ ଯାଇଛି ବିଳମ୍ୱ ହେବ ମୁଁ ମନରେ କରିଥିଲି ଚାଉଳ କିଣିବି ପଠାଇଦେବି–କିନ୍ତୁ ଲଟଖଟିଆ କାମ ଢେର ପଡ଼ିଲା ସେଥି ସକାଶ ବରଞ୍ଚ ମୁଁ ଆନନ୍ଦିତ ଯେ କୌଣସି ବନ୍ଧୁ ସକାଶ କର୍ମ କରିବାକୁ ପ୍ରସ୍ତୁତ ଅଛି ତେବେ ଚାଉଳ ଆପଣଙ୍କର ପସନ୍ଦ ନହେଲେ ଦୁଃଖିତ ହେବି କେବେ ମୋ ମନରକ୍ଷା ପାଇଁ ଲେଖିବେ ନାହିଁ ଚାଉଳ ପସନ୍ଦ ହେଲା କି ନାହିଁ ଲେଖିବେ ଦୁଇ ମାସ ପୂର୍ବରୁ ଲେଖିଥିଲେ କିଛି ଶସ୍ତାରେ ପାଇଥାନ୍ତେ ମଧ୍ୟ ମାଲ ଫରମାସି ପରିଷ୍କାର ହୋଇଥାନ୍ତା ଏ ଚାଉଳ ଗୋଡ଼ାକ ବଜାରି । ତ୍ରିସନ୍ଧ୍ୟା ସ୍ତୋତ୍ରରେ ମୋ ନାମ ଦେବା ଦରକାର ନାହିଁ । ମୂଲ ଟ ୦୨ ଯେତେ ଭଲ କାଗଜ ପାରନ୍ତି ଦେବେ ମଲାଟ ସୁଦୃଶ୍ୟ ଆଉ ନାନା ରଙ୍ଗରେ ରଞ୍ଜିତ ହେଲେ ଭଲ ହେବ ଶେଷ ପ୍ରୁଫ୍‌ ପଠାଇବେ । ହଁ ଗଳ୍ପ କଥା–

 

ମୁଁ ଏଥିପୂର୍ବେ ସ୍ଥିର କରିଥିଲି ସାହିତ୍ୟରେ ଗତ ବର୍ଷ ସକାଶେ ଗଳ୍ପ ଲେଖି ବନ୍ଦ କରିବି । କିନ୍ତୁ ଲୋକେ ଯେ ସ୍ଥଳେ ମୋ ସାମାନ୍ୟ ଲେଖା ପଢ଼ିବାକୁ ଇଚ୍ଛା କରୁଛନ୍ତି ଆଉ ସାହିତ୍ୟର ଯଦି କିଛି ମାତ୍ର ହେଲେ ସାହାଯ୍ୟ ହୁଏ ତେବେ ମୋ ଲେଖିବା ଉଚିତ । ସ୍ଥିର କଲି ଶକ୍ତି ସାମର୍ଥ୍ୟ ଥିବା ଯାଏ ଗଳ୍ପ ଲେଖିବି । ଗତ ସଂଖ୍ୟା ସଭ୍ୟ ଜମିଦାର ଗଳ୍ପ ଟିକିଏ ଧୀର ସୁସ୍ଥରେ ଲେଖିଥିଲେ ଚରିତ୍ର ଗୋଡ଼ାକ ଫୁଟିଥାନ୍ତା, ସୁପାଠ୍ୟ ହୋଇଥାନ୍ତା ତେବେ ଆଉ ୫।୭ ପୃଷ୍ଠା ବଡ଼ ହୋଇଥାନ୍ତା ସାହିତ୍ୟ ସମୟକୁ ଚାହିଁ ଚଞ୍ଚଳ ଲେଖି ପକାଇବାରୁ ମୋ ମନୋନୀତ ହେଲା ନାହିଁ କିନ୍ତୁ ଉତ୍କଳର ଜଣେ ଭଲ ସମଜ୍‌ଦାର୍‌ ଗ୍ରେଜୁଏଟଙ୍କଠାରୁ ଏହି ମାତ୍ର ପତ୍ର ପାଇଲି ସେ ଗଳ୍ପ ପଢ଼ି ମୋହିତ ହୋଇଛନ୍ତି । ଆପଣଙ୍କର ମଧ୍ୟ ପସନ୍ଦ ହୋଇଅଛି ବୋଲି ଲେଖିଛନ୍ତି–ଯଦି ତା ଭାଗ୍ୟରେ ପୁର୍ନମୁଦ୍ରଣ ଥାଏ ତା ହେଲେ ଭଲ କରି ଲେଖିବି ।

 

ଆପଣଙ୍କର ଫରମାସ ଆସିବ ଜାଣି ଗୋଟିଏ ଗଳ୍ପ ଲେଖିବାକୁ ଆରମ୍ଭ କରିଅଛି–ଗଳ୍ପଟିକୁ ନାମ ବିଷମଞ୍ଜି । ଏ ପର୍ଯ୍ୟନ୍ତ ସାହିତ୍ୟ ଆକାରରେ ୩ ଫର୍ମା ଅର୍ଥାତ୍‌ ୨୪।୨୫ ପୃଷ୍ଠା ପର୍ଯ୍ୟନ୍ତ ହୋଇଗଲାଣି । ସଂସାରର ଏବଂ ବଲାଇ ଚରିତ୍ରର ନାନା ଜଟିଳସମସ୍ୟା ଆସି ପଡ଼ି ଯାଉଛି । ସମସ୍ତ ମୀମାଂସା କରି ଲେଖିବାକୁ ଗଲେ ସାହିତ୍ୟରେ ୫୦ ପୃଷ୍ଠା ପର୍ଯ୍ୟନ୍ତ ହୋଇ ଯାଇପାରେ । ତାହାକୁ ଉପନ୍ୟାସ ଆକାରରେ ଲେଖିବାକୁ ନନ୍ଦକିଶୋର କହୁଛନ୍ତି କଣ କରିବି ଜାଣେ ନାହିଁ । ଆପଣ ଯଦି କ୍ଷୁଣ୍ଣ ହୁଅନ୍ତି ଲେଖିବେ । ସେଟା ବନ୍ଦରଖି ଆଉ ଗୋଟିଏ କ୍ଷୁଦ୍ରଗଳ୍ପ ଲେଖି ପଠାଇବି । ଉପସ୍ଥିତ ଗଳ୍ପଟା ଏଥିମଧ୍ୟରେ ଶେଷ କରି ପାରିବି ନାହିଁ କାରଣ ସଞ୍ଜ ଉତ୍ତାରେ ପ୍ରତିଦିନ ଅଧଘଣ୍ଟା ମାତ୍ର ଲେଖିଥାଏଁ ଏଥିରେ ଶେଷ ହୋଇ ପାରିବ ନାହିଁ ।

 

ଆପଣଙ୍କ ଫକୀରମୋହନ

Image